Unknown

 

 

 

 

 

 

 

 

 

 

 

ସରସ ଗପ

ଲକ୍ଷ୍ମୀନାରାୟଣ ମହାନ୍ତି

 

ଭୂମିକା

 

ସାହିତ୍ୟାଲୋଚନା ପ୍ରସଙ୍ଗରେ ଦିନେ, କେତେ ବର୍ଷ ତଳେ, ଜଣେ ଦରଦୀ ବନ୍ଧୁ କଟୂ ବକ୍ରୋକ୍ତି କରିଥିଲେ—ହଁ ହେ, ଓଡ଼ିଆ ସାହିତ୍ୟରେ ତ ଆଜିକାଲି ବହୁତ କିଛି ହୋଇ ଗଲାଣି ବୋଲି ଡିଣ୍ଡିମ ପିଟୁଛ, ମାତ୍ର ଦେଖାଇ ଦିଅ ତ ପୂରାପୂରି ନୂତନ ଧରଣର କଅଣ ଗୋଟାଏ ଏଇଠି ହୋଇଛି ? ସେତେବେଳେ ମୋ ମନକୁ ବିଶେଷ ବାଧିଲା । ମନ କଥା ମନରେ ରହିଲା, ଏଣେ ପୂର୍ଣ୍ଣ ଉଦ୍ୟମରେ କାମ ଚାଲିଲା । ଆଜି, ଯାହା ହେଉ, ସେହି ଲକ୍ଷ୍ୟ କିଞ୍ଚତ୍ ଫଳବତୀ ହେବାକୁ ଯାଉଛି ।

 

“ନୋବେଲ ଲରିୟେଟଙ୍କ ସରସ ଗପ” ଓଡ଼ିଆ ସାହିତ୍ୟରେ ନିଃସନ୍ଦେହରେ ଏକ ବିସ୍ମୟକର ସୃଷ୍ଟି । ଏ ଅବଧି ଏତାଦୃଶ ଧରଣର ପ୍ରଚେଷ୍ଟା ଖାଲି ଓଡ଼ିଆ ସାହିତ୍ୟରେ କାହିଁକି, ଏପରିକି କୌଣସି ଭାରତୀୟ ସାହିତ୍ୟରେ ମଧ୍ୟ ହୋଇନାହିଁ । ନାନା କାରଣରୁ ସାଧାରଣ ପାଠକ ପକ୍ଷରେ ଶ୍ରେଷ୍ଠ ଆନ୍ତର୍ଜାତିକ ସାହିତ୍ୟିକ ସମ୍ମାନ ସ୍ୱରୂପ ନୋବେଲ ପୁରସ୍କାର ପ୍ରାପ୍ତ ଲେଖକମାନଙ୍କର ରଚନା ପଢ଼ିବା ସମ୍ଭବପର ନୁହେଁ । ବର୍ତ୍ତମାନ ଗ୍ରନ୍ଥଟି ସେହି ବିଶ୍ଵ ବରେଣ୍ୟ ଲେଖକମାନଙ୍କର ରଚନା ସହିତ ପାଠକ ସମାଜକୁ ପରିଚୟ କରାଇଦେବା ପକ୍ଷରେ ଏକ ଦୁଃସାହସିକ ପ୍ରୟାସ ମାତ୍ର ।

 

ୟୁରୋପର ଏକ ସମୃଦ୍ଧ ରାଷ୍ଟ୍ର ସ୍ଵୀଡ଼େନରେ ବିଶ୍ଵ ବିଦିତ ବୈଜ୍ଞାନିକ ସାର୍ ଆଲଫ୍ରେଡ ନୋବେଲଙ୍କ ଦ୍ଵାରା ପ୍ରବର୍ତ୍ତିତ “ନୋବେଲ ପୁରସ୍କାର” ୧୯୦୧ ସାଲ ଠାରୁ ପ୍ରଚଳିତ ହେଲା-। ଏଯାଏ ପୃଥିବୀର କୋଡ଼ିଏଟି ରାଷ୍ଟ୍ରର (ଫ୍ରାନସ୍, ଜର୍ମାନୀ, ନରୱେ, ସ୍ପେନ, ପୋଲାଣ୍ଡ, ଇଟାଲୀ, ଇଂଲଣ୍ଡ, ସ୍ଵୀଡ଼େନ, ବେଲଜିୟମ, ଭାରତବର୍ଷ, ଡେନ୍‍ମାର୍କ, ସୁଇଜାରଲ୍ୟାଣ୍ଡ, ଆମେରିକା, ରୁଷିଆ, ଫିନ୍‍ଲାଣ୍ଡ, ଚିଲି, ଆଇସଲ୍ୟାଣ୍ଡ, ୟୁଗୋସ୍ଲଭିଆ, ଗ୍ରୀସ, ଇସ୍ରାୟେଲ) ୬୨ ଜଣ କୃତୀ ସାହିତ୍ୟିକ ଏହି ପୁରସ୍କାର ପାଇଛନ୍ତି—୧୫ ଜଣ କବିତାରେ, ୯ ଜଣ ନାଟକରେ, ୬ ଜଣ ପ୍ରବନ୍ଧରେ ଏବଂ ୩୨ ଜଣ ଉପନ୍ୟାସରେ । ଭାରତବର୍ଷରୁ କେବଳ କବି ରବୀନ୍ଦ୍ରନାଥ ଏହି ବିଶ୍ଵ-ସମ୍ମାନର ଅଧିକାରୀ ହୋଇଥିଲେ ।

 

ପ୍ରଥମେ ମୋର ଯୋଜନା ଥିଲା, ତିରିଶ ଜଣ ଜନପ୍ରିୟ ନୋବେଲ ଲରିୟେଟଙ୍କର ଗୋଟିଏ ଲେଖାଏଁ ସରସ ଗପର ଅନୁବାଦ ଦେଇ ଏହି ଗ୍ରନ୍ଥଟିକୁ ସ୍ଵୟଂ ସମ୍ପୂର୍ଣ୍ଣ କରିବି । ମାତ୍ର ପୁସ୍ତକର ବୃହଦାୟତନ ଦୃଷ୍ଟିରୁ, ପ୍ରକାଶକ ଏକ ସୁଚିନ୍ତିତ ପରାର୍ମଶ ଦେଲେ ସମୁଦାୟ ଗ୍ରନ୍ଥଟିକୁ ଦୁଇଟି ଭାଗରେ ବିଭକ୍ତ କରିବା ପାଇଁ । ସୁତରାଂ ବର୍ତ୍ତମାନ ପ୍ରଥମ ଖଣ୍ଡରେ ପନ୍ଦର ଜଣ ବିଶିଷ୍ଟ କଥାକାରଙ୍କର ପନ୍ଦରଟି ଗପ ସ୍ଥାନ ପାଇଛି। ଦ୍ଵିତୀୟ ଖଣ୍ଡରେ ଅନ୍ୟମାନଙ୍କର ଗପ ସଂଯୋଜିତ ହେବ ।

 

ଗପ କହିବା ଓ ଶୁଣିବା ମଣିଷର ଏକ ସହଜାତ ପ୍ରବୃତ୍ତି । ଯେଉଁ ସମୟରେ କି ଯେଉଁ ପରିବେଶରେ ମଣିଷ ବାସ କରେ, ମଣିଷର ମନରେ ତଦନୁରୂପ ଗପ-ରସ ସଞ୍ଚାରିତ ହୁଏ । ସେଥିପାଇଁ ଗପର ରୂପ ଯେମିତି ଯୁଗେ ଯୁଗେ ପରିବର୍ତ୍ତିତ ହେଉଛି, ସେମିତି ଗୋଟାଏ ଯୁଗ ଭିତରେ ବି ବିଭିନ୍ନ ପରିବେଶରେ ଗପର ବିଷୟବସ୍ତୁ ଓ ଗଠନରୀତି ଭିନ୍ନ ପ୍ରକାରର ଆକାର ଧାରଣ କରୁଛି ।

 

ଅତୀତରେ ଗପ କୁହା ଯାଉଥିଲା ପରିପୂର୍ଣ୍ଣ ବିବୃତିର ସହାଯ୍ୟରେ, ମାତ୍ର ଆଧୁନିକ ଯୁଗରେ ତାହା କୁହା ହେଉଛି ବ୍ୟଞ୍ଜନାର ମାଧ୍ୟମରେ । ପୂର୍ବରୁ ଗପରେ ରହୁଥିଲା ସୁସମାପ୍ତି, ମାତ୍ର ବର୍ତ୍ତମାନ ରହୁଛି ଇଙ୍ଗିତ । ସେତେ ବେଳେ ଘଟଣା ବା ଚରିତ୍ରର ପୂର୍ଣ୍ଣ ରୂପାୟନରେ ପାଠକ ତୃପ୍ତି ଲଭୁଥିଲା, ମାତ୍ର ବର୍ତ୍ତମାନ ଜୀବନ-ରହସ୍ୟ ଜନିତ ଅତୃପ୍ତି ଭିତରେ ତାହାକୁ ଖୋଜିବାକୁ ହେଉଛି ସନ୍ତୋଷ ବା ଆନନ୍ଦ । କାରଣ ବର୍ତ୍ତମାନ ମଣିଷର ବୃଦ୍ଧି ଓ ଦୃଷ୍ଟିକୋଣ ଅଧିକ ପରିମାଣରେ ପରିମାର୍ଜିତ ଓ ତୀକ୍ଷ୍ଣ ହୋଇ ଗଲାଣି ବୋଲି ପ୍ରଚାରିତ ହେଉଛି । ସୁତରାଂ ବର୍ତ୍ତମାନ ଗପର ଶେଷ ନାଟକୀୟ ଅଦ୍ଭୁତ ରସ ବା ବିସ୍ମୟର ଭାବ ସାଧାରଣତଃ ଦେଖିବାକୁ ମିଳୁଛି ।

 

ବିଂଶ ଶତାବ୍ଦୀରେ ଛୋଟ ଗପ ସହିତ ଜୀବନର ସମ୍ପର୍କ ସାଙ୍କେତିକ । ସେଥିପାଇଁ ଗପର ଜନପ୍ରିୟତା କ୍ରମେ କ୍ରମେ ଲିଭି ଯାଉଛି । ଆଧୁନିକ କବିତା ଭଳି,ଏ ଯୁଗରେ ଛୋଟ ଗପ ମଧ୍ୟ ହୋଇ ପଡ଼ିଛି ଜଟିଳ, ନିଗୂଢ଼ ଓ ରହସ୍ୟମୟ । ତଥାପି ଏହି ସଙ୍କଳନସ୍ଥ ଗପଗୁଡ଼ିକ ରଚିତ ହୋଇଛି ବିଚିତ୍ର କୌଶଳ, ବିଭିନ୍ନ ଉପାଦାନ ଓ ବହୁବିଧ ଉପାୟରେ । ଛୋଟ ଗପର ଅନୁରାଗୀ ପାଠକ ବୃନ୍ଦ ନିଶ୍ଚୟ ପାଶ୍ଚାତ୍ୟ ଲେଖକମାନଙ୍କର ଅଲୌକିକ ଉଦ୍ଭାବନୀ ଶକ୍ତି ଦେଖି ବିସ୍ମିତ ନ ହୋଇ ରହି ପାରିବେ ନାହିଁ ।

 

ଛୋଟ ଗପସବୁ ସୁମଧୁର, ହାସ୍ୟକର, କରୁଣ, ରୋମାଞ୍ଚକର, ଆନନ୍ଦଦାୟକ, ଆଞ୍ଚଳିକ ଓ ସର୍ବାଙ୍ଗ ସୁନ୍ଦର ହେବା ବିଧେୟ । ସେହି ଦୃଷ୍ଟିରୁ ଏହିସବୁ ଗପରେ ନିହିତ ବିଭିନ୍ନ ସ୍ଵାଦର ସମଷ୍ଟିରେ ପାଠକମାନେ ନିଶ୍ଚୟ ଅପରିମେୟ ସନ୍ତୋଷ ଓ ସୁଖ ଲାଭ କରି ପାରିବେ । କାରଣ ପ୍ରତି ଗପରେ କିଛି ନା କିଛି ନିଜସ୍ଵ ବିଶେଷ ଛନ୍ଦ, ଗତି, ପଦ୍ଧତି, ବର୍ଣ୍ଣ, ରସ ଓ ସୀମାର ପରିଚୟ ମିଳେ । ପ୍ରକୃତରେ ସୁନ୍ଦର ଗପଟି ହେଉଛି ସେଇଟି, ଯେଉଁଥିରେ ମାନବିକ ମୂଲ୍ୟବୋଧର କେତେକ ଚାରିତ୍ରିକ ରେଖା ପ୍ରକଟିତ ହୋଇଥାଏ । ସେହି ଦିଗରୁ ଦେଖିବାକୁ ଗଲେ, ଏହି ସଙ୍କଳନରେ ଅନ୍ତର୍ଭୁକ୍ତ ପ୍ରତ୍ୟେକ ଲେଖକ ଜଣେ ଜଣେ କୁଶଳୀ କଥାଶିଳ୍ପୀ । ଦ୍ଵିତୀୟତଃ, ଆନ୍ତର୍ଜାତିକ କଥା-ସାହିତ୍ୟର କ୍ରମ ବିକାଶ ସୂଚାଇବା ନିମନ୍ତେ ଗପଗୁଡ଼ିକ ମଧ୍ୟ ସଯତ୍ନରେ ନିର୍ବାଚନ କରାଯାଉଛି ।

 

କାହାଣୀ-କଳା ପ୍ରତି । ସତର୍କ ଦୃଷ୍ଟି ଦେଇ, ବିଭିନ୍ନ ରସର ଗପ ସଂଗୃହୀତ ହୋଇଛି ନାନା ଦେଶରୁ—ସେହି ବିଶ୍ଵ ବରେଣ୍ୟ ସାହିତ୍ୟିକମାନେ, ଯଥା ବିୟର୍ନଷ୍ଟାର୍ନ ବିୟର୍ନସନ (ନରୱେ), ହେନରିକ ସିୟେନକିୟୁଇଜ (ପୋଲାଣ୍ଡ), ସେଲମା ଲାଗରଲଫ(ସ୍ଵୀଡେନ), ଆନାତୋଲ ଫ୍ରାଁସ (ଫ୍ରାନ୍ସ), ଗ୍ରାଜିୟା ଦେଲେଦା (ଇତାଲୀ), ସିନକ୍ଳେୟାର ଲୁଇସ (ଆମେରିକା), ଜନ ଗଲସଓୟାର୍ଦି (ଇଂଲଣ୍ଡ), ଇଭାନ ଆଲେକ୍‌ସଭିଚ ବୁନିନ (ରୁଷିଆ), ଲୁଇଜି ପିରାନଦେଲ୍ଲୋ (ଇତାଲୀ), ପାର୍ଲବାକ୍ (ଆମେରିକା), ଜୋହାନେସ ଭିଲହେଲ୍‍ମ ଜେନସେନ (ଡେନମାର୍କ), ହେରମାନ ହେସ୍ (ଜର୍ମାନୀ), ହାଲଡୋର କିଲ୍‍ଜାନ ଲାକ୍‍ସନେସ (ଆଇସଲାଣ୍ଡ), ଇଭୋ ଆନ୍ଦ୍ରିକ (ଯୁଗୋସ୍ଳାଭିୟା) ଓ ଜନ ଷ୍ଟେଇନବେକ (ଆମେରିକା) ଯଥା କ୍ରମେ ୧୯୦୩, ୧୯୦୫, ୧୯୦୯, ୧୯୨୧, ୧୯୨୬, ୧୯୩୦, ୧୯୩୨, ୧୯୩୩, ୧୯୩୪, ୧୯୩୮, ୧୯୪୪, ୧୯୪୬, ୧୯୫୫, ୧୯୬୧ ଓ ୧୯୬୨ ସାଲରେ ନୋବେଲ ପୁରସ୍କାର ଲାଭ କରିଥିଲେ । ସୀମିତ ପରିସର ମଧ୍ୟରେ ଅବଶ୍ୟ ସେମାନଙ୍କର କୃତି ସମ୍ବନ୍ଧରେ ଆଲୋଚନା କରିବା ସମ୍ଭବ ନୁହେଁ । ତଥାପି ସେମାନଙ୍କ ଉଚିତ ଗପହିଁ ନିଜ ନିଜର ସମୁଜ୍ଜ୍ଵଳ ପ୍ରତିଭାର ପ୍ରକୃଷ୍ଟ ପରିଚୟ ବହନ କରୁଛି । ଗପଗଡ଼ିକ ପାଠ କଲେ, ଆନ୍ତର୍ଜାତିକ କଥା-ସାହିତ୍ୟର କ୍ରମିକ ଗତି ଓ ପ୍ରକୃତି ସ୍ଵତଃ ସ୍ପଷ୍ଟ ଭାବରେ ପ୍ରତୀତ ହେବ । ତୁଚ୍ଛା ବାସ୍ତବତାର ସ୍ଥାନ ନାହିଁ ସାହିତ୍ୟରେ । ସୁତରାଂ । ଲେଖକମାନେ କିଞ୍ଚିତ କଳ୍ପନାର ରଙ୍ଗ ମିଶାଇ ଜୀନନକୁ ସରସ ସୁମଧୁର କରିବାକୁ ଯତ୍ନଶୀଳ ହୋଇଛନ୍ତି । ମାତ୍ର ସେମାନଙ୍କ ଗପର ବିଷୟବସ୍ତୁହିଁ ସମାଜବାସୀ ମଣିଷର ଦୈନନ୍ଦିନ ଜୀବନର ନିଖୁଣ ପ୍ରତିଛବି । ଯେଉଁମାନେ କେଉଁଠି ଅଲୌକିକତାକୁ ନିଜର ଗପରେ ସ୍ଥାନ ଦେଇଛନ୍ତି, ସେମାନଙ୍କର ରଚନା ଭଙ୍ଗୀ ମଧ୍ୟ ବାସ୍ତବଧର୍ମୀ ହୋଇଛି । ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ଓ ବାସ୍ତବ ଚରିତ୍ର ଚିତ୍ରଣର ସାହାଯ୍ୟରେ ସେମାନେ ଏପରି ଏକ ସ୍ୱାଭାବିକତାର ବାତାବରଣ ସୃଷ୍ଟି କରିଛନ୍ତି, ଯଦ୍ଵାରା ପାଠକର ମନରେ କୌଣସି ପ୍ରକାର ଅବିଶ୍ୱାସ କଦାପି ଜାତ ହୁଏ ନାହିଁ ।

 

ଏହି ସଞ୍ଚୟନଟିର ପରିକଳ୍ପନା ଓ ସଙ୍କଳନରେ ନିଉ ଷ୍ଟୁଡେଣ୍ଟସ ଷ୍ଟୋରର ସ୍ଵତ୍ଵାଧିକାରୀ ଶ୍ରୀ ଭିକାରୀଚରଣ ଦାସ କେତେକ ମୂଲ୍ୟବାନ ପରାମର୍ଶ ଦେଇଥିବାରୁ ମୁଁ ତାହାଙ୍କ ନିକଟରେ କୃତଜ୍ଞ । ତାହା ଛଡ଼ା ଯେଉଁ ଗୁଣଗ୍ରାହୀ ବନ୍ଧୁମାନେ, ବିଶେଷତଃ ‘ଝଙ୍କାର’ର ପୂର୍ବତନ ପରିଚାଳନା-ସମ୍ପାଦକ ସର୍ବଶ୍ରୀ ସତ୍ୟାନନ୍ଦ ଚମ୍ପତିରାୟ ଓ ଗୋବିନ୍ଦ ଚନ୍ଦ୍ର ଦାସ, ମୋତେ ନାନା ଭାବରେ ଉତ୍ସାହିତ କରିଛନ୍ତି, ସେମାନଙ୍କୁ ମଧ୍ୟ ଆନ୍ତରିକ ଧନ୍ୟବାଦ ଜଣାଉଛି ।

 

ସକଳ ଶ୍ରେଣୀର ପାଠକବୃନ୍ଦ ଗ୍ରନ୍ଥଟି ପଢ଼ି ଆନନ୍ଦ ଲଭିବେ ବୋଲି ମୋର ଦୃଢ଼ ବିଶ୍ୱାସ-

 

କଟକ

ଲକ୍ଷ୍ମୀ ନାରାୟଣ ମହାନ୍ତି

୧୫ ଅଗଷ୍ଟ, ୧୯୬୭

 

☆☆☆

 

ସୂଚୀପତ୍ର

 

ବିୟର୍ନଷ୍ଟାର୍ନ ବିୟର୍ନସନ (ନରୱ୍ୟେ—୧୯୦୩)

ଭାଇ

ହେନରିକ ସିୟେନକିୟୁଇଜ (ପୋଲାଣ୍ଡ—୧୯୦୫)

ବତିଘର—ଜଗୁଆଳି

ସେଲମା ଲାଗରଲଫ (ସ୍ଵୀଡେନ—୧୯୦୯)

ପରାଗ

ଆନାତୋଲ ଫ୍ରାଁସ (ଫ୍ରାନ୍‍ସ—୧୯୨୧)

ପ୍ରଦକ୍ଷିଣ

ଗ୍ରାଜିୟା ଦେଲେଦ୍ଦା (ଇତାଲୀ—୧୯୨୬)

ଆକାଶ ହୃଦୟ

ସିନକ୍ଳେୟାର ଲୁଇସ (ଆମେରିକା—୧୯୩୦)

ବରଗଛ

ନ ଗଳ୍‍ସଓୟାର୍ଦି (ଇଂଲଣ୍ଡ—୧୯୩୨)

ନିନାଦ

ଇଭାନ ଆଲକ୍‍ସଭିଚ ବୁନିନ (ରୁଷିଆ—୧୯୩୩)

ସୂର୍ଯ୍ୟ—ସ୍ନାନ

ଲୁଇଜି ପିରାନଦେଲ୍ଲୋ (ଇତାଲୀ—୧୯୩୪)

ବତି ଓ ପତି

ପାର୍ଲ ବାକ୍ (ଆମେରିକା—୧୯୩୮)

ନାଚଘର

ଜୋହାନେସ ଭିଲ୍‌ହେଲ୍‍ମ ଜେନସେନ (ଡେନମାର୍କ—୧୯୪୪)

ମାୟା ବନ

ହେରମାନ ହେସ (ଜର୍ମାନୀ—୧୯୪୬)

ଯାମିନୀ

ହାଲଡୋର କିଲ୍‍ଜାନ ଲାକ୍‍ସନେସ (ଆଣ୍ଡଲାଇସ—୧୯୫୫)

ଜୀବନ ମରଣ

ଇଭୋ ଆନ୍ଦ୍ରିକ (ଯୁଗୋସ୍ଳାଭିୟା—୧୯୬୧)

ଜେପା ପୋଲ

ଜନ ଷ୍ଟେଇନବେକ (ଆମେରିକା—୧୯୬୨

ସପ

☆☆☆

 

ଭାଇ

 

ବାର୍ଡ଼ ବିଦ୍ୟାଳୟର ଶିକ୍ଷକ, ଆଉ ଏଣ୍ଡାର୍ସ ତାହାର ଭାଇ । ଦୁହେଁ ପରସ୍ପରକୁ ଗଭୀର ଶ୍ରଦ୍ଧା କରୁଥିଲେ । ଦୁହେଁ ଏକା ସାଙ୍ଗରେ ବାହିନୀରେ ଯୋଗ ଦେଲେ, ସହରରେ ଏକାଠି ରହିଲେ, ଏକା ସାଙ୍ଗରେ ଯୁଦ୍ଧ କରିବାକୁ ଗଲେ, ଏକ ଫଉଜରେ ଚାକିରି କଲେ ଉଭୟ କରପୋରେଲ ପଦକୁ ମଧ୍ୟ ଉନ୍ନୀତ ହେଲେ । ଯେତେବେଳେ ସେମାନେ ଯୁଦ୍ଧରୁ ଘରକୁ ଫେରି ଆସିଲେ, ସେତେବେଳେ ସେମାନଙ୍କର କମନୀୟ ବଳିଷ୍ଠ ଅବୟବ ଦେଖି ଲୋକେ ସେମାନଙ୍କୁ ପ୍ରଶଂସା କରିବାକୁ ଲାଗିଲେ ।

 

ତା ପରେ ସେମାନଙ୍କର ବାପା ଇହଧାମ ତ୍ୟାଗ କଲେ । ସେ ପ୍ରଚୁର ସମ୍ପତ୍ତି ରଖି ଯାଇଥିଲେ । ତାହା ସହଜରେ ଭାଗବଣ୍ଟା ହୋଇ ପାରିଲା ନାହିଁ । ତେଣୁ ସେମାନେ ସ୍ଥିର କଲେ ଯେ ସବୁ ସମ୍ପତି ନିଲାମ କରିଦେବେ, ଯେ ଯାହା ଚାହିଁବ ଖରିଦ କରିନେବେ ଏବଂ ତା ପରେ ସେମାନେ ନିଲାମ ଟଙ୍କାଟା ନିଜ ନିଜ ଭିତରେ ବାଣ୍ଟି ନେବେ । ଯଥା ସମୟରେ ଏହା ହେଲା ।

 

କିନ୍ତୁ ସେମାନଙ୍କ ବାପାଙ୍କର ଗୋଟିଏ ବଡ଼ ସୁନା ଘଡ଼ି ଥିଲା । ପାଖ ଆଖର ଅନେକ ଲୋକ ଏହି ଘଡ଼ିଟି ବିଷୟ ଜାଣିଥିଲେ, କାରଣ ସେହି ଅଞ୍ଚଳର ଲୋକେ କେବଳ ଏହି ଗୋଟିକ ଛଡ଼ା ଆଉ କୌଣସି ସୁନା ଘଡ଼ି କେବେ ଦେଖି ନଥିଲେ । ଯେତେ ବେଳେ ଏହି ଘଡ଼ିଟି ନିଲାମ ହେଲା, ଅନେକ ଧନୀ ଲୋକ ତାହା ଜାଣିବାକୁ ଧାଇଁ ଆସିଲେ । କିନ୍ତୁ ଦୁଇ ଭାଇ ନିଜ ଭିତରେ ନିଲାମରେ ବଢ଼ିବାକୁ ଲାଗିବାରୁ, ଅନ୍ୟମାନେ ସେଥିରୁ କ୍ଷାନ୍ତ ହେଲେ । ବର୍ତ୍ତମାନ ବାର୍ଡ଼ ଭାବିଲା ଯେ ଏଣ୍ଡାର୍ସ ବି ତାହା ସମ୍ବଦ୍ଧରେ ଅନୁରୂପ ଚିନ୍ତା କରୁଛି । ଦୁହେଁ ନିଲାମ ଡାକ ବଢ଼ାଇବାକୁ ଲାଗିଲେ । ଜଣେ ଅନ୍ୟକୁ ଦବାଇ ଦେବାକୁ ବସିଲା । ନିଲାମ ଡାକିଲା ବେଳେ ସେମାନେ ପରସ୍ପର ଉପରେ କଠିନ ଦୃଷ୍ଟି ନିକ୍ଷେପ କରୁଥିଲେ । ଯେତେବେଳେ ଘଡ଼ିଟିର ଦାମ କୋଡ଼ିଏ ଡଲାରରେ ପହଞ୍ଚଲା, ବାର୍ଡ଼ ଭାବିବାକୁ ଲାଗିଲା ଯେ ତାହାର ଭାଇ ତା ପ୍ରତି ଅବିଚାର କରିଛି । ତେଣୁ ସେ ତା ଉପରେ ପ୍ରାୟ ତିରିଶ ଡଲାର ଯାଏ ବଢ଼ିବାକୁ ଲାଗିଲା । ତଥାପି ଏଣ୍ଡାର୍ସକୁ ସେଥିରୁ ନିବୃତ୍ତ ନ ହେବାର ଦେଖି, ବାର୍ଡ଼ ମନେ ମନେ ଭାବିଲା, ସେ ତାହାକୁ କେତେ ସ୍ନେହ କରେ ଏବଂ ତାହାକୁ ସୁଖୀ କରିବା ପାଇଁ ସେ ଯେ କେତେ ଚେଷ୍ଟା କରିଛି ସେ କଥା ଏଣ୍ଡାର୍ସର ଆଉ ମନେ ନାହିଁ । ତାହା ଛଡ଼ା ସେ ତ ତାହାର ବଡ଼ ଭାଇ । ନିଲାମ ଡାକ ତିରିଶ ଉପରକୁ ଉଠିଲା । ତେବେ ବି ଏଣ୍ଡାର୍ସ ଛାଡ଼ିଲା ନାହିଁ । ତା ପରେ ବାର୍ଡ଼ ଗୋଟିଏ ଡାକରେ ଦାମ ଚାଳିଶକୁ ବଢ଼ାଇ ଦେଲା ଏବଂ ତାହାର ଭାଇ ଆଡ଼କୁ ଆଉ ଅନାଇଲା ନାହିଁ । ନିଲାମ ଘରଟି ଅତି ନିସ୍ତବ୍ଧ ଥିଲା । କେବଳ ନିଲାମକାରୀର ସ୍ଵର ବାରମ୍ବାର ଶୁଣା ଯାଉଥିଲା । ଏଣ୍ଡାର୍ସ ସେଠାରେ ଠିଆ ହୋଇ ଭାବିଲା, ଯଦି ବାର୍ଡ଼ ଚାଳିଶ ଡଲାର ଡାକି ପାରିଲା ସେ ବା କାହିଁକି ନ ପାରିବ ? ଆଉ ଯଦି ବାର୍ଡ଼ ତାହାକୁ ଘଡ଼ିଟା ଛାଡ଼ି ନ ଦେଲା ସେ ବା କାହିଁକି ଛାଡ଼ିଦେବ ? ତେଣୁ ସେ ତା ଉପରେ ଡାକ ଦେଲା । ଏଥିରେ ବାର୍ଡ଼ର ମନେ ହେଲା, ଏହା ଠାରୁ ଅଧିକ ମର୍ମାନ୍ତିକ ଲାଞ୍ଛନା ତାହାକୁ ଜୀବନରେ କେବେ ହେଲେ ଭୋଗିବାକୁ ପଡ଼ି ନାହିଁ । ଅନୁଚ୍ଚ କଣ୍ଠରେ ସେ ପଚାଶ ଡଲାର ଡାକିଲା । ଅନେକ ଲୋକ ସେଠାରେ ରୁଣ୍ଡ ହୋଇଥିଲେ । ଏଣ୍ଡାର୍ସ ମନେ ମନେ ଭାବିଲା, ସମସ୍ତଙ୍କ ଆଗରେ ତାହାର ଭାଇ ତାହାକୁ ଅପମାନ ଦେବ, ସେ ତ ଏହା ସହି ପାରିବ ନାହିଁ । ତେଣୁ ସେ ପୁଣି ଡାକ ଦେଲା । ଏହା ଦେଖି ବାର୍ଡ଼ ନ ହସି ରହି ପାରିଲା ନାହିଁ ।

 

“ଶହେ ଡଲାର, ମୋର ଶେଷ ଡାକ”, କହିଦେଇ, ବାର୍ଡ଼ ବୁଲି ପଡ଼ିଲା ଏବଂ ଗମ୍ଭୀର ମୁଖରେ ଘରୁ ବାହାରି ଗଲା ।

 

କିଛି କ୍ଷଣ ପରେ ନିଲାମରେ ଏକ୍ଷଣି ଧରିଥିବା ଘୋଡ଼ାଟିକୁ ସେ ଜିନ୍ ପିନ୍ଧାଉଥିଲା, ଠିକ୍ ସେତିକି ବେଳେ ଜଣେ ଲୋକ ବାହାରି ଆସି ତାହାକୁ କହିଲା—

 

“ଘଡ଼ିଟା ତୁମେ ପାଇଲ । ଏଣ୍ଡାର୍ସ ଛାଡ଼ି ଦେଲା ।”

 

ଏହି ଖବରଟି ଶୁଣିବା ମାତ୍ରେ ବାର୍ଡ଼ ତା ମନ ଭିତରେ ଗୋଟାଏ ଅସ୍ଵସ୍ତି ବୋଧ କଲା । ସେ ଘଡ଼ି କଥା ତା ମନରୁ ପୋଛି ଦେଲା । ସେ ତାହାର ଭାଇ କଥା ଭାବିବାକୁ ଲାଗିଲା । ଘୋଡ଼ା ଉପରେ ଜିନ୍ ପଡ଼ି ଯାଇଥିଲା । କିନ୍ତୁ ଘୋଡ଼ା ଉପରେ ଚଢ଼ିବ କି ନା ସେ ଠିକ୍ କରି ପାରିଲା ନାହିଁ-। ତା ପିଠି ଉପରେ ହାତ ରଖି ସେ ଠିଆ ହୋଇ ରହିଲା । ଏଣ୍ଡାର୍ସ ସମେତ ଅନେକ ଲୋକ ନିଲାମ ଘରୁ ବାହାରି ଆସିଲେ । ସେ ଦେଖିଲା, ତାହାର ଭାଇ ଘୋଡ଼ାରେ ଚଢ଼ି ଚାଲିଯିବାକୁ ବସିଛି, କିନ୍ତୁ ସେତେବେଳେ ବାର୍ଡ଼ ମନେ ମନେ କଅଣ ଚିନ୍ତା କରୁଥିଲା ସେ ତାହା ଆଦୌ ବୁଝି ପାରିଲା ନାହିଁ ।

 

ସେ ପାଟି କରି ତାହାକୁ କହିଲା—

 

“ଘଡ଼ି ପାଁଇ ଧନ୍ୟବାଦ, ବାର୍ଡ଼ । ଆଉ କେବେ ହେଲେ ଦେଖିବ ନାହିଁ, ତୁମର ଭାଇ ତୁମ ଦୁଆରେ ଯାଇ ଠିଆ ହୋଇଛି ।”

 

“ମୁଁ ବି ଆଜି ଠାରୁ ତୋ ଛାଇ ମାଡ଼ିବି ନାହିଁ I” ବିଷଣ୍ଣ ବଦନରେ ଜବାବ ଦେଇ ବାର୍ଡ଼ ଘୋଡ଼ାରେ ଚଢ଼ି ଚାଲିଗଲା ।

 

ସେହି ଦିନରୁ ଦୁଇ ଭାଇଙ୍କ ଭିତରୁ କେହି ଆଉ ପୈତୃକ ଗୃହରେ ପାଦ ଦେଲେ ନାହିଁ ।

 

କିଛି ଦିନ ପରେ, ଏଣ୍ଡାର୍ସ ଜଣେ ପଡ଼ିଶା ଘରେ ବିଭା ହେଲା, କିନ୍ତୁ ବାର୍ଡ଼କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କଲା ନାହିଁ । ବାର୍ଡ଼ ମଧ୍ୟ ଗୀର୍ଜାକୁ ଗଲା ନାହିଁ । ତାହାର ବିବାହର ପ୍ରଥମ ବର୍ଷରେ, ଏଣ୍ଡାର୍ସର ଏକମାତ୍ର ଗାଈଟି ମରିଗଲା । ଦିନେ ସକାଳେ ଦେଖାଗଲା, ଘରର ଉତ୍ତର ଦିଗରେ, ଯେଉଁଠି ଗାଈଟି ବନ୍ଧା ହୋଇଥିଲା, ସେଠାରେ ସେ ମରି ପଡ଼ିଛି I ସେ କିପର ମଲା, କେହି ତାହା କହି ପାରିଲେ ନାହିଁ । ଆହୁରି କେତେ ବିପଦ ଆପଦ ଆସି ତା ଉପରେ ପଡ଼ିଲା ଏବଂ କ୍ରମେ କ୍ରମେ ତାହାର ଅବସ୍ଥା ଖରାପ ହେବାକୁ ଲାଗିଲା । କିନ୍ତୁ ଯେତେବେଳେ ଦିନେ ଶୀତ ରାତିରେ ତାହାର ଖମାର ଘରେ ଅପ୍ରତ୍ୟାଶିତ ଭାବରେ ନିଆଁ ଲାଗି ତାହା ଧ୍ଵଂସ ହୋଇଗଲା, ସେ ଦିନ ସେ ସବୁ ଠାରୁ ବେଶୀ ଆଘାତ ପାଇଲା । ନିଆଁ କିପରି ଲାଗିଲା କେହି କହି ପାରିଲେ ନାହିଁ ।

 

“ଯେ ମୋର ସର୍ବନାଶ କରିବାକୁ ଚାହେ, ଏ ନିଶ୍ଚିୟ ତାହାରି କାଣ୍ଡ ।” ଏଣ୍ଡାର୍ସ ମନେ ମନେ କହିଲା ଏଵଂ ରାତିସାରା କାନ୍ଦି କାନ୍ଦି ତାହାର ଆଖି ଫୁଲିଗଲା । ସେ ଗରିବ ହୋଇଗଲା । କାମ କରିବା ପାଇଁ ତାହାର ଆଉ ସ୍ପୃହା ରହିଲା ନାହିଁ ।

 

ଗୃହ-ଦାହର ପର ଦିନ ସନ୍ଧ୍ୟା ରେ, ବାର୍ଡ଼ ତା ଭାଇର ଘରକୁ ଆସିଲା । ଏଣ୍ଡାର୍ସ ବିଛଣାରେ ଶୋଇଥିଲା । କିନ୍ତୁ ବାର୍ଡ଼ ଘରେ ଗୋଡ଼ ଦେଲା ମାତ୍ରେ ସେ ଉଠି ପଡ଼ିଲା ।

 

“ଏଠିକି କାହିଁକି ଆସିଛୁ ?” ସେ ତାହାକୁ ପଚାରିଲା, ଏବଂ ତା ପରେ ରହିଯାଇ ତା ଭାଇ ଆଡ଼କୁ କଟମଟ କରି ଚାହିଁ ରହିଲା ।

 

ବାର୍ଡ଼ କିଛି କ୍ଷଣ ନୀରବ ରହିଲା । କିଛି ଜବାବ ଦେଲା ନାହିଁ ।

 

“ଏଣ୍ଡାର୍ସ ମୁଁ ତତେ ସାହାଯ୍ୟ କରିବାକୁ ଆସିଛି । ତୋର ଅବସ୍ଥା ବଡ଼ ଖରାପ ହୋଇ ଗଲାଣି ।

 

“ମୋର ଅବସ୍ଥା ଯେତେ ଖରାପ ହୋଇଯିବାକୁ ତୁ ଚାହୁଥିଲୁ, ଅବଶ୍ୟ ସେତେ ହୋଇ ନାହିଁ । ମୁଁ କହୁଛି ତୁ ଏଠୁ ଚାଲିଯାଆ—ନ ହେଲେ ମୁଁ ନିଜକୁ ସମ୍ଭାଳି ପାରିବି ନାହିଁ ।”

 

“ଏଣ୍ଡାର୍ସ, ତୁ ଭୁଲ୍ ବୁଝିଛୁ । ପ୍ରକୃତରେ ମୁଁ ଦୁଃଖିତ—।”

 

“ବାର୍ଡ଼, ତୁ ଚାଲିଯାଆ !”

 

ବାର୍ଡ଼ ପାହୁଣ୍ଡେ ପଛକୁ ହଟିଗଲା ।

 

ସେ କମ୍ପିତ କଣ୍ଠରେ କହିଲା “ ଯଦି ତୁ ଘଡ଼ିଟା ଚାହୁ, ମୁଁ ତୋତେ ଦେଇପାରେ ।”

 

“ବାର୍ଡ଼, ବାହାରି ଯାଉଛୁ ନା”, ଏଣ୍ଡାର୍ସ ପାଟି କରି ତାହାର ଭାଇକୁ କହିଲା । ଆଉ ଦଣ୍ଡେ ସେଠାରେ ରହିବାକୁ ବାର୍ଡ଼ର ମନ ଟେକିଲା ନାହିଁ । ସେ ତତ୍‍କ୍ଷଣାତ୍‍ ପଳାଇ ଆସିଲା ।

 

ଇତି ମଧ୍ୟରେ ବାର୍ଡ଼ର ଢେର ପରିବର୍ତ୍ତନ ହୋଇ ଯାଇଥିଲା । ନିଜ ଭାଇର ଦୁର୍ଦ୍ଦଶା ଶୁଣିଲା ମାତ୍ରେ, ତାହାର ମନ ତରଳି ଯାଇଥିଲା । କିନ୍ତୁ ଗର୍ବ ତାହାକୁ ଟାଣି ଧରିଲା । ଗୀର୍ଜାକୁ ଯିବା ପାଇଁ ତାହାର ମନ ଡାକିଲା ଏବଂ ସେଠାରେ ସେ ନାନା ସଙ୍କଳ୍ପ ଗ୍ରହଣ କଲା, କିନ୍ତୁ ତାକୁ କାର୍ଯ୍ୟକାରୀ କରିବା ପାଇଁ ତାହାର ଯଥେଷ୍ଟ ଶକ୍ତି ନ ଥିଲା । ସେ ଅନେକ ଥର ତା ଭାଇର ଘର ପାଖକୁ ଯାଏ । କିନ୍ତୁ ଠିକ୍ ସେତେବେଳେ ହୁଏତ କେହି ଘର ଭିତରୁ ବାହାରି ଆସୁଥାଏ, କିମ୍ବା ସେଠାରେ କେତେ ଅଜଣା ଲୋକ ବସି ଥାଆନ୍ତି, କିମ୍ବା ଏଣ୍ଡାର୍ସ ବାହାରେ କାଠ ଚିରୁଥାଏ । ସବୁବେଳେ ସେଠାରେ କିଛି ନା କିଛି କାମ ହେଉଥାଏ । ତେଣୁ ଘର ଭିତରକୁ ଯିବାକୁ ତାହାର ସାହାସ କୁଳାଏ ନାହିଁ ।

 

କିନ୍ତୁ ଶୀତ ଋତୁରେ ଶେଷ ବେଳକୁ, ରବିବାର ଦିନ, ସେ ପୁଣି ଗୀର୍ଜାକୁ ଯାଇଥିଲା । ସେହିଦିନ ବି ଏଣ୍ଡାର୍ସ ସେଠାକୁ ଆସିଥିଲା । ବାର୍ଡ଼ ତାହାକୁ ଦେଖି ପାରିଲା । ଏଣ୍ଡାର୍ସ ରୁଗ୍ଣ ଓ ମଳିନ ଦିଶୁଥିଲା । ଯେତେବେଳେ ଦୁଇ ଭାଇ ଏକା ସାଙ୍ଗରେ ଥିଲେ, ସେ ଯେଉଁ ପୋଷାକ ପିନ୍ଧୁଥିଲା ଆଜି ବି ସେ ତାହା ପିନ୍ଧିଥିଲା । ମାତ୍ର ତାହା ପୁରୁଣା ହୋଇଯାଇଥିଲା ଏଵଂ ତା ଉପରେ ଠାଏ ଠାଏ ତାଳି ପଡ଼ିଥିଲା । ପ୍ରାର୍ଥନା ସମୟରେ ଏଣ୍ଡାର୍ସର ଦୃଷ୍ଟି ପାଦ୍ରୀ ଉପରେ ନିବଦ୍ଧ ଥିଲା । ବାର୍ଡ଼କୁ ଜଣା ଯାଉଥିଲା, ସେ କରୁଣ ଓ ନମ୍ର ଦିଶୁଛି । ତତ୍‍କ୍ଷଣାତ୍‍ ନିଜର ଶୈଶବ କାଳର କଥା ତାହାର ମନେ ପଡ଼ିଗଲା । ସେତେବେଳେ ଏଣ୍ଡାର୍ସ ଖୁବ୍ ଭଲ ପିଲା ଥିଲା । ସେଦିନ ବାର୍ଡ଼ ଉତ୍ସବରେ ବି ଯୋଗ ଦେଲା ଏବଂ ଈଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କଲା ଯେ, ଯାହା ହେଉ ପଛକେ ସେ ତାହାର ଭାଇ ସାଙ୍ଗରେ ମିଳାମିଶା ହୋଇଯିବ । ମଦ୍ୟପାନ ସଙ୍ଗେ ସଙ୍ଗେ ଏହି ପ୍ରତିଜ୍ଞା ତାହାର ଅନ୍ତର ଭିତରେ ପ୍ରକାଶ କଲା । ଉଠିପଡ଼ିବା ମାତ୍ରେ ସେ ମନେ ମନେ ସ୍ଥିର କଲା ଯେ ସେ ତାହାର ଭାଇ ପାଖରେ ଯାଇ ବସିବ । କିନ୍ତୁ ସେଠାରେ କେହି ବସିଥିଲା ଏବଂ ଏଣ୍ଡାର୍ସ ବି ତା ଆଡ଼କୁ ଅନାଉ ନଥିଲା । ଉପାସନା ପରେ ବି ତା ବାଟରେ କିଛି ବାଧା ଦେଖାଗଲା । ଚାରି ଆଡ଼େ ଲୋକ ହାଉଯାଉ ହେଉଥିଲେ । ଏଣ୍ଡାର୍ସର ସ୍ତ୍ରୀ ତା ପାଖରେ ବସିଥିଲା । ଏଣ୍ଡାର୍ସର ଘରକୁ ଯାଇ ଦେଖା କଲେ ବରଂ ଭଲ ହେବ ଏବଂ ସେ ତା ସାଙ୍ଗରେ ଖୋଲା ଖୋଲି ଭାବରେ ବି କଥାବାର୍ତ୍ତା କରି ପାରିବ ।

 

ସନ୍ଧ୍ୟା ବେଳେ ବାର୍ଡ଼ ବାହାରି ପଡ଼ିଲା । ସେ ସିଧା ତା ଦାଣ୍ଡ ଦୁଆର ମୁଁହକୁ ଚାଲିଗଲା । ସେଠାରେ ଟିକିଏ ରହିଯାଇ, ସେ କାନ ପାରି ଶୁଣିଲା । ଭିତରୁ ତାହାର ନାମ ଶୁଣା ଯାଉଥିଲା । ତାହାର ସ୍ତ୍ରୀ କହୁଥିଲା—

 

“ଆଜି ସକାଳେ ସେ ଉତ୍ସବକୁ ଯାଇଥିଲେ । ମୋର ଠିକ୍ ମନେ ହେଉଛି, ସେ ତୁମ କଥା ଭାବୁଥିଲେ।”

 

“ନା, ସେ ମୋ କଥା ଭାବୁ ନ ଥିଲା । ମୁଁ ତାହାକୁ ବେଶ୍ ଜାଣେ । ସେ କେବଳ ନିଜ କଥା ଛଡ଼ା ଆଉ କିଛି ମନକୁ ନିଏ ନାହିଁ”—ଏଣ୍ଡାର୍ସ ଜବାବ ଦେଲା ।

 

ଅନେକ କ୍ଷଣ ଯାଏ କିଛି କଥାବାର୍ତ୍ତା ହେଲା ନାହିଁ। ହେମାଳ ରାତି ହେଲେ କଅଣ ହେବ, ଠିଆ ହୋଇ ହୋଇ ବାର୍ଡ଼ର ଦେହରୁ ଝାଳ ବୋହିଲା । ସ୍ତ୍ରୀ ଭିତରେ କେଟଲିରେ କଅଣ କରୁଥିଲା । ଚୁଲିରୁ ନିଆଁର ସଁ ସଁ ଶବ୍ଦ ବାହାରୁଥିଲା । ବେଳେ ବେଳେ ପିଲାଟିଏ କାନ୍ଦୁଥିଲା ଏବଂ ଏଣ୍ଡାର୍ସ ତାହାକୁ ଥାପୁଡ଼ାଉଥିଲା । ଅବଶେଷରେ ତାହାର ସ୍ତ୍ରୀ ପୁଣି କହିଲା—

 

“ମୋର ଅନୁମାନ, ତୁମେ ଦୁହେଁ ପରସ୍ପରର ବିଷୟ ଭାବୁଛ । ମାତ୍ର କେହି ତାହା ସ୍ଵୀକାର କରୁ ନାହଁ ।”

 

“ଆଉ କିଛି କଥା ପକାଅ”, ଏଣ୍ଡାର୍ସ ଜବାବ ଦେଲା ।

 

କିଛି କ୍ଷଣ ପରେ ସେ ବାହାରକୁ ଯିବା ପାଇଁ ଉଠି ପଡ଼ିଲା । ବାର୍ଡ଼ ଯାଇ କାଠ ଚାଳିଆରେ ଲୁଚିଗଲା । କିନ୍ତୁ କିଛି କାଠ ନେବା ପାଇଁ ଏଣ୍ଡାର୍ସ ବି ଆସି ସେହି ଚାଳିଆରେ ପହଞ୍ଚିଗଲା । ସେ କୋଣରେ ଯେଉଁଠି ଠିଆ ହୋଇଥିଲା, ବାର୍ଡ଼ ତାହାକୁ ପରିଷ୍କାର ଭାବରେ ଦେଖି ପାରୁଥିଲା । ସେ ତାହାର ଜୀର୍ଣ୍ଣ ରବିବାରର ପୋଷାକଟା କାଢ଼ି ପକାଇଥିଲା ଏବଂ ସାମରିକ ପୋଷାକ ପିନ୍ଧଥିଲା । ବାର୍ଡ଼ର ବି ଠିକ୍ ସେମିତି ପୋଷାକ ଅଛି । ଦିନେ ସେମାନେ ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ, ସେମାନେ ଏହି ପୋଷାକ କଦାପି ପରିଧାନ କରିବେ ନାହିଁ, କିନ୍ତୁ ସ୍ମୃତି ଚିହ୍ନ ରୂପେ ନିଜର ବଂଶଧର ପାଇଁ ରଖିଯିବେ । ଏଣ୍ଡାର୍ସର ପୋଷାକ ଛିଡ଼ି ଗଲାଣି ଏବଂ ଏକ୍ଷଣି ତାର କେତେ ଜାଗାରେ ତାଳି ପଡ଼ିଛି । ତେଣୁ ଜଣାଗଲା, ତାହାର ସୁଗଠିତ ଶରୀର ଯେମିତି ଗୁଡ଼ିଏ ଛିଣ୍ଡା କନାରେ ଆବୃତ ହୋଇଛି । ଏଣେ ସେତେବେଳେ ତା ପକେଟରୁ ସୁନା ଘଡ଼ିଟାର ଟିକ୍ ଟିକ୍ ଆବାଜ ଆସି ବାର୍ଡ଼ର କାନରେ ବାଜୁଥିଲା । ଏଣ୍ଡାର୍ସ କାଠଗଦା ଆଡ଼କୁ ଚାଲିଗଲା,କିନ୍ତୁ ନଇଁପଡ଼ି ତୁରନ୍ତ ଗୋଛାଏ କାଠ ନେବାକୁ ଚେଷ୍ଟା ନ କରି, ସେ ଗଦାଏ କାଠକୁ ଆଉଜି ବସି ପଡ଼ିଲା ଏବଂ ନକ୍ଷତ୍ର ଖଚିତ ଉଜ୍ଜ୍ୱଳ ଆକାଶ ଆଡ଼କୁ ଅନାଇ ରହିଲା । ତାପରେ ସେ ଗୋଟିଏ ଦୀର୍ଘାଶ୍ଵାସ ଛାଡ଼ିଲା ଏବଂ ମନକୁ ମନ କହିଲା,

“ବେଶ୍-ବେଶ୍-ବେଶ୍-ହେ ଈଶ୍ଵର, ଈଶ୍ଵର ।”

ବାର୍ଡ଼ ବଞ୍ଚିଥିବା ଯାଏ ଏହି କଥା କେତେ ପଦ କଦାପି ଭୁଲି ପାରିଲା ନାହିଁ । ତା ପରେ ପାଦ ଆଗକୁ ପକାଇବାକୁ ତାହାର ଇଚ୍ଛା ହେଲା, କିନ୍ତୁ ଠିକ୍ ସେତିକି ବେଳେ ତାହାର ଭାଇ କାଶି ଦେଲା। ତେଣୁ ତାହାର କାର୍ଯ୍ୟରେ ବାଧା ଘଟିଲା ଏବଂ ସେ ପଛକୁ ହଟି ରହିଗଲା । ଏଣ୍ଡାର୍ସ ଦୁଇ ହାତରେ କିଛି କାଠ ଧରି ବାହାରିଗଲା । ସେ ବାର୍ଡ଼ର ଏତେ କତିରେ ଚାଲିଗଲା ଯେ କାଠର ଅଗ ଆସି ତା ମୁହଁରେ ପ୍ରାୟ ଘଷି ହେଇଗଲା ।

ପୂରା ଦଶ ମିନିଟ୍‍ ଯାଏ ସେ ସେହି ସ୍ଥାନରେ ନିସ୍ପନ୍ଦ ଭାବରେ ଠିଆ ହୋଇ ରହିଲା । ଦମକାଏ ଥଣ୍ଡା ପବନ ଆସି ତାହାର ଦେହ ଭିତରେ ପ୍ରବେଶ କରି ତାହାର ଭାବପ୍ରବଣତାକୁ ଧକ୍କା ଦେଇ ନ ଥିଲେ, ସେ ଯେ ସେଠାରେ କେତେ ବେଳ ଯାଏ ଠିଆ ହୋଇ ଥାଆନ୍ତା କହି ହେବ ନାହିଁ-। ତା ପରେ ସେ ସେଠାରୁ ବାହାରି ଆସିଲା । ସେ ମନେ ମନେ ସ୍ୱୀକାର କଲା ଯେ ଏଣ୍ଡାର୍ସର ଘରଭିତରକୁ ଯିବା ପାଇଁ ତାହାର ଆଉ ଏକ୍ଷଣି ସାହସ ନାହିଁ । ତେଣୁ ସେ ଆଉ ଗୋଟାଏ ଫିକର ପାଞ୍ଚିଲା । ଏଣ୍ଡାର୍ସ ଯେଉଁ ପାଉଁଶ ଟୋକେଇଟା ଥୋଇ ଦେଇ ଯାଇଥିଲା, ବାର୍ଡ଼ ସେଥିରୁ କେତେଖଣ୍ଡ କୋଇଲା ବାଛି ନେଲା ଏବଂ ଖଣ୍ଡିଏ ଶୁଖିଲା ଡାଳ ବି ସଂଗ୍ରହ କଲା । ଏସବୁ ଧରି ସେ ଖମାର ଘରକୁ ଗଲା, ଦୁଆର କିଳି ଦେଲା ଏବଂ ଆଲୁଅ ଲଗାଇଲା । ନିତି ବଡ଼ି ସକାଳୁ ଏଣ୍ଡାର୍ସ ଖମାରକୁ ଆସି ଗୋଟିଏ ଖୁଣ୍ଟିରେ ଲଣ୍ଠନଟା ଟଙ୍ଗାଇ ଦେଇ ଶସ୍ୟ ଅମଳ କରେ । ଆଲୁଅ ଲଗାଇ ସାରି ବାର୍ଡ଼ ସେହି ଖୁଣ୍ଟିଟା ଖୋଜିବାକୁ ଲାଗିଲା । ତା ପରେ ତାହାର ସୁନା ଘଡ଼ିଟା କାଢ଼ି ଆଣି, ସେ ସେହି ଖୁଣ୍ଟିରେ ଲଟକାଇଦେଲା ଏବଂ ଆଲୁଅ ଲିଭାଇ ଦେଇ ଚାଲିଗଲା । ତାହାର ମନଟା ଏତେ ହାଲୁକା ହୋଇଗଲା ଯେ ବରଫ ଉପରେ ସେ ଜଣେ ଯୁବକ ପରି ଧାଇଁ ଚାଲିଗଲା-

ତହିଁ ପର ଦିନ ବାର୍ଡ଼ ଶୁଣିଲା, ରାତିରେ ଏଣ୍ଡାର୍ସର ଖମାର ଘର ପୋଡ଼ି ଯାଇଛି । ବୋଧହୁଏ ଘଡ଼ିଟା ଲଟକାଇଲା ବେଳେ ସେ ଯେଉଁ ଆଲୁଅଟା ଧରିଥିଲା, ସେଥିରୁ ଝୁଲ ଉଡ଼ିଯାଇ ଏ କାଣ୍ଡ ଘଟିଲା ।

 

ଏଥିରେ ବାର୍ଡ଼ ଏପରି ଦ୍ରବୀଭୂତ ହୋଇ ପଡ଼ିଲା ଯେ ଦିନ ସାରା ସେ ଘରୁ ଗୋଡ଼ କାଢ଼ିଲା ନାହଁ, ଯେମିତି ସେ ବେମାର ପଡ଼ିଛି । ସ୍ତୋତ୍ର ବହି ଖଣ୍ଡିକ ନେଇ ଆସି, ସେ ପାଠ କରିବାକୁ ଲାଗିଲା । ଘରେ ସମସ୍ତେ ଭାବିଲେ, ତାହାର ଦେହ ବୋଧହୁଏ ଖରାପ ହୋଇଛି । କିନ୍ତୁ ସନ୍ଧ୍ୟା ବେଳେ ସେ ଘରୁ ବାହାରି ପଡ଼ିଲା । ଖଇ ଫୁଟିଲା ଭଳି ଜହ୍ନ ପଡ଼ିଥାଏ । ସେ ସିଧା ତା ଭାଇର ଘରକୁ ଚାଲିଗଲା, ଏବଂ ଖମାର ଘରର ପାଉଁଶ ଗଦା ଘାଣ୍ଟିବାକୁ ଲାଗିଲା । ଘାଣ୍ଟି ଘାଣ୍ଟି ଶେଷରେ ସେ ତରଳି ଯାଇଥିବା ଛୋଟ ସୁନା ମୁଣ୍ଡଟାଏ ପାଇଲା— ସେହି ଘଡ଼ିଟିର ଅବଶିଷ୍ଟାଂଶ-

 

ଏହି ସୁନାମୁଣ୍ଡାଟା ହାତରେ ଧରି ସେ ତାହାର ଭାଇ ପାଖକୁ ଯାଇଥିଲା । ତାହାର ଉଦ୍ଦେଶ୍ୟ ଥିଲା, ଏଣ୍ଡାର୍ସକୁ ସବୁ କଥା ଖୋଲି କହିବ ଏବଂ ତାହା ସାଙ୍ଗରେ ମିଳାମିଶା କରିନେବ । କିନ୍ତୁ ଫଳ ଯାହା ହେଲା ତାହାତ ଆଗରୁ ଜଣା ପଡ଼ିଛି ।

 

ଗୋଟିଏ ଛୋଟ ବାଳିକା ବାର୍ଡ଼କୁ ପାଉଁଶ ଖେଳାଉଥିବାର ଦେଖିଥିଲା । କେତେଗୁଡ଼ିଏ ପିଲା ଉପରୋକ୍ତ ରବିବାର ଦିନ ସନ୍ଧ୍ୟା ବେଳେ ନାଚ ଶିଖିବାକୁ ଯାଉଥିଲେ । ସେମାନେ ବାର୍ଡ଼କୁ ତା ଭାଇର ଘର ଆଡ଼କୁ ଆସୁଥିବାର ମଧ୍ୟ ଦେଖିଥିଲେ । ସୋମବାର ଦିନ ବାର୍ଡ଼ର ଅଦ୍ଭୁତ ଆଚରଣ ସମ୍ୱନ୍ଧରେ ତାହାର ପୋଡ଼ଶୀମାନେ ମଧ୍ୟ ବର୍ଣ୍ଣନା କରିଥିଲେ । ସମସ୍ତେ ଜାଣିଥିଲେ ବାର୍ଡ଼ର ତା ଭାଇ ସାଙ୍ଗରେ ଆଦୌ ପଡ଼ୁନାହିଁ । ସେଥିପାଇଁ କର୍ତ୍ତୃପକ୍ଷଙ୍କୁ ଏହି ବିଷୟ ଜଣାଇ ଦିଆଗଲା ଏବଂ ଘଟଣାଟି ମଧ୍ୟ ତଦନ୍ତ ହେଲା । କେହି ତା ବିରୁଦ୍ଧରେ କିଛି ପ୍ରମାଣ ଉପସ୍ଥାପନ କରି ପାରିଲେ ନାହିଁ । ତଥାପି ତା ଉପରୁ ସନ୍ଦେହ ତୁଟିଲା ନାହିଁ । ସୁତରାଂ ସେ ବର୍ତ୍ତମାନ ତାହାର ଭାଇକୁ ଆଉ ମୁହଁ ଦେଖାଇ ପାରିଲା ନାହିଁ ।

 

ଖମାର ଘର ପୋଡ଼ି ଯିବାରୁ ଏଣ୍ଡାର୍ସ ମନ ଭିତରେ ଭାଇ ବାର୍ଡ଼ର କଥା ଭାବିଥିଲା, କିନ୍ତୁ କାହାକୁ କିଛି କହି ନ ଥିଲା । ପର ଦିନ ସନ୍ଧ୍ୟା ବେଳେ, ଯେତେବେଳେ ସେ ତାହାର ଭାଇକୁ ମ୍ଳାନ ଓ ଅଦ୍ଭୁତ ବଦନରେ ତାହାର ଘରେ ପ୍ରବେଶ କରିବାର ଦେଖିଲା, ତତ୍‍କ୍ଷଣାତ୍‍ ତାହାର ମନେ ପଡ଼ିଗଲା ବାର୍ଡ଼ ନିଶ୍ଚୟ ଅନୁତାପ କରୁଛି । କିନ୍ତୁ ନିଜର ଭାଇ ହୋଇ ସେ ତା ପ୍ରତି ଯେଉଁ ନୃଶଂସ ବ୍ୟବହାର କରିଛି, ସେଥିପାଇଁ ତାହାକୁ କ୍ଷମା କରାଯାଇ ନ ପାରେ । ତା ପରେ ସେ ଶୁଣିବାକୁ ପାଇଲା, ଅଗ୍ନି କାଣ୍ଡ ଦିନ ସନ୍ଧ୍ୟାରେ ବାର୍ଡ଼କୁ ତାହାର ଘର ଆଡ଼କୁ ଆସୁଥିବାର ଲୋକେ ଦେଖିଛନ୍ତି-। ଯଦିଚ ତଦନ୍ତ ବେଳେ ତା ବିରୁଦ୍ଧରେ କିଛି ସାକ୍ଷୀ ପ୍ରମାଣ ମିଳିଲା ନାହିଁ, ତଥାପି ଏଣ୍ଡାର୍ସର ଦୃଢ଼ ଧାରଣା ଥିଲା ଯେ ତାହାର ଭାଇ ବାର୍ଡ଼ ହିଁ ପ୍ରକୃତରେ ଦୋଷୀ ।

 

ବିଚାର ବେଳେ ଦୁହେଁ ଅଦାଲତରେ ହାଜର ହେଲେ । ବାର୍ଡ଼ ଉତ୍ତମ ପୋଷାକ ପରିଧାନ କରିଥିଲା । ମାତ୍ର ଏଣ୍ଡାର୍ସର ଦେହରେ ଜୀର୍ଣ୍ଣ ମଳିନ ବସ୍ତ୍ର ଥିଲା । ଏଣ୍ଡାର୍ସ ପ୍ରବେଶ କରନ୍ତେ ବାର୍ଡ଼ ତା ଆଡ଼କୁ ଚାହିଁଲା । ଏଣ୍ଡାର୍ସ ମନେ ମନେ ଜାଣି ପାରିଲା ଯେ ସେ ତା ଆଡ଼କୁ ବ୍ୟାକୁଳ ଦୃଷ୍ଟିରେ ଚାହୁଁଛି । ତଥାପି ସେ କିଛି କହିଲା ନାହିଁ । ଯେତେବେଳେ ତାହାକୁ ପଚରା ଗଲା ଯେ ସେ ତାହାର ଭାଇକୁ ଏହି ଘଟଣାରେ ସନ୍ଦେହ କରୁଛି କି, ସେ ଉଚ୍ଚ ସ୍ଵରରେ ଓ ସ୍ପଷ୍ଟ ଭାବରେ ଜବାବ ଦେଲା, “ନା ।”

 

ତହିଁ ପର ଦିନ ଠାରୁ ଏଣ୍ଡାର୍ସ ପ୍ରଚୁର ମଦ ପାନ କରିବାକୁ ଲାଗିଲା ଏବଂ କିଛି ଦିନ ପରେ ତାହାର ଅବସ୍ଥା ଖରାପ ହୋଇଗଲା । ମାତ୍ର ବାର୍ଡ଼ ମଦ ପାନ କରୁ ନଥିଲା । ତଥାପି ତାହାର ଅବସ୍ଥା ଅଧିକ ଶୋଚନୀୟ ହୋଇ ପଡ଼ିଲା । ତାହାର ଚେହେରା ଏମିତି ବଦଳି ଗଲା ଯେ ଲୋକେ ତାହାକୁ ପ୍ରାୟ ଚିହ୍ନି ପାରିଲେ ନାହିଁ ।

 

ତା ପରେ ଦିନ ରାତିରେ ଜଣେ ଗରିବ ସ୍ତ୍ରୀ ଲୋକ ବାର୍ଡ଼ର କ୍ଷୁଦ୍ର ଭଡ଼ା ଘରକୁ ଆସିଲା ଏବଂ ତାହାକୁ ତା ସାଙ୍ଗରେ ଯିବା ପାଇଁ ଡାକିଲା । ବାର୍ଡ଼ ତାହାକୁ ଅବଶ୍ୟ ଚିହ୍ନି ପାରିଲା । ସେ ହେଉଛି ତାହାର ଭାଇର ସ୍ତ୍ରୀ । ବାର୍ଡ଼ ତତ୍‍କ୍ଷଣାତ୍‍ ବୁଝି ପାରିଲା ତାହାର ଆଗମନର କାରଣ କଅଣ-। ମୁହୂର୍ତ୍ତକ ଭିତରେ ତାହାର ମୁଖ ପାଣ୍ଡୁର ହୋଇଗଲା । ପୋଷାକ ପରିଧାନ କରି, ପଦିଏ ହେଲେ କଥା ଉଚ୍ଚାରଣ ନ କରି ସେ ତା ପଛେ ପଛେ ଚାଲିଲା । ଏଣ୍ଡାର୍ସର ଝରକା ବାଟେ ମ୍ଳାନ ଆଲୁଅଟା କେତେବେଳେ ଦିଶୁଥିଲା ତ କେତେବେଳେ ଲିଭି ଯାଉଥିଲା । ତାକୁ ଲକ୍ଷ୍ୟ କରି ସେମାନେ ଯାଉଥିଲେ । କାରଣ ବରଫ ଉପରେ କୌଣସି ରାସ୍ତା ଦିଶୁ ନ ଥିଲା । ଯେତେବେଳେ ବାର୍ଡ଼ ଆସି ପୁଣି ତାହାର ଦୁଆର ମୁହଁରେ ଠିଆ ହେଲା, ଗୋଟିଏ ଅଦ୍ଭୁତ ଦୁର୍ଗନ୍ଧରେ ତାହାର ନାକ ଫାଟି ପଡ଼ିଲା । ସେମାନେ ଭିତରକୁ ଗଲେ । ଛୋଟ ଝିଅଟିଏ ଅଗ୍ନି କୁଣ୍ଡ ପାଖରେ ବସି ଖଣ୍ଡିଏ କୋଇଲା ଚୋବାଉଥିଲା । ତାହାର ମୁହଁଟା କଳା ହୋଇ ଯାଇଥିଲା । କିନ୍ତୁ ସେ ସେମାନଙ୍କ ଆଡ଼କୁ ଚାହିଁ ତାହାର ଧଳା ଦାନ୍ତ ଦେଖାଇ ହସି ଦେଲା। ସେ ହେଉଛି ତାହାର ଭାଇର ଝିଅ-

 

ଗୁଡ଼ାଏ ଲୁଗାପଟା ଘୋଡ଼ାଇ ହୋଇ,ଏଣ୍ଡାର୍ସ ଶୀର୍ଣ୍ଣ ଓ ପାଣ୍ଡୁର ବଦନରେ ବିଛଣାରେ ଶୋଇ ରହିଥିଲା । ତାହାର କପାଳଟା ଉଚ୍ଚ ଓ ସମତଳ ଦିଶୁଥିଲା । ତାହାର କୋଟର ଗତ ଚକ୍ଷୁରେ ସେ ତାହାର ଭାଇ ଆଡ଼କୁ ଅନାଇଲା । ବାର୍ଡ଼ର ଆଣ୍ଠୁ କମ୍ପିବାକୁ ଲାଗିଲା । ସେ ତତ୍‍କ୍ଷଣାତ୍‍ ଶଯ୍ୟା ପାଖରେ ବସି ପଡ଼ିଲା ଏବଂ ଅବିରାମ କାନ୍ଦିବାକୁ ଲାଗିଲା । ରୋଗୀଟି ଏକ ଦୃଷ୍ଟିରେ ତା ଆଡ଼କୁ ଚାହିଁ ରହିଲା, ମାତ୍ର କିଛି କହିଲା ନାହିଁ । ଅବଶେଷରେ ସେ ତା ସ୍ତ୍ରୀକୁ ସେଠାରୁ ଚାଲି ଯିବାକୁ କହିଲା, କିନ୍ତୁ ବାର୍ଡ଼ ତାହାକୁ ରହିବାକୁ ଇଙ୍ଗିତ ଦେଲା । ତା ପରେ ଦୁଇ ଭାଇ ନିଜ ନିଜ ଭିତରେ କଥାବାର୍ତ୍ତା ହେବାକୁ ଲାଗିଲେ । ସେମାନେ ସବୁ ବିଷୟ ଟିକିନିଖି ଆଲୋଚନା କଲେ—ଘଡ଼ି ନିଲାମ ଦିନ ଠାରୁ ଆରମ୍ଭ କରି ଆଜି ଦିନର ପୁଣି ଶେଷ ସାକ୍ଷାତ ଯାଏ-। ତାହାର କର୍ତ୍ତବ୍ୟ ଶେଷ କରି ବାର୍ଡ଼ ସେହି ସୁନା ମୁଣ୍ଡାଟା ବାହାର କଲା । ସବୁବେଳେ ସେ ସେଟା ସାଙ୍ଗରେ ଧରି ବୁଲୁଥାଏ । ବାର୍ତ୍ତାଳାପ ଭିତରେ ସେମାନେ ବୁଝି ପାରିଲେ ଯେ ଏହି କେତେ ବର୍ଷ ଭିତରେ ଦିନକ ପାଇଁ ସୁଦ୍ଧା ସେମାନେ ପ୍ରକୃତରେ ତଳେ ମାତ୍ର ସୁଖ ପାଇ ନାହାନ୍ତି ।

 

ଏଣ୍ଡାର୍ସ ବେଶି କଥା କହି ପାରିଲା ନାହିଁ, କାରଣ ତାହାର ଦେହର ଆଉ ବଳ ନ ଥିଲା । କିନ୍ତୁ ଏଣ୍ଡାର୍ସ ବେମାର ଥିବା ଯାଏ, ବାର୍ଡ଼ ତାହାର ଶଯ୍ୟା ପାଖରେ ତାହାକୁ ଜଗି ପଡ଼ି ରହିଲା-

 

ଦିନେ ସକାଳେ ନିଦ ଭାଙ୍ଗିବା କ୍ଷଣି, ଏଣ୍ଡାର୍ସ କହିଲା, “ବର୍ତ୍ତମାନ ମୁଁ ଏକାବେଳକେ ସୁସ୍ଥ ହୋଇ ଗଲିଣି । ଭାଇ, ଆଜିଠୁଁ ଆମେ ବରାବର ସାଙ୍ଗରେ ରହିବା— ଠିକ୍ ଆଗରୁ ଯେମିତି ଥିଲେ । ଆଉ କେହି କାହାକୁ କଦାପି ଛାଡ଼ିଦେବା ନାହିଁ ।”

 

କିନ୍ତୁ ସେହିଦିନ ଏଣ୍ଡାର୍ସ ପରଲୋକ ଗମନ କଲା ।

 

ତାହାର ବିଧବା ସ୍ତ୍ରୀ ଓ ଝିଅକୁ ବାର୍ଡ଼ ନିଜ ଘରକୁ ନେଇଗଲା ଏବଂ ସେମାନଙ୍କୁ ଭଲ ଭାବରେ ପ୍ରତିପୋଷଣ କଲା । କିନ୍ତୁ ଦୁଇ ଭାଇ ରୋଗଶଯ୍ୟାରେ ଯାହା କଥାବାର୍ତ୍ତା ହୋଇଥିଲେ କାନ୍ଥ ଓ ରାତି ଭିତର ଦେଇ ତାହା ପଦାକୁ ଚାଲିଆସିଲା ଏବଂ ଉପତ୍ୟକାବାସୀଙ୍କୁ ସାଧାରଣ ଭାବରେ ଜଣାଇଦେଲା । ତା ପରେ ବାର୍ଡ଼ ସେମାନଙ୍କ ଭିତରେ ଜଣେ ଶ୍ରେଷ୍ଠ ସମ୍ମାନାସ୍ପଦ ବ୍ୟକ୍ତି ହୋଇପଡ଼ିଲା । ସମସ୍ତେ ତାହାକୁ ଶ୍ରଦ୍ଧା ପ୍ରଦର୍ଶନ କରିବାକୁ ଲାଗିଲେ—ଠିକ୍ ଯେମିତି ଜଣେ ବ୍ୟକ୍ତି ଗୋଟାଏ ଦାରୁଣ ଦୁଃଖ ପରେ ପୁଣି ସୁଖ ପାଇଥିଲେ କିମ୍ଵା ଦୀର୍ଘ ଦିନର ଅନୁପସ୍ଥିତ ପରେ ଘରକୁ ଫେରି ଆସିଥିଲେ ଲୋକେ ତାହାକୁ ଅଶେଷ ସମ୍ମାନ କରନ୍ତି । ସେମାନଙ୍କ ବନ୍ଧୁତାର ସୂତ୍ରରେ ଆବଦ୍ଧ ହୋଇ ବାର୍ଡ଼ର ମାନସିକ ଶକ୍ତି ବୃଦ୍ଧି ପାଇଲା । ସେ ଜଣେ ମହତ୍ ବ୍ୟକ୍ତି ହୋଇଗଲା, ଏବଂ ସେମାନଙ୍କର କିଛି ଉପକାର କରିବା ଉଦ୍ଦେଶ୍ୟରେ ବୃଦ୍ଧ କରପୋରାଲ ଶିକ୍ଷକର ପଦ ଗ୍ରହଣ କଲା-। ବାଳକ ବାଳିକାମାନଙ୍କ ପ୍ରତି ତାହାର ପ୍ରଥମ ଓ ଶେଷ ଧାରଣା ଥିଲା ପ୍ରେମର ବାଣୀ-। ସେ ନିଜେ ବି ତାହା ଏପରି ଭାବରେ ଅଭ୍ୟାସ କରିବାକୁ ଲାଗିଲା ଯେ ଶେଷକୁ ପିଲାମାନେ ତାହାକୁ ସେମାନଙ୍କର ଜଣେ ଖେଳସାଥି ଓ ବାପା ପରି ଆଦର କଲେ ।

☆☆☆

 

ପ୍ରଦକ୍ଷିଣ

 

ଡାକ୍ତର ତ୍ରେଭିୟରଙ୍କୁ ତୁମେ ତ ଚିହ୍ନିଛ । ତାଙ୍କର ଉଜ୍ଜ୍ୱଳ ପ୍ରକାଣ୍ଡ ମୁଖ ଓ ସେହି ଆଶ୍ଚର୍ଯ୍ୟ ଚାହାଣି ନିଶ୍ଚୟ ତୁମର ମନେ ଥିବ । ତାଙ୍କର ହାତ ଓ ମନ ଜଣେ ସୁଦକ୍ଷ ଅସ୍ତ୍ର-ଚିକିତ୍ସକଙ୍କ ନିମନ୍ତେ ଉପଯୁକ୍ତ ଥିଲା । କଠିନ ଅବସ୍ଥା ଭିତରେ ବି ତାଙ୍କର ଉପସ୍ଥିତ ବୁଦ୍ଧିରେ ପ୍ରଶଂସା ସେତେବେଳେ ପ୍ରାୟ ସମସ୍ତ କରୁଥିଲେ । ଅସ୍ତ୍ର-ଚିକିତ୍ସାଗାରରେ ଦିନେ ସେ ଗୋଟିଏ କଠିନ ଅସ୍ତ୍ରୋପଚାର କରୁଥିଲେ । ଅସ୍ତ୍ରୋପଚାର ଅଧେ ହେଉ ନ ହେଉଣୁ ରୋଗୀଟି ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଲା—ଦେହ ଥଣ୍ଡା ହୋଇଗଲା, ଦେହରେ ରକ୍ତ-ଚଳାଚଳର ତିଳେ ମାତ୍ର ଆଭାସ ମିଳିଲା ନାହିଁ । ଶେଷରେ ରୋଗୀଟି ସଂଜ୍ଞାହୀନ ହୋଇ ପଡ଼ିଲା । ସେତେବେଳେ ଡାକ୍ତର ତ୍ରେଭିୟର ତାହାକୁ ଦୁଇ ହାତରେ ଟେକିନେଲେ ଏବଂ ନିଜର ଛାତି ସାଙ୍ଗରେ ତାହାର ଛାତି ଲଗାଇ ତାହାର ସେହି ରକ୍ତାକ୍ତ ଦେହଟା ହଲାଇବାକୁ ଲାଗିଲେ । ତାପରେ ସେ ପୁଣି ଛୁରି ଧରିଲେ ଏବଂ ଅସୀମ ସାହସ ସହକାରେ ସୁଦକ୍ଷ ଭାବରେ ସେହି ଅସ୍ତ୍ରୋପଚାର ଶେଷ କଲେ । ରୋଗୀର ଦେହରେ ପୁଣି ସ୍ୱାଭାବିକ ରକ୍ତ ସଞ୍ଚାଳନ ଆରମ୍ଭ ହେଲା—ରୋଗୀଟି ସେହି ଯାତ୍ରାରୁ ରକ୍ଷା ପାଇଗଲା । ଅସ୍ତ୍ରୋପଚାରର ପୋଷାକ ଓହ୍ଲାଇ ପକାଇବା ସଙ୍ଗେ ସଙ୍ଗେ ଡାକ୍ତର ତ୍ରେଭିୟର ପୁଣି ସେହି ସରଳ, ସହଜ ଓ ସାଧାରଣ ମଣିଷ ହୋଇଗଲେ ।

 

ତାଙ୍କର ଉଚ୍ଛ୍ଵସିତ ହସ ହସ ମୁଖ ସମସ୍ତଙ୍କୁ ଭଲ ଲାଗୁଥିଲା । ମୁଁ ଯେଉଁ ଅସ୍ତ୍ରୋପଚାର କଥା କହିଲି, ତାହାର କେତେ ମାସ ପରେ ଗୋଟିଏ ଅସ୍ତ୍ରୋପଚାର କରିସାରି ଛୁରିଟା ପରିଷ୍କାର କଲା ବେଳେ ତାଙ୍କର ହାତ ସାମାନ୍ୟ ଟିକିଏ କଟିଗଲା । ସେତେବେଳେ ଏହାର କୌଣସି ବିହିତ ବ୍ୟବସ୍ଥା ନ କରିବାରୁ ସେହି ଦୁଷ୍ଟ କ୍ଷତରେ ବୀଜାଣୁ ତାଙ୍କ ଦେହ ଭିତରେ ପ୍ରବେଶ କଲା ଏବଂ ଦୁଇଟି ଦିନ ଭିତରେ ସେ ପ୍ରାଣ ତ୍ୟାଗ କଲେ । ମରଣ ବେଳେ ତାଙ୍କର ବୟସ ମାତ୍ର ଛତିଶ ବର୍ଷ ହୋଇଥିଲା—ସ୍ତ୍ରୀ ଓ ଗୋଟିଏ ଶିଶୁ ପୁତ୍ର ଛାଡ଼ି ଯାଇଥିଲେ ।

 

ଯେଉଁ ଦିନ ପାଗ ପରିଷ୍କାର ଥାଏ, ସେହି ଦିନ ବୁଲୟାଁର ଉଦ୍ୟାନରେ ଫାର୍ ଗଛ ତଳେ ଜଣେ କଳା ଶୋକ-ପୋଷାକ-ପରିହିତା ତରୁଣୀଙ୍କୁ ବସିଥିବାର ଦେଖାଯାଏ—ସେ ଲେସ୍ ବୁଣୁ ବୁଣୁ ମଝିରେ ମଝିରେ ଆଖି ଟେକି ଗୋଟିଏ ଶିଶୁ ଆଡ଼କୁ ଅନାଉ ଥାଆନ୍ତି । ଶିଶୁଟି ତାହାର ସବୁ ଖେଳ ସରଞ୍ଜାମ, କୋଦାଳ, ଠେଲା ଗାଡ଼ି ଓ ଛୋଟ ଛୋଟ ମାଟି ଢେଲାର ମଝିରେ ଗୁରୁଣ୍ଡୁ ଥାଏ । ସେହି ତରୁଣୀ ହେଉଛନ୍ତି ଶ୍ରୀମତୀ ତ୍ରେଭିୟର ।

 

ତାଙ୍କର ଉଷ୍ଣ ଓ ପାଣ୍ଡୁର ମୁଖ ଉପରେ ସୂର୍ଯ୍ୟ-କିରଣ ସ୍ନେହ-ସ୍ପର୍ଶ ବୁଲାଇ ଦେଉଥାଏ । ଦେହ ଓ ଅନ୍ତରର ପରିପୂର୍ଣ୍ଣ ପ୍ରାଚୁର୍ଯ୍ୟ ତାଙ୍କର କଳା ଆଖି ବାଟେ ଝରି ପଡ଼ୁଥାଏ । ସେ ସସ୍ନେହ ଦୃଷ୍ଟିରେ ସେହି ଶିଶୁଟିର ଲାଲ କେଶ ଓ ନୀଳ ଆଖି ଆଡ଼କୁ ଅନାଇ ରହି ଥାଆନ୍ତି—ଏହି ମୂର୍ତ୍ତିଟି ଯେମିତି ତାଙ୍କର ପରଲୋକ ଗତ ସ୍ଵାମୀଙ୍କର ପ୍ରତିଚ୍ଛବି !

 

ଶିଶୁଟି ମୋଟାସୋଟା, ଦେହର ରଙ୍ଗ ଗୋଲାପ ଫୁଲ ପରି; କିନ୍ତୁ ସେ ଯେ ବଡ଼ ହେଉଥାଏ, ତାହାର ଶରୀର ସେତେ ରୋଗା ହୋଇ ଯାଉଥାଏ । କ୍ରମେ କ୍ରମେ ତାହାର ଗାଲ ଦୁଇଟି ରକ୍ତହୀନ ହୋଇ ଲାଲ ପଡ଼ିଯିବାକୁ ଲାଗିଲା ।

 

ଶ୍ରୀମତୀ ତ୍ରେଭିୟର ଚିନ୍ତିତ ହୋଇ ପଡ଼ିଲେ । ଯେବେବେଳେ ମଝିରେ ମଝିରେ ସେ ତାହାର ସାଙ୍ଗ ସାଥୀମାନଙ୍କ ସହିତ ଦୌଡ଼ାଦୌଡ଼ି କରୁଁ କରୁଁ ତାହାର ମାଆ ଯେଉଁଠି ବସି ଲେସ୍ ବୁଣୁ ଥାଆନ୍ତି ସେଠାରେ ଆସି ପହଞ୍ଚିଯାଏ, ସେତେବେଳେ ମାଆ ତାହାକୁ ସେହି ଅବସ୍ଥାରେ ଧରି ପକାନ୍ତି ଏବଂ ତାହାକୁ ଦୁଇ ହାତରେ ଉପରକୁ ଟେକି ଧରି ଭ୍ରୂକୁଞ୍ଚିତ କରି ତାହାର ରକ୍ତହୀନ ମୁଖ ଆଡ଼କୁ ଚାହିଁ ମଥା ହଲାନ୍ତି । ରାତିରେ କିଛି ଟିକିଏ ଶବ୍ଦ ହେଲା କ୍ଷଣି ମାଆ ବିଛଣାରୁ ଖାଲି ପାଦରେ ଉଠିଯାଇ ଛୋଟ ଖଟଟି ଉପରେ ନଇଁପଡ଼ି ଶିଶୁଟି ଆଡ଼କୁ ଅନାଇ ରହନ୍ତି ।

 

ଶ୍ରୀମତୀ ତ୍ରେଭିୟରଙ୍କ ସ୍ୱାମୀଙ୍କର ପୁରୁଣା ବନ୍ଧୁ ଡାକ୍ତରମାନେ ତାହାଙ୍କୁ ଭୟର ସେମିତି କିଛି ବିଶେଷ କାରଣ ନାହିଁ ବୋଲି କହନ୍ତି ।—ଶିଶୁଟି ଟିକିଏ ବେଶି ଦୁର୍ବଳ ହୋଇଛି, ଜଳବାୟୁ ପରିବର୍ତ୍ତନ କରିବା ପାଇଁ ତାହାକୁ କୌଣସି ଖୋଲା ଜାଗାରେ କିଛି ଦିନ ରଖିବା ଦରକାର । ଶ୍ରୀମତୀ କ୍ରେଭିୟର ଜିନିଷପତ୍ର ବନ୍ଧାବନ୍ଧି କରି ଘରକୁ ଚାଲିଗଲେ । ଡାକ୍ତର କ୍ରେଭିୟର କୃଷକ ବଂଶର ସନ୍ତାନ ଥିଲେ ଏବଂ ବାର ବର୍ଷ ବୟସ ପର୍ଯ୍ୟନ୍ତ ବିଦ୍ୟାଳୟରୁ ଫେରିବା ବେଳେ ସେ ବାଟରେ ମାର୍ଲ ପକ୍ଷୀର ବସା ଖୋଜି ବୁଲୁଥିଲେ ।

 

ଧୂଆଁରେ ଅନ୍ଧାର ହୋଇ ଯାଇଥିବା ଭୋଜନାଗାରଟିର କଡ଼ି କାଠରୁ ଘୁଷୁରିର ଫଡ଼ିଆଟାଏ ଝୁଲୁଥିଲା—ସେଠାରେ ପରସ୍ପରଙ୍କର ସମ୍ଭାଷଣ ବିନିମୟ ହେଲା । ବୃଦ୍ଧା କ୍ରେଭିୟର ଗୃହିଣୀ ଚୁଳୀ ପାଖରେ ବସି ରୋଷେଇ କରୁଁ କରୁଁ ପ୍ୟାରୀସ୍-ନାଗର-ବାସିନୀ ତାଙ୍କର ପୁତ୍ରବଧୂ ଓ ତାହାର ପରିଚାରିକା ଉପରେ ସନ୍ଦିଗ୍ଧ ଦୃଷ୍ଟି ନିକ୍ଷେପ କଲେ । କିନ୍ତୁ ସେ ଶିଶୁ ନାତିଟିକୁ ନିଜର ପୁଅର ଶୈଶବର ଅବିକଳ ପ୍ରତିଛବି ବୋଲି ମନେ କଲେ । ନାତି ଆନ୍ଦ୍ରେକୁ ଦେଖି ବୃଦ୍ଧ କ୍ରେଭିୟର ଖୁବ୍ ଖୁସି ହେଲେ । ନୈଶ-ଭୋଜନ ଶେଷ ହେବା ଆଗରୁ ଆନ୍ଦ୍ରେ ଜେଜେ ବାପାଙ୍କୁ ବିଦାୟ ଚୁମ୍ବନ ଦେଇ ତାଙ୍କ ଆଣ୍ଠୁ ଉପରେ ସିଧା ହୋଇ ବସି ତାଙ୍କ ଗାଲରେ ହାତ ବୁଲାଉଁ ବୁଲାଉଁ ପଚାରିଲା—“ ଜେଜେ, ତୁମର ଗାଲ ଏମିତି ପଶି ଯାଇଛି କାହିଁକି ?’’

 

“ମୋର ଦାନ୍ତ ନାହିଁ ବୋଲି ।”

 

“କାହିଁକି ତୁମର ଦାନ୍ତ ନାହିଁ ?”

 

“ମୋର ଦାନ୍ତ ଗୁଡ଼ାକ କଳା ହୋଇ ଯାଇଥିଲା ବୋଲି ଦିନେ ତାକୁ ବିଲରେ ବୁଣି ଦେଲି-। ଦେଖେଁ ପୁଣି ସେଗୁଡ଼ାକ ଧଳା ହୋଇ ଗରଜୁଛି କି ନା ।’’

 

ଏହା ଶୁଣି ଆନ୍ଦ୍ରେ ହସି ହସି ଗଡ଼ିଗଲା । ଜେଜେ ବାପାଙ୍କର ଗାଲ ଓ ତା ମାଆର ଗାଲ ଏକାବେଳେ ଅଲଗା ପ୍ରକାରର !

 

 

ନଗର ବାସିନୀ ପୁତ୍ରବଧୂ ଓ ତାହାର ପୁଅକୁ ଘରେ ସବୁ ଠାରୁ ଭଲ କୋଠାରୀଟିଏ ଦିଆଗଲା । ଏହି କୋଠରୀରେ କ୍ରେଭିୟର ଦମ୍ପତ୍ତିଙ୍କର ବିବାହ ବେଳର ପଲଙ୍କ ରଖା ହୋଇଥିଲା-। ସେମାନେ ଏହି ପଲଙ୍କରେ ଥରେ ମାତ୍ର ଶୋଇଥିଲେ । ଆହୁରି ମଧ୍ୟ ଲୁଗାପଟାରେ ଭର୍ତ୍ତି ହୋଇଥିବା ଗୋଟିଏ ଓକ୍ କାଠର ବଡ଼ ଆଲମାରୀ ତାଲା ଦିଆଯାଇ ରଖା ହୋଇଥିଲା-। ଆଗରୁ ଖଣ୍ଡିଏ ଛୋଟ ଖଟ ଏହି ଘରର ଶିଶୁମାନଙ୍କର ଶୋଇବା ପାଇଁ ବ୍ୟବହାର କରା ଯାଉଥିଲା-। କୋଠରୀଟିର ନିର୍ଜନ କୋଣରେ ଥାକ ଉପରେ ଆଚାର, ମସଲା ପ୍ରଭୃତିର ପାତ୍ର ସଜାଇ ରଖା ହୋଇଥିଲା । ସେହି ଛୋଟ ଖଟଟି ଆଣି ତାର ତଳେ ପକାଇ ଦିଆଗଲା । ବୃଦ୍ଧା କ୍ରେଭିୟର ନିପୁଣା ଗୃହିଣୀଙ୍କ ପରି ନିଜେ ତଦାରକ କରିବା ପାଇଁ ବାରମ୍ବାର ତା ଉପରକୁ ଚଢ଼ି ସବୁ ବ୍ୟବସ୍ଥା ଦେଖିବାକୁ ଲାଗିଲେ । ତାଙ୍କ ପାଦର ଚାପରେ ଦେବଦାରୁ କାଠର ପଟା ମଚ୍ ମଚ୍ ହେବାକୁ ଲାଗିଲା; କିନ୍ତୁ ଲୁଗାପଟା ରଖିବା ପାଇଁ ସେ ସେଠାରେ ଗୋଟିଏ ଆଲଣା ଖୋଜି ପାଇଲେ ନାହିଁ-

 

କଡ଼ି ବରଗା ଦିଆ ଛାତର ଭିତର ଅଂଶଟା ଓ କାନ୍ଥ ସବୁରେ ଚୂନ ଦିଆଯାଇଥିବାରୁ ସେ ସବୁ ଧଳା ଦିଶୁଥିଲା । ଯେଉଁ ସବୁ ରଙ୍ଗୀନ ଛବିରେ କୋଠାରୀଟି ସଜା ହୋଇଥିଲା, ବଧୂ କ୍ରେଭିୟରଙ୍କର ଦୃଷ୍ଟି ତା ଉପରେ ନିବଦ୍ଧ ନ ଥିଲା । କିନ୍ତୁ ଖଟ ଉପରକୁ କାନ୍ଥରେ ଟଙ୍ଗା ହୋଇଥିବା ଖଣ୍ଡିଏ ଖୋଦିତ ଚିତ୍ର ଫଳକ ତାଙ୍କ ନଜରରେ ପଡ଼ିଲା । କେତେ କଣ ଧଳା ପାଇଜାମା ଓ କଳା ଜାମା ପରିହିତ ଶିଶୁ ହାତରେ ମହମବତୀ ଧରି ଧାଡ଼ି ବାନ୍ଧି ଗୋଟିଏ ଗଥିକ ଧରଣର ଗିର୍ଜାରେ ପ୍ରବେଶ କରୁଥିଲେ । ଛବିଟିର ତଳେ ଖୋଳା ହୋଇ ଲେଖା ଯାଇଥିଲା—“ନିମ୍ନ ସ୍ୱାକ୍ଷରକାରୀ ମୁଁ ଏହି ବିବୃତି ଦେଉଛି ଯେ ପିୟେର ଆଜେନର କ୍ରେଭିୟରକୁ ବ୍ରଲର ଗୀର୍ଜାକୁ ସମବେତ ଗଣ ପ୍ରାର୍ଥନା ପାଇଁ ସର୍ବ ପ୍ରଥମେ ୧୮୪୯ ସାଲରେ ମଇ ମାସ ୫ ତାରିଖରେ ଅଣା ହୋଇଥିଲା—ପାଦ୍ରୀ ଗତିୟେର ।”

 

ବିଧବା-ବଧୂ କ୍ରେଭିୟର ଏହା ପଢ଼ି ଦୀର୍ଘ ନିଶ୍ଵାସ ତ୍ୟାଗ କଲେ—ବୁଦ୍ଧିମତୀ ଓ ଦୃଢ଼ଚିତ୍ତା ରମଣୀର ଦୀର୍ଘ ନିଶ୍ଵାସ—ପ୍ରେମାଶ୍ରୁ ପରି ଜଗତରେ ଏକ ଅମୂଲ୍ୟ ସମ୍ପଦ । ଯାହାକୁ ଭଲ ପାଆନ୍ତି ତାହାର କୁଆଡ଼େ କଦାପି ମୃତ୍ୟୁ ଘଟେ ନାହିଁ। ପ୍ରେମ ମୃତ୍ୟୁହୀନ !

 

ଶୋଇବା ବେଳେ ଆନ୍ଦ୍ରେ ର ପୋଷାକ ଖୋଲି ଦେଇ ସେ ତାହାକୁ କହିଲେ—“ଆସ, ଏକ୍ଷଣି ଉପାସନା କରିବା ।”

 

ସେତେବେଳ ଆନ୍ଦ୍ରେ ଧୀରେ ଧୀରେ କହିଲା—‘ମୁଁ ତୁମକୁ ଭାରି ଭଲ ପାଏଁ, ମାଆ ! “ଏହିପରି ଭାବରେ ତକିଆ ଉପରେ ମୁଣ୍ଡ ରଖି ଦୁଇ ହାତ ମୁଠା କରି ସେ ଶାନ୍ତ ମନରେ ଶୋଇ ପଡ଼ିଲା ।

 

ବଡ଼ି ଭୋରରୁ ନିଦ ଭାଙ୍ଗିଗଲାରୁ ଆନ୍ଦ୍ରେ ବିଛଣାରୁ ଉଠି ପଡ଼ିଲା ଏବଂ ପଛ ଅଗଣାରୁ ଅନାଇ ଦେଇ ଆଶ୍ଚର୍ଯ୍ୟ ହୋଇଗଲା । ସେ ଆବିଷ୍ଟ ହୋଇ ଗୋରୁ, ଘୋଡ଼ା, ଘୁଷୁରି ଓ କୁକୁଡ଼ାସବୁ ଦେଖିବାକୁ ଲାଗିଲା । ତାହାକୁ ଘୁଷୁରିଟି ସବୁଠାରୁ ଭଲ ଲାଗିଲା । ଦିନକୁ ଦିନ ତାହାର ଏହି ଶ୍ରଦ୍ଧା ବଢ଼ିବାକୁ ଲାଗିଲା । ଭୋଜନ ସମୟରେ ତାହାକୁ ବହୁ କଷ୍ଟରେ କାଠିକୁଟା ଓ ଗୋବର ଲାଗିଥିବା ଅବସ୍ଥାରେ ଅଣା ହେଉଥିଲା । ତାହାର ମୁଣ୍ଡରେ ମାଙ୍କଡ଼ସାର ଜାଲ ଲାଗିଥାଏ, ଜୋତାରେ କାଦୁଅ ଓ ଗୋବର ଲାଗିଥାଏ ।

 

ତାହାର ହାତ ଦୁଇଟି ମଇଳା ହୋଇଥାଏ, ଆଁଠୁ-ଗଣ୍ଠି ଛିଡ଼ି ଯାଇଥାଏ, ଗାଲ ଲାଲ ଦିଶୁଥାଏ, ମୁଖ ଖୁବ୍ ଆନନ୍ଦ ଓ ହସରେ ଭରି ଯାଇଥାଏ ।

 

ତାହାର ମାଆ ରାଗିଯାଇ କହୁଥିଲେ—“ମୋ ପାଖକୁ ଆ ନା, ଦୁଷ୍ଟ ସଇତାନ କେଉଁଠିକାର !” କିନ୍ତୁ ଶେଷ ଅବଧି ତାଙ୍କର ଆଦରର ସୀମା ରହେ ନାହିଁ । ଯେତେବେଳେ ଟେବୁଲ ସାମନାରେ ଛୋଟ ଟୁଲ୍ ଉପରେ ବସି ସେ କୁକୁଡ଼ାଗୋଡ଼ର ବଡ଼ ବଡ଼ ହାଡ଼ ଦାନ୍ତରେ କାମୁଡ଼ୁଥାଏ, ସେତେବେଳେ ମନେ ହୁଏ ଯେମିତି ଗୋଟିଏ ବାଳକ ହାରକିଉଲିସ୍ ତାହାର ଗଜା ଦାନ୍ତରେ କାମୁଡ଼ୁଛି । ସେ ଏକ ମନରେ ଖାଇବାରେ ଲାଗିଥାଏ ଏବଂ ମଝିରେ ମଝିରେ ଏଣୁ ତେଣୁ କେତେ କଥା ବକି ଯାଉଥାଏ ।

 

“ଆଚ୍ଛା, ମାଆ, ସାଗୁଆ କୁକୁଡ଼ା କାହାକୁ କହନ୍ତି ?”

 

ମାଆ ଧୀରେ ଧୀରେ ଜବାବ ଦିଅନ୍ତି—“ ବୋଧହୁଏ ଶୁଆ ହୋଇଥିବ ।”ଏହିପରି ଭାବରେ ଆନ୍ଦ୍ରେ ତାହାର ଜେଜେ ବାପାଙ୍କର ହଂସଗୁଡ଼ିକୁ ଶୁଆ ପକ୍ଷୀ ବୋଲି କହେ । ସେ କେଉଁ ଟାକୁ ଯେ କଅଣ ବୋଲି କହେ, କେହି ତାହା ବୁଝି ପାରନ୍ତି ନାହିଁ । କିନ୍ତୁ ତାହାକୁ କେହି କିଛି କଥା କହିଲେ, ସେ ତାହା ସହଜରେ ମାନେ ନାହିଁ ।

 

“ମାଆ, ଜାଣ, ଜେଜେ ମୋତେ କଅଣ କହିଛନ୍ତି ? ସେ କହନ୍ତି ଯେ କୁକୁଡ଼ା ଅଣ୍ଡା ଦିଏ-। କିନ୍ତୁ ମୁଁ ଜାଣେ, ସେ କଥା ଠିକ୍ ନୁହେଁ । ବଗିଚାରେ ସେହି ଫଳଗଛ ଗୁଡ଼ାକରେ ଅଣ୍ଡା ହୁଏ ଏବଂ ପଚାଇବା ପାଇଁ ସେସବୁ ଗଛରୁ ବିଛାଇ ଆଣି କୁକୁଡ଼ା ପାଖରେ ରଖନ୍ତି । ତୁମ ତ ଜାଣ, ମାଆ, କୁକୁଡ଼ାର ତ ହାତ ନାହିଁ ଯେ ସେ ଅଣ୍ଡା ତିଆରି କରିବ ।”

 

 

ଏହିପରି ଭାବରେ ପ୍ରକୃତିର ସବୁ କିଛି ତତ୍ତ୍ଵ ଆନ୍ଦ୍ରେ ତନ୍ନ ତନ୍ନ କରି ବୁଝିବାକୁ ଲାଗେ । ମାଆଙ୍କ ସାଙ୍ଗରେ ବଣରେ ବୁଲୁ ବୁଲୁ ତାହାର ମନୋଭାବ ଅନେକ ପରିମାଣରେ ରବିନ୍‌ସନ କ୍ରୁଶୋର ଦୁଃସାହସିକ ମତି ପରି ହୋଇଯାଏ । ଦିନେ ତାହାର ମାଆ ଯେତେବେଳେ ରାସ୍ତା କଡ଼ରେ ଓକ୍ ଗଛ ତଳେ ବସି ଲେସ୍ ବୁଣୁଥିଲେ, ଠିକ୍ ସେତିକି ବେଳେ ଆଦ୍ରେ ଗୋଟିଏ ଖୁବ୍ ବଡ଼ ଚୁଚୁନ୍ଦ୍ରା ଦେଖି ପାରିଲା । ପ୍ରାଣ ବିକଳରେ ଚୁଚୁନ୍ଦ୍ରାଟା ଧାଇଁ ପଳାଇ ଗଲା । ମାଆ ଚିତ୍କାର କରି କହିଲେ—“ଆନ୍ଦ୍ରେ, ଏଣେ ଆ, ହେଇ ଦେଖ୍ ଗଛ ଉପରେ କଅଣ ବସିଛି ।” ଆନ୍ଦ୍ରେ ଉପରକୁ ଅନାଇ ଦେଖିଲା, ଗୋଟାଏ ଗୁଣ୍ଡୁଚି ମୂଷା ଗଛର ଡାଳରେ କୁଦା ମାରି ବୁଲୁଛି । ମାଆ ଠିକ୍ କହିଥିଲେ—ଜୀଅନ୍ତା ଗୁଣ୍ଡୁଚି ମୂଷା ମଲା ଚୁଚୁନ୍ଦ୍ରା ଠାରୁ ଢେର୍ ଭଲ ଦେଖିବାକୁ ।

 

କିନ୍ତୁ ଗୁଣ୍ଡୁଚି ମୂଷାଟା ମୁହୂର୍ତ୍ତକ ଭିତରେ ଅଦୃଶ୍ୟ ହୋଇଗଲା । ଆନ୍ଦ୍ରେ ତାହାର ମାଆକୁ ପଚାରିଲା, ଗୁଣ୍ଡୁଚି ମୂଷାଙ୍କର ଡେଣା ଅଛି କି ନା ?

 

ଠିକ୍ ଏତିକି ବେଳେ ସେହି ବାଟ ଦେଇ ଜଣେ ଲୋକ ଚାଲି ଯାଉଥିଲା । ତାହାର ଚେହେରା ବେଶ୍ ପୁରୁଷ-ଜନୋଚିତ ଏବଂ ମୁଖରେ ସରଳ ଲାଲ ଦାଢ଼ି । ଲୋକଟି ମୁଣ୍ଡରୁ ଟୋପିଟା ଖୋଲି ପକାଇ ଶ୍ରୀମତି ତ୍ରେଭିୟରଙ୍କ ସାମନାରେ ଠିଆ ହୋଇ କହିଲା—“ସୁପ୍ରଭାତ, ଭଲ ଅଛନ୍ତି ତ ? ମୋର ବଡ଼ ସୌଭଗ୍ୟ, ଆପଣଙ୍କ ସାଙ୍ଗରେ ଦେଖା ହୋଇଗଲା । ଆପଣଙ୍କର ପୁଅ ନା ? ଖୁବ୍ ଶାନ୍ତ ଶିଷ୍ଟ ପିଲାଟିଏ ତ ! ଶୁଣିଲି, ଆପଣ ଆପଣଙ୍କର ଶଶୁର ତ୍ରେଭିୟର ମହାଶୟଙ୍କରେ ଘରେ ଆସି ଅଛନ୍ତି । ମାଫ୍ କରିବେ, ମୁଁ ସେମାନଙ୍କୁ ବହୁ ଦିନରୁ ଜାଣିଛି ।”

 

“ମୁଁ ଏଠାକୁ ଆସିବାର ପ୍ରଧାନ କାରଣ ହେଉଛି, ମୋର ଏହି ପୁଅଟିର ଟିକିଏ ଫାଙ୍କା ଜାଗାରେ ରହିବା ଦରକାର କିଛି ଦିନ । କିନ୍ତୁ ଆପଣ ? ମୋର ମନେ ପଡ଼ୁଛି, ଯେତେବେଳେ ମୋର ସ୍ଵାମୀ ବଞ୍ଚିଥିଲେ, ସେତେବେଳେ ଆପଣ ଏଣେ କେଉଁଠି ରହୁଥିଲେ—ନୁହେଁ ?”

 

ତରୁଣୀ ବିଧବାଙ୍କର କଥା ଶେଷ ହେଉ ନ ହେଉଣୁ ଲୋକଟି ଗଭୀର ସହାନୁଭୂତି ଦେଖାଇ କହିଲା—“ମୁଁ ସବୁ ଜାଣେ, ଶ୍ରୀମତୀ ତ୍ରେଭିୟର ।” ତହିଁ ସଙ୍ଗେ ସଙ୍ଗେ ସେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଗଭୀର ଶୋକର ଭଙ୍ଗୀରେ ମୁଣ୍ଡ ଟିକିଏ ତଳକୁ ନୂଆଇଁଲେ ।

 

ତା ପରେ ଭଦ୍ରବ୍ୟକ୍ତି ମୁହୂର୍ତ୍ତେ ନୀରବ ରହି ପୁଣି କହିବାକୁ ଲାଗିଲେ—‘‘ସେ ସବୁ କି ଆନନ୍ଦର ଦିନ ନ ଥିଲା ! ସେତେବେଳେ ଲୋକେ କି ଚମତ୍କାର ମଣିଷ ଥିଲେ ! ସେମାନେ ସମସ୍ତେ ଏକ୍ଷଣି ଜଣ ଜଣ କରି ଚାଲି ଯାଉଛନ୍ତି ! ଏହା ଅବଶ୍ୟ ସ୍ଥାନୀୟ ଅଧିବାସୀମାନଙ୍କର ଦୁର୍ଭାଗ୍ୟ ବୋଲି କହିବାକୁ ହେବ । ଖାଲି ମୁଁ ଏକା ଏକ୍ଷଣି ରହିଛି ଚିତ୍ରଶିଳ୍ପୀମାନଙ୍କର ଜଣେ ପୃଷ୍ଠପୋଷକ ଭାବରେ । ଅନ୍ତତଃ ବାରବିଜ ଅଞ୍ଚଳର ସମସ୍ତେ ମୋତେ ସେୟା ବୋଲି ଜାଣନ୍ତି । ମୁଁ ବି ସେମାନଙ୍କୁ ସମସ୍ତଙ୍କୁ ଜାଣେ । ଲୋକ ହିସାବରେ ସେମାନେ ସମସ୍ତେ ଭାରି ଭଲ ।”

 

“ଆପଣଙ୍କର ଛବି ଅଙ୍କନ କିପରି ଭାବରେ ଚାଲିଛି ?”

 

“ମୋର ଛବି ? ଏକା ମୋରି ଦ୍ଵାରା ଯେତିକି ସମ୍ଭବ, ସେତିକି ମାତ୍ର କରୁଛି ।”

 

ଏତିକି ବେଳେ ଆନ୍ଦ୍ରେ ଆସି ଉଭୟଙ୍କ ମଝିରେ ଠିଆ ହୋଇଗଲା । “ମାଆ, ମାଆ, ଖଣ୍ଡିଏ ବଡ଼ ପଥର ତଳେ ଅନେକ ଗୁଡ଼ିଏ ଭଗବାନଙ୍କର ସୃଷ୍ଟ ଜୀବ ରହିଛନ୍ତି । ପ୍ରାୟ ଲକ୍ଷେ ଖଣ୍ଡେ ହେବେ, ସତ କହୁଛି ମାଆ !”

 

ମାଆ ରୂଢ଼ କଣ୍ଠରେ ତାହାକୁ ଧମକାଇ କହିଲେ—‘‘ଚୁପ୍ କର, ମାଙ୍କଡ଼ ଟୋକା । ଯାଆ, ଖେଳିବୁ ଯାଆ ।”

 

ଶିଳ୍ପୀମାନଙ୍କର ସେହି ପରମ ବନ୍ଧୁ ଉତ୍ସାହରେ ମଧୁର କଣ୍ଠରେ ପୁଣି କହିବାକୁ ଲାଗିଲେ–“ଏମିତି ଭାବରେ ଆମର ପୁଣି ଦେଖା ହୋଇଯିବା ସତେ କି ଆନନ୍ଦର କଥା-! ମୋର ବନ୍ଧୁମାନେ ପ୍ରାୟ ସଦା ବେଳେ ମୋତେ ପଚାରନ୍ତି, ସୁନ୍ଦରୀ ଶ୍ରୀମତୀ ତ୍ରେଭିୟର କିପରି ଅଛନ୍ତି-। ମୁଁ ସେମାନଙ୍କୁ ଆଜି ଯାଇ ଜଣାଇବି ଯେ ଆପଣ ଏବେ ବି ସେହି ସୁନ୍ଦରୀ ଶ୍ରୀମତୀ ତ୍ରେଭିୟର ଭାବରେ ହିଁ ଅଛନ୍ତି । ଏକ୍ଷଣି ଆପଣ ବରଂ ଅଧିକ ସୁନ୍ଦରୀ ଦିଶୁଛନ୍ତି । ତାହା ହେଲେ, ଆସୁଛି, ନମସ୍କାର ।”

 

“ସୁପ୍ରଭାତ ।”

 

ଆନ୍ଦ୍ରେ ପୁଣି ଫେରି ଆସି ପଚାରିଲା—“ମାଆ, ଦୁନିଆରେ ସବୁ ଜୀବଙ୍କୁ କଅଣ ଭଗବାନ ତିଆରି କରିଛନ୍ତି ? ଆଚ୍ଛା, ଶୟତାନ କଅଣ କୌଣସି ଜୀବ ତିଆରି କରି ନାହିଁ ? ତୁମେ ମୋ କଥାର କିଛି ଜବାବ ଦେଉ ନାହିଁ କାହିଁକି, ମାଆ ?”

 

ସେ ନିଜ ମାଆର ଘାଗରା ଧରି ଟାଣିବାକୁ ଲାଗିଲା । ମାଆ ତାହାକୁ କହିଲେ–“ଆନ୍ଦ୍ରେ, ଯେତେବେଳେ ମୁଁ କାହା ସାଙ୍ଗରେ କଥା କହୁଥିବି, ସେତେବେଳେ ତୋହର ହଠାତ୍ ପହଞ୍ଚିଯାଇ କିଛି କଥା କହିବା ଠିକ୍ ନୁହେଁ । ବୁଝିଲୁ ?”

 

“କାହିଁକି ?”

 

“କାରଣ ତାହା ହେଉଛି ଅଭଦ୍ରତା ।’’

 

ଏହା ଶୁଣିଲା ମାତ୍ରେ ଆନ୍ଦ୍ରେର ଆଖିର କୋଣରେ କେତେ ବିନ୍ଦୁ ଲୋତକ ଆସି ଜମିଗଲା । କିନ୍ତୁ ପର ମୁହୂର୍ତ୍ତରେ ମାଆର ଚୁମ୍ବନ ଓ ଆଦରରେ ତାହାର ମୁଖରେ ପୁଣି ହସ ଫୁଟି ଉଠିଲା । ଏହିପରି ଭାବରେ ଆଉ ଗୋଟିଏ ଦିନ ଆନନ୍ଦରେ କଟିଗଲା । ସିକ୍ତ ଆକାଶର ବକ୍ଷରେ ରଶ୍ମି ରେଖାର ଖେଳ ଗ୍ରାମରେ ଖୁବ୍ ଚମତ୍କାର ଦେଖାଯାଏ । ମନ ଆନନ୍ଦରେ ପୂରିଯାଏ ।

 

 

କିଛି ଦିନ ପରେ ବଡ଼ ଅସରାଏ ବର୍ଷା ହୋଇଗଲା । ସେହି ଦିନ ଶ୍ରୀଯୁକ୍ତ ଲାସେଲ ଆଣ୍ଠୁ ଯାଏ ପୂରା ବର୍ଷାତି ଜୋତା ପିନ୍ଧି ଆସି ତରୂଣୀ ବିଧବାଙ୍କ ସହିତ ସାକ୍ଷାତ୍ କଲେ ।

 

“ନମସ୍କାର, ଶ୍ରୀମତୀ ତ୍ରେଭିୟର ! ଆଶା କରେଁ, କର୍ତ୍ତା ମହୋଦୟ ଆଗ ପରି ଖୁବ୍ ସବଳ ଓ ସୁସ୍ଥ ଅଛନ୍ତି ନିଶ୍ଚୟ ।”

 

“ଦେହ ଭଲ ଅଛି, ମାତ୍ର ଗୋଡ଼ ଆଉ ପୂର୍ବ ଚଳୁ ନାହିଁ ।”

 

“ଆଉ ବୃଦ୍ଧା ଗୃହିଣୀ ? ସବୁବେଳେ ରନ୍ଧାବଢ଼ାରେ ବ୍ୟସ୍ତ ଅଛନ୍ତି ବୋଧହୁଏ ! ଆପଣ ତ ଝୋଳ ରାନ୍ଧିବାକୁ ଖୁବ୍ ଭଲ ପାଆନ୍ତି । ସେମିତି ଝୋଳ ମୁଁ ତ ଆଉ କେଉଁଠି ଖାଇ ନାହିଁ ।”

 

ଏହି ସବୁ ଘରୋଇ କଥାବାର୍ତ୍ତାରେ ବୃଦ୍ଧା ଗୃହିଣୀ ହସିବାକୁ ଲାଗିଲେ । ତାଙ୍କର ରେଖାଙ୍କିତ କପାଳ ତଳେ ଆଖିର ମଣି ଯେମିତି କମ୍ପିବାକୁ ଲାଗିଲା ।

 

ଆନ୍ଦ୍ରେକୁ ଦୁଇ ଆଣ୍ଠୁ ଉପରେ ବସାଇ ଲାସେଲ ତାହାର ଗାଲ ଟିପିବାକୁ ଲାଗିଲେ । କିନ୍ତୁ ସେ ଉଠିଯାଇ ତାହାର ଜେଜେଙ୍କ କୋଳ ଉପରେ ବସି ପଡ଼ିଲା ।

 

“ଜେଜେ, ତୁମେ ହେଉଛ ଘୋଡ଼ା, ଆଉ ମୁଁ ତୁମର ସବାର୍ । ଜୋରରେ ଚାଲ, ଜୋରରେ ।”

 

ଏତିକି ବେଳେ ଲାସେଲ ଓ ବିଧବା ତରୁଣୀ ତ୍ରେଭିୟରଙ୍କ ଭିତରେ ଦୁଇ ଚାରି ପଦ କଥାବାର୍ତ୍ତା ହେଲା । ଇତି ମଧ୍ୟରେ ଦୁଇ ଜଣଙ୍କ ଭିତରେ କେତେ ଥର ଦୃଷ୍ଟି ବିନିମୟ ହୋଇଗଲା, ସତେ ଯେମିତି ଗ୍ରୀଷ୍ମ କାଳର ଉଷ୍ଣ ରାତିରେ ଆକାଶ ଓ ପୃଥିବୀର ମଝିରେ ବିଦ୍ୟୁତ୍ର ଖେଳ ।

 

ପରେ ବିଧବା ତରୁଣୀ ଶଶୁରଙ୍କୁ ହାଲୁକା ସ୍ଵରରେ ପଚାରିଲେ—“ବାବା, ଏହି ଭଦ୍ରଲୋକଙ୍କ ସହିତ ଆପଣଙ୍କର ପରିଚୟ ଅଛି ?”

 

“ତାହାକୁ ତ ମୁଁ ପିଲାଟି ବେଳୁ ଜାଣେ । ତାହାର ବାପକୁ ଏ ଅଞ୍ଚଳର ସମସ୍ତେ ପ୍ରାୟ ଚିହ୍ନନ୍ତି । ଏମାନେ ସମ୍ପନ୍ନ ଗୃହସ୍ଥ । ତା ବାପାଙ୍କ କାରଖାନାରେ ପ୍ରାୟ ଷାଠିଏ ଜଣରୁ ବେଶି କାରିଗର କାମ କରନ୍ତି ।”

 

ଏଥର ଯଥାର୍ଥ ସୁଯୋଗ ଦେଖି ଆନ୍ଦ୍ରେ ଭଦ୍ରଲୋକଙ୍କ ସମ୍ବନ୍ଧରେ ନିଜର ମନୋଭାବ ବ୍ୟକ୍ତ କଲା—“ଲୋକଟି ଭାରି ଖରାପ ।”

 

ମାଆ ତତ୍‍କ୍ଷଣାତ୍‍ ତାହାକୁ ଧମକାଇ କହିଲେ—“ଏମିତି ଅସଭ୍ୟଙ୍କ ପରି କଥା ନ କହି ବରଂ ଚୁପ୍ ରହିବା ତୋ ପକ୍ଷରେ ଭଲ ।”

 

ତା ପରଠୁଁ ବାଟ ଘାଟରେ ସବୁବେଳେ ଲାସେଲଙ୍କର ତରୁଣୀ ତ୍ରେଭିୟରଙ୍କ ସହିତ ଦେଖା ଓ ହେବାକୁ ଲାଗିଲା । ବର୍ତ୍ତମାନ ତରୁଣୀ ତ୍ରେଭିୟର କିପରି ଅଶାନ୍ତ ଓ ଉଦ୍‍ବିଗ୍ନ ହୋଇ ପଡ଼ିଲେ—ମୃଦୁ ମନ୍ଦ ହିଲ୍ଲୋଳରେ ଗଛପତ୍ରର ମର୍ମର ଶବ୍ଦରେ ସେ ଚମକି ପଡ଼ିବାକୁ ଲାଗିଲେ । ହାତରେ ଧରିଥିବା ଦର-ବୁଣା ଲେସ୍‍ର କାମ ପକାଇ ରଖି ଦୁଇ ହାତର ମଝିରେ ମୁଣ୍ଡ ରଖି ସେ ଯେମିତି ଆକାଶ-ପାତାଳ କଅଣ ସବୁ ଚିନ୍ତା କରୁଥିଲେ । ଗୋଟିଏ ଶରତ କାଳୀନ ସନ୍ଧ୍ୟାରେ ସମୁଦ୍ରରେ ଝଡ଼ ଉଠିଲା ଏବଂ ପ୍ରଚଣ୍ତ ଗର୍ଜନ କରି ସେହି ଝଡ଼ ଘରଦ୍ଵାର କମ୍ପାଇ ଦେଶ ସାରା ବହିଗଲା । ତରୁଣୀ ବିଧବା ତ୍ରେଭିୟର ନିଜର ପରିଚାରିକାକୁ ଡାକି ଚୁଲିରେ ନିଆଁ ଜଳାଇ ଦେଇ ଆନ୍ଦ୍ରେକୁ ଶୁଆଇ ଦେବାକୁ ଚାଲିଗଲେ । ଯେତେବେଳେ ସେ ପୁଅକୁ ଗରମ ମୋଜା ପିନ୍ଧାଇ ଦେଉଥିଲେ, ସେତେବେଳେ ଝଡ଼ର ପ୍ରଚଣ୍ଡ ଆବାଜ ଓ ଝରକାର କାଚ ଉପରେ ବୃଷ୍ଟିର ଜଳ ତରଙ୍ଗ ଶୁଣି, ଆନ୍ଦ୍ରେ ମାଆର କାନ୍ଧ ଉପରେ ମୁଖ ରଖି ଦୁଇ ହାତରେ ତାଙ୍କୁ ଭିଡ଼ି ଧରି କହିଲା–“ମାଆ, ମୋତେ ଭାରି ଡର ମାଡ଼ୁଛି ।”

 

ମାଆ ପୁଆକୁ ଛାତିରେ ଭିଡ଼ି ଧରି ଚୁମ୍ବନ କରି କହିଲେ—“ମୋ ସୁନାଟା ପରା, ଡର କଅଣରେ ? ଶୋଇପଡ଼ ।” ତା ପରେ ସେ ଅଗ୍ନି କୁଣ୍ଡ ପାଖରେ ବସି ଖଣ୍ଡିଏ ପୁରୁଣା ଚିଠି ଖୋଲି ପଢ଼ିବାକୁ ଲାଗିଲେ ।

 

 

ଚିଠିଟି ପଢ଼ୁଁ ପଢ଼ୁଁ ତରୁଣୀ ତ୍ରେଭିୟରଙ୍କ ମୁଖ ମଣ୍ଡଳ ରକ୍ତିମ ହୋଇ ଯାଉଥିଲା ଏବଂ ବକ୍ଷରୁ ଗୋଟାଏ ଉଷ୍ଣ ନିଶ୍ୱାସ ନିର୍ଗତ ହେଉଥିଲା । ଚିଠିଟି ପଢ଼ି ସାରି ସେ ଆରାମ ଚୌକିରେ ଚୁପ୍ ହୋଇ ଶୋଇ ପଡ଼ିଲେ । ତାଙ୍କର ହାତ ଦୁଇଟି ଅଚଳ ଓ ନିର୍ଜୀବ ଜଣା ଯାଉଥିଲା—ସମସ୍ତ ଦେହ ଓ ମନ ଯେମିତି ଗୋଟାଏ ବିଶେଷ ସ୍ୱପ୍ନ ଭିତରେ ହଜି ଯାଇଥିଲା । ସେ ଭାବିବାକୁ ଲାଗିଲେ–“ଲୋକଟି ମୋତେ କେତେ ଭଲ ପାଏ ! ସେ କେତେ ସତ୍, କେତେ ସରଳ ଓ କେତେ ମହତ୍-! ଶୀତ ରାତିରେ ଏମିତି ଭାବରେ ଏକା ରହିବା ବଡ଼ କଷ୍ଟକର । ତାଙ୍କର ବ୍ୟବହାର କେତେ ନମ୍ର ଓ ବିନୀତ ! ସେ ଯେପରି ଭାବରେ ପ୍ରେମ ନିବେଦନ କରିଛନ୍ତି, ସେଥିରୁ ପ୍ରମାଣିତ ହେଉଛି ଯେ ଲୋକଟିର ହୃଦୟ କେଡ଼େ ଉଦାର !”

 

ତା ପରେ ତାଙ୍କର ଦୃଷ୍ଟି ସମକ୍ଷରେ ଭାସିଯାଏ ନିଜର ମୃତ ସ୍ଵାମୀ ପିୟେର ତ୍ରେଭିୟରଙ୍କୁ ଗୀର୍ଜାକୁ ନେଇଯିବା ବେଳର ସେହି ଖୋଦିତ ବିଜ୍ଞାପନଟି—

 

“ନିମ୍ନ ସ୍ୱାକ୍ଷରକାରୀ ମୁଁ ଏହି ବିବୃତି ଦେଉଛି ଯେ ପିୟେର ଆଜେନାର ତ୍ରେଭିୟରଙ୍କୁ–”

 

 

ବିଧବା ତରୁଣୀ ତ୍ରେଭିୟର ତଳକୁ ମୁଣ୍ଡ ପୋତି ଦିଅନ୍ତି, ଆଉ ନୂଆ ନୂଆ ଚିନ୍ତାରେ ବୁଡ଼ି ରହନ୍ତି !

 

ଜଣେ ନାରୀ ଗୋଟିଏ ପିଲାକୁ କଦାପି ଏକା ମଣିଷ କରି ଗଢ଼ି ପାରିବ ନାହିଁ । ନିଶ୍ଚୟ ଆଉ ଜଣେ ବଳିଷ୍ଠ ବାହୁର ପ୍ରୟୋଜନ ହେବ । ତେବେ ଆନ୍ଦ୍ରେ ଆଉ ଜଣେ ନୂଆ ବାପ ପାଇବ ।

 

“ମାଆ !”

 

ବିଛଣାରୁ ଏହି ଡାକଟି ଶୁଣ ଶ୍ରୀମତୀ ତ୍ରେଭିୟର ଚମକି ପଡ଼ିଲେ ।

 

“ଆନ୍ଦ୍ରେ, ଆଜି ରାତିରେ ତୁ ଖୁବ୍ ବେଶି ଅଶାନ୍ତ ହୋଇ ଯାଇଛୁ ।”

 

“ମୁଁ ଗୋଟାଏ କଥା ଭାବୁଥିଲି, ମାଆ ।”

 

“ଶୋଇ ନ ପଡ଼ି ଖାଲି ତୋହର ଭାବନା ! କଅଣ ଏତେ ଭାବୁଥିଲୁ ଶୁଣେ ?”

 

“ମୋର ବାବା ସ୍ୱର୍ଗକୁ ଯାଇଛନ୍ତି, ନୁହେଁ ?”

 

“ହଁରେ, ବାପ ।”

 

“ସେ କଅଣ ଆଉ ଫେରି ଆସିବେ ନାହିଁ ?”

 

“ନାଁରେ ମାଣିକ, ସେ ଆଉ ଫେରି ପାରିବେ ନାହିଁ ।”

 

“ତେବେ ସେ ନ ଫେରି ଆସିଲେ ସୁଦ୍ଧା ନିଶ୍ଚୟ ଖୁସି ହେବେ—ମୁଁ ଯେ ତୋତେ ଭାରି ଭଲ ପାଏଁ ।” ଶ୍ରୀମତୀ ତ୍ରେଭିୟର ପୁଣି କହିଲେ ।

 

ଶୋଇଲା ପୁଅର ମୁଖକୁ ଚାହିଁ ବିଧବା ତ୍ରେଭିୟର ଅସହାୟ ଭାବରେ ଦୁଇ ହାତରେ ମୁଣ୍ଡ ଚାପି ଧରି ଆରାମଚୌକିରେ ବସି ରହିଲେ । ବାହାରେ ପ୍ରଚଣ୍ଡ ଝଡ଼ ବହୁଥିଲା । କିଛି କ୍ଷଣ ପରେ ଉଠିଯାଇ ଆନ୍ଦ୍ରେର ବିଛଣା ପାଖରେ ଠିଆ ହୋଇ ଦୀର୍ଘଶ୍ଵାସ ଛାଡ଼ି ଶ୍ରୀମତୀ ତ୍ରେଭିୟର କହିଲେ—

 

“ସୁନାଟା ପରା, ଶୋଇ ପଡ଼ । ତୋହର ବାବା ଆଉ କେବେ ହେଲେ ଏଠାକୁ ଫେରି ଆସି ପାରିବେ ନାହିଁ ।”

 

କିନ୍ତୁ କିଛି ଦିନ ପରେ ଜଣେ ନୂଆ ବାବା ଫେରି ଆସିଲେ । ଶ୍ରୀଯୁକ୍ତ ଲାସେଲଙ୍କର ସର୍ବାଙ୍ଗରେ ନୂତନ ପିତାର ସନ୍ଦେଶ ।

 

ଆନ୍ଦ୍ରେ ପୁଣି କ୍ରମେ କ୍ରମେ ପୂର୍ବ ପରି ଜୀର୍ଣ୍ଣଶୀର୍ଣ୍ଣ ରକ୍ତହୀନ ହୋଇ ପଡ଼ିବାକୁ ଲାଗିଲା । କୌଣସି ବିଷୟରେ ତାହାର ଆଉ ସେହି ଚାଞ୍ଚଲ୍ୟ ରହିଲା ନାହିଁ । ତାହାର ଅନ୍ତରରୁ ଉତ୍ସାହ ଉଭାଇଗଲା । ସେ ମୁହ୍ୟମାନ ହୋଇ ପଡ଼ିଲା ।

 

୧୧

 

ଶେଷ ଅବଧି ଆନ୍ଦ୍ରେ ନିଜକୁ ଯଥେଷ୍ଟ ସମ୍ଭାଳି ନେଲା । ତେବେ ଆଗରୁ ତାହାର ସମସ୍ତ ଶ୍ରଦ୍ଧା ଥିଲା ନିଜର ମାଆ ଉପରେ । କିନ୍ତୁ ଏକ୍ଷଣି ତାହାର ସେହି ଶ୍ରଦ୍ଧା ଯାଇ ପଡ଼ିଲା ନିଜର ପରିଚାରିକା ଉପରେ । ସେ ତାହାକୁ ନିଜର ମାଆ ପରି ଭଲ ପାଇବାକୁ ଲାଗିଲା ।

 

କିନ୍ତୁ ଆନ୍ଦ୍ରେ ଜାଣି ନ ଥିଲା ଯେ ତାହାର ପରିଚାରିକାର ମଧ୍ୟ ଜଣେ ଗୁପ୍ତ ପ୍ରଣୟୀ ଅଛି-!

☆☆☆

 

Unknown

ଆକାଶ ହୃଦୟ

 

ମାର୍ଚ୍ଚ ମାସ, ତେଇଶ ତାରିଖ । ଆକାଶର ପଶ୍ଚିମ କୋଳକୁ ଲାଗି ସୂର୍ଯ୍ୟ ଠିଆ ହୋଇ ଥାଆନ୍ତି । ତାଙ୍କ ଭିତରୁ ଯେଉଁ ରଶ୍ମି ନିର୍ଗତ ହେଉଥାଏ, ତାହାର ସୌନ୍ଦର୍ଯ୍ୟ ସତରେ ଉପଭୋଗ୍ୟ ।

 

ଯେତେବେଳେ ପ୍ରାକୃତିକ ଅବସ୍ଥା ଏହିପରି, ସେତେବେଳେ ଜେଲଖାନାର ଲୁହା ଫାଟକଟା ଝଣ ଝଣ ଶବ୍ଦ କରି ଖୋଲିଗଲା । ଜଣେ କଏଦୀ ତା ଭିତରେ ପ୍ରବେଶ କଲା । ସତରେ ତାହାର ବୟସ କମ୍ । ତାହାର ଚାଲିଚଳନ ଢଙ୍ଗରଙ୍ଗ ଓ ଚେହେରା ସବୁ ଅନ୍ୟ କଏଦୀଙ୍କ ଠାରୁ ଅଲଗା, ସାଦା ପୋଷାକରେ ତାହାର ଦେହଟା ଆବୃତ । ମୁଣ୍ଡ ଉପରେ ଲମ୍ବା ଟୋପି । ତାହାର ରଙ୍ଗ ବି ସାଦା, ଦୁଧ ପରି ଧଳା ଟୋପିର ଗୋଟିଏ ପାଖରେ ଖଣ୍ଡିଏ ରେଶମୀ ଫିତା ବନ୍ଧା ହୋଇଥାଏ । ଏହି ଫିତାଟିର ରଙ୍ଗ ବି ଦେଖିବାକୁ ସାଦା ।

ବାଟ ସାରା ସେ ନୀରବରେ ଆସିଛି । କାହାରି ସାଙ୍ଗରେ ପଦେ କଥା ବି ସେ କହି ନାହିଁ । ପୋଲିସ ତାହାକୁ ହାତକଡ଼ି ଦେଇ ରେଲଗାଡ଼ିରେ ବସାଇ ଆଣିଥିଲା । ରେଲଗାଡ଼ି ଭିତରେ ସେ ପଥର ପରି ଜଡ଼ ହୋଇ ମୁହଁ ତଳକୁ ପୋତି ଖାଲି ତାହାର ହାତର ନଖଗୁଡ଼ାକ ଆଡ଼କୁ ଅନାଇ ବସି ରହିଥିଲା । ତା ପରେ ଏଠାରେ ଓହ୍ଲାଇ, ସେ ଅତି ଆଗ୍ରହରେ ଜେଲଖାନାର ପରିଚାଳକଙ୍କ ମୁହଁକୁ ଅନାଇଲା । କିନ୍ତୁ ଜେଲଖାନାର ପରିଚାଳକ ତାହାର ଏହି ଦୃଷ୍ଟିର ବିନିମୟରେ ତାହାର ମୁହଁ ଉପରେ ଯେଉଁ ଦୃଷ୍ଟି ନିକ୍ଷେପ କଲେ, ତାହା ଉଦାସୀନତାରେ ପୂରି ରହିଥିଲା ।

 

କିନ୍ତୁ ଗୋଟାଏ ମଜା କଥା ଦେଖନ୍ତୁ ! କଏଦୀ ଓ ଜେଲ ପରିଚାଳକଙ୍କ ନାମ ଏକା । ଦୁଇ ଜଣଙ୍କ ନାମ କ୍ୟାସିଓଲଙ୍ଗିନୋ । ସେମାନଙ୍କୁ ଏହା ଜଣା । ହଁ, ସେମାନେ ଜାଣନ୍ତି, ନିଶ୍ଚୟ ତାହା ଜାଣନ୍ତି ।

 

ଜେଲ ପରିଚାଳକଙ୍କ ଶରୀରଟା ଟିକିଏ ବଙ୍କାଳିଆ, ସାମନା ଆଡ଼କୁ ଟିକିଏ ନଇଁ ପଡ଼ିଛି-। ତାଙ୍କର ଛୋଟ ଛୋଟ ହାତ ଦୁଇଟି ପ୍ରାୟ ସବୁବେଳେ ନିଜର ଓଭରକୋଟର ପକେଟ ଭିତରେ ପଶି ରହିଥାଏ । ମୁହଁଟି ପରିଷ୍କାର ଭାବରେ କ୍ଷିଅର ହୋଇଥାଏ,—ମୁହଁରେ ଗୋଟାଏ କ୍ଳାନ୍ତିକର ଭାବ, ଆଖି ଦୁଇଟି ସବୁଜ ଓ ବୁଦ୍ଧିର ପରିଚାୟକ, ମୁଣ୍ଡର ବାଳଗୁଡ଼ିକ ଛୋଟ ଛୋଟ କରି କଟା ହୋଇଛି, କାନ ଦୁଇଟି ବେଶ୍ ବଡ଼ ବଡ଼-ସହଜରେ ଲୋକର ନଜର ତା ଉପରେ ପଡ଼ିଯାଏ-

 

ଏପ୍ରିଲ ପହିଲା ତାରିଖରେ କ୍ୟାସିଓ ଆବେଦନ କରିଥିଲା । ସେ ଚିଠି ଲେଖିବାକୁ ଅନୁମତି ପାଇଁ ଜେଲ ପରିଚାଳକଙ୍କ ପାଖରେ ଜଣାଇଥିଲା ।

 

ସେଇଥି ପାଇଁ କ୍ୟାସିଓକୁ ଜେଲ ପରିଚାଳକଙ୍କ ଅଫିସକୁ ଡକା ଯାଇଛି ।

 

କ୍ୟାସିଓ ଗୋଟିଏ ଝରକା ସାମନାରେ ଠିଆ ହୋଇଛି । ଠିଆ ହୋଇ ବାହାରେ ଅଜାଡ଼ି ପଡ଼ିଥିବା ସେହି ସୂର୍ଯ୍ୟ କିରଣର ସୁନେଲି ଆଭା ଦେଖୁଛି । ଗୋଟିଏ ସାଦା ରଙ୍ଗର ଟେବୁଲ ଆଗରେ ଅସ୍ୱାଭାବିକ ଭାବରେ ନଇଁପଡ଼ି ଜେଲର ପରିଚାଳକ ନିଜର କାମ କରୁଛନ୍ତି । କ୍ୟାସିଓ ଯେ ଢେର ବେଳ ହେଲା ଆସି ତାଙ୍କ ଆଗରେ ଠିଆ ହୋଇ ଅପେକ୍ଷା କରିଛି, ସେଥି ପ୍ରତି ତାଙ୍କର ଭ୍ରୂକ୍ଷେପ ନାହିଁ ।

 

କେତେବେଳକେ ଯାଇ ଜେଲ ପରିଚାଳକ ହଠାତ୍ କ୍ୟାସିଓ ଆଡ଼କୁ ଫେରି ଚାହିଁଲେ । କିନ୍ତୁ ତାହାକୁ ସମ୍ମାନ ଦେଖାଇବା ପାଇଁ ସେ ନିଜ ଆସନରୁ ଉଠିଲେ ନାହିଁ, କି ତାହାକୁ ବସିବାକୁ ବି କହିଲେ ନାହିଁ । ତାହାର ମୁହଁକୁ ଥରେ ଚାହିଁ ଦେଇ, ସେ ତତ୍‍କ୍ଷଣାତ୍‍ ଦୃଷ୍ଟି ଫେରାଇ ନେଲେ । ସେ ତାହାକୁ ଚାହିଁ କହିଲେ—ଜାଲ୍ କରିଥିବା ଅପରାଧରେ ତୁମକୁ ତିନି ବର୍ଷ ଅଶ୍ରମ କାରାବାସର ହୁକୁମ ହୋଇଛି । ଟିକିଏ ଚୁପ୍ ରହି, ସେହି ଭାବରେ ତାହା ଆଡ଼କୁ ଚାହିଁ, ସେ ପୁଣି କହିଲେ—ହଁ, ମାସରେ ଥରେ ତୁମକୁ ଚିଠି ଲେଖିବାର ଅନୁମତି ଦିଆଗଲା ।

 

—କିନ୍ତୁ ମୁଁ ତ ଘରକୁ ଚିଠି ଲେଖିବା ପାଇଁ ଅନୁମତି ଭିକ୍ଷା କରି ନାହିଁ । ମୋ ନିଜର ମନ ଭଲ ରଖିବା ଲାଗି ମୋ କୋଠରୀରେ ବସି ଏଣୁ ତେଣୁ କିଛି ଲେଖିବା ପାଇଁ ଅନୁମତି ପାଇବାକୁ ମୁଁ ଆପଣଙ୍କ ନିକଟରେ…

 

ଜେଲ ପରିଚାଳକ ବାଧା ଦେଇ କହିଲେ—ଜେଲର ନିୟମ ତାହା ନୁହେଁ । ତେବେ, ତୁମେ ଯଦି ଅଫିସରେ କିରାଣୀମାନଙ୍କ ସାମନାରେ ବସି ଜେଲ୍‍ର ଖାତାପତ୍ର ଲେଖିବାକୁ ଚାହ, ମୁଁ ତାର କିଛି ବ୍ୟବସ୍ଥା କରିଦେଲ ପାରେଁ । କଅଣ ଏଥିରେ ତୁମେ ରାଜି ତ ?

 

କ୍ୟାସିଓ ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।

 

କିନ୍ତୁ ଗୋଟିଏ କଥା । ଜେଲ ପରିଚାଳକ ୨୪୫ ନମ୍ବର ଆସାମୀ, ଅର୍ଥାତ୍ କ୍ୟାସିଓ ସମ୍ବନ୍ଧରେ କର୍ତ୍ତୃପକ୍ଷଙ୍କ ଠାରୁ ଯେଉଁ ରିପୋର୍ଟ ପାଇଥିଲେ, ତହିଁରୁ ସେ ଜାଣି ପାରିଛନ୍ତି ଯେ ଏହି ଆସାମୀଟି ଭଦ୍ରଘରର ପିଲା । ତାହାର ଅବସ୍ଥା ଖୁବ୍ ଭଲ । ସେ ସାର୍ଡେନିୟାର ଜଣେ ବିଖ୍ୟାତ ବଡ଼ ଲୋକ । ସେଥିପାଇଁ ଜେଲ ପରିଚାଳକ ତା ପ୍ରତି ସେମିତି କଠୋର ହୋଇ ପାରୁ ନାହାନ୍ତି । ଆଉ ତାହା ଛଡ଼ା ୨୪୫ ନମ୍ବର କଏଦୀର ମୁହଁ ଓ ଆଖିରେ ଏମିତି ଆକର୍ଷଣୀୟ ଭାବ ଅଛି ଯେ, ଜେଲ ପରିଚାଳକ ହୁଏତ ଶତଚେଷ୍ଟା କରି ସୁଦ୍ଧା ତାହା ବିରୁଦ୍ଧରେ ନିଜର ସ୍ଵଭାବଗତ କଠୋରତା ପ୍ରୟୋଗ କରି ପାରୁ ନାହାନ୍ତି । ଏଥି ପାଇଁ ତେଣେ ଅନ୍ୟ କଏଦୀ ସବୁ କ୍ୟାସିଓ ବିରୁଦ୍ଧରେ ମନେ ମନେ ଗୋଟାଏ ହିଂସା ଭାବ ପୋଷଣ କରନ୍ତି । ସେମାନେ କୁହାକହି ହୁଅନ୍ତି—ଜେଲ ପରିଚାଳକ ସାର୍ଡେନିୟାର ଲୋକ । କ୍ୟାସିଓ ବି ସେଠାର ବାସିନ୍ଦା । ତେଣୁ ଦୁହିଁଙ୍କ ଭିତରେ ନିଶ୍ଚୟ ଗୋଟାଏ ଆତ୍ମୀୟତା ଅଛି । ସେଥିପାଇଁ ସେ ଏହି କଏଦୀକୁ ସାଧାରଣ ଦୃଷ୍ଟିରେ ଦେଖୁ ନାହାନ୍ତି, ସ୍ୱତନ୍ତ୍ର ଦୃଷ୍ଟି ରେ ଦେଖୁଛନ୍ତି ।

 

ଏହିପରି ଆହୁରି କେତେ କଅଣ ସେମାନେ କୁହାକୋହି ହୁଅନ୍ତି ।

 

 

ଜେଲଖାନା ଅଫିସର ଗୋଟିଏ ଟେବୁଲ ସାମନାରେ କ୍ୟାସିଓ ବସିଛି । ଟେବୁଲର ତିନି ପଟରେ ଆଉ ତିନିଜଣ କଏଦୀ ବସିଛନ୍ତି । କ୍ୟାସିଓ ଦେଖିଲା, ଏମାନେ ଭଲ ଭାବରେ କାମ କରି ପାରୁ ନାହାଁନ୍ତି । ଚାରିଆଡ଼େ ବିଶୃଙ୍ଖଳତାର ସ୍ପଷ୍ଟ ଚିହ୍ନ । ଟେବୁଲ ଉପରେ ରଖା ଯାଇଥିବା କାଗଜପତ୍ର ଓ ଖାତାସବୁ ମଝିରେ ମଝିରେ ପବନରେ ଘରର ଗୋଟାଏ ଆଡ଼ୁ ଅନ୍ୟ ଆଡ଼କୁ ଉଡ଼ି ଯାଉଛି । ସେମାନେ କେହି ଭ୍ରୂକ୍ଷେପ କରୁ ନାହାନ୍ତି । ଘରେ ଭିତରେ ଏଠି ସେଠି ଅଳିଆ ଜମା ହୋଇ ରହିଛି ଅପରିଷ୍କାର, ଅତ୍ୟନ୍ତ ଅପରିଷ୍କାର । ଏହା ଦେଖି କ୍ୟାସିଓର ମନ ଭିତରେ ବିରକ୍ତି ଓ ଅସନ୍ତୋଷ ଜାତ ହୁଏ ।

 

କିନ୍ତୁ ଖାଲି ଏତିକି ନୁହେଁ ।

 

ସେମାନେ କ୍ୟାସିଓର ସଙ୍ଗ ପସନ୍ଦ କରନ୍ତି ନାହିଁ । ସେମାନେ ତାହାକୁ ସେମାନଙ୍କ ସାମନାରେ ବସି ଥିବାର ଦେଖିଲେ ମୁହଁ ଓ ଆଖିରେ ଏମିତି କଦର୍ଯ୍ୟ ଭାବ ପ୍ରକାଶ କରନ୍ତି ଯେ କ୍ୟାସିଓ ତାହା ଦେଖି ଅତିଶୟ ସଙ୍କୁଚିତ ହୋଇଯାଏ । ସେମାନଙ୍କର ସଙ୍ଗ ତାହାକୁ ଭଲ ଲାଗେ ନାହିଁ । ସେ ମନେ ମନେ ଭାବେ—ୟା ଠାରୁ ତାହାର କ୍ଷୁଦ୍ର ନିର୍ଜନ କୋଠରୀଟି ଭିତରେ ଏକା ରହିବା ତାର ଭଲ । ସେଠାର ଝରକାଟି ଉପରେ ହାତ ରଖି ଠିଆ ହେଲେ ବାହାରର ପର୍ବତ ଶ୍ରେଣୀର ସୌନ୍ଦର୍ଯ୍ୟ ତାହାର ଆଖିରେ ପଡ଼ିବ। ଏହି ପର୍ବତ ଶ୍ରେଣୀର ପ୍ରାକୃତିକ ସୌନ୍ଦର୍ଯ୍ୟ ତାହାକୁ ସ୍ମରଣ କରାଇଦେବ—ତା ନିଜ ଦେଶର ପ୍ରକୃତିରେ ରୂପ । ଏଥିରେ ସେ ତାହାର ଏହି ଦୁର୍ଭାଗ୍ୟ ମଝିରେ ବି ଟିକିଏ ଶାନ୍ତି ପାଇବ।

 

କେତେ ଦିନ ପରେ ।

 

ଲଫାପା ଉପରେ ସାର୍ଡେନିୟାର ମୋହର ମରା ହୋଇ କ୍ୟାସିଓର ନାମରେ ଖଣ୍ଡିଏ ଚିଠି ଆସିଲା । ଲଫାପା ଉପରେ ନାମ ଓ ଠିକଣା ଖୁବ୍ ପରିଷ୍କାର ଅକ୍ଷରରେ ଲେଖା ଯାଇଥିଲା । ଦେଖିଲା କ୍ଷଣି ଜଣା ଯାଉଥିଲା, ତାହା କୌଣସି ନାରୀର ହସ୍ତାକ୍ଷର ।

 

କିନ୍ତୁ ଜେଲ ପରିଚ଼ାଳକ ଚିଠି ଖଣ୍ଡିକ ଖୋଲିଲେ । ଗୋଟାଏ ଇତସ୍ତତଃତା ଭିତରେ ସେ ତାହା ଆମୂଳ ଚୂଳ ପାଠ କଲେ। ତାଙ୍କର ମନେ ହେବାକୁ ଲାଗିଲା, ସତରେ ୟାରି ଅପେକ୍ଷାରେ ବୋଧହୁଏ ସେ ଏତେ ଦିନ ହେଲା ବସିଥିଲେ।

 

ହଜାରେ ହେଲେ ବି ଜେଲ ପରିଚାଳକ ତ ମଣିଷ—ପୁରୁଷ ମଣିଷ । ଯୌବନ ଯେ ସତରେ ତାଙ୍କ ଦେହରୁ ବିଦାୟ ନେଇଛି, ତାହା ନୁହେଁ । ସେ ଅନେକ ଦୁଃଖ କଷ୍ଟ ଭୋଗ କରିଛନ୍ତି-। କିନ୍ତୁ ସହାନୁଭୂତି ଓ ମମତା ତାଙ୍କ ହୃଦୟରେ ଅଛି । ଯଦି ୨୪୫ ନମ୍ବର କାଏଦୀ ଜଣକ ଗରିବ ଶୟତାନ ଓ ଶତ୍ରୁ ହୋଇ ଥାଆନ୍ତା—ଯେମିତି ଅନ୍ୟ କଏଦୀମାନେ ହୋଇ ଥାଆନ୍ତି–ତାହାହେଲେ ପରିଚାଳକ କେବେ ହେଲେ ପ୍ରଥମ ଦିନଠୁଁ ତା ସମ୍ବନ୍ଧରେ ଗୋଟାଏ ସ୍ୱତନ୍ତ୍ର ଭାବ ଧାରା ମନେ ମନେ ପୋଷଣ କରି ନ ଥାଆନ୍ତେ ।

 

୨୪୫ ନମ୍ବର କଏଦୀର ଚିଠିଟିରେ ଲେଖା ଯାଇଛି—

 

“କ୍ୟାସିଓ, ଧେର୍ଯ୍ୟ ଧରି ରୁହ, ହତାଶ ହୁଅ ନାହିଁ । ତୁମର ଏହି ପରିଣତି ଲାଗି ନିଜ ମନକୁ ଅଯଥା କଷ୍ଟ ଦିଅ ନାହିଁ । ମନେ ରଖିଥାଅ, ଏହି ପୃଥିବୀ ବକ୍ଷରେ ଆମେ ଏକା । ଭଲ ପାଇବାକୁ ସମ୍ବଳ କରି ଆମେ ବଞ୍ଚି ରହିଛୁଁ । ଏହି ଭଲ ପାଇବାକୁ ଅବଲମ୍ବନ କରି, ଆମେ ପରସ୍ପରକୁ ବିଶ୍ୱାସ କରୁଁ । କ୍ୟାସିଓ, ସେହି ବିଶ୍ୱାସର ଅନ୍ତ ନାହିଁ । ସମୟ କାହାରି ସକାଶେ ଅପେକ୍ଷା କରେ ନା । ଦୁଃଖ ଦିନ କଟିଯିବ । ସମୟର ଅନୁକୂଳତାରେ ଯେତେବେଳେ ଭଗବାନ ଆମ ଦୁହିଁଙ୍କ ମଝିରେ ଠିଆ ହୋଇ ମିଳନର ସୁମଧୁର ବଂଶୀ ବଜାଇବେ, ସେତେବେଳେ ମୋ ଲାଗି ତୁମର ଏହି ଯେଉଁ ସ୍ୱାର୍ଥତ୍ୟାଗ ମୁଁ ନିଶ୍ଚୟ ତାର ପ୍ରତିଦାନ ଦେବି । ନିଜକୁ ନୀଚ ଓ ଘୃଣିତ ବୋଲି ମନେ କର ନାହିଁ । ସଚୋଟ ଲୋକମାନେ ଜାଣନ୍ତି—ତୁମେ ମୋ ପାଇଁ ଯେଉଁ କାମ କରିଛ ଏବଂ ଯେଉଁ କାମ ଫଳରେ ତୁମର ଏହି ଦୁର୍ଦଶା, ସେ କାମ ବୀରର କାର୍ଯ୍ୟ । ବୀର ନ ହେଲେ ଏ କାମ କରିବାକୁ କେହି କେବେ ସାହସ କରି ପାରିବ ନାହିଁ ।”

 

ଚିଠିଟି ପଢ଼ି ଜେଲ ପରିଚାଳକ ଚିନ୍ତିତ ହୋଇ ପଡ଼ିଲେ । ସାମାନ୍ୟ କେତୋଟି ଧାଡ଼ି ଲେଖା ଯାଇଛି । କିନ୍ତୁ କି ପ୍ରେରଣା ଓ ପ୍ରେମର ସୌରଭ ଏହା ଭିତରୁ ବାହାରି ଆସୁଛି ! ଜେଲଖାନାରେ ଏହି ରକମ ସୁନ୍ଦର ଚିଠି, ଏହା ହିଁ ପ୍ରଥମ । ସେ ବିଷୟରେ କୌଣସି ସନ୍ଦେହ ନାହିଁ-

 

ସେ ୨୪୫ ନମ୍ବରର କଏଦୀକୁ ନିଜ କକ୍ଷକୁ ଡକାଇ ପଠାଇଲେ । ସେ ଆସିଲାରୁ, ତାହାକୁ ଅଫିସ କାମ ସମ୍ବନ୍ଧରେ ଦୁଇ ଚାରି କଥା କହିବା ପରେ, କ୍ୟାସିଓର ମୁଁହକୁ ସ୍ଥିର ଦୃଷ୍ଟିରେ ଅନାଇ ସେ କହିଲେ—ତୁମର ଖଣ୍ଡିଏ ଚିଠି ଆସିଛି ।

 

ଏହା କହି ସେ କ୍ୟାସିଓ ହାତକୁ ଚିଠି ଖଣ୍ଡିକ ବଢ଼ାଇଦେଲେ ।

 

କ୍ୟାସିଓ ନତ ମସ୍ତକରେ ହାତ ବଢ଼ାଇ ଖୋଲା ଚିଠି ଖଣ୍ଡିକ ନିରୁତ୍ତରରେ ଗ୍ରହଣ କଲା ସତ;କିନ୍ତୁ ତାହାର ସମୁଦାୟ ମୁଖ ମଣ୍ଡଳ ଏକାବେଳେ ଜବ ଫୁଲ ପରି ରଙ୍ଗୀନ ହୋଇଗଲା । ତାହାର ନିଜ ନାମର ଚିଠି ଜେଲ ପରିଚାଳକ ଖୋଲି ପଢ଼ିଛନ୍ତି । ଏହି ସତ୍ୟଟି ଜାଣି ସୁଦ୍ଧା ସେ ଚୁପଚାପ୍ ଠିଆ ହୋଇ ରହିଲା । ସେ ମୁଁହ ଫିଟାଇ କହି ପାରିଲା ନାହିଁ ଯେ ପରର ଚିଠି ଖୋଲି ପଢ଼ିବା ଖାଲି ତ ବେଆଇନ ନୁହେଁ, ପାପ ମଧ୍ୟ ।

 

କିନ୍ତୁ ଏହି ଖୋଲା ଚିଠି ପାଇଲା ଦିନଠୁଁ କ୍ୟାସିଓର ଭାଗ୍ୟ ଯେମିତି ହଠାତ୍ ସୁପ୍ରସନ୍ନ ହୋଇଗଲା । ଜେଲ ପରିଚାଳକ ହଠାତ୍ ତାହାକୁ ସୁନଜରରେ ଦେଖିବାକୁ ଲାଗିଲେ । କିନ୍ତୁ ପାରିଚଳକଙ୍କର ଏହି ପକ୍ଷପାତିତା ଅନ୍ୟ କଏଦୀଙ୍କର ଆଖି ଓ କାନ ଏଡ଼ି ଦେଇ ପାରିଲେ ନାହିଁ । ସେମାନେ ଏଥି ପାଇଁ ମନେ ମନେ ଅସନ୍ତୁଷ୍ଟ ଓ ଇର୍ଷାପରାୟଣ ହୋଇ ଉଠିଲେ । ସେମାନେ କୁହାକୋହି ହେବାକୁ ଲାଗିଲେ—କ୍ୟାସିଓ ଜେଲ ପରିଚାଳକଙ୍କର ନିକଟ ଆତ୍ମୀୟ । ସେଥିପାଇଁ ଏପରି ପକ୍ଷପାତିତା । ତେବେ ଏହା ନିଶ୍ଚୟ ଅନ୍ୟାୟ, ଭାରି ଅନ୍ୟାୟ ।

 

ମାସକ ପରେ କ୍ୟାସିଓ ତାହାର ବୈମାତ୍ରେୟୀ ଭଉଣୀ ପୋଲାର ଚିଠିର ଜବାବ ଦେବାକୁ ଜେଲ ପରିଚାଳକଙ୍କ ପାଖରୁ ଅନୁମତି ପାଇଲା ।

 

ତା ପରେ ଦିନେ କ୍ୟାସିଓ ଲେଖିଲା—

 

“ଏଠାରେ ମୁଁ ମାସକରୁ ଉପରେ ହେବ ଅଛି । କିନ୍ତୁ ଏହି ସମୟଟା ମୋ ପକ୍ଷରେ କୋଡ଼ିଏ ବର୍ଷ ପରି ବୋଧ ହେଉଛି । ମୋର ପରିଶ୍ରମ ଅନେକ କମି ଯାଇଛି । ଏମାନେ ମୋତେ ଅଫିସରେ କିରାଣୀ କାମ ଦେଇଛନ୍ତି । ଯଦିଚ କାମ କମ୍ ନୁହେଁ, ତଥାପି ଏଟା ମୋର ସମୟ କଟାଇବା ସକାଶେ ଖୁବ୍ ଭଲ । ପ୍ରଥମେ ଏ କାମରେ ମୋର ମନ ଲାଗୁ ନ ଥିଲା । କିନ୍ତୁ ଏକ୍ଷଣି ସବୁ ଦେହସହା ହୋଇ ଗଲାଣି । ଜେଲ ପରିଚାଳକ ମହାଶୟ ମୋତେ ଖୁବ୍ ସ୍ନେହ କରନ୍ତି, ପ୍ରୀତିପୂର୍ଣ ଦୃଷ୍ଟିରେ ଦେଖନ୍ତି ଏବଂ ଯଥେଷ୍ଟ ଭଲ ମଧ୍ୟ ପାଆନ୍ତି । ହଁ, ମୁଁ ଜାଣେ—ବେଶ୍ ଜାଣେ ଯେ, ସମୟ କେବେ ହେଲେ ବସି ରହେ ନା । ସେ ତାର କାମ କରିଯିବ ହିଁ ଯିବ । କିନ୍ତୁ ମୋର ମନେ ହୁଏ, ମୋର ଏହି ଯେଉଁ ଶାସ୍ତି ଭୋଗ, ଏହା ଅନନ୍ତ କାଳ ଯାଏ ରହିଥିବ । ଏକ୍ଷଣି ଆଉ ନଅ ଶହ ସତାଅଶୀ ଦିନ ବାକି ଅଛି । ସମୁଦ୍ରରେ ଢେଉର ଯେମିତି ଶେଷ ନ ଥାଏ, ମୋର ବାକି ଦିନଗୁଡ଼ିକ ବି ସେହିପରି ସୀମାହୀନ ଓ ସଂଖ୍ୟାହୀନ ବୋଲି ମନେ ହୁଏ । ତୁମ କଥା ଯେତେବେଳେ ମୋର ମନେ ପଡ଼େ, ସେତେବେଳେ ମୁଁ ଭାରି ଅସ୍ଥିର ହୋଇଯାଏଁ । ମୋର ମନ ଭିତରେ ଯେମିତି ଗୋଟାଏ କିଛି ବ୍ୟଥା ମୁ ଅନୁଭବ କରେଁ । ତଥାପି ମୁଁ ଶାନ୍ତି ପାଏଁ । ପୋଲା, ତୁମେ କେଡ଼େ ଭଲ । ମୋର ଅନୁରୋଧ, ମୋତେ ତୁମେ ଭୁଲିଯାଅ ନାହିଁ । ମାତ୍ର ମୋର ଅନୁପସ୍ଥିତି ଭିତରେ ତୁମେ ବିବାହ କର, ଘର ସଂସାର କର । କିନ୍ତୁ ଏହା ତୁମ ପକ୍ଷରେ କେତେ ଦୂର ଅସମ୍ଭବ, ତାହା ମୋତେ ବି ଅଜଣା ନାହିଁ । ମୁଁ ଜାଣେ—ପ୍ରକୃତ ଭଉଣୀ କେବେ ତାହାର ଦୁଃଖୀ ଭାଇଟିକୁ ଭୁଲିଯାଇ ପାରିବ ନାହିଁ । ରାତିରେ ଅଳ୍ପ ପରିସର ଭିତରେ ବିଛଣାରେ ମୋତେ ନିଦ ଆସେ ନାହିଁ । ବିଛଣାରେ ପଡ଼ି ମୁଁ ଛଟପଟ ହେଉଥାଏଁ । ସେତେବେଳେ ମୋତେ ଡର ଲାଗେ—ଭାରି ଡର ଲାଗେ । କିନ୍ତୁ ସେମାନେ ମୋର ଏ କି ସର୍ବନାଶ କଲେ ? ...ଶୀଘ୍ର ଚିଠିର ଜବାବ ଦେବ । ମୋତେ ଭୁଲିଯିବ ନାହିଁ, ପୋଲା, ମୋତେ କଦାପି ମନରୁ ପାସୋରି ଦେବ ନାହିଁ-।”

 

 

ପୋଲାର ଆଉ ଖଣ୍ଡିଏ ଚିଠି ଆସି ତାଙ୍କ ହାତରେ ପଡ଼ିବାରୁ, ଜେଲ ପରିଚାଳକଙ୍କ ମନ ଇର୍ଷା ଓ ଆକାଂକ୍ଷାର ଗୋଟାଏ ବିସ୍ମୟକର ମୋହରେ ସମ୍ମାଚ୍ଛନ୍ନ ହୋଇଗଲା । ଚିଠିର ଗୋଟିଏ ଜାଗାରେ ପୋଲା କ୍ୟାସିଓକୁ ଲେଖିଛି—କ୍ୟାସିଓକୁ ନିରାନନ୍ଦ ଥିବାର ଜାଣି ସେ ଆନ୍ତରିକ ଦୁଃଖିତ, ଆଉ କ୍ୟାସିଓ ଫେରି ନ ଆସିବା ଯାଏ ସେ କୌଣସି ମତେ ବିବାହ କରୁ ନାହିଁ । ଜେଲ ପରିଚାଳକଙ୍କୁ ଲକ୍ଷ୍ୟ କରି ସେ ଚମତ୍କାର କଥା କେତେ ପଦ ମଧ୍ୟ ଲେଖିଛି—ତାହାଙ୍କୁ ଶ୍ରଦ୍ଧା ଭକ୍ତି କରିବ । ସେ ତୁମ ପାଇଁ ଯଥା ସାଧ୍ୟ ଚେଷ୍ଟା କରୁଛନ୍ତି । ସେ ତୁମକୁ ନିଜ ପୁଅ ପରି ମଣନ୍ତି । ଭଗବାନଙ୍କ ନିକଟରେ ମୁଁ ତୁମର ଓ ତାଙ୍କର ମଙ୍ଗଳ କାମନା କରୁଛି ।

 

ତା ପରେ ଦିନେ ଆସିଲା ପୋଲାର ତୃତୀୟ ପତ୍ର । ଏଥିରେ ସେ ଲେଖିଥିଲା—“ତୁମ ବିନା ମୋର ସମୟ ନିରାନନ୍ଦରେ କଟୁଛି । କାମ ଭିତରେ ବୁଡ଼ି ରହିବାକୁ ମୁଁ ସବୁବେଳେ ଚେଷ୍ଟା କରୁଛି । ଭାବେ, ହୁଏତ ଏଥିରେ ଶାନ୍ତି ପାଇବି ମୁଁ । କିନ୍ତୁ କାହିଁ—ତାହା ତ ହେଉ ନାହିଁ, ମୁଁ ତ ଆଦୌ ଶାନ୍ତି ପାଉ ନାହିଁ । ଶାନ୍ତି ପାଇବା ଆଶାରେ ମଝିରେ ମଝିରେ ମୋର ପାଳକ ବାପ-ମାଆଙ୍କ ସାଙ୍ଗରେ ମୁଁ ଦେଶକୁ ଚାଲିଯାଏଁ । ଏହି ଦେଶ ହିଁ ମୋର ଏକ୍ଷଣି ଆନନ୍ଦର ଏକମାତ୍ର ଆଶ୍ରୟ ସ୍ଥଳୀ। ଆମେ ଘୋଡ଼ାରେ ଚଢ଼ି ଯାଉଁ । ଏଟା କିନ୍ତୁ ମୋତେ ଭାରି ଭଲ ଲାଗେ । ମନକୁ ଭୁଲାଇ ରଖିବାର ଚମତ୍କାର ଉପାୟ । ଘରେ ନୂଆ କିଛି ଘଟଣା ଘଟି ନାହିଁ । ବିଦ୍ୟାଳୟରେ ଯେଉଁ ଲୁଗା ପର୍ଦା କରିବା ପାଇଁ ମୁଁ ବୁଣିଥିଲି, ଏକ୍ଷଣି ତା ଉପରେ ସୂଚିକର୍ମ କରୁଛି । ମୁଁ ଆଉ କାହାରି ଦେଖା ପାଉନି । ମୋର ବି କାହାକୁ ଦେଖା କରିବାକୁ ଇଚ୍ଛା ହୁଏ ନା । ସବୁ ସମୟରେ ମୁଁ ତୁମ କଥା ଭାବି ଭାବି ଦିନ ଗଣୁଛି ।”

ଚିଠିଟି ପଢ଼ି ସାରି ଜେଲ-ପରିଚାଳକ ନିଜ ମନେ ମନେ କହି ପକାଇଲେ—ଏ ପୃଥିବୀରେ ଯେଉଁମାନେ ଧନୀ ଓ ମହତ୍, ସେମାନେ କାହିଁକି କ୍ଷମା ପ୍ରାର୍ଥନା କରନ୍ତି ନାହିଁ ? ଆଶ୍ଚର୍ଯ୍ୟ—ବଡ଼ ଆଶ୍ଚର୍ଯ୍ୟ କଥା ।

 

ଏହା କହି ସେ ଆସନ ଛାଡ଼ି ଉଠି ଠିଆ ହେଲେ । ଘର ପାଖ ଦେଇ ଯେଉଁ ବଗିଚାଟି ବହୁ ଦୂର ଯାଏ ଲମ୍ବି ଯାଇଛି, ସେହି ବଗିଚାକୁ ଆସି ସେ ଧୀରେ ଧୀରେ ପଦଚାରଣ କରିବାକୁ ଲାଗିଲେ । ଗୋଲାପ ଗଛରେ ସବୁ ଶହ ଶହ ଫୁଲ ଫୁଟିଛି, ଚାରିଆଡ଼ୁକୁ ମତୁଆଲା ସୌରଭ ଛାଡ଼ି ଦେଇଛି । ଜେଲ ପରିଚାଳକ ଚିନ୍ତିତ ମନରେ ପଦଚାରଣ କରୁଁ କରୁଁ ଫୁଲର ସୁବାସ ଆଘ୍ରାଣ କରିବାକୁ ଲାଗିଲେ । ମୁହୂର୍ତ୍ତକ ଭିତରେ ତାଙ୍କର ମନ ସେହି ୨୪୫ ନମ୍ବର କଏଦୀର ଭଉଣୀ ପାଖକୁ ଧାଇଁଗଲା । ସେ କଳ୍ପନା ଚକ୍ଷୁରେ ନିରୀକ୍ଷଣ କଲେ — ପୋଲା ନିଜର ଭାଇ ପରି ଦେଖିବାକୁ ସୁନ୍ଦର । ସମସ୍ତ ଅବୟବରୁ ଯେମିତି ମାଧୁରୀ ଓ ଲାଳିତ୍ୟ ଝଡ଼ି ପଡ଼ୁଛି । ସେହି ଅନନ୍ୟ ସାଧାରଣ ସୌନ୍ଦର୍ଯ୍ୟର ମାଦକତାରେ ଜେଲ ପରିଚାଳକ ଆତ୍ମହରା ହୋଇ ତାହାରି ଉଦ୍ଦେଶ୍ୟରେ ଦୁଇ ହାତ ଦୁଇ ଦିଗକୁ ପ୍ରସାରିତ କରି ଧାଇଁ ଚାଲିଛନ୍ତି ।

 

କିନ୍ତୁ କିଛି କ୍ଷଣ ପରେ ତାଙ୍କର ମନ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଲା । ନିଜ ଉପରେ ତାଙ୍କର ରାଗ ହେଲା । ଏ କି ପିଲାଳିଆ କଥା ସେ କରୁଛନ୍ତି ?

 

 

ଦୁଇ ତିନି ମାସ ଭିତରେ କ୍ୟାସିଓର ନାମରେ ପୋଲା ଠାରୁ ଆଉ ତିନି ଚାରି ଖଣ୍ଡ ଚିଠି ଆସିଲା । ଶେଷ ଚିଠିରେ ପୋଲା ଲେଖିଛି— ସେ ତାହାର ନିଜର ଖଣ୍ଡିଏ ପ୍ରତିକୃତି ପଠାଇ ପାରେ, ଯଦି କ୍ୟାସିଓ ସେଟା ପାଇବା ପାଇଁ ଜେଲ ପରିଚାଳକଙ୍କ ଠାରୁ ଅନୁମତି ପାଏ ।

 

କ୍ୟାସିଓ ଅନୁମତି ପାଇଲା ।

 

ଏକ, ଦୁଇ, ତିନି ସପ୍ତାହ କାଳ ସେହି ଦୁଇଟି ପୁରୁଷ ଜଣେ ରମଣୀର ପ୍ରତିକୃତି ପାଇଁ ଅତ୍ୟନ୍ତ ବ୍ୟାକୁଳ ଭାବରେ ପ୍ରତୀକ୍ଷା କରିବାକୁ ଲାଗିଲେ । ଅନ୍ଧ ଯେମିତି ପୃଥିବୀର ଆଲୋକ ଦେଖିବା ପାଇଁ ଅସ୍ଥିର ହୋଇ ପଡ଼େ, ଠିକ୍ ସେମିତି।

 

କିନ୍ତୁ ସେହି ବ୍ୟାକୁଳ ପ୍ରତୀକ୍ଷାରେ ଥିଲେ ସୁଦ୍ଧା, ଦୁଇ ଜଣଙ୍କର ପ୍ରତୀକ୍ଷାର ଧାରା ସମ୍ପୂର୍ଣ ଭିନ୍ନ ଥିଲା। କ୍ୟାସିଓର ପ୍ରତୀକ୍ଷା ଭିତରେ ଥିଲା ଶାନ୍ତ-ମଧୁର ଭାବ; କିନ୍ତୁ ଜେଲ ପରିଚାଳକଙ୍କ ପ୍ରତୀକ୍ଷା ଗୋଟାଏ ଉଗ୍ର ମାନସିକ ଚଞ୍ଚଳତାକୁ ଅବଲମ୍ବନ କରି ସାବୁନ ଫେଣ ପରି ଫୁଲି ଫୁଲି ଉଠୁଥିଲା । ତାଙ୍କ ମନର ଶାନ୍ତି ହଜିଗଲା, ସ୍ଵସ୍ତି କେଉଁଠି ତଳେଇଗଲା !

 

ଅବଶେଷରେ ଦିନେ ପୋଲାର ଚିଠି ଓ ପ୍ରତିକୃତି ଆସି ଜେଲ ପରିଚାଳକଙ୍କ ହାତରେ ପଡ଼ିଲା। ସେଥିରେ ପୋଲା ଲେଖିଥିଲା—

 

“ଯେତେବେଳେ ମୋର ଛବିଟି ଉଠୁଥିଲା, ସେତେବେଳେ ମୁଁ ତୁମ କଥା ଭାବି ନିଃଶବ୍ଦରେ ହସୁଥିଲି । ଆଶା କରେ, ମୋର ଏହି ଛୋଟ ଛବିଟି ତୁମ ମନରେ ନିର୍ମଳ ଆନନ୍ଦ ଓ ଶାନ୍ତିର ସ୍ରୋତ ବୁହାଇ ଦେବ। ତୁମର ଆସନ୍ତା ଶୁଭ ଦିନ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ମୋ ଆଖିର ଭାଷା ତୁମକୁ କଅଣ କହିବାକୁ ଚାହେ, ଆଶା କରେଁ, ସେଟା ତୁମର ବୁଝିବାକୁ ତିଳେ ମାତ୍ର ଉଚ୍ଛୁର ହେବ ନାହିଁ ।’’

 

ଜେଲ ପରିଚାଳକ ପ୍ରତିକୃତିର ଚକ୍ଷୁ ଦୁଇଟି ଉପରେ ତାଙ୍କ ଅନ୍ତରର ସମସ୍ତ ଦ୍ରୁଷ୍ଟି ନ୍ୟସ୍ତ କରି ରହିଲେ । କିଛି କ୍ଷଣ ପରେ ସେ ଚିଠିଟି ଆମୂଲ ଚୁଳ ପଢ଼ିଗଲେ। ପଢ଼ି ସାରି ପୁଣି ସେ ପ୍ରତିକୃତି ଉପରେ ଦୃଷ୍ଟିପାତ କଲେ। ତାଙ୍କ ମୁହଁରୁ ଅଜାଣତରେ ବାହାରି ପଡ଼ିଲା—ଏମିତି ଚମତ୍କାର ଚିଠି ସେ ତାହାର ଭାଇକୁ ଲେଖିପାରେ ! କିନ୍ତୁ—କିନ୍ତୁ ତାହାର ଭଲ ପାଇବାର ପାତ୍ରକୁ ସେ ଆହୁରି କେଡ଼େ ସୁନ୍ଦର ଚିଠି ଲେଖି ନ ପାରିବ!

 

ଏହି କଥା ପଦକ ଯେତେବେଳେ ତାଙ୍କ କାନରେ ଆସି ବାଜିଲା, ସେତେବେଳେ ଜେଲ ପରିଚାଳକଙ୍କ ମନ ହଠାତ୍ ଗମ୍ଭୀର ହୋଇଗଲା-। ତାଙ୍କର ଦୁଃଖ ବି ହେଲା ଚିନ୍ତା କରି ଯେ ସେ କୁସ୍ଚିତ ଓ ବିଗତ-ଯୌବନ, ଆଉ ତାଙ୍କୁ,ତାଙ୍କର ଏହି ଚକ୍ଷୁ ଦୁଇଟିକୁ, ଏଠାରେ ସବୁ କଏଦୀ ଘୃଣା କରନ୍ତି,ଭୟ ମଧ୍ୟ କରନ୍ତି ।

 

ଜେଲ ପରିଚାଳକଙ୍କ ଚକ୍ଷୁ ଦୁଇଟି ସହସା ସଜଳ ହୋଇ ଉଠିଲା । ସେ ଆଉ ଥରେ ଛବିଟି ଆଡ଼କୁ ବହୁ କ୍ଷଣ ଧରି ଏକ ଦୃଷ୍ଟିରେ ଚାହିଁ ରହିଲେ । ଏହାର ଫଳ ହେଲା, ସେ ଛବି ଓ ଚିଠି କୌଣସିଟା କ୍ୟାସିଓକୁ ଦେଲେ ନାହିଁ, ଏବଂ ଅମ୍ଳାନ ବଦନରେ ସତ୍ୟଟାକୁ ଗୋପନ କରି ରଖିଲେ ।

 

 

ସେହି ରାତିରେ ଜେଲ ପରିଚାଳକ ଗୋଟିଏ ସ୍ଵପ୍ନ ଦେଖିଲେ । ଗୋଟାଏ ଅସାଧାରଣ ସ୍ଵପ୍ନ—ଜେଲର କଏଦୀମାନେ ଏକ ସଙ୍ଗେ ବିଦ୍ରୋହ ଘୋଷଣା କରିଛନ୍ତି । ଲୌହ ଶୃଙ୍ଖଳ ଛିନ୍ନ କରି ସେମାନେ ରୁଦ୍ର ମୂର୍ତ୍ତିରେ ତାଙ୍କ ଆଡ଼କୁ ମାଡ଼ି ଆସୁଛନ୍ତି । ସେ ପୋଲାର ପ୍ରତିକୃତି ଧରିଛନ୍ତି । ତାଙ୍କ ହାତ ଥର ଥର ହୋଇ କମ୍ପୁଛି । ସେ ପଳାଇ ଯାଇ ପାରୁ ନାହାନ୍ତି, କି ନିଜକୁ ବି ରକ୍ଷା କରି ପାରୁ ନାହାନ୍ତି । ହଠାତ୍ ଛବି ଖଣ୍ଡିକ ତାଙ୍କ ହାତରୁ ମାଟିରେ ଖସି ପଡ଼ିବା ମାତ୍ରେ ୨୪୫ ନମ୍ବର କଏଦୀ ଜାଣି ପାରିଲା—ଏହି ଛବି ଖଣ୍ଡିକ ସେ ଆତ୍ମସାତ୍ କରିଥିଲେ । କିନ୍ତୁ କଏଦୀମାନେ ତାଙ୍କୁ ହତ୍ୟା କରିବା ପାଇଁ ଉପନ୍ତ୍ରମ କରିବା କ୍ଷଣି, କ୍ୟାସିଓ ସେମାନଙ୍କ ମଝିକୁ ଡେଇଁ ପଡ଼ିଲା ଏବଂ କହିଲା—ଛାଡ଼ି ଦିଅ, ତାଙ୍କୁ ଛାଡ଼ି ଦିଅ । ସେ ମୋର ଭଉଣୀକୁ ବିଭା ହେବେ ।

 

ନିଦ ଭାଙ୍ଗିଯିବା ମାତ୍ରେ ଜେଲ ପରିଚାଳକ ଉପଲବ୍ଧି କଲେ, ତାଙ୍କର ସର୍ବାଙ୍ଗ ଘର୍ମାକ୍ତ ହୋଇ ଯାଇଛି। ବାକି ରାତିଟା ସେ ଶଯ୍ୟାରେ ଛଟପଟ ହୋଇ କଟାଇଦେଲେ ।

 

 

ଦିନ ପରେ ଦିନ ପୋଲାର ଚିଠି ଓ ପ୍ରତିକୃତିକୁ କ୍ୟାସିଓ ଚାହିଁ ବସିଥାଏ। ଏକ ସପ୍ତାହ କଟିଗଲା। କ୍ୟାସିଓ ଅସ୍ଥିର ହୋଇ ପଡ଼ିଲା । ଦୁଶ୍ଚିନ୍ତାରେ ତାହାର ମନ ପୂର୍ଣ୍ଣ ହୋଇଗଲା । କଥା କଅଣ ! କୌଣସି ଖବର ନାହିଁ । ପୋଲା ଅସୁସ୍ଥ ହୋଇ ପଡ଼ି ନାହିଁ ତ ? ସେ ମନେ ମନେ ସ୍ଥିର କଲା—ତାର କରିବ । ଜେଲ ପରିଚାଳକଙ୍କୁ ଏହି କଥାଟି ଜଣାଇଲେ ସୁଦ୍ଧା ସେ ଅନୁମତି ଦେଲେ ନାହିଁ । କିନ୍ତୁ ବହୁ ସାଧ୍ୟ ସାଧନା ଓ ଅନୁନୟ ବିନୟ ପରେ ତାହାର ନିର୍ଦ୍ଦିଷ୍ଟ ମାସର ମାତ୍ର ଦୁଇ ଦିନ ପୂର୍ବରୁ ସେ ପୋଲାକୁ ଚିଠି ଲେଖିବାକୁ ପୁଣି ଆଦେଶ ପାଇଲା ।

 

ଏଥର କ୍ୟାସିଓର ଚିଠି ଏମିତି ଗୋଟାଏ ବ୍ୟଥାର ସହିତ ଲେଖା ହୋଇଥିଲା ଯେ, ତାହା ପାଠ କରି ଜେଲ ପରିଚାଳକଙ୍କ ମନ ବେଦନାରେ ଆପ୍ଳୁତ ହୋଇଗଲା । ନିଜର କୁ କୀର୍ତ୍ତି ହେତୁ ତାଙ୍କର ଲଜ୍ଜା ଓ ଅନୁଶୋଚନାର ସୀମା ରହିଲା ନାହିଁ । ମଣିଷ ନିଜର ଇଚ୍ଛା ବିରୁଦ୍ଧରେ କିପରି ଭାବରେ ପାପ ପଥକୁ ଓହ୍ଲାଇ ଯାଏ, ସେ କଥା ବୁଝିବାକୁ ଆଜି ଆଉ ତାଙ୍କର ବାକି ରହିଲା ନାହିଁ । କିନ୍ତୁ ବୁଝିଲେ ସୁଦ୍ଧା ସେ ନିଜ ମନକୁ ଶାସନ କରି ପାରିଲେ ନାହିଁ । ତାଙ୍କ ମନର ଅବସ୍ଥା ଏକ୍ଷଣି ଏମିତି ହେଲା ଯେ, ତାଙ୍କର ଇଚ୍ଛା ହେଲା, ଦୌଡ଼ି ଯାଇ କ୍ୟାସିଓର ହାତ ଦୁଇଟି ଚାପି ଧରି ସେ କହନ୍ତେ—ଭାଇ କ୍ୟାସିଓ, ମୁଁ ନିର୍ବୋଧ ହୋଇଥାଇ ପାରେ । କିନ୍ତୁ ତୁମ ଭଉଣୀକୁ ମୁଁ ପ୍ରାଣ ଦେଇ ଭଲ ପାଇଛି, ଯଦିଚ ମୁଁ ତାହାକୁ କେବେ ହେଲେ ଆଖିରେ ଦେଖି ନାହିଁ । ତୁମେ ତାହାକୁ ମୋର ସ୍ତ୍ରୀ ହେବାକୁ ଦେବ ?

 

 

କ୍ୟାସିଓର ଚିଠିର ଜବାବ ଭାବରେ ପୋଲା ତାର କଲା । କ୍ୟାସିଓକୁ ସେ ତାରରେ ଜଣାଇଛି—ସେ ନିଜର ଖଣ୍ତିଏ ପ୍ରତିକୃତି ପଠାଉଛି । ଏତେ ଦିନ ହେଲା ତାହା ନ ପଠାଇ ପାରିବାର କାରଣ ହେଉଛି ଛବି ଉଠାଇବା ପାଇଁ ସେ କୌଣସି ମତେ ସମୟ ପାଉ ନ ଥିଲା । ଅନିବାର୍ଯ୍ୟ କାରଣ ବଶତଃ ତାହାର ଚିଠି ଦେବାରେ ଏତେ ଉଛୁର ହେଲା । ଏଥି ପାଇଁ କ୍ୟାସିଓ ଯେମିତି ମନରେ ଦୁଃଖ ନ କରେ ।

 

ଏହି ମିଛ କଥା ଲେଖିବା ମୂଳରେ ପୋଲାର ଗୋଟିଏ ସାଧୁ ଉଦ୍ଦେଶ୍ୟ ଥିଲା । ବିଚରା କ୍ୟାସିଓର ମନରେ ସେ ଆଉ ଥରେ ଦୁଃଖ ଦେବାକୁ ଚାହେ ନା । ପୋଲା ବୁଝି ପାରିଥିଲା, କେହି ତାହାର ଛବି ଓ ଚିଠି ଦୁଇଟି ଯାକ ଆତ୍ମସାତ୍ କରିଛି । କିନ୍ତୁ କାଳେ କ୍ୟାସିଓ ଜେଲ ପରିଚାଳକଙ୍କୁ ସନ୍ଦେହ କରି ପାରେ, ସେଥିପାଇଁ ପୋଲା ଦୋଷଟା ନିଜ ଉପରକୁ ନେଇଗଲା ।

 

 

ଦିନେ ଜେଲ ପରିଚାଳକ କ୍ୟାସିଓକୁ ନିଜ କକ୍ଷକୁ ଡକାଇ ପଠାଇଲେ । କ୍ୟାସିଓ କିଛି କ୍ଷଣ ପରେ ଆସି ତାଙ୍କ ସାମନାରେ ମଥା ପୋତି ଠିଆ ହୋଇ ରହିଲା । କାମ ବିଷୟରେ ଏଣୁ ତେଣୁ କେତେ କଥା ପଚାରିବା ପରେ, ସେ ହଠାତ୍ ତାହାକୁ ପଚାରିଲେ—ତୁମେ କ୍ଷମା ପ୍ରାର୍ଥନା କରିଛ ?

 

—ହଁ, କରିଛି ।

 

—କାହା ପାଖରେ କରିଛ ?

 

ଜେଲ ପରିଚାଳକ କାମ ଭିତରେ ଚକ୍ଷୁ ନିବଦ୍ଧ କରି ପ୍ରଶ୍ନ କଲେ । ତା ଆଡ଼କୁ ସେ ଆଦୌ ଫେରି ଚାହିଁଲେ ନାହିଁ ।

 

—ମନ୍ତ୍ରୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି ।

 

—ତମର ଦୁର୍ଭାଗ୍ୟ ! ସେମାନଙ୍କ ପାଖରେ ଦରଖାସ୍ତ ଦେଲେ କିଛି ଫଳ ହେବ ନାହିଁ । ପ୍ରାୟ ଦେଖା ଯାଏ, ମନ୍ତ୍ରୀମାନେ ଏସବୁ ବିଷୟରେ ସମ୍ପୁର୍ଣ୍ଣ ଉଦାସୀନ । କଏଦୀର ନିର୍ଦ୍ଦିଷ୍ଟ ଜେଲ ଦଣ୍ଡର ସମୟ ଉତ୍ତୀର୍ଣ୍ଣ ହୋଇଯାଏ, ସେମାନେ ମୁକ୍ତି ପାଇ ଯେଝେ ଯେଝାର ଘରକୁ ଫେରି ଯାଆନ୍ତି । ତେବେ ସୁଦ୍ଧା ସେମାନଙ୍କ ଠାରୁ କୌଣସି ଜବାବ ଆସି ପହଞ୍ଚେ ନାହିଁ । ଅଦ୍ଭୁତ, ସତରେ ସେମାନେ ଅଦଭୁତ ।

 

ଏହା କହି ଜେଲ ପରିଚାଳକ ଏକ ମୂହୁର୍ତ୍ତ ନୀରବ ରହି ପୁଣି କହିଲେ—ରାଣୀଙ୍କ ନିକଟରେ ତୁମେ ଦରଖାସ୍ତ ପେଶ୍ କର । ନିଶ୍ଚୟ ଶୀଘ୍ର ଉତ୍ତର ପାଇବ ।

 

—କ୍ଷମା କରନ୍ତୁ, ମହାଶୟ ! ମୁଁ ଏକଥା ଆଗରୁ ଜାଣି ନଥିଲି । କିନ୍ତୁ ତାଙ୍କୁ ଜଣାଇଲେ କଅଣ ମୋର ଇଚ୍ଛା ପୂର୍ଣ୍ଣ ହେବ ?

 

—ଯଦି ତୁମ ଭଉଣୀ ତରଫରୁ ତୁମ ପାଇଁ ନିବେଦନ କରାଯାଏ, ତାହା ହେଲେ ନିଃସନ୍ଦେହରେ ତୁମର ଇଛା ପୂର୍ଣ୍ଣ ହେବ ।

 

ଏହା କହି ଜେଲ ପରିଚାଳକ କ୍ୟାସିଓ ଆଡ଼କୁ ପଛ କରି ଅନ୍ୟ ଆଡ଼କୁ ମୁହଁ ବୁଲାଇ ନେଲେ । କ୍ୟାସିଓ ଯଥା ସମୟରେ ପୋଲାକୁ ଲେଖି ଜେଲ ପରିଚାଳକଙ୍କର ଉଦ୍ଦେଶ୍ୟ ଓ ଶୁଭେଚ୍ଛା ଜଣାଇଲା ।

 

 

ଶୀତ ଋତୁ ଚାଲିଗଲା । ଫେବୃୟାରୀ ମାସର ଏକ ସ୍ୱଚ୍ଛ ପ୍ରଭାତରେ କ୍ୟାସିଓ ତାହାର ତାର— ଦିଆ ଝରକା ସାମନାରେ ଠିଆ ହୋଇଥିଲା । ତାହାର ମୁଖ ଶୁଷ୍କ, ରକ୍ତହୀନ ଦିଶୁଥିଲା । କିନ୍ତୁ ଆଖି ଦୁଇଟି ତାହାର ଆଶାରେ ପ୍ରଦୀପ୍ତ ଥିଲା । ତାହାର ସର୍ବାଙ୍ଗରେ ସବୁ ଶିରା-ଉପଶିରା ଗୁଡ଼ିକଭାରୀ ଆନନ୍ଦରେ ପ୍ରତ୍ୟାଶାରେ ଯେମିତି ନାଚି ଉଠୁଥାଏ ।

 

କିନ୍ତୁ ଦିନ ଆସିଗଲା । ମନ୍ତ୍ରୀ ମଣ୍ଡଳୀ କ୍ୟାସିଓଲଙ୍ଗିନୋ ଇସି-ଡୋରୋର ସ୍ଵଭାବ ସମ୍ବନ୍ଧରେ ବିଶଦ ବିବରଣୀ ଜେଲ ପରିଚାଳକଙ୍କ ନିକଟରୁ ମାଗି ପଠାଇଲେ । ଜେଲ ପରିଚାଳକ ଯେଉଁ ରିପୋର୍ଟ ପଠାଇଲେ ତାର ସାର ମର୍ମ ହେଉଛି, ୨୪୫ ନମ୍ୱର କଏଦୀ କଦାପି ଜାଲ କରିବାର ଆସାମୀ ହୋଇ ନ ପାରେ । ତାହା ପରି ସତ୍, ସୁଶିକ୍ଷିତ ଓ ସୁନୀତି-ସମ୍ପନ୍ନ ଯୁବକ କେଉଁଠି ଦେଖିବାକୁ ମିଳେ ନା ।

 

ତା ପରେ କ୍ୟାସିଓଲଙ୍ଗିନୋର ମୁକ୍ତିର ଆଦେଶ ଆସିଗଲା ।

 

୧୦

 

ଜେଲ ପରିଚାଳକଙ୍କ ଅଫିସ କକ୍ଷ । ସେ ଟେବୁଲ ସାମନାରେ ଗୋଟିଏ ଚଉକିରେ ବସି କ୍ୟାସିଓର ପ୍ରତୀକ୍ଷା କରୁଥିଲେ । ସେ ତାହାକୁ ଡକାଇ ପଠାଇଛନ୍ତି ।

 

ଯଥା ସମୟରେ କ୍ୟାସିଓ ଧୀରେ ଧୀରେ ଆସି କକ୍ଷରେ ପ୍ରବେଶ କଲା । କିନ୍ତୁ ଏଥର ବୋଧହୁଏ ସର୍ବ ପ୍ରଥମେ ଜେଲ ପରିଚାଳକ ଠିଆ ହୋଇ ଯାଇ ତାହାକୁ ସମ୍ମାନ ପ୍ରଦର୍ଶନ କଲେ । ଯୁବକଟିର ଦୃଷ୍ଟି ଏଟା ଏଡ଼ିଦେଇ ପାରିଲା ନାହିଁ । କଥା କହିବା ପାଇଁ ତାହାର ଜିଭ ଦୁଇ ଚାରି ଥର ଭିତରେ ଭିତରେ ହଲଚଲ ହେଲା । କିନ୍ତୁ ଶତ ଚେଷ୍ଟା ସତ୍ତ୍ୱେ ବି ତାହାର ତୁଣ୍ଡରୁ ପଦେ କଥା ବାହାରିଲା ନାହିଁ । ସେ ବେଶ୍ ଉପଲବ୍ଧି କରିବାକୁ ଲାଗିଲା, ତାହାର ଅନ୍ତଃକରଣ ସ୍ୱର୍ଗୀୟ ଆନନ୍ଦରେ ପରିପୂର୍ଣ୍ଣ ହୋଇ ଯାଇଛି ।

 

ଜେଲ ପରିଚାଳକ ହାତରେ ଖଣ୍ଡିଏ କାଗଜ ଧରି କହିଲେ— ତୁମର ମୁକ୍ତିର ଆଦେଶ-ପତ୍ର ଆସି ଯାଇଛି ।

 

—ମୁକ୍ତିର ଆଦେଶ-ପତ୍ର ?

 

—ହଁ, ମୁକ୍ତିର ଆଦେଶ-ପତ୍ର । କ୍ଷମା ପ୍ରାର୍ଥନା ତୁମର ମଞ୍ଜୁର ହୋଇଛି ।

 

କାହା ପାଇଁ ? —ପଚାରିଲା କ୍ୟାସିଓ ।

 

ମନେ ହେଲା, ଏହି ପ୍ରଶ୍ନରେ ଯେମିତି ଜେଲ ପରିଚାଳକଙ୍କର ବୋଧ ହୁଏ ଧୈର୍ଯ୍ୟଚ୍ୟୁତ ଘଟିଲା । କିନ୍ତୁ ନିଜକୁ ସଂଯତ କରି ସେ କହିଲେ— ତୁମରି ପାଇଁ । ଆଉ କାହା ପାଇଁ ?

 

କ୍ୟାସିଓର ପାଟି ସହସା ଯେମିତି ଖନି ମାରିଗଲା । ଏଁ, ମୋ-ମୋର ? ମୋରି ପାଇଁ-? ମୋ-ମୋରି ପାଇଁ ? କେ-କେ-କେତେ ଦିନ ପାଇଁ ? କେତେ ଦିନ ପାଇଁ ?

 

ଜେଲ ପରିଚାଳକ କହିଲେ— ଚିର ଦିନ ପାଇଁ, ତୁମେ ଚିର ଦିନ ପାଇଁ ମୁକ୍ତି ପାଇବ । କିନ୍ତୁ ଏକ୍ଷଣି, ଏହି ମୂହୁର୍ତ୍ତରେ ନୁହେଁ । ଏକ ସପ୍ତାହ-ଏକ ସପ୍ତାହ ପରେ ତୁମର ମୁକ୍ତି-ଚିର ଦିନ ପାଇଁ, ବିନା ସର୍ତ୍ତରେ ଖଲାସ । ବୁଝିଛ— ଚିର ଦିନ ପାଇଁ ।

 

୧୧

 

ଏହି ମୁକ୍ତି ଆଦେଶ ଶୁଣି କ୍ୟାସିଓ ଧୀରେ ଧୀରେ ଜେଲ ପରିଚାଳକଙ୍କ ନିକଟବର୍ତ୍ତୀ ହୋଇ ଆଖି ଟେକି ଉଜ୍ଜ୍ଵଳ ଓ କୃତଜ୍ଞତାପୂର୍ଣ୍ଣ ଦୃଷ୍ଟିରେ ବହୁ କ୍ଷଣ ତାଙ୍କର ମୁଖ ଆଡ଼କୁ ଚାହିଁ ରହିଲା ଏବଂ ଖୁବ୍ ଭଲ ଭାବରେ ଦେଖିଲା, ତାଙ୍କର ସେହି ପାଣ୍ଡୁର ମୁଖଟି ହଠାତ୍ କାହାର ସଂସ୍ପର୍ଶରେ ରକ୍ତ-ରଞ୍ଜିତ ହୋଇଗଲା ।

 

କିନ୍ତୁ ତାହା ଖାଲି ମୂହୁର୍ତ୍ତକ ପାଇଁ ।

 

ସେ ତାହାକୁ ଖଣ୍ଡିଏ ଚଉକି ଦେଖାଇ ଦେଇ ବସିବାକୁ ଅନୁରୋଧ ଜଣାଇଲେ ଏବଂ ମୁକ୍ତିର ଆଦେଶ-ପତ୍ର ଦେଖାଇ କହିଲେ— ଦେଖ, ମୋର ତୁମକୁ କିଛି କହିବାର ଅଛି । ଭଲ କରି ଶୁଣ । ହଠାତ୍ ମୋତେ ବିଚାର କର ନାହିଁ । ଏହି ସମୟ ଟିକକ ପାଇଁ ମୁଁ ଅନେକ ଦିନ ହେଲା ବ୍ୟଗ୍ର ଭାବରେ ଅପେକ୍ଷା କରିଥିଲି ।

 

ଏହା କହି ଜେଲ ପରିଚାଳକ ନିଃଶବ୍ଦରେ ଟିକିଏ ହସିଦେଲେ । କିନ୍ତୁ ତାଙ୍କର ସେହି ହସ ଭିତରେ ତିଳେ ମାତ୍ର ଆନନ୍ଦ ନ ଥିଲା ।

 

ସେ ଗଳା ଟିକିଏ ପରିଷ୍କାର କରି କହିଲେ—କେଉଁ ଭାବରେ ନିଜକୁ ତୁମ ନିକଟରେ ପ୍ରକାଶ କଲେ ତୁମେ ମୋତେ ଠିକ୍ ବୁଝି ପାରିବ ମୁଁ ତାହା ଜାଣି ନାହିଁ । କିନ୍ତୁ ତୁମ ବୁଦ୍ଧି ଉପରେ ମୋର ଯଥେଷ୍ଟ ବିଶ୍ୱାସ ଅଛି ।

 

ଏତିକି କହି ସେ ମୁହୂର୍ତ୍ତେ ମାତ୍ର ଚୁପ୍ ରହି ବାହାରର ଖୋଲା ପଡ଼ିଆ ଆଡ଼କୁ ଚାହିଁ ରହିଲେ । ତା’ପରେ ସହସା ଦୃଷ୍ଟି ଫେରାଇ ସେ କ୍ୟାସିଓର ମୁହଁ ଆଡ଼କୁ ଚାହିଁଲେ । ହାତର କାଗଜ ଖଣ୍ଡିକ ଦେଖାଇ ସେ କହିଲେ—ତୁମର ମୁକ୍ତିର ଆଦେଶ-ପତ୍ର ପାଇବା ପାଇଁ ମୁଁ ଯଥା ସାଧ୍ୟ ଚେଷ୍ଟା କରିଛି । ମୁଁ ଜାଣେ, ମୋର ସେହି ଅକ୍ଳାନ୍ତ ଚେଷ୍ଟା ଜଣେ ଯୋଗ୍ୟ ବ୍ୟକ୍ତି ପାଇଁ ହୋଇଛି । ସେଥିପାଇଁ ଅବଶ୍ୟ ମୁଁ କୃତଜ୍ଞତା ଭାଜନ ହେବାକୁ ଚାହେନା । ତୁମ ସହିତ ମୁଁ ସସମ୍ମାନରେ କଥା କହିବାକୁ ଚାହେ । ଏକ୍ଷଣି ତୁମେ ମୁକ୍ତ, ଏକ୍ଷଣି ତୁମେ ସ୍ଵାଧୀନ । ଏହି ସ୍ଵାଧୀନତା ବଳରେ ତୁମେ ଯାହା ଇଚ୍ଛା ତାହା କରିପାର ।

 

କ୍ୟାସିଓର ମନ ସନ୍ଦେହ ଓ କୌତୂହଳର ଦୋଳିରେ ଝୁଲିବାକୁ ଳାଗିଲା । କିନ୍ତୁ ଆତ୍ମ ସମ୍ବରଣ କରି ସେ ନମ୍ର ସ୍ୱରରେ କହିଲା—କହନ୍ତୁ ଆପଣଙ୍କର ଯାହା କହିବାର ଅଛି । ମୁଁ ଆପଣଙ୍କ ପାଇଁ ଯଥା ସାଧ୍ୟ—

 

—କିନ୍ତୁ ମୁଁ ତ ଜାଣେ ନା, ସେଟା ତୁମର ସାଧ୍ୟ ଭିତରେ କି ନା !

 

—କହନ୍ତୁ ନା, ଆପଣ ଆଗେ କହନ୍ତୁ । ଆପଣ ସଙ୍କୋଚ କି ଦ୍ଵିଧା ନ କରି ପ୍ରକାଶ କରନ୍ତୁ ।

 

—ତେବେ ଶୁଣ । କିନ୍ତୁ ମୋତେ ଭୁଲ ବୁଝ ନାହିଁ । ପାଗଳ ବୋଲି ମୋତେ ଭାବି ଉପହାସ କର ନାହିଁ । ତୁମ ଭଉଣୀର ଚିଠି ପଢ଼ିବା ସମୟରେ ତାହାର ପରିଚୟ ପାଇ, ତାହାକୁ ମୁଁ ପ୍ରୀତିପୂର୍ଣ୍ଣ ଦୃଷ୍ଟିରେ ଦେଖିଛି, ତାହାକୁ ମୁଁ ଭଲ ପାଇଛି । ୟା ଶୁଣି ତୁମେ ଅବଶ୍ୟ ହସ ନାହିଁ । ମୁଁ ଏକ୍ଷଣି ଯୁବକ— ମୋର ଏକ୍ଷଣି ଯୌବନ ଅଛି । କ୍ୟାସିଓ, ମୁଁ ଏକ୍ଷଣି ବୃଦ୍ଧି ହୋଇ ନାହିଁ ।

 

ଏହା ଶୁଣି କ୍ୟାସିଓର ମନେ ହେଲା, ତାହାର ପାଦ ତଳେ ଯେମିତି ଧରଣୀ କମ୍ପୁଛି । ତାହାର ମୁଣ୍ଡ ଘୂରିଗଲା । ସେ ଆଖିରେ ଅନାଇ କିଛି ଦେଖି ପାରିଲା ନାହିଁ । ସବୁ ଧୂଆଁ-ସର୍ପିଳ ଗତିରେ ଧୂଆଁ ଉପରକୁ ଉଠି ଯାଉଛି ।

 

କିନ୍ତୁ ତାହାକୁ ଆତ୍ମ-ସମ୍ବରଣ କରିବାକୁ ଦେଲା । ଧୀର କଣ୍ଠରେ ସେ ଭୟରେ ପଚାରିଲା—ଆପଣ କଅଣ ତାହାକୁ ଚିଠି ଦେଇଥିଲେ ?

 

—ନା, ନା, କେବେ ନୁହେଁ ! ମୁଁ ତାହାକୁ ଚିଠି ଲେଖି ନାହିଁ, ନିଶ୍ଚୟ ଲେଖି ନାହିଁ । ଏତେଟା ସୁବିଧା ନେବାକୁ ମୁଁ ସାହସ କରି ନାହିଁ ।

 

—କିନ୍ତୁ ଏ ଯେ ଅସମ୍ଭବ !

 

—ଅସମ୍ଭବ ମନେ ହେଲେ ବି ଏଟା ସତ । ଯଦିଚ ଏଟା ଅଦ୍ଭୁତ, ତଥାପି ଏହା ଠିକ୍ ଯେ ଏପରି ଘଟଣା ଏହି ପ୍ରଥମ ଘଟୁ ନାହିଁ । କ୍ୟାସିଓ-ଲଙ୍ଗିନୋ, ମୋର, ମୋର ଦାବି, ମୋର ପ୍ରାର୍ଥନା ସାମାନ୍ୟ ନୁହେଁ । ତୁମର ଭଉଣୀ କଅଣ ତାହା କେବେ ଅନୁମୋଦନ କରିବ ?

 

ଦାବି ? କି ଦାବି ? କି ପ୍ରାର୍ଥନା ? —ରୁଦ୍ଧ କଣ୍ଠରେ କ୍ୟାସିଓ ପଚାରିଲା ।

 

ଜେଲ ପରିଚାଳକ କେତେ ମିନିଟ ନିର୍ବାକ ରହି କହିଲେ— ବିବାହ ପ୍ରସ୍ତାବ ! ଏହି ମୋର ଦାବି, ଏହି ମୋର ପ୍ରାର୍ଥନା !

 

କ୍ୟାସିଓ ହଠାତ୍ ଏ କଥାର କିଛି ଜବାବ ଦେଇ ପାରିଲା ନାହିଁ । ଅତି କଷ୍ଟରେ ସେ ନିଜକୁ ସମ୍ବରଣ କଲା । ସେ ଫେରିପଡ଼ି ଠିଆ ହୋଇ ତତ୍‍କ୍ଷଣାତ୍‍ ଜେଲ ପରିଚାଳକଙ୍କ ମୁହଁ ଆଡ଼କୁ ନିର୍ନିମେଷ ଦୃଷ୍ଟି ନିକ୍ଷେପ କଲା । ତାଙ୍କର ସୌନ୍ଦର୍ଯ୍ୟହୀନ, ଲାଳିତ୍ୟହୀନ, କୁତ୍ସିତ ମୁଖାକୃତି ତାହାର ଚକ୍ଷୁ ଦୁଇଟିକୁ ନିରତିଶୟ ବ୍ୟଥିତ କରି ପକାଇଲା । ସେହି ସୀମାହୀନ ଅନ୍ତର୍ଯାତନା ମଝିରେ ବି ସେ ସ୍ୱସ୍ତିର ନିଶ୍ୱାସ ମାରି ବଞ୍ଚିଲା—ପୋଲା କଦାପି ଏହି ଲୋକଟିର ପ୍ରସ୍ତାବ ଗ୍ରାହ୍ୟ କରିବ ନାହିଁ, କରି ପାରେ ନା ।

 

କ୍ୟାସିଓ ପଚାରିଲା—କିନ୍ତୁ ଆପଣ କଅଣ କରୁଛନ୍ତି, ତାହା କଅଣ ଥରେ ମନରେ ଭାବି ଦେଖିଛନ୍ତି ? ଆମ ଦେଶ ସମ୍ବନ୍ଧରେ ଲେଖାଲେଖି କରି କିଛି ସମ୍ବାଦ ସଂଗ୍ରହ କରିଛନ୍ତି କି ? ସେପରି ସ୍ଥଳେ—

 

—ନା, ମୁଁ ଲେଖାଲେଖି କରି ନାହିଁ । କୌଣସି ଖୋଜ ଖବର ବି ନେଇ ନାହିଁ । ନେଇ ବା ଫଳ କଅଣ ହୋଇ ଥାଆନ୍ତା ? ମୁଁ ଭଲ କରି ଜାଣେ, ତୁମର ଭଉଣୀ ନିଶ୍ଚୟ ସତ୍ । ୟା ଠାରୁ ବେଶୀ କିଛି ମୁଁ ଆଶା କରେ ନା । ମୁଁ ନିଜେ ତ ଏ ପୃଥିବୀରେ ଏକା, ସମ୍ପୂର୍ଣ୍ଣ ଏକା ।

 

ଆପଣଙ୍କ ମହତ୍ତ୍ୱର ପଟାନ୍ତର ନାହିଁ । କଅଣ କହି ଯେ ଆପଣଙ୍କୁ କୃତଜ୍ଞତା ଜଣାଇବି, ମୁଁ ତାହା ଠିକ୍ କରି ପାରୁ ନାହିଁ । ଆପଣଙ୍କୁ ମୁଁ ଭୁଲ ବୁଝି ନାହିଁ । ଆପଣଙ୍କୁ ମୁଁ ଆନ୍ତରିକ ପ୍ରଶଂସା କରେ । ଆପଣ ଆଦୌ ହତାଶ ହେବେ ନାହିଁ । ଆପଣଙ୍କ ନିକଟରେ ମୁଁ ଚିର ଋଣୀ । ଆପଣଙ୍କର ଉପକାର କରିବାଲାଗି ମୁଁ ପ୍ରାଣପଣେ ଚେଷ୍ଟା କରିବି ।

 

କ୍ୟାସିଓର ଏହି କଥାଗୁଡ଼ିକ ଜେଲ ପରିଚାଳକଙ୍କ କାନରେ ଯେମିତି ମଧୁ ବର୍ଷଣ କଲା-। ତାଙ୍କ ମନର ଗଭୀରତମ ସ୍ଥାନରେ ଗୋଟିଏ ଉଜ୍ଜଳ ଆଶାର ରେଖା ସଞ୍ଚିତ ହୋଇ ଚକ୍ଷୁ ଦୁଇଟିକୁ ଅସ୍ଵାଭାବିକ ଜ୍ୟୋତିରେ ପୂର୍ଣ୍ଣ କରି ଦେଲା । ତାହା ସହିତ କର— ମର୍ଦ୍ଦନ କରିବା ପାଇଁ ସେ ନିଜର ଗୋଟିଏ ହାତ ତା ଆଡ଼କୁ ବଢ଼ାଇ ଦେଲେ ।

 

୧୨

 

କ୍ୟାସିଓ ନିଜର କ୍ଷୁଦ୍ର କକ୍ଷଟିକୁ ଫେରି ଆସିଲା । ଗୁଡ଼ା ହୋଇଥିବା ବିଛଣାଟା ପଟା ଉପରେ ପାରି ଦେଇ ସେ ଗଡ଼ି ପଡ଼ିଲା । ଶୋଇ ରହି ସେ ମର୍ମାନ୍ତିକ ଯାତନାରେ କେତେ କଅଣ ଭାବି ଯିବାକୁ ଲାଗିଲା—ପୋଲା ତାହାର ଭଉଣୀ ନୁହେଁ, ପ୍ରେମିକା । ତାହାରି ଲାଗି କ୍ୟାସିଓ ଆପଣାର ସମ୍ମାନ, ଆପଣାର ଭବିଷ୍ୟତ ନଷ୍ଟ କରିଛି । ନିଜର ଆତ୍ମୀୟ ସ୍ଵଜନଙ୍କ ମାୟା ପରିତ୍ୟାଗ କରିବାକୁ ସୁଦ୍ଧା ସେ ତିଳେ ମାତ୍ର ସଙ୍କୋଚ ବୋଧ କରିନାହିଁ । ଏହି ପୋଲା ହିଁ ତାହାର ଜୀବନର ଏକମାତ୍ର ସୁଖ, ଏକମାତ୍ର ସମ୍ପଦ। ତାହାକୁ ଭଉଣୀ ବୋଲି ପରିଚୟ ଦେବାରେ ଗୋଟାଏ ବଡ଼ କାରଣ ଅଛି । ଭଉଣୀ ବୋଲି ପରିଚୟ ନ ଦେଇଥିଲେ ବୋଧ ହୁଏ ପୋଲା ତାହାକୁ ଚିଠି ଲେଖି ପାରି ନ ଥାଆନ୍ତା ! ଏହି ପୋଲାକୁ, ତାହାର ହୃଦୟର ଏକମାତ୍ର କୋହିନୂରକୁ ସେ କଅଣ ଚିର ଦିନ ପାଇଁ ହରାଇ ବସିବ ? ଜେଲ ପରିଚାଳକ— ସେ ବି ମଣିଷ ହିସାବରେ ଅନେକ ବଡ଼ । ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସୁପ୍ରତିଷ୍ଠିତ । ତାଙ୍କ ସାଙ୍ଗରେ ପୋଲାର ବିବାହ ହେଲେ, ତାହାର ସୁଖ-ଐଶ୍ୱର୍ଯ୍ୟର ସୀମା ରହିବ ନାହିଁ । ତେବେ ତାହାର କି ଅଧିକାର ଅଛି ପୋଲାର ସେହି ଜୀବନର ଚମତ୍କାର ଭବିଷ୍ୟତ ନଷ୍ଟ କରି ଦେବାରେ ? ପୋଲା ସକାଶେ ତାହାର ସ୍ଵାର୍ଥତ୍ୟାଗ ଜଗତରେ ଗୋଟାଏ ଆଲୋଚନାର ବସ୍ତୁ । ତାହାର ସ୍ଵାର୍ଥତ୍ୟାଗ ଜଗତର ଇତିହାସରେ ନିଶ୍ଚୟ ସ୍ଥାନ ପାଇବ ।

 

କିନ୍ତୁ ତାହା ସତ୍ତ୍ଵେ ବି ପୋଲା ତ ସ୍ଵାର୍ଥତ୍ୟାଗ କରିବା ପାଇଁ ତାହାକୁ କେଉଁ ଦିନ ଅନୁରୋଧ କରି ନାହିଁ । ଏହାର ବିନିମୟରେ କଅଣ ସେ ପୋଲାର ସମସ୍ତ ଜୀବନଟା ଦାବୀ କରିବାକୁ ଆଗଭର ହୋଇପାରେ ? ଯେ କୌଣସି କ୍ଷେନ୍ତ୍ରରେ ସେହି ଝିଅଟିକୁ ନିଜର ଭବିଷ୍ୟତ୍ ବାଛି ନେବାକୁ ଦେବା ବରଂ ଭଲ ।

 

କିନ୍ତୁ କ୍ୟାସିଓର ହୃଦୟର ସମୁଦାୟ ସ୍ଥାନଟି ଅଧିକାର କରି ବସିଛି ପୋଲା— ତାହାର ସେହି ଦଶ ବର୍ଷର ଭଲପାଇବାର ପାତ୍ରୀ ପୋଲା । କ୍ୟାସିଓର ମନ ଏହି ସବୁ ଚିନ୍ତାରେ ସନ୍ତୁଷ୍ଟ ହୋଇ ପାରିଲା ନାହିଁ । ସେ ବିଷଣ୍ଣ ହୋଇ ପଡ଼ିଲା ।

 

୧୩

 

ପ୍ରାୟ ଘଣ୍ଟାଏ କାଳ ଏହି ସବୁ ଚିନ୍ତାରେ ମଗ୍ନ ରହି କ୍ୟାସିଓ ବିଛଣା ଉପରେ ଉଠି ବସିଲା ଏବଂ ପର ମୁହୂର୍ତ୍ତରେ ତାହାର ମୁହଁରୁ ବାହାରି ଆସିଲା—ଯାହା ହେବାର ହେଉ । ସବୁ କଥା ମୁଁ ତାଙ୍କୁ ଖୋଲି କରି କହିଦେବି । କିନ୍ତୁ ତତ୍‍କ୍ଷଣାତ୍‍ ଅସ୍ପଷ୍ଟ ସ୍ଵରରେ ସେ ନିଜ ମନେ ମନେ କହିଲା—ନା, ନା, କିଛି କହିବି ନାହିଁ । କାହାରି କଥା ମୁଁ ପ୍ରକାଶ କରିବି ନାହିଁ । ସେ ସବୁ କଥା ଜାଣିବାର ତାଙ୍କର କୌଣସି ଅଧିକାର ନାହିଁ ।

 

କିନ୍ତୁ ନିଜର ଏହି ଉକ୍ତିରେ କ୍ୟାସିଓ ମନେ ମନେ ଅଶେଷ ବିରକ୍ତ ଓ କ୍ରୁଦ୍ଧ ହୋଇ,ଚିତ୍କାର କରି କହିଲା—କିନ୍ତୁ ମୁଁ କଅଣ ଅକୃତଜ୍ଞ ? ମଣିଷରେ ପ୍ରକୃତି କଅଣ ମୋ ଭିତରେ ନାହିଁ ?

 

କହୁଁ କହୁଁ ସେ ବିଛଣାରୁ ଉଠି ଠିଆ ହେଲା ତାର-ଜାଲି-ଦିଆ ଖୋଲା ଝରକା ନିକଟକୁ ଆସି, ବାହାର ଆଡ଼କୁ ପଲକହୀନ ଦୃଷ୍ଟିରେ ଚାହୁଁ ରହି ସେ ଦେଖିବାକୁ ପାଇଲା—ସ୍ୱଚ୍ଛ ଧଳା ମେଘଗୁଡ଼ିକ ଆକାଶ ବକ୍ଷରେ ଜମା ହୋଇଛନ୍ତି ।

 

ଏହି ମେଘଗୁଡ଼ିକ ଠିକ୍ ମର୍ମର ନିର୍ମିତ ସୋପାନ ଶ୍ରେଣୀ ପରି ଦେଖା ଯାଉଛନ୍ତି । ସେହି ଆଲୋକ—ବିକାଶୀ ସୋପାନ ଶ୍ରେଣୀ ଦୁର୍ଲଙ୍ଘ୍ୟ ଉଚ୍ଚତାରେ ଅଦୃଶ୍ୟ ହୋଇ ଯାଇଛନ୍ତି । ଏହାର ସୌନ୍ଦର୍ଯ୍ୟରେ କ୍ୟାସିଓର ମନ ନିଜ ଘର ଅଭିମୁଖରେ ଧାଇଁଗଲା । ତାହାର ମନେ ହେଲା, ସେ ବୋଧହୁଏ ସେହି ଶୁଭ ମେଘର ମର୍ମର ସଦୃଶ ସୋପାନ-ଶ୍ରେଣୀର ସାହାଯ୍ୟରେ ନିଜ ଦେଶର ନିଜ ଘରେ ଯାଇ ପହଞ୍ଚିଛି । କ୍ୟାସିଓ ମନେ ମନେ କହି ପକାଇଲା—ତାଙ୍କରି ଯୋଗୁଁ ମୋର ଏତେ ଶୀଘ୍ର ମୁକ୍ତିଲାଭର ଆଦେଶ ମିଳିଛି ! ସେ କେତେ ଚେଷ୍ଟା ନ କରିଛନ୍ତି ! ଆଉ କିଛି ଦିନ ଏମିତି ଭାବରେ ରହିଥିଲେ, ମୋତେ ହୁଏ ତ ଆତ୍ମହତ୍ୟା କରିବାକୁ ପଡ଼ି ଥାଆନ୍ତା କିମ୍ବା ମୁଁ ପାଗଳ ହୋଇ ଥାଆନ୍ତି । କିନ୍ତୁ ଜେଲ ପରିଚାଳକ ମୋତେ ସେଥିରୁ ରକ୍ଷା କରିଛନ୍ତି । ନା, ମୁଁ ସବୁ କଥା ତାହାଙ୍କୁ ଖୋଲି କହିଦେବି । ଫଳାଫଳ ପ୍ରତି ଅପେକ୍ଷା କରିବ ନାହିଁ ।

 

୧୪

 

କ୍ୟାସିଓ ଜେଲ ପରିଚାଳକଙ୍କ ସହିତ ଦେଖା କରି କହିଲା— ମହାଶୟ, ଆଜି ସକାଳେ ଯେଉଁ ବିଷୟ ଆପଣଙ୍କୁ କହିବା ପାଇଁ ମୋତେ ଆଦେଶ ଦେଇଥିଲେ, ମୁଁ ସେ ବିଷୟ ଚିନ୍ତା କରିଛି-

 

—ବେଶ୍, ବେଶ୍ ।

 

ଜେଲ ପରିଚାଳକଙ୍କ ମନର ଭିତରଟା ଧଡ଼ପଡ଼ ହେବାକୁ ଲାଗିଲା ।

 

କ୍ୟାସିଓ ଅବିଚଳିତ କଣ୍ଠରେ କହି ଯିବାକୁ ଲାଗିଲା—ଆଜକୁ ଦଶ ବର୍ଷ ହେଲା ମୁଁ ନିଜର ଗାଁରେ ଗୋଟିଏ ଅବିବାହିତା ବାଳିକାକୁ ଭଲ ପାଇ ଆସୁଛି । ତାହାର ପ୍ରଚୁର ଐଶ୍ଵର୍ଯ୍ୟ ଥିଲା-। ସେ ଜଣେ ଅଭିଭାବକଙ୍କ ତତ୍ତ୍ଵାବଧାନରେ ଥିଲା । କାରଣ ତାହାର ବାପା-ମାଆ ମରି ଯାଇଥିଲେ । ପଦେ କଥାରେ ସେ ଅନାଥା ବାଳିକା ଥିଲା ଯେତେବେଳେ ମୁଁ କଲେଜରେ ପଢ଼ୁଥିଲି, ସେତେବେଳେ ମୋତେ କେତେ ବର୍ଷ ପାଇଁ ଗାଁ ଛାଡ଼ି ବାହାରେ ରହିବାକୁ ପଡ଼ିଥିଲା-। ଫେରି ଆସି ଦେଖିଲି, ସେହି ଝିଅଟି ନିଜର ଅଭିଭାବକଙ୍କ ଠାରୁ ମର୍ମାନ୍ତିକ ଯାତନା ପାଉଛି-। ତାହାର ଅଭିଭାବକ ତାହାକୁ ଅଯଥା ନିର୍ଯ୍ୟାତନା କରୁଛି । ସେ ତାହାର କୌଣସି ଅଭିଯୋଗ କାନକୁ ନେଉ ନାହିଁ । ବିଚାର ନାହିଁ, ସହାନୁଭୂତି ନାହିଁ— ଖାଲି ଅତ୍ୟାଚାର । କିନ୍ତୁ ଏତିକିରେ ଶେଷ ହେଲା ନାହିଁ । ଶେଷକୁ ତାହାର ସମସ୍ତ ସମ୍ପତ୍ତି ଅଭିଭାବକ ଆତ୍ମସାତ୍ କରି ପକାଇଲା-। ଦିନ ରାତି ତାହାକୁ ଏହା କହି ଭୟ ଦେଖାଇଲା ଯେ ସମ୍ପତ୍ତି ବିଷୟରେ ବେଶି କିଛି ପାଟି ତୁଣ୍ଡ କଲେ ସେ ତାହାକୁ ତଣ୍ଟି ଚିପି ମାରିଦେବ । ତା ପରେ ଦିନେ ସୁଯୋଗ ଆସିଲା । ବହୁ ଚେଷ୍ଟାରେ ତା ସାଙ୍ଗରେ କଥା ହୋଇ ମୁଁ ବୁଝିଲି ଯେ ସେ ମୋତେ ଭଲ ପାଏ । ମୁଁ ତାହାକୁ ପ୍ରତିଶ୍ରୁତି ଦେଲି, ମୁଁ ତାହାର ସମ୍ପତ୍ତି ଉଦ୍ଧାର କରି ତାହାକୁ ଫେରାଇ ଦେବି । ସେ କହିଲା— ତାହାହେଲେ ଆସ, ପରସ୍ପର ଆମେ ବିବାହ ସୂତ୍ରରେ ଆବଦ୍ଧ ହେବା । ଚାଲ ଆମେ ଏଠାରୁ ପଳାଇଯିବା । କିନ୍ତୁ ସେତେବେଳେ ମୋର ଅନେକ ବାଧା ବିପତ୍ତି ଥିଲା । ସେଥିପାଇଁ ତା କଥାରେ ମୁଁ ରାଜି ହୋଇ ପାରିଲି ନାହିଁ । ବନ୍ଧୁ ବାନ୍ଧବଙ୍କ ସାହାଯ୍ୟରେ ମୁଁ ତାହାକୁ ଦିନେ ସେଠାରୁ ଖସାଇ ଆଣିଲି ଏବଂ ଏଣେ ମୋର କର୍ତ୍ତବ୍ୟ ଆଡ଼େ ମନ ଦେଲି । କ୍ୟାସିଓ ବାହାରକୁ ମୁହଁ ଫେରାଇ ନେଇ କେତେ ମୁହୂର୍ତ୍ତ ନୀରବ ରହି ପୁଣି କହିଲା—ଅନୁମାନ କରି ପାରୁଛନ୍ତି, ମୁଁ କଅଣ କରୁଥିଲି ? ମୋର ଦୃଢ଼ ବିଶ୍ୱାସ, ଆପଣ ଅନୁମାନ କରି ପାରିଛନ୍ତି । ମୁଁ ତାହାର ଅଭିଭାବକର ନାମ ଜାଲ କରିଥିଲି । ମୁଁ ସମସ୍ତ ସମ୍ପତ୍ତିର ମାଲିକ ହେଲି । କିନ୍ତୁ ସମସ୍ତ ଅର୍ଥ ମୁଁ ସେହି ବାଳକାଟିକୁ ଦେଇଦେଲି । ମୋର ଏହି କୀର୍ତ୍ତି ଯଥା ସମୟରେ ପ୍ରଘଟ ହୋଇଗଲା । ପରିଣାମରେ, ଜାଲ କରିଥିବା ଅପରାଧରେ ମୁଁ ଧରା ପଡ଼ିଲି । ଲୋକ ମୋତେ ଛି-ଛାକର କରିବାକୁ ଲାଗିଲେ । ମୋର ମଧ୍ୟ ସାମାନ୍ୟ କିଛି ଅର୍ଥ ଓ ସମ୍ପତ୍ତି ଥିଲା । ସେ ସବୁ ସେମାନେ କାଢ଼ି ନେଲେ । ମୋର ଆତ୍ମୀୟ ସ୍ଵଜନମାନେ ମୋତେ ପରିତ୍ୟାଗ କଲେ । ଏହି ବିଶାଳ ପୃଥିବୀ ବକ୍ଷରେ ମୋର ତାହା ଛଡ଼ା ଆଉ କେହି ରହିଲେ ନାହିଁ । ଏବଂ ସେ ହେଉଛି ସେହି ପୋଲା, ମହାଶୟ, ସେହି ପୋଲା ।

 

ଜେଲ ପରିଚାଳକ ନୀରବ ନିସ୍ତବ୍ଧ ହୋଇ ବସି ରହିଲେ । ତାଙ୍କର ମୁଖରୁ ପଦିଏ ବି କଥା ବାହାରିଲା ନାହିଁ । ତାଙ୍କର ବା ଆଉ କହିବାର କଅଣ ଅଛି ? ସେ ମୌନ ହୋଇ ଖାଲି ଉପଲବ୍ଧି କରିବାକୁ ଲାଗିଲେ ଯେ କ୍ୟାସିଓର କାହାଣୀ ଓ ନିଜର କାହାଣୀ ଅସମ୍ଭବ ମନେ ହେଲେ ସୁଦ୍ଧା ସମ୍ପୂର୍ଣ୍ଣ ସତ୍ୟ ।

 

କ୍ୟାସିଓ ଜେଲ ପରିଚାଳକଙ୍କୁ କହିଲା—ଆଶ୍ଚର୍ଯ୍ୟ ? ଅସମ୍ଭବ ? ନୁହେଁ ? ହଠାତ୍ ବିଶ୍ୱାସ କରାଯାଏ ନା । ମୋତେ କେହି କହିଲେ ମୁଁ ତ ଏହା ବିଶ୍ୱାସ କରନ୍ତି ନାହିଁ ।

 

ହାତର ନଖ ସାହାଯ୍ୟରେ ଆଙ୍ଗୁଳି ଉପରେ ଅନ୍ୟମନସ୍କ ଭାବରେ ଆଘାତ କରୁଁ କରୁଁ ଜେଲ ପରିଚାଳକ କହିଲେ—ମଣିଷର ଜୀବନ ବୈଚିତ୍ର୍ୟପୂର୍ଣ୍ଣ । ଭାଗ୍ୟ କାହାକୁ କେଉଁ ଦିଗକୁ ନେଇଯାଏ, କେହି କହି ପାରିବ ନାହିଁ |

 

କ୍ୟାସିଓ ତାଙ୍କ କଥା ଶୁଣି ତାଙ୍କ ମୁହଁକୁ ଅନାଇ ଦେଖିଲା, ଜେଲ ପରିଚାଳକଙ୍କର ସମଗ୍ର ମୁଖ ମଣ୍ଡଳରେ ବ୍ୟଥାର କରୁଣ ଛାୟା ଫୁଟି ଉଠିଛି ।

 

କ୍ୟାସିଓ କହିଲା—ମୋ ଲାଗି ଆପଣ ଯାହା କରିଛନ୍ତି, ତାର ତୁଳନା ନାହିଁ । ଏଥିପାଇଁ ମୁଁ ଆପଣଙ୍କ ନିକଟରେ ଚିର ଋଣୀ । ମୁଁ ଯଥା ସାଧ୍ୟ ଚେଷ୍ଟା କରି ଆପଣଙ୍କର ଋଣ ପରିଶୋଧ କରିବି । ମହାଶୟ, ମୁଁ ଆଉ ଯାହା ହୁଏ ପଛକେ, କଦାପି କୃତଘ୍ନ ନୁହେଁ । ଅକୃତଜ୍ଞତାର ରକ୍ତ ମୋ ଦେହରେ ନାହିଁ ।

 

—ତମେ କଅଣ କହିବାକୁ ଚାହ, କ୍ୟାସିଓ ? ତୁମର ଏ ସବୁ.....

 

—ମୋତେ ଆଗ କହିବାକୁ ଦିଅନ୍ତୁ । ମୋର କର୍ତ୍ତବ୍ୟ ହେଉଛି ସତ କଥାଟା ଆପଣଙ୍କୁ ଜଣାଇବା । ଆପଣ ମୋର ଏତେ ଉପକାର କରିଛନ୍ତି, ମୋ ପ୍ରତି ଏତେ ଭଦ୍ର ବ୍ୟବହାର ଦେଖାଇଛନ୍ତି ଯେ ମୁଁ ଆପଣଙ୍କୁ ବଚନ ଦେଉଛି, ଭଦ୍ର ଲୋକ ପରି ବଚନ ଦେଉଛି, ଆପଣଙ୍କ ପାଇଁ ମୁଁ ସବୁ କିଛି...

 

ଜେଲ ପରିଚାଳକ ନିଜ କାନକୁ ବିଶ୍ୱାସ କରିପାରୁ ନ ଥିଲେ । ସେ ଅତିଶୟ ବିସ୍ମୟରେ ପଚାରିଲେ—କଅଣ କହୁଛ ?

 

—ଭାବି ଦେଖିଲି, ଏକମାତ୍ର ପୋଲା ହିଁ ଏ ସମସ୍ୟାର ସମାଧାନ କରିପାରେ । ତାହାକୁ ମୁଁ ସବୁ କଥା ଜଣାଇବି । ତା ନିକଟରେ ତିଳେ ହେଲେ କିଛି କଥା ଗୋପନ ରଖିବି ନାହିଁ । ଠିକ୍ ଭାଇର ସମ୍ପର୍କ ଧରି, ତାହାକୁ କହିବି, ଭାଇର ଦାବୀ ନେଇ, ମହାଶୟ, ଭାଇର ଦାବୀ ନେଇ । ଏହାର ଗୋଟିଏ ଅକ୍ଷର ବି ବ୍ୟତିକ୍ରମ ହେବ ନାହିଁ ।

 

—ଆରେ ନା, ନା ! ତୁମେ କଅଣ କହୁଛ କ୍ୟାସିଓ ?

 

—ଖାଲି ଏତିକି ନୁହେଁ । ଆପଣ ଯଦି ଅନୁମତି ଦିଅନ୍ତି, ତେବେ ଆଜି ପୋଲାକୁ ଲେଖି ଜଣାଇ ପାରେ । ତାହା ଠାରୁ ଜବାବ୍ ନ ଆସିବା ଯାଏ ମୁଁ ଏଠାରେ ପ୍ରତୀକ୍ଷା କରିବି । ଯେତେବେଳେ ଜବାବ୍ ଆସି ପହଞ୍ଚିବ, ହୁଏତ ସେତେବେଳେ ମୋର ଆଉ ଘରକୁ ଫେରି ଯିବାର କୌଣସି ପ୍ରୟୋଜନ ହେବ ନାହିଁ ।

 

ଜେଲ ପରିଚାଳନ ପୁଣି ତାହାକୁ ପଚାରିଲେ—ତୁମେ କଅଣ କହୁଛ ?

 

କିନ୍ତୁ ଏହି ପୁନରୁକ୍ତି କରିବା ସଙ୍ଗେସଙ୍ଗେ ତାଙ୍କର କଣ୍ଠ-ସ୍ଵର ଶୁଣି ମନେ ହେଲା, ତାଙ୍କର ଅନ୍ତରରେ ଲୁପ୍ତ ଶକ୍ତି ଫେରି ଆସିଛି । କ୍ୟାସିଓର ମୁଖ ଉପରେ ସ୍ଥିର ଦୃଷ୍ଟି ନିକ୍ଷେପ କରି ସେ କହିଲେ—ନା, ନା, ତୁମେ ଚିଠି ଲେଖ ନାହିଁ । ତୁମେ ଏକ୍ଷଣି ଘରକୁ ଫେରିଯାଅ । ମୁଁ ଭବିଷ୍ୟତ୍ ବାଣୀ କରୁଛି, ତୁମ ଲାଗି ସେଠାରେ ଅନାବିଳ ଆନନ୍ଦ ପ୍ରତୀକ୍ଷା କରିଛି । ଠିକ୍, ଠିକ୍—ଏ ଜୀବନଟା ମଧୁର ପ୍ରେମ ଓ ସୁଲଳିତ ଛନ୍ଦରେ ଆପ୍ଲୁତ । ପ୍ରକୃତରେ ମଣିଷ ଜୀବନ ବୈଚିତ୍ର୍ୟମୟ ।

 

୧୫

 

କିନ୍ତୁ କ୍ୟାସିଓ କ୍ଷାନ୍ତ ହୋଇ ପାରୁ ନ ଥିଲା । ସେ ଜିଗର କରି କହିଲା—ମୋତେ ଚିଠି ଲେଖିବା ପାଇଁ ଅନୁମତି ଦିଅନ୍ତୁ । ଆପଣଙ୍କ ପ୍ରତି ମୋର ଯାହା କର୍ତ୍ତବ୍ୟ ଅଛି, ତାହା ମୋତେ କରିବାକୁ ଦିଅନ୍ତୁ । ମୁଁ ମୋର କର୍ତ୍ତବ୍ୟ କରିବି । ମୁଁ ମୋର ଋଣ ପରିଶୋଧ କରିବି। ସଂସାର ଜାଣୁ–ପ୍ରେମ ଠାରୁ କର୍ତ୍ତବ୍ୟ, ମଣିଷର ଉପକାରର ପ୍ରତିଦାନ ବଡ଼, ଢେର ବଡ଼ । ପୋଲା ମୋର ହେବା ଠାରୁ ଆପଣଙ୍କର ହେଲେ, ଯଥେଷ୍ଟ ସୁଖରେ ରହିବ, ଖୁବ୍ ଆନନ୍ଦରେ ରହିବ-। ମୋ ପକ୍ଷରେ ସବୁ ଠାରୁ ବଡ଼ କଥା ହେଉଛି, ପୋଲାର ସୁଖ ସୁବିଧା ଦେଖିବା । ଆପଣଙ୍କ ପାଖରୁ ସେ ତାହା ସମ୍ପୂର୍ଣ୍ଣ ଭାବରେ ପାଇବ ।

 

ଜେଲ ପରିଚାଳକ ଧୈର୍ଯ୍ୟ ସହକାରେ ସବୁ ଶୁଣିଲେ । ତାଙ୍କର ଚକ୍ଷୁ ଦୁଇଟି ଉଜ୍ଜ୍ୱଳ ହୋଇଗଲା ।

 

ଟିକିଏ କାଶି ଗଳାଟା ସଫା କରି ନେଇ ସେ କହିଲେ— ଯଦି ତୁମର କର୍ତ୍ତବ୍ୟ ହୁଏ ତାହା ନିକଟରେ ନିଜକୁ କୃତଜ୍ଞ ଓ ମହତ୍ ଭାବରେ ପରିଚୟ ଦେବା, ତାହାହେଲେ ପୋଲାର କର୍ତ୍ତବ୍ୟ ହେବ ତୁମକୁ ଆନନ୍ଦ ଦେବା, ତୁମର ଏହି କାରାବାସର ଦୁଃଖ କଷ୍ଟ ଲାଘବ କରିବା ।

 

କ୍ୟାସିଓ ବାଧା ଦେଇ କହି ପକାଇଲା—କିନ୍ତୁ....

 

ତାହାର କଥା ଅସମାପ୍ତ ରହିଗଲା । ଜେଲ ପରିଚାଳକ ତାହାର କଥାରେ ପ୍ରବଳ ବାଧା ଦେଇ କହିଲେ—ରୁହ ଟିକିଏ, ମୋ କଥା ଶେଷ କରିବାକୁ ଦିଅ । ଯଦି ପୋଲା ଭିନ୍ନ ବ୍ୟବହାର କରେ, ତାହାହେଲେ ମୋର ତାହା ସମ୍ବନ୍ଧରେ ଯେଉଁ ଉଚ୍ଚ ଓ ମହତ୍ ଧାରଣା ଅଛି, ସେ ସବୁ କୁଆଡ଼େ ପବନରେ ଉଡ଼ିଯିବ । ପୋଲା ମହତ୍, ପୋଲା ଉଦାର— ସେ ପ୍ରେମର ମର୍ଯ୍ୟାଦା ଜାଣେ, ସମ୍ମାନ ଜାଣେ । କ୍ୟାସିଓ, ଏଟା ସମ୍ପୂର୍ଣ୍ଣ ସତ୍ୟ ଯେ ସେ କଦାପି ତାହାର ବହୁ ଦିନର ପ୍ରେମିକକୁ, ଅର୍ଥାତ୍ ତୁମକୁ ପ୍ରତାରଣା କରି ନ ପାରେ । ଏହା ତାହାର ସ୍ଵଭାବ ନୁହେଁ, ଏବଂ ମୁଁ ଏହା ହିଁ ଚାହେ ।

 

କହୁଁ କହୁଁ ଜେଲ ପରିଚାଳକଙ୍କର ଆଖି ଦୁଇଟି ଅଶ୍ରୁମିକ୍ତ ହୋଇଗଲା ।

 

କିନ୍ତୁ କ୍ୟାସିଓର ତୁଣ୍ଡରୁ ଆଉ ପଦେ ହେଲେ କଥା ବାହାରିଲା ନାହିଁ । ସେ ନୀରବରେ ବାହାରର ସେହି ବଗିଚା ଆଡ଼କୁ ମୁଁହ କରି ଠିଆ ହୋଇ ରହିଲା ।

☆☆☆

 

ବରଗଛ

 

ସବୁ ସମୟରେ କଟନଉଡ଼୍ ଗଛ ତାର ଶାଖା ପ୍ରଶାଖା ବିସ୍ତାର କରି ନିଜର ପ୍ରକୃତି ଅନୁଯାୟୀ ଗୋଟାଏ ବଣ ସୃଷ୍ଟି କରେ । ତାର ଧଳା ଧଳା ଲୋମ ଭଳି ଫୁଲଗୁଡ଼ାକ ଶାଖାର ବିସ୍ତୃତି ହେତୁ ପ୍ରାନ୍ତର ଓ ପଥ ଆଚ୍ଛାଦନ କରି ପକାଏ । ଏହି ଜଙ୍ଗଲ ବିସ୍ତୃତିର ଦାୟିତ୍ଵଟାକୁ ଅନ୍ୟର କର୍ତ୍ତବ୍ୟ ପାଳନ ବୋଲି ମନେ ନ କରିବା ପାଇଁ ଆମ ପ୍ରତିବେଶୀମାନେ ବିବାଦର ସୂଚନା ଦିଅନ୍ତି । ତଥାପି ସତ୍ୟ କଥା ସ୍ଵୀକାର କରିବାକୁ ହେଲେ କହିବାକୁ ପଡ଼ିବ ଯେ କଟନଉଡ୍‍ ଗଛର ପ୍ରକୃତରେ ତାର ଛାଇରେ ଖାଲି ଆଶ୍ରୟ ତ ଦାନ କରେ ନାହିଁ, ସ୍ଵାଚ୍ଛନ୍ଦ୍ୟ ବି ପ୍ରଦାନ କରେ । ଯେଉଁମାନେ ଗହମ ଖେତରେ କିମ୍ବା ସାଗୁ ଗଛର ବୀଥିକାରେ ରୌଦ୍ର ଦଗ୍ଧ ହୋଇ କାମ କରନ୍ତି, ସେମାନେ ଦେହର ଝାଳରେ ଟିକିଏ ଥଣ୍ଡା ପବନ ବଜାଇବା ପାଇଁ କଟନଉଡ୍‍ ଗଛର ଛାଇରେ ଆସି ବସନ୍ତି ।

 

ଜୋରେଲମନର ଲୋକମାନେ ନୁଟ୍ ଆକସେଲବ୍ରଡ଼ଙ୍କୁ ବୁଢ଼ା କଟନଉଡ୍‍ ଗଛ ବୋଲି କହନ୍ତି । କଟନଉଡ୍‍ର ପ୍ରକୃତି ତାଙ୍କ ଭିତରେ ବିରାଜିତ ବୋଲି କେହି ତାହାଙ୍କୁ ଏହି ନାମ ଦେଇ ନାହାନ୍ତି । ତାଙ୍କର ଅଦ୍ଭୁତ ଧଳା ରଙ୍ଗର ଅଟ୍ଟାଳିକା ଓ ଲାଲ ରଙ୍ଗର ଖଳା ବାଡ଼ିର ଚାରି ପାଖରେ ସେ ଯେଉଁ ବଗିଚା ତିଆରି କରିଥିଲେ, ସେହି ବଗିଚାକୁ କେନ୍ଦ୍ର କରି ତାଙ୍କର ଏହି ଆଖ୍ୟାଟି ଜନ୍ମଲାଭ କରିଥିଲା । ଗୃହ-ପ୍ରବେଶାନ୍ତେ ରାସ୍ତାର ଦୁଇ କଡ଼ରେ ସେ ଏହି ଗଛ ଧାଡ଼ି ଧାଡ଼ି କରି ଲଗାଇଥିଲେ । ଯେତେବେଳେ ସେ କାଠ-ଗାଡ଼ିରେ ଘୋଡ଼ା ଜୋଚି ସେହି ଗଛ ତଳେ ଯାଉଥିଲେ, ତାହାଙ୍କୁ ନିଃସଂଶୟରେ ଐଶ୍ୱର୍ଯ୍ୟଶାଳୀ ବୋଲି ମନେ ହେଉଥିଲା ।

 

ପଞ୍ଚଷଠୀ ବର୍ଷର ବୁଢ଼ା ନୁଟ୍‍ଙ୍କୁ ପ୍ରକୃତରେ କଟନଉଡ୍‍ ଗଛ ଭଳି ମନେ ହେଉଥିଲା । କଟନଉଡ୍‍ ଗଛ ପରି ମାଟିରେ ଗଭୀର ଭାବରେ ଚେର ସଞ୍ଚାରଣ କରି, ଦେହରେ ଅଗଷ୍ଟ ମାସରେ ମଧ୍ୟରେ ଝଡ଼ ବୃଷ୍ଟି ଓ ରୌଦ୍ରର ଦୌରାତ୍ମ୍ୟ ସହ୍ୟ କରି, ଦିବସରେ ପ୍ରାରମ୍ଭରେ ଓ ଆମେରିକାର ବିଶାଳ ତୃଣ ପ୍ରାନ୍ତରର ରାତ୍ରିମୟୀ ଆକାଶରେ ସେ ପ୍ରାୟ ଅଭ୍ରଂଲିହ ଶୀର୍ଷ ଉନ୍ନତି କରି ଠିଆ ହୋଇଥିଲେ । ଯଦିଚ ଆମେରିକା ତାଙ୍କର ଜନ୍ମଭୂମି ନୁହେଁ, ତଥାପି କଥାବାର୍ତ୍ତାର ଢଙ୍ଗଢାଙ୍ଗରୁ, ଖାଲି ‘ଜେ’ ଓ ‘ଡବଲିଉ’ର ଉଚ୍ଚାରଣ ଛାଡ଼ିଦେଲେ, ତାଙ୍କୁ ମାର୍କି ନ ଛଡ଼ା ବିଦେଶୀୟ ବୋଲି ବୁଝିବାର ଉପାୟ ନ ଥିଲା । ସ୍କାଣ୍ଡିନେଭିୟାରେ ଜନ୍ମିଥିଲେ ସୁଦ୍ଧା ତାଙ୍କର ଧାରଣା ଥିଲା ଯେ ଆମେରିକା ହେଉଛି ଏକମାତ୍ର ଦେଶ ଯେ ନ୍ୟାୟ, ଧର୍ମ, ଅନୁକୂଳ ଚିନ୍ତାଶୀଳତା ଓ ଜ୍ଞାନଦୀପ୍ତି ନଗରୀ ସମୂହର ପାଳୟିତ୍ରୀ ଧାତ୍ରୀ ହୋଇ ପାରିଛି । ତାଙ୍କ ଜୀବନରେ ଯେତେ ଦୁଃଖ ଓ କଷ୍ଟ ଆସୁନା କାହିଁକି, ସେ ସବୁବେଳେ ସ୍ୱପ୍ନ ଦେଖୁଥିଲେ ଯେ ସେ ଚିରି ତାରୁଣ୍ୟ ଓ ସୌନ୍ଦର୍ଯ୍ୟର ଏକନିଷ୍ଠ ଉପାସକ ।

 

ଶୈଶବ କାଳରେ ନୁଟ ଆକ୍ଟସେଲବ୍ରଡ଼ଙ୍କର ବାସନା ଥିଲା, ସେ ଜଣେ ପ୍ରସିଦ୍ଧ ପଣ୍ଡିତ ହେବେ । ସେ ନାନା ଦେଶର ଭାଷା ଶିଖିବେ, ଇତିହାସର ଅଦ୍ଭୁତ ଘଟଣାସବୁ ତାଙ୍କର ଜିଭ ଅଗରେ ରହିଥିବ ଏବଂ ଅମୂଲ୍ୟ ପୋଥିରେ ଭାଷ୍ୟ ଆହରଣ କରି ସେ ଜ୍ଞାନୀ ହେବେ । ଯେତେବେଳେ ସେ ପ୍ରଥମେ ଆମେରିକାକୁ ଆସିଲେ, ସେତେବେଳେ ସେ ଦିନ ବେଳେ ଗୋଟିଏ କାଠ-କରତ କଳରେ କାମ କରୁଥିଲେ ଏବଂ ସନ୍ଧ୍ୟାଟା ପଢ଼ା-ଶୁଣାରେ କଟାଉଥିଲେ । ସେ କିଛି ଲେଖାପଢ଼ା ମଧ୍ୟ ଶିଖିଥିଲେ । କାରଣ, ପିଲାଙ୍କ ପ୍ରାଥମିକ ବିଦ୍ୟାଳୟରେ ସେ ପ୍ରାୟ ଛଅ ମାସ ଶିକ୍ଷକତା କରିଥିଲେ । ତା ପରେ ତାଙ୍କୁ ଯେତେବେଳେ ଅଠର ବର୍ଷ ବୟସ ହେଲା, ସେତିକିବେଳେ ତନ୍ୱୀ ବିବର୍ଣ୍ଣା ଲେନା ଓୟେମିଲିୟାର ଉପରେ ତାଙ୍କର ଏତେ ବେଶୀ ସହାନୁଭୂତି ଜାଗ୍ରତ ହେଲା ଯେ ସେ ତାହାକୁ ବିଭା ହୋଇ ପଡ଼ିଲେ । ତୃଣ ପ୍ରାନ୍ତରରେ, ନବ-ପ୍ରତିଷ୍ଠିତ ଖେତରେ ଓ ବଗିଚାରେ ସେମାନଙ୍କର ଯଥେଷ୍ଟ ଆନନ୍ଦ ଥିଲେ ସୁଦ୍ଧା, ନୁଟ୍ ଶୀଘ୍ର ଦାରିଦ୍ର ଓ ସଂସାରରେ ଜାଲରେ ବିଜଡ଼ିତ ହୋଇ ପଡ଼ିଥିଲେ । ଅଠର ବର୍ଷରୁ ସେହି ଯେ ଆରମ୍ଭ ହେଲା, ଅଠାବନ ବର୍ଷ ଯାଏ ଅହରହ ହୁଏତ ସେ କୌଣସି ସନ୍ତାନକୁ ମୃତ୍ୟୁର କବଳରୁ ବଞ୍ଚାଇଛନ୍ତି, ନଚେତ୍ କୌଣସି ଖେତକୁ ବନ୍ଧକୀ କବଲାରୁ ମୁକୁଳାଇ ଆଣିଛନ୍ତି ।

 

ଏହିସବୁ ଘଟଣା ସତ୍ତ୍ଵେ ବି ସେ ଶାନ୍ତିରେ ଥିଲେ ଏବଂ ତାଙ୍କର ଅବସର ସମୟରେ ସେ ବିରାଟ ବିରାଟ ଇତିହାସ କିମ୍ବା ଅର୍ଥନୀତିର ପୁସ୍ତକ ପଢ଼ି ସମୟ କଟାଇ ଦେଉଥିଲେ । କିନ୍ତୁ ତାଙ୍କ ମନ ଭିତରୁ କେବେ ହେଲେ ସେହି ସ୍ୱପ୍ନ-ସୁନ୍ଦର ନଗରୀ ସମୂହ ଓ ଅତ୍ୟୁତ ପ୍ରାସାଦ ଭବନର ଛବି ଲିଭି ଯାଇ ନ ଥିଲା । ଖେତ ଓ ବଗିଚା ଘେନି ଦିନ ଯାପନ କରି, ସକଳ ଦାରିଦ୍ର୍ୟ ଭିତରେ ନିଜକୁ ବଞ୍ଚାଇ ରଖି, ଅବଶେଷରେ ସେ ଗୋଟାଏ ବାୟୁ ତାଡ଼ିତ କଳ ସ୍ଥାପନ କରିଥିଲେ । ଏହା ପରେ ସେ ପ୍ରଚୁର ସ୍ଵାଚ୍ଛନ୍ଦ୍ୟ ବୋଧ କରିଥିଲେ । ଯେତେବେଲେ ତାଙ୍କର ବୟସ କ୍ରମେ ତେଷଠୀ ବର୍ଷ ହେଲା, ସେତେବେଳେ ତାଙ୍କର ମନେ ହୋଇଥିଲା—ବର୍ତ୍ତମାନ ତାଙ୍କର କାମ ଶେଷ ହୋଇଛି । ତାଙ୍କର ସୁଖ ମରଣ ହେବ, ସେ ଶାନ୍ତି ପାଇବେ ଏବଂ ସଂସାରରେ ତାଙ୍କର ଆଉ କୌଣସି ପ୍ରୟୋଜନ ନାହିଁ ।

 

ଲେନାର ଆଗରୁ ଦେହାନ୍ତ ହୋଇଗଲା । ପିଲାମାନେ କେହି ବି ତାଙ୍କ ପାଖରେ ନ ଥାଆନ୍ତି । ତାଙ୍କର ଜଣେ ପୁଅ ଫାରଗୋରେ ଦନ୍ତ ଚିକିତ୍ସକ, ଏବଂ ଆଉ ଜଣେ ଗୋଲ୍‍ଡନ ଉପତ୍ୟକାରେ ନିଜର ଖେତ ଓ ବଗିଚା ତିଆରି କରି ଚାଷୀ ହୋଇ ଯାଇଥାଏ । ନୁଟ୍ ଆପଣାର ଖେତ ଓ ବଗିଚା ଝିଅ-ଜୋଇଁଙ୍କୁ ଦେଇଦେଲେ । ସେମାନେ କହିଲେ— ବାବା, ଆପଣ ଅବଶିଷ୍ଟ ଜୀବନ ଆମ ପାଖରେ ଆସି କଟାନ୍ତୁ ।

 

ନୁଟ୍ ସେ ଅନୁରୋଧ ରଖିଲେ ନାହିଁ । ସେ କହିଲେ—ନା, ସେ କଥା ହେବ ନାହିଁ । ତୁମ୍ଭେମାନେ ନିଜ ଗୋଡ଼ରେ ଆଗ ଠିଆ ହୁଅ । ମୁଁ ଖେତ ଓ ବଗିଚା ତୁମ୍ଭମାନଙ୍କୁ ଦାନ କରିବି ନାହିଁ । ମୋର ମୃତ୍ୟୁ ପର୍ଯ୍ୟନ୍ତ ତୁମ୍ଭେମାନେ ଖେତ ଓ ବଗିଚା ବାବଦକୁ ମୋତେ ବର୍ଷକୁ ଚାରି ଶହ ଡଲାର ଲେଖାଏଁ ଦେବ । ସାମନା ପାହାଡ଼ରେ ମୋର ଯେଉଁ ଜମି ଅଛି, ସେଠାରେ ଘରି ମୁଁ ରହିବି-

 

ପାହାଡ଼ କୋଳରେ ଗୋଟାଏ ମୁଣ୍ଡିଆ ଉପରେ ଯେଉଁ ଏକମାତ୍ର କଟନଉଡ୍ ଗଛଟା ଥିଲା, ନୁଟ୍ ସେହି ଗଛଟାକୁ ଖୁବ୍ ଭଲ ପାଉଥିଲେ ଅବସର ପାଇଲେ ସେ ତାରି ତଳେ ଯାଇ ବସୁଥିଲେ । ବର୍ତ୍ତମାନ ତାଙ୍କର ଅବସର ଜୀବନ ଯାପନ ପାଇଁ ସେ ଚାରି ଛାଇରେ କୁଟୀର ସ୍ଥାପନ କଲେ । ତାଙ୍କର ଯେଉଁ ନୂତନ ଦୈନନ୍ଦିନ ଜୀବନ ଆରମ୍ଭ ହେଲା, ସେଥିରେ ସେ ସକାଳୁ ଉଠି ଆଗେ ନିଜର ଖାଦ୍ୟ ତିଆରି କରି ପକାଉଥିଲେ ଏବଂ ତା ପରେ ବିଛଣା ପରିଷ୍କାର କରି ଦେଉଥିଲେ । ଶେଷରେ ବାହାରକୁ ଆସିସେ ଖରାରେ ପିଠି ଦେଖାଇ ବସୁଥିଲେ । ସେତେବେଳେ ତାଙ୍କର କାମ ଥିଲା ଜୋରେଲମନର ପାଠାଗାରରୁ ଆଣିଥିବା ବହି ସବୁ ପଢ଼ିବା । ପଢ଼ାର ଫାଙ୍କରେ ତାଙ୍କର ମନେ ହେଉଥିଲା—ତାଙ୍କୁ ଛୁଟି ମିଳିଛି, ସେ ଛୁଟି ପାଇଛନ୍ତି ।

 

ସେ ତାଙ୍କ ଘର ଆଗରେ ଘଣ୍ଟା ଘଣ୍ଟା ଧରି ଖଣ୍ଡିଏ ଚଉକିରେ ବସି ରହୁଥିଲେ । ସମୟ ଗଡ଼ି ଯାଉଥିଲା । କିନ୍ତୁ ସେ ତାଙ୍କର ବିରାଟ ବପୁ ଓ କାଶ ଶୁଭ୍ର ଦାଢ଼ି ଘେନି ନିଶ୍ଚଳ ଭାବରେ ବସି ରହୁଥିଲେ । ତାଙ୍କ ପରିହିତ ଢିଲା ପାଇଜାମା ଓ କଲାର ବିହୀନ କମିଜ ଅଶୋଭନ ଦିଶୁଥିଲେ ସୁଦ୍ଧା, ତାଙ୍କର ମନେ ହେଉଥିଲା ଯେମିତି ସେ ସତରେ ଜଣେ ଜ୍ଞାନ ବୃଦ୍ଧ । ସେ ବସି ବସି ଅନବରତ ତାଙ୍କର ଏହି ବର୍ତ୍ତମାନ ଜୀବନର କଥା ଭାବୁଥିଲେ । ଯେତେବେଳେ ସେ ପ୍ରଥମେ ନୂଆ ଘରଟି ତୋଳିଥିଲେ, ସେତେବେଳେ ସେ ଅତିଶୟ ଶୃଙ୍ଖଳାର ସହିତ ତାଙ୍କର ଅଭ୍ୟାସ ଅନୁଯାୟୀ ଚଳୁଥିଲେ । ତା ପରେ ଏକ ସମୟରେ ଦେଖାଗଲା, ଅଭ୍ୟାସର ବେଷ୍ଟନୀ ଭିତରୁ ସେ ମୁକ୍ତ ହୋଇଛି । ତହୁଁ ସେ କଠୋର ପରିଶ୍ରମକୁ ବ୍ୟଙ୍ଗ କରିବାକୁ ଆରମ୍ଭ କଲେ ।

 

ଅବଶ୍ୟ ତାଙ୍କର “ରାଜକୁମାରୀ” ନାମରେ ବିରାଡ଼ିଟି ଏହି ବ୍ୟଙ୍ଗୋକ୍ତି ଶୁଣୁଥିଲା । ନୁଟ୍‍ଙ୍କ କୋଳରେ ବସି ରହି ଟେବୁଲ ଉପରୁ ଦୁଧ ଖାଉଁ ଖାଉଁ ରାଜକୁମାରୀ ଏହି କଥାସବୁ ଶୁଣୁଥିଲା । ନୁଟ୍‍ଙ୍କ ଧଳା ଦାଢ଼ି ସୀମାଚ୍ଛନ୍ନ ମୁହଁ ଉପରେ ଧଳା ଭ୍ରୂତଳେ ତାଙ୍କର ଆଖି ଦୁଇଟି ସବୁବେଳେ ଉଜ୍ଜ୍ୱଳ ହୋଇ ରହୁଥିଲା ଏବଂ ସେହିସବୁ ଦିନର ବିଲୁପ୍ତ ତାରୁଣ୍ୟ ଓ ସୌନ୍ଦର୍ଯ୍ୟର ସ୍ଵପ୍ନ ସେ ଦେଖୁଥିଲେ । ଦିନେ ତାହାହିଁ ଗ୍ରୀସକୁ ପ୍ରାଣବନ୍ତ କରି ରଖିଥିଲା ଏବଂ ରୋମକମାନଙ୍କୁ ଗରୀୟାନ କରିଥିଲା ।

 

ଅଭ୍ୟାସର ବନ୍ଧନ ଛିନ୍ନ କରି ନୁଟ୍ ଯେ ନୂଆ ମଣିଷ ହୋଇଛନ୍ତି, ଦିନେ ତାର ପ୍ରମାଣ ମିଳିଲା । ଦେଖାଗଲା ରାତିରେ ନୁଟ୍ ଭ୍ରମଣ ଆରମ୍ଭ କରି ଦେଇଛନ୍ତି । ଚିର ଦିନ ଯାହାଙ୍କର ନିଦ୍ରିତ କାଳରେ ରାତ୍ରୀ ଆତ୍ମ ସମର୍ପଣ କରି ଅତି ବାହିତ ହୋଇଛି, ଆଜି ସହସା ତାଙ୍କର ଏକ ଜାଗରଣ ବାସ୍ତବିକ ରୋମାଞ୍ଚକର ବୋଧ ହେଲା । ଅନ୍ଧକାରର ଅପରିମେୟ ଗଭୀରତା, ତୃଣପ୍ରାନ୍ତରର ଅସୀମ ବିଶାଳତା, ଚନ୍ଦ୍ରାଲୋକର ମୋହ, ପାଦରେ ଘାସର ଶିଶିର-ଶକ୍ତି ସ୍ପର୍ଶ, କଟନଉଡ୍‍ର ବିରାଟ ରହସ୍ୟମୟ ଅସ୍ତିତ୍ଵ ଓ ନିଶାଚର ପକ୍ଷୀର ସଚେତନତା ଘେନି ରାତି ଯେ କେଡ଼େ ଅଦ୍ଭୁତ ଓ ମାୟାମୟୀ, ସେହି ଗୋପନୀୟ କଥା ଆବିଷ୍କାର କରି ନୁଟ୍ ମାଇଲ ଧରି ପଥିକ ରୂପେ ପଥ ଅତିକ୍ରମ କରି ଚାଲି ଯାଉଥିଲେ । ଶିଶିରରେ ତାଙ୍କର ଜୋତା ଭିଜି ଯାଉଥିଲା, ତଥାପି ସେହି ଚାଲିବାର ବିରାମ ନ ଥିଲା । କେବେ କେବେ ସେ ମୁଣ୍ଡିଆ ଉପରକୁ ଉଠିଯାଇ ପ୍ରାର୍ଥନାର ଭଙ୍ଗୀରେ ଦୁଇ ବହୁ ପ୍ରସାରଣ କରୁଥିଲେ, ଯେମିତିକି ଏହି ନିଦ୍ରିତ ପ୍ରକୃତିକୁ ସେ ଅର୍ଘ୍ୟ ଦାନ କରୁଛନ୍ତି ।

 

ନୁଟ୍‍ଙ୍କର ଏହି ନୈଶ ଅଭିଯାନ ଦିନେ ଲୋକ ଲୋଚନକୁ ଆସିଲା । ତାଙ୍କର ଯେଉଁ ପ୍ରତିବେଶୀମାନେ ସହରରୁ ଆମୋଦ-ପ୍ରମୋଦ ସାରି ମାତାଲ ହୋଇ ରାତିରେ ଘରକୁ ଫେରନ୍ତି, ସେମାନେ ଲୋକଙ୍କୁ ଜଣାଇଦେଲେ ଯେ ନୁଟ୍ ଆଜିକାଲି ଖାମଖିଆଲୀ ହୋଇ ପଡ଼ିଛନ୍ତି । ଚାଷବାସ ଛାଡ଼ି ଦେବାରୁ ତାଙ୍କୁ ରାତିରେ ନିଦ ହେଉ ନ ଥିଲା । ରାତି ଅଧରେ ସେ ବିଲ ବଣରେ ଘୂରି ବୁଲୁଥିଲେ । ସେମାନେ ବି ଦୁଃଖ ପ୍ରକାଶ କଲେ ଯେ ଯଦି ସେମାନଙ୍କର ନୁଟ୍‍ଙ୍କର ପରି ଅବକାଶ ଥାଆନ୍ତା, ତାହା ହେଲେ ନିଦ କାହାକୁ କହନ୍ତି ତାହା ସେମାନେ ଦେଖାଇ ଦିଅନ୍ତେ । ତାଙ୍କୁ କେନ୍ଦ୍ର କରି ଯେଉଁ ଆଲୋଚନା ଆରମ୍ଭ ହେଲା, ସେହି କଥା ବୁଝି ପାରିଥିଲେ ସୁଦ୍ଧା ନୁଟ୍ ତାଙ୍କର ଏହି ଅପୂର୍ବ ଭ୍ରମଣ ବନ୍ଦ କରିଦେଲେ ନାହିଁ । ବରଂ ଏହି ନୂତନ ଜୀବନ-ଯାତ୍ରାର ଗତିବେଗକୁ ବୃଦ୍ଧି କରିବା ଲାଗି ସେ ଆହୁରି ଚଞ୍ଚଳ ହୋଇ ପଡ଼ିଲେ ।

 

ସୁପରିଚାଳିତ ଜୀବନକୁ ନୁଟ୍ ଅବହେଳାରେ ପୂର୍ଣ୍ଣ କରିଦେଲେ । ସେହି ପାଣ୍ଡିତ୍ୟ ଉପରୁ ତାଙ୍କର ଗଭୀର ଶ୍ରଦ୍ଧା ବି ଅପସାରିତ ହୋଇଗଲା । ମେକ୍ସିକୋ ବିଜୟର ଇତିହାସ ପଠନ ସ୍ଥଗିତ ରଖି ସେ ଆଦିରସ ଭିତରେ ବୁଡ଼ିଗଲେ । ଅବଶେଷରେ ଦିନେ ଦେଖାଗଲା ଯେ ନିତି ସନ୍ଧ୍ୟାରେ ସେ ‘ରାଜକୁମାରୀ’ ନାମରେ ତାଙ୍କର ବିରାଡ଼ିଟିକୁ କୋଳରେ ଧରି ସେହି ପ୍ରକାର ବହି ପଢ଼ୁଛନ୍ତି, ଅଥବା ଟ୍ରିଲବି ସାଙ୍ଗରେ ପ୍ରେମରେ ଆତ୍ମହରା ହୋଇ ଯାଉଛନ୍ତି ।

 

ତାଙ୍କୁ ସବୁ ଠାରୁ ବେଶୀ ଭଲ ଲାଗିଲା ‘ଏଲ’ ପ୍ରଦେଶର ଗୋଟିଏ ଗପ । ଜଣେ ଯୁବକ କିପରି ଭାବରେ ଅଦମ୍ୟ ଚେଷ୍ଟାରେ କଲେଜରେ ଭର୍ତ୍ତି ହୋଇଥିଲା ଏବଂ ତା ପରେ ଧୀରେ ଧୀରେ ଜୀବନରେ ସେ କି ଚମତ୍କାର ସାଫଲ୍ୟ ଲାଭ କରିଥିଲା । ଗପଟା ତାଙ୍କୁ ଏତେ ବେଶି ଅନୁପ୍ରାଣିତ କଲା ଯେ ଦିନେ ରାତି ତିନିଟା ବେଳେ ନୁଟ୍ ବିଛଣାରୁ ଉଠି ପଡ଼ିଲେ ଏବଂ ସ୍ଥିର କଲେ ଯେ ସେ ମଧ୍ୟ କଲେଜକୁ ପଢ଼ିବାକୁ ଯିବେ । ସେତେବେଳେ ତାଙ୍କର ବୟସ ଚଉଷଠି ବର୍ଷ ହୋଇଥିଲା ।

 

ରାତି ପାହିଗଲାରୁ ଦିନର ଆଲୋକରେ ନୁଟ୍‍ଙ୍କର ସଂକଳ୍ପ ଟଳିବାକୁ ଆରମ୍ଭ କଲା । କଟନଉଡ୍‍ ଗଛଟା ଆଡ଼କୁ ଅନାଇଦେବାରୁ ଅକସ୍ମାତ୍ ତାଙ୍କର ମନେ ହେଲା, ତାଙ୍କର ବୟସ ହୋଇ ଯାଇଛି । କଲେଜରେ ଯୌବନ ଦୀପ୍ତ ତରୁଣମାନଙ୍କ ମଝିର ବାର୍ଦ୍ଧକ୍ୟର ଏହି ଲୋଳ ଚର୍ମ ଯେ ଅତ୍ୟନ୍ତ ଅଶୋଭନୀୟ ହେବ, ଏହା ଅନସ୍ଵୀକାର୍ଯ୍ୟ । ତେବେ ? ମାସ ପରେ ମାସ ଅତିବାହିତ ହେଲା । ନୁଟ୍ କୌଣସି ମତେ ସ୍ଥିର କରି ପାରିଲେ ନାହିଁ, ସେ କଅଣ କରିବେ । ଏପରି ଭାବରେ ଦିନ ପରେ ଦିନ ଗଡ଼ି ଯିବାକୁ ଲାଗିଲା । ଅବଶେଷରେ ନୁଟ୍ ଆଉ ରହି ପାରିଲେ ନାହିଁ । ତାଙ୍କର ଅହରହ ମନେ ହେବାକୁ ଲାଗିଲା ଯେ ତାଙ୍କୁ କଲେଜକୁ ଯିବାକୁ ହେବ । ସେହି ହାଭାର୍ଡ଼ ଏଲ୍ ଓ ପ୍ରିନ୍ସଟନରେ ସରସ୍ଵତୀଙ୍କର ମନ୍ଦିର ପ୍ରତିଷ୍ଠିତ ହୋଇଛି । ସେଠାରେ ଶ୍ଵେତ ପ୍ରସ୍ତରମୟ ପ୍ରାସାଦର ଆଳିନ୍ଦରେ ଦୀପ୍ତ ମୁଖଶ୍ରୀ ଓ ଉଜ୍ଜ୍ୱଳ କାନ୍ତି ଦେହରେ ଗ୍ରୀସ ଦେଶୀୟ ତରୁଣ ଜ୍ୟୋତିର୍ବିଦଗଣ ନିୟମତାନ୍ତ୍ରିକ ଶାସନ ପ୍ରଣାଳୀ ପ୍ରଣୟନ ସମ୍ବନ୍ଧରେ ଆଲୋଚନା କରୁଛନ୍ତି । ସେମାନଙ୍କର କ୍ଷୁଧା ନାହିଁ କି ତୃଷା ନାହିଁ । ସେମାନେ ଯେମିତି ଅପାର୍ଥିବ । ସେମାନେ ଅଲୌକିକ ସୌନ୍ଦର୍ଯ୍ୟର ଏକନିଷ୍ଠ ଉପାସକ । ଦିନ ରାତି ସବୁବେଳେ ନୁଟ୍‍ଙ୍କର କାନରେ ସରସ୍ଵତୀଙ୍କ ମନ୍ଦିରରୁ ସେହି ଆକୁଳ ଆହ୍ୱାନ ଆସି ବାଜିବାକୁ ଲାଗିଲା—ଆରେ, ଯାତ୍ରା କର, ତୁ ଯେ ଚିରକାଳୀନ ଜ୍ଞାନ ପିପାସୁ ଯାତ୍ରୀ !

 

ସତକୁ ସତ ଦିନେ ନୁଟ୍ ଚିଠି ଲେଖି କଲେଜରୁ ନିୟମାବଳୀ ଓ ପାଠ୍ୟ-ପୁସ୍ତକ ତାଲିକା ମଗାଇ ଆଣିଲେ ।

 

କଲେଜରେ ପ୍ରବେଶ ନିମନ୍ତେ ପରୀକ୍ଷା ଲାଗି ସେ ନିଜକୁ ପ୍ରସ୍ତୁତ କରିବାକୁ ଲାଗିଲେ । ଦିନେ ଯେମିତି ସେ ଖେତରେ ଅଠର ଘଣ୍ଟା ଲେଖାଏଁ ହଳ ବୁଲାଉଥିଲେ, ସେହିପରି ଭାବରେ ଅମାନୁଷିକ ପରିଶ୍ରମ କରି ନିତି ବାର ଘଣ୍ଟା ଲେଖାଏଁ ପଢ଼ାଶୁଣା କରି ସେ ଲାଟିନ ଭାଷାର ଅଦ୍ଭୁତ କ୍ରିୟା ପ୍ରକରଣକୁ ଓ ବୀଜ ଗଣିତର ଜଟିଳ ସଂଖ୍ୟା ମୀମାଂସାକୁ ନିଜ ଆୟତ୍ତକୁ ଆଣି ପାରିଲେ । ଏପରିକି, ଯେତେ ଦୂର ସମ୍ଭବ ସେ ପ୍ରତିବେଶୀମାନଙ୍କ ଠାରୁ ଜର୍ମାନୀ ଭାଷା ଶିଖି ନେଲେ । ପଇଁଚାଳିଶ ବର୍ଷ ତଳେ ଶିକ୍ଷକତା କରି ସେ ଯେଉଁ ଅଭିଜ୍ଞତା ଲାଭ କରିଥିଲେ, ସେହି ଅଭିଜ୍ଞତାକୁ ଆଜି କାମରେ ଲଗାଇ ସେ ନିଜକୁ ଆଗେଇ ନେବା ପାଇଁ ଚେଷ୍ଟା କଲେ । ତାଙ୍କର ଆହୁରି ମନେ ହେଲା, କଲେଜରେ ଅଧ୍ୟାପକମାନଙ୍କ ଠାରୁ ସେ ଯେଉଁ ସହାନୁଭୂତି ପାଇବେ, ସେଥିରେ ଅନାୟାସରେ କଲେଜର ପାଠ ଶେଷ କରି ସେ ନିଶ୍ଚୟ ଫେରି ଆସି ପାରିବେ ।

 

ଏହିପରି ଭାବରେ ବର୍ଷେ କଟିଗଲା । ଦ୍ୱିତୀୟ ବର୍ଷର ଶରତ୍‍ କାଳରେ ଦିନେ ଆକାଶ ଆଡ଼କୁ ଅନାଇଦେଲା କ୍ଷଣି ତାଙ୍କୁ ଏହି ଦୈନିକ ପଢ଼ାଶୁଣା ଆଉ ଭଲ ଲାଗିଲା ନାହିଁ । ତାଙ୍କର ମନେ ହେଲା, କଲେଜକୁ ଯାଇ ଆଉ କଅଣ ହେବ ?

 

ଗୋଟିଏ ଦ୍ୱିଧା ଧୀରେ ଧୀରେ ଏମିତି ଭାବରେ ମଥା ଟେକୁଥିଲା । କିନ୍ତୁ ସେହି ଦ୍ଵିଧାର ଅବସାନ ଘଟିଲା । ଜୋରେଲମନକୁ ଯିବା ବାଟରେ ସେ ଦିନେ ବୁଲୁଛନ୍ତି, ଏମିତି ସମୟରେ ଜଣେ ଦୋକାନୀର ପୁଅ ଆସି ହଠାତ୍ ତାଙ୍କୁ ପଚାରିଲା— କେବେ ଆପଣ କଲେଜକୁ ଯାଉଛନ୍ତି-?

 

ଏହି ପ୍ରଶ୍ନରେ ନୁଟଙ୍କର ସମସ୍ତ ଦେହ ଯେମିତି କ୍ରୋଧର ବହ୍ନିର ପ୍ରଜ୍ଜ୍ଵଳିତ ହୋଇଗଲା । ତାଙ୍କର ଖେତ କାମରେ ଫାଙ୍କି ଦେଲେ ତାଙ୍କର ଥାବା ଭଳି ଦୁଇଟି ପ୍ରକାଣ୍ଡ ହାତରେ ସେ ଯେମିତି ନିଜର ମୂଳିଆଙ୍କ ବେକ ମୋଡ଼ି ଦେଉଥିଲେ, ତାଙ୍କର ମନେ ହେଲା ସେହି ଦୋକାନୀର ପୁଅର ବେକଟା ଆଜି ସେମିତି ସେ ମୋଡ଼ି ଦିଅନ୍ତେ ଏବଂ ତାହାର ବେକର ହାଡ଼ଟା ଭାଙ୍ଗି ଦିଅନ୍ତେ । ରହସ୍ୟ ଗପ ପାଇଁ ତଥ୍ୟ ସଂଗ୍ରହ କରିବାକୁ ସେ କଅଣ ଆଉ କେଉଁ ଜାଗା ପାଇଲା ନାହିଁ ? ରାଗରେ ଫୁଲିଯାଇ ସାତ ମାଇଲ ବାଟ ଧାଇଁ ଧାଇଁ ସେ ତାଙ୍କ ଘରକୁ ଫେରି ଆସିଲେ । ତା ପରେ ବିରାଡ଼ି ‘ରାଜକୁମାରୀ’କୁ କାନ୍ଧରେ ବସାଇ ସେ ପୁଣି ଘରୁ ବାହାରି ପଡ଼ିଲେ ।

 

ସେତେବେଳେ ସନ୍ଧ୍ୟା କାଳୀନ ଆକାଶରେ ଅସ୍ତମିତ ସୂର୍ଯ୍ୟଙ୍କର ରକ୍ତାଭ ଅଲୋକ ପ୍ଳାବନ ହୋଇଥିଲା । ସ୍ତବ୍ଧ ହୋଇ ନୁଟ୍ ସେହି ଉଦ୍ଭାସିତ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଥିଲେ-। ସାମନାରେ ଶର ବନ ପବନରେ ଦୋହଲୁଥିଲା, ଯେମିତି ତାର ତରଙ୍ଗିତ ସବୁଜ ମଥା ଏକ ସମୟରେ ସେହି ଆକାଶ ସ୍ପର୍ଶ କରି ଗୋଟାଏ ଅପୂର୍ବ ରାଜ୍ୟ ସୃଷ୍ଟି କରିବ । ଅକସ୍ମାତ୍ ନୁଟ୍ ସେହି ଶର ବନ ଆଡ଼କୁ ଧାଇଁଗଲେ ଏବଂ ତା ପରେ ଉଚ୍ଚ କଣ୍ଠରେ ଘୋଷଣା କଲେ—ମୁଁ କଲେଜରେ ଭର୍ତ୍ତି ହେବି । ଆଗାମୀ ସପ୍ତାହରେ କଲେଜ ଖୋଲୁଛି । ମନେ ହେଉଛି, ପ୍ରବେଶିକା ପରୀକ୍ଷାରେ ମୁଁ ଉତ୍ତୀର୍ଣ୍ଣ ହୋଇ ପାରିବି ।

 

ଦୁଇ ଦିନ ପରେ ସବୁ ଜିନିଷପତ୍ର ସାଙ୍ଗରେ ଧରି ‘ରାଜକୁମାରୀକୁ’ ଝିଅ-ଜୋଇଁଙ୍କ ଘରେ ରଖିଦେଇ ସେ ନିଉୟର୍କ ଅଭିମୁଖରେ ଯାତ୍ରା କଲେ । ସେ ପରିଧାନ କରିଥିଲେ କଳା ରଙ୍ଗର କମିଜ, ଗୋଟାଏ ନୂଆ ଟୋପି ଓ ସେଲୁଲୟେଡ଼ର କଲାର । କମ୍ପିତ ଓ ସଂଶୟ ବିଜଡ଼ିତ ହୃଦୟରେ ସେ ସମସ୍ତ ପଥ ଅତିକ୍ରମ କରି ଦିନେ ନିଉୟର୍କରେ ଆସି ପହଞ୍ଚିଲେ । ସେ ଏଲ୍ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଦେଲେ ଏବଂ କୌଣସି ମତେ ପରୀକ୍ଷାରେ ବି ଉତ୍ତୀର୍ଣ୍ଣ ହେଲେ । ସେ ହଷ୍ଟେଲରେ ରହିବା ପାଇଁ ଘର ପାଇଲେ ଏବଂ ରେଗ୍ରିବିଲ ନାମକ ଜଣେ ସାଙ୍ଗ ମଧ୍ୟ ପାଇଗଲେ । ରେଗ୍ରିବିଲ୍‍କୁ ଆତ୍ମୀୟ ବୋଲି ଗ୍ରହଣ କରିବାକୁ ନୁଟ୍ ପ୍ରଚେଷ୍ଟା କଲେ କଅଣ ହେବ, ସେ ଯେତେବେଳେ ଅବଗତ ହେଲା ଯେ ନୁଟ୍ ଜୀବନରେ କୌଣସି ଉନ୍ନତି କରିବା ପାଇଁ କଲେଜକୁ ଆସି ନାହାନ୍ତି, ମାତ୍ର ସାହିତ୍ୟ ଚର୍ଚ୍ଚା ପାଇଁ ଆସିଛନ୍ତି, ସେତେବେଳେ ସେ ତାଙ୍କ ବିରୁଦ୍ଧରେ ଗଲା । କଲେଜରେ ଭର୍ତ୍ତି ହେବା ପୂର୍ବରୁ ସେ ଶିକ୍ଷକ ଥିଲା । ଶିକ୍ଷକୋଚିତ ଗାମ୍ଭୀର୍ଯ୍ୟ ଓ ହୃଦୟହୀନତା ସହକାରେ ସେ ନୁଟ୍‍ଙ୍କର ପ୍ରଥମ ପରିଚୟ ପରେ କହିଲା— ଆପଣଙ୍କର ବୟସ ତ ଖୁବ୍ ବେଶି ହେଲାଣି । କାବ୍ୟ ଚର୍ଚ୍ଚା କରି ତ କୌଣସି ଲାଭ ହେବ ନାହିଁ । ମୋର ଅଭିଜ୍ଞତାରୁ ଆପଣଙ୍କୁ କହୁଛି ଯେ ବାଇବେଲ, ଲାଟିନ ଭାଷା ଓ ଗଣିତ ଆଲୋଚନା କଲେ ଆପଣଙ୍କ ପକ୍ଷରେ ସୁଷ୍ଠୁ ଓ ସଦ୍‍ବିବେଚନାର କାର୍ଯ୍ୟ ହେବ ।

 

ରେଗ୍ରିବିଲର କଥାରେ ନୁଟ୍ ପ୍ରଚଣ୍ଡ ଆଘାତ ପକାଇଲେ । ତଥାପି ତାଙ୍କର ଆଶାବାଦୀ ମନ ଛଳନା କଲା ଯେ, ସେ ଏ କଥାରେ ଆଦୌ ବିଚଳିତ ହୋଇ ନାହାନ୍ତି । ସ୍ଥାନୀୟ ଜୀବନ ଯାତ୍ରାର ପ୍ରଣାଳୀ ସହିତ ନିଜକୁ ପରିଚିତ କରାଇନେବା ପାଇଁ ସେ ଉତ୍ସୁକ ହୋଇ ପଡ଼ିଲେ । କିନ୍ତୁ ତାଙ୍କର ଏହି ଆଗ୍ରହ ପ୍ରତି ପଦେ ପଦେ ଅଶୋଭନୀୟ ବୋଲି ପ୍ରତିଭାତ ହେଲା । ଶ୍ରେଣୀରେ ସହପାଠୀଙ୍କ ଲାବଣ୍ୟ-ଦୀପ୍ତ ତରୁଣ ମୁଖ ମଣ୍ଡଳ ଭିତରେ ତାଙ୍କର ଧଳା ଦାଢ଼ି ଓ ରେଖା ସଙ୍କୁଳ ମୁଖ ସମସ୍ତଙ୍କ ଦୃଷ୍ଟିରେ ହାସ୍ୟକର ବୋଧ ହେଲା । ମନେ ହେଲା ନୁଟ୍ ଯେମିତି ତାଙ୍କର ପିଲାଙ୍କ ମେଳରେ ପିତାର ଆସନରେ ବସିଛନ୍ତି । କୌଣସି ମତେ ସେ ସହଯୋଗୀ ହୋଇ ନ ପାରନ୍ତି ।

 

କଲେଜ ସମ୍ବନ୍ଧରେ ତାଙ୍କର ଯେଉଁ ଧାରଣା ଥିଲା ତାହା ଯେ ଭୁଲ, ତାର ପ୍ରମାଣ ନୁଟ୍ ଧୀରେ ଧୀରେ ପାଇଲେ । ସେ ଦେଖିଲେ, ଯେଉଁମାନେ ଫୁଟବଲ ଭଲ ଖେଳନ୍ତି, ଏବଂ ଟଙ୍କା ଖର୍ଚ୍ଚ କରି ଫୂର୍ତ୍ତି କରି ବୁଲନ୍ତି, ଲୋକେ ସେମାନଙ୍କୁ ବେଶି ପସନ୍ଦ କରନ୍ତି । ଯେଉଁମାନେ ଶ୍ରମଶୀଳ ଓ ଜ୍ଞାନ ପିପାସୁ, ସେମାନଙ୍କ ସମ୍ବନ୍ଧରେ ଲୋକଙ୍କର ଆଗ୍ରହ ନାହିଁ— କହିଲେ ଅତ୍ୟୁକ୍ତି ହେବ ନାହିଁ । ଖାଲି ସେତିକି ନୁହେଁ, ସେମାନେ ଆନ୍ତରିକତା ସହକାରେ ଯାହାକୁ ଗ୍ରହଣ କରିବାକୁ ଅକ୍ଷମ, ଅମ୍ଳାନ ବଦନରେ ତାହାକୁ ପ୍ରିୟ ବୋଲି ସ୍ଵୀକାର କରିବାକୁ କୁଣ୍ଠା ବୋଧ କରନ୍ତି ନାହିଁ ଏବଂ ସେଥିପାଇଁ ସେମାନଙ୍କ ବ୍ୟବହାରରେ କୌଣସି ପ୍ରକାର ଲଜ୍ଜା ପ୍ରକାଶ ପାଏ ନାହିଁ । ସେମାନଙ୍କୁ ଦେଖି ନୁଟ୍‍ଙ୍କର ପୁରୁଣା ଦିନର କଥା, ଅତୀତର ଗୋଟାଏ ଛାୟାମ୍ଳାନ ଛବି ମନେ ପଡ଼ିଗଲା— ଯେତେବେଳେ ତାଙ୍କ ଖେତରେ ଫସଲ-କଟା ସମୟ ଆସେ, ସେତେବେଳେ ମୂଲିଆମାନେ ଠିକ୍ ଏମିତି ଭାବରେ ଆଚରଣ ଦେଖାନ୍ତି, କଥା କହନ୍ତି ଏବଂ ଦିନ ଯାପନ କରି ଚାଲିଯାଆନ୍ତି ।

 

ନୁଟ୍‍ଙ୍କର ନିକଟରେ ଆଉ ଗୋଟିଏ ଦିଗର ଆଲେଖ୍ୟ ଉନ୍ମୋଚିତ ହେଲା । ଏହି ଛାତ୍ରମାନେ କାବ୍ୟ ଓ ଚିନ୍ତାନୁରାଗୀମାନଙ୍କୁ ଭୟଙ୍କର ଘୃଣା କରନ୍ତି । ଗିଲବାର୍ଟ ଓୟାସବର୍ଣ୍ଣ ଧନୀର ସନ୍ତାନ ଥିଲା । ସେ ଅବଶ୍ୟ ଏହି ଦଳର ବାହାରେ ଥିଲା । ନିଜର ଖିଆଲରେ ସେ ଜଣେ ଆତ୍ମହରା ତରୁଣ । ତା ଉପରେ ସେମାନଙ୍କର ଯେ କି ପ୍ରଚଣ୍ଡ ବିଦ୍ୱେଷ, ନୁଟ୍ ତାର ପରିଚୟ ପାଇ ସ୍ତମ୍ଭୀତ ହୋଇଗଲେ । ସଂସାରରେ ଉନ୍ନତି କରିବା ପାଇଁ ଗିଲବାର୍ଟର କୁଆଡ଼େ କୌଣସି ଇଚ୍ଛା ନଥିଲା । ସୁତରାଂ କଲେଜକୁ ପଢ଼ିବା ପାଇଁ ଆସିବାର ଏହି ସୌଖିନତା ଲାଗି କଅଣ ସେ କ୍ଷମାର ଯୋଗ୍ୟ ? ସେମାନଙ୍କର ଏହି ଆଲୋଚନା ଶୁଣି ଶୁଣି ନୁଟ୍ ନିଜ ସମ୍ବନ୍ଧରେ ଶଙ୍କିତ ହୋଇ ପଡ଼ିଲେ-। ଭାବୁଁ ଭାବୁଁ ତାଙ୍କର ମନେ ହେଲା, ସେ ଜଣେ ଆଦର୍ଶହୀନ ସତ୍ ପଥଚ୍ୟୁତ ଲୋକ । କାହିଁକି ବା ସେ କଲେଜକୁ ଆସିଲେ ?

 

ଦିନଗୁଡ଼ିକ ଏହିପରି ଭାବରେ କଟି ଯିବାକୁ ଲାଗିଲା । ତାଙ୍କର ସମସ୍ତ ପ୍ରୟାସ ନିଷ୍ଫଳ ହେଲା । ନୁଟ୍ କୌଣସି ସାଙ୍ଗ ସାଥୀ ପାଇଲେ ନାହିଁ । ତାଙ୍କ ଶ୍ରେଣୀର ପିଲାମାନେ ତାଙ୍କଠାରୁ ଦୂରରେ ରହିଲେ । କେହି ତାଙ୍କ ସାଙ୍ଗରେ ମିଶିଲେ ନାହିଁ, କାରଣ କାଳେ କିଏ କହିଦେବ ଯେ ସେମାନେ ବୁଢ଼ା ହୋଇ ଯାଉଛନ୍ତି ।

 

ବର୍ତ୍ତମାନ ବି ତାଙ୍କ ଦେହରେ ଅପରିମିତ ଶକ୍ତି ଥିଲା । ସେ ସ୍ଥିର କଲେ, ବ୍ୟାୟାମ-ବୀରମାନଙ୍କ ସାଙ୍ଗରେ ସେ ବନ୍ଧୁତ୍ୱ କରିବେ । ‘ଏଲ୍’ର ଖେଳ ପଡ଼ିଆକୁ ଯାଇ ସେ ଫୁଟବଲ ଖେଳାଳୀମାନଙ୍କ ସାଙ୍ଗରେ ଆଳାପ କରିବା ପାଇଁ ଚେଷ୍ଟା କଲେ ଏବଂ ସେମାନଙ୍କୁ ନାନା ପ୍ରକାର ପ୍ରଶ୍ନ ପଚାରିବାକୁ ଲାଗିଲେ । ସେମାନେ ସବିସ୍ମୟରେ ତାଙ୍କ ମୁହଁ ଆଡ଼କୁ ଚାହିଁ ରହିଲେ । ବିରକ୍ତି ପ୍ରକାଶ କରି କେହି କେହି ତାଙ୍କ ପ୍ରଶ୍ନର ଉତ୍ତର ଦେଲେ । ଶେଷକୁ ସେମାନେ ସରଳ ଭାଷାରେ ଜଣାଇଦେଲେ ଯେ ନୁଟ୍‍ଙ୍କର ମଥାରେ କିଛି ଗୋଳମାଳ ହୋଇଛି ।

 

ଯେଉଁ ଉଜ୍ଜ୍ଵଳ ମହିମାର ଅତୁଳନୀୟ ସୌନ୍ଦର୍ଯ୍ୟରେ ପ୍ରଥମ ଦିନ ତାଙ୍କର ମନ ରେଖାଙ୍କିତ ହୋଇ ଯାଇଥିଲା, ସେହି ଔଜ୍ଜ୍ଵଲ୍ୟ କ୍ରମେ କ୍ରମେ ମ୍ଳାନ ହେବାକୁ ବସିଲା । ସେହ ଧ୍ଵଂସୋନ୍ମୁଖ ମହିମା ସ୍ଥାନରେ ତାଙ୍କ ମନରେ ଜାଗରିତ ହେବାକୁ ଲଗିଲା ଯେ ହାଭାର୍ଡ଼ ସାଙ୍ଗରେ ‘ଏଲ୍’ ପ୍ରାଙ୍ଗଣରେ ଓ ‘ଏଲ୍’ର ପ୍ରାଙ୍ଗଣ ସାଙ୍ଗରେ ଜୋରେଲମନର ପ୍ରାନ୍ତରର କୌଣସି ପାର୍ଥକ୍ୟ ଅସ୍ତିତ୍ୱହୀନ । ସରସ୍ଵତୀଙ୍କର ସେହି ଶୁଭ ଶ୍ୱେତ ପ୍ରସ୍ତର ନିର୍ମିତ ମନ୍ଦିର ତାଙ୍କ ମନରୁ ଅତୀତ ଦିନର ସ୍ମୃତି ଭଳି ବିଲୀନ ହୋଇଗଲା ଏବଂ ସେଠାରେ ଇଟା ଓ ପଥରର କେତେଗୁଡ଼ିଏ ସ୍ଥାପତ୍ୟ ଉଦ୍ଭୁତ ହେଲା । ଆଉ ସେହି ସ୍ଥାପତ୍ୟର ପ୍ରତି ସ୍ତରରେ ଆମ୍ଭ ବିଶ୍ଵାସୀ ଓ ମର୍ଯ୍ୟାଦାହୀନ ଯୁବକଙ୍କ ଦଳ ଆସି ଝରକା କତିରେ ରୁଣ୍ଡ ହୋଇ ତାଙ୍କୁ ପର୍ଯ୍ୟବେକ୍ଷଣ କରିବାକୁ ଲାଗିଲେ । ସେହି ଅନୁସନ୍ଧିସୁ ଦୃଷ୍ଟିରେ ସେମାନେ ନୁଟ୍‍ଙ୍କର ପଳାୟନ ପ୍ରଚେଷ୍ଟାକୁ ପରମ କୌତୁକ ବୋଲି ଉପଭୋଗ କରିବାକୁ ଲାଗିଲେ ।

 

ତା ପରେ ସେ ଆଉ ଗୋଟାଏ ଅଘାତ ପାଇଲେ । ଗାରଗାନ-ଟୁୟାନର କମନ୍‍ସ ହଲରେ ନୁଟ୍ ଭୋଜନ କରୁଥିଲେ। କିନ୍ତୁ ତାଙ୍କୁ ତାହା ପରିତ୍ୟାଗ କରିବାକୁ ପଡ଼ିଲା । ପ୍ରତି ଦିନ ଭୋଜନ ବେଳେ ଦୁଇ ଜଣ ଯୁବକ ତାଙ୍କର ଦାଢ଼ି ବିଷୟରେ ଅନବରତ ଆଲୋଚନା କରୁଥିଲେ । ପ୍ରଥମେ ମଜା କରିବା ପାଇଁ ଜନ ଅଟକିନସନ ଲୋକଙ୍କୁ ଜଣାଇ ଦେଲା ଯେ ନୁଟ୍ ବୁଢ଼ା ବୟସରେ କଲେଜକୁ ଆସିଛନ୍ତି । କାଳେ କେହି ମନେ କରିପାରେ ଯେ ତାଙ୍କର ବୟସ ହୋଇ ନାହିଁ, ସେଥିପାଇଁ ନୁଟ୍ ସଯତ୍ନରେ ଦାଢ଼ି ରଖିଛନ୍ତି । ଦ୍ଵିତୀୟ ଲୋକଟିର କଥା ନ କହିବା ବରଂ ଭଲ । ପ୍ରତି କଥାରେ ଭୋଜନ ଟେବୁଲ ହାସ୍ୟ କଳରବରେ ଉଚ୍ଚକିତ ହେବାକୁ ଲାଗିଲା । ଦୁଇ ଜଣ ଭଦ୍ର ଯୁବକଙ୍କର ସମ୍ମିଳିତ ଆକ୍ରମଣର ଆଘାତ ନୁଟ୍ ଆଦୌ ସହ୍ୟ କରି ପାରିଲେ ନାହିଁ । ତେଣୁ ସେ ବାଧ୍ୟ ହୋଇ ‘ବ୍ଳାକ କ୍ୟାଟ’ରେ ଭୋଜନର ବ୍ୟବସ୍ଥା କଲେ ।

 

କ୍ରମେ ତାଙ୍କର ଜୀବନ ଦୁର୍ବହ ହୋଇ ପଡ଼ିଲା । ତାଙ୍କର କୌଣସି ବନ୍ଧୁ ନ ଥିଲେ କି ସେ କେଉଁଠୁ ସହାନୁଭୂତି ପାଇଲେ ନାହିଁ । ଦିବାଲୋକର ଆଘାତରେ ଯେମିତ ରାତିର ସ୍ଵପ୍ନ ନିଶ୍ଚିହ୍ନ ହୋଇ ଯାଇଛି । ଯେଉଁ ଆକର୍ଷଣ ତାଙ୍କୁ ଏଠାକୁ ଟାଣି ଆଣିଥିଲା, ତାହା ଯେମିତ କୁଆଡ଼େ ଅନ୍ତର୍ହିତ ହୋଇଗଲା । ନିଜର ସେହ କୁଟୀର ଆଗରେ ଆସନ ପକାଇ ଘଣ୍ଟା ଘଣ୍ଟା ଧରି ପଢ଼ିବା ସମୟରେ ଯେଉଁ ଆନନ୍ଦ ତାଙ୍କୁ ଉଦବେଳିତ କରି ରଖୁଥିଲା, କାହିଁ ସେହି ଆନନ୍ଦ-ଲୋକ ! ଏଠାରେ ପଢ଼ିବା ସମୟରେ ତାଙ୍କର ମନେ ହେଉଥିଲା, ସେ ଯେମିତି ଦିନ-ମଜୁରିଆ ପରି ଦିନ ସାରା ଅମାନୁଷିକ ପରିଶ୍ରମ କର ଖଣ୍ଡିକ ପରେ ଖଣ୍ଡିଏ ବହି ପଢ଼ି ଯାଉଛନ୍ତି । ଯଦି ସେ ତିଳେ ମାତ୍ର ଉତ୍ସାହ କିମ୍ବା ସହାନୁଭୂତି କୌଣସି ଲୋକ ଠାରୁ ପାଉ ଥାଆନ୍ତେ, ଏହି ପରିଶ୍ରମ ତାଙ୍କୁ କୌଣସି ମତେ କଠୋର ବୋଲି ମନେ ହେଉ ନ ଥାଆନ୍ତା । କାହା ନିକଟରୁ ଆଜି ସେ ତାହା ପ୍ରତ୍ୟାଶା କରିବେ ? ତାଙ୍କର ପରିବେଷ୍ଟନକାରୀ ତରୁଣ ଦଳ ଭାବୁଥିଲେ, କିପରି ଭାବରେ ସେମାନେ ବଡ଼ ବ୍ୟବସାୟୀ ହୋଇ ଟଙ୍କା ଲୁଟିବେ, ଆଉ କିପରି ଭାବରେ ବଡ଼ କ୍ରୀଡ଼ାବିତ୍ ହୋଇ ଜଗତରେ ନାମ ଅର୍ଜନ କରିବେ । ଛାତ୍ର ଛଡ଼ା ଶିକ୍ଷକମାନେ ବି ଥିଲେ । ସେମାନେ କୌଣସି ମତେ ପାଠ ପଢ଼ାଇ ଖାତାରେ ନମ୍ବର ଦେଇ ସାରିଲେ ସେମାନଙ୍କ କର୍ତ୍ତବ୍ୟ ଶେଷ ହେଲା ବୋଲି ମନେ କରୁଥିଲେ ।

 

ରଣାଙ୍ଗନର ସୀମାନ୍ତରେ ଆହତ, କ୍ଳାନ୍ତ ଏବଂ ଆନନ୍ଦହୀନ ସୈନିକ ଭଳି ଯେତେବେଳେ ତାଙ୍କର ଦିନଗୁଡ଼ିକ ଧୀର ମନ୍ଥର ଗତିରେ ବିତି ଯାଉଥିଲା, ସେତିକିବେଳେ ନୁଟ୍ ଅକସ୍ମାତ୍ ଜଣେ ତରୁଣର ସନ୍ଧାନ ପାଇଲେ । ସେ ତାରୁଣ୍ୟର ଦୀପ୍ତିରେ ଗରୀୟାନ ଥିଲା ।

 

ନୁଟ୍ ଶୁଣିଲେ ସେ କଲେଜରେ ସବୁ ଠାରୁ ଜନପ୍ରିୟ ଅଧ୍ୟାପକ ବ୍ରାଉନିଂ ଶ୍ରେଣୀରେ ପଢ଼ାଇବା ବେଳେ ଛାତ୍ରମାନଙ୍କୁ ‘ଅଜବ ଦେଶରେ ଏଲିସ’ ବହିଟା ପଢ଼ିବାକୁ ଉପଦେଶ ଦେଉଥିଲେ । ନୁଟ୍‍ଙ୍କର ମନରେ କଥାଟା ବାଜିଲା । ଗୋଟାଏ ପୁରୁଣା ବହି ଦୋକାନରୁ ସେହ ଦିନ ଦିପହରେ ସେହ ବହି ଖଣ୍ଡିଏ କିଣି ଆଣି ସେ ବିଛଣାରେ ଶୋଇ ରହି ପଢ଼ୁଛନ୍ତି, ଏହି ସମୟରେ ସେ ଆସି ତାଙ୍କ ଘରେ ପ୍ରବେଶ କଲା ।

 

ନୁଟ୍‍ଙ୍କର ହାତରେ ବହି ଖଣ୍ଡିକ ଦେଖି ସେ ଭ୍ରୂକୁଞ୍ଚନ କଲା ଏବଂ ତା ପରେ କାଚ ଭଳି ସବୁଜ ଆଖି ନୁଟ୍‍ଙ୍କର ମୁହଁ ଉପରେ ରଖି ସେ କହିଲା ଏଣୁ ତେଣୁ ବହିଗୁଡ଼ାକ ପଡ଼ି ଆପଣ କାହିଁକି ସମୟ ନଷ୍ଟ କରୁଛନ୍ତି ? ଯଦି ପଢ଼ି ଆନନ୍ଦ ପାଇବାକୁ ଚାହାଁନ୍ତି ତ, ତାହା ହେଲେ ସେକ୍ସପିୟାର ପଢ଼ନ୍ତୁ, ‘ପାରାଡ଼ାଇଜ ଲଷ୍ଟ’ ପଢ଼ନ୍ତୁ !

 

ସେ ଘରୁ ବାହାରିଗଲା । ନୁଟ ନିଶ୍ଚଳ ହୋଇ ପଡ଼ି ରହିଲେ । ‘ଅଜବ ଦେଶରେ ଏଲିସ’ ବହିଟା ତାଙ୍କ ହାତରୁ ଖସି ପଡ଼ିଲା ।

 

ତା ପରେ ବେଳ ହେବାରୁ ସେ ବିଛଣାରୁ ଉଠି ପଡ଼ିଲେ ଏବଂ ଇତିହାସ ଶ୍ରେଣୀକୁ ଚାଲିଗଲା । ଇତିହାସର ଅଧ୍ୟାପକ ହେଉଛନ୍ତି ବେଲ୍‍ଭିନ୍‍ସ । ସେ ପି.ଏଚ. ଡି. ଡିଗ୍ରୀଧାରୀ ।

 

ବେଲ୍‍ଭିନ୍‍ସ ଭଲ ପଢ଼ାନ୍ତି । ତାରିଖ ଓ ମସିହା ଧରି ସଠିକ୍ ଘଟଣାର ସମୟ ଖୋଜି ବାହାର କରିବାରେ ତାଙ୍କର ପ୍ରୟାସ ଅଦ୍ୟମ ଓ ଆଦର୍ଶ ସ୍ଥାନୀୟ । ଏହି ତରୁଣ ଅଧ୍ୟାପକଙ୍କ ଅଧ୍ୟବସାୟ ନୁଟ୍‍ଙ୍କର ଖୁବ୍ ଭଲ ଲାଗୁଥିଲା ।

 

ସେ ତନ୍ମୟ ହୋଇ ବେଲ୍‍ଭିନ୍‍ସ ବତ୍କୃତା ଶୁଣୁ ଶୁଣୁ ସହସା ଚମକି ପଡ଼ିଲେ । ତାଙ୍କ ପଛରେ ବସି କେତେ ଜଣ ଛତ୍ର ‘ପୋକାର’ ଖେଳୁଥିଲେ । ନୁଟ୍ ଚଞ୍ଚଳ ହୋଇ ପଡ଼ିଲେ । ସେ ଥରେ ପଛକୁ ଫେରି ଚାହିଁଲେ । ତାଙ୍କୁ ଅନାଇବାର ଦେଖି ଖେଳାଳୀମାନେ ହସିଦେଲେ, ମାତ୍ର ସେମାନେ ଅପ୍ରସ୍ତୁତ ହେଲେ ନାହିଁ କିମ୍ବା ଖେଳ ବନ୍ଦ କରିଦେଲେ ନାହିଁ । ବେଲ୍‍ଭିନ୍‍ସ ନଜର ବି ସେ ଆଡ଼େ ପଡ଼ିଲା । ସେ ବୁଝି ପାରିଲେ, ସେଠାରେ ଗୋଟାଏ କିଛି ଅନିୟମ ଘଟିଛି । ଥରେ ଭ୍ରୂକୁଞ୍ଚିତ କରି ସେ ପୁଣି ପଢ଼ାଇବାକୁ ଲାଗିଲେ, ମାତ୍ର ସେମାନଙ୍କୁ କିଛି କଥା ପଚାରିଲେ ନାହିଁ କି କିଛି କହିଲେ ନାହିଁ ।

 

ଆକସ୍ମାତ ନୁଟ୍‍ଙ୍କ ହୃଦୟ ଦୁଃଖରେ ଆଲୋଡ଼ିତ ହେବାକୁ ଲାଗିଲା । ତାଙ୍କର ମନେହେଲା, ବେଲ୍‍ଭିନ୍‍ସ ଗୋଟିଏ ଛୋଟ ବାଳକ— ସେ ଅସହାୟ, ଅତ୍ୟାଚାରିତ ହେଲେ ସୁଦ୍ଧା ଅତ୍ୟାଚାର ପ୍ରତିକାର କରିବା ତାଙ୍କ ପକ୍ଷରେ ସମ୍ଭବପର ନୁହେଁ ।

 

ବେଲ୍‍ଭିନ୍‍ସ ପଢ଼ା ଶେଷ ହେଲା— ପିଲାମାନେ ସମସ୍ତେ ବାହାରିଗଲେ । ନୁଟ୍‍ ବେଲ୍‍ଭିନ୍‍ସ ଆଗକୁ ଆସି ଜଣାଇଲେ—ଅଧ୍ୟାପକ ମହୋଦୟ, ଆଜି ଯେଉଁ କାରଣରୁ ଆପଣ ବିରକ୍ତ ହୋଇଛନ୍ତି, ଯଦି କହନ୍ତି ମୁଁ ତାର ଦାୟିତ୍ୱ ନେବି । କାଲିଠାରୁ ଆଉ ସେମିତି କିଛି ଘଟିବ ନାହିଁ ।

 

ଅଧ୍ୟାପକ ବେଲ୍‍ଭିନ୍‍ସ ନୁଟ୍‍ଙ୍କୁ ମୁହଁକୁ ଥରେ ଭଲ କରି ଚାହିଁଲେ ଏବଂ ତା ପରେ ଭଦ୍ର ଭାବରେ ଅଥଚ କଣ୍ଠ ସ୍ୱରରେ ସମ୍ପୂର୍ଣ୍ଣ ଉପେକ୍ଷା ଫୁଟାଇ କହିଲେ—ଆକସେଲବ୍ରଡ଼, ତୁମକୁ ଅନେକ ଧନ୍ୟବାଦ କିନ୍ତୁ ମୋର ତୁମ ସାହାଯ୍ୟରେ କୌଣସି ପ୍ରଯୋଜନ ନାହିଁ । ଦେଖ, ତୁମକୁ ମୋର ଗୋଟାଏ କଥା କହିବାର ଅଛି । ମୋର ମନେ ହୁଏ, ଶ୍ରେଣୀରେ ଯେ କୌଣସି ପ୍ରଶ୍ନର ତୁମେ ଖୁବ୍ ଲମ୍ୱା ଉତ୍ତର ଦିଅ, ଆଉ ସେହି ସମୟରେ ବି ତୁମେ ହସୁଥାଅ । ମୋତେ ଉପହାସ କରିବା ପାଇଁ ଯେମିତି ତୁମର ଏହି ହସ ଝଲସି ଉଠେ । ମୁଁ ଜଣେ, ମୋର ଚେହେରାଟା ହସ ହସ, କିନ୍ତୁ ସେଥିପାଇଁ ଶ୍ରେଣୀରେ ତୁମର କଅଣ ହସିବାଟା ଉଚିତ ?

 

ନା, ନା, ଅଧ୍ୟାପକ ମହୋଦୟ, ଆପଣ ଯେ ମୋତେ କଅଣ କହୁଛନ୍ତି —ନୁଟ୍ ଆର୍ତ୍ତନାଦ କରି କହି ପକାଇଲେ । ମୁଁ କଅଣ କେବେ ଆପଣଙ୍କୁ ଉପହାସ କରିପାରେ ? ଯଦି ମୁଁ କେବେ ହସିଥାଏ, ଆପଣ ଜାଣିବେ ଯେ ବୁଢ଼ା ବୟସରେ ମୁଁ କିଛି ଶିଖି ପାରିଛି ବୋଲି ଆତ୍ମ ପ୍ରସାଦ ଲାଭ କରି ହସି ଦେଇଛି ।

 

ବେଶ୍, ବେଶ୍ । ତଥାପି ଦେଖ, ହସଟା ବନ୍ଦ ରଖିଲେ ବି ତୁମର ଶିକ୍ଷା ହେବ ଏବଂ ତୁମେ ଆତ୍ମ ପ୍ରସାଦ ବି ଲାଭ କରି ପାରିବ—କହି ବେଲ୍‍ଭିନ୍‍ସ ଚାଲିଗଲେ ।

 

ସେହି ଜନହୀନ ଶ୍ରେଣୀରେ ନୁଟ୍ ନିସ୍ତବ୍ଧ, ପରିତ୍ୟକ୍ତ କିମ୍ବା ନିର୍ବାସିତ ହୋଇ ବସି ରହିଲେ । ତାଙ୍କର ପୁଣି ମନେ ହେଲା, ତାଙ୍କର ବୟସ ହୋଇଥିବାରୁ ଚତୁର୍ଦ୍ଦିଗରେ ବିରାଜିତ ପୃଥିବୀ ନିକଟରେ ତାଙ୍କର ବୃଦ୍ଧ ମୁଖର ହସର ଉଚ୍ଛ୍ଵାସ ବି ଆଜି ଅସହ୍ୟ ବୋଧ ହେଉଛି ! ନୁଟ୍ ବସି ରହିଲେ । ଖୋଲା ଝରକା ବାଟେ ଗ୍ରୀଷ୍ମର ଶେଷ ଆଲୋକ ସେହି ଘରକୁ ପ୍ରାଣବନ୍ତ କରି ଅପୂର୍ବ ରୂପ ଦେଲା । ଖେଳ ପଡ଼ିଆରୁ ପିଲାମାନଙ୍କର ସତେଜ ଗଳାର ଆନନ୍ଦ କୋଳାହଳ ଭାସି ଆସିଲା । ଏହି ଅପରୂପ ଆଲୋକ ଓ ଆନନ୍ଦୋଚ୍ଛ୍ଵାସ ଆଜି ଆଉ ଏହି ବୃଦ୍ଧ ଶରତ୍ ସୌନ୍ଦର୍ଯ୍ୟର ପୂଜାରୀଙ୍କୁ ଭାବ ମୁଖର କରି ପାରିଲା ନାହିଁ । ସେ ସ୍ଥିର ହୋଇ ଆଗକୁ ଅନାଇ ବସି ରହିଲେ—ତାଙ୍କର ସମସ୍ତ ଦୃଷ୍ଟି ଯେମିତି ସେହି କଳାପଟା ଉପରେ ଆବଦ୍ଧ ହୋଇ ଯାଇଥିଲା । ଏହିପରି ଭାବରେ କିଛି କ୍ଷଣ ଅତିବାହିତ ହେଲା । ତା ପରେ ନିଜ ଅଜାଣତରେ ସେ ଜାମାର ହାତଟା ଠିକ୍ କରୁଁ କରୁଁ ଉଠି ଠିଆ ହୋଇ ପଡ଼ିଲେ । ସେତେବେଳେ ତାଙ୍କର ମାନସ ପଟ୍ଟଭୂମିକାରେ ଆଉ ଖଣ୍ଡିଏ ଚିତ୍ର ପ୍ରକଟିତ ହୋଇଥିଲା । କୁଟୀର ସାମନାରେ ତାଙ୍କର ଚଉକି ସ୍ଥାପିତ ହୋଇଛି, ତାଙ୍କ କୋଳରେ ନିଜର ବିରାଡ଼ି ‘ରାଜକୁମାରୀ’ ବସିଛି ଏବଂ ତାଙ୍କ ଆଗରେ ବିସ୍ତୃତ ପ୍ରାନ୍ତର ପ୍ରସାରିତ । ଏମାନେ ସମସ୍ତେ—ଏହି କୁଟୀର, ଏହି ଚଉକି, ଏହି ‘ରାଜକୁମାରୀ’ ଓ ଏହି ପ୍ରାନ୍ତର—ତାଙ୍କୁ ପରମ ଆତ୍ମୀୟ ବୋଲି ଜାଣନ୍ତି ଏବଂ ଦିନ ପରେ ଦିନ ଓ ରାତିର ଅବସାନାନ୍ତେ ଆଗତ ପରବର୍ତ୍ତୀ ରାତିରେ ତାଙ୍କ ସହିତ ନୀରବରେ ଭାବର ବିନିମୟ କରନ୍ତି । ଏହି କଲେଜ ଉପରେ, ସେହି ଅକାରଣ ଆନନ୍ଦୋଚ୍ଛ୍ୱାସ ଉପରେ ଓ ଏମାନଙ୍କର ଗ୍ରହଣ କରିବା ରୀତି ଉପରେ ତାଙ୍କର ସମସ୍ତ ଅନ୍ତର ନିଦାରୁଣ ବିତୃଷ୍ଣାରେ ଶୁଷ୍କ ରୁକ୍ଷ ମରୁଭୂମି ଭଳି କ୍ଷମାହୀନ ହୋଇ ପଡ଼ିଲା । ସେ ଭୁଲିଗଲେ ଯେ, ମାତ୍ର ମାସକ ଆଗରୁ ଶହ ଶହ ମାଇଲ ଅତିକ୍ରମ କରି ସେ ଏଠାକୁ ଆସିଛନ୍ତି ।

 

ନୁଟ୍ ଉଠି ପଡ଼ି ଠିଆ ହେଲେ । ସେ ଧୀର ଗତିରେ ଅଧ୍ୟାପକଙ୍କ ଟେବୁଲ ପାଖକୁ ଆସି ଅଟକିଗଲେ, ଏବଂ ତା ପରେ ସେହି ନିର୍ଜ୍ଜନ ଶ୍ରେଣୀ ଆଡ଼କୁ ଚାହିଁ ସେ ଗମ୍ଭୀର ଉଦାର କଣ୍ଠରେ କହି ପକାଇଲେ—ଯଦି ଯଥା ସମୟରେ ଏଠାକୁ ମୁଁ ଆସି ଥାଆନ୍ତି, ତାହାହେଲେ ଏଠାରେ ମୋର ଆସନ ନିର୍ଦ୍ଧାରିତ ହୋଇ ଥାଆନ୍ତା ।

 

ତହୁଁ ନୁଟ୍ ରାସ୍ତାକୁ ବାହାରି ଆସିଲେ । ସେତେବେଳେ ଚତୁର୍ଦ୍ଦିଗ ସ୍ଵର୍ଣ୍ଣ-ଆଲୋକର ତରଙ୍ଗରେ କଲ୍ଲୋଳିତ ହୋଇ ଯାଇଥିଲା । ସେହି ଆଲୋକରେ ଯାଉଁ ଯାଉଁ ଏକ ସମୟରେ ତାଙ୍କର ସମସ୍ତ ବିରୂପତା ଅନ୍ତର ଭିତରୁ ଅପସାରିତ ହୋଇଗଲା । ସେ ପୂର୍ବ ପାହାଡ଼ ଆଡ଼କୁ ଚାଲିବାକୁ ଲାଗିଲେ । ସେଠାରେ ପହଞ୍ଚି ସେ ବକ୍ଷ ପୂର୍ଣ୍ଣ କରି ନିଶ୍ୱାସ ନେଲେ । ତତ୍‍କ୍ଷଣାତ୍‍ ତାଙ୍କୁ ବୋଧ ହେଲା, ନିଉ ଇଂଲଣ୍ତର କେତେ ପ୍ରିୟ ଅନ୍ତରଙ୍ଗ କାହାଣୀ ଏହି ପବନରେ ପ୍ରଶ୍ୱାସ ହୋଇ ତାଙ୍କୁ କହିଗଲା । ତାଙ୍କର ମନେ ହେଲା, ସେହି ଅପୂର୍ବ ଆଲୋକର ଅଙ୍ଗବାସରେ ନିଜକୁ ଆବୃତ କରି ସାମନ। ପାହାଡ଼ଟା ବି ବୋଧହୁଏ ସୁନ୍ଦର ହୋଇ ଯାଇଛି । ଗଛର ପତ୍ରର କମ୍ପନରେ ଝଙ୍କୃତ ହେଉଛି ସେହି ଅଶ୍ରୁତ ସଙ୍ଗୀତ, ଯାହାକୁ ସେ ଶୁଣିବା ପାଇଁ ଚିର ଦିନ ଆଗ୍ରହରେ ଉନ୍ମୁଖ ହୋଇ ରହିଛନ୍ତି । ସେ ନିଜ ମନେ ମନେ ସହସା କହି ପକାଇଲେ—ଆଃ, ଯଦି ମୁଁ କବିତା ରଚନା କରି ପାରୁ ଥାଆନ୍ତି !

 

ପାହାଡ଼ର ଆଉ ଟିକିଏ ଉପରକୁ ଉଠି ସେ ଗୋଟିଏ ବେଞ୍ଚ ଉପରେ ଯାଇ ବସି ପଡ଼ିଲେ । ତା ପରେ ବିରକ୍ତିରେ ତାଙ୍କର ସମସ୍ତ ଅନ୍ତର ପୂର୍ଣ୍ଣ ହୋଇଗଲା । ତାଙ୍କ ଆଗରେ ଗିଲବାର୍ଟ ଓୟାସବର୍ଣ୍ଣ ବସି ରହିଥିଲା ।

 

ସେହି ଉଜ୍ଜ୍ୱଳ ଆଲୋକରେ ଗିଲବାର୍ଟକୁ ଅତିଶୟ ସୁନ୍ଦର ପ୍ରତୀୟମାନ ହେଲା । ତାହାକୁ ଦେଖୁଁ ଦେଖୁଁ ନୁଟ୍‍ଙ୍କ ମନର ସମସ୍ତ ବିତର୍କ ନିର୍ବାକ ହୋଇଗଲା । ଗିଲବାର୍ଟର ମୁହଁଟି ଖୁବ୍ କରୁଣ ଓ ବିଷଣ୍ଣ ଥିଲା ।

 

ହଠାତ୍ ତାଙ୍କର ଆଖି ସହିତ ଗିଲବାର୍ଟର ଆଖି ମିଳିଗଲା । ଗିଲବାର୍ଟ ଠିଆ ହୋଇଗଲା, ନୁଟ୍‍ଙ୍କର ସେହି ଦାଢ଼ି-ସମାଚ୍ଛନ୍ନ ମୁହଁ ଆଡ଼କୁ ଚାହିଁଲା ଏବଂ ପର ମୁହୂର୍ତ୍ତରେ ନୁଟ୍‍ଙ୍କ ପାଖରେ ଆସି ବସି ପଡ଼ିଲା । ତାହାର ପତଳା ଓଠ ଯୋଡ଼ିକ କମ୍ପାଇ ସ୍ମିତ ହସରେ ସେ ମୃଦୁ କଣ୍ଠରେ କହିଲା—ଖୁବ୍ ସୁନ୍ଦର !

 

ସେହି ହସରେ ଅନୁଭୂତିଗୁଡ଼ିକ ଯେମିତି ଉର୍ମିମାଳ ପରି ନାଚି ନାଚି ଆସି ନୁଟ୍‍ଙ୍କ ଅନ୍ତର ସମୁଦ୍ରର ସୈକତରେ ଶୁଭ୍ର ଫେନରାଜି ଲିପ୍ତ କରିଗଲେ । ମୁହୂର୍ତ୍ତକ ଭିତରେ ସେ ଉପଲବ୍ଧି କରି ପାରିଲେ, ଯାହାର ଅନୁସନ୍ଧାନରେ ସେ ଜୀବନର ଦୀର୍ଘ ପଥ ଅତିକ୍ରମ କରି ଆଜି ଏହି କଲେଜରେ ଆସି ଉପନୀତ ହୋଇଛନ୍ତି, ସେ ଏଥର ବୋଧହୁଏ ତାହା ଲାଭ କଲେ । ସେ ସ୍ପନ୍ଦିତ ହୃଦୟରେ କହିଲେ—ହଁ, ମନେ ହୁଏ, ଅର୍କୋପଲିଶ ବୋଧହୁଏ ଏମିତି ସୁନ୍ଦର !

 

ଶୁଣନ୍ତୁ ଆକସେଲବ୍ରଡ଼, ମୁଁ ଆପଣଙ୍କ କଥା ଭାବୁଥିଲି ।

 

ସତରେ ?

 

ହଁ । ଶ୍ରେଣୀରେ ସବୁ ଠାରୁ ଅବାଞ୍ଛନୀୟ ଲୋକ ହେଲୁ ଆମ୍ଭେମାନେ । ଆମ୍ଭମାନଙ୍କର ତ ବନ୍ଧୁତା ହେବା ଉଚିତ । ଯେତେବେଳେ ଆଟକିନସନ ଓ ରେ ଜୀବନରେ ଉନ୍ନତି କରିବା କଥା ଭାବନ୍ତି, ସେତେବେଳେ ଆପଣ ଓ ମୁଁ ଏପରି ଦୃଶ୍ୟ ଉପଭୋଗ କରିବା ପାଇଁ କାମ ପକାଇଦେଇ ପଳାଇ ଆସନ୍ତି । ମୋର ତ ମନେ ହେଉଛି, ଆପଣ ଓ ମୁଁ ପ୍ରାୟ ସମଧର୍ମୀ ।

 

ତୁମେ କିପରି ଜାଣିଲ ଯେ ପ୍ରକୃତିର ଆହ୍ଵାନରେ ମୁଁ ପଳାତକ ହୋଇଯାଏ ?

 

କାହିଁକି ? କମନ୍‍ସରେ ବସି ଯେତେବେଳେ ଆଟକିନସନ୍ ଆପଣଙ୍କର କଲେଜ ଆସିବା ସମ୍ବନ୍ଧରେ ଆଲୋଚନା କରୁଥିଲା, ସେତେବେଳେ ମୁଁ ବୁଝିଛି ଯେ ଆପଣ କଅଣ । ଆଚ୍ଛା, ଏକ୍ଷଣି ଦେଖନ୍ତୁ, ତ, ମୁସାତ୍‍ଙ୍କର ଏହି କାବ୍ୟ ଖଣ୍ଡିକ ଆପଣଙ୍କୁ କେମିତି ଲାଗୁଛି ?

 

ଗିଲବାର୍ଟ ପକେଟରୁ ଯେଉଁ ପତଳା ବହି ଖଣ୍ଡିକ ବାହାର କଲା, ନୁଟ୍ ଦେଖିଲେ ଯେ, ତାର ଭାଷା ସହିତ ସେ ଅପରିଚିତ । ତାଙ୍କର ଥାବା ଭଳି ପ୍ରକାଣ୍ଡ ହାତରେ ବହିଟା ନେଇ ନୁଟ୍ ଆଙ୍ଗୁଳି ବୁଲାଇଗଲେ । ତା ପରେ ସେ ମୃଦୁ କଣ୍ଠରେ ଆକ୍ଷେପ କରି ଜଣାଇଲେ—ମୁଁ ତ ଏ ଭାଷା ଜାଣେ ନାହିଁ !

 

ତାଙ୍କର ସେହି ନୈରାଶ୍ୟ-ଆକୁଳ ମୁହିଁ ଆଡ଼କୁ ଚାହିଁ ଗିଲବାର୍ଟ ସହସା କହିଲା—ଆଜି ହାର୍ଟଫୋର୍ଡ଼ରେ ଯାଶୀ ବେହେଲା ବଜାଇବା, ଚାଲନ୍ତୁ ଟିକିଏ ଶୁଣି ଆସିବା । ମୁଁ ସଙ୍ଗୀ ପାଇଲି ନାହିଁ । ତା ନ ହେଲେ ଏତେ ବେଳକୁ ମୁଁ ଚାଲିଯାଇ ସାରନ୍ତିଣି ।

 

ଯାଶୀ ଯେ କିଏ, ନୁଟ୍ ସେ କଥା ଜାଣି ନ ଥିଲେ । ତଥାପି ସେ ଉତ୍ସାହିତ ହୋଇ କହିଲେ—ହଁ, ହଁ, ସେଟା ଖୁବ୍ ଭଲ କଥା । ଚାଲ ଯିବା ।

 

ହାର୍ଟଫୋଡ଼ରେ ଯାଶୀର ବେହେଲା ଶୁଣିଲା ପରେ ଯେତିକି ପଇସା ବଞ୍ଚିଥିଲା, ସେଥିରେ ଦିପହରର ଜଳଖିଆ ଓ ମଟରରେ ମେରିଡ଼ାନ୍ ପାର୍କ ପର୍ଯ୍ୟନ୍ତ ଆସିବା ଖର୍ଚ୍ଚ ଚାଳିଗଲା । ମେରିଡ଼ାନରେ ଓହ୍ଲାଇ ଗିଲବାର୍ଟ କହିଲା—ଚାଲନ୍ତୁ, ନିଉଁ ହେଭେନ ଯାଏ ଚାଲି କରି ଯିବା ।

 

ହଷ୍ଟେଲ ଠାରୁ ନିଉଁ ହେଭେନ କେତେ ବାଟ, ଚାରି ମାଇଲ କି ଚାଳିଶ ମାଇଲ, ସେ କଥା ନୁଟ୍‍ଙ୍କୁ ଜଣା ନ ଥିଲା । ତାଙ୍କର ଶରୀର ପକ୍ଷରେ ଏହି ଅନିୟମ ଅବଶ୍ୟ କ୍ଷତିକର । ତଥାପି ଆଜି ତାଙ୍କର ଉତ୍ସାହର ସୀମା ନ ଥିଲା । ସେ କହିଲେ—ହଁ, ହଁ, ଚାଲି, ଚାଲି କରି ଯିବା ।

 

ସେମାନେ ରାସ୍ତାରେ ଚାଲିବାକୁ ଲାଗିଲେ । ଅକ୍ଟୋବର ମାସରେ ଚନ୍ଦ୍ର ନୀଳ ଆକାଶକୁ ସୁନେଲି କରି ଦେଇଥିଲା । ଗିଲବାର୍ଟ ଅଜସ୍ର କଥା ଗପି ଗପି ଚାଲିଥିଲା । ତା ପାଖେ ପାଖେ ନୀରବ ଶ୍ରୋତା ହୋଇ ନୁଟ୍ ବାଟ ଚାଲୁଥିଲେ । ସେତେବେଳେ ବି ଯାଶୀର ବେହେଲାର ମୂର୍ଚ୍ଛନା ତାଙ୍କ କାନ ଭିତରେ ଗୁଞ୍ଜରିତ ହେଉଥିଲା—କଳ୍ପନା ପାଖରେ ଦୂର ଇତିହାସର ନିନାଦ ଆସି ଠିଆ ହେଉଥିଲା । ଖୋଲି ଯାଇଥିଲା ସେହି ସ୍ଵପ୍ନ ରାଜ୍ୟର ସିଂହଦ୍ଵାର, ଯେଉଁଠାରେ ପୌରାଣିକ ଯୁଗର ଯୋଦ୍ଧାଗଣ ଦୀର୍ଘ ଉନ୍ମୁକ୍ତ ତରବାରୀ ଧାରଣ କରି ସୁନ୍ଦରୀମାନଙ୍କର କୃଷ୍ଣ ପଲ୍ଲବ ଭାରାତୁର ନୟନରୁ ଅଶ୍ରୁଧାରା ମୋଚନ କରିବା ପାଇଁ, ଦୁର୍ଗତକୁ ଆଶ୍ରୟ ଦେବା ପାଇଁ ଏବଂ ଅଧର୍ମର ଅତ୍ୟାଚାର ବିନାଶ କରିବା ପାଇଁ ବିଚରଣ କରୁଥିଲେ ।

 

ନିକଟବର୍ତ୍ତୀ ଖେତରୁ ପାଚିଲା ଗହମର ଗନ୍ଧ ଭାସି ଆସୁଥିଲା ଏବଂ ନୁଟ୍‍ଙ୍କ ମନରେ ଉଦୟ ହେଉଥିଲା ସେହି ଦିନକର କଥା, ଯେଉଁ ଦିନ ଏହି ପ୍ରାନ୍ତରରେ ପ୍ରଥମ ଚାଷର ଲଙ୍ଗଳ ବୁଲିଥିଲା ।

 

ସନ୍ଧ୍ୟା ପାଞ୍ଚଟା ବେଳେ ସେମାନେ ଆସି ହଷ୍ଟେଲରେ ପହଞ୍ଚିଲେ । ଗିଲବାର୍ଟ ପାଖରୁ ବିଦାୟ ନେବାକୁ ଯାଇ ନୁଟ୍ ତାହାକୁ କହିଲେ—ଶୋଇବାକୁ ଯାଉଛି । ଆଜି ସ୍ୱପ୍ନରେ ମୋର ନିଦ୍ରାକୁ ସୁନ୍ଦର କରିଦେବି ।

 

ନା, ନା, ଆପଣ କୁଆଡ଼େ ଯିବେ ? ଆମ ଯାତ୍ରା କଅଣ ଏତିକିରେ ଶେଷ ହୋଇଯାଇ ପାରେ ? ଏଇ ଏକ୍ଷଣି ତ ସନ୍ଧ୍ୟା ହେଲା । ଆପଣ ଟିକିଏ ଅପେକ୍ଷା କରନ୍ତୁ । ମୁଁ କିଛି ପଇସା ନେଇ ଆସେଁ । ହୋଟେଲରେ ଯାଇ ଖାଇବା ।

 

କିଛି କ୍ଷଣ କାହିଁକି, ନୁଟ୍ ରାତି ସାରା ଅପେକ୍ଷା କରିବାକୁ ପ୍ରସ୍ତୁତ ଥିଲେ । ସେ ପ୍ରାୟ ସତୁରି ବର୍ଷ ବଞ୍ଚିଛନ୍ତି, ପନ୍ଦର ଶହ ମାଇଲ ପଥ ଅତିକ୍ରମ କରି ଆସିଛନ୍ତି, ଏବଂ ଗ୍ରିବିଲକୁ ମଧ୍ୟ ସହ୍ୟ କରିଛନ୍ତି । କାହିଁକି ? ଗିଲବାର୍ଟର ଦେଖା ପାଇବେ ବୋଲି ତ ?

 

ଗିଲବାର୍ଟର ପ୍ରକୋଷ୍ଠରେ ପ୍ରବେଶ କରି ନୁଟ୍‍ଙ୍କର ଅନ୍ତର ଗୋଟାଏ ପରମ ତୃପ୍ତିରେ ପୂର୍ଣ୍ଣ ହୋଇଗଲା । ପାରସ୍ୟ ଦେଶର ଗାଲିଚା, ରୁପା ଚାହା ବାସନ, ନାନା ପ୍ରକାରର ଛବି ଓ ବହିରେ ଘରଟି ମନୋରମ ଓ ଶୋଭନୀୟ ଦିଶୁଥିଲା । ଖଣ୍ଡିଏ ଆରାମ ଚଉକିରେ ବସୁଁ ବସୁଁ ତାଙ୍କର ସେହି ମୁଣ୍ଡିଆ ଉପରେ ଥିବା କୁଡ଼ିଆଟା କଥା ମନେ ପଡ଼ିଗଲା ।

 

ଭୋଜନ ଶେଷ ହୋଇଗଲା । ଗିଲବାର୍ଟ ଷ୍ଟିଭେନ୍ସ ଓ ଆନାତୋଲେ ଫ୍ରାନ୍ସଙ୍କର କେତେ ଗୁଡ଼ିଏ ଅଂଶ ଆବୃତ୍ତି କରି ଶୁଣାଇଲା । ଅବଶେଷରେ ସେ ତାହାର ସ୍ଵରଚିତ କାବ୍ୟ ପଢ଼ିବାକୁ ଆରମ୍ଭ କଲା । ଭଲ କି ମନ୍ଦ ଏ ବିଷୟରେ କୌଣସି ତର୍କ ବିତର୍କ ନୁଟ୍‍ଙ୍କ ମନ ଭିତରେ ଜାତ ହେଲା ନାହିଁ । ସେ କେବଳ ହୃଦୟଙ୍ଗମ କଲେ ଯେ ତାଙ୍କର ସ୍ଵପ୍ନ ଏତେ ଦିନେ ସଫଳ ହୋଇଛି ଏବଂ ସେ ଜଣେ ପ୍ରକୃତ କବିର ଭେଟ ପାଇଛନ୍ତି ।

 

ରାତି ଗଭୀରରୁ ଗଭୀରତମ ହେବାକୁ ଲାଗିଲା । ନିଦରେ ଆଖି ପତା ମୁଦି ଯିବାକୁ ବସିଲା । ସେମାନେ ଶୋଇବାକୁ ଗଲେ । ଶଯ୍ୟାରେ ଦେହ ବିସ୍ତାରିତ କରିଦେବା ବେଳେ ନୁଟ୍‍ଙ୍କ ମନେହେଲା—ବେଶି ବେଳ ନୁହେଁ, ଅଳ୍ପ କ୍ଷଣ ପରେ ସେ ଗିଲବାର୍ଟର ଘରକୁ ଫେରିଯିବେ । ତା ପରି ପୁଣି ଆରମ୍ଭ ହେବ ସେମାନଙ୍କର ସେହି ଅନିର୍ବଚନୀୟ ସୁନ୍ଦର ରାତି ଏବଂ ମୁହୂର୍ତ୍ତ ପରେ ମୁହୂର୍ତ୍ତର ରମଣୀୟ ଉପଭୋଗ ।

 

ଦିନର ଆଲୁଅ ଆସି ଶଯ୍ୟା ଉପରେ ପଡ଼ିଛି । ଏତିକି ବେଳେ ନୁଟ୍‍ଙ୍କର ନିଦ ଭାଙ୍ଗିଗଲା । ହାତରେ ମୁସାତ୍‍ଙ୍କର ସେହି ବହି ଖଣ୍ଡିକ ଧରି ସେ ବ୍ୟସ୍ତ ହୋଇ ଘରୁ ବାହାରି ଆସିଲେ । ନୁଟ୍ ମନେ ମନେ କହିଲେ—ଆଉ ତ କୌଣସି ବ୍ୟବଧାନ ନାହିଁ । ବର୍ତ୍ତମାନ ଆମ୍ଭେମାନେ ବନ୍ଧୁ । ମୋର ତା ଘରକୁ ଅବାଧ ଗତି !

 

ସିଡ଼ୀ ଆଡ଼କୁ କେତେ ପାଦ ଆଗେଇ ଯାଇ ନୁଟ୍ ସହସା ସଚକିତ ହୋଇ ପଡ଼ିଲେ । ତାଙ୍କର ମନେ ହେଲା, ସେ ଯେମିତି ଖୁବ୍ କ୍ଳାନ୍ତି ଓ ଅବସାଦଗ୍ରସ୍ତ । ସେ ଠିଆ ହୋଇଗଲେ ଏବଂ ତା ପରେ ରାତିର ବିଗତ ଇତିହାସ ତାଙ୍କର ମନେ ପଡ଼ିଯିବାରୁ ସେ ବୁଝି ପାରିଲେ, କାହିଁକି ତାଙ୍କର ଦେହ ଏତେ ଅବସନ୍ନ ।

 

ଧୀର ଶ୍ଳଥ ଗତିରେ ସେ ଘରକୁ ଫେରି ଆସିଲେ । ତାଙ୍କର ମନେ ହେଲା, ବାସ୍ତବିକ ଗତ ରାତିଟା ଆସି ନାହିଁ । ସେଟା ତାଙ୍କର ନିଦ୍ରିତାବସ୍ଥାରେ ସ୍ଵପ୍ନ ଦର୍ଶନର ଗୋଟିଏ ଭଗ୍ନାଂସ ମାତ୍ର-

 

ପଢ଼ା ଟେବୁଲ ପାଖକୁ ଯାଇ ନୁଟ୍ କଲମଟା ଉଠାଇନେଲେ । ଗୋଟାଏ ଦୀର୍ଘ ନିଶ୍ଵାସରେ ପ୍ୟାଡ଼ରେ ବିଚ୍ଛିନ୍ନ ପତ୍ର ଖଣ୍ଡିକ କମ୍ପିଗଲା । ତାଙ୍କର ମନ କହିଲା—ନା, ତାହା ହୋଇ ନ ପାରି । ବାର୍ଦ୍ଧକ୍ୟ ଓ ତାରୁଣ୍ୟ କଅଣ ଅବିଚ୍ଛେଦ୍ୟ ଓ ଶାଳୀନ ଭାବରେ ଲଗାଲଗି ହୋଇ ଚାଲି ପାରନ୍ତି ? ନା, ମୁଁ ଆଉ ଗିଲବାର୍ଟ ପାଖକୁ ଯିବି ନାହିଁ । ସେ ହୁଏତ ଏଥର ମୋତେ ଆନ୍ତରିକତା ସହକାରେ ଗ୍ରହଣ କରି ନ ପାରେ । ତାହାଛଡ଼ା ମୋର ତ ଆଉ ତାହାକୁ କିଛି କହିବାର ନାହିଁ । ଗତ ରାତିରେ ମୁଁ ସବୁ କିଛି ଅଜାଡ଼ି ଦେଇଛି । ଏହି ଗୋଟାଏ ରାତି ପାଇଁ ତ ମୁଁ କଲେଜକୁ ଆସିଥିଲି । ମୋର କଳ୍ପନା ବାସ୍ତବର ମାଟିରେ ପ୍ରାଣମୟୀ ଓ ରୂପାୟିତା ହୋଇଛି । ଆଉ କାହିଁକି-? ଏହି ରାତିଟା ହିଁ ମୋ ଜୀବନରେ ସ୍ମୃତିର ସ୍ୱର୍ଣ୍ଣ ସୌଧ ଭାବରେ ଉଜ୍ଜ୍ଵଳ ଓ ଅକ୍ଷୟ ହୋଇ ରହୁ-

 

ସେ ସୁପ୍ତରେ ଗ୍ରିବଲକୁ ଉଠାଇଲେ ନାହିଁ । ଗିଲବାର୍ଟ ଉଦ୍ଦେଶ୍ୟରେ ସେ ଖଣ୍ଡିଏ ଚିଠି ଲେଖି ରଖିଦେଲେ ଏବଂ ତା ପରେ ନିଜର ସମସ୍ତ ଜିନିଷ ପତ୍ର ବନ୍ଧା ବନ୍ଧି କରିଦେଲେ ।

 

ଅକ୍ଟୋବର ମାସର ସନ୍ଧ୍ୟା ଆକାଶରେ ସୁନେଲି ଜହ୍ନ ଓ ଖେତରେ ପାଚିଲା ସୁନେଲି ଗହମର ଗନ୍ଧ ଖେଳାଇ ଦେଇ ଧରଣୀ ବକ୍ଷରେ ଓହ୍ଲାଇ ଆସୁଥିଲା । ସନ୍ଧ୍ୟାର ସେହି ଶାନ୍ତ ପଟ୍ଟଭୂମିକାରେ ପଶ୍ଚିମ ଦିଗରେ ଖଣ୍ଡିଏ ରେଳଗାଡ଼ି ଅତି ଦ୍ରୁତ ଗତିରେ ମାଇଲ ପରେ ମାଇଲ ଅତିକ୍ରମ କରି ଧାଇଁ ଯାଉଥିଲା । ଜଣେ ବୃଦ୍ଧ ସେହି ଗାଡ଼ିର ଗୋଟିଏ କକ୍ଷରେ ବସି ବାହାରକୁ ଚାହିଁ ରହିଥିଲେ । ତାଙ୍କର ବଦନ ମଣ୍ଡଳ ସ୍ମିତ ହାସ୍ୟରେ ପ୍ରସନ୍ନ ଥିଲା, ତାଙ୍କର ନୟନ ଯୁଗଳରେ ପରମ ତୃପ୍ତିର ଉଜ୍ଜ୍ଵଳ ଆଲୋକ ଉଦ୍ଭାସିତ ହେଉଥିଲା ଏବଂ ତାଙ୍କ ହାତରେ ଫରାସୀ ଭାଷାରେ ରଚିତ ଖଣ୍ଡିଏ ଛୋଟ ବହି ଥିଲା ।

 

କଲେଜ ପାଠ ଶେଷ କରି ନୁଟ୍ ଆକସେଲବଡ଼ ଫେରି ଯାଉଥିଲେ ।

☆☆☆

 

Unknown

ନିନାଦ

 

ରବିବାର ସକାଳେ ଇଂରେଜ ଗୀର୍ଜାରେ ଉପାସନା ସାରି ହୋଟେଲକୁ ଫେରି ଆସିବା ବେଳେ, ବୃଦ୍ଧ ଟ୍ରେଭିଲିୟାନ ଦୁର୍ବଳ ପାଦ ଦୁଇଟିକୁ ଟିକିଏ ବିଶ୍ରାମ ଦେବା ପାଇଁ ଗୋଟିଏ ରାସ୍ତାର ମୋଡ଼ରେ ଟିକିଏ ଠିଆ ହେଲେ । ଗୋଟିଏ ସିମୋସା ଗଛର ଫାଙ୍କ ବାଟେ ସୁନୀଳ ସମୁଦ୍ର ଦେଖା ଯାଉଥିଲା । ଟ୍ରେଭିଲିୟାନଙ୍କର ବାର୍ଦ୍ଧକ୍ୟ ଧୂସର ଦୃଷ୍ଟି ସେହି ଆଡ଼କୁ ଚାଲିଗଲା ।

 

ମନ୍ତେକାର୍ଳୋ ୟା ଭିତରେ ଅନେକ ବଦଳି ଯାଇଛି । କିନ୍ତୁ ପଇଁଚାଳିଶ ବର୍ଷ ତଳେ ପ୍ରଥମେ ଯେତେବେଳେ ଟ୍ରେଭିଲିୟାନ ଏଠାକୁ ଆସିଥିଲେ, ସେତେବେଳକାର ସେହି ସମୁଦ୍ର ଏବେ ବି ଠିକ୍ ସେହି ଭଳି ଦିଶୁଛି—ସେମିତି ନୀଳ, ନିସ୍ତରଙ୍ଗ, ନିରାସକ୍ତ । ଟ୍ରେଭିଲିୟାନଙ୍କ ରକ୍ଷଣଶୀଳ ମନକୁ ଏଟା ଭାରି ଭଲ ଲାଗିଲା । ପଇଁଚାଳିଶ ବର୍ଷ କଅଣ କିଛି କମ୍ ? କହିବାକୁ ଗଲେ, ଜୀବନଟା ଯାକ ତ । ଏହି ପଇଁଚାଳିଶ ବର୍ଷ ଭିତରେ ସେ ବିବାହ କରିଛନ୍ତି, ଅର୍ଥ ଉପାର୍ଜନ କରିଛନ୍ତି, ଆଉ ଉତ୍ତରାଧିକାର ସୂତ୍ରରେ କିଛି ଧନ—ସମ୍ପତ୍ତି ବି ଲାଭ କରିଛନ୍ତି । ତାହା ଛଡ଼ା କେତୋଟି ପୁଅ ଝିଅଙ୍କୁ ଜନ୍ମ ଦେଇ ସେ ସୁଖର ସଂସାର ଗଢ଼ିଛନ୍ତି, ଯେଉଁ ସଂସାରରେ ଆଜି କେବଳ ଝିଅ ଆଗାଥା ଛଡ଼ା ଅନ୍ୟମାନେ ବଡ଼ ହୋଇଗଲେଣି ଏବଂ ଯେ ଯୁଆଡ଼େ ଖେଳି ଗଲେଣି-। ଅବଶେଷରେ ସେ ବାର୍ଦ୍ଧକ୍ୟରେ ଜଟିଳ କାଶ ରୋଗ ଅର୍ଜନ କରିଛନ୍ତି । ଇଂଲଣ୍ଡରେ ହାର୍ଟଫୋର୍ଡ଼ଶାୟାରରେ ତାଙ୍କର କୋଠା—ନାମ ‘ଦି ସେଡ଼ାରସ’ । ଆଜି କାଳି ପ୍ରତି ବର୍ଷ ଝିଅକୁ ସାଙ୍ଗରେ ଧରି ଭ୍ରାମ୍ୟମାଣ ପକ୍ଷୀ ଭଳି ସେ ରିଭିୟେରାକୁ ଆସନ୍ତି । ସାଧାରଣତଃ ନିସ୍ ବା କ୍ୟାନେସରେ ସେ ରହନ୍ତି । ଏ ବର୍ଷ ସେମାନେ ମନ୍ତେକାର୍ଲୋକୁ ଆସିଛନ୍ତି; କାରଣ ଏଠାକାର ଇଂରେଜ ପାଦ୍ରୀଙ୍କର ସ୍ତ୍ରୀ ତାଙ୍କର ଝିଅ ଆଗାଥାର ଜଣେ ଘନିଷ୍ଠ ବନ୍ଧୁ ।

 

ତାଙ୍କର ସମୟ ପ୍ରାୟ ସରି ଆସିଲାଣି । ଏପ୍ରିଲ ମାସରେ ସୂର୍ଯ୍ୟଙ୍କର ତାପ ବଢ଼ିବାକୁ ଲାଗିଲାଣି । ଦେଶକୁ ଫେରି ଯିବା ପାଇଁ ତାଙ୍କର ଆଉ ବେଶି ଡେରି ନାହିଁ ।

 

ନିଜର ଶୀର୍ଣ୍ଣ ତମ୍ବାଳିଆ ମୁହଁ ଉପରେ ଟ୍ରେଭିଲିୟାନ ଥରେ ହାତ ବୁଲାଇ ଆଣିଲେ—ଘନ ଭ୍ରୂ ଯୁଗଳ ଏବେ ବି କଳା ଦିଶୁଛି, କିନ୍ତୁ ସୂକ୍ଷ୍ମାଗ୍ର କରି କଟା ହୋଇଥିବା ଦାଢ଼ିଟା ସାଦା ହୋଇଗଲାଣି । ଚଉଡ଼ା କିନାରା ଥିବା ମାଟିଆ ଟୋପି ତଳେ ଇଂରେଜ ବ୍ୟାଙ୍କ-ଡିରେକ୍ଟରଙ୍କର ଏହି ମୁଖଟି ଯେମିତି ଅତିଶୟ ସ୍ପେନୀୟ ବୋଧ ହେଉଥିଲା । ତାଙ୍କରି ଭଳି କେତୋଟି ଶ୍ରେଷ୍ଠ କର୍ନିଶ ପରିବାରର ଧମନୀର ସ୍ପେନୀୟ ରକ୍ତ ମିଶିଛି, ଏ କଥା କହିବାକୁ ଟ୍ରେଭିଲିୟାନଙ୍କୁ ଭଲ ଲାଗେ । ମାତ୍ର ସ୍ପେନୀୟ କହିଲେ ଆଇବେରୀୟାନ୍ ନା ଆର୍ମାଡେସ୍ୱ, ତାହା ଅବଶ୍ୟ ସେ ସ୍ପଷ୍ଟ ଭାବରେ ଜାଣି ନ ଥିଲେ । ଯେତେ ଦିନ ଗଡ଼ି ଯାଉଥାଏ, ଟ୍ରେଭିଲିୟାନ ସେତେ ଅଭିଜାତ ସମ୍ପନ୍ନ ହୋଇ ପଡ଼ୁ ଥାଆନ୍ତି । ତେଣୁ ଏହା ସାଙ୍ଗକୁ ତାଙ୍କର ସ୍ପେନୀୟ ରକ୍ତର ବିଚାରଟା ବେଶ୍ ଖାପ ଖାଇ ଯାଉଥିଲା ।

 

ଆଗାଥାର ଶରୀର ଭଲ ନ ଥିଲା । ସେ ଘରେ ଥିଲା । ଟ୍ରେଭିଲିୟାନ ଏକା ଉପାସନା କରିବା ପାଇଁ ଗୀର୍ଜାକୁ ଯାଇଥିଲେ । ତାଙ୍କୁ କିଛି ଭଲ ଲାଗିଲା ନାହିଁ । ସମୟ ତକ ତାଙ୍କର ଅସ୍ଵସ୍ତିରେ କଟିଲା । ଯେତିକି ଶସ୍ତା ଲୋକଙ୍କର ସମାଗମ ସେଠାରେ, ଯେତେ ସବୁ ଉଚ୍ଛୃଙ୍ଖଳ ଇଂରେଜ ଲୋକଙ୍କର ଆଡ୍ଡ଼ା । ଧର୍ମଗ୍ରନ୍ଥ ପାଠସମୟରେ ତାଙ୍କର ଆଖି ଯାଇ ଟେଲଫୋଡ଼ ଉପରେ ପଡ଼ିଥିଲା । ବୟସ ଥିଲା ବେଳେ ଲୋକଟି ଦୁଇ ଜଣଙ୍କର ସ୍ତ୍ରୀଙ୍କୁ ନେଇ ପଳାଇ ଯାଇଥିଲା । ଏକ୍ଷଣି ସେ ଜଣେ ଫରାସୀ ମହିଳାଙ୍କୁ ନେଇ ଘର କରି ରହିଛି । ଏ ଲୋକଟାର ଗୀର୍ଜାକୁ ଆସିବାର ଫେର୍ କି ଦରକାର ? ଆଉ ସେହି ଏକଘରିକିଆ ଗ୍ୟାଡ଼େନହ୍ୟାମ ପରିବାର; ଏମାନଙ୍କର ରକ୍‍ବ୍ରୁନ ନିକଟରେ ଘର ଥିଲା । ଗ୍ୟାଡେନହ୍ୟାମର ଅସଲ ବିବାହିତା ସ୍ତ୍ରୀ ଜୀବିତ ଅଛି । ସେଥିପାଇଁ ବିଭା ନ ହୋଇ ସୁଦ୍ଧା ସେମାନେ ନିଜକୁ ସ୍ୱାମୀ ସ୍ତ୍ରୀ ବୋଲି ଜୀବନ ସାରା ଚଳାଇ ନେଲେ । ସବୁ ଠାରୁ ବେଶି ଖରାପ ଲାଗିଲା ଶ୍ରୀମତୀ ରଲ୍‍ଫଙ୍କୁ ଦେଖି । ଯୁଦ୍ଧ ପୂର୍ବରୁ ଭଦ୍ର ମହିଳା ନିଜର ସ୍ଵାମୀଙ୍କ ସହିତ ପ୍ରତି ବର୍ଷ ନଭେମ୍ବର ମାସରେ ଶିକାର କରିବା ଉଦ୍ଦେଶ୍ୟରେ ଟ୍ରେଭିଲିୟାନଙ୍କ ଘରକୁ ଆସୁଥିଲେ । ବର୍ତ୍ତମାନ ସ୍ୱାମୀ ତାଙ୍କର ଭାରତବର୍ଷକୁ ଯାଇଛନ୍ତି, ଆଉ ଲୋକ-ମୁଖରୁ ଶୁଣାଯାଏ ଯେ ଶ୍ରୀମତୀ ରଲ୍‍ଫଙ୍କ ସାଙ୍ଗରେ ଯୁବକ ଲର୍ଡ଼ ଚେଷ୍ଟାରଫୋର୍ଡ଼ କୁଆଡ଼େ ମାତିଛି । ଶେଷକୁ ନିଶ୍ଚୟ ନିନ୍ଦନୀୟ କାଣ୍ଡ ଘଟିବାର ଆଶଙ୍କା ହେଉଛି । ଏହି ମହିଳାଟିକୁ ଦେଖିଲେ ଟ୍ରେଭିଲିୟାନଙ୍କୁ ଖରାପ ବୋଧ ହୁଏ । କାରଣ ତାହା ସହିତ ଆଗାଥାର ଟିକିଏ ପରିଚୟ ଅଛି । ଝିଅକୁ ବୁଝାଇ କହି ଦେବାକୁ ହେବ ଯେ ପ୍ରୋଷିତ—ଭର୍ତ୍ତୃକାମାନେ, ବିଶେଷତଃ ଏପରି ସ୍ଥାନରେ, ଲଜ୍ଜାକର ପରିସ୍ଥିତିରେ ପଡ଼ନ୍ତି । ଏହି ଭଳି ସନ୍ଦେହଜନକ ଚିରତ୍ରର ମଣିଷସବୁ—ଟ୍ରେଭିଲିୟାନଙ୍କର ଦୃଢ଼ ବିଶ୍ୱାସ—ଏମାନଙ୍କର ଉପାସନା ମନ୍ଦିରକୁ ଆସିବ କି ଦରକାର ? ଅଥଚ ଏମାନଙ୍କର ଆଗମନକୁ ସେ ଯେ ପସନ୍ଦ କରୁ ନାହାନ୍ତି, ତାହା କହିବା ମଧ୍ୟ କଠିନ-ବିଶେଷତଃ ଆଜିକାଲିକା ସମୟରେ, ଯେତେବେଳେ କେତେ ଜଣ ବା ଗୀର୍ଜାକୁ ଆସୁଛନ୍ତି ?

 

ଅବଶ୍ୟ ଏହା ଠିକ୍ ଯେ ପୃଥିବୀରେ ବାସ କରି ଖୁବ୍ ବେଶି ସ୍ପର୍ଶ କାତର ହେଲେ ଚଳିବ ନାହିଁ । ସମାଜ ଭିତରେ ରହିବାକୁ ହେଲେ ସବୁ ରକମ ଲୋକଙ୍କ ସାଙ୍ଗରେ ମିଳାମିଶା କରିବାକୁ ହେବ । କିନ୍ତୁ ଏମାନେ ଯେତେବେଳେ ଘରର ଝିଅ ବୋହୂଙ୍କ ସାଙ୍ଗରେ ମିଳାମିଶା କରନ୍ତି ଏବଂ ବିଶ୍ୱାସର ଶକ୍ତ ଗଣ୍ଡି ଭିତରକୁ ପଶିବାକୁ ଚାହାନ୍ତି, ସେତେବେଳେ ବ୍ୟାପାରଟା ଯେ ଅନ୍ୟ ପ୍ରକାର ଗତି ଧାରଣ କରି ଠିଆ ହୁଏ,—ସାବଧାନ ନ ହେଲେ ଅନ୍ୟ ଉପାୟ ନ ଥାଏ । ନା, ବେଳ ହୁଁ ଆଗାଥାକୁ ସାବଧାନ କରିଦେବାକୁ ହେବ ।

 

 

ଉଠାଣି ରାସ୍ତା । ପବନରେ ସିମୋସାର ଗନ୍ଧ ! ଟ୍ରେଭିଲିୟାନ ଧୀରେ ଧୀରେ ନିଶ୍ୱାସ ନେବାକୁ ଲାଗିଲେ, ହଠାତ୍ ଯେମିତି ତାଙ୍କର କାଶ ନ ବାହାରେ । ପୁଣି ସେ ଚାଲିବାକୁ ଆରମ୍ଭ କରିଛନ୍ତି, ଠିକ୍ ଏତିକି ବେଳେ ରାସ୍ତାର ଅପର ପାଖରୁ ଗୋଟା ପିୟାନୋ ଅର୍ଗାନର ସ୍ୱର ଶୁଭିଲା । ଠିକ୍ ସେହି ଚିର-ପରିଚିତ ଦାଢ଼ିବାଲା ଟେରା ଆଖିଆ ଲେଙ୍ଗଡ଼ା ଇତାଲୀୟ ଜଣକ ଗୋଟିଏ ଗଧ ପିଠିରେ ଯନ୍ତ୍ରଟି ଥୋଇ ହେଣ୍ଡାଲ ଘୂରାଉଥିଲା, ସାଙ୍ଗରେ ସେହି କୁତ୍ସିତା ଝିଅଟି ଥିଲା । ମଥାରେ କମଳା ରଙ୍ଗର ରୁମାଲ ବାନ୍ଧି ସେ ଗାଉଥିଲା ସେହି ଚିରାଚରିତ ସ୍ୱର-‘ସାନ୍ତା ଲୁସିୟା’ । ମୋଟା ଗଳାରେ ସେ ଚିତ୍କାର କରୁଥିଲା, ଠିକ୍ ଯେମିତି ତାର ଉପରେ ହାତୁଡ଼ି ଶବ୍ଦ ପରି ତାହାର ଗଳାରେ ଧାତବ ଧମକ ପବନରେ ଆଘାତ କରୁଥିଲା ।

 

ଟ୍ରେଭିଲିୟାନଙ୍କର ଅନନ୍ତରେ ବି କିଛି ସଙ୍ଗୀତ ଥିଲା । ପ୍ରାୟ ନିତି ସେ କ୍ୟାସିନୋର କନସାର୍ଟକୁ ଯାଉଥିଲେ । ସେ ଜୁଆଖେଳ ଆଦୌ ପସନ୍ଦ କରନ୍ତି ନାହିଁ । ତଥାପି ସେ ପାଞ୍ଚ ଦଶ ଫ୍ରାଙ୍କ ଧରି ଭାଗ୍ୟ ପରୀକ୍ଷା କାରିବାକୁ ଜୁଆର ଆଡ୍‍ଡାରେ ଯେ ପ୍ରବେଶ କରୁ ନ ଥିଲେ ତାହା ନୁହେଁ । ତାର ପ୍ରଧାନ କାରଣ ହେଉଛି, ଏଠାକାର ବିକ୍ଷିପ୍ତ ଉଚ୍ଛୃଙ୍ଖଳତା ତାଙ୍କର ପାଟବ ଶିଷ୍ଟତା ବୋଧକୁ ଚଞ୍ଚଳ କରି ପକାଉଥିଲା । ନିଜକୁ ବିଦ୍ୟାଳୟରୁ ପଳାଇ ଆସିଥିବା ଗୋଟିଏ ପିଲା ପରି ତାଙ୍କର ମନେ ହେଉଥିଲା । ଯାହା ହେଉ କେତୋଟି ସ୍ୱର ତାଙ୍କୁ ମାଲୁମ ଥିଲା—ତେଣୁ ତାଙ୍କୁ ବୁଝିବାକୁ ଅବଶ୍ୟ ବିଳମ୍ବ ହେଲା ନାହିଁ ଯେ ଏ ସ୍ଵରଟା ‘ଗଡ଼-ସେଭ୍-ଦି-କିଙ୍ଗ୍’ ବା ‘ରୁଲ୍-ବ୍ରିଟାନିଆ’ ବା ‘ଟିପାରାରି’ ନୁହେଁ । ଏହି ସ୍ୱରରେ ଅନ୍ୟ ପ୍ରକାରର ଗୋଟିଏ ଝଙ୍କାର, ଗୋଟିଏ ଅଦ୍ଭୁତ ପରିଚିତ ସ୍ପନ୍ଦନ ଥିଲା । ମନେ ହେଲା ଯେମିତି ଅନ୍ୟ କୌଣସି ଏକ ଜୀବନରେ ତାଙ୍କରି ହୃତ୍‍ପିଣ୍ଡର ତାଳେ ତାଳେ ଏହାର ଛନ୍ଦ ବାଜିଥିଲା । ଆଶ୍ଚର୍ଯ୍ୟ, ଗୋଟାଏ ବିଚିତ୍ର ଅନୁଭୂତି ! ବୃଦ୍ଧ ଟ୍ରେଭିଲିୟାନ ଆଖି ମିଟିମିଟି କରି ଠିଆ ହୋଇ ପଡ଼ିଲେ । କାନ ପାତି ଗୀତର ଭାବ ସେ ଧରି ପାରିଲେ ଯେ ସ୍ୱରଟା ନିଶ୍ଚୟ ‘ସାନ୍ତା ଲୁସିୟା’ ।

 

କେବେ କୌଣସି ପୂର୍ବ ଜନ୍ମରେ ଏହାର ମୂର୍ଚ୍ଛନା ତାଙ୍କର ଅନ୍ତର ମଧ୍ୟରେ ଗଭୀର ଭାବରେ ସ୍ପର୍ଶ କରିଥିଲା—ଏକ ମିଠା ଫଳର ସ୍ଵାଦ ପରି, ଗ୍ରୀଷ୍ମ ପ୍ରଧାନ ଦେଶରେ ପୁଷ୍ପ ଗନ୍ଧର ଆଘ୍ରାଣ ପରି,—ଆଣିଥିଲା ଉତ୍ତାପ, ଜଗାଇଥିଲା ଆଦିମତା ! ସ୍ମୃତିର ଛାୟାନ୍ଧକାରରେ ତାହା କି ବିଚିତ୍ର ଅନୁଭୂତି ? ସାନ୍ତା ଲୁସିୟା ! ସାନ୍ତା ଲୁସିୟା ! ମନେ ପଡ଼େ ନାହିଁ ଠିକ୍ ଭାବରେ, ଅଥଚ ମନେ ପଡ଼ିବାଟା ଯେମିତି ଏହି ହାତର ଆଙ୍ଗୁଳି ଅଗରେ ଅଛି । ଗୀତ ବନ୍ଦ କରି ଝିଅଟି ତାଙ୍କ ପାଖକୁ ଆସିଲା । ଠିକ୍ ଯେମିତି ଗୋଟାଏ ରଙ୍ଗଢଙ୍ଗିଆ ବସ୍ତା-ମଥାରେ କମଳା ରଙ୍ଗର ରୁମାଲ, ବେକରେ ରଙ୍ଗ ବେରଙ୍ଗର ପୁତିମାଳ, କଳା ଆଖିରେ ଧଳା ଝଲକ ଏବଂ ଦାନ୍ତ ଦିଶୁଥିବା ହସ । ଏ ହେଉଛି ଲାଟିନ ଜାତିଆବେଗ ଓ ଉତ୍ତେଜନାରେ ପରିପୂର୍ଣ୍ଣ-ମନଟା ସବୁବେଳେ ଫୂର୍ତ୍ତିରେ ନାଚୁଥାଏ-। ଚୁଡ଼ି ମଝିରେ ଆଙ୍ଗୁଳି ଗୁଡ଼ିକ ବି ନାଚୁଥାଏ—ଗୋଟାଏ ଭାରି ସାଧାରଣ ଜାତି । ପକେଟରେ ହାତ ପୁରାଇ ଗୋଟାଏ ଫ୍ରାଙ୍କ ଜାତି ଆଣି ତାହାକୁ ଦେଇ ଟ୍ରେଭିଲିୟାନ ପାଦ ବଢ଼ାଇଲେ-

 

କିନ୍ତୁ ରାସ୍ତାର ପରବର୍ତ୍ତୀ ମୋଡ଼ଟାରେ ପହଞ୍ଚିଲା କ୍ଷଣି ସେ ପୁଣି ଅଟକିଗଲେ । ପଇସା ପାଇଁ କୃତଜ୍ଞତାରେ ଝିଅଟି ପୁଣି ଗୀତ ଧରିଲାଣି ‘ସାନ୍ତା ଲୁସିୟା’ । ମନେ ହେଲା, ତାଙ୍କର ଅନ୍ତର ଭିତରେ ଯେମିତି କଅଣ ଗୋଟାଏ ଚାପି ହୋଇ ରହିଛି—ଠିକ୍ ଯେମିତି ବର୍ଷ ବର୍ଷ ଧରି ଚ୍ୟୁତ ପତ୍ରର ଆସ୍ତରଣରେ ମାଟି ଢାଙ୍କି ହୋଇ ରହିଥାଏ ।

 

ଗୋଟିଏ ବଗିଚାର ଦିଆଲ ପଛରୁ ଠିକ୍‍ ତାଙ୍କରି ମଥା ଉପରେ ମରୀଚ ଗଛର ଲାଲ ଗୁଚ୍ଛ ଝୁଲୁଥିଲା । ମୃଦୁ ମନ୍ଦ ପବନର ହିଲ୍ଲୋଲରେ ଏହାର ମୃଦୁ ମଧୁର ସୌରଭ ଖେଳି ଯାଉଥିଲା–ଦକ୍ଷିଣ ଦେଶର ନିଜସ୍ୱ ଗନ୍ଧଟି । ପୁଣି ଥରେ ତାଙ୍କର ଦାଢ଼ି ଦ୍ୱାରା ଅଚ୍ଛାଦିତ ଗଳାରେ ଯେମିତି କେଉଁ ଏକ ବିଗତ ଜୀବନର ଗୋଟାଏ ନିଶ୍ୱାସ ଆସି ଅଚାନକ ଅଟକିଗଲା–ମଧୁର ଜଳନ୍ତା ଅତୀବ୍ର ଅନୁଭୂତି ଗୋଟାଏ ! ସ୍ୱପ୍ନ ନା କଅଣ ? ଅର୍ଗାନର କ୍ରନ୍ଦନ ଓ ସେହି ଝିଅଟିର ଚିତ୍କାର ସାଙ୍ଗକୁ ତାଙ୍କର ପୁଣି ଏ କଣ ହେଲା । ଆଖି ଆଗରେ ନୀଚା ଲାଲ ଦିଆଲଟା ଉପରେ ଧାଡ଼ି ଧାଡ଼ି କଣ୍ଟା ଗଛ । ଗଛ ଗୁଡ଼ାକର ରୁକ୍ଷ ଚେହେରା ହଠାତ୍ ଯେମିତି ତାଙ୍କ ମନକୁ ଧକ୍କା ମାରି ମାରି ନେଇଗଲା—କେଉଁଠାକୁ ? ଭୁଟା ରଙ୍ଗର ସିଗାରେଟ ଟାଣି ଟାଣି ଲାକାଟିୟା ତମାଖୁର ଗନ୍ଧ ଛାଡ଼ି ଛାଡ଼ି ଜଣେ ଯୁବକ ଚାଲିଗଲା । ସେ ବି ତାଙ୍କର ଯୌବନରେ ଏହିପରି ସୁଗନ୍ଧୀ ତମାଖୁର ସିଗାରେଟ ଟାଣୁଥିଲେ । ବଗିଚାର ଭାଙ୍ଗି ପଡ଼ିଥିବା ଫାଟକରେ ପ୍ରାୟ ଲିଭି ଯାଇଥିବା ଗୋଟିଏ ନାମ ଦିଶିଲା । ଟ୍ରେଭିଲିୟାନ ସେହି ନାମଟି ଆଡ଼କୁ ଶୂନ୍ୟ ଦୃଷ୍ଟିରେ କିଛି କ୍ଷଣ ଅନାଇ ରହିଲେ–ଉଚ୍ଚାରଣ କରି ପଢ଼ିବାକୁ ଲାଗିଲେ–“ଭିଲା...ବୋ ...ସାଇଟ ।” ‘ଭିଲା ବୋ ସାଇଟ’-। ହେଲା, ହେଲା, ଏବେ ମନେ ପଡ଼ିଲା ।

 

ଏମିତି ଏକ ସ୍ମୃତିର ଅସ୍ୱାଭାବିକ ଉତ୍ତେଜନା ପରେ ମୁକ୍ତିର ଉଚ୍ଛ୍ୱାସ ତାଙ୍କ ଚକ୍ଷୁର କୁଞ୍ଚିତ କୋଣରେ ଓ ବିଶୀର୍ଣ୍ଣ ବାଦାମୀ ଗାଲର ରେଖାରେ ବିଛାଡ଼ି ହୋଇ ପଡ଼ିଲା । ଫାଟକ ପାଖକୁ ସେ ଆଗେଇଲେ । କି ଆଶ୍ଚର୍ଯ୍ୟ, ଠିକ୍‍ ସେହି ଫାଟକ ତା ! ପୁରୁଣା ସବୁଜ ଫାଟକରେ ରେଲି ଉପରେ ମୋଟା ପ୍ରାର୍ଥନାର ବହିଟା ରଖିଦେଇ ସେ ଅନାବନା ଗଛପତ୍ରରେ ପରିପୂର୍ଣ୍ଣ ବଗିଚାଟି ଆଡ଼କୁ ଚାହିଁ ରହିଲେ—ପଇଁଚାଳିଶ ବର୍ଷର କୁହେଳିକା ଭିତର ଦେଇ । ତା ପରେ ଛୋଟ ଛୋଟ ପିଲା ଫଳ ଚୋରି କରିବାକୁ ଗଲେ ଯେମିତି ଚାହାଁନ୍ତି, ସେମିତି ଭାବରେ ରାସ୍ତାର ଏପାଖ ସେପାଖକୁ ଅନାଇ ଫାଟକଟା ଖୋଲି ସେ ବଗିଚା ଭିତରେ ପ୍ରବେଶ କଲେ ।

 

ଜନ ପ୍ରାଣୀହୀନ । ଛୋଟ ବୁଦାଟି ପଛରେ ପ୍ରାୟ ତିରିଶ ହାତ ଦୂରରେ ପୁରୁଣା ଲାଲ ରଙ୍ଗର ଭିଲା । ଝରକାଗୁଡ଼ିକ ସବୁ ବନ୍ଦ । କାନ୍ଥରୁ ରଙ୍ଗ ଛାଡ଼ି ଗଲାଣି । ‘ବୋ ସାଇଟ’ ! ଠିକ୍‍ ସେହି ନାମ ତ । ତଳ ବଗିଚାଟିର କଡ଼ରେ ଏହି ତ ସେହି ଫାଟକ, ଯେଉଁ ବାଟେ ସେ ଯିବା ଆସିବା କରୁଥିଲେ । ଘରୁ ସେଟା ଆଖିରେ ପଡ଼େ ନାହିଁ । ଆଉ, ହଁ, ଏହି ତ ସେହି ଛୋଟ ନିର୍ଝରଟା—ଭାଙ୍ଗି ଗଲାଣି, ରଙ୍ଗ ଛାଡ଼ି ଗଲାଣି—କିନ୍ତୁ ତାର ପୁରୁଣା ମୁହଁ ବାଟେ ଏବେ ସୁଦ୍ଧା ଜଳ ପଡ଼ୁଛି । ଆଉ ଏହି ତ ବସିବା ପାଇଁ ସେହି ପଥର ବେଦିଟା—ଅତୀତରେ ଏହା ଉପରେ କୋଟ ବିଛାଇ ସେ କେତେ ଥର ଶୋଇଛନ୍ତି । ଏକ୍ଷଣି ସବୁ ବଣ ଜଙ୍ଗଲ ହୋଇଯାଇଛି—ଲାଇଲାକ, ସିମୋସା ଓ ପାମ୍ ଗଛଗୁଡ଼ିକୁ ଆଉ କେହି କାଟୁ ନାହାନ୍ତି । ପବନ ବାଜିଲେ ଶୁଖିଲା ଖସ୍ ଖସ୍ ଶବ୍ଦ ହୁଏ । ଖାଲି ପଥର ଉପରେ ବସିବା ଠିକ୍‍ ନୁହେଁ । ସେଥିପାଇଁ ଟ୍ରେଭିଲିୟୀନ କୋଟ ବିଛାଇ ଆସ୍ତେ ବସିପଡ଼ି ପ୍ରାର୍ଥନା ବହିଟା ଖୋଲିଲେ । ସେ ଗୋଟାଏ ଭିନ୍ନ ଜଗତକୁ ଚାଲିଗଲେ—ଯାହା ଅଯତ୍ନ ବର୍ଦ୍ଧିତ ଗୁଳ୍ମ ଓ ବୃକ୍ଷଲତା ଆଢ଼ୁଆଳରେ, ଲୋକ-ଚକ୍ଷୁର ଅନ୍ତରାଳରେ ଅବସ୍ଥିତ । ଏଠାରେ ବସି କ୍ରମେ କ୍ରମେ ତାଙ୍କର ପ୍ରାୟ ଅର୍ଦ୍ଧ ଶତାବ୍ଦୀର କୁହେଳିକା ମିଳାଇ ଯିବାକୁ ଲାଗିଲା ।

 

ଆସ୍ତେ ଆସ୍ତେ ଲୋଭୀଙ୍କ ପରି ଆଗ୍ରହରେ, ଅଥଚ ଯେମିତି ନିଜର ଇଚ୍ଛା ବିରୁଦ୍ଧରେ, ଜୋର କରି ସେ ଭାବିବାକୁ ଲାଗିଲେ । ଅନାବନା ଫୁଲ ଗଛର ଛାଇ ତଳେ ବସି ଧୀରେ ଧୀରେ ତାଙ୍କର ସବୁ କଥା ମନେପଡ଼ି ଯିବାକୁ ଲାଗିଲା ।

 

 

ସେତେବେଳକୁ ତାଙ୍କର ବୟସ ଛବିଶ ବର୍ଷ । ପାରିବାରିକ ବ୍ୟାଙ୍କ ବ୍ୟବସାୟରେ ସେ ପ୍ରବେଶ କରିଥାନ୍ତି । କାମ କାର୍ଯ୍ୟର ଜ୍ଞାନ ବା ଦାୟିତ୍ୱ ତାଙ୍କର ବିଶେଷ ନ ଥିଲା । ସାମାନ୍ୟ ଲାଭରେ ମାତ୍ର ସେ ଅଂଶୀଦାର । ଥରେ ଥଣ୍ଡା ଲାଗିଥିଲା, ସେ ତାକୁ ଅଗ୍ରାହ୍ୟ କଲେ ନାହିଁ ସେହି ପ୍ରଥମ ଶ୍ଳେଷ୍ମାର ଆକ୍ରମଣ, ଯାହାର ଫଳ ସେ ଏହି ବୟସରେ ଏକ୍ଷଣି ଭୋଗ କରୁଛନ୍ତି । ସେତେବେଳକାର ସେହି ସବୁ ଦିନ ! ଲଣ୍ଡନରେ ଶୀତ ଦିନର ଖୁବ୍‍ ଥଣ୍ଡାରେ ବି ସେ ପତଳା ଅଣ୍ଡର ଓୟାର ପିନ୍ଧୁଥିଲେ, ଏବଂ ଓଭାର କୋଟ ବ୍ୟବହାର କରୁ ନ ଥିଲେ—ଏଟା ଥିଲା ତାଙ୍କର ରୁଚି । କିନ୍ତୁ ଇଷ୍ଟାରାରେ ବି ତାଙ୍କର କାଶ କମିଲା ନାହିଁ । ତହୁଁ ନିରୂପାୟ ହୋଇ ସେ ତିନି ମାସ ଛୁଟି ନେଇ ମେନଟୋନକୁ ଟିକଟ କାଟିଲେ । ତାଙ୍କର ଜଣେ ମାମୁ ପୁଅ ଭାଇ ସାଙ୍ଗରେ ଗୋଟିଏ ରୁଷୀୟ ଝିଅର ବିବାହ ଠିକ୍ ହୋଇଥିଲା । ସେହି ଝିଅଟିର ଆତ୍ମୀୟମାନଙ୍କର ଘର ସେଠାରେ ।

 

ଠିକ୍ ସେମାନଙ୍କ ଘର କତିରେ ଗୋଟିଏ ହୋଟେଲରେ ଟ୍ରେଭିଲିୟାନ ଯାଇ ରହିଲେ । ଝିଅ ଆଗାଥା ଟୁର୍ଗନିଭଙ୍କର ଯେଉଁ ଉପନ୍ୟାସଗୁଡ଼ିକ ତାହାକୁ ପଢ଼ାଇଛି, ସେ ସମୟରେ ରୁଷ୍‍ମାନେ ଅବିକଳ ସେହି ବହିଗୁଡ଼ିକର ପାତ୍ର ପାତ୍ରୀମାନଙ୍କ ପରି ଥିଲେ । ସରଳ ଭଦ୍ର ପରିବାରଟିଏ—ବାପା, ମାଆ, ଆଉ ଦୁଇଟି ଝିଅ । ସେମାନେ ତାଙ୍କୁ ଫିଲିପ ଫିଲିପପୋଭିଚ ବୋଲି ଡାକୁଥିଲେ । କର୍ତ୍ତାଙ୍କର ନାମ ଥିଲା ମସିୟେଁ ରସ୍‍ଟାକଭ୍‍—ମୁଖରେ ଦାଢ଼ି ଭର୍ତ୍ତି, ତୁଣ୍ଡରୁ ଝରୁଥାଏ ରସରସିଆ ଫରାସୀ ଗପ, ପାନ ଭୋଜନରେ ପ୍ରଚୁର ଆଗ୍ରହ, ଆଉ ଦିଲ୍ ଖୋଲା ମିଜାଜ—ସେ କାଳର ଖାସା ମଉଜିଆ ଲୋକ । ଆଉ ଶ୍ରୀମତୀ—ଓରଫ ରାଜକୁମାରୀ ନୋଗାରିନ—ଟ୍ରେଭିଲିୟାନଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିଲେ । ତାଙ୍କ ରକ୍ତରେ କୁଆଡ଼େ ତାହାର ରକ୍ତ ମିଶିଥିଲା । ଶ୍ରୀମତୀ କେତେକ ପରିମାଣରେ ଅତୀନ୍ଦ୍ରିୟ ଜଗତର ଲୋକ ଥିଲେ । ମାନ୍ତ୍ର ଏଣେ ମସିୟେଁ ରସ୍‍ଟାକଭଙ୍କର ଜୈବିକ ଦାବୀ ଓ ତେଣେ ଦେହାନ୍ତରୀ ଆତ୍ମା ପ୍ରତି ବିଶ୍ୱାସରେ ତାଙ୍କର ଅବସ୍ଥା ଶାନ୍ତ କ୍ଳାନ୍ତ ହୋଇଗଲା ।

 

ସେମାନଙ୍କର ବଡ଼ ଝିଅ ହେଉଛି ବାରବାର-ତାହାର ବିବାହ ଠିକ୍ ହୋଇଥିଲା । ଝିଅଟିର ବୟସ ମାତ୍ର ସତର ବର୍ଷ-ବଡ଼ ଗମ୍ଭୀର ମୁଖ, କଳା କେଶ ଓ ଗଭୀର ଧୂସର ଆଖି ଦୁଇଟିରେ ଏକାବେଳେ ଭୀତ ସାରଲ୍ୟ । ସାନ ଝିଅଟିର ନାମ କ୍ୟାଟ୍ରିନା-ନୀଳ ଆଖି, ଚେପ୍‍ଟା ନାକ, ଜଟା ବାଳ, ଅଧରରେ ପରିପୂର୍ଣ୍ଣ ହସ, ଅଥଚ ଖୁବ୍‍ ଗମ୍ଭୀର । ସୁନ୍ଦର ଛୋଟ ଝିଅଟି ସେ ତିନି ବର୍ଷ ତଳେ ଟାଏଫୟେଡରେ ତାହାର ଅକାଳ ମୃତ୍ୟୁ ହେଲା । ଏ ଖବର ଟ୍ରେଭିଲିୟାନଙ୍କୁ ଗୋଟିଏ ବଡ଼ ଧକ୍କା ଦେଲା ।

 

ସମୟର ଅସ୍ପଷ୍ଟ ସୀମାନ୍ତରେ ଦେଖିଥିବା ଚମତ୍କାର ପରିବାରଟିଏ । ଏକ୍ଷଣି ସମଗ୍ର ପୃଥିବୀରେ ଏପରି ଗୋଟିଏ ରୁଷୀୟ ପରିବାର ମିଳିବେ ନାହିଁ—ଦୁନିଆରୁ ଏକାବେଳେ ଲୋପ ହୋଇ ଯାଇଛି । ଦକ୍ଷିଣ ରୁଷରେ କେଉଁଠି ସେମାନଙ୍କର ଜମିଦାରୀ ଥିଲା, କିନ୍ତୁ ଘର ଥିଲା ଇୟାଲଟା ପାଖରେ । ବିଶ୍ୱ ପ୍ରେମିକର ମିଜାଜ, ମାତ୍ର ଏଣେ ଆଚାର ବ୍ୟବହାରରେ ଖାଣ୍ଟି ରୁଷୀୟ–ସାମୋଭାର, ଛୋଟ ଛୋଟ ଭଡ଼କାର ପାତ୍ର ଓ କାଭିୟାର ସ୍ୟାଣ୍ଡଉଇଚ । ଝିଅମାନଙ୍କୁ ଧରି ଗଧ ପିଠିରେ ଚଢ଼ି ଟ୍ରେଭିଲିୟାନ ବୁଲିବାକୁ ଯାଉଥିଲେ ଗୋର୍ବିୟୋ, କାଷ୍ଟ୍ରେଲାର ଓ ବେଲ୍ ଏଣ୍ଡାକୁ-। ବାଟରେ ବଣଭୋଜିରେ ସେହି ସ୍ୟାଣ୍ଡଉଇଚ ଖିଆ ହୁଏ । ସାଙ୍ଗରେ ଜଣେ ଭଦ୍ର ଜର୍ମାନ ତରୁଣୀ ଥାଏ, ଝିଅମାନଙ୍କର ପରିଚାରିକା । ସତରେ, ସେହି ସମୟରେ ଜର୍ମାନମାନେ ବି ଅନ୍ୟ ଧରଣର ଥିଲେ । ସମସ୍ତ ଜୀବନଟା ହିଁ ଥିଲା କେତେ ବିଭିନ୍ନ । ପେଟ୍ରୋଲ ଗନ୍ଧରେ ସେତେବେଳେ ପବନ ବିବ୍ରତ ହେଉ ନଥିଲା—ଢିଲା ଘାଗରା ପିନ୍ଧି ଛତା ଧରି ଝିଅମାନେ ଗାଡ଼ିରେ ଚଢ଼ି ବୁଲୁଥିଲେ । ଛୋଟ ଛୋଟ ଘୋଡ଼ାଗୁଡ଼ିକର ସାଜସଜା ଭାରି ଚକଚକିଆ, ଗଳାରେ ଘଣ୍ଟା ଝୁଲା ହୋଇଥାଏ । କଳା ପୋଷାକ ପରିହିତ ପୁରୋହିତ, ଲାଲ ପ୍ୟାଣ୍ଟ ଓ ହଳଦିଆ କୁର୍ତ୍ତା ପିନ୍ଧା ସୈନିକ, ଆଉ ଅସଂଖ୍ୟ ଭିକାରୀ ।

 

ଝିଅମାନେ ବଣୁଆ ଫୁଲ ତୋଳି ଉପହାର ଦେବା ପାଇଁ ଯତ୍ନରେ ସଜାଡ଼ି ରଖନ୍ତି । ଦିନର ଶେଷରେ ଘରକୁ ଫେରିବା ବେଳେ ରାସ୍ତାରେ ବାରବାର ତାହାର ଡିମା ଡିମା ଗଭୀର ଆଖି ମେଲାଇ ତାହାଙ୍କ ଆଡ଼କୁ ଚାହିଁ ପ୍ରଶ୍ନ କରେ, ସେ ପରଲୋକ ବିଶ୍ୱାସ କରନ୍ତି କି ନା । ଯେତେ ଦୂର ମନେ ପଡ଼େ, ଜୋର୍‍ କରି କହିବା ଭଳି କୌଣସି ବିଶ୍ୱାସ ତାଙ୍କର ସେହି ବୟସରେ ନ ଥିଲା—ଅର୍ଥାତ, ସଂସାର ଓ ବୈଷୟିକ ଦାୟିତ୍ୱ ନିଜ ଉପରେ ପଡ଼ିବା ସଙ୍ଗେ ସଙ୍ଗେ ନାନା ପ୍ରକାର ବିଶ୍ୱାସ ବି ଜମା ହୋଇ ଯାଇଥିଲା । କିନ୍ତୁ ବାରବାରାର ଦୁଃଖ ହେଉଥିଲା, କାରଣ ସେ ଖେଳ ଓ ପୋଷାକ ପତ୍ରରେ ମଜି ଯାଇଛନ୍ତି, ମାତ୍ର ଆତ୍ମା ଓ ପରଲୋକ ବିଷୟରେ ସେ ତିଳେ ହେଲେ ଚିନ୍ତା କରୁ ନାହାନ୍ତି । ସେହି ସମୟରେ ରୁଷୀୟମାନେ ଆତ୍ମା ବିଷୟରେ ଏତେ ପ୍ରବଳ ଚିନ୍ତା କରୁଥିଲେ ସେ ତାହା କହିବାର କଥା ନୁହେଁ ।

 

ପ୍ରଥମ ଦୁଇଟି ସପ୍ତାହ କାବ୍ୟ ଭଲ କଟିଗଲା । ଗୋଟିଏ ରବିବାରିଆ ସନ୍ଧ୍ୟାର କଥା–ଏତେ ଦିନପରେ ବି ତାଙ୍କର ଠିକ୍ ମନେ ପଡ଼ିଛି—କ୍ୟାପ୍ ମାଟିନ ପାଖରେ ସମୁଦ୍ର କୂଳରେ ସେ ରୁମାଲରେ ଜୋତାରୁ ବାଲି ପୋଛୁଥିଲେ । ଠିକ୍ ସେତିକିବେଳେ ବାର୍‍ବାର୍‍ ତାହାଙ୍କୁ କହିଥିଲା । ରୁମାଲଟାରେ ଫେର୍ ମୁହଁ ପୋଛିବେ ତ, ଫିଲିପ୍ ଫିଲିପୋଭିଚ-? ଝିଅଟି ସବୁବେଳେ ଏମିତି ଅସ୍ଵସ୍ତିକର କଥା କହେ । ହଠାତ୍‍ ଲଜ୍ଜାରେ ସେ ଲାଲ ପଡ଼ିଗଲେ-। ବର୍ଷକ ପରେ କ୍ୟାଟ୍ରିନା ଖଣ୍ଡିଏ ଚିଠିରେ ଏହି ଲଜ୍ଜାକର କଥାଟି ଲେଖି ତାଙ୍କର ମନେ ପକାଇ ଦେଇଥିଲା-। କ୍ୟାଟ୍ରିନାର ସେହି ନେଳିଆ ‘ଫରଗେଟ-ମି-ନଟ୍‍’ ଫୁଲ ଅଙ୍କିତ ଚିଠି ଖଣ୍ଡିକ ଏବେ ବି ତାଙ୍କର ମନେ ପଡ଼ୁଛି । ଚମତ୍କାର ଝିଅ ଦୁଇଟି, ଆଉ କି ସରଳ—ଆଜି କାଲି ଏମିତି ଝିଅ ମିଳିବେ ନାହିଁ-। ସେହି ଶିଶିର ଏବେ ଶୁଖି ଯାଇଛି । ସେତେବେଳେ ସେମାନେ ଭାବୁଥିଲେ, ମନ୍ତେକାର୍ଲୋ ଅତିଶୟ କଦର୍ଯ୍ୟ ସ୍ଥାନ—ଆଉ ଆଜି କାଲିକା ଝିଅମାନେ ?

 

ଏପରିକି ରସ୍‍ଟାକଭଙ୍କୁ ବି ଗୋପନରେ ମନ୍ତେକାର୍ଲୋକୁ ଆସିବାକୁ ପଡ଼ୁଥିଲା । ଟ୍ରେଭିଲିୟାନଙ୍କର ମନେ ପଡ଼ୁଛି—ସେହି କାବ୍ୟମୟ ଜଗତର ପରିଧିରୁ ବାହାରି ବାରବାରାର ଦୃଷ୍ଟି ଏଡ଼ାଇ ମନ୍ତେକାର୍ଲୋକୁ ଯିବା ତାଙ୍କ ପକ୍ଷରେ ସହଜ ସାଧ୍ୟ ନ ଥିଲା । ଦିନେ ସନ୍ଧ୍ୟା ବେଳେ ଶ୍ରୀମତୀ ଓ ଝିଅମାନେ ଗୋଟିଏ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ, ସେତିକିବେଳେ ସେ ଧୀରେ ଷ୍ଟେସନକୁ ଖସି ଆସି ରେଳରେ ଚଢ଼ି ଚାଲି ଯାଇଥିଲେ।

 

 

ଅତି ସ୍ପଷ୍ଟ ଭାବରେ ଆଜି ତାଙ୍କର ମନେ ପଡ଼ୁଛି—ବଗିଚା ଭିତର ଦେଇ ସେହି ବଙ୍କା ଢଙ୍କା ରାସ୍ତା, ସେହି ଗନ୍ଧ ଭରା ଉଷ୍ଣ ମଧୁର ସ୍ତବ୍ଧ ସନ୍ଧ୍ୟା—କ୍ୟାସିନୋ ଅର୍କେଷ୍ଟାରେ ବାଜୁଥାଏ ଫାଉଷ୍ଟର ପ୍ରେମ ଗୀତ । ସେତେବେଳେ ଉଜ୍ଜ୍ଵଳ ରମଣୀୟ ବିଜୁଳି ଆଲୋକ ନ ଥିଲା—ଅଜଣା ବୃକ୍ଷଲତାରେ ଆବୃତ ଅଦ୍ଭୁତ ଅନ୍ଧକାରରେ ସୁନେଲି ବତୀର ବୁଦ୍‍ବୁଦ୍‍ ଆଲୋକ । ଯୌବନର ଆଭିଜାତ୍ୟ ପଛରେ ତାଙ୍କର ରକ୍ତର ଯେଉଁ ରକ୍ଷଣ-ଶୀଳତା ଥିଲା, ଏହି ଆଲୋକ ତାକୁ ଗଭୀର ଭାବରେ ସ୍ପର୍ଶ କରିଥିଲା । ଯେମିତି ସେ ଚାଲିବାରେ ଲାଗିଥିଲେ—ନା, ଠିକ୍ ଇନ୍ଦ୍ରପୁରୀକୁ ନୁହେଁ ! ମୁଖ ଭରା ଦାଢ଼ି ତଳେ ଅସ୍ଫୁଟ ଶବ୍ଦ କରି ବୃଦ୍ଧ ଟ୍ରେଭିଲିୟାନ ଟିକିଏ ହସିଲେ । ଯାହା ହେଉ, ସେତେବେଳେ କମ୍ପିତ ବକ୍ଷରେ ଟ୍ରେଭିଲିୟାନ ଠିକ୍ ଜୁଆଖେଳର କୋଠରୀରେ ପ୍ରବେଶ କରିଥିଲେ-। ମନ ଇଚ୍ଛା ଉଡ଼ାଇଦେବା ଭଳି ଟଙ୍କା ସେତେବେଳେ ତାଙ୍କ ପାଖରେ ଅବଶ୍ୟ ନ ଥିଲା-। ବାପାଙ୍କ ପାଖରୁ ସେ ପାଉଥିଲେ ବର୍ଷକୁ କଣ୍ଟାକୁ କଣ୍ଟା ଚାରି ଶହ ପାଉଣ୍ଡ । ସେତେବେଳେ ତାଙ୍କର ପାର୍ଟନାରସିପର ଶିକ୍ଷାନବିଶ୍ ଯୁଗ । ଦଶଟି କିମ୍ବା ଖୁବ୍ ବେଶୀ ହେଲେ କୋଡ଼ିଏଟି ପାଉଣ୍ଡ ଉଡ଼ାଇଦେବାର କ୍ଷମତା ତାଙ୍କର ଥିଲା । କିନ୍ତୁ ଇଂଲଣ୍ଡକୁ ଫେରିଗଲେ ତାଙ୍କୁ ବନ୍ଧୁମାନେ କହିବେ–ହାୟ, ହାୟ, ମନ୍ତେକାର୍ଲୋକୁ ଗଲ, ମାତ୍ର ହାତେ ବି ଖେଳିଲ ନାହିଁ ? ଏ କଥା କଅଣ କେବେ ସହ୍ୟ କରି ହେବ ?

 

ପ୍ରଥମେ ଘରେ ଗୋଡ଼ ଦେଲା କ୍ଷଣି ଟ୍ରାଭିଲିୟାନ ହତାଶ ହୋଇ ପଡ଼ିଲେ । ଘରର ସାଜସଜ୍ଜା ଅତି ମାତ୍ରାରେ ରକ୍ତିମ ଦିଶୁଥିଲା—ଲୋକମାନେ ସମସ୍ତେ ବିଦେଶୀ, ଅଦ୍ଭୁତ ଓ କଦାକାର । କିଛି ସମୟ ଠିଆ ହୋଇ ରହି ସେ ଦାନ୍ତୁଆ ପଇସା ଟଣା ଚାମଚ ସାଙ୍ଗରେ ମୁଦ୍ରାର ଝଣଝଣ ଆବାଜ ଓ ଦଲାଲମାନଙ୍କ ଗଳାର ଚିତ୍କାର ଶୁଣିଲେ । ତା ପରେ କିଛି କ୍ଷଣ ଗୋଟିଏ ଟେବୁଲ ପାଖରେ ଠିଆ ହୋଇ ସେ ଦେଖିବାକୁ ଲାଗିଲେ, ଖେଳଟା କିପରି ହେଉଛି । ଏଠାରେ ସେହି ଗୋଟିଏ ପ୍ରକାର ଖେଳ ହୁଏ । ଏକ୍ଷଣି ଜୁଆଡ଼ିମାନଙ୍କ ଆଖିରେ ସେହି ଅନନୁକରଣୀୟ ତୀବ୍ର ଅନ୍ଧ କଙ୍କଡ଼ାଙ୍କ ଭଳି ଆକର୍ଷଣ । ଠିକ୍ ପୂର୍ବ ପରି ଦଳେ ଜୁଆଡ଼ି ବୁଢ଼ୀ ବସିଥିଲେ । ଚାହୁଁ ଚାହୁଁ କେମିତିକା ଗୋଟାଏ ଭୀତ ଉତ୍ତେଜନା ଆସି ତାଙ୍କର ମଥା ଭିତରେ ଧୀରେ ଧୀରେ ପ୍ରବେଶ କଲା-। ତାଙ୍କର ଆଙ୍ଗୁଳିଗୁଡ଼ିକ ଅସ୍ଥିର ହୋଇ ପଡ଼ିଲା । କିନ୍ତୁ ଏଣେ ତାଙ୍କର ମନରେ ବି ଲଜ୍ଜା ଉଙ୍କି ମାରୁଥିଲା । ଯେଉଁମାନେ ଖେଳୁଥିଲେ ସେମାନଙ୍କର ମୁହଁ-ଆଖିରେ ମୃତ୍ୟୁ ପରି ନିଶ୍ଚିତତା ଥିଲା । ସେମାନେ ଯେମିତି ଏହାର ସବୁ କିଛି ସହିତ ସମ୍ପୂର୍ଣ୍ଣ ପରିଚିତ ଥିଲେ । ଶେଷକୁ ସେ ତାଙ୍କ ଆଗରେ ବସିଥିବା ଜଣେ କୃଷ୍ଣ କେଶୀ ସ୍ତ୍ରୀ ଲୋକର କାନ୍ଧ ଉପରେ ଦେଇ ହାତ ବଢ଼ାଇ ପାଞ୍ଚ ଫ୍ରାଙ୍କର ଗୋଟିଏ ମୁଦ୍ରା ରଖି କହିଲେ, ‘ଭିଙ୍କଟ୍’ ! ଗୋଟାଏ ଚାମଚ ମୁଦ୍ରାଟିକୁ ଗୋଟିଏ ସଂଖ୍ୟା ପାଖକୁ ଟାଣି ନେଇଗଲା । ଟୁକ୍ କରି ଗୋଟାଏ ଶବ୍ଦ, ବଲ୍‍ଟା ଗଡ଼ିଲା । —ତାଙ୍କର ଫ୍ରାଙ୍କ୍‍ ତଳକୁ ଚାଲିଗଲା । କିନ୍ତୁ ଜୁଆଖେଳ ତ ତାଙ୍କର ହେଲା ! ହଠାତ୍ ତାଙ୍କର ମନ ଭିତରେ ଭାସି ଉଠିଲା ସାରଲ୍ୟର କୌତୁକରେ ଭରା ବାରବାରାର ମୁଖ ମଣ୍ଡଳ । ସେ ଯେମିତି କହୁଛି–ଜୁଆଖେଳ-? ଛି, ଛି, ଫିଲିପ୍ ଫିଲିପୋଭିଚ !

 

ବାମ ପଟର ଲୋକଟା ଚଉକି ଛାଡ଼ିଦେଇ ଉଠିଗଲା । ଟ୍ରେଭିଲିୟାନ ସେହି ସ୍ଥାନଟି ଦଖଲ କରିନେଲେ । ସେ ମନେ ମନେ ଭାବିଲେ—ଥରେ ଯେତେବେଳେ ବସିଛି, ସେତେବେଳେ ନିଶ୍ଚୟ ଖେଳିବାକୁ ହେବ । ଆଉ ଗୋଟିଏ ପାଞ୍ଚ ଫ୍ରାଙ୍କ ସେ କଳା ଦାଗ ଉପରେ ରଖିଲେ ଏବଂ ସଙ୍ଗେ ସଙ୍ଗେ ଦୁଇଟି ମୁଦ୍ରା ଫେରି ପାଇଲେ । ଯାହା ହେଉ ଲୋକଟା ଠାରୁ ରକ୍ଷା ମିଳିଲା । ପାଞ୍ଚ ଫ୍ରାଙ୍କର ବାଜି ଧରି ଆଉ କେତେ ବାର ଖେଳୁ ଖେଳୁ ସେ ଚାରି ପଟେ ଜମା ହୋଇଥିବା ଲୋକମାନଙ୍କ ମୁଁହ ଉପରେ ଆଖି ବୁଲାଇନେଲେ । ବାମ ପଟେ ସାନ୍ଧ୍ୟ ପୋଷାକ ପିନ୍ଧି ବସିଥିଲେ ଜଣେ ବୃଦ୍ଧ ଇଂରେଜ—ଲାଲ ମୁହଁ, ମୋଟା ଓଠ—ମୋହର ପକାଇ ଖେଳୁଥିଲେ ଏବଂ ନିଶ୍ଚୟ ଖୁବ୍ ଜିତିଥିଲେ । ଠିକ୍ ତାଙ୍କ ଆଗରେ ହର୍‍ରଙ୍ଗୀ ଶାଲ ଦେହରେ ପକାଇ ବାଜ ପକ୍ଷୀ ଭଳି ବଙ୍କା ନାକ ଥିବା ଜଣେ ବୁଢ଼ୀ ଓ ଫ୍ରକ କୋଟ ପିନ୍ଧ ଗ୍ରୀକ୍ ଡକାୟତଙ୍କ ଭଳି ଚେହେରାର ଜଣେ ପୁରୁଷ ବସିଥିଲେ । ଡାହାଣ ପଟେ ସେହି କୃଷ୍ଣ କେଶୀ ତରୁଣୀଟି, ଯାହାର କାନ୍ଧ ଉପରେ ସେ ପ୍ରଥମେ ଭରା ଦେଇଥିଲେ, ସେହି ସ୍ତ୍ରୀ ଲୋକଟିର ଦେହରୁ ଯୂଈ ଫୁଲ ପରି ଗୋଟାଏ ମଧୁର ଗନ୍ଧ ବାହାରୁଥିଲା । ତା ସାମନାରେ ଛଅ ସାତୋଟି ସୁନାର ମୁଦ୍ରା ପଡ଼ିଥିଲା, କିନ୍ତୁ ସେ ହାତ ଟେକି ବସି ରହିଥିଲା । କଟାକ୍ଷ ଚାହାଣୀରେ ଟ୍ରେଭିଲିଆନ ସ୍ତ୍ରୀ ଲୋକଟିର ମୁଖ ଭଲ କରି ଦେଖିନେଲେ । ଏଠାରେ ଯେତେ ଝିଅ ଚଳ ପ୍ରଚଳ ହେଉଥିଲେ, ଏହି ଝିଅଟିର ରୂପ ସାଙ୍ଗରେ ସେମାନଙ୍କର ତୁଳନା କଦାପି ହୋଇ ନ ପାରେ ।

 

ହଠାତ୍ ଖେଳର ହାର୍-ଜିତ୍‍ର ଆକର୍ଷଣ ତାଙ୍କ ମନରୁ ଉଭାଇଗଲା । ସରୁ ଟାଣିଲା ଟାଣିଲା ଈଷତ ସଦ୍ୟ କୁଞ୍ଚିତ କଳା ଭ୍ରୂ ଦୁଇଟି, ଆଉ ତାରି ତଳେ କଳା ଭେଲଭେଟ୍‍ ପରି ଆଖି ଦୁଇଟି । ଗୋଟାଏ ଲମ୍ବାଳିଆ ସ୍ନିଗ୍ଧ ମୁଖ—ବିଦେଶୀମାନଙ୍କ ପରି ସେଥିରେ ପାଉଡ଼ରର ସାମାନ୍ୟ ପ୍ରଲେପ ଥିଲା । ପୋଷାକ ଖୁବ୍ ଲମ୍ବା, ମସୃଣ ସାଦା କାନ୍ଧ ଦୁଇଟି ଉପରେ କଳା ଲେସ୍‍ର ଖଣ୍ଡିଏ ଚାଦର, ଆଉ କଳା କେଶ-ଗୁଚ୍ଛରେ କଅଣ ଯେମିତି ଚକ୍‍ଚକ୍ କରୁଥାଏ । ଝିଅଟି ନିଶ୍ଚୟ ଇଂରେଜ ନୁହେଁ, କିନ୍ତୁ ସେ କେଉଁ ଜାତି ତାହା ଅନୁମାନ କରି ହେବ ନାହିଁ । କଳା ଦାଗ ଉପରେ ଦୁଇ ଥର ବସାଇ ସେ ପାଞ୍ଚ ଫ୍ରାଙ୍କ ଲେଖାଏଁ କିଣିଲେ । ସେ ଲକ୍ଷ୍ୟ କଲେ, ଝିଅଟି ବି ତାଙ୍କ ଦେଖା ଦେଖି କଳା ଦାଗ ଉପରେ ଗୋଟାଏ ସୁନା ମୁଦ୍ରା ବସାଇଲା । ପୁଣି କଳା କିଣିଲା । ସେ ଫେର୍‍ ଖେଳିଲେ-। ଝିଅଟି ବି ସେମିତି ତାଙ୍କ ସାଙ୍ଗରେ ଖେଳିଲା । ଏକା ଭାଗ୍ୟରେ ଝିଅଟି ସହିତ ଜଡ଼ିତ ହୋଇ ପଡ଼ିବାରୁ ଯୁବକ ଟେଭିଲିୟାନଙ୍କୁ ଭାରି ଭଲ ଲାଗିଲା । କଅଣ ଏବେ ଭାସିଗଲା—ହେଉ ପଛକେ ତାହାର ପରାଜୟ ! ଏକାଦି କ୍ରମେ ଆଠ ଥର କଳା ଦାଗରେ ଟଙ୍କା ରଖି ସେ ଜିତିଲେ ଏବଂ ତା ପରେ ଛାଡ଼ିଦେଲେ । ଝିଅଟି ମଧ୍ୟ ସଙ୍ଗେ ସଙ୍ଗେ ରହିଗଲା । ଦୁହିଁଙ୍କ ସାମନାରେ ସୁନା ମୁଦ୍ରା ଜମା ହୋଇଥିଲା । ଆଗରେ ବସିଥିବା ବୁଢ଼ୀର ଆଖି ଦୁଇଟା ଯେମିତି ବାଜ ପକ୍ଷୀ ପରି ବାହାରି ପଡ଼ିଛି ଏବଂ ତାହାର ଶୀର୍ଣ୍ଣ ଓଠର ନିଷ୍ଠୁର ହସରେ ସେ କହୁଛି—ଫେର୍ ସବୁ ବଳେ ଚାଲିଯିବ, ଟିକିଏ ସବୁର୍ କର । ତୀବ୍ରତର ଉତ୍ତେଜନାରେ ପାଖ ଝିଅଟିର ଦେହର ଯୂଈ ଗନ୍ଧ ଯେମିତି ଆହୁରି ତୀବ୍ର ହୋଇ ଉଠିଲା । ତାଙ୍କର ଆଖିରେ ପଡ଼ିଲା, କଳା ଲେସ୍ ତଳେ ତାହାର ସାଦା ବକ୍ଷ ଦୋହଲୁଛି—ବୋଧହୁଏ ଚିତା ଟଙ୍କାଗୁଡ଼ିକ ଗୋଟାଇ ନେବା ପାଇଁ । ସ୍ତବ୍ଧ ନିଶ୍ଵାସରେ ଝିଅଟି ଥରେ ହାତ ବଢ଼ାଇଲା । ଟ୍ରେଭିଲିଆନ ଜୟର ନିଶାରେ ବସି ରହିଲେ । ତାଙ୍କର ଆଖିରେ ଆଖି ପଡ଼ିବା ମାତ୍ରେ ଝିଅଟି ହାତ ଘୁଞ୍ଚାଇ ନେଲା । ବଲ୍‍ଟା ଗଡ଼ିଲା । ଯାହା ହେଉ, ଏଥର ବି କଳାର ଜିତ୍ ହେଲା-। ଝିଅଟିର ନିଶ୍ୱାସର ଶବ୍ଦ ସେ ଶୁଣି ପାରିଲେ । ସେ ତାଙ୍କର ହାରଟି ସ୍ପର୍ଶ କଲା ।

 

ଉଠନ୍ତୁ, ଉଠନ୍ତୁ, ଚାଲନ୍ତୁ ଏଥର ଯିବା—କାନ ପାଖରେ ଚୁପ୍ ଚୁପ୍ କହିଦେଇ ଲାଭ ଟଙ୍କାଗୁଡ଼ିକ ଗୋଟାଇ ସେ ଉଠି ପଡ଼ିଲା । ଟ୍ରେଭିଲିୟାନ ମୁହୂର୍ତ୍ତେ ମାତ୍ରେ ଇତସ୍ତତଃ କଲେ, କିନ୍ତୁ ଡେରି ହେଲେ ଝିଅଟିର ଆଉ ଦେଖା ମିଳିବ ନାହିଁ ଭାବି ଚଞ୍ଚଳ ଚଞ୍ଚଳ ଟଙ୍କାତକ ଗୋଟାଇ ନେଇ ସେ ବି ଟେବୁଲ ଛାଡ଼ି ଉଠି ପଡ଼ିଲେ । ଗୋଟାଏ ପାଞ୍ଚ ଫ୍ରାଙ୍କର ମୁଦ୍ରାରେ ସେ ଖେଳ ଆରମ୍ଭ କରିଥିଲେ—ଭାଗ୍ୟ ଭଲ, ଗୋଟାକ ପରେ ଗୋଟାଏ ନଅ ଥର ବାଜି ଲଗାଇ ସେ ଶହେ ପାଉଣ୍ଡରୁ ବେଶି ଜିଣିଲେ । ଠିକ୍ ସମୟରେ ସେ ଖେଳ ବନ୍ଦ କଲେ । ଟ୍ରେଭିଲିୟାନ ଖୁସି ମନରେ ଆଗେଇଗଲେ । ଟିକିଏ ଆଗରେ ଭିଡ଼ ଭିତରେ ସୁନ୍ଦରୀ ଝିଅଟି ଚାଲି ଯାଉଥିଲା । ଠିକ୍ କୌଣସି ମତଲବ ପାଞ୍ଚ ନୁହେଁ, ମାତ୍ର ଝିଅଟି ଯେମିତି ଥରେ ବି ହଜି ନ ଯାଏ, ଏପରି ଏକ ଭାବ ମନରେ ରଖି ଟ୍ରେଭିଲିୟାନ ତାହାକୁ ଅନୁସରଣ କଲେ । ସାମନାରେ ଭିଡ଼ ଯୋଗୁଁ ଝିଅଟି ଥରେ ଅଟକିଗଲା । ସେତେବେଳେକୁ ସେ ତାହାର ଏତେ ପାଖରେ ଆସି ପହଞ୍ଚି ଯାଇଥାଆନ୍ତି ଯେ ଅପରିଚୟର ଛଳନା କରିବା ତାଙ୍କ ପକ୍ଷରେ ଏକାବେଳେ ଦୁଃସାଧ୍ୟ ହେଲା ।

 

ଝିଅଟି ପଛକୁ ବୁଲିପଡ଼ି ତାଙ୍କୁ ଦେଖିଲା ଏବଂ ଭଙ୍ଗା ଭଙ୍ଗା ଇଂରାଜୀରେ କହିଲା—ଓଃ, ଆପଣ ! ଆପଣଙ୍କୁ ଅଶେଷ ଧନ୍ୟବାଦ !

 

ଟ୍ରେଭିଲିୟାନ ଥତମତ କରି କହିଲା—ମୋର ତ ଆପଣଙ୍କୁ ଧନ୍ୟବାଦ ଦେବାର କଥା-

 

ଅପରିଚିତାର ମୁଖରେ ହସ ଖେଳିଗଲା । ସେ କହିଲା—ଅନ୍ୟର ଭାଗ୍ୟ ମୁଁ ଠିକ୍ ଯେମିତି ବୁଝି ପାରେଁ, ନିଜ ବେଳକୁ ତାହା କିନ୍ତୁ ପାରେ ନା । ମୋର କପାଳ ମନ୍ଦ, ଆପଣ ଆଜି ଏହି ପ୍ରଥମ ଖେଳିଲେ ନା ? ହଁ, ମୁଁ ତ ଠିକ୍ ସେୟା ଭାବିଥିଲି । କିନ୍ତୁ ମୋତେ ବଚନ ଦିଅନ୍ତୁ, ଆପଣ ଆଉ କେବେ ଖେଳିବେ ନାହିଁ । ତାହା ହେଲେ ମୁଁ ଖୁବ୍ ଖୁସି ହେବି ।

 

ଝିଅଟି ତାଙ୍କୁ ଆଡ଼କୁ ଅନାଇ ରହିଲା । ଈଷତ୍ କୌତୁକର ହସରେ ତାହାର ମୁଖ ଉଦ୍ଭାସିତ ହେଲା । ଏମିତି ମୁଖ ସେ ଜୀବନରେ କେବେ ହେଲେ ଦେଖି ନ ଥିଲେ । କଳା ଲେସ୍‍ର ପୋଷାକରେ ଆବୃତ ତାହାର ଶରୀର ନିତମ୍ବ ଠାରୁ ସ୍ପଷ୍ଟ ବାରି ହୋଇ ଯାଉଥିଲା । କଳା ଓଢ଼ଣୀ ଖଣ୍ଡିଏ ବି ତାହାର କାନ୍ଧରେ ପଡ଼ିଥିଲା ।

 

—ସତରେ କଅଣ ଖୁସି ହେବେ ? ନିଶ୍ଚୟ, ଆପଣ ଯାହା କହିବେ, ତାହା ପାଳନ କରି ମୁଁ କୃତାର୍ଥ ହେବି ।

 

ପିଲାଙ୍କ ପରି ଆନନ୍ଦରେ ଆତ୍ମହରା ହୋଇ ଝିଅଟି ତାଙ୍କର ଦୁଇ ହାତ ଏକା ସାଙ୍ଗରେ ଚାପି ଧରି କହିଲା—ଠିକ୍ ତ, ଠିକ୍ ? ତାହା ହେଲେ ମୋର ଋଣ ପରିଶୋଧ ହୋଇଗଲା ।

 

—ଆପଣଙ୍କ ପାଇଁ ଗାଡ଼ି ଡାକି ଦେବି ?

 

—ନା, ନା, ମୁଁ ଚାଲି କରି ଯିବି ।

 

ଦୁଃସାହସରେ ଟ୍ରେଭିଲିୟାନ କହିଲେ—ତାହା ହେଲେ ମୁଁ ଆପଣଙ୍କୁ ନେଇ ଘରେ ଛାଡ଼ିଦେଇ ଆସି ପାରେଁ ?

 

—ହଁ, ନିଶ୍ଚୟ ।

 

ପ୍ରାର୍ଥନା ବହି ଖଣ୍ଡିକ ହାତରେ ଧରି ବସି ବସି ବୃଦ୍ଧ ଟ୍ରେଭିଲିୟାନ ନିଜର ଅତୀତକୁ ଅନୁସରଣ କରିବାକୁ ଲାଗିଲେ । ଝିଅଟି ନିଜର କୋଟ ଆଣିବାକୁ ଚାଲିଗଲା । ଠିକ୍ ସେହି ମୁହୂର୍ତ୍ତରେ କଅଣ ସେ ଭାବୁଥିଲେ ? କଅଣ ଥିଲା ତାଙ୍କର କଳ୍ପନା ? କିଏ ସେ ! କେଉଁ ଆବର୍ତ୍ତକ ତାଙ୍କୁ ଟାଣି ନେଇ ଯାଉଛି ? କାବ୍ୟ ଜଗତକୁ, ବାରବାରାର ସ୍ୱଚ୍ଛତା ନିକଟକୁ, କ୍ୟାଟ୍ରିନାର ସରଳ ହସ ଠାରେ ଆଶ୍ରୟ ନେବାକୁ କଅଣ ସେ ପଳାଇ ଯିବେ ?—ଏତିକି ବେଳେ ଝିଅଟି ଆସି ତାଙ୍କ ପାଖରେ ଠିଆ ହୋଇଗଲା । ପ୍ରାଚ୍ୟ ଦେଶର ନାରୀମାନଙ୍କ ପରି ଓଢ଼ଣାରେ ତାହାର କେଶରାଜି ଓ ମୁଖଟି ସଂପୂର୍ଣ୍ଣ ଆବୃତ୍ତ ହୋଇଥିଲା । ତାହାର ଆଙ୍ଗୁଳିଗୁଡ଼ିକ ଟ୍ରେଭିଲିୟାନଙ୍କ ବାହୁରେ ଆସି ଆଶ୍ରୟ ନେଲା ।

 

ସେହି ଯାତ୍ରାଟି ଅବିସ୍ମରଣୀୟ ! ଅଜ୍ଞାତ ପଥରେ ପଦ-କ୍ଷେପରେ କି ବିଚିତ୍ର ଅନୁଭୂତି, ସମ୍ପୂର୍ଣ୍ଣ ଅପରିଚୟ ଭିତରେ ନୈକଟ୍ୟର ସ୍ପର୍ଶ କି ଅଦ୍ଭୁତ ! ପ୍ରତ୍ୟେକ ଲୋକର ଜୀବନରେ ବୋଧହୁଏ ଏମିତି ଗୋଟିଏ ମୁହୂର୍ତ୍ତ ଆସେ, ଯେଉଁ ମୁହୂର୍ତ୍ତଟି ତୁଚ୍ଛା ପ୍ରେମ-ରାଗର ସମୟ, ଆଉ ଯେତେବେଳେ ସବୁ ହରାଇଥିବା ଦୁଃସାହସ ସର୍ବଜୟୀ ହୋଇ ଉଠେ । ସେହି ମଧୁର ହାତଟିକୁ ଶରୀରର ଆହୁରି ନିକଟରେ ଚାପି ଧରିବାର ଲୋଭ ସେ ବହୁ କଷ୍ଟରେ ସମ୍ବରଣ କରେ—ସୁନ୍ଦରୀ ମହିଳାଟି ଯେଉଁ ଅପୂର୍ବ ବିଶ୍ୱାସ ତାଙ୍କ ଉପରେ ରଖିଛି, ତାର ଉପଯୁକ୍ତ ମର୍ଯ୍ୟଦା ଦେବାକୁ ହେବ ତ-? କେଉଁଠି ତାହାର ଘର—ଇତାଲୀ, ସ୍ପେନ, ପୋଲାଣ୍ଡ, ନା ବୋହିମିୟାରେ ? ବିବାହିତ-? ନା, ବିଧବା ? ସେ କିଛି କହିଲା ନାହିଁ—ଟ୍ରେଭିଲିୟାନ ବି ତାହାକୁ ଏ ବିଷୟରେ କିଛି ପଚାରିଲା ନାହିଁ-। ପୁଲକ ବା ଲଜ୍ଜାରେ ତାଙ୍କ ତୁଣ୍ଡରୁ ପଦେ ହେଲେ କଥା ବାହାରିଲା ନାହିଁ । ତାଙ୍କର ମଥାଟା ଘୂରୁଥିଲା । ସେହି ରାତିଟା ଯେମିତି ସବୁ ଠାରୁ ବେଶୀ ତାରକୋଜ୍ଜ୍ଵଳ, ସବୁ ଠାରୁ ବେଶୀ ଗନ୍ଧ-ମାତାଲ ଥିଲା—ସେହି ରାତିଟା ଯେମିତି କେବଳ ସେହି ଦୁହିଁଙ୍କ ପାଇଁ ଅଭିପ୍ରେତ !

 

ଏହି ତ ସେହି ଫାଟକ । ଏଠାକୁ ସେ ତା ସାଙ୍ଗରେ ଆସିଥିଲେ । ଫାଟକଟି ଖୋଲିଦେଇ ସେହି ଝିଅଟି କହିଲା—ଏ ଆମ ଘର । ଆପଣ ମୋର ଢେର ଉପକାର କରିଛନ୍ତି ।

 

ଏଠାରେ ପହଞ୍ଚି ଝିଅଟି ତାହାର ଆଙ୍ଗୁଳିଗୁଡ଼ିକ ତାଙ୍କ ବାହୁରୁ ମୁକ୍ତ କରିନେଲା । ହଠାତ୍ ତାଙ୍କର ମନେ ପଡ଼ିଲା, ସେହି ଆଙ୍ଗୁଳିଗୁଡ଼ିକ ସେ ଚୁମ୍ବନ କରିଥିଲେ ।

 

—ଆପଣଙ୍କର କାମରେ ଲାଗିଲେ, ସବୁବେଳେ ମୁଁ କୃତାର୍ଥ ମଣିବି ।

 

ଝିଅଟିର ଓଠ ଦୁଇଟି ଟିକିଏ ବିସ୍ଫାରିତ ହୋଇଗଲା ଏବଂ ଆଖି ଦୁଇଟିରେ ଏମିତି ଏକ ବଙ୍କିମ ମାଧୁର୍ଯ୍ୟ ଖେଳିଗଲା, ଯାହା ପୂର୍ବେ ବା ପରବର୍ତ୍ତି ଜୀବନରେ ଟ୍ରେଭିଲିୟାନ କୌଣସି ଝିଅର ଆଖିରେ କେବେ ହେଲେ ଦେଖି ନ ଥିଲେ ।

 

—ନିତି ମୁଁ ଖେଳିବାକୁ ଯାଏଁ । ଆଜି ପାଇଁ ବିଦାୟ !

 

ସେ ଠିଆ ହୋଇ ବଗିଚା ଭିତରେ ପଡ଼ିଥିବା ରାସ୍ତାରେ ମିଳାଇ ଯାଉଥିବା ପଦ-ଧ୍ଵନି ଶୁଣୁଥିଲେ—ଦେଖୁଥିଲେ ଅନ୍ଧକାରରେ ଅଦୂରରେ ଘରେ ଆଲୁଅ ଜଳିଲା, ଫେର୍ କେତେବେଳେ ଲିଭିଗଲା । ତା ପରେ କ୍ୟାସିନୋକୁ ଯିବା ରାସ୍ତାଟା ମୁଖସ୍ଥ କରି କରି ସେ ଫେରି ଆସିଲେ, ଯେମିତି ଆଉ କେବେ ଦିନରେ କି ରାତିରେ ଏଠାକୁ ଆସିବାରେ ତାଙ୍କର କିଛି ଭୁଲ ନ ହୁଏ ।

 

ବଣ ଭିତରେ, ଯେଉଁଠି ସେ ବସିଥିଲେ, ଝଲକାଏ ପବନ ବହିଗଲା ଏବଂ ପାମ୍ ଗଛର ପତ୍ରରେ ଏକ ଶୁଖିଲା ମର୍ମର ଧ୍ଵନି ହେଲା । ଯୌବନର ପାଗଳାମୀ ! ସତରେ ଏମିତି ପାଗଳାମୀ ଯେତେବେଳେ ଆସେ, ସେତେବେଳେ ଯୌବନ କଅଣ ନ କରି ପାରେ ! ଗୋଟିଏ ଗୋଟିଏ ଛୋଟ ଲାଇଲାକ ଫୁଲ ତୋଳିଆଣି ବୃଦ୍ଧ ସେଟାକୁ ନାକ ପାଖରେ ଧରିଲେ, ଯେମିତିକି ସେହି ଗନ୍ଧର ଇଙ୍ଗିତରେ ଉତ୍ତପ୍ତ ରକ୍ତର ଏକ ମତ୍ତତାର ରହସ୍ୟ ମିଳି ପାରିବ । ସେହି ବୟସରେ ତାଙ୍କର ଚେହେରା କିପରି ଦିଶୁଥିଲା ? ରୋଗା, ଲମ୍ବା, ରୌଦ୍ରତପ୍ତ ଚେହେରା—ରୌଦ୍ରତପ୍ତ, ରଙ୍ଗଟା ହିଁ ଥିଲା ଗର୍ବର—ଆଉ ସରୁ କଳା ନିଶ । ପୋଷାକ ପରିଚ୍ଛଦରେ ପୂରାପୂରି ଆଭିଜାତ୍ୟ ଥିଲା । ବସି ବସି ତାଙ୍କୁ ଟିକିଏ ଶୀତ ଲାଗିଲା—ବୃଦ୍ଧ ବୟସର ଶୀତ । ଯୌବନର ଚେହେରାଟାର କଳ୍ପନା ଯେମିତି ଗୋଟାଏ ଉତ୍ତାପର ସ୍ପର୍ଶ ଦେଲା ।

 

ତହିଁ ପର ଦିନଟି ଚାଞ୍ଚଲ୍ୟରେ କଟିଲା । ବାରବାରର ନୀରବ ଦୃଷ୍ଟିରେ ଅସ୍ୱାଚ୍ଛନ୍ଦକର ପ୍ରଶ୍ନ । ତାଙ୍କର ଏକମାତ୍ର ଚିନ୍ତା, ସନ୍ଧ୍ୟା ବେଳର ଆକର୍ଷଣଟା କିପରି ଏଡ଼ି ହେବ । ତା ପରେ କେତେ ଥର ପରମ ଗମ୍ଭୀର ଭାବରେ ସେ ଦୃଢ଼ ସଂକଳ୍ପ କରିବାକୁ ଚେଷ୍ଟା କଲେ, ଅପରିଚିତା ସମ୍ଵନ୍ଧରେ ସବୁ ଖବର ନେବାକୁ ହେବ । ମାତ୍ର ବିଦେଶିନୀର ଫାଶରେ ମଥା ଗଳାଇଲେ ଚଳିବ ନାହିଁ, ତାହା ସହିତ ଯେମିତି ସେ ଜଡ଼ିତ ହୋଇ ନ ଯାଆନ୍ତି । କିନ୍ତୁ ପୁଣି ତାହାକୁ ଦେଖିଲା କ୍ଷଣି ତାଙ୍କର ମନରୁ ସବୁ ଭାବନା ଓ ସଂକଳ୍ପ ପବନରେ କୁଆଡ଼େ ଉଡ଼ିଗଲା । ତିନୋଟି ସପ୍ତାହର ମାତ୍ର ପରିଚୟ ! ଏହାରି ଭିତରେ ତାହାର ନାମଟି ଛଡ଼ା ସେ ଆଉ କିଛି ଜାଣି ପାରିଲେ ନାହିଁ । ତାହାର ନାମ ହେଉଛି ଇନେଜ । ନିଜର ପରିଚୟ ବି ସେ କିଛି ଦେଇ ନ ଥିଲା । ଦୁହେଁ ଯେମିତି ଅନୁଭବ କରିଥିଲେ ଯେ ଚିହ୍ନା ପରିଚୟ ହୋଇଗଲେ, ଏହାର ଅପରୂପତ୍ୱ ନଷ୍ଟ ହୋଇଯିବ । କେବେ ସେ ବୁଝି ପାରିଥିଲେ ଯେ ଝିଅଟି ତାଙ୍କ ପ୍ରତି ଆକୃଷ୍ଟ—ଦ୍ଵିତୀୟ ନା ତୃତୀୟ ରାତିରେ ? କିପରି ବା ସେ ବୁଝିଥିଲେ ? —ତାହାର ଚକ୍ଷୁର ଚାହାଁଣୀରେ, ନା ତାହାର ବାହୁ ସହିତ ନିଜର ବାହୁର ନିବିଡ଼ତର ସ୍ପର୍ଶରେ ? ଠିକ୍ ଆଜି ସେ ଯେଉଁଠି ବସିଛନ୍ତି, ଏହି ପଥର ଉପରେ । ପଥରର ଥଣ୍ଡା ଯେମିତି ନ ଲାଗେ ସେଥିପାଇଁ ଦେହରୁ କୋଟ୍‍ଟା କାଢ଼ି ଦୁହେଁ ବିଛାଇ ବସିଥିଲେ—ଏଠାରେ ବସି ସେ ସନ୍ତର୍ପଣରେ ତାହାର କାନେ କାନେ ଉନ୍ମତ୍ତ ଆବେଶର ଆତ୍ମ-ନିବେଦନ ଜଣାଇଥିଲେ । ସେ କହିଥିଲା—ମୁଁ ତ ମୁକ୍ତ ନୁହେଁ ।

 

—ଜାଣେ, ଜାଣେ, ତୁମ ଭଳି ଝିଅ କଅଣ କେବେ ମୁକ୍ତ ରହି ପାରେ ? କିନ୍ତୁ ସେଥିରେ କଅଣ ଯାଏ ଆସେ ? ଭୟ କରିବାର ବା କାରଣ କଅଣ ? ହୋଇପାରେ, ଉତ୍ତରାଧିକାର ଯିବ, ଏକଘରିଆ ହେବ, କି ଦେଶାନ୍ତରୀ ହେବ ? ମାତ୍ର ସେଥିରେ କଅଣ ଯାଏ ଆସେ ? ଅନ୍ଧକାରରେ ତା ପାଖରେ ବସି, ତାହାର କାନ୍ଧରେ କାନ୍ଧ ରଖି ଓ ଦୁଇ ହାତରେ ତାହାକୁ କୁଣ୍ଢାଇ ଧରି ଯେଉଁ ନିଆଁ ତାଙ୍କ ମନ ଭିତରେ ଜଳିଥିଲା, ସେହି ନିଆଁରେ ଏହିସବୁ ଆଶଙ୍କା ତୁଷ ପରି ପୋଡ଼ି ପାଉଁଶ ହୋଇ ଯାଇଥିଲା । ସେ ଖାଲି କରୁଣ କୌତୁକ ଦୃଷ୍ଟିରେ ତାଙ୍କ ଆଡ଼କୁ ଚାହିଁଥିଲା, ଏବଂ ତାଙ୍କ କପାଳରେ ଗୋଟିଏ ଚୁମ୍ବନ ଆଙ୍କି ଦେଇ ବଗିଚାର ଅନ୍ଧକାର ଭିତରେ ହଜି ଯାଇଥିଲା ।

 

ହାୟ ଭଗବାନ ! ତା ପର ରାତିଟି, କି ନିଷ୍ଠୁର ! ରାତି ସାରା ସମୁଦ୍ର କୂଳେ କୂଳେ ସେ ଘୂରି ବୁଲିଥିଲେ—ନୃଶଂସ ଯନ୍ତ୍ରଣାରେ । ଅଦ୍ଭୁତ, ଏତେ ଦିନ ପରେ ଆଜି ବି ତାଙ୍କ ମନରେ ତାହା ଜାଗ୍ରତ ଅଛି—ଅତି ଅଦ୍ଭୁତ ! ଗୋଟିଏ ଝିଅର ମୁହଁ, ତାହାର ପୁଣି ଏତେ ଶକ୍ତି ! ହଠାତ୍ ଏକ ଝଲକରେ ମନେ ହେଲା ଯେ ସେହି କେତେ ସପ୍ତାହର ଉନ୍ମତ୍ତତା ଭିତରେ ଦିବାଲୋକରେ ଥରେ ହେଲେ ବି ସେହି ଝିଅଟିର ମୁହଁ ସେ ଦେଖି ନ ଥିଲେ ।

 

ଅବଶ୍ୟ ସେତେବେଳକୁ ସେ ମେନଟୋନରୁ ଚାଳି ଆସିଥିଲେ । ବୁଢ଼ା ଶୟତାନ ରସ୍‍ଟାଭକର କୁଟିଳ ଦୃଷ୍ଟି ଓ ତାହାର ଦୁଇ ଝିଅଙ୍କର ସରଳ ବିସ୍ମୟ ନିକଟରେ ଏହି ମତ୍ତ ଯନ୍ତ୍ରଣାକୁ ପ୍ରକାଶ କରି କି ଲାଭ ? କିନ୍ତୁ ସେ ଘରକୁ ଫେରି ଆସି ନ ଥିଲେ । ଆଉ କଅଣ କେବେ ସେ ଯାଇଛନ୍ତି ? ସେହି ଦିନଗୁଡ଼ିକର ସ୍ମୃତି ଆଜି ବି ତାଙ୍କ ଅନ୍ତରରେ ଯୌବନର ଉତ୍ତାପକୁ ସଞ୍ଜୀବିତ କରି ରଖିଛି । ଶିରା ବହୁଳ ଶୀର୍ଣ୍ଣ ହାତ ଦୁଇଟି ଥରେ ଘଷି ଦେଇ ବୃଦ୍ଧ ଟ୍ରେଭିଲିୟାନ ଖରା ଆଡ଼କୁ ମେଲାଇ ଧରିଲେ ଏବଂ ଆଖି ବନ୍ଦ କରି ଭାବିବାକୁ ଲାଗିଲେ । ସେହି ଫାଟକଟି ଟପି ନିବିଡ଼ତର ଅନ୍ଧକାର ଭିତରେ ସେ ସମ୍ପୂର୍ଣ୍ଣ କଳା ପୋଷାକ ପିନ୍ଧି ଆସୁଥିଲା—କଳା ପୋଷାକ ଛଡ଼ା ଆଉ କିଛି ସେ ପିନ୍ଧୁ ନ ଥିଲା । ଈଷତ୍ ନଇଁ ପଡ଼ି ତାହାର ଶୁଭ୍ର ଗ୍ରୀବାରେ ସେ ନିଜର ମଥାଟି ଚାପି ଧରୁଥିଲେ-। ତା ପରେ ଦୁଇ ଜଣଙ୍କର ମୃଦୁ କଥା ଓ ଦୁଇଟି ହୃଦୟର ସ୍ପନ୍ଦନ ଗୁଞ୍ଜରିତ ପତ୍ର ମର୍ମରରେ ଆଚ୍ଛାଦିତ ହୋଇ ଯାଇଥିଲା ।

 

ପାଗଳାମି ଛଡ଼ା ଆଉ କଅଣ ହୋଇପାରେ ? ପିଠି ସିଧା କରି ବୃଦ୍ଧ ବସିଲେ—ବାତଟା ପ୍ରାୟ ଛାଡ଼ି ଯାଇଥିଲା । କିନ୍ତୁ ପୁଣି ବ୍ୟଥାଟା ବ୍ୟାଧିର ପୁନର୍ବାର ଆକ୍ରମଣ ଘୋଷଣା କଲା-। ପାଦ ନିକଟରେ ଟିକିଏ ଖରାରେ ଆସି ଗୋଟିଏ ଝିଟିପିଟି ବସିଲା ଏବଂ ସ୍ତବ୍ଧ ହୋଇ ମୁହଁ ବଙ୍କାଇ ତାଙ୍କୁ ଦେଖିବାକୁ ଲାଗିଲା—ଶୁଷ୍କ-ଦୃଷ୍ଟି ଅତିଶୟ ସନ୍ତପତ ସରୀସୃପଟିଏ ।

 

ଆଉ ତା ପରେ ସହସା ଦିନେ ସବୁ ଶେଷ ହୋଇଗଲା । ନିଷ୍ଠୁର ହୃଦୟହୀନା ଗଣିକା ! କିନ୍ତୁ ଆଜି ମନେ ହେଉଛି, ସେ କେତେ ବଡ଼ ମୁକ୍ତି ପାଇଥିଲେ । ଜ୍ଵଳନ୍ତ ବାସନାର ସପ୍ତାହଗୁଡ଼ିକ ସେହି ଅପରିଚିତା ଏକ ମୁହୂର୍ତ୍ତରେ ଶେଷ କରିଦେଲା, ଯେମିତି ଗୋଟିଏ ଫୁତ୍‍କାରରେ ଆଲୋକର ଶିଖା ଲିଭିଯାଏ । ସେ କୁଆଡ଼େ ଚାଲିଗଲା, କେଉଁଠି ହଜିଗଲା ଅନ୍ଧକାରରେ—ଠିକ୍ ଯେମିତି ହଠାତ୍ ଅନ୍ଧକାରରୁ ତାଙ୍କର ଜୀବନକୁ ଓହ୍ଲାଇ ଆସିଥିଲା । କ୍ଳାନ୍ତ ଦେହ ଓ ଜ୍ଵଳନ୍ତ ମନ ଘେନି ଟ୍ରେଭିଲିୟାନ ଦେଶକୁ ଫେରି ଆସିଥିଲେ—ବ୍ୟାଙ୍କର ହିସାବ ମଝିକୁ, ସମାଜ—ସ୍ତମ୍ଭର ପକ୍କା ନୈତିକ ବୁନିଆଦିର ଆଶ୍ରୟ ପାଖକୁ ।

 

ହଠାତ୍ ଲାଞ୍ଜ ହଲାଇ ଝିଟିପିଟିଟା ଶୁଖିଲା ପତ୍ର ତଳେ ତଳେ ଦୌଡ଼ି ପଳାଇଗଲା । ଠିକ୍ ସେମିତି ଏକଦା ଏକ ରହସ୍ୟମୟୀ ଚକିତରେ ଅନ୍ତର୍ହିତ ହୋଇଥିଲା—ମାଟି ତଳେ ଯେମିତି ହଜି ଯାଇଥିଲା । ଟ୍ରେଭିଲିୟାନଙ୍କ ପରି ତାହାର ଅନ୍ତରରେ କଅଣ ନିଆଁ ଜଳିଥିଲା ? ଏପରି ଦଗ୍ଧକାରୀ ନିଆଁ ନାରୀର ଅନ୍ତରରେ କଅଣ କେବେ ଜଳେ ? ଟ୍ରେଭିଲିୟାନ ସରୁ କାନ୍ଧ ଦୁଇଟିକୁ ଟିକିଏ ହଲାଇ ଦେଲେ—ଅଦ୍ଭୁତ, ବିଚିତ୍ର ଏହି ନାରୀ ଜାତିଟା !

 

ଠିକ୍ ଏହି ସ୍ଥାନଟିରେ ସେ ଦୁଇଟି ସୁଦୀର୍ଘ ରାତି ବସିଥିଲେ—ପ୍ରତୀକ୍ଷାରେ ଆକୁଳ, ଆଶଙ୍କା ଓ ବାସନାର ଆଘାତରେ କ୍ଷତ ବିକ୍ଷତ ।

 

ତୃତୀୟ ଦିନ ସକାଳେ ସେ ଦେଖିଲେ—ଘରର ସବୁ ଦୁଆର ଝରକା ବନ୍ଦ, ଶବ୍ଦହୀନ, ଜନପ୍ରାଣୀହୀନ ! ଗୋଟିଏ ଧୂସର ରଙ୍ଗର ବିରାଡ଼ି ଖାଲି ଘୂରି ବୁଲୁଥିଲା । ସେହି ବ୍ୟର୍ଥ ପ୍ରତୀକ୍ଷା କଥା ମନେ ପଡ଼ିଯିବାରୁ ଏତେ ଦିନ ପରେ ତାଙ୍କର ବି ଟିକିଏ ଦୁଃଖ ହେଲା । ଆଉ ତିନି ଦିନ ସେ ଘୂରି ବୁଲିଥିଲେ—ବଗିଚାରେ, ଘରେ, କ୍ୟାସିନୋର ଚାରିଆଡ଼େ । ମାତ୍ର ତାହାର କୌଣସି ଚିହ୍ନି ବର୍ଣ୍ଣ ସୁଦ୍ଧା ମିଳିଲା ନାହିଁ ।

 

ବୃଦ୍ଧ ଟ୍ରେଭିଲିୟାନ ଉଠି ଠିଆ ହେଲେ । ପିଠିଟା ପୁଣି ବ୍ୟଥାରେ ଟଣଟଣ କଲା । ବସିବା ସ୍ଥାନଟା ଓ ପ୍ରାର୍ଥନା ବହିଟା ସେ ପରୀକ୍ଷା କରି ଦେଖିଲେ । ପଥରର ଥଣ୍ଡାଟା ଲାଗି ନାହିଁ ତ-? ବହିର ପୃଷ୍ଠାଗୁଡ଼ିକ ଟିକିଏ ମୋଡ଼ି ଯାଇଥିଲା । ହାତ ମାରି ଟ୍ରେଭିଲିୟାନ ତାକୁ ସିଧା କରିଦେଲେ । ବହିଟି ମୁଦି ଦେଇ ସେ ଫାଟକ ଆଡ଼କୁ ଚାଲିଲେ । ବାସନା ମାତାଲ ଅତୀତର ସେହି ଦିନଗୁଡ଼ିକ, ତାଙ୍କ ଜୀବନରେ ସେସବୁ ଶ୍ରେଷ୍ଠ ଦିନ ନା ସବୁ ଠାରୁ କଳଙ୍କମୟ– ମଳିନ-? ଟ୍ରେଭିଲିୟାନ କିଛି ସ୍ଥିର କରି ପାରିଲେ ନାହିଁ ।

 

ରାସ୍ତାରେ ପ୍ରଖର ସୂର୍ଯ୍ୟ କରିଣ । ରାସ୍ତାର ମୋଡ଼ଟା ବୁଲିବା ମାତ୍ରେ ସାମନାରେ ସେହି କୋଠାଟା—ଏଠାକୁ ଆସି ସେ ଶେଷରେ ଠିଆ ହୋଇଥିଲେ । ହଁ, ଠିକ୍ ଏଠାରେ । ଆଃ ! ବିରାଡ଼ି ପରି କିଏ ଚିତ୍କାର କରୁଛି ? ଓ, ସେହି ଝିଅଟି ଓ ତାହାର ମଣିଷ ଫେର୍ ଆସି ଜୁଟିଲେଣି ବୋଧହୁଏ । କିନ୍ତୁ କଅଣ ଯେମିତି—ଓ, ହଁ, ସେୟା ତ । ବହୁ ଦିନ ତଳେ ସେହି ଏକ ସକାଳେ, ହତାଶ ଟ୍ରେଭିଲିୟାନ ଠିକ୍ ଏଠାରେ ଠିଆ ହୋଇଥିଲେ । ସେହି ଦିନ ଠିକ୍ ଏମିତି ଗୋଟାଏ ଅର୍ଗାନ-ବାଦକ ଦଳ ଚାଲିଥିଲେ । ଠିକ୍ ଯେମିତି ତାଙ୍କର ଆଖି ଆଗରେ ଏହା ଭାସିଗଲା । ବାଜଣା ବାଜୁଥିଲା, ଗୋଟାଏ ବାନର ଅର୍ଗାନ ଉପରେ ବସିଥିଲା, ଆଉ ଠିକ୍ ଏମିତି ଗୋଟିଏ ଝିଅ ଏହି ‘ସାନ୍ତା ଲୁସିୟା’ର ସ୍ଵରରେ ଗୀତ ବୋଲୁଥିଲା ! କେମିତି ଗୋଟାଏ ଶୁଖିଲା ଧୂଳିଆ ଅନୁଭୂତିରେ ବୃଦ୍ଧ ଟ୍ରେଭିଲିୟାନ ମୁହଁଟା ବୁଲାଇ ନେଲେ । ଦ୍ରୁତ ଗତିରେ ତତ୍‍କ୍ଷଣାତ୍‍ ସେ ଚାଲିବାକୁ ଲାଗିଲେ ।

 

ଆଗରୁ ସେ କଅଣ କିଛି ଭାବୁଥିଲେ ? ଓ, ହଁ—ସେହି ଶ୍ରୀମତୀ ରଲ୍‍ଫ ଓ ବୋକା ଯୁବକ ଚେଷ୍ଟାରଫୋର୍ଡ଼ଟାର କଥା ! ଠିକ୍; ଠିକ୍, ଆଶାଟାକୁ ସାବଧାନ କରି ଦେବାକୁ ହେବ, ନିଶ୍ଚୟ ସାବଧାନ କରି ଦେବାକୁ ହେବ । ଯେତେ ସବୁ ଚରିତ୍ରହୀନଙ୍କର ସମାବେଶ ଏଠାରେ ହୋଇଛି ।

☆☆☆

 

ସୂର୍ଯ୍ୟ—ସ୍ନାନ

 

ଖାଇସାରି ସେମାନେ ଭୋଜନ—କକ୍ଷର ଉଜ୍ଜଳ ଓ ଉତ୍ତପ୍ତ ଆଲୋକର ଡେକ୍ ଉପରକୁ ବାହାରି ଆସିଲେ ଏବଂ ରେଲିଂ ଧରି ପାଖାପାଖି ଠିଆ ହେଲେ । ତରୁଣୀଟି ନିଜ ହାତରେ ପିଠି ଉପରେ ଚିବୁକ ରଖି ଆଖି ମୁଦି ଦେଲା । ସେହି କ୍ଷୁଦ୍ର କାୟା ନାରୀର ପ୍ରତ୍ୟେକ ଅଙ୍ଗ ଭଙ୍ଗୀରେ ସ୍ନିଗ୍ଧ ସୁଷମା ପ୍ରକଟିତ ହେଉଥିଲା । ନିଜର ସହଜ ସୁଲଭ ମଧୁର ହସରେ ବିଭୋର ହୋଇ, ସେ କହିଲା ।

 

“ମୁଁ ଏକାବେଳେ ମାତାଲ ହୋଇଯାଇଛି । କହିବାକୁ ଗଲେ ମୁଁ ପ୍ରାୟ ପାଗଳ ହୋଇ ଯାଇଛି ! ଆପଣ କେଉଁଠୁ ଆସିଲେ ? ତିନି ଘଣ୍ଟା ଆଗରୁ ମୋର ଧାରଣା ବି ନ ଥିଲା ଯେ ଆପଣ ପୃଥିବୀରେ ଅଛନ୍ତି । ଆପଣ କେଉଁଠୁ ଏହି ଜାହାଜରେ ଚଢ଼ିଲେ ତାହା ବି ମୁଁ ଜାଣେ ନାହିଁ । ସାମାରାରେ ଚଢ଼ିଲେ ? କିନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ.... ମୋର ମୁଣ୍ଡ ବୁଲାଉଛି, ନା ଆମେ କେଉଁଠି ଘୂରି ଘୂରି ଯାଉଛନ୍ତି ?”

 

ସାମନାରେ ଅନ୍ଧକାର ଓ ଆଲୋକମାଳା । ଅନ୍ଧକାରରୁ ମୃଦୁ ମନ୍ଦ ସମୀରଣ ବହି ଆସି ସେମାନଙ୍କ ବଦନ ମଣ୍ଡଳରେ ପ୍ରଲେପ ବୋଳିଦେଲା, ଏବଂ ଆଲୋକମାଳା ବୃତ୍ତାକାରରେ ସେମାନଙ୍କ ଠାରୁ ଧାଇଁ ପଳାଇଗଲା । ଜଳର ବଙ୍କିମ ରେଖା ଭିତରେ ଜାହାଜଟି ଭଲ୍‍ଗାରେ ଗୋଟିଏ ଡଙ୍ଗାକୁ ଧକ୍କା ଦେଇ ଗୋଟିଏ ଛୋଟ ଜେଟୀରେ ଆସି ଲାଗିଲା ।

 

ଲେଫ୍ଟେନାଣ୍ଟ ତରୁଣୀର ହାତ ଧରି ପକାଇଲେ ଏବଂ ଓଠ ପାଖକୁ ଉଠାଇନେଲେ । ଛୋଟ ଶକ୍ତ ହାତଟିରେ ରୌଦ୍ରର ଗନ୍ଧ ଲାଗି ରହିଥିଲା । ସେ ଭାବିଲେ ସେହି ପତଳା କାର୍ପାସ ପୋଷାକ ତଳେ ଯେଉଁ ଶରୀରଟି ଲୁଚି ରହିଛି ତାହା କେତେ ଦୃଢ଼ ଓ ପରିପୁଷ୍ଟ ହୋଇ ନ ଥିବ ! ବିଷେଶତଃ, ଦକ୍ଷିଣାଞ୍ଚଳର ମୁକ୍ତ ଆକାଶ ତଳେ ଉତ୍ତପ୍ତ ବାଲୁକା ରାଶିରେ ପୂରା ମାସଟିଏ ରୌଦ୍ର-ସ୍ନାନ କରି, ସେହି ତରୁଣୀଟି ଫେରି ଯାଉଥିଲା (ଆନାପାରୁ ଫେରୁଛି ବୋଲି ସେ ତାଙ୍କୁ ଜଣାଇଥିଲା) । ଏହା ଭାବିଲା କ୍ଷଣି ଲେଫ୍ଟେନାଣ୍ଟଙ୍କର ଅନ୍ତର ଶଙ୍କା ଓ ଆନନ୍ଦରେ ପ୍ଳାବିତ ହୋଇଗଲା ।

 

“ଚାଲ, ଓହ୍ଲାଇଯିବା.......,” ସେ ନିମ୍ନ ସ୍ୱରରେ କହିଲେ ।

 

“କେଉଁଠି ?” ତରୁଣୀ ବିସ୍ମୟରେ ପଚାରିଲା ।

 

“ଏହି ଘାଟରେ ।”

 

“କାହିଁକି ?”

 

ପୁରୁଷ ଆଉ କିଛି କହିଲେ ନାହିଁ । ତରୁଣୀ ପୁଣି ତାହାର ହାତ ପିଠି ଉପରେ ଉତ୍ତପ୍ତ ଗାଲ ଘଷି ଦେଇ କହିଲା, “ଆପଣ ପାଗଳ..... !”

 

“ଚାଲ, ଓହ୍ଲାଇଯିବା”, ବିରସ କଣ୍ଠରେ ସେ ପୁଣି କହିଲେ । “ଚାଲ ।”

 

“ହେଉ, ଆପଣଙ୍କ ଇଚ୍ଛା, “ବୁଲିପଡ଼ି ତରୁଣୀଟି କହିଲା ।

 

ପୂରା ଦମରେ ଆସୁଁ ଆସୁଁ, ଜାହାଜଟି ଗୋଟିଏ ସ୍ୱଳ୍ପାଲୋକିତ ଖୁଣ୍ଟିରେ ଟିକିଏ ବାଜିଗଲା, ଏବଂ ତତ୍‍କ୍ଷଣାତ୍‍ ସମସ୍ତେ ପ୍ରାୟ ପରପ୍ସର ଉପରେ ଢଳି ପଡ଼ିଲେ । ଗୋଟିଏ ଦଉଡ଼ି ସେମାନଙ୍କ ମୁଣ୍ଡ ଉପରେ ଚାଲିଗଲା । ଜାହାଜଟି ଟିକିଏ ପଛକୁ ଭିଡ଼ା ହେଲା । ଜଳ-କଲ୍ଲୋଳ ସ୍ପଷ୍ଟତର ହେଲା ଏବଂ ପଟାସବୁ ଧଡ଼ଧଡ଼ ହେଲା । ....ଲେଫ୍ଟେନାଣ୍ଟ ସେମାନଙ୍କର ଜିନିଷପତ୍ର ଆଣିବାକୁ ଧାଇଁଗଲେ ।

 

କିଛି କ୍ଷଣ ପରେ ସେମାନେ ଶୂନ୍ୟ କ୍ଷୁଦ୍ର ଅଫିସ୍ ପାଖ ଦେଇ, ଆଣ୍ଠୁ ଯାଏ ଗୋଡ଼ ଗଳି ଯାଉଥିବା ବାଲିରେ ବେଳା ଭୂମି ଉପରକୁ ଆସିଗଲେ, ଏବଂ ନୀରବରେ ଗୋଟିଏ ଧୂଳି-ଧୂସରିତ ଘୋଡ଼ାଗାଡ଼ିରେ ଯାଇ ବସିଲେ । ଗାଡ଼ିଟି ନରମ ଧୂଳିଆ ଢାଲୁ ରାସ୍ତାରେ ଚାଲିଲା । ମଝିରେ ମଝିରେ ବଙ୍କା ବତିଖୁଣ୍ଟସବୁ ଦୃଷ୍ଟିରେ ପଡ଼ୁଥାଏ । ସେମାନଙ୍କୁ ଜଣା ଯାଉଥାଏ, ଯେମିତି ଏହି ରାସ୍ତା ସରିବ ନାହିଁ; କିନ୍ତୁ ଏକ୍ଷଣି ସେମାନେ ଉଠାଣିରେ ଉଠିବାକୁ ଲାଗିଲେ । ଗାଡ଼ିର ଚକଗୁଡ଼ାକ ପଥୁରିଆ ଗୋଡ଼ିରେ ବାଜି କଟ୍-କଟ୍ ଶବ୍ଦ ହେଉଥିଲା । ଏଇଠି ବୋଧହୁଏ ବଜାର କି ଆଉ କିଛି ଅଛି, ତା ପରେ ସରକାରୀ କୋଠାବାଡ଼ି, ଆଉ ଗମ୍ବୁଜ । ଗରମ ହେଉଥାଏ । ଗ୍ରୀଷ୍ମ କାଳୀନ ରାତିରେ ଗୋଟିଏ ମଫସଲୀ ସହରର ଗନ୍ଧ ବାରି ହେଲା । ଗାଡ଼ି ଆସି ଗୋଟାଏ ହୋଟେଲ୍ ସାମନାରେ ରହିଲା । ଦୁଆର ମୁହଁରେ ଆଲୁଅ ଜଳୁଥିଲା । ସେମାନେ ଦେଖି ପାରିଲେ; ସେହି ଆଲୁଅର ଆର ପଟରେ ଗୋଟିଏ ପୁରୁଣା କାଠ ସିଡ଼ି ସିଧା ଉପରକୁ ଉଠି ଯାଇଛି, ଏବଂ ଜଣେ ଦାଢ଼ି ଖିଅର ହୋଇ-ନ-ଥିବା ବୁଢ଼ା ଦରୁଆନ୍ ଲାଲ ଜାମା ଓ ଫ୍ରକ କୋଟ ପିନ୍ଧି ବସିଛି । ଗାଡ଼ି ଠିଆ ହେଲା ମାତ୍ରେ ସେ ସେମାନଙ୍କର ଜିନିଷପତ୍ର ସବୁ ଧରି ଅମ୍ଳାନ ବଦନରେ ଉପର ତାଲାକୁ ଉଠିଗଲା । ସେ ସେମାନଙ୍କୁ ଗୋଟିଏ ପ୍ରଶସ୍ତ ଅଥଚ ରୁଦ୍ଧ କକ୍ଷକୁ ନେଇଗଲା । ଦିନସାରା ଖରା ପଡ଼ି କକ୍ଷଟିରୁ ନିଆଁ ବାହାରୁଥାଏ । ଝରକାରେ ଧଳା ପର୍ଦା ଝୁଲୁଥାଏ । ଟେବୁଲ ଉପରେ ଦୁଇଟି ନୂଆ ମହମବତୀ ଜଳୁଥାଏ । ସେମାନେ ଘର ଭିତରେ ପ୍ରବେଶ କଲା କ୍ଷଣି, ଦରୁଆନ ବାହାର ପଟ କବାଟ ଆଉଜାଇ ଦେଇ ଚାଲିଗଲା । ତତ୍‍କ୍ଷଣାତ୍‍ ଲେଫ୍ଟେନାଣ୍ଟ ତରୁଣୀଟି ଆଡ଼କୁ ଏତେ ପ୍ରବଳ ଆବେଗରେ ଆଗେଇଗଲେ ଏବଂ ଦୁହିଁଙ୍କ ଭିତରେ ଏମିତି ଉତ୍ତପ୍ତ କାମନା ଜାଗ୍ରତ ହେଲା ଯେ ସେମାନେ ପରସ୍ପରକୁ ଚୁମ୍ବନ କଲେ । ଏହି ପରମ ମୁହୂର୍ତ୍ତଟି ସେମାନଙ୍କର ସ୍ମୃତି ପଟରେ ଯୁଗ ଯୁଗ ଧରି ଜୀବନ୍ତ ରହିବ । ଦୁହିଁଙ୍କ ଭିତରୁ କେହି ହେଲେ ସେମାନଙ୍କ ଜୀବନରେ ଏପରି ଏକ ଦୁର୍ଲଭ ସ୍ୱାଦ କେବେ ପାଇ ନ ଥିଲେ ।

 

ସକାଳେ ଦଶଟା ବାଜିଲା—ଏକ ରୌଦ୍ର ତପ୍ତ ମନୋମୁଗ୍ଧକର ସକାଳ । ଗୀର୍ଜାରୁ ଘଣ୍ଟା ଶବ୍ଦ ଭାସି ଆସୁଥାଏ । ହୋଟେଲ ସାମନାର ବଜାରରୁ ଘୋ—ଘା ଶବ୍ଦ ଶୁଭୁଥାଏ । ନଡ଼ା ଓ ଆଲକାତରାର ଉତ୍କଟ ଗନ୍ଧରୁ ଗୋଟାଏ ରୁଷୀୟ ମଫସଲି ସହରର ଲକ୍ଷଣ ସ୍ପଷ୍ଟ ବାରି ହେଉଥାଏ-। ଏତିକି ବେଳେ ସେହି ଖର୍ବକାୟା ଅନାମଧେୟା ତରୁଣୀଟି, ଯେ ତାହାର ନାମ ତାଙ୍କୁ କହି ନ ଥିଲା, ଅଥଚ ହସି ହସି ନିଜକୁ ଜଣେ ଆଗନ୍ତୁକା ବୋଲି ଅଭିହିତ କରିଥିଲା, ଚାଲିଗଲା-। ରାତିରେ ସେମାନେ ପ୍ରାୟ ଶୋଇ ନ ଥିଲେ । କିନ୍ତୁ ସକାଳେ, ଯେତେବେଳେ ତରୁଣୀଟି ବିଛଣା ଛାଡ଼ି ପରଦା ଆଡ଼େଇଦେଇ ଧୁଆଧୋଇ ହୋଇ ପ୍ରାୟ ପାଞ୍ଚ ମିନିଟ୍ ଭିତରେ ସଜ ହୋଇଗଲା, ସେ ସତର ବର୍ଷର ନବୋଦ୍ଭିନ୍ନା ରୂପସୀ ଯୁବତୀଟିଏ ଭଳି ଦିଶିଲା । ସେ କଅଣ ନିଜକୁ ଲଜ୍ଜିତ ବୋଧ କରୁଥିଲା ? ଅତି ଅଳ୍ପ ମାତ୍ରାରେ । ବରଂ ସେ ପୂର୍ବ ପରି ସରଳା ଓ ହାସ୍ୟମୟୀ ଜଣା ପଡ଼ୁଥିଲା-। ନିଜର ସ୍ୱଭାବ-ସୁଲଭ ଆଚରଣ ତାହାକୁ ଯଥାର୍ଥ ଭାବରେ ପ୍ରତିପାଦିତ କରିଥିଲା ।

 

ପୁଣି ଏକ ସଙ୍ଗେ ଯାତ୍ରା କରିବାର ପ୍ରସ୍ତାବ ସେ ଉଠାଇବାରୁ, ତରୁଣୀଟି ତତ୍‍କ୍ଷଣାତ୍‍ ଜବାବ ଦେଲା, “ନା, ନା, ତାହା ହୋଇ ନ ପାରେ; ପ୍ରିୟତମ । ନା, ପରବର୍ତ୍ତୀ ଜାହାଜରେ ଯିବା ପାଇଁ ଆପଣଙ୍କୁ ଏଠାରେ ରହିବାକୁ ପଡ଼ିବ । ଯଦି ଆମେ ଦୁହେଁ ସାଙ୍ଗ ହୋଇ ଯିବା, ତାହା ହେଲେ ସବୁ ନଷ୍ଟ ହୋଇଯିବ । ମୋ ପକ୍ଷରେ ବି ତାହା ଅତ୍ୟନ୍ତ ଅଶୋଭନୀୟ ହୋଇ ପଡ଼ିବ । ମୁଁ ଆପଣଙ୍କୁ ରାଣ ପକାଇ କହୁଛି ଯେ ଆପଣ ମୋତେ ଯାହା ଭାବିଥିବେ ମୁଁ କଦାପି ତାହା ନୁହେଁ । ମୋ ଜୀବନରେ ଏପରି ଘଟଣା କେବେ ହେଲେ ଘଟି ନାହିଁ, କି ପରେ ପୁଣି ଘଟିବ ବି ନାହିଁ । ମୁଁ ନିଶ୍ଚୟ ମୋର ବିବେକ ବୁଦ୍ଧି ହରାଇ ଦେଇଥିଲି... କିମ୍ବା ହୁଏତ ଆମ ଦୁହିଁଙ୍କୁ ଗୋଟାଏ ନିଶା ଘାରି ଯାଇଥିଲା—ଠିକ୍ ଝାଇଁ ବାତ ପରି ।”

 

ଲେଫ୍ଟେନାଣ୍ଟ କିଞ୍ଚିତ୍ ଉଦାର ଚିତ୍ତରେ ତାହାର ପ୍ରସ୍ତାବରେ ରାଜି ହୋଇଗଲେ । ସେ ତରୁଣୀଟିକୁ ଲଘୁ ଓ ପ୍ରଫୁଲ୍ଲ ଚିତ୍ତରେ ଜାହାଜ ଘାଟକୁ ନେଇଗଲେ । ‘ସାମୋଲିଟ’ ଜାହାଜ ଠିକ୍ ଛାଡ଼ିବା ପାଇଁ ତିଆର ହେଉଥାଏ । ଠିକ୍ ସେତିକିବେଳେ ସେମାନେ ଯାଇ ସେଠାରେ ପହଞ୍ଚିଗଲେ-। ଡେକ୍ ଉପରେ ସମସ୍ତଙ୍କ ସାମନାରେ ସେ ତାହାକୁ ଚୁମ୍ବନ କଲେ । ଠିକ୍ ଜାହାଜ ଚାଲିବା ଆଗରୁ ସେ ପଟା ଉପରୁ ତଳକୁ ଡେଇଁ ପଡ଼ିଲେ ।

 

ସେ ପୂର୍ବ ପରି ଲଘୁ ଓ ନିର୍ଭୀକ ଚିତ୍ତରେ ହୋଟେଲକୁ ଫେରି ଆସିଲେ । ମାତ୍ର ସେ ଲକ୍ଷ୍ୟ କଲେ, ଯେମିତି ଇତି ମଧ୍ୟରେ ସେହି କକ୍ଷରେ କିଛି ପରିବର୍ତ୍ତନ ଘଟି ଯାଇଛି । ତରୁଣୀଟି ନ ଥିବାରୁ କକ୍ଷଟି ଏକାବେଳେ ଅନ୍ୟ ଧରଣର ଦିଶିଲା । ତଥାପି ତାହାର ଉପସ୍ଥିତି ସେଠାରେ ଉପଲବ୍ଧ ହେଉଥିଲା; କିନ୍ତୁ ସବୁ ଶୂନ୍ୟ ! କି ଆଶ୍ଚର୍ଯ୍ୟ ! ତେବେ ସୁଦ୍ଧା ତରୁଣୀଟିର ଉତ୍ତମ ଇଂରେଜୀ ଇଉଡି-କଲନର ବାସନା ଘର ମହକାଇ ଦେଉଥିଲା ଏବଂ ସେ ପାନ କରି ଛାଡ଼ି ଯାଇଥିବା ଚାହା ପାତ୍ରଟି ଏବେ ବି ଟ୍ରେ ଉପରେ ରହିଥିଲା; କିନ୍ତୁ ସେ ଆଉ ସେଠାରେ ନ ଥିଲା..... ଲେଫ୍ଟେନାଣ୍ଟଙ୍କର ଅନ୍ତର ସହସା ଏତେ କୋମଳାର୍ଦ୍ର ହୋଇଗଲା ଯେ ସେ ଧାଇଁଯାଇ ଖଣ୍ଡିଏ ସିଗାରେଟ ଲଗାଇଲେ ଏବଂ କକ୍ଷ ଭିତରେ ପଦଚାରଣ କରିବାକୁ ଲାଗିଲେ ।

 

ତାଙ୍କର ନୟନରେ ଲୋତକ ଜମି ଆସୁଥିବାର ଜାଣି ପାରି, ସେ ଜୋରରେ ହସି ଦେଇ କହି ପକାଇଲେ, “କି ଅଭୂତ ଘଟଣା ! ...ମୁଁ ଆପଣଙ୍କୁ ରାଣ ପକାଇ କହୁଛି ଯେ ଆପଣ ମୋତେ ଯାହା ଭାବିଥିବେ ମୁଁ କଦାପି ତାହା ନୁହେଁ । ....ମାତ୍ର ସେ ତ ଆଉ ନାହିଁ, ଚାଲି ଗଲାଣି.... ।”

 

ପର୍ଦା ଟେକା ହୋଇଥିଲା, କିନ୍ତୁ ବିଛଣା ସେମିତି ପଡ଼ି ରହିଥିଲା । ସେ ଅନୁଭବ କଲେ ଯେମିତି, ସେହି ବିଛଣା ଆଡ଼କୁ ସେ ଆଉ ଅନାଇ ପାରିବେ ନାହିଁ । ତାକୁ ଲୁଚାଇବାପାଇଁ ସେ ପର୍ଦା ଟାଣି ଦେଲେ । ବଜାରରେ ଲୋକଙ୍କର ଘୋ ଘା ଓ ରାସ୍ତାରେ ଘୋଡ଼ାଗାଡ଼ିର ଘଡ଼ଘଡ଼ ଶବ୍ଦ କାନରେ ଆସି ନ ବାଜିବା ପାଇଁ ସେ ଝରକାସବୁ ବନ୍ଦ କରି ଦେଲେ, ଧଳା ପର୍ଦାଗୁଡ଼ିକ ପୁଣି ପକାଇଦେଲେ, ଏବଂ ସୋଫାରେ ଯାଇ ବସି ପଡ଼ିଲେ । ତାହା ହେଲେ କଅଣ ଏଇଠି ‘ଜାହାଜର ଘଟଣାଟି’ ଇତି ହେଲା ? ତରୁଣୀଟି ଚାଲିଗଲାଣି । ବର୍ତ୍ତମାନ ସେ ବହୁତ ଦୂରକୁ ଚାଲି ଯାଇଥିବ । ହୁଏତ ସେ ଏକ୍ଷଣି ଧଳା କାଚଦିଆ ବିଶ୍ରାମ କକ୍ଷରେ ଯାଇ ବସିଥିବ କିମ୍ବା ଡେକ୍‍ର ଚୌକିରେ ଦେହ ମେଲି ଦେଇଥିବ ଏବଂ ନିର୍ନିମେଷ ନୟନରେ ଅନାଇ ରହିଥିବ ନଦୀର ରୌଦ୍ରୋଜ୍ଜ୍ଵଳ ବିଶାଳ ଜଳରାଶି ଆଡ଼କୁ, ଜଳ ସ୍ରୋତରେ ଭାସି ଯାଉଥିବା କାଠ ଭେଳା ଆଡ଼କୁ, ହଳଦିଆ ତଟରେଖା ଆଡ଼କୁ, ଜଳ ଓ ଆକାଶର ଉଜ୍ଜ୍ଵଳ ବିସ୍ତୃତି ଆଡ଼କୁ, ଏବଂ ଭଲ୍‍ଗା ନଦୀର ଏହି ସବୁ ଅସୁମାରି ଦୃଶ୍ୟ ଆଡ଼କୁ...ବର୍ତ୍ତମାନ ବିଦାୟ, ତାହା ହେଲେ ଚିର ବିଦାୟ...ପୁଣି କେଉଁଠି ସେମାନେ ପରସ୍ପରକୁ ଭେଟି ପାରିବେ ? ସେ ଭାବିବାକୁ ଲାଗିଲେ—“ଯେଉଁ ସହରରେ ସେ ନିଜର ସ୍ୱାମୀ, ତିନି ବର୍ଷର ଝିଅ, ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ସହିତ ବସବାସ କରୁଛି । ଯେତେ ହେଲେ ବି, ଅକାରଣରେ ମୁଁ ସେଠାରେ ଅକସ୍ମାତ୍ କେମିତି ଯାଇ ପହଞ୍ଚି ପାରିବି ।” ଏହି ସହରଟି ବି ତାଙ୍କୁ ଅନ୍ୟ ଧରଣର ବୋଧ ହେଲା—ଏକ ପବିତ୍ର ସହର । ସେ ଭାବିଲେ—ଯଦି ତରୁଣୀଟି ଏକା ସେଠାରେ ବାସ କରୁଥାଆନ୍ତା, ତାହା ହେଲେ ପ୍ରାୟ ସବୁବେଳେ ସେ ତାଙ୍କ କଥା ଭାବୁ ଥାଆନ୍ତା ଏବଂ ସେମାନଙ୍କର ଆକସ୍ମିକ ମିଳନ ଓ ସେହି କେତୋଟି ଅପସୃତ ମୁହୂର୍ତ୍ତକୁ ମନେ ପକାଉ ଥାଆନ୍ତା । କିନ୍ତୁ ସେମାନଙ୍କର ପୁନର୍ବାର ସାକ୍ଷାତ୍‍ର ସମ୍ଭାବନା ନାହିଁ—ଏହି ଚିନ୍ତା ତାଙ୍କୁ ବିଚଳିତ କରିଦେଲା । ନା, ତାହା ହୋଇ ନ ପାରେ । ଏହା ସମ୍ପୂର୍ଣ୍ଣ ନିରର୍ଥକ, ଅବାସ୍ତବ ଓ ଅଦ୍ଭୁତ । ଏକ ବିଚିତ୍ର ଯନ୍ତ୍ରଣାରେ ସେ ଦଗ୍ଧ ହେଲେ । ତରୁଣୀଟିର ବିନା ସାହଚର୍ଯ୍ୟରେ ତାଙ୍କର ଅବଶିଷ୍ଟ ଜୀବନ ନିଷ୍ଫଳ ହୋଇ ଯିବ, ଏହି ଚିନ୍ତା ତାଙ୍କୁ ଆତଙ୍କ ଓ ନୈରାଶ୍ୟ ଭିତରକୁ ଟାଣି ଟାଣି ନେଇଗଲା ।

 

‘କି ବିପଦ ।’ ଏହା ଭାବି, ସେ ବସି ପଡ଼ିଲେ ଏବଂ ପୁଣି ଘର ଭିତରେ ପଦଚାରଣ କରିବାକୁ ଲାଗିଲେ । ସେତିକିବେଳେ ପର୍ଦାର ପଛରେ ଶଯ୍ୟା ଆଡ଼କୁ ନ ଅନାଇବାକୁ ସେ ଚେଷ୍ଟା କରୁଥାଆନ୍ତି । ‘ସତରେ ମୋର କଅଣ ହୋଇଗଲା । ଯାହା ହେଲେ ବି ଏହା ତ ପ୍ରଥମ ଥର ନୁହେଁ...ସେହି ତରୁଣୀଟି ଭିତରେ କି ବୈଶିଷ୍ଟ୍ୟ ଅଛି ? କଅଣ ବା ଘଟିଗଲା ? ସତେ କି ଝାଇଁ ବାତ ଭଳି ହୋଇଗଲା । କିନ୍ତୁ ଅସଲ କଥା ହେଉଛି, ଏହି ଅଜଣା ସହରରେ ସେହି ତରୁଣୀଟିର, ବିନା ସାହଚର୍ଯ୍ୟରେ କିପରି ବା ମୁଁ ଅବଶିଷ୍ଟ ଦିନଟା କଟାଇବି ?

 

ସେହି ତରୁଣୀଟିର ପ୍ରତିଟି କଥା ଏବେ ବି ତାଙ୍କର ମନେ ପଡ଼ିଲା ଗୋଟି ଗୋଟି ହୋଇ, ଅତି ସାମାନ୍ୟ କଥା ବି ବାଦ୍ ଗଲା ନାହିଁ । ତରୁଣୀର ରୌଦ୍ରତପ୍ତ କାର୍ପାସ ବସ୍ତ୍ରର ଗନ୍ଧ, ତାହାର ପରିପୁଷ୍ଟ ତନୁଲତା, ଏବଂ ତାହାର ସୁମଧୁର ସ୍ୱାଭାବିକ ଓ ସହାସ୍ୟ କଣ୍ଠ ସ୍ୱର ତାଙ୍କର ମାନସ ପଟରେ ଭାସିଗଲା । ସେହି ତରୁଣୀର ଅପରୂପ ସୌନ୍ଦର୍ଯ୍ୟରେ ସେ ଯେଉଁ ଉଦ୍ଦାମତା ଲାଭ କରିଥିଲେ, ତାହା ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ଏବେ ସୁଦ୍ଧା ସେ ଅନୁଭବ କରିବାକୁ ଲାଗିଲେ । ତଥାପି ଆଉ ଗୋଟିଏ କଥା । ଏହି ସମ୍ପୂର୍ଣ୍ଣ ଅପୂର୍ବ ଅନୁଭୂତିଟି ବର୍ତ୍ତମାନ ତାଙ୍କ ପକ୍ଷରେ ଅଧିକ ଗୁରୁତର ହୋଇ ପଡ଼ିଲା—ସେମାନେ ଏକାଠି ଥିଲା ବେଳେ ଏହି ଅଦ୍ଭୁତ ଚିନ୍ତାଟି ତାଙ୍କ ମଗଜରେ ଆଦୌ ପଶି ନଥିଲା । ଗତ ରାତିରେ ଯେଉଁ ଘଟଣାଟି ଘଟିଗଲା, ସେ ଯେ ନିଜେ ତାହା ସହିତ ଜଡ଼ିତ ତାହା ଭା ସେ କଳ୍ପନା କରି ପାରିଲେ ନାହିଁ । ସେ ଭାବିଥିଲେ ଯେ ସେଥିରୁ ଗୋଟିଏ ଆମୋଦ ଜନକ ଅନୁଭୂତି ମିଳିବ । କିନ୍ତୁ ସେ ଯେଉଁ ତିକ୍ତ ଅନୁଭୂତି ଲାଭ କଲେ ତାହା କୌଣସି ବ୍ୟକ୍ତି ନିକଟରେ ପ୍ରକାଶ କରି ପାରିବେ ନାହିଁ—ବର୍ତ୍ତମାନ କାହାରି ଠାରେ ନୁହେଁ । ‘ସବୁ ଠାରୁ ବେଶୀ ଦୁର୍ଭାଗ୍ୟର କଥା ଯେ, ତାହାକୁ ବି ମୁଁ କେବେ ହେଲେ ଏହା ଶୁଣାଇ ପାରିବି ନାହିଁ ।’ ସୁତରାଂ ସେ ଭାବିଲେ ।’ କଅଣ କରିବି ? ଏହି ସ୍ମୃତିର ବୋଝ ବୋହି ଆଜି ଦିନଟା କଟାଇ ପାରିବି—ଏହି ଅସହନୀୟ ଯନ୍ତ୍ରଣାରେ ଛଟପଟ ହୋଇ, ସେହି ଉଜ୍ଜ୍ୱଳ ଭଲ୍‍ଗା ନଦୀର କୂଳରେ ଅବସ୍ଥିତ ଏହି ପାଣ୍ଡବ—ବିବର୍ଜିତ ଛୋଟ ସହରଟିରେ ଯେଉଁ ନଦୀର ସ୍ରୋତ ତାହାକୁ ଏକ ଲୋହିତ ଜାହାଜରେ ଭସାଇ ନେଇ ଯାଇଛି ।’

 

ଏହି ଚିନ୍ତାରୁ ତାଙ୍କୁ ମୁକ୍ତ ହେବାକୁ ପଡ଼ିବ, ନିଜର ମନକୁ ଅନ୍ୟ କୌଣସି ବିଷୟରେ ଲଗାଇବାକୁ ହେବ ଏବଂ ଆଉ କେଉଁଠାକୁ ଯିବାକୁ ହେବ । ଦୃପ୍ତ ଚିତ୍ତରେ ଉଠି ପଡ଼ି ସେ ଟୋପି ପିନ୍ଧିଲେ । ସେ ଛଡ଼ିଟା ହାତରେ ଧରିଲେ, ଫାଙ୍କା ବାରନ୍ଦାରେ ସଶବ୍ଦରେ ଜୋତା ମଚମଚ କରି ଚାଲି ଯାଇ ସିଡ଼ି ବାଟେ ତଳକୁ ଓହ୍ଲାଇ ଯାଇ ଦାଣ୍ଡ ଦୁଆର କତିରେ ପହଞ୍ଚିଗଲେ । ହଁ, କିନ୍ତୁ ଏକ୍ଷଣି ସେ କେଉଁଠାକୁ ଯିବେ ? ଦୁଆର ମୁଁହରେ ଗୋଟିଏ ଘୋଡ଼ାଗାଡ଼ି ଠିଆ ହୋଇଥିଲା । ତରୁଣ କଚୁଆନଟିଏ ଭଲ ପୋଷାକ ପିନ୍ଧି କାହାରି ଅପେକ୍ଷାରେ ନୀରବରେ ବସିରହି ସିଗାରେଟ ଟାଣୁଥିଲା । ଲେଫ୍ଟେନାଣ୍ଟ ତା ଆଡ଼କୁ ବିଚଳିତ ଅଦ୍ଭୁତ ଦୃଷ୍ଟିରେ ଅନାଇଲେ । କିପରି ବା ସେ ଗାଡ଼ି ଉପରେ ଏମିତି ଧୀର ସ୍ଥିର ଭାବରେ ବସି ସିଗାରେଟ ଟାଣୁଛି ଏବଂ ଏକାବେଳେ ଏପରି ସାଧାରଣ ନିର୍ଭୀକ ନିସ୍ପୃହ ହୋଇ ପାରୁଛି ? ‘ମୁଁ ତ ଭାବୁଛି ଯେ ଏହି ସାରା ସହରରେ ମୁଁ ହିଁ ଏକମାତ୍ର ବ୍ୟକ୍ତି, ଯେ କି ସବୁ ଠାରୁ ବେଶୀ ଅସୁଖୀ’—ଏହା ଭାବି ସେ ବଜାର ଆଡ଼କୁ ଗଲେ ।

 

ବଜାର ପ୍ରାୟ ଭାଙ୍ଗିବା ଉପରେ । ସେ ଲକ୍ଷ୍ୟହୀନ ଭାବରେ କାକୁଡ଼ି ବୋଝାଇ ଶଗଡ଼ଗୁଡ଼ାକ ଭିତରେ ଘୁରି ବୁଲିଲେ । ଚାଲିଲା ବେଳେ ସଦ୍ୟ ନିର୍ଗତ ପଶୁଙ୍କର ମଳମୂତ୍ର ଉପରେ ତାଙ୍କର ଗୋଡ଼ ପଡ଼ି ଯାଉଥାଏ । ହାଣ୍ଡି ମାଠିଆ ଗଦା ହୋଇଥିବା ସ୍ଥାନରେ ଆସି ସେ ଠିଆ ହେଲେ ।

 

ଜଣେ ଭଲ ଗରାଖ ଜୁଟିଛି ଭାବି ତଳେ ବସିଥିବା କୁମ୍ଭାରୁଣୀ ସବୁ ନିଜ ନିଜର ଜିନିଷ ତାଙ୍କୁ ଦେଖାଇବା ପାଇଁ ତତ୍ପର ହୋଇ ପଡ଼ିଲେ । ହାଣ୍ଡି ଉପରେ ଟିପ ମାରି ବଜାଇ ନିଜ ନିଜର ଜିନିଷର ଉତ୍କଷ୍ଟତା ସେମାନେ ତାଙ୍କ ଆଗରେ ପ୍ରତିପାଦନ କରିବାକୁ ଲାଗିଲେ । ଏଣେ ଶଗଡ଼ିଆମାନେ ପାଟି କରି କାନ ଅତଡ଼ା ପକାଇ ଦେଉଥାଆନ୍ତି ।

 

‘ଏଇ ଦେଖନ୍ତୁ ଏମିତି ସୁଆଦିଆ କାକୁଡ଼ି ଆଉ କେଉଁଠି ପାଇବେ ନାହିଁ । ନେଇ ଯାଆନ୍ତୁ’—ଏସବୁ ତାଙ୍କୁ ଏମିତି ଖରାପ ଓ ବିରକ୍ତିକର ଲାଗିଲା ଯେ ଶେଷକୁ ସେ ବଜାରରୁ ପଳାଇଗଲେ । ତା ପରେ ସେ ଗୀର୍ଜାରେ ଯାଇ ପହଞ୍ଚିଲେ । ସେତେବେଳକୁ ସମବେତ ପ୍ରାର୍ଥନା ସରିବା ଉପରେ—ଉଚ୍ଚ ପ୍ରଫୁଲ୍ଲ ଓ ଦୃଢ଼ ସ୍ଵରରେ ପ୍ରାର୍ଥନା ବୋଲା ହେଉଥିଲା । ପ୍ରତ୍ୟେକେ ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ ଥିଲେ । ନଦୀର ଇସ୍ପାତ ଧୂସର ରଙ୍ଗର ବିସ୍ତୀର୍ଣ୍ଣ ଜଳରାଶିକୁ ଲାଗି ଗୋଟିଏ ପାହାଡ଼ ଉପରେ ଛୋଟ ପରିତ୍ୟକ୍ତ ଉଦ୍ୟାନଟିଏ ଥିଲା । ବହୁତ ବେଳ ଯାଏ ସେ ତା ଚାରି ପଟେ ଘୂରି ବୁଲିବାକୁ ଲାଗିଲେ....ତାଙ୍କ ଜାମାର ବୋତାମଗୁଡ଼ାକ ଓ କାନ୍ଧର ପଟି ସବୁ ଟାଣ ଖରାରେ ଏମିତି ଗରମ ହୋଇ ଯାଇଥିଲା ଯେ ସେଥିରେ ହାତ ଦେଇ ହେଉ ନ ଥିଲା । ତାଙ୍କ ଟୋପିର ଭିତରଟା ଝାଳରେ ଏକାବେଳେ ଭିଜି ଯାଇଥିଲା ଏବଂ ତାଙ୍କର ମୁଁହ ପୋଡ଼ି ଯାଉଥିଲା । ହୋଟେଲକୁ ଫେରିଆସି ସେ ମନେ ମନେ ଖୁବ୍ ଖୁସି ହେଲେ, ଏବଂ ତଳ ତାଲାରେ ଥିବା ପ୍ରଶସ୍ତ ଶୂନ୍ୟ ଶୀତଳ ଭୋଜନ କକ୍ଷକୁ ପଶିଯାଇ ସେ ଟିକିଏ ଆରାମ ବୋଧ କଲେ । ଗୋଟିଏ ଖୋଲା ଝରକା କତିରେ ପଡ଼ିଥିବା ଟେବୁଲଟିରେ ବସିଯାଇ ସେ ମଥାରୁ ଟୋପିଟା କାଢ଼ି ପକାଇଲେ । ଝରକା ବାଟେ ଗରମ ପବନ ବହି ଆସୁଥିଲା, ମାତ୍ର ଯାହା ହେଲେ ବି ତାହା ପବନ ତ । ବରଫ–ଦିଆ ବିଟର ସୁରୁଆ ଆଣିବା ପାଇଁ ସେ ବରାଦ ଦେଲେ ।

 

ସବୁ ଜିନିଷ ତାଙ୍କୁ ସୁନ୍ଦର ଦିଶିଲା । ପ୍ରତ୍ୟେକ ଜିନିଷ ତାଙ୍କୁ ଅପରିମିତ ଆନନ୍ଦ ଓ ଅଶେଷ ତୃପ୍ତି ଦାନ କଲା । ଏପରିକି ଏହି ଗରମରେ ବଜାରର ଦୁର୍ଗନ୍ଧରେ, ଏହି ଅଦ୍ଭୁତ କଦର୍ଯ୍ୟ କ୍ଷୁଦ୍ର ସହରରେ ଓ ଏହି ପୁରୁଣା ମଫସଲି ହୋଟେଲରେ ଆନନ୍ଦ ପୂରି ରହିଥିଲା । ତଥାପି ତାଙ୍କର ଛାତି ଫାଟି ଯାଉଥିଲା । ସେ କେତେ ଗିଲାସ ଭଡ଼କା (ମଦ) ପାନ କରିବାକୁ ଲାଗିଲେ । ଭୋଜନ ସମୟରେ ତାଙ୍କର ମନେ ହେଲା, ବିନା ଦ୍ଵିଧାରେ, ସେ କାଲି ମରିବା ପାଇଁ ତିଆରି ହୋଇ ରହିବେ, ଯଦି କୌଣସି ଅଲୌକିକ ଉପାୟରେ ସେହି ତରୁଣୀକୁ ଖାଲି ଏଠାକୁ ଫେରାଇ ଅଣାଯାଇ ପାରେ, ଯଦି ସେ ତାହା ସହିତ ଆଉ ଦିନଟିଏ ମାତ୍ର କଟାଇ ପାରନ୍ତି—ତାହା ସହିତ ରହି ତାହାକୁ ବୁଝାଇ ପାରନ୍ତି, ଯେ କୌଣସି ଉପାୟରେ ତା ନିକଟରେ ପ୍ରମାଣ କରି ପାରନ୍ତି ଯେ ସେ ତାହାକୁ ପ୍ରବଳ ଗଭୀର ଭାବରେ ଭଲ ପାଆନ୍ତି । .....କିନ୍ତୁ ଏହା ବା କାହିଁକି ସେ ପ୍ରମାଣ କରିବେ ? କାହିଁକି ବା ସେ ତାହାକୁ ବୁଝାଇବେ ? ସେ ଏହାର କୌଣସି କାରଣ ନିର୍ଣ୍ଣୟ କରି ପାରିଲେ ନାହିଁ । ତଥାପି ଏହା ତାଙ୍କ ପକ୍ଷରେ ଜୀବନ ଠାରୁ ବି ଅଧିକ ପ୍ରୟୋଜନ ଥିଲା ।

 

ପଞ୍ଚମ ଥର ଗିଲାସରେ ଭଡ଼କା ଢାଳୁ ଢାଳୁ, ସେ ମନେ ମନେ ଗୁଣୁ ଗୁଣୁ ହୋଇ କହିଲେ, ‘ମୋର ଶିରାଗୁଡ଼ାକ ପୋଡ଼ି ଜଳି ଯାଉଛି ।’

 

ସେ ସୁରୁଆର ପାତ୍ରଟି ଆଡ଼େଇ ଦେଲେ, କିଛି କଳା କଫି ବରାଦ ଦେଲେ ଏବଂ ସିଗାରେଟ ଟାଣୁ ଟାଣୁ ଗଭୀର ଚିନ୍ତାରେ ବୁଡ଼ିଗଲେ: ବର୍ତ୍ତମାନ ସେ କଅଣ କରିବେ, ଏହି ଆକସ୍ମିକ ଓ ଅପ୍ରତ୍ୟାଶିତ ପ୍ରେମ ସେ କିପରି ଅନ୍ତରରୁ ଦୂର କରି ପାରିବେ ? କିନ୍ତୁ ଏହା ଦୂର କରିବା ଅସମ୍ଭବ । ହଠାତ୍ ସେ ପୁଣି ଚଞ୍ଚଳ ଉଠି ପଡ଼ିଲେ, ଟୋପି ଓ ଛଡ଼ି ହାତରେ ଧରିଲେ, ଏବଂ ଡାକ ଘର କେଉଁଠି ଅଛି ବୁଝି ନେଇ, ସେହି ଆଡ଼େ ଦ୍ରୁତ ଗମନ କଲେ । ବାଟରେ ଯାଉଁ ଯାଉଁ ତା ପାଖକୁ ଗୋଟିଏ ତାର ପଠାଇବା ପାଇଁ ସେ ମନସ୍ଥ କଲେ । “ଆଜି ଠାରୁ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ମୋର ଜୀବନ ତୁମର ହାତ ମୁଠାରେ ରହିଲା । “କିନ୍ତୁ ଡାକ ଓ ତାର ଘରର ପୁରୁଣା ମୋଟା କାନ୍ଥର କୋଠା ଭିତରକୁ ପଶିଯାଇ, ସେ ଅଟକି ଗଲେ ଏବଂ ଭୟଭୀତ ହୋଇଗଲେ । ସେ ଜାଣନ୍ତି, ତରୁଣୀଟି କେଉଁ ସହରରେ ବାସ କରେ । ସେ ଜାଣନ୍ତି ଯେ ତାହାର ସ୍ୱାମୀ ଓ ତିନି ବର୍ଷ ବୟସ୍କା ଝିଅଟିଏ ଅଛନ୍ତି, କିନ୍ତୁ ତାହାର ନାମ ତ ତାଙ୍କୁ ଜଣା ନାହିଁ । ଗତ ରାତିରେ ଭୋଜନ ବେଳେ ଓ ପରେ ହୋଟେଲରେ ସେ ତାହାକୁ ତାହାର ନାମ ପଚାରିଥିଲେ; କିନ୍ତୁ ପ୍ରତି ଥର ସେ ଖାଲି ହସି ଦେଇ କହିଥିଲା ।

 

“କିନ୍ତୁ କାହିଁକି ଆପଣ ମୋ ନାମ ଜାଣିବାକୁ ଚାହାଁନ୍ତି ? ଧରନ୍ତୁ ମୁଁ ସେହି ରୂପ-କଥାର ରାଜକୁମାରୀ ମେରିଆ ମାରେନା—ସେତିକି କଅଣ ଆପଣଙ୍କ ପକ୍ଷରେ ଯଥେଷ୍ଟ ନୁହେଁ ? “

 

ଡାକ ଘର କତିରେ ଗୋଟିଏ ଫଟ ଦୋକାନ ଥିଲା । ଜଣେ ଅଫିସରର ଗୋଟାଏ ବଡ଼ ଫଟ କାନ୍ଥରେ ଟଙ୍ଗା ହୋଇଥିଲା—ମୋଟା ଝାଲର ଯୁକ୍ତ ସ୍କନ୍ଧାଭରଣ, ଉଦ୍‍ଗତ ନୟନ, ଅନୁନ୍ନତ କପାଳ, ଅଦ୍ଭୁତ ବଡ଼ ବଡ଼ ପାର୍ଶ୍ୱ-କ୍ଷତ ଓ ସମ୍ପୂର୍ଣ୍ଣ ପଦକ ଶୋଭିତ ପ୍ରଶସ୍ତ ବକ୍ଷ । ସେ ତାହା ଆଡ଼କୁ ଢେର ବେଳ ଯାଏଁ ଚାହିଁ ରହିଲେ । .....ଯେତେବେଳେ ତୁମର ଛାତି ଫାଟି ଯାଉଥାଏ, ସେତେବେଳେ ସେହିସବୁ ସାଧାରଣ ଓ ତୁଚ୍ଛ ଜିନିଷ କି ମାରାତ୍ମକ ଅର୍ଥହୀନ ଓ ଭୟଙ୍କର ଜଣା ନ ଯାଏ—ହଁ, ସେ ଏକ୍ଷଣି ଜାଣି ପାରିଲେ, ସେହି ଭୟଙ୍କର “ଝାଇଁ-ବାତ” ରେ ଅତିଶୟ ପ୍ରବଳ ପ୍ରେମ ଓ ଅପରିମିତ ଆନନ୍ଦମୟ ସମୟରେ ତାଙ୍କର ଛାତି ଫାଟି ଯାଉଥିଲା । ଏକ ବିବାହିତ ଦମ୍ପତିର ଛବି ଉପରେ ଯାଇ ତାଙ୍କର ଦୃଷ୍ଟି ପଡ଼ିଗଲା—ତରୁଣ ବରଟି ଲମ୍ବା ଆବୃତ୍ତ କୋଟ୍ ଓ ଧଳା ଟାଇ ପିନ୍ଧିଥିଲା, ମଥାରେ ବାଳଗୁଡ଼ିକର ଅଗ କଟା ହୋଇଥିଲା, ବଧୂ ବେଶରେ ସଜ୍ଜିତା ଗୋଟିଏ ଝିଅର ହାତ ଧରି ଦୃଢ଼ ନିବିଷ୍ଟ ଚିତ୍ତରେ ଠିଆ ହୋଇ ଥିଲା—ତା ପରେ କୋଣାକାର ପଦ୍ଧତିରେ ଛାତ୍ରୀର ଟୋପି-ପରିହିତା ଜଣେ ସୁନ୍ଦରୀ ତୀକ୍ଷ୍ଣ-ନୟନା ବାଳିକାର ଛବି ଉପରେ ଯାଇ ତାଙ୍କର ଦୃଷ୍ଟି ପଡ଼ିଲା । .....ଏବଂ ତା ପରେ, ଯନ୍ତ୍ରଣା ଭୋଗୁ ନ ଥିବା ଏହିସବୁ ଅଜଣା ଲୋକଙ୍କ ପ୍ରତି ପ୍ରଚଣ୍ଡ ହିଂସାରେ ଜଳିଯାଇ, ସେ କ୍ଷୁବ୍ଧ ଦୃଷ୍ଟିରେ ରାସ୍ତା ଆଡ଼କୁ ଅନାଇଲେ ।

 

“କେଉଁଠାକୁ ଯିବି ? କଅଣ କରିବି ?”

 

ରାସ୍ତା ଏକାବେଳେ ଶୂନଶାନ ହୋଇ ଯାଇଥିଲା । ଘରଗୁଡ଼ିକ ସବୁ ପ୍ରାୟ ଏକା ଭଳି—ଧଳା, ଦୋତାଲା, ମଧ୍ୟବିତ୍ତ ପରିବାରର ଘର, ପ୍ରଶସ୍ତ ବଗିଚା, ଏବଂ କେଉଁଥିରେ ଲୋକ-ବାକ ଥିଲା ଭଳି ଜଣା ଯାଉ ନ ଥିଲା । ବହଳ ଧଳା ଧୂଳିରେ ରାସ୍ତା ଆଚ୍ଛାଦିତ ହୋଇ ଯାଇଥିଲା, ଏବଂ ସେଥିରେ ଆଖି ଧାଁ ଧାଁ ହୋଇ ଯାଇଥିଲା, କାମନା ଓ ଆନନ୍ଦ ପରିଷ୍କୃତ ରଶ୍ମି ରେଖାରେ ଚତୁର୍ଦ୍ଦିଗ ଭାସୁଥିଲା, କିନ୍ତୁ ତାହା ଅନାବଶ୍ୟକ ମନେ ହେଉଥିଲା । ଦୂରରେ ରାସ୍ତା ପାହାଡ଼ ଉପରେ ଦେଇ ବାଙ୍କି ଯାଇ ଧୂସର ଓ କମ୍ପିତ ଆକାଶରେ ମେଘମାଳା ସହିତ ମିଶି ଯାଇଥିଲା । ଏଥିରେ ଦକ୍ଷିଣର ଏକ ଇଙ୍ଗିତ ଥିଲା । ତାହା ତାଙ୍କୁ ସେବାସ୍ତପୋଲ, କାର୍ଚ ଓ ଥାନାପାର କଥା ମନେ ପକାଇ ଦେଲା-। ଏହା ତାଙ୍କୁ ବିଶେଷ ଅସହନୀୟ ବୋଧ ହେଲା । ଖରାରେ ଆଖି ଝଲସିଯାଇ, ତାଙ୍କର ଦୃଷ୍ଟି ସାମନା ଭୂଇଁ ଉପରେ ଆସି ପଡ଼ିଲା । ମଥା ନୁଆଁଇଁ, ଟଳି ଟଳି ଝୁଣ୍ଟି ପଡ଼ି ପଡ଼ି, ଗୋଡ଼ରେ ଛନ୍ଦି ହୋଇଯାଇ, ଲେଫ୍ଟେନାଣ୍ଟ ଫେରିଯିବାକୁ ଲାଗିଲେ ।

 

ହୋଟେଲକୁ ଫେରିଆସି ସେ ଏତେ କ୍ଳାନ୍ତ ଶ୍ରାନ୍ତ ବୋଧ କଲେ ଯେ ତାଙ୍କୁ ଜଣାଗଲା ଯେପରିକି ସେ ସାହାରା ମରୁଭୂମି କିମ୍ବା ତୁର୍କିସ୍ଥାନର କୌଣସି ଅଞ୍ଚଳରେ ଢେର ବାଟ ଘୂରିଛନ୍ତି । କୌଣସି ମତେ ନିଜର ସବୁ ଜୋର ଖଟାଇ ସେ ତାଙ୍କର ପ୍ରଶସ୍ତ ଶୂନ୍ୟ କକ୍ଷରେ ପ୍ରବେଶ କଲେ । ଘରଟି ଓଳା ହୋଇ ସାରିଥିଲା । ତରୁଣୀଟିର କିଛି ଚିହ୍ନବର୍ଣ୍ଣ ସେଠାରେ ନ ଥିଲା । ତାହାର ମଥାରୁ ଖସି ପଡ଼ିଥିବା ଗୋଟିଏ କଣ୍ଟା ଖାଲି ଖଟ ପାଖର ଟେବୁଲ ଉପରେ ରହିଥିଲା । ସେ ତାଙ୍କର ପୋଷାକ ଖୋଲି ପକାଇଲେ ଏବଂ ଦର୍ପଣରେ ନିଜକୁ ଦେଖିବାକୁ ଲାଗିଲେ, ନିଜର ମୁଖକୁ—ଜଣେ ସାଧାରଣ ଅଫିସରଙ୍କର ଗାଢ଼ ଧୂସର-ମୂଖ, ଖରା-ସିଝା ବିବର୍ଣ୍ଣ ନିଶ ଓ ଧଳା ପଡ଼ି ଯାଇଥିବା ନୀଳ ଆଖିଡୋଳା—ମୁଖଟିରେ ବର୍ତ୍ତମାନ ଉଦ୍‍ବିଗ୍ନ ଓ ଉତ୍ତେଜିତ ଭାବ ପ୍ରକଟିତ ହୋଇଥିଲା । ତାଙ୍କର ପତଳା ଧଳା ଜାମାରେ ଏକ ପ୍ରକାର ଯୁବ ସୁଲଭ ଓ ଭୀଷଣ ବିଷଣ୍ଣତାର ଆଭାସ ମିଳୁଥିଲା । ସେ ଖଟ ଉପରକୁ ଉଠିଗଲେ ଏବଂ ଧୂଳି-ଧୂସରିତ ଜୋତା ସମେତ ପାଦକୁ ଖଟ-ବାଡ଼ା ଉପରେ ରଖି, ଚିତ୍ ହୋଇ ଶୋଇ ପଡ଼ିଲେ । ଝରକା ସବୁ ମେଳା ଥିଲା, ପର୍ଦାଗୁଡ଼ିକ ପଡ଼ିଥିଲା, ଏବଂ ମୃଦୁ ମନ୍ଦ ସମୀରଣରେ ସେସବୁ ବାରମ୍ବାର ଉଡ଼ୁଥିବାରୁ, ଗୋଟାଏ ଝାଞ୍ଜି କକ୍ଷ ଭିତରକୁ ପଶି ଆସୁଥିଲା—ପୂର୍ବର ସେହି ଉଜ୍ଜ୍ୱଳ ଅଥଚ ଏବର ନିର୍ଜନ ଓ ନିଃଶବ୍ଦ ଜଗତର ସଙ୍କେତ । ମୁଣ୍ଡ ତଳେ ହାତ ରଖି ସେ ସ୍ଥିର ଦୃଷ୍ଟିରେ ସାମନା ଆଡ଼କୁ ଅନାଇ ରହିଲେ । ତା ପରେ ସେ ଦାନ୍ତ ଚାପି, ଆଖି ମୁଦିଦେଲେ, ଏବଂ ଗାଲ ଉପରେ ଲୁହ ବହି ଯାଉଥିବାର ଅନୁଭବ କଲେ । ଅବଶେଷରେ ସେ ଶୋଇ ପଡ଼ିଲେ । ନିଦ ଭାଙ୍ଗିବାରୁ ସେ ଦେଖିଲେ, ପର୍ଦାର ପଛ ପଟେ ଅସ୍ତ-ସୂର୍ଯ୍ୟ ଲୋହିତ-ପୀତ ବର୍ଣ୍ଣ ଧାରଣ କରିଛନ୍ତି । ପବନ ବନ୍ଦ ହୋଇଗଲାଣି, ଏବଂ ନିରୁଦ୍ଧ କକ୍ଷରୁ ବାମ୍ଫ ବାହାରୁଛି । ତତ୍‍କ୍ଷଣାତ୍‍ ତାଙ୍କର ମନେ ପଡ଼ିଗଲା କାଲି ଦିନର ଓ ଆଜି ସକାଳର କଥା, ଯେମିତି ଦଶ ବର୍ଷ ତଳର କଥା ।

 

ଧୀରେ ସୁସ୍ଥେ ଉଠି, ସେ ମୁହଁ ହାତ ଧୋଇଲେ, ପର୍ଦାସବୁ ଟେକିଦେଲେ, ଘଣ୍ଟି ବଜାଇଲେ, ଏବଂ ଚା ଓ ବିଲ୍ ଆଣିବାକୁ କହିଲେ । ତା ପରେ ସେ ଆସ୍ତେ ଆସ୍ତେ ଲେମ୍ବୁ ଦିଆ ଚା ପାନ କରିବାକୁ ଲାଗିଲେ । ତା ପରେ ଖଣ୍ଡିଏ ଗାଡ଼ି ଡାକିବାକୁ ସେ ବରାଦ ଦେଲେ । ଦରୁଆନ ଗାଡ଼ି ଭିତରେ ତାଙ୍କର ସୁଟକେଶ୍‍ଟା ରଖିଦେଲା । ଗାଡ଼ି ଭିତରକୁ ଉଠିଯାଇ ଫିକା ମଇଳା ମାଟିଆ ରଙ୍ଗର ଆସନରେ ବସିପଡ଼ି ସେ ଦରୁଆନକୁ ଖଣ୍ଡିଏ ପାଞ୍ଚ ରୁବଲର ନୋଟ୍‍ ବକ୍‍ସିସ ଦେଲେ ।

 

ତାହାର ଲଗାମ ଉଠାଇ ନେଇ କଚୁଆନ ଆନନ୍ଦରେ ଗଦଗଦ ହୋଇ କହିଲା, “ହଜୁର, କାଲି ରାତିରେ ତ ମୁଁ ଆପଣଙ୍କୁ ଆଣି ଏଇଠି ଛାଡ଼ି ଦେଇ ଯାଇଥିଲି ।”

 

ଜେଟିରେ ପହଞ୍ଚିଲା ବେଳକୁ ନୀଳ ଗ୍ରୀଷ୍ମ ରାତି ଭଲ୍‍ଗା ଉପରକୁ ମାଡ଼ି ଆସିଥିଲା । ବିଭିନ୍ନ ରଙ୍ଗର ବହୁ ଛୋଟ ଛୋଟ ଆଲୁଅ ନଦୀରେ ଇତସ୍ତତଃ ଛାଇ ଯାଇଥିଲା, ଏବଂ ଜାହାଜର ମାସ୍ତୁଲରେ ଗୁଡ଼ାଏ ଲଣ୍ଠନ ଝୁଲୁଥିଲା । ଜାହାଜଟି ଦୋହଲି ଦୋହଲି ଜେଟି ଆଡ଼କୁ ଆସିଲା ।

 

“ଠିକ୍ ସମୟରେ ଆଣି ଆପଣଙ୍କୁ ଏଇଠି ପହଞ୍ଚାଇ ଦେଇଛି ।” କଚୁଆନଟି କୃପା-ପ୍ରାର୍ଥନାର କଣ୍ଠରେ କହିଲା ।

 

ଲେଫ୍ଟେନାଣ୍ଟ ତାହାକୁ ବି ପାଞ୍ଚ ରୁବଲର ନୋଟ ଖଣ୍ଡିଏ ବକ୍‍ସିସ୍ ଦେଲେ, ଟିକଟ କାଟିଲେ ଏବଂ ଜେଟି ତଳକୁ ଓହ୍ଲାଇଗଲେ । ...ଠିକ୍ ଗଲା ରାତି ଭଳି, ନଙ୍ଗର ପଡ଼ିଥିବା ଜାଗାରେ ମୃଦୁ ଧପ୍ ଧପ୍ ଶବ୍ଦ ହେଲା, ସ୍ଫୀତ ଚଟାଣ ହେତୁ ମୁଣ୍ଡଟା ଟିକିଏ ଘୂରାଇଦେଲା, ଏବଂ ତା ପରେ ଉପର ଦଉଡ଼ିଟା ଟଣା ହେଲା । ଟିକିଏ ପଛକୁ ଘୂରିଗଲା ବେଳକୁ ଜାହାଜର ଚକଗୁଡ଼ାକର ତଳେ ପାଣି ଛଳ ଛଳ ହେଲା । ଏହି ସମ୍ପୂର୍ଣ ଆଲୋକିତ ଓ ଯାତ୍ରୀ-ପରିପୂର୍ଣ୍ଣ ଜାହାଜଟିରୁ ରୋଷାଇର ଗନ୍ଧ ଆସି ନାକରେ ବାଜିଲାରୁ, ତାଙ୍କର ଅନ୍ତର ଅପୂର୍ବ ତୃପ୍ତି ଓ ସନ୍ତୋଷରେ ଭରିଗଲା ।

 

ମିନିଟିଏ ପରେ ଜାହାଜ ଛାଡ଼ିଦେଲା, ଏବଂ ନଦୀରେ ସେହି ବାଟ ଧରିଲା, ଯେଉଁ ବାଟେ ସକାଳେ ସେହି ତରୁଣୀଟି ଚାଲି ଯାଇଥିଲା ।

 

ଗ୍ରୀଷ୍ମ ସୂର୍ଯ୍ୟାସ୍ତର ଗାଢ଼ ରକ୍ତିମା ସାମନାରେ କୁଆଡ଼େ ମିଳାଇ ଗଲା । ତାପରେ ବିଷଣ୍ଣ ତଦ୍ରାଚ୍ଛନ୍ନ ବହୁ-ରଙ୍ଗ ଛାୟା ଜଳରାଶି ଉପରକୁ ମାଡ଼ି ଆସିଲା । ସେହି କ୍ଷୀଣାଭ ଆସ୍ତରଣ ତଳେ ଏଣେ ତେଣେ ଢେଉସବୁ ଉଠିବାରୁ ଜଳରାଶି କମ୍ପିବାକୁ ଲାଗିଲା । ଅନ୍ଧକାରରେ ବିକ୍ଷିପ୍ତ ଆଲୋକଗୁଡ଼ିକ ଦୂରକୁ, ବହୁ ଦୂରକୁ ଭାସିଯିବାକୁ ଲାଗିଲେ ।

 

ଲେଫ୍ଟେନାଣ୍ଟ ଡେକ୍ ଉପରେ ବସିଥିଲେ । ତାଙ୍କର ଅନ୍ତର ଗୋଟାଏ ଗଭୀର ଚିନ୍ତାରେ ଆଚ୍ଛନ୍ନ ହୋଇ ଯାଇଥିଲା । ସତେ ଯେମିତି ତାଙ୍କର ବୟସ ଦଶ ବର୍ଷ ବଢ଼ି ଯାଇଛି ।

☆☆☆

 

Unknown

ବତି ଓ ପତି

 

ଯେତେବେଳେ ପୁରୁଣା ଦିନର ବୈଚିତ୍ର୍ୟହୀନ ସଭ୍ୟତା କୌଣସି ମଣିଷକୁ ଦିନ ଦିନ ଧରି ତାହାର କାନ୍ଧରେ ଗୋଟାଏ ଲମ୍ବ ସିଡ଼ି ଝୁଲାଇ ରାଜପଥର ଗୋଟଏ ବତିଖୁଣ୍ଟରୁ ଆଉ ଗୋଟାଏ ବତିଖୁଣ୍ଟ ପାଖକୁ ଯିବା, ତିନିଥର ଲେଖାଏଁ ଚଢ଼ିବ ଓହ୍ଲାଇବା, ବତିରେ ତେଲ ପୂରାଇବା, ଆଲୋକ ଜଳାଇବା ଓ ଲିଭାଇବା, କାମ କରିବାକୁ ବାଧ୍ୟ କରେ, ସେତେବେଳେ ଏହା ଅତି ସଧାରଣ ଯେ, ସେହି ମଣିଷଟି ବୋକା କି ମାତାଲ ହେଲେ ସୁଦ୍ଧା ନିଶ୍ଚୟ ମନୁଆ ହୋଇଥିବ ଏବଂ ଆଉକିଛି ସମ୍ଭବ ନ ହେଲେ ମଧ୍ୟ ନିଜର ଚିନ୍ତାଧାରାଗୁଡ଼ିକୁ ଅନ୍ତତଃ ସିଡ଼ି ପ୍ରମାଣ ଉଚ୍ଚକୁ ଟେକି ଧରୁଥିବ ।

 

ଦିନେ ସିସିଲି ଦ୍ଵୀପର ଟ୍ରନି ସହରରେ ଟୋନିଓ ନାମକ ଜଣେ ବତି-ଜଳାଳୀ ମାତାଲ ଅବସ୍ଥାରେ ସିଡ଼ି ଉପରୁ ଖସି ପଡ଼ିବାରୁ, ତାହାର କପାଳ ଫାଟିଗଲା ଓ ଗୋଡ଼ ଭାଙ୍ଗିଗଲା । ଦୈବ ଯୋଗକୁ ମରଣ ହାତରୁ ରକ୍ଷା ପାଇ ଡାକ୍ତରଖାନାରେ ଦୁଇ ମାସ କଟାଇ, ଦିନେ ନେଙ୍ଗଡ଼ା ପାଦ ଓ କପାଳରେ ଖୁବ୍‍ ବଡ଼ କଟା ଚିହ୍ନଟିଏ ଧରି, ପୁଣି କାନ୍ଧରେ ସିଡ଼ି ଝୁଲାଇ ସେ କାମକୁ ବାହାରିଲା । କିନ୍ତୁ ପ୍ରତିଥର ସିଡ଼ିରେ ଚଢ଼ିବା ବେଳେ ଗୋଟିଏ ମାତ୍ର ଚିନ୍ତାରେ ତାହାର ମନ କ୍ଷୁବ୍ଧ ହୋଇଯାଏ—ଯେଉଁ ବିଷୟ ହୃଷ୍ଟ ମନରେ ଉପେକ୍ଷା କରିବା ଉଚିତ, ଏ ସଂସାର ତାର ବିଜ୍ଞାପନ ବହନ କରିବାକୁ ସେହି ମଣିଷକୁ ବାଧ୍ୟ କରେ । ଯେମିତି ଧରାଯାଉ—ହୁଏତ କୌଣସି ସ୍ୱାମୀ ନିଜର ସ୍ତ୍ରୀର ବିଶ୍ୱାସଘାତକତା ପ୍ରତି ଉଦାସୀନ । କିନ୍ତୁ ସଂସାର ତାହାକୁ ସଯତ୍ନରେ ସତର୍କ କରିଦିଏ, ଯଦ୍ଵାରା ସେ ଏହି ବିଷୟରେ ଉଦାସୀନ ନ ହୁଏ; ଆଉ ଯଦି ଯଥାର୍ଥରେ ସେ କୌଣସି ବିଜ୍ଞାପନ ବହନ ନ କରିବାକୁ ଦୃଢ଼ ପ୍ରତିଜ୍ଞା ହୁଏ, ତାହାହେଲେ ତାହାର ଚାରି କଡ଼ରେ ନାନା ରକମର ମଣିଷ, ଏମିତିକି ପିଲାମାନେ ବି, ତାହା ମନେ ପକାଇ ଦେବାକୁ ସଦାବେଳେ ଘୂରି ବୁଲନ୍ତି ।

 

ଯେତେବେଳେ ସିଡ଼ିରେ ମଥା ଉପରେ ଠିଆ ହୋଇ ଟୋନିଓ ସର୍ଵ ପ୍ରଥମେ ବତି ଲଗାଇବାରେ ବ୍ୟସ୍ତ, ସେତେବେଳେ ସେମାନେ ପାଟି କରିବାକୁ ଲାଗନ୍ତି, “ତୋ ମାଇପ କେମିତି ଅଛିରେ ? କିଏ ତାହାର ପୀରତି—ନାଗର ?”

 

ସେ ଉତ୍ତର ଦିଏ, “ତୁମେ ସବୁ ନର୍କରେ ପଡ଼ୁ “ନାହଁ ! ଦେଖୁଛି, କାମରେ ଲାଗିବା କ୍ଷଣି ଏଗୁଡ଼ାକ ଭେରେଣ୍ଡା ଭଳି ରଡ଼ି ଛାଡ଼ୁଛନ୍ତି । ଆରେ, ନିଜ ନିଜର ଘଡ଼ିରେ ଯାଇ କାହିଁକି ତେଲ ଢାଳୁ ନାହଁ ? ମୋ ଜୀବିକାରେ ମୁଁ ବାହାରିଛି । ମୋ ପଛରେ କାହିଁକି ଭଲା ଲାଗିଛ, କହିଲ ?”

 

ପ୍ରକୃତରେ କହିବାକୁ ଗଲେ, ସିଡ଼ିର ଉଚ୍ଚ ଚୂଡ଼ାରୁ ଟୋନିଓ ଭାବିବାକୁ ଲାଗେ, ବତି ଲଗାଇବାକୁ ଯାଇ ଯଦି ନିଜର ସ୍ତ୍ରୀକୁ ଜଗିବା ପାଇଁ ତାହାର ସମୟ ନ ଥାଏ, ତାହା ହେଲେ ସେଟା କଅଣ ତାହାର ଅପରାଧ ? ଯେତେବେଳେ ସହରର ଅଗଣିତ ବତିଗୁଡ଼ିକୁ ନିତି ଠିକ୍ ରଖିବା ପାଇଁ ତାହାକୁ ଦିନରେ ପ୍ରତି ବତିଖୁଣ୍ଟରେ ସିଡ଼ି ଲଗାଇ ତିନି ଥର ଲେଖାଏଁ ଚଢ଼ିବାକୁ ହୁଏ, ସେତେବେଳେ ତାହାର ବା ବେଳ କାହିଁ ଯେ, ସେ ନିଜର ସ୍ତ୍ରୀ ବିଷୟରେ ଟିକିଏ ଭାବି ପାରିବ ?

 

ଢେର ଦିନ ହେଲା ଏହି ପରିହାସଟା ଚାଲିଛି ଦେଖି, ଦିନେ ସେ ଉପଦେଶ ପାଇଁ ଟାଉନ ହଲକୁ ଗଲା । ଯାହାଙ୍କର ଦୌଲତରେ ଟୋନିଓର ଚାକିରୀ ଏବଂ ଯାହାଙ୍କର କୃପା ବଳରେ ମଝିରେ ମଝିରେ ନିର୍ଭୁଲ କାମ ପାଇଁ ତାହାକୁ ବକ୍ସିସ୍ ମିଳେ, ନଗରପାଳମାନଙ୍କ ଭିତରୁ ଅନ୍ୟତମ ସେହି କାଉଣ୍ଟ ବିସି ହିଁ ତାହାକୁ ଦେଖା ଦେଲେ ।

 

ଟୋନିଓ ତାହାଙ୍କ ଆଗରେ ନିବେଦନ କଲା “ମହାମାନ୍ୟ, ଯେହେତୁ ଆପଣା ରାସ୍ତାର ବତୀଗୁଡ଼ିକର ଦେଖାଶୁଣାର ଭାର ମୋ ଉପରେ ଦେଇଛନ୍ତି, ସେଥିପାଇଁ ମୋତେ ଜଣେ ସରକାରୀ କର୍ମଚାରୀ ବୋଲି ଧରାଯାଏ କି ନା ?”

 

“ହଁ, ତାହା ତ ନିଶ୍ଚୟ ।”

 

“ତାହା ହେଲେ ମୋତେ ଯଦି କେହି ଅପମାନ କଲା, ସେ ତ ସହରର ଜଣେ ସରକାରୀ କର୍ମଚାରୀକୁ ନିଶ୍ଚୟ ଅପମାନ କଲା ?”

 

ସରକାରୀ କାମ ସହିତ ତାହାର ଘରୋଇ ବ୍ୟାପାରର କିଛି ସମ୍ପର୍କ ନାହିଁ ଏବଂ ସ୍ୱାମୀ ଭାବରେ ତାହା ଆଇନତଃ ତାହାର କାର୍ଯ୍ୟ ପ୍ରତି ପ୍ରଯୁଜ୍ୟ ନୁହେଁ । ଏହି କଥା ପ୍ରମାଣ କରିବା ପାଇଁ ନଗରପାଳ ଉତ୍ତର ଦେଲେ, “ନା, ଠିକ୍‍ ତାହା ନୁହେଁ ।”

 

“ହେ ମହାମାନ୍ୟ, ଆପଣ ମୋ ଠାରୁ ଢେର ଜ୍ଞାନୀ । କିନ୍ତୁ ଯେତେବେଳେ ମୁଁ କାମରେ ଲାଗେ, ଯେତେବେଳେ ମୁଁ ସିଡ଼ି ଉପରକୁ ଚଢ଼ି ଯାଇ ବତିଖୁଣ୍ଟ ଉପରେ ନଇଁପଡ଼ି ବତି ଜଳାଇବା ଲାଗି ଦିଆସିଲି ମାରେ, ଯେତେବେଳେ ସେମାନେ ଜାଣନ୍ତି ଯେ ସହରକୁ ଅନ୍ଧକାରରେ ରଖି ନିଜର ସ୍ତ୍ରୀକୁ ଜଗିବା ପାଇଁ ମୁଁ ଘରକୁ ଦୌଡ଼ିଯାଇ ପାରିବି ନାହିଁ ଏବଂ ଦରକାର ହେଲେ ମୋ ସ୍ତ୍ରୀର ଓ ତାହାର ନାଗରର ମଥାଟା ଦୁଇ ଫାଳ କରିଦେଇ ପାରିବି ନାହିଁ, ସେତେବେଳେ ସେମାନେ ମୋତେ ଅପମାନ କଲେ, ମୁଁ ସେମାନଙ୍କର କଅଣ କରିପାରେ, କୁହନ୍ତୁ ତ ଦେଖି ? ଆଉ ଧରନ୍ତୁ, ମୋ ଜାଗାରେ ଆପଣ ଥିଲେ ବି ବା କଅଣ କରି ପାରନ୍ତେ ?’’

 

ତାହାର ସ୍ତ୍ରୀର ଓ ତା ନାଗରର ମଥାଟା ଦୁଇ ଫାଳ କରିଦେବା ପାଇଁ ଟୋନିଓ ଖୁବ୍ ଜୋର୍‍୍ ଦେଇ କହେ, କାରଣ ସେ ଜାଣେ ଯେ ଉପେକ୍ଷିତ ସ୍ୱାମୀ ହିସାବରେ ତାହାର ସମ୍ମାନହାନିର ପ୍ରତିଶୋଧ ନେବା ପାଇଁ ପୃଥିବୀ ତା ଉପରେ ଖୁନୀ ହେବାର ଅବାଞ୍ଛିତ ଗୁରୁ ଦାୟିତ୍ଵ ନ୍ୟସ୍ତ କରିଛି ।

 

ମହାମାନ୍ୟ ନଗରପାଳ ପ୍ରକୃତରେ କୌଣସି ଯଥାର୍ଥ ଉତ୍ତର ଖୋଜି ପାଆନ୍ତି ନାହିଁ ।

 

“ହେ ମହାମାନ୍ୟ, ଆପଣ ଆଉ କି ପ୍ରମାଣ ଚାହାନ୍ତି ? ଯେତେବେଳେ ଜହ୍ନ ରାତିରେ ମୋତେ ବତି ଜଳାଇବାକୁ ପଡ଼େ ନାହିଁ, ସେତେବେଳେ କାହିଁ କେହି ତ ମୋତେ ସ୍ତ୍ରୀର କଥା ଉଠାନ୍ତି ନାହିଁ ? କାରଣ ସେମାନେ ଜାଣନ୍ତି, ସେହି ସମୟରେ ମୁଁ ଆଉ ସରକାରୀ କର୍ମଚାରୀ ନ ଥାଏ । ହେ ମହାମାନ୍ୟ, ମୁଁ ମନେ କରୁଛି, ଯାହା ହେଲେ ବି କିଛି କରାଯାଉ, ଆଉ ପୋଲିସରେ ବି ଖବର ଦିଆଯାଉ ।’’

 

ଟୋନିଓର ଯୁକ୍ତି ଆବଶ୍ୟ ଠିକ୍ । କିନ୍ତୁ ଏହା ତ କୌଣସି କାମର କଥା ନୁହେଁ ।

 

ମହାମାନ୍ୟ ନଗରପାଳ ଉତ୍ତର ଦେଲେ, “ବ୍ୟାପାରଟା ଯେତେବେଳେ ଏମିତି ଗୋଟାଏ ଅବସ୍ଥାକୁ ଆସିଛି, ଆଉ ଏହିପରି ଭାବରେ ଅପମାନିତ ହେବାକୁ ସତରେ ଯଦି ତୁମର ଅନିଚ୍ଛା ଥାଏ, ଏବଂ ତୁମେ ଯଦି ମନେ କରୁଥାଅ ଯେ ତୁମରି କାମ ହେତୁ ତୁମ ସ୍ତ୍ରୀର ବିଶ୍ୱାସଘାତକତା ଜାତ ହୋଇଛି, ତାହାହେଲେ ସବୁ ଠାରୁ ଭଲ ବାଟ ହେଉଛି, କାମଟା ଛାଡ଼ିଦେବା-। ଆଉ ଯଦି ବା ପଦତ୍ୟାଗ କରିବାକୁ ତୁମର ଅସମ୍ମତି ଥାଏ, ତାହାହେଲେ ଲୋକଙ୍କ କଥାରେ କାନ ନ ଦେଇ ତୁମେ ନିଜର କାମ କରିଯାଅ ।”

 

“ଆପଣ କଅଣ ଏହା ଠିକ୍ ଭାବରେ କହୁଛନ୍ତି ?”

 

କାଉଣ୍ଟ ବସି ଉତ୍ତର ଦେଲେ, “ମୁଁ କହିବାକୁ ବାଧ୍ୟ ହେଉଛି, ହଁ, ଠିକ୍ ।”

 

ଟୋନିଓ ଗୋଡ଼ ଯୋଡ଼ି ସିଧା ଠିଆ ହୋଇ ସୈନିକର କାଇଦାରେ ନମସ୍କାର ଜଣାଇ କହିଲା, “ଆପଣଙ୍କ କଥା ବୋଧହୁଏ ଠିକ୍ । ମୁଁ ମୋ କାମଟା ବଜାୟ ରଖିବି ।”

 

ପ୍ରତି ଦିନ ଟୋନିଓକୁ ସିଡ଼ିଟା ଭାରୀ ବୋଧହୁଏ ଏବଂ ସିଡ଼ିର ପୁରୁଣା ଫଳିଗୁଡ଼ିକରେ ନିତି ନେଙ୍ଗଡ଼ା ପାଦ ଟାଣି ଟାଣି କାମ କରିବା ତା ପକ୍ଷରେ ଅସହ୍ୟ ବେଦନାଦାୟକ ହେବାକୁ ଲାଗେ ।

 

ସମୟ ସମୟରେ ପାହାଡ଼ର ଚୂଡ଼ା ଉପରେ ସରୁ ଗଳିର ଅନ୍ୟତମ ଶେଷ ବତୀ ଖୁଣ୍ଟ ପାଖରେ ଯାଇ ଯେତେବେଳେ ସେ ପହଞ୍ଚେ, ସେତେବେଳେ ସିଡ଼ିଟା ଧରି ସେ ଟିକିଏ ରହିଯାଏ, ଯେମିତି ଝରକା ବାଟେ ସେ ଦେଖି ପାରୁଛି । ତାହାର ହାତ ଦୁଇଟି ଅଳସ ଭାବରେ ତଳକୁ ଝୁଲି ପଡ଼ିଥାଏ, ତାହାର ମଥାଟା ପଛକୁ ଆଉଜି ପଡ଼ିଥାଏ, ତାହାର କାଖ ଠାରୁ ଦୀପଧାର ଯାଏ ସେ ଓହଳି ପଡ଼ିଥାଏ । ସେଠାରେ ସେ ତାହାର କର୍ତ୍ତବ୍ୟ ଭୁଲିଯାଏ, ମହାମାନ୍ୟ ନଗରପାଳକଙ୍କର ଉପଦେଶ ଇତ୍ୟାଦି ଭୁଲିଯାଏ ଏବଂ ହଜାରେ ପ୍ରକାର ଚିନ୍ତା ଉଡ଼ି ଆସି ତାହାର ମନ ଉପରେ ବସା ବାନ୍ଧନ୍ତି ।

 

କେତେ କେତେବେଳେ ଅଦ୍ଭୁତ ବେଦନାଦାୟକ ଚିନ୍ତାସବୁ ଆସି ତାହାର ମନ ଭିତରେ ଖୋଳତାଡ଼ କରନ୍ତି ।

 

ସେ ଭାବେ, ଆକାଶରେ କେତେ ତାରା, କେଡ଼େ ଉଜ୍ଜ୍ୱଳ । ତଥାପି ସେମାନେ ବି ପୃଥିବୀକୁ ଯଥେଷ୍ଟ ଆଲୋକ ଦେଇପାରନ୍ତି ନାହିଁ । କି ଶୋଚନୀୟ ଅପବ୍ୟୟ !

 

ତଥାପି କି ମଧୁର ଏହି ନକ୍ଷତ୍ର-ଖଚିତ ଆକାଶ ! ଦିନେ ସେ ସ୍ୱପ୍ନ ଦେଖିଥିଲା ଯେ ଆକାଶର ତାରାଗୁଡ଼ିଙ୍କୁ ପ୍ରଦୀପ ଦେଖାଇବାର ଭାର ତାହା ଉପରେ ପଡ଼ିଛି, ଆଉ ଏଇଥି ପାଇଁ ସେ ସିଡ଼ି ବ୍ୟବହାର କରିବାକୁ ଚେଷ୍ଟା କରୁଛି । ଏମିତି ଗୋଟାଏ ମସ୍ତ ଭାରୀ ଉଚ୍ଚା ସିଡ଼ୀ, ଯାହାର ଶେଷ ଭାଗ ବି ଦେଖାଯାଉ ନାହିଁ କି ଯାହାକୁ ସେ ଭଲ ଭାବରେ ଟେକି ନେଇ ଯାଇ ପାରୁ ନାହିଁ । ଯେତେବେଳେ ସେ ଅନୁଭବ କଲା ଯେ ତାହା ପକ୍ଷରେ ଆକାଶରେ ପହୁଞ୍ଚିବା ଏକ ଅଳୀକ କଳ୍ପନା, ସେତେବେଳେ ତାହାର ମନେ ହୋଇଥିଲା କି ଭୟଙ୍କର ଏହି ରାତ୍ରିର ମରୀଚିକା । ସ୍ୱପ୍ନ ହିଁ ଖାଲି ସ୍ୱପ୍ନ । ତଥାପି କି କ୍ଳାନ୍ତିକର ଓ ଭୀତିପ୍ରଦ !

 

ଟୋନିଓ ମନେ ମନେ ଭାବେ, କି ବିଷାଦମୟ ଏହି ସଞ୍ଜବତୀର କାମ । ଆଲୁଅ ଜଳାଇ ସେ ଛାୟା ବି ସୃଷ୍ଟି କରିଛି । ମୃତ୍ୟୁ ଜୀବନକୁ ଅନୁସରଣ କରେ, ଆଉ ଛାୟା ବି ମୃତ୍ୟୁ ପରି କାୟାକୁ ସକଳ ଅବସ୍ଥାରେ ଅନୁସରଣ କରୁଛି । ଅକସ୍ମାତ୍ ବାଟରେ ଚାଲି ଯାଉଥିବା ଲୋକର ଚଳମାନ ଛାୟା ଦେଖି ସେ ଚିନ୍ତା କରେ, ଲୋକେ ଭାବନ୍ତି ଯେ ମୁଁ ସେମାନଙ୍କୁ ଆଲୁଅ ଦେଖାଏ, କିନ୍ତୁ ସତରେ କହିବାକୁ ଗଲେ କଅଣ କି ମୋର ଆଲୁଅ ଜଳାଇବା ସଙ୍ଗେ ସଙ୍ଗେ ମରଣ ତ ସେମାନଙ୍କ ପଛେ ପଛେ ଗୋଡ଼ାଏ ।

 

ନିଜକୁ ସାନ୍ତ୍ୱନା ଦେବା ପାଇଁ ଉପସଂହାରରେ ଟୋନିଓ ନିଜ କାର୍ଯ୍ୟର ଗୁରୁତ୍ୱ ଉପଲବ୍ଧ କରେ, କାରଣ ସେ ପ୍ରକୃତିର ଗୋଟାଏ ତ୍ରୁଟିକୁ ସଂଶୋଧନ କରୁଛି । ଗର୍ବ କରିବାକୁ ସେ ଘୃଣା ବୋଧ କରେ । କିନ୍ତୁ ସେ କଅଣ ଏହି ସହରରେ ସୂର୍ଯ୍ୟଙ୍କର ପ୍ରତିଭୂ ନୁହେଁ ? କହିବାକୁ ଗଲେ, ପ୍ରତି ପକ୍ଷରେ ମାତ୍ର ସେହି ଦୁଇ ଜଣ ସୂର୍ଯ୍ୟଙ୍କର ବଦଳି କରେ । ଯେତେବେଳେ ଜହ୍ନ ଥାଏ ସେତେବେଳେ ସେ ବିଶ୍ରାମ ନିଏ, ଆଉ ତାହାର କାମ ସମୟରେ ଜହ୍ନର ଛୁଟି । ଜହ୍ନ ଥାଇ ବି ଯେତେବେଳେ ଦେଖାଯାଏ ନାହିଁ, ଖଣ୍ଡ ଖଣ୍ଡ ମେଘ ଜହ୍ନକୁ ଢାଙ୍କି ପକାଇ ଯେତେବେଳେ ତାହାକୁ ନିଜର କାମ କରିବାକୁ ଦିଅନ୍ତି ନାହିଁ, ସେତେବେଳେ କିଏ ବା ଟୋନିଓର ପ୍ରଧାନ୍ୟକୁ ଅବଜ୍ଞା କରିବାକୁ ସାହସ କରିବ ?

 

ଚାରି ଦିଗର ଅନ୍ଧକାରଚ୍ଛନ୍ନ ପଟ୍ଟଭୂମିକରେ ଅମାବାସ୍ୟା ରାତିରେ ଦୂରସ୍ଥ ଆଲୋକୋଜ୍ଜ୍ୱଳ ଗ୍ରାମଟି କି ଅପୂର୍ବ ଦିଶେ ! ପାହାଡ଼ର ଚୂଡ଼ାରେ ରାସ୍ତାର ଶେଷ ସୀମାରେ ବତି ଖୁଣ୍ଟଟି ପାଖରେ ପହଞ୍ଚି, ଟୋନିଓ ପ୍ରତି ଦିନ ସ୍ତବ୍ଧ ବିସ୍ମୟରେ କେତେ କ୍ଷଣ ଧରି ସେମାନଙ୍କୁ ନ ଦେଖେ !

 

ନିବିଡ଼ ଅନ୍ଧକାର ଭିତରେ ପୁଞ୍ଜିଏ ଜୁଳୁଜୁଳିଆ ପୋକ ଭଳି ସେହି ଆଲୋକଗୁଡ଼ିକ ରାସ୍ତା ଓ ଘର ଉପରେ ପହରା ଦିଅନ୍ତି । ରାତି ସାରା କି ଆଶ୍ଵାସ ଓ ଆରାମର ଅନୁଭୂତି ସେମାନେ ଧରି ରଖନ୍ତି ! ମଝିରେ ମଝିରେ ଦମକା ପବନର ସ୍ପର୍ଶରେ କମ୍ପିତ ଶିଖା ଦେଖି ମନେ ହୁଏ, ଯେମିତି ସେମାନେ ବି ଦୀର୍ଘ ନିଶ୍ଵାସ ଛାଡ଼ୁଛନ୍ତି।

 

ଦୂରରୁ ଦେଖୁଁ ଦେଖୁଁ ମନେ ହୁଏ, ଯେମିତି ପୃଥିବୀର ଜୀବନ୍ତ ସବୁ କିଛି ସମାଧି ଲାଭ କରି ଜଣେ ଅନ୍ୟ ଜଣକୁ ସାହାଯ୍ୟ ଓ ଆରାମ ଦେବା ପାଇଁ ଠୁଳ ହୋଇଛନ୍ତି । ହାୟ, ମଣିଷର ବାସନା ! ଯଦି କେଉଁଠି ଗୋଟାଏ ଘର ମୁଣ୍ଡ ଟେକି ଠିଆ ହୁଏ, ତାହାହେଲେ ସହୋଦରାର ସ୍ନେହରେ ଅପରଟି ତାହାର ଡାହାଣରେ କି ବାମରେ ଠିଆ ନ ହୋଇ, ଶତ୍ରୁଭଳି ସମସ୍ତ ସୌନ୍ଦର୍ଯ୍ୟ ଲୁଣ୍ଠନ କରି ଆଗରେ ମଥା ଟେକି ଠିଆ ହୁଏ । ମଣିଷ ବି ଜଣେ ଅନ୍ୟର ସାହଚର୍ଯ୍ୟରେ ଏକତ୍ରିତ ନ ହୋଇ, ଜଣେ ଅନ୍ୟ ଜଣକର ବିରୁଦ୍ଧରେ ଯୁଦ୍ଧ କରିବାକୁ ଇଚ୍ଛା କରେ । ଟୋନିଓ ଏ ସବୁ ଭଲ ଭାବରେ ଜାଣେ । ଆଉ ସେ ବି ଏହା ଜାଣେ ଯେ ପ୍ରତି ଘରେ ଘରେ ଏହି ଯୁଦ୍ଧ ଚାଲିଛି, ଏବଂ ଯେଉଁମାନଙ୍କ ଭିତରେ ପ୍ରୀତିର ସମ୍ପର୍କ ସେହିମାନଙ୍କ ଭିତରେ ବି ସଂଗ୍ରାମ ଚାଲିଛି । ତାହାର ନିଜ ଘର ଭିତରେ ବି କଅଣ ଏହି କାଣ୍ଡ ଘଟୁ ନାହିଁ ? ନିଜର ସ୍ତ୍ରୀ କଅଣ ତାହାର ଘୃଣ୍ୟତମ ଶତ୍ରୁ ନୁହେଁ-? ଯଦି ଟୋନିଓ ମଦ ଖାଇଲା, ତାହା ହେଲେ କାହିଁକି ? କାହିଁକି ସେ ମଦ ଖାଉଛି-? ଘରୋଇ କୁତ୍ସିତ କଥା ଭୁଲିବାରେ ଓ ଉପେକ୍ଷା କରିବାରେ ତାହାକୁ ସାହାଯ୍ୟ କରୁଛି ବୋଲି ସେ ତାହା କରୁ ନାହିଁ କି ?

 

କିନ୍ତୁ ସେ କଅଣ କରୁଛି ? ସେ ତ ଜାଣେ, ଆଜି ବତୀଗୁଡ଼ାକର ତେଲ ସରି ଯାଇଛି ।

 

 

ଆଜି ସହରଟିକୁ ଅନ୍ଧକାରରେ ରହିବାକୁ ପଡ଼ିବ । ଆଲୋକର ଠିକାଦାର ନଗର-ପରିଷଦ-ସଭା ବିରୁଦ୍ଧରେ ମକଦ୍ଦମା ରୁଜୁ କରିଛି । ସଭା ତାହାର ପାଉଣା ଗଣ୍ଡାକ ଜବଦ କରି ରଖିଛି । ତାର ଓଲଟା ଜବାବ ଭାବରେ ଠିକାଦାର ବି ତେଲ ଯୋଗାଇବାକୁ ଏକ୍ଷଣି ଅସ୍ଵୀକୃତ । ତେଣୁ ଟୋନିଓ ଆଜି ବତିଗୁଡ଼ିକରେ ତେଲ ଭର୍ତ୍ତି କରି ପାରିଲା ନାହିଁ । ତଥାପି ଦିନର ଶେଷରେ ସିଡ଼ିଟା କାନ୍ଧରେ ଝୁଲାଇ ବୁଲି ବୁଲି ଗତ କାଲି ବଳି ପଡ଼ିଥିବା ଅଳ୍ପ ଟିକିଏ ତେଲରେ ସେ ଆଲୁଅ ଜଳାଇବାକୁ ଚେଷ୍ଟା କରିଛି । କିନ୍ତୁ ଅଳ୍ପ ସମୟ ଜଳି ପୋଡ଼ା ଗନ୍ଧରେ ସେଗୁଡ଼ିକର ଆୟୁ ପୂରି ଯାଇଛି । ସମଗ୍ର ସହର ରାଗରେ ନିଆଁ ହୋଇ ଯାଇଛି, ଯେମିତି ଏହା ତାହାରି ଦୋଷ ।

 

“ଘରକୁ ଯା ବେ ଟୋନିଓ, ଘରକୁ ଯାଆ । କିଏ ତୋ ମାଇପର ନାଗର ?” ବଜାରୀ ପିଲାଗୁଡ଼ାକ ପାଟି କରିବାକୁ ଲାଗନ୍ତି । ଟୋନିଓର ସହ୍ୟର ସୀମା ଟପି ଯାଏ । ତଥାପି ଚିତ୍କାର ବଢ଼ି ଚାଲେ, “ବତିଗୁଡ଼ାକ ଛାଡ଼ିଦେ । ବତି ନୁହେଁ, ତୋ ମାଇପ ଉପରେ ନଜର ରଖିବୁ ଯା ।”

 

କ୍ରମେ କ୍ରମେ ଚିତ୍କାର ଅତିଶୟ କଦର୍ଯ୍ୟ ହେବାକୁ ଲାଗେ । ଟୋନିଓ ରାଗରେ ଫୁଲି ଉଠେ । ବଡ଼ରାସ୍ତା ଛାଡ଼ି ପଛ ପଟର ଗୋଟିଏ ବୁଲାଣିଆ ସଂକୀର୍ଣ୍ଣ ଗଳି ଭିତରେ ସେ ପଶିଯାଏ । ତଥାପି ଭିଡ଼ର ହାତରୁ ତ୍ରାହି ନାହିଁ । ନ ଶୁଣିବାର ଛଳନା କରି, ଟୋନିଓ ବତି ଖୁଣ୍ଟରେ ସିଡ଼ିଟା ଲଗାଇ ଚଢ଼ି ଯାଏ । କିନ୍ତୁ ଚିତ୍କାରର ସ୍ରୋତ କ୍ରମେ ବଢ଼ୁ ଥାଏ “କିଏରେ ତୋ ମାଇପର ପୀରତି ନାଗର କିଏରେ ? ଶାନ୍ତ ଓ ଭଗ୍ନ ମନରେ ବ୍ୟତିବ୍ୟସ୍ତ ହୋଇ ଟୋନିଓ ଆଶା କରୁଥାଏ, ହୁଏତ ଲୋକମାନେ ଚାଲିଯିବେ । ଲୋକେ ତ ଚାଲି ଯାଆନ୍ତି ନାହିଁ, ବରଂ ତାହାର ସିଡ଼ିଟା ବତି ଖୁଣ୍ଟରୁ କାଢ଼ି ନିଅନ୍ତି । ତ୍ରିଶଙ୍କୁ ପରି ଶୂନ୍ୟରେ ଝୁଲୁ ଝୁଲୁ ଟୋନିଓ ପବନରେ ଗୋଡ଼ ଛାଟୁଥାଏ ।

 

ଟୋନିଓ ଆଖିରେ ଲୁହ ଭରିଯାଏ । କଅଣ ଚାହାନ୍ତି ସେମାନେ ? ତାହାର ଘରୋଇ ବ୍ୟାପାରରେ ସେମାନଙ୍କର ମଥା ଖେଳାଇବା କି ଦରକାର ? ସେମାନେ କଅଣ ଚାହାନ୍ତି, ଯେତେବେଳେ ଆଜି ରାତିରେ ଯଥେଷ୍ଟ ତେଲ ନ ଥିବା ହେତୁ ସେ ବତି ଲଗାଇ ପାରିବ ନାହିଁ, ସେତେବେଳେ ସେ ଖୁନୀ ହେଉ ? ଏହା ହିଁ ଯଦି ସେମାନେ ଚାହାନ୍ତି, ଯଦି ସେମାନେ ମନେ କରନ୍ତି ଯେ ଯେଉଁ କାମ ସେ କେବେହେଲେ କରି ନାହିଁ ତାହାକରୁ, ତାହାହେଲେ ଭଲ, ସେମାନେ ତାହାର ସିଡ଼ିଟା ନେଇ ଆସନ୍ତୁ । ବତି ଜଳାଳୀ ଟୋନିଓ ଦେଖାଇ ଦେବ, କିପରି ଭାବରେ ତାହାର ସ୍ତ୍ରୀ ଓ ତା ପ୍ରେମିକର ମଥାଟା ଦୁଇ ଫାଳ କରି ଦେବାକୁ ହୁଏ ।

 

ତିନି ଚାରିଜଣ ଲୋକ ସିଡ଼ିଟା ଆଣି ତା ଗୋଡ଼ ପାଖରେ ଲଗାଇ ଦେଲେ । ପ୍ରତିହିଂସାରେ ତାହାର ଆଖି ଦୁଇଟା ଜଳୁଥିଲା । ଶୀଘ୍ର ଶୀଘ୍ର ଓହ୍ଲାଇ ପଡ଼ି ଟୋନିଓ ନିଜର ଘର ଆଡ଼କୁ ଚାଲିଲା ।

 

“ରେ ଅଥେଲୋ, ତୋ ପାଖରେ ବଡ଼ ଛୁରୀଟା ଅଛି ତ ?’’ ଭିଡ଼ ଭିତରୁ କିଏ ଜଣେ ଥଟା କରି କହିଲା ।

 

“ହଁ, ନିଶ୍ଚୟ ଅଛି, ଏହି ଯେ,” ପକେଟରେ ଥିବା ଗୋଟାଏ ବିରାଟ ଶିକାରୀ ଛୁରୀ ବାହାର କରି ଟୋନିଓ ସେମାନଙ୍କୁ ଦେଖାଇଲା ।

 

“ଆରେ ! ଏଥିରେ ଯେ ଗୋଟାଏ ବଡ଼ ଷଣ୍ଢ ଜବାଇ କରାଯାଇ ପାରେ !”

 

“ହଁ ରେ, ଦୁଇଟାକୁ ସାବାଡ଼ କରିବୁ ତ ?”

 

“ହଁ, ଘୁଷୁରୀ ଛୁଆ ପରି ଦୁଇଟାକୁ ।”

 

ଅନ୍ଧକାର ସରୁ ଗଳି ଭିତରେ ଭିଡ଼ର ଆଗେ ଆଗେ ଟୋନିଓ ଶ୍ରାନ୍ତ ଭାବରେ ଦୌଡ଼ିବାକୁ ଲାଗେ ।

 

“ଆରେ ଚାନ୍ଦ, ସତରେ ତାଙ୍କୁ ସାବାଡ଼ କରିବୁ ?”

 

ସହସା ଟୋନିଓ ରହି ଯାଇ ବୁଲିପଡ଼ି ଜଣେ ଲୋକର ହାତ ଚାପି ଧରି କହେ, “ମୋତେ ବିଦ୍ରୂପ କରୁଛ ! ତୁମେ ସବୁ ମୋତେ କଅଣ ମନେ କରି ପାରିଲ କି ? ଟୋନିଓର କଥାର କଅଣ ମୂଲ୍ୟ ନାହିଁ ? ଡରି ଯାଉଛ କି ! ଟୋନିଓ ଭୀରୁ ନୁହେଁ । ସମସ୍ତେ ଆସି ଦେଖି ଯାଅ, କିପରି ଭାବରେ ନିମକ ହାରାମ ସ୍ତ୍ରୀର ଓ ତା ନାଗରର ମଥା ଦୁଇଟା ମୁଁ ଦୁଇ ଫାଳ କରି ଦେଉଛି ।”

 

ଲୋକଟିକୁ ଜୋରରେ ଝୁଙ୍କାଇ ଦେଇ, ସେ ପୁଣି ନିଜ ଘର ଆଡ଼କୁ ଦୌଡ଼ିବାକୁ ଲାଗିଲା । ଭିଡ଼ ଭିତରେ ଅନେକ ଲୋକ ତା କଥାରେ ଭୀତି ଓ ଅସ୍ୱସ୍ତି ବୋଧ କରି ପାଦେ ଦୁଇ ପାଦ ପଛକୁ ହଟି ଯାଇ ପଳାଇ ଯିବାକୁ ଲାଗିଲେ । ଖୁନ୍ ଦେଖିବା ପାଇଁ ନୁହେଁ, ସତରେ ଗୋଟାଏ ଅଘଟନ ଯେମିତି ନ ଘଟୁ ତାହା ଦେଖିବା ପାଇଁ ଚାରି ଜଣ ଲୋକ ଓ ଦୁଇଟା ବଜାରୀ ଟୋକା ତାହାର ଘର ଯାଏ ତା ପଛେ ପଛେ ଚାଲିଲେ ।

 

ତା ଘରର ଦୁଆର ମୁହଁରେ ପହଞ୍ଚିବା କ୍ଷଣି, ସେମାନେ ତାହାର ହାତ ଧରି ମଦ ଭୋଜିରେ ଯୋଗ ଦେବା ପାଇଁ ତାହାକୁ ଟଣାଟଣି କରିବାକୁ ଲାଗିଲେ । ହିଂସ୍ର ରାଗରେ ଜର୍ଜରିତ ହୋଇ, ଟୋନିଓ ନିଜକୁ ସେମାନଙ୍କ ହାତରୁ ଛଡ଼ାଇ ନେଇ, ଛୁରୀ ଉଞ୍ଚାଇ ସେମାନଙ୍କୁ ଭୟ ଦେଖାଇ, ଦୁଆରରେ ଧକ୍କା ମାରୁ ମାରୁ ରଡ଼ି ଛାଡ଼ିବାକୁ ଲାଗିଲା, “ଖୋଲ, ଦୁଆର ଖୋଲ୍ ! ଛିଣ୍ଡାଳ ମାଇକିନା, ଆଜି ତୋର ଫଇସଲା କରିବି।”

 

ଲୋକମାନେ ବୃଥାରେ ତାହାକୁ ଶାନ୍ତ କରିବାକୁ ଚେଷ୍ଟା କଲେ ।

 

କିନ୍ତୁ ଟୋନିଓ ଚିତ୍କାର କଲା, “ଛାଡ଼ିଦିଅ, ଛାଡ଼ିଦିଅ ମୋତେ, ନ ହେଲେ ତୁମକୁ ସବୁ ଖୁନ୍ କରିଦେବି ।”

 

ଭୟରେ ସେମାନେ ତା ଠାରୁ ଘୁଞ୍ଚିଯାଇ ଠିଆ ହେଲେ । ପକେଟରୁ ଚାବି ବାହାର କରି, ଦୁଆର ଖୋଲି ମୁହୂର୍ତ୍ତକ ଭିତରେ ଘର ଭିତରକୁ ପଶିଯାଇ ଟୋନିଓ ସଶବ୍ଦରେ କବାଟ କିଳିଦେଲା-। ଲୋକମାନେ ଜଣକ ଉପରେ ଜଣେ ପଡ଼ିଯାଇ ସାହାଯ୍ୟ ପାଇଁ ଚିତ୍କାର କଲେ-। ଭିତରୁ ଅଶ୍ରୁ ସଜଳ କ୍ରନ୍ଦନର ଆଭାସ ଆସିଲା ।

 

ଅର୍ଦ୍ଧ-ନଗ୍ନ ସ୍ତ୍ରୀର କେଶ ଧରି, ଟୋନିଓ ଧକ୍କା ମାରି ତାହାକୁ ତଳେ ପକାଇ ଦେଲା । ହାତର ଛୁରୀ ଘୂରାଉ ଘୂରାଉ ସେ ଚିତ୍କାର କଲା, “ଖୁନ୍, ଖୁନ୍ କରିବି ।” ଖଟ ତଳେ, ଆଲମାରୀ ପଛରେ, ରୋଷେଇ ଘରେ, ଘରଦ୍ଵାରା ଚାରିଆଡ଼େ ଖୋଜୁଁ ଖୋଜୁଁ ସେ ଗର୍ଜନ କରୁଥାଏ, “କହ, କେଉଁଠି ଲୁଚାଇ ରଖିଛୁ ତାହାକୁ ।”

 

“ତୁମେ ପାଗଳ ହେଲ ନା କଅଣ ? ନା ମଦ ଖାଇ ମାତାଲ ହୋଇ ଆସିଛ ?”

 

ରାସ୍ତାରେ ଭିଡ଼ ଜମି ଗଲାଣି । ଏଠାରେ ସେଠାରେ ଝରକା ଖୋଲା ହେବାକୁ ଲାଗିଲା-। ପ୍ରତ୍ୟେକ ଲୋକର ମୁହଁରେ ଏକା କଥା, “ଆରେ, ସତରେ ଖୁନ୍ କରିବ ନା କଅଣ ? ଘଟନା କଅଣ ?”

 

ଦୁଆରେ ଲାଠି ବାଜେ, ଧକ୍କା ବସେ, ଜୋରରେ ଠେଲା ବି ହୁଏ ।

 

ଟୋନିଓ ପୁଣି ତାହାର ସ୍ତ୍ରୀକୁ ଧରି ଆଣି କହେ, “କହ, କେଉଁଠି ସେ ! ଆଜି ତୋର ଦିନେ କି ମୋର ଦିନେ । ରକ୍ତ ! ମୋର ଆଜି ରକ୍ତ ଲୋଡ଼ା !”

 

ସେ ଜାଣେ ନାହିଁ ଏହା ପରେ ଆଉ କେଉଁଠି ଖୋଜିବାକୁ ହେବ । କୋଇଲା ଧୂଆଁରେ କଳା ପଡ଼ି ଯାଇଥିବା ଓ କବାଟ ବନ୍ଦ ହୋଇଥିବା ରୋଷାଇ ଘରର ଗୋଟାଏ ଝରକା ଉପରେ ହଠାତ୍ ତାହାର ନଜର ପଡ଼ିଗଲା ।

 

ଟୋନିଓ ଆଦେଶ କଲା, “ଗୋଟାଏ ଚୌକି ଆଣି ଝରକାଟା ଖୋଲ୍‍ତ ।” ତାହାର ସ୍ତ୍ରୀ ଇତସ୍ତତଃ କଲା । ତେଣୁ ସେ କହିଲା, “ଅଚ୍ଛା, ମୁଁ ଖୋଲି ଦେଉଛି ।”

 

ଗୋଟାଏ ଟୁଲ ଉପରେ ଠିଆ ହୋଇ ଟୋନିଓ ଝରକାଟା ଖୋଲି ଦେଲା I ତତ୍‍କ୍ଷଣାତ୍‍ ସେ ଭୟରେ ପଛକୁ ହଟି ଆସିଲା, ବିସ୍ମୟରେ ତାହାର ଆଖି ଯାଇ କପାଳରେ ଉଠିଲା, ମଥାରେ ଠିଆ ହୋଇଥିବା ବାଳଗୁଡ଼ାକୁ ସେ ହାତରେ ମୁଠାଇ ଧରିଲା ଏବଂ ତାହାର ଶୀଥିଳ ମୁଠାରୁ ଛୁରୀଟା ତଳେ ଖସି ପଡ଼ିଲା ।

 

ସେହିଠାରେ ପ୍ରାୟ ଶୂନ୍ୟରେ ଦୋଦୁଲ୍ୟମାନ ଅବସ୍ଥାରେ କାଉଣ୍ଟ ବିସି ଝୁଲୁଛନ୍ତି I “ହେ ମହାମାନ୍ୟ...ସେଠାରେ...ସେହି କାନ୍ଥର ଆଲୋକ ମାର୍ଗରେ ରସିରେ ଝୁଲୁଛନ୍ତି କାହିଁକି... ଆପଣ କଅଣ ନିଜକୁ ଖୁନ୍ କରିବେ...ମୋ କାନ୍ଧ ଉପରେ ଗୋଟାଏ ପାଦ ରଖନ୍ତୁ...ସମ୍ଭାଳି ରଖନ୍ତୁ... ଦେଖିବେ ଯେମିତି ଛିଟିକି ନ ପଡ଼ନ୍ତି I”

 

ସ୍ତ୍ରୀ ଆଡ଼କୁ ବୁଲି ପଡ଼ି ସଶବ୍ଦରେ ତା ଗାଲରେ ଗୋଟାଏ ଥାପଡ଼ ବସାଇ, ଟୋନିଓ ଗର୍ଜନ କରି କହିଲା, “ଖୁନ୍ ହେବାରୁ ବଞ୍ଚାଇବା ପାଇଁ କଅଣ ତୁ ମହାମାନ୍ୟଙ୍କୁ ସେହି ଝରକା ଉପରେ ଲୁଚାଇବାର କଳ୍ପନା କରିଛୁ ? ତାଙ୍କୁ ଲୁଚାଇବା ପାଇଁ ଗୋଟାଏ ପରିଷ୍କାର ଜାଗା ପାଇଲୁ ନାହିଁ ଲୋ ଛତରଖାଇ ଯାଆ ? ଶୀଘ୍ର ବୁରୁସ ନେଇଆ, ମହାମାନ୍ୟଙ୍କ କୋଟ୍‍ରୁ ଧୂଳି ଝାଡ଼ି ଦିଏ । ତୁ ଦେଖି ପାରୁ ନାହୁଁ, କାନ୍ଥର ସେହି ଆଲମାରୀଟା, ଯେଉଁଥିରେ ମଣିଷ ବେକ ନ ଭାଙ୍ଗି ମଥା ଗୁଞ୍ଜି ପାରେ ନାହିଁ, ସେଟା ଛଡ଼ା ମୁଁ ସବୁ ଖୋଜି ଦେଖିଲିଣି I ମାଇକିନାଗୁଡ଼ାକ କଅଣ ଏମିତି ଗଧ-?”

 

“ଦେଖେଁ, ମଇଳାଗୁଡ଼ାକ ସଫା କରି ଦିଏଁ I ମୁଁ କେମିତି ଜାଣିବି ଯେ ଆପଣ ଏଠି ଥିଲେ ? ଭାବି ପାରିଲି ନାହିଁ ଯେ ସେହି ଝରକା ଉପରେ ଆଲୋକ—ମାର୍ଗରେ ଆପଣ ନିଜକୁ ଲୁଚାଇବାକୁ ବସିଛନ୍ତି ? ଦୁଆର ମୁହଁରେ ରୁଣ୍ଡ ହୋଇଥିବା ଲୋକଗୁଡ଼ାଙ୍କୁ ଶାନ୍ତ କରି ଫେରି ନ ଆସିବା ଯାଏ, ଆପଣ ଦୟା କରି ସେହି କାନ୍ଥ ଆଲମାରୀଟାରେ ପଶି ରହି ଥାଆନ୍ତୁ I ସେମାନଙ୍କର ଚିତ୍କାର ଶୁଣି ପାରୁଛନ୍ତି ତ ? ହେ ମହାମାନ୍ୟ, ସେମାନେ ଆପଣଙ୍କୁ ଏଠାରେ ଦେଖିଲେ ଯେ ଆପଣଙ୍କର ସର୍ବନାଶ ହେବ... ଯାହା ଘଟିଛି, ସେଥିପାଇଁ ମୁଁ ଅବଶ୍ୟ ଦୁଃଖିତ I କିନ୍ତୁ ମୁଁ ବା କଅଣ କରିପାରେ ? ନିଜର ଇଚ୍ଛା ବିରୁଦ୍ଧରେ କେତେଗୁଡ଼ାଏ କର୍ତ୍ତବ୍ୟ ଯେ କରିବାକୁ ହୁଏ I କେତୋଟି ମୁହୂର୍ତ୍ତ ମାତ୍ର—ମୁଁ ସେମାନଙ୍କ ଶୀଘ୍ର ଶାନ୍ତ କରି ଚାଲି ଆସୁଛି ।”

 

କାଉଣ୍ଟଙ୍କୁ କାନ୍ଥର ଆଲମାରୀ ଭିତରେ ବନ୍ଦ କରି ଦେଇ, ଶୋଇବା ଘରର ଝରକା କତିରେ ଯେଉଁଠି ଲୋକମାନେ ହଲ୍ଲା ପାଟିଗୋଳ କରୁଥିଲେ, ଟୋନିଓ ସେଠାକୁ ଧାଇଁ ଆସିଲା ।

 

“ତୁମେ ସବୁ ନିପଟ ଗଧ I ତୁମ୍ଭେମାନେ କଅଣ ଭାବିଥିଲ ଯେ ସତରେ ଏଠାରେ କେହି ଖୁନ୍ ହେବାକୁ ଯାଉଛି ? ମୋର ଘରେ ଆଉ କେହି ନାହିଁ I ଖାଲି ମୋର ସ୍ତ୍ରୀ ଏକା ଥିଲା । ଏକ୍ଷଣି ମୁଁ ଓ ମୋର ସ୍ତ୍ରୀ ଏଠାରେ ଅଛୁଁ I ମୋ କଥାରେ ଯଦି ବିଶ୍ୱାସ ନ ହୁଏ, ତାହା ହେଲେ ଆସ, ତୁମେ ସବୁ ସ୍ଵଚକ୍ଷୁରେ ଭିତରକୁ ଆସି ଦେଖିଯାଅ ।”

☆☆☆

 

ନାଚଘର

 

ବୃଦ୍ଧା ହେଲେ ସୁଦ୍ଧା ଶ୍ରୀମତୀ ଲିଙ୍ଗଙ୍କ ଚେହେରାରେ ସ୍ନିଗ୍ଧ ସୌମ୍ୟ ପ୍ରଶାନ୍ତି ବିରାଜୁଥିଲା-। ସାଙ୍ଘାଇର ଗୋଟିଏ ପୁରୁଣା ପଲ୍ଲୀରେ ତାଙ୍କର ନିବାସ । ସେ ଦିନ ଯେତେବେଳେ ତାଙ୍କର କେତେ ଜଣ ବାନ୍ଧବୀ ତାହାଙ୍କ ଘରକୁ ଆସି ନିରୋଳାରେ ତାହାଙ୍କୁ ଜଣାଇଲେ ଯେ ତାହାଙ୍କ ସ୍ୱାମୀ ନିଜକୁ ଲୋକ—ଚକ୍ଷୁରେ କିପରି ହେୟ ପ୍ରତିପାଦନ କରୁଛନ୍ତି, ସେତେବେଳେ ସେ ଏହି କଥା ଉପରେ ସେତେ ଗୁରୁତ୍ୱ ଆରୋପ କରି ପାରି ନ ଥିଲେ । ସେ ମନେ କରିଥିଲେ, ଏ ବ୍ୟାପାର ବେଶୀ ଦିନ ଚାଲିବ ନାହିଁ, କାରଣ ତାହାଙ୍କ ସ୍ୱାମୀଙ୍କ ପରି ଜଣେ ଗଣ୍ୟମାନ୍ୟ ବ୍ୟକ୍ତିଙ୍କର ଜ୍ଞାନ ବୃଦ୍ଧି ଖୁବ୍ ଶୀଘ୍ର ଫେରି ଆସିବ । ତାହା ଛଡ଼ା ସେ ବି ଖୁବ୍ ଭଲ କରି ବୁଝି ପାରନ୍ତି ଯେ ତାଙ୍କର ବୟସ ଯଥେଷ୍ଟ ହୋଇଛି ଏବଂ ତାହାଙ୍କ ପୁଅ ଝିଅ ତାଙ୍କର ସମସ୍ତ କାର୍ଯ୍ୟ କଳାପ ଉପରେ ନଜର ରଖିଛନ୍ତି । ସୁତରାଂ ଏ ବୃଦ୍ଧ ବୟସରେ ଯଦି କିଛି ଅସ୍ୱାଭାବିକ କାର୍ଯ୍ୟ କରିବାର ତାହାଙ୍କୁ ସେମାନେ ଦେଖନ୍ତି, ତାହାହେଲେ ପରୋକ୍ଷରେ ସେମାନେ ତାଙ୍କୁ ହେୟ ଜ୍ଞାନ କରିବେ-। ପ୍ରବୀଣମାନଙ୍କର ଶିଥିଳ ସଂଯମର ଦଉଡ଼ି ଟାଣି ଧରିବା ଲାଗି ଅର୍ବାଚୀନର ଉପହାସ-ବିଦ୍ରୃପ ପରି ଧାରୁଆ ଅସ୍ତ୍ର ଆଉ କିଛି ନାହିଁ । ତାହା ଛଡ଼ା ଖୁବ୍ ବେଶୀ କିଛି ଘଟିଲେ, ଯୁବତୀ ଉପପତ୍ନୀର ଆବିର୍ଭାବ ନିକଟବର୍ତ୍ତୀ ହେବ । ଯେତେବେଳେ ଏହା ପରେ ତାଙ୍କର ସ୍ୱାମୀ ରାତି ରାତି ଧରି ବାହାରେ ବିତାଇବାକୁ ଲାଗିଲେ, ସେତେବେଳେ ସେ ଖାଲି ଦୀର୍ଘ ଶ୍ଵାସ ଛାଡ଼ିବାକୁ ଲାଗିଲେ ଏବଂ ମନେ ମନେ ସ୍ୱାମୀଙ୍କର ଉପପତ୍ନୀ ଗ୍ରହଣର କଥାଟା ବାରମ୍ବାର ସ୍ମରଣ କରିବାକୁ ଲାଗିଲେ-। ତାଙ୍କର ଭାବନାରେ ଅନ୍ତ ରହିଲା ନାହିଁ । ମାନ୍ତ୍ର ସେ ଆଶା କରୁଥିଲେ, ବୃଦ୍ଧଙ୍କର ଏହି ତରୁଣୀ ରତ୍ନଟି ଆଧୁନିକ ଶିକ୍ଷିତା ଲଘୁଚିତ୍ତା ଝିଅମାନଙ୍କ ଭିତରୁ କେହି ନ ହୋଇ ସୁଶ୍ରୀ ସରଳା ନିରଭିମାନା ଅଶିକ୍ଷିତା କୌଣସି କୁମାରୀ ହେଲେ ସେ ବଞ୍ଚି ଯାଆନ୍ତେ ।

 

ଆଉ ଦିନେ । ସେହି କଥା ବସି ଚିନ୍ତା କରୁଥିଲେ । ତାଙ୍କର ପାଞ୍ଚ ଜଣ ବାନ୍ଧବୀ ଆସି ହଠାତ୍ ପହଞ୍ଚିଗଲେ । ଚାହା ପର୍ବ ଶେଷ ହୁଅନ୍ତେ, ସେମାନେ ନିର୍ଜନ ଗୋପନ ଆଲୋଚନାରେ ମଗ୍ନ ହେଲେ । ସେ ଏଥର ବେଶ୍ ତଳେଇ କରି ବ୍ୟାପାରଟି ବୁଝି ପାରିଲେ । ବୟସୋଚିତ ଧରଣ ଧାରଣ ଚାଲି ଚଳନର ରୀତି ନୀତି ଅନୁଯାୟୀ, ତାହା ହିଁ ଘଟୁଛି । ଜଘନ୍ୟତମ ଅନାଚାରର କବଳରେ ସେ ପଡ଼ିଛନ୍ତି । ସେ ଯାତାୟାତ କରିବାକୁ ଆରମ୍ଭ କରିଛନ୍ତି ସେହି ବିଦେଶୀ ନାଚଘରଗୁଡ଼ିକୁ, ଯେଉଁଠି ଘୂରି ବୁଲୁଛନ୍ତି ଦଳ ଦଳ ହୋଇ ସେହି ଆଧୁନିକା ଝିଅଗୁଡ଼ାକ—ଶ୍ଵେତାଙ୍ଗୀ ନାରୀ—ଚୀନ, ରୁଷିଆ ଓ ଫରାସୀ ଦେଶର ଝିଅସବୁ । ସେମାନେ ଖୁବ୍ ସାଙ୍ଘାତିକ, କାରଣ ସେମାନେ ଆଧୁନିକା । ତାହା ଛଡ଼ା ବୁନିୟାଦି ଶାନ୍ତିମୟ ସଂସାରଗୁଡ଼ିକୁ ଭାଙ୍ଗି ଦେବା ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ।

 

କଥାଟା ଶୁଣି ସାରି ଶ୍ରୀମତୀ ଲିଙ୍ଗ୍ ସମସ୍ତଙ୍କ ମୁହଁ ଆଡ଼କୁ ଥରେ ଚାହିଁଲେ । ସମସ୍ତଙ୍କ ଆଖିରେ ଯେମିତି କାତରତା ଓ ସହାନୁଭୂତି ଭରି ଯାଉଥିଲା ! କେହି ତାହାଙ୍କୁ ଦୋଷ ଦେଲେ ନାହିଁ-। ସେମାନେ ସମସ୍ତେ ଜାଣନ୍ତି ତାହାଙ୍କ ଗୃହିଣୀ ପଣ କଥା । ସେମାନେ ଜାଣନ୍ତି, କି ସୁନ୍ଦର ଭାବରେ ସେ ତାଙ୍କର ବୃହତ୍ ସଂସାରଟିକୁ ସୂଚାରୁ ରୂପେ ପରିଚାଳନା କରୁଛନ୍ତି । କ୍ରୀତଦାସ ଓ ଚାକର ଚାକରଣୀମାନେ ତାହାଙ୍କ ଉପରେ ସମସ୍ତେ ଖୁସି । ବୋହୂମାନେ ବି ତାଙ୍କର ଆଜ୍ଞାକୁ କରଯୋଡ଼ା ହୋଇ ରହିଛନ୍ତି । ସ୍ୱାମୀ ମଧ୍ୟ୍ୟ ତାହାଙ୍କୁ ଶ୍ରଦ୍ଧା କରନ୍ତି । ଦିନେ ହେଲେ ସେ ତାହାଙ୍କୁ କଟୁ କଥା କହି ନାହାନ୍ତି, କାରଣ ସେ ଯେଉଁ ପାଞ୍ଚୋଟି ପୁନ୍ତ୍ରଙ୍କୁ ଗର୍ଭରେ ଧାରଣ କରିଥିଲେ ସେମାନେ ସମସ୍ତେ ଜୀବିତ ଅଛନ୍ତି । ଯେଉଁ ତିନୋଟି ସନ୍ତାନ ସେ ହରାଇଛନ୍ତି, ଭାଗ୍ୟକୁ ସେମାନେ ସମସ୍ତେ ହେଉଛନ୍ତି ଝିଅ । ସୁତରାଂ କେଉଁ ଦିଗରୁ ହେଲେ ତାଙ୍କର କୌଣସି ଦୋଷତ୍ରୁଟି ଘଟି ନାହିଁ-। ତଥାପି ତାଙ୍କର ଏହି ଭାଗ୍ୟ-ବିପର୍ଯ୍ୟୟ—ଆଶ୍ଚର୍ଯ୍ୟ !

 

ଦ୍ୱିତୀୟ ଦିନ ବି ସେ ଏ କଥା ବିଶ୍ୱାସ କରିବାକୁ ପ୍ରସ୍ତୁତ ହେଲେ ନାହିଁ । ସେ ଖାଲି ଦୃଢ଼ ସ୍ୱରରେ କହିଲେ—ଏ କଥା ମୋର ବିଶ୍ୱାସ ହେଉ ନାହିଁ । ତାହାହେଲେ ସେ ନିଶ୍ଚୟ ମୋତେ କିଛି କହି ଥାଆନ୍ତେ । ପିଲାଛୁଆଙ୍କ ଭଳି ବକର୍ ବକର୍ ହେବା ଯାହାଙ୍କର ସ୍ୱଭାବ, ସେ ଏହିସବୁ ଅପରିଚିତ ଅଖ୍ୟାତ ଜାଗାରେ ଘୂରି ବୁଲୁଥିଲେ ଏବଂ ଅଜବ ଘଟଣାସବୁ ଦେଖୁଥିଲେ, ନିଶ୍ଚୟ ସେ ସବୁ କଥା ତାଙ୍କର ତୁଣ୍ଡରୁ ବାହାରି ପଡ଼ୁ ଥାଆନ୍ତା । ମାନି ନେଲି, ହୁଏତ ଝିଅମାନଙ୍କ କଥାଟା ସେ ଚାପି ରଖି ପାରିଲେ, କିନ୍ତୁ ସେହି ସବୁ ବିଦେଶୀ ଦୃଶ୍ୟ ଓ କାଣ୍ଡ କାରଖାନା କଥା ତ ସେ କୌଣସି ମତେ ଲୁଚାଇ ପାରନ୍ତେ ନାହିଁ I”

 

ସୁତରାଂ ଏହା ପରେ ଶ୍ରୀମତୀ ଲିଙ୍ଗଙ୍କର ସତ କଥାଟା କହିବା ଛଡ଼ା ଆଉ ଉପାୟ କଅଣ ଅଛି ! ବୃଦ୍ଧା ଶ୍ରମତୀ ଉ ବଡ଼ ରୁମାଲ ଖଣ୍ଡିକ ବାହାର କରି ସେଥିରେ ଯତ୍ନ ସହକାରେ ଆଖି ପୋଛି କହିଲେ—“ମୋର ମଝିଆଁ ପୁଅର ସାନ ପୁଅଟି ଭାରୀ ଦୁଷ୍ଟ ଓ ବଦ୍‍ମିଜାଜୀ । ତାହାରି ଲାଗି ଆମ ଘରେ ଶାନ୍ତି ନାହିଁ । ଏହି ମାସ ତେର ତାରିଖରେ ସେ ବୋଧହୁଏ ଯେଉଁ ନାଚ ଘରେ ରୁଷିଆର ଝିଅମାନେ ନାଚନ୍ତି ସେଠାକୁ ଯାଇଥିଲା । ସେ ତ ନିଜର ଆଖି ଦୁଇଟାକୁ ଆଦୌ ବିଶ୍ଵାସ କରି ପାରିଲା ନାହିଁ । କିନ୍ତୁ ସେ ସେଠି ଶ୍ରୀଯୁକ୍ତ ଲିଙ୍ଗଙ୍କର ପରି ଜଣେ ବ୍ୟକ୍ତିଙ୍କୁ ନାଚଘରେ ଘୂରି ବୁଲୁଥିବାରୁ, ମାନେ ଯାହାକୁ କହନ୍ତି ନାଚ କରୁଥିବାର ଦେଖିଲା । ଆଉ ତାଙ୍କର ବାହୁ ବନ୍ଧନରେ ରହିଥିଲା ତରୁଣୀଟିଏ ।”

 

ଶ୍ରୀମତୀ ଲିଙ୍ଗ୍ ପଚାରିଲେ—‘‘କେଉଁ ଦେଶର ଝିଅ ?”

 

ଶ୍ରୀମତୀ ଉ ଗମ୍ଭୀର ଭାବରେ ଜବାବ ଦେଲେ—‘‘ତାହା ପଚାରିବାକୁ ମୋର ସାହସ ହେଲା ନାହିଁ । ତେବେ ଆଜିକାଲିକା ଯୁଗରେ ଝିଅଟି ନିଶ୍ଚୟ କେଉଁ ବିଦେଶର ହୋଇଥିବ I”

 

ଏଥର ଆରମ୍ଭ କଲେ ଶ୍ରୀମତୀ ଲି—‘‘ପହରି ଦିନ ରାତିର କଥା । ମୋର ଜଣେ ସାଙ୍ଗର ସ୍ଵାମୀ, ଯେ ଶ୍ରୀଯୁକ୍ତ ଲିଙ୍ଗଙ୍କର ବର୍ତ୍ତମାନ ଗତିବିଧି ଯୋଗୁଁ ନିନ୍ଦାରେ ପଞ୍ଚମୁଖ, ଶ୍ରୀଯୁକ୍ତ ଲିଙ୍ଗଙ୍କର ଦେଖିବାକୁ ପାଇଲେ ଜଣେ ସ୍ତ୍ରୀ ଲୋକ ସହିତ ସେହି ବଡ଼ ରାସ୍ତା କଡ଼ରେ ଫରାସୀ ଝିଅଙ୍କ ନାଚଘରେ । ଝିଅଟି ଅବଶ୍ୟ ବିଦେଶିନୀ ଏବଂ ତାହାର ଦେହ ବଲ୍ଲରୀ ଶ୍ରୀଯୁକ୍ତ ଲିଙ୍ଗଙ୍କର ସହିତ ଜଡ଼ିତ ହୋଇଥିଲା । ମୋ ସାଙ୍ଗର ସ୍ଵାମୀ ଜଣକ ବ୍ୟାପାରଟିକୁ ଆଳ କରି ହସ ତାମସାରେ ମସଗୁଲ ହୋଇ ଅତିଶୟ ଅବଜ୍ଞାପୂର୍ଣ୍ଣ ମନ୍ତବ୍ୟ କରି ତାଙ୍କର ସ୍ତ୍ରୀ ଆଗରେ ଜଣାଇଲେ । ସେହି ବିଦେଶିନୀ ଝିଅଟି କୁଆଡ଼େ ଖୁବ୍ ଡେଙ୍ଗୀ ଏବଂ ଶ୍ରୀଯୁକ୍ତ ଲିଙ୍ଗଙ୍କ ସାଙ୍ଗକୁ ଆଦୌ ମାନୁ ନ ଥିଲା ।”

 

ଏହା ପରେ ଉପସ୍ଥିତ ମହିଳାମାନେ ଶ୍ରୀମତୀ ଲିଙ୍ଗଙ୍କ ଆଡ଼ୁ ମୁହଁ ଫେରାଇ ଚୁପ୍ ହୋଇ ବସି ରହିଲେ । କିଛି କ୍ଷଣ ପରେ ସେମାନେ ବିଦାୟ ନେଲେ, କାରଣ ଯେଉଁ ଉଦ୍ଦେଶ୍ୟରେ ସେମାନଙ୍କର ଆଗମନ ତାହା ତ ପୂରଣ ହୋଇଗଲା । ରାତିରେ ବିଛଣାରେ ଶୋଇ ରହି ଶ୍ରୀମତୀ ଲିଙ୍ଗଙ୍କ ନିଦ ଆସିଲା ନାହିଁ । ଘଣ୍ଟା ପରେ ଘଣ୍ଟା ତାଙ୍କର ବିନିଦ୍ର ଭାବରେ କଟି ଯିବାକୁ ଲାଗିଲା । ଅନେକ ରାତିରେ ଶ୍ରୀଯୁକ୍ତ ଲିଙ୍ଗ୍ ଯେତେବେଳେ କିଞ୍ଚିତ ଅପ୍ରକୃତିସ୍ଥ ଅବସ୍ଥାରେ ଫେରିଲେ, ସେତେବେଳେ ସେ ତାହାଙ୍କୁ କିଛି କଥା ପଚାରିଲେ ନାହିଁ । ସ୍ଵାମୀ ଶୋଇ ପଡ଼ିଲେ । ସେ ନଇଁ ପଡ଼ି ଗନ୍ଧ ଶୁଘିଂଲେ । ବିଦେଶୀ ମଦର ଗନ୍ଧ I ଏ ଗନ୍ଧ ସମ୍ପୂର୍ଣ୍ଣ ଭାବରେ ତାଙ୍କର ଅପରିଚିତ I ତାହା ହେଲେ ଦେଖା ଯାଉଛି, କଥାଟା ଆଦୌ ମିଛ ନୁହେଁ । କଅଣ କରିବେ ଠିକ୍ କରୁ କରୁ ତାଙ୍କର ରାତିଟା ଉଜାଗରରେ କଟିଗଲା । ତହିଁ ପର ଦିନ ରାତିରେ ଶ୍ରୀଯୁକ୍ତ ଲିଙ୍ଗ୍ ସାଜ ପୋଷାକ ହୋଇ ସାରି ବାହାରିବା ବେଳେ କହିଲେ—“କେତେ ଜଣ ବନ୍ଧୁଙ୍କ ସାଙ୍ଗରେ ମୁଁ ନାଟକ ଦେଖିବାକୁ ଯାଉଛି-।”

 

ସେତେବେଳେ ତାଙ୍କର ସ୍ତ୍ରୀ ବି ଧୀର ଗଳାରେ ଉତ୍ତର ଦେଲେ—‘‘ଶୁଣିଲି, ତୁମେ କୁଆଡ଼େ ବିଦେଶୀ ନାଟକ ଦେଖିବାକୁ ଯାଅ । ଅନେକ ଦିନରୁ ମୋର ବି ଇଚ୍ଛା ଅଛି, ତୁମ ସାଙ୍ଗରେ ଯାଇ ଟିକିଏ ଦେଖି ଆସନ୍ତି । ମୋତେ ଟିକିଏ ଆଜି ତୁମେ ସାଙ୍ଗରେ ନେଇ ଚାଲ । ’’

 

ଏହା ଶୁଣି ଶ୍ରୀଯୁକ୍ତ ଲିଙ୍ଗ୍ ହଡ଼ବଡ଼େଇ I ଗଲେ । ଭ୍ରୂକୁଞ୍ଚିତ କରି ଓ ଆଖି ଡିମାଡିମା କରି ସେ କହିଲେ—“ତୁମକୁ ସେ ସବୁ ଭଲ ଲାଗିବ ନାହିଁ” ।

 

ସ୍ତ୍ରୀ ପଚାରିଲେ—“କାହିଁକି ? ସେଠାକୁ କଅଣ କୌଣସି ସ୍ତ୍ରୀ ଲୋକ ଯାଆନ୍ତି ନାହିଁ ? ଯଦି କେହି ନ ଯାଉଥିବେ, ମୋତେ କ୍ଷମା କର, ମୁଁ ବି ସେଠାକୁ ଯିବି ନାହିଁ ।” ସ୍ଵାମୀ ଏକ ଦୃଷ୍ଟିରେ ତାହାଙ୍କ ଆଡ଼କୁ ଚାହିଁ ରହିଲେ । ସ୍ଵାମୀଙ୍କୁ ତ ସେ ଭଲ ଭାବରେ ଜାଣନ୍ତି । ସେଥିପାଇଁ ସେ ପରିଷ୍କାର ବୁଝି ପାରିଲେ ଯେ ସ୍ଵାମୀଙ୍କ ମନ ଭିତରେ ଗୋଳଘାଣ୍ଟ ହେଉଛି, କାରଣ ତାହାଙ୍କ ପାଖରେ ମିଛ କଥା କହିବାଟା ନିରାପଦ ହେବ କି ନା । ତେଣୁ ସେ ନୀରୀହ ଭାବରେ କହିଲେ–“ଶୁଣି ପାରୁଛି, ବିଦେଶୀ ନାଚଘରେ ସ୍ତ୍ରୀ ପୁରୁଷ କୁଆଡ଼େ ଛୋଟ ଛୋଟ ପୁଅ ଝିଅଙ୍କ ପରି ମିଳାମିଶା କରନ୍ତି ।” ସ୍ଵାମୀ ଦେଖିଲେ, ବାଜେ କଥା କହି କିଛି ଫଳ ହେବ ନାହିଁ । ତେଣୁ ଗଳା ପରିଷ୍କାର କରି, ହସର ଛଳନା କରି ସେ କହିଲେ—“ହେଉ, ଚାଲ ମୋ ସାଙ୍ଗରେ । ମୁଁ ଖୁବ୍ ଖୁସି ହେବି ।”

 

ଅତଏବ ସେ ସ୍ଵାମୀଙ୍କ ସାଙ୍ଗରେ ମଟରରେ ବସି ଚାଲିଲେ । ନାଚଘରେ ପହଞ୍ଚି ସେ ସ୍ଵାମୀଙ୍କ ପଛେ ପଛେ ଯାଇ ଆସନ ଗ୍ରହଣ କଲେ । ଚାରିଆଡ଼କୁ ଆଖି ବୁଲାଇ ସେ ଦେଖିଲେ, ତାଙ୍କର ସମବୟସୀ କୌଣସି ମହିଳା ସେଠାରେ ନାହାନ୍ତି । ଅନ୍ୟ ଯେଉଁ ସ୍ତ୍ରୀ ଲୋକମାନେ ଅଛନ୍ତି, ସେମାନଙ୍କର ସୀମାରେଖା ଠିକ୍ କରି ହେବ ନାହିଁ । ସେମାନେ ସମସ୍ତେ ତରୁଣୀ, ଯୁବତୀ । ସମସ୍ତେ ସୁନ୍ଦରୀ । ଯଦିଚ ସେମାନେ ବିଭିନ୍ନ ଜାତୀୟ ଏବଂ ବିଭିନ୍ନ ବିଚିତ୍ର ରଙ୍ଗର ପୋଷାକ ପରିହିତ, ତଥାପି ସେମାନଙ୍କ ଭିତରେ ଅଦ୍ଭୁତ ସାଦୃଶ୍ୟ ରହିଛି । ସେମାନଙ୍କର ସମସ୍ତଙ୍କ ଆଖିରେ ଅବିକଳ ଏକ ପ୍ରକାର ଦୃଷ୍ଟି, ଯେମିତି ସମସ୍ତେ ଏକା ସାଙ୍ଗରେ ମିଶି ଏହି ଦୃଷ୍ଟିଟି ଅଭ୍ୟାସ କରିଛନ୍ତି–ଅତିରିକ୍ତ କୃତ୍ରିମ ଉତ୍ସୁକ ମନଭୁଲାଣିଆ, ଅନାବଶ୍ୟକ ଭାବରେ ପ୍ରଗଲ୍‍ଭ ଓ ଲାଳସାମୟ ସେହି ଦୃଷ୍ଟି । ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରତି ତାଙ୍କର ମନ ବିରୂପ ହୋଇଗଲା । କିନ୍ତୁ ସେ ସ୍ଵାମୀଙ୍କୁ ମଧୁର ହସ ହସି ଖାଲି କହିଲେ—“ଯାଅ, ତୁମ ସାଥୀମାନଙ୍କୁ ବାଛିନିଅ । ମୁଁ ବରଂ ଏଠାରେ ବସି ଚାହା ପାନ କରୁଛି ଏବଂ ତୁମର ନାଚଗୀତ ଦେଖୁଛି । ମୋତେ ଭାରୀ ଭଲ ଲାଗିବ ।”

 

ସୁତରାଂ ତାଙ୍କର ସ୍ଵାମୀ ବିହ୍ୱଳ ମୁହଁ-ଆଖିରେ ସରଳ ଅଥଚ ସନ୍ଦିଗ୍ଧ ଚାହାଣୀ ଧରି ଆଗେଇ ଗଲେ ।

 

ପ୍ରଥମେ ଶ୍ରୀଯୁକ୍ତ ଲିଙ୍ଗ୍ ବେଶ୍ ସଂଭ୍ରାନ୍ତ ଶିଷ୍ଟ ନାଚ ଆରମ୍ଭ କଲେ । ମଝିରେ ମଝିରେ ସେ ତାଙ୍କର ସ୍ତ୍ରୀଙ୍କ ଆଡ଼କୁ ଅନାଉଥିଲେ । ନୃତ୍ୟରତ ଅବସ୍ଥାରେ ମଝିରେ ଥରେ ସ୍ତ୍ରୀଙ୍କ ପାଖକୁ ଆସି ସେ କହିଲେ—“ବୁଝି ପାରୁଛ ତ, ଏଟା ବେଶ୍ ଚମତ୍କାର ବ୍ୟାୟାମର କାମ କରେ । ମୋ ପରି ଯେଉଁମାନେ ଅନାବଶ୍ୟକ ଭାବରେ ମୋଟା ହୋଇ ପଡ଼ି ଥାଆନ୍ତି, ସେମାନଙ୍କ ପକ୍ଷରେ ଏହାର ପ୍ରୟୋଜନୀୟତା ଯଥେଷ୍ଟ ବେଶୀ ।”

 

ଶ୍ରୀମତୀ ଲିଙ୍ଗ୍ ତାଙ୍କର ମନର ମେଘକୁ ପ୍ରଶାନ୍ତ ହସରେ ଢାଙ୍କି ପକାଇ ମଧୁର ଗଳାରେ କହିଲେ—“ବାଃ, ଶରୀର-ଚର୍ଚ୍ଚାର ଗୋଟାଏ ବେଶ୍ ସୁନ୍ଦର ଉପାୟ ତ । ତା’ହା ହେଲେ ରହିଗଲ କାହିଁକି ? ମୋତେ ତ ଖୁବ୍ ଭଲ ଲାଗୁଛି ।”

 

କଥାଟାର ଅର୍ଥ ଢଳେଇ କରି ବୁଝି ନ ପାରି ଶ୍ରୀଯୁକ୍ତ ଲିଙ୍ଗ୍ ପୁଣି ନାଚର ଆସ୍ଥାନକୁ ଫେରିଗଲେ । ଦ୍ୱିତୀର ଥର ନାଚିବା ବେଳେ ସେ ବେହୋସ ଭାବରେ ମଦ ପାନ କଲେ । ସ୍ମୃତି ପଥରୁ ତାଙ୍କର ଅପସରିଗଲା ନିଜ ସ୍ତ୍ରୀର କଥା । ତା ପରେ ଶ୍ରୀମତୀ ଲିଙ୍ଗ୍ କୁତ୍ସିତ ଦୃଶ୍ୟ ଦେଖିଲେ–ତାଙ୍କର ପ୍ରେମାସ୍ପଦ ସ୍ୱାମୀରତ୍ନ, ସାଂଘାଇ ସହରର ଅନ୍ୟତମ ଧନୀ ଓ ରେଶମ ବ୍ୟବସାୟୀ ସଂଭ୍ରାନ୍ତ ବ୍ୟକ୍ତି ଜଣକ ବିକୃତ-ରୁଚି ନାରୀମାନଙ୍କ ସହିତ ଅତ୍ୟନ୍ତ ଦୃଷ୍ଟି କଟୂ ଓ ଅପ୍ରକୃତିସ୍ଥ ଭାବରେ ପାଦ ଟାଣି ଟାଣି ନୃତ୍ୟରେ ବିଭୋର । କିନ୍ତୁ ଶୀଘ୍ର ତାଙ୍କର ରାଗ ଥମିଗଲା। ଗଭୀର ହତାଶରେ ସେ ନିସ୍ତେଜ ହୋଇ ପଡ଼ିଲେ । କାନ୍ଥ ଆଡ଼କୁ ପିଠି କରି ନିଷ୍କମ୍ପ ନିଃସଙ୍ଗ ହୋଇ ସେ ସିଧା ଭାବରେ ବସି ରହିଲେ । ତାଙ୍କର କୁଞ୍ଚିତ ମୁଖ ଉପରେ ଆଲୁଅ ପଡ଼ିଥିଲା, ଆଉ ତାଙ୍କର ଆୟତ ନୟନ କୋଣରେ ଅଶ୍ରୁ ବିନ୍ଦୁ ଉଜ୍ଜ୍ଵଳ ହୋଇ ଉଠୁଥିଲା । ସେ ସଗର୍ବରେ ଆଖି ଦୁଇଟି ବିସ୍ଫାରିତ କରି ରଖିଲେ । ଅଶ୍ରୁ ବିନ୍ଦୁ ପୋଛିଦେବା ପାଇଁ ତାଙ୍କର ଭ୍ରୂକ୍ଷେପ ନ ଥିଲା । ଧୀରେ ଧୀରେ ଅଶ୍ରୁ ଜମି ଜମି ଗାଲ ଦେଇ ବହି ପଡ଼ିଲା, ଗଡ଼ି ପଡ଼ିଲା ତାଙ୍କର ବ୍ରୋକେଡ଼ ଓ ସାଟିନ ପୋଷାକ ଉପରେ ଏବଂ ତା ପରେ ବଡ଼ ବଡ଼ ଠୋପା ଆକାରରେ ଧୂଳି ବାଲି ପରିପୂର୍ଣ୍ଣ ଚଟାଣ ବକ୍ଷରେ ଆଶ୍ରୟ ପାଇଲା । ସ୍ୱାମୀଙ୍କ ଆଡ଼କୁ ଅପଲକ ଦୃଷ୍ଟିରେ ସେ ଅନାଇ ରହିଥିଲେ—ବଦନ ମଣ୍ଡଳରେ ସୌମ୍ୟ, ଔଦାର୍ଯ୍ୟ ଏବଂ ନୟନ ଯୁଗଳ ଅଶ୍ରୁ ପରିପ୍ଲୁତ । ସେତେବେଳକୁ ଶ୍ରୀଯୁକ୍ତ ଲିଙ୍ଗଙ୍କ ବାହୁ ବନ୍ଧନରେ ଗୋଟିଏ ଝିଅ—ଛୋଟ କିଶୋରୀ ବାଳିକା, ଗୋଲାପୀ ଆଭାମୟ ସପ୍ରତିଭ ତାହାର ମୁଖଟି, ଆଖି ଦୁଇଟି ତାହାର ଉଜ୍ଜ୍ଵଳ କଳା । ଗାଢ଼ ଲାଲ ରଙ୍ଗର ସାଟିନ୍ ପୋଷାକ ପରିହିତ ଦେହଟିର ଅନେକ ଅଂଶ ଅନାବୃତ ! ତାଙ୍କର ସ୍ୱାମୀଙ୍କ ମୁହଁ ଆଖିରେ ଦୁର୍ବଳ କମ୍ପିତ ଆବେଗଭରା ମୋହଗ୍ରସ୍ତ ଭାବ । ଏ ଭାବ ତାହାଙ୍କୁ ଅଜଣା ନୁହେଁ । ଏହି ମୋହର ଜଡ଼ତା ନିଜକୁ ହଜାଇଦେବାର ଏକ ସୂଚନା । କାହିଁକି, ସେ ବି ଯେତେବେଳେ ଏହି ବୟସର ତନ୍ଵୀ ତରୁଣୀ ଥିଲେ, ସେ ନିଜେ ତ କେତେ ଥର ସ୍ୱାମୀଙ୍କର ଏହି ମୋହ—ବିହ୍ଵଳତାର ସୁଯୋଗ ନେଇଛନ୍ତି—ସେଇ ସେ ଥର ଯୋଡ଼ାଏ କାନ ଫୁଲ କିଣି ଦେବାକୁ ଅଳି କରିବା ବେଳେ, ଏମିତି ଆହୁରି କେତେ ଥର । ଏକାନ୍ତ ପ୍ରୟୋଜନରେ ତ ସେ ନିଜେ ବି ଏଇ ଛଳନାମୟୀ ଝିଅଟି ପରି କାମନା ଓ ପ୍ରଲୋଭନର ଫାନ୍ଦ ପାତି ପାରି ନାହାନ୍ତି ।

 

ବର୍ତ୍ତମାନ ସେମାନେ ଦୁହେଁ ଠିକ୍ ତାଙ୍କରି ସାମନାରେ । ଶ୍ରୀଯୁକ୍ତ ଲିଙ୍ଗ୍ ତାହାଙ୍କୁ ଦେଖି ବି ପାରିଲେ ନାହିଁ । ଝିଅଟି ବି ତାଙ୍କର ସ୍ଵାମୀଙ୍କ ଆଡ଼କୁ ଚାହିଁ ମୁଚକି ମୁଚକି ହସୁଛି—ସେହି ହସ ଦୁର୍ଜ୍ଞେୟ, ଅବଜ୍ଞାସୂଚକ ଅଥଚ ପ୍ରତିଦାନର ପ୍ରତିଶ୍ରୁତିମୟ । ଶ୍ରୀମତୀ ଲିଙ୍ଗ୍ ନିଜକୁ ଭୁଲିଗଲେ । ସେ ଚଟ୍ କରି ଆସନରୁ ଉଠି ପଡ଼ିଲେ, ସେ ଦୁହିଁଙ୍କ ଆଡ଼କୁ ଅନାଇ ରହିଲେ ଏବଂ ହଠାତ୍ ହାତ ଦୁଇଟିରେ ଦୃଢ଼ ଭାବରେ ମୁହଁ ଢାଙ୍କି କାନ୍ଦଣାରେ ଭାଙ୍ଗି ପଡ଼ିଲେ । ତଥାପି ତାହାଙ୍କ ସ୍ୱାମୀଙ୍କ ଦୃଷ୍ଟି ତାହାଙ୍କ ଆଡ଼େ ପଡ଼ିଲା ନାହିଁ । କିନ୍ତୁ ଝିଅଟି ଏଥର ତାହାଙ୍କୁ ଦେଖି ପାରିଲା । ନିମୀଳିତ ଦୃଷ୍ଟିରେ ସେ ଶ୍ରୀମତୀ ଲିଙ୍ଗଙ୍କ ଆଖି ଆଡ଼କୁ ଅନାଇଲା ଏବଂ ତତ୍‍କ୍ଷଣାତ୍‍ ତାହାର କ୍ଷୀଣ ବାହୁ ଦୁଇଟି ମେଦ ବହୁଳ ବୃଦ୍ଧଙ୍କ ଦେହରୁ ଖସି ଆସିଲା । ଝିଅଟି ତାହାଙ୍କୁ କହିଲା—“ଆପଣ ଚୁପ୍ ହୋଇ ବସନ୍ତୁ, ଆପଣଙ୍କର ଶରୀର ବୋଧହୁଏ ଭଲ ନାହିଁ । “ଶ୍ରୀମତୀ ଲିଙ୍ଗଙ୍କ ପାଖକୁ ଆସି ସେ ପଚାରିଲା—“ଆପଣଙ୍କର କଅଣ ହୋଇଛି ? ଆଉ ମୁଁ ବା ଆପଣଙ୍କୁ କିପରି ଭାବରେ ସାହାଯ୍ୟ କରିପାରେ କହନ୍ତୁ ? ତାହା ଛଡ଼ା, ଆପଣ ବା ଏଠାକୁ କାହିଁକି ଆସିଛନ୍ତି ?”

 

କ୍ଷୀଣ କମ୍ପିତ କଣ୍ଠରେ ଶ୍ରୀମତୀ ଲିଙ୍ଗ୍ ଜବାବ ଦେଲେ—“ସେ ମୋର ସ୍ୱାମୀ । ମୁଁ ଭିକ୍ଷା କରୁଛି, ତୁମେ ତାହାଙ୍କୁ ଛାଡ଼ିଦିଅ । ସେ ମୋର ସ୍ୱାମୀ ।”

 

ଝିଅଟି ଅବାକ୍‍ ହୋଇ ବିସ୍ମୟରେ ପଛକୁ ଫେରି ପଡ଼ିଲା । ସେତେବେଳକୁ ଶ୍ରୀଯୁକ୍ତ ଲିଙ୍ଗ୍ ସେଠାରେ ଆସି କପାଳ କୁଞ୍ଚିତ କରି ଠିଆ ହୋଇ ଥାଆନ୍ତି । ଝିଅଟି ତାହାଙ୍କୁ କହିଲା–“ତୁମେ ଯାଅ, ମୁଁ ତୁମ ସ୍ତ୍ରୀଙ୍କ ସହିତ ପଦେ ଦି ପଦ କଥା ହେବି ।”

 

ତା ପରେ ସେହି ପ୍ରଶସ୍ତ ନାଚ ଘର ମଝିରେ ଶ୍ରୀମତୀ ଲିଙ୍ଗ୍ ଯେମିତି ଆପଣାର ଅଜ୍ଞାତ ସାରରେ ହତ ଚେତନ ହୋଇ ନିଜ ମନର ଗୋପନ କଥାଟି ଅଜାଡ଼ି ଦେଲେ—ଯେତେ କିଛି ଆଶଙ୍କା, ନୈରାଶ୍ୟ ଓ ବେଦନାର କାହାଣୀ—ଏହି ଝିଅଟି ଆଗରେ, ଯାହାକୁ ସେ ଏତେବେଳ ଯାଏ ମନ ପ୍ରାଣରେ ଘୃଣା କରୁଥିଲେ । ଏକ୍ଷଣି ତାଙ୍କର ମନେ ହେଲା, ଏଠାକୁ ଆସିବାଟା ତାଙ୍କର ଆଦୌ ଉଚିତ ହୋଇ ନାହିଁ । ଏଠାରେ ତାଙ୍କର କୌଣସି ସ୍ଥାନ ନାହିଁ । ଏକ୍ଷଣି ଆଉ କେଉଁଠି ବି ତାଙ୍କର ସ୍ଥାନ ନାହିଁ । ତାଙ୍କର ସେ ବୟସ ନାହିଁ, ସେହି ଲୀଲା-ଚପଳତା ନାହିଁ, କି ମନ ଭୁଲାଇବା ଓ ଚାଞ୍ଚଲ୍ୟ ସୃଷ୍ଟି କରିବାର ସେ ଅସ୍ତ୍ର ନାହିଁ । ସେ ଶୁଣିବାକୁ ପାଇଲେ ସ୍ୱାମୀଙ୍କର ଉଚ୍ଛ୍ୱସିତ ହସ—ଅର୍ଥହୀନ ଓ ଅପ୍ରତିଭ ସେ ହସ । ସ୍ୱାମୀ କଥା କହିଲେ ।

 

“ଆଃ ! ଏ ସବୁ କଣ ହେଉଛି !”

 

କିନ୍ତୁ ଝିଅଟି କଥା ମଝିରେ ବାଧା ଦେଲା, ଯେମିତି ତାହାର କଣ୍ଠସ୍ୱରର ରୁକ୍ଷତା ତାଙ୍କର ସ୍ୱାମୀଙ୍କୁ ଆଘାତ ଦେବାକୁ ଚାହେ—“ଏ କିଏ ମୁଁ ଜାଣେ । ଏ ତୁମର ପରିଣୀତା ସ୍ତ୍ରୀ ତ । ତୁମେ ହେଉଛ ଜଣେ ସ୍ଥୂଳାକାର ବେହିୟା ବୁଢ଼ା । ଯାଅ ତାହାଙ୍କ ସାଙ୍ଗରେ, ଘରକୁ ଫେରି ଯାଅ, ଫେରିଯାଅ ନିଜର ସଂସାରକୁ । ତୁମର କଅଣ ଏହି ଧାରଣା ହୋଇଛି ଯେ ମୁଁ ତୁମକୁ ଭଲ ପାଏଁ ? ତୁମକୁ କିଏ ଭଲ ପାଇ ପାରିବ କହ ଦେଖି ? ଏହି ମେଦ ସର୍ବତ୍ୱ ତ ତୁମର ଚେହେରା, ଏଥିରେ ଏହି ବିବାହିତା ସ୍ତ୍ରୀ ଛଡ଼ା ତୁମକୁ ଆଉ କିହି ଭଲ ପାଇ ପାରିବ ନାହିଁ, ଏଟା ନିଶ୍ଚୟ ମନେ ରଖିବ–ଏ ତୁମକୁ ଭଲ ପାଆନ୍ତି । ଦିନେ ତୁମେ କଅଣ ଥିଲ, ସେ କଥା ଏହାଙ୍କର ପରିଷ୍କାର ମନେ ଅଛି-। ଆଉ ମୋର ତ ସେ ଭଳି କୌଣସି ମଧୁର ସ୍ମୃତି ସହିତ ପରିଚୟ ନାହିଁ । ମୁଁ ବର୍ତ୍ତମାନ ତୁମକୁ ଯେପରି ଭାବରେ ଦେଖୁଛି, ତୁମେ ବରାବର ମୋ ନିକଟରେ ସେୟା ରହିଥିବ—ସାମାନ୍ୟ ଜଣେ ମେଦ ବହୁଳ ବୃଦ୍ଧ ଲୋକ, ହାସ୍ୟକର ଭାବରେ ଜଣେ ମୋଟା ବୁଢ଼ା—ଖୁବ୍ ପଇସା ପତ୍ର ଅଛି, କିନ୍ତୁ ତା ସାଙ୍ଗରେ ଅଛି ମେଦର କୁଜ, ମୋଟା ଆଉ ବୁଢ଼ା, ବୁଢ଼ା ଆଉ ମୋଟା ।”

 

ତା ପରେ ଗଲାର ସ୍ୱର କମାଇ ନରମ କଣ୍ଠରେ ଆଦର କରି ଝିଅଟି ଏଥର ଶ୍ରୀମତୀ ଲିଙ୍ଗଙ୍କ ଆଡ଼କୁ ନଇଁପଡ଼ି କହିଲା—“ମୁଁ ତ ତାହାଙ୍କୁ ଚାହେନା । ମୁଁ ଚାହିଥିଲି ତାଙ୍କର ଟଙ୍କା, ତାଙ୍କର ଧନ ଦୌଲତ, ଏ କଥା ମୁଁ ଅତି ଅକପଟରେ ଆପଣଙ୍କୁ କହୁଛି । କାହିଁକି ନା ମୋତେ ତ କୌଣସି ଉପାୟରେ ନିଜର ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ହେବ—ଏହି ତ ମୋର ଉପଜୀବିକା ଓ ପେଶା । କିନ୍ତୁ ତାହା ବୋଲି ଆଉ ଜଣେ ସ୍ତ୍ରୀଲୋକ ଠାରୁ ଛଡ଼ାଇ ନେଇ ମୁଁ ରୋଜଗାର କରିବାକୁ ଚାହେ ନା—ବିଶେଷତଃ ଆପଣଙ୍କ ଭଳି ଜଣେ ପ୍ରବୀଣ ବୃଦ୍ଧା ନାରୀର ସମ୍ବଳ କାଢ଼ି ନେଇ, ଆପଣଙ୍କ ଭଳି ସୁଗୃହିଣୀ ଓ ସତ୍ ପ୍ରକୃତିର ବର୍ଷୀୟସୀ ମହିଳାଙ୍କ ଠାରୁ ତାଙ୍କର ଧନ ଅପହରଣ କରି ।”

 

ଏତିକିବେଳେ ଜଣେ ଯୁବକ ଝିଅଟି ପାଖକୁ ଚାଲିଆସି, ତାହାକୁ ଦୁର୍ବୋଧ ଭାଷାରେ ଡାକିଲା । ଯୁବକଟି ବେଶ୍ ଲମ୍ବା ଓ ତାହାର ଯୌବନ ଶ୍ରୀମୟ । ସେ ଝିଅଟିକୁ ବିଲାସୀ ନୃତ୍ୟ-ବିଭୋଳ ଜନାରଣ୍ୟ ମଝିକୁ ଟାଣି ନେଇଗଲା । ଅତଏବ ସେଠାରେ ଖାଲି ରହିଗଲେ ସେ ଦୁହେଁ–ସ୍ୱାମୀ, ସ୍ତ୍ରୀ । ସ୍ଵାମୀଙ୍କର ଅବସ୍ଥା କଥା ସ୍ମରଣ କରି ଶ୍ରୀମତୀ ଲିଙ୍ଗ୍ ହଠାତ୍ ଡରିଗଲେ । ସ୍ଵାମୀଙ୍କ ତୁଣ୍ଡରୁ ପଦେ କଥା ବାହାରୁ ନ ଥିଲା । ସେ ବ୍ୟସ୍ତ ହୋଇ ପଡ଼ିଲେ । ସ୍ଵାମୀଙ୍କର ଏହି ଅପ୍ରସ୍ତୁତ ଭାବ ସେତେବେଳେ ଦୂର କରିବା ପାଇଁ କିଛି କରି ପାରିଲେ ସେ ଯାଇ ବଞ୍ଚିବେ । ସ୍ଵାମୀଙ୍କୁ ଏହା ବୁଝାଇ ଦେଇ ପାରିଲେ ସେ ଖୁସୀ ହୁଅନ୍ତେ ଯେ ସେ ଜଣେ ସମ୍ଭ୍ରାନ୍ତ ଗଣ୍ୟମାନ୍ୟ ପୁରୁଷ, ଗୋଟିଏ ବୃହତ୍ ସଂସାରର ସର୍ବୋମୟ କର୍ତ୍ତା । ଭାବୁଁ ଭାବୁଁ ସେ ନିଜେ ଉଠି ଠିଆ ହେଲେ ।

 

ଶ୍ରୀମତୀ ଲିଙ୍ଗ୍ କହିଲେ—‘‘ଦେହଟା ଭାରୀ କ୍ଳାନ୍ତ ବୋଧ ହେଉଛି । ଘରକୁ ଫେରିଗଲେ ଭଲ ହୁଅନ୍ତା ।”

 

ସ୍ଵାମୀଙ୍କର ପ୍ରଶାନ୍ତ ଉତ୍ତର—‘‘ବେଶ୍ ତ, ଚାଲ, ମୁଁ ବି ସାଙ୍ଗରେ ଯାଉଛି ।”

 

ଦୁହେଁ ନାଚ ଘରୁ ବାହାରି ଆସିଲେ ଏବଂ ନିଜ ଗାଡ଼ିରେ ବସିଲେ । ଗାଡ଼ି ଭିତରେ ବସିବାର କିଛି କ୍ଷଣ ପରେ ସ୍ତ୍ରୀ ଆଡ଼ ନୟନରେ ସ୍ଵାମୀଙ୍କ ଆଡ଼କୁ ଚାହିଁଲେ । ଯାହା ଘଟି ଯାଇଛି, ସେହି ପ୍ରସଙ୍ଗ ଆଉ ସେ କେବେ ଉଠାଇବେ ନାହିଁ ଏବଂ ସେଥିପାଇଁ ତାଙ୍କର ମନରେ କୌଣସି କ୍ଷୋଭ ନାହିଁ, ଏହି କଥାଟି ଯେଉଁ ଭାବରେ ହେଉ ପଛକେ ସେ ଜଣାଇବାକୁ ଚାହାନ୍ତି, ତାଙ୍କର ସ୍ଵାମୀଙ୍କୁ ବୁଝାଇବାକୁ ଚାହାନ୍ତି । ଥରେ କାଶି ସେ ଗଳାଟା ପରିଷ୍କାର କରିନେଲେ ।

 

ସ୍ତ୍ରୀ ହାଲୁକା ସ୍ଵରରେ କହିଲେ—‘‘ଆଜିକାଲିକା ଝିଅମାନେ କିନ୍ତୁ ଖୁବ୍ ଚମତ୍କାର । ତେବେ ଥରେ ମାତ୍ର ଏମାନଙ୍କର ପରିଚୟ ଲାଭ କରିବାର ସୁଯୋଗ ପାଇ ମୁଁ ଖୁବ୍ ଖୁସି ହୋଇଛି-। ଆଜିର ସନ୍ଧ୍ୟାଟା ମୋର ବେଶ୍ ମଜାରେ କଟିଛି ।’’ ମୁହୂର୍ତ୍ତେ ନୀରବ ରହି ସେ ପୁଣି ଆଦର କରି ଗଦ୍ ଗଦ୍ ସ୍ଵରରେ କହିଲେ—‘‘ତୁମର ପାଦ ଦୁଇଟି ନିଶ୍ଚୟ ଖୁବ୍ ଅବସନ୍ନ ହୋଇଛି-। ଘରକୁ ଗଲେ ତୁମର ପାଦରେ ତେଲ ମାଲିସ୍‍ କରିଦେବି । ସେହି ଅସଭ୍ୟ ଅଳ୍ପ ବୟସୀ ଝିଅଟି ସାଙ୍ଗରେ ନାଚିବା ଯୋଗୁଁ ତୁମର ଯଥେଷ୍ଟ ଉଦାରତାର ପରିଚୟ ମିଳିଛି । ଝିଅଟି ବରଂ ତୁମ ସହିତ ଯେଉଁ ଖରାପ ବ୍ୟବହାର କରିଗଲା, ସେଥିରେ ମୋର ଯେମିତି ରାଗ ହୋଇଛି, ସେମିତି କଷ୍ଟ ମଧ୍ୟ ହୋଇଛି ।”

 

ସ୍ତ୍ରୀ ଚୁପ୍ ହେଲେ । ସ୍ଵାମୀ ସଶବ୍ଦରେ ଗଳା ପରିଷ୍କାର କଲେ ।

 

କିଛି କ୍ଷଣ ପରେ ଶ୍ରୀଯୁକ୍ତ ଲିଙ୍ଗ୍ କହିଲେ—‘‘ସତରେ କିନ୍ତୁ ମୁଁ ଯଥେଷ୍ଟ’’

 

ବୁଢ଼ା ଓ ଅଥର୍ବ ହୋଇଯାଇଛି । ମୋର ଆଉ ନାଚିବାର ବୟସ ନାହିଁ । ମୁଁ ହେଲି କାମିକା ଲୋକ । ଅନେକ କାମରେ ମୋତେ ଜଡ଼ିତ ହୋଇ ରହିବାକୁ ପଡ଼େ । ତେଣୁ ମୋର ଏହିସବୁ କଥାରେ ବୁଡ଼ି ରବିବାର ସମୟ ବା କାହିଁ ।

 

ସ୍ତ୍ରୀ ଆବେଗମୟ ଉକ୍ତି କଲେ—‘‘ଠିକ୍ କଥା । ସେହିସବୁ ନାଚଗାନରେ ଯୋଗ ଦେବା ଲାଗି ଏତେ ସମୟ ତୁମର କେଉଁଠି ଅଛି ? ତୁମେ ହେଲ ଜଣେ ନାମଜାଦା ଉଲ୍ଲେଖଯୋଗ୍ୟ ବ୍ୟକ୍ତି-।”

 

“ତୁମେ ଯାହା କହିଛ ସତ, ବାସ୍ତବିକ ମୁଁ ସବୁବେଳେ କାମଦାମରେ ବ୍ୟସ୍ତ ଥାଏଁ । କାଲି ମୁଁ—”

 

ସ୍ଵାମୀ ଆହୁରି କେତେ କଥା କହିବାକୁ ଯାଉଥିଲେ । ସେସବୁ କଥାକୁ ସ୍ତ୍ରୀ ଆଉ କାନ ଦେଲେ ନାହିଁ । ମୃଦୁ ମୃଦୁ ହସି ହସି ପଛକୁ ଆଉଜି ପଡ଼ି ଗାଡ଼ି ଭିତରେ ନିଶ୍ଚିନ୍ତ ମନରେ ଶାନ୍ତିରେ ନିଜକୁ ହଜାଇ ଦେଲେ । ଦେହରେ କ୍ଳାନ୍ତି ଓ ଅବସାଦ, ଆଉ ମନରେ ସ୍ଵସ୍ତିର ସୁଖ, ସେହି ଯୁବତୀ ଝିଅଟି, ମନ ଲାଖି ଝିଅଟି—ଆଜିକାଲି ଏହିସବୁ ଝିଅମାନେ ସତରେ ଅତି ଅପୂର୍ବ, ଭାରୀ ଚମତ୍କାର—ବଡ଼ ବିଚିତ୍ର ଏମାନେ !

☆☆☆

 

ମାୟା ବନ

 

ଜଣେ ଚାଷୀ ଥିଲା । ତାହାର ନାମ କୋରା । ଚାଷବାସ କରି କୋରା କିଛି ଟଙ୍କା ସଞ୍ଚୟ କରିଥିଲା । ସେତକ ଟଙ୍କା ଧରି କୋରା ସହରକୁ ଗଲା କ୍ରୀତଦାସ କିଣିବା ଲାଗି ।

 

ଯେଉଁ ବ୍ୟବସାୟୀ କ୍ରୀତଦାସଙ୍କୁ କ୍ରୟ-ବିକ୍ରୟ କରୁଥିଲା, ସେ କୋରାକୁ କେତେ ଜଣ କ୍ରୀତଦାସକୁ ଆଣି ଦେଖାଇଲା । କିନ୍ତୁ ସେମାନଙ୍କ ଭିତରୁ ଜଣକୁ ହେଲେ କୋରାର ପସନ୍ଦ ହେଲା ନାହିଁ ।

 

ବ୍ୟବସାୟୀଟି ଅସନ୍ତୁଷ୍ଟ ହୋଇ କହିଲା “ତାହା ହେଲେ, ଦେଖୁଛି, ଆପଣଙ୍କ ପାଇଁ ସେମାନଙ୍କୁ ସମସ୍ତଙ୍କୁ ଏଠାକୁ ଡାକି ଆଣିବାକୁ ହେବ ।” ସେତେବେଳେ ଧୁମ୍‍ଧୁମିଆ ଦିପହର । କ୍ରୀତଦାସ ସବୁ ନିଦରେ ଘୁଙ୍ଗୁଡ଼ି ମାରୁଥିଲେ ।

 

ଅତି ସହଜ କଣ୍ଠରେ କୋରା କହିଲା, “ମୁଁ ଅନ୍ୟ ବେପାରୀଙ୍କ ପାଖକୁ ଯାଉଛି ।’’

 

“ରୁହନ୍ତୁ ରୁହନ୍ତୁ ଟିକିଏ । ବ୍ୟବସାୟୀଟି ଦଉଡ଼ି ଟାଣି ଦେବାରୁ, କ୍ରୀତଦାସ ସବୁ ଆସି ଧାଡ଼ି ଧାଡ଼ି ଠିଆ ହୋଇଗଲେ । ସେତେବେଳେ ସେମାନଙ୍କ ଆଖିର ନିଦ ପୂରି ରହିଥିଲା । କୋରା ସମସ୍ତଙ୍କୁ ଜଣ ଜଣ କରି ନିଜେ ପରୀକ୍ଷା କରି ଦେଖିବାକୁ ଲାଗିଲା ।

 

ଜଣେ କ୍ରୀତଦାସକୁ ସାମ୍‍ନାକୁ ଠେଲି ଦେଇ ବ୍ୟବସାୟୀ । କହିଲା, “ଦେଖନ୍ତୁ, ଦେଖନ୍ତୁ ତ ମହାଶୟ ଏହାକୁ—ସୁନ୍ଦର ଯୁଆନ । କେମିତିକା ? ମନକୁ ପାଇଲା ତ ? ଛାତିଟା ଦେଖୁଛନ୍ତି ତ-? ଶକ୍ତ ନୁହେଁ ? ଧକ୍କା ଦେଇ ଦେଖନ୍ତୁ । ପରଖି ନିଅନ୍ତୁ । ଏହାର କବଜିଗୁଡ଼ାକ ଦେଖୁଛନ୍ତି, ମହାଶୟ ? ଏହାର ଶିରାସବୁ ଠିକ୍ ବେହେଲାର ତାର ପରି । ଏ, ଆଁ କର ।’’

 

ବ୍ୟବସାୟୀ କ୍ରୀତଦାସର ପାଟି ଭିତରେ ଅଙ୍ଗୁଳି ପୂରାଇଦେଇ ତାହାର ମୁଖଟା ଆଲୁଅ ଆଡ଼କୁ ଘୂରାଇ ଦେଲେ । “ଏଥର ଏହାର—ଦାନ୍ତଗୁଡ଼ାକ ଭଲ କରି ଦେଖି ନିଅନ୍ତୁ ।” ବ୍ୟବସାୟୀଟିର ଏହି କ୍ରୀତଦାସ ପାଇଁ ଗର୍ବ ଖୁବ୍ ବେଶି । କ୍ରୀତଦାସର ଦାନ୍ତ ପାଟି ଉପରେ ଛୁରିର ଓଲଟା ପଟଟା ବ୍ୟବସାୟୀ ଟିକିଏ ଖେଞ୍ଚି ଦେଲା । ‘‘ଦେଖୁଛନ୍ତି ତ ! ଏହି ଦାନ୍ତଗୁଡ଼ାକ ଠିକ୍ ଲୁହା ପରି ଟାଣ । ମନ କଲେ ସେ କଣ୍ଟାସବୁ ଦାନ୍ତରେ କାମୁଡ଼ି ଦି ଖଣ୍ଡ କରି ଦେଇପାରେ ।’’

 

ଇତ୍ୟବସରରେ କୋରା ନିଜେ ବି ଭାବି ଦେଖିଲା । ଟିକିଏ ତାରିଫ୍ କଲା ଭଙ୍ଗୀରେ କୋରା ନିଜେ କ୍ରୀତଦାସର ଦେହରେ ଟିକିଏ ହାତ ବୁଲାଇଦେଲା । ଆଙ୍ଗୁଳିର ଅଗରେ ସେ କ୍ରୀତଦାସର ପେଶୀଗୁଡ଼ିକୁ ଟିପି ଦେଖିଲା, ଖୁବ୍ ଶକ୍ତ ଅଛି କି ନା । ଶେଷରେ ଏହି କ୍ରୀତଦାସଟିକୁ କିଣିବା ଲାଗି କୋରା ମନେ ମନେ ସ୍ଥିର କଲା । ମୁଖ କୁଷୁଣ୍ଡା କରି ସେ ଦାମ୍ ଦେଲା । ବ୍ୟବସାୟୀ କ୍ରୀତଦାସର ହାତକଡ଼ି ଫିଟାଇ ଦେଲା । କୋରା କ୍ରୀତଦାସକୁ ସାଙ୍ଗରେ ଧରି ଘରକୁ ଫେରି ଆସିଲା ।

 

ଇତି ମଧ୍ୟରେ କିଛି ଦିନ ଗଡ଼ିଗଲା । ଦିନେ କ୍ରୀତଦାସଟି ବେମାର ପଡ଼ିଲା । ଦିନକୁ ଦିନ ସେ ରୋଗଣା ହୋଇଯିବାକୁ ଲାଗିଲା । ବର୍ତ୍ତମାନ କ୍ରୀତଦାସଟି ଗୋଟିଏ ସ୍ଥାନରେ ନିଜର ସ୍ଥାୟୀ ଆଶ୍ରୟ ପାଇଥିଲା । ତାହାକୁ ଆଉ ବଜାରରେ ଠିଆ ହେବାକୁ ପଡ଼ିବ ନାହିଁ । ତେଣୁ ବର୍ତ୍ତମାନ ତାହାର ମନଟା ବଣ ପାଇଁ ହାହାକାର କଲା—ସେହି ବଣ ଜଙ୍ଗଲ, ଯେଉଁଠାରୁ ସେ ଦିନେ ଆସିଥିଲା । କ୍ରୀତଦାସରଟିର ଏହି ଉଦାସ ଉତଳା ଭାବ କୋରାକୁ ଭାରି ଭଲ ଲାଗିଲା । ସେ ଖୁବ୍ ଭଲ ଭାବରେ ଏହି ଉପସର୍ଗସବୁ ଜାଣିଥିଲା । ଦିନେ କୋରା ହଠାତ୍ ଦେଖିଲା, କ୍ରୀତଦାସଟି ଭୂଇଁରେ ଚିତ୍ ହୋଇ ଶୋଇଛି । ତାହାର ଜୀବନରେ ଆଉ କୌଣସି ଆସକ୍ତି ନାହିଁ । କ୍ରୀତଦାସର ପାଖରେ ବସି ଭାବୁଁ ଭାବୁଁ କୋରା ଢେର କଥା କହିଗଲା ।

 

“ଡରୁଛୁ କାହିଁକି ? ଆଦୌ ଡର ନା ! ତୁ ତୋ ବଣକୁ ଫେରିଯିବୁ, ନିଶ୍ଚୟ ଫେରିଯିବୁ । ମୁଁ ତୋତେ ଜବାବ୍ ଦେଉଛି । ମୋ କଥା ଉପରେ ତୁ ଭରସା ରଖ । ତୋର ଏକ୍ଷଣି କଞ୍ଚା ବୟସ । ତୋର ବି ଧାରଣା ନାହିଁ, ତୋର ବୟସ ଏକ୍ଷଣି କେତେ । ଯଦି ତୁ ମନ ଲଗାଇ ମୋ କ୍ଷେତରେ ପାଞ୍ଚଟା ବର୍ଷ କାମ କରୁ, ତାହା ହେଲେ ମୁଁ କଥା ଦେଉଛି, ତୋତେ ନିଶ୍ଚୟ ମୁକୁଳାଇ ଦେବି । ତୁ ମୁକ୍ତି ପାଇବୁ । ଯଦିଓ ମୁଁ ତୋତେ ସାରା ଜୀବନ ପାଇଁ କିଣି ଆଣିଛି, ତଥାପି ମୁଁ ତୋତେ ନିଶ୍ଚୟ ମୁକ୍ତ ଦେବି । କିନ୍ତୁ ପାଞ୍ଚୋଟି ବର୍ଷ ତୋତେ ମନ ଲଗାଇ ଖଟିବାକୁ ହେବ । ଠିକ୍ ତ ? ଏହି କଥା ରହିଲା ।”

 

ତହୁଁ କ୍ରୀତଦାସ କାମରେ ଲାଗିଗଲା । ବିଲ—ବାଡ଼ିରେ ଅସୁରଙ୍କ ପରି ହାଡ଼ଭଙ୍ଗା ଖଟଣି । ଦୁଆର ମୁହଁରେ ବସି କୋରା ତାହା ଆଡ଼କୁ ଅନାଇ ରହିଥାଏ । ତାହାକୁ ଖୁବ୍ ଭଲ ଲାଗେ ସେ । ବାଦମି ଚମଡ଼ା ତଳେ କ୍ରୀତଦାସର ପେଶୀଗୁଡ଼ିକ ନାଚୁଥାଏ ଏବଂ କମ୍ପୁଥାଏ । କ୍ରୀତଦାସଟିକୁ ଏହିପରି ଭାବରେ ଖଟିବାର ଦେଖୀ କୋରା ଖୁବ୍ ଖୁସି ହେଉଥିଲା । ଘଣ୍ଟା ଘଣ୍ଟା ଧରି ଦୁଆର ମୁହଁରେ ବସି ରହି ସେ ତାହା ଅନାଇ ରହୁଥିଲା । ତାହାର ଅନ୍ୟ କେଉଁ ଆଡ଼କୁ ମନ ପାଉ ନ ଥିଲା । କୋରା ଅନୁଭବ କରିବାକୁ ଲାଗିଲା ଯେ ଶରୀର ଅତି ଅପୂର୍ବ ବିସ୍ମୟକର, ଏବଂ ଅତୀବ ନୟନାଭିରାମ ।

 

ଏଣେ କ୍ରୀତଦାସ ଗଣୁଥାଏ ପାଞ୍ଚଟା ବର୍ଷ କେବେ ସରିବ । ପାଞ୍ଚଟା ବର୍ଷ—ତାହାର ଗୋଟିଏ ହାତରେ ଯେତେ ଅଙ୍ଗୁଳି ଅଛି ସେତିକି ଅୟନାନ୍ତ ପାର ହୋଇଗଲେ ପାଞ୍ଚଟା ବର୍ଷ ଶେଷ ହୋଇଯିବ । ଏହି ପାଞ୍ଚୋଟି ବର୍ଷ ଭିତରେ ସୂର୍ଯ୍ୟ ଦଶ ଥର ମୁଖ ଘୂରାଇବେ । ତେଣୁ ନିତି ସନ୍ଧ୍ୟା ବେଳେ କ୍ରୀତଦାସ ଆକାଶ ଆଡ଼କୁ ଚାହିଁ ରହିଥାଏ । ସେ ଦେଖେ, ସୂର୍ଯ୍ୟ ବୁଡ଼ି ଯାଉଛନ୍ତି । ପଥର କିମ୍ବା ଗୋଡ଼ିରେ ସେ ଦିନ ଗଣିବାକୁ ଲାଗେ । ଯେଉଁ ଦିନ ସୂର୍ଯ୍ୟଙ୍କର ପ୍ରଥମ ଅୟନାନ୍ତ ହେଲା, ସେହି ଦିନ କ୍ରୀତଦାସର ଡାହାଣ ହାତର ବୁଢ଼ା ଆଙ୍ଗୁଳିଟି ମୁକ୍ତ ହେଲା । ପୁଣି ଗୋଟିଏ ଅୟନାନ୍ତ । କେତେ ଯୁଗ ପରେ ଯେମିତି ସୂର୍ଯ୍ୟ ମୁଖ ଘୂରାଇଲେ । ଏଥର ମୁକ୍ତ ହେଲା ତର୍ଜନୀ । ଆଉ କେତୋଟି ଅଙ୍ଗୁଳି ମୁକ୍ତ ହେଲେ ତାହାର ଦାସତ୍ୱ ଶେଷ ହେବ ।

 

ସେଥିପାଇଁ ଦିନସବୁ ଗଣିବା ହେଲା ସେହି କ୍ରୀତଦାସଟିର ଧର୍ମ । ଏହି ପ୍ରତୀକ୍ଷା ହେଲା ତାହାର ଅନ୍ତରର ସମ୍ପଦ, ତାହାର ଆତ୍ମାର ଐଶ୍ୱର୍ଯ୍ୟ । କେହି ଏହି ସମ୍ପଦ ତାହା ଠାରୁ କାଢ଼ି ନେଇ ପାରିବେ ନାହିଁ । ଏହି ଐଶ୍ୱର୍ଯ୍ୟ ଲାଗି ତାହାର କାହା ସହିତ ବିବାଦ ଲାଗିବ ନାହିଁ ।

 

ସମୟ ଯେତେ ଗଡ଼ିଯିବାକୁ ଲାଗେ, ଗଣନା ସେତେ ବିରାଟତର, ପ୍ରଶସ୍ତତର ଓ ଗଭୀରତର ହେବାକୁ ଲାଗେ । ଅପରିମିତ କଳ୍ପନା ପରି ବର୍ଷ ଶେଷ ହୋଇଯାଏ । କ୍ରୀତଦାସଟି ସମୟର ଏହି ଧାରା କୌଣସି ମତେ ବୁଝି ପାରେ ନାହିଁ । କିନ୍ତୁ ଅସ୍ତମୁଖୀ ସୂର୍ଯ୍ୟଙ୍କର ରକ୍ତିମ ଆଭା ତଳେ ଠିଆ ହୋଇ କ୍ରୀତଦାସ ନିତି ନିଜର ଆଶାକୁ ଉଜ୍ଜୀବିତ କରି ପକାଏ, ଏବଂ ନିତି ତାହାର ବିଶ୍ୱାସ ଉତ୍ସର୍ଗ କରେ । ଯେଉଁ ସମୟ ନିତ୍ୟ ବର୍ତ୍ତମାନ ଭିତରେ ବିଲୁପ୍ତ, ତାହା କ୍ରୀତଦାସ ପକ୍ଷରେ ଅନନ୍ତ ଅସୀମ ବୋଧ ହେଲା । ହୁଏତ ସେହି ସମୟ କିଛି ବିତି ଯାଇଛି । କିନ୍ତୁ ଭବିଷ୍ୟତ ଏକ୍ଷଣି ବହୁତ ଦୂର, ଦୂରାନ୍ତରରେ ।

 

ଏହିପରି ଭାବୁଁ ଭାବୁଁ କ୍ରୀତଦାସର ମନ ଅତ୍ୟନ୍ତ ଗଭୀର ହୋଇଯାଏ । ତାହାର ମୁକ୍ତିର ଆକୁଳତା ଅସୀମକୁ ଆଣି ସମୟର ସୀମାରେ ପହଞ୍ଚାଇ ଦେଲାଣି । ସେଥିପାଇଁ ତାହାର ପୃଥିବୀ ବି ସୀମାହୀନ ହୋଇ ଗଲାଣି, ଚିନ୍ତା ମଧ୍ୟ ଅପରିମିତ ହେଲାଣି । ନିତି ସଞ୍ଜ ବେଳେ କ୍ରୀତଦାସଟି ପଶ୍ଚିମ ଦିଗନ୍ତକୁ ଚାହିଁ ରହେ, ପ୍ରତ୍ୟେକ ସୂର୍ଯ୍ୟାସ୍ତ ତାହାର ଅନ୍ତରରେ ଗଭୀରତା ଦାନ କରେ ।

 

ଅବଶେଷରେ ପାଞ୍ଚୋଟି ବର୍ଷ କଟିଗଲା । (କେତେ ସହଜରେ କଥାଟି କୁହା ନ ଯାଉଛି-!) କ୍ରୀତଦାସ ମାଲିକର ପାଖକୁ ଆସି ମୁକ୍ତି ଭିକ୍ଷା କଲା—ସେ ଏଥର ଜଙ୍ଗଲକୁ ଫେରିଯିବ, ନିଜର ଘରକୁ ।

 

ଚିନ୍ତାକୁଳ ସ୍ୱରରେ କୋରା କହିଲା, “ତୁ ପ୍ରକୃତରେ ମନ ପ୍ରାଣ ଲଗାଇ କାମ କରିଛୁ । ତୋର ଘର କେଉଁଠି, କହ ତ । ତୋର ଘର କଅଣ ପଶ୍ଚିମରେ ? ମୁଁ ଅନେକ ଦିନ ହେଲା ତୋତେ ପଶ୍ଚିମ ଦିଗକୁ ଚାହିଁ ରହିଥିବାର ଦେଖୁଛି ।”

 

ସତରେ, ତାହାର ଘର ସେହି ସୁଦୂର ପଶ୍ଚିମ ଦିଗରେ ।

 

“ତାହା ହେଲେ ସେ ତ ବହୁତ ଦୂର,” କୋରା କହିଲା । କ୍ରୀତଦାସ ମୁଣ୍ଡ ହଲାଇଲା—ବହୁତ ଦୂର । “କିପରି ଯିବୁ ? ତୋ ପାଖରେ କିଛି ପଇସାପତ୍ର ଅଛି ?”

 

କ୍ରୀତଦାସ ବିମର୍ଷ ହେଲା । ସେ ଚୁପ୍ ହୋଇ ରହିଲା । ନା, ସତ କଥା ତ । ତାହା ପାଖରେ ତ କିଛି ପଇସାପତ୍ର ନାହିଁ ।

 

“ଶୁଣ ମୋ କଥା । ହାତରେ ଟଙ୍କା ନ ଥିଲେ ଯେ ତୁ କୁଆଡ଼େ ଯାଇ ଆସି ପାରିବୁ ନାହିଁ-। ଯଦି ତୁ ମୋ ପାଖରେ ଆଉ ତିନି ବର୍ଷ, ନା, ନା, ଆଉ ଦୁଇ ବର୍ଷ କାମ କରୁ, ମୁଁ ତୋତେ କିଛି ଟଙ୍କା ଦେଇ ପାରିବି । ସେହି ଟଙ୍କାରେ ତୋର ବାଟଖର୍ଚ୍ଚ ଚଳିଯିବ ।”

 

କ୍ରୀତଦାସ ମୁଣ୍ଡ ନୁଆଁଇ ଏହି ପ୍ରସ୍ତାବଟି ଗ୍ରହଣ କଲା । ପୁଣି ସେ ଖେତ କାମରେ ଲାଗି ପଡ଼ିଲା । ଏଥର ବି ସେ ମନ ପ୍ରାଣ ଲଗାଇ ପରିଶ୍ରମ କଲା, କିନ୍ତୁ ଏଥର ସେ ଆଉ ପୂର୍ବ ପରି ସମୟ ପାଇଁ ବ୍ୟାକୁଳ ହେଲା ନାହିଁ, କି ଗଣିବାକୁ ବି ଲାଗିଲା ନାହିଁ, ବରଂ ଦେଖାଗଲା କ୍ରିତଦାସ ଏବେ ଦିବା—ସ୍ଵପ୍ନ ରେ ମଗ୍ନ ରହିଲା । କୋରା ଶୁଣିବାକୁ ପାଇଲା, କ୍ରୀତଦାସ ନିଦ୍ରାରେ ଅଚେତନ ହୋଇ ଭୁଲ୍ କଥାସବୁ ଗପୁଛି ଏବଂ କାନ୍ଦୁଛି । କିଛିଦିନ ପରେ ସେ ପୁଣି ବେମାର ପଡ଼ିଲା ।

 

କୋରା କ୍ରୀତଦାସର ପାଖରେ ବସି ଅତ୍ୟନ୍ତ ବ୍ୟାକୁଳ ଆଗ୍ରହ ସହକାରେ ତାହାକୁ ଅନେକ କଥା କହିଗଲା । ତାହାର କଥାଗୁଡ଼ିକ ଅତିଶୟ ବିଚକ୍ଷଣ ବୋଲି ମନେହେଲା I ଜଣାଗଲା, ଯେମିତି ତାହାର ପ୍ରତିକଥାର ପଛରେ ରହିଛି ସତ୍ ଅଭିଜ୍ଞତା ଓ ଜ୍ଞାନ ।

 

ସେ କହିଲା, “ଆଜି ମୁଁ ବୁଢ଼ା ହୋଇ ଗଲିଣି । ଦିନେ ମୋର ଯୌବନ ଥିଲା । ସେ ଦିନ ମୋର ଅନ୍ତର । ସେହି ପଶ୍ଚିମ ପାଇଁ ବ୍ୟାକୁଳ ହେଉଥିଲା । ସେହି ବିଶାଳ ବଣ ଜଙ୍ଗଲ ମୋତେ ହାତଠାରି ଡାକୁଥିଲା; କିନ୍ତୁ ଏତେ ଦୂରକୁ ଯିବା ପାଇଁ ମୋ ପାଖରେ ଯଥେଷ୍ଟ ପଇସାପତ୍ର ନ ଥିଲା-। ଆଜି ମୁଁ କେବେ ହେଲେ ସେଠାକୁ ଯାଇ ପାରିବି ନାହିଁ । ମୁଁ ମରିଗଲେ, ହୁଏତ ମୋର ଆତ୍ମା ସେଠାରେ ଯାଇ ପହଞ୍ଚିବ; କିନ୍ତୁ ମୁଁ ସେଠାକୁ ଆଉ ଯାଇ ପାରିବି ନାହିଁ I ତୋର ଏକ୍ଷଣି ବଳ ବୟସ ଅଛି; ଦେହ ମଜଭୂତ ଅଛି, ପରିଶ୍ରମ ବି କରିପାରୁ I କିନ୍ତୁ ମୋର ବୟସ ବେଳେ ମୁଁ ଯେତେ ଶକ୍ତିଶାଳୀ ଥିଲି, ଯେପରି ଭାବରେ ଖଟି ପାରୁଥିଲି, ତୁ କଅଣ ତାହା କରିପାରିବୁ ? ଏହି ସବୁ କଥା ଟିକିଏ ଭାବି ଚିନ୍ତି ଦେଖ । ବୁଢ଼ାଲୋକର କଥାଗୁଡ଼ାକ ଏକାବେଳେ ହେଟ-ନଜର କର ନା I ଯେମିତି ଦ୍ରୁତ ଆରୋଗ୍ୟ ହେବୁ, ସେଥିପ୍ରତି ବି ଟିକିଏ ଦୃଷ୍ଟି ଦେ । “

 

କ୍ରୀତଦାସ ଅତି ଧୀରେ ଧୀରେ ଆରୋଗ୍ୟ ଲାଭ କଲା । ସେ ପୁଣି ବିଲବାଡ଼ିର କାମରେ ମନ ହେଲା; କିନ୍ତୁ ତାହାର ମନରେ ପୂର୍ବ ପରି ଉତ୍ସାହ ଓ ଉଦ୍ଦୀପନା ନ ଥିଲା । କାମଦାମ ପ୍ରତି ତାହାର ଆକର୍ଷଣ ନ ଥିଲା, କି କୌଣସି ଆକାଂକ୍ଷା ବି ନଥିଲା । ଆଜିକାଲି କାମ କରୁଁ କରୁଁ ମଝିରେ ମଝିରେ ସେ ଟିକିଏ ଶୋଇପଡ଼େ । ଦିନେ କୋରା କ୍ରୀତଦାସକୁ ଚାବୁକରେ ପ୍ରହାର କଲା-। ଚାବୁକ ପ୍ରହାର ପରେ କ୍ରୀତଦାସର ଚୈତନ୍ୟ ଉଦିତ ହେଲା I ସେ କାନ୍ଦିଲା ।

 

ଦୁଇଟି ବର୍ଷ ଏହିପରି ଭାବରେ ଗଡ଼ିଗଲା ।

 

ତା ପରେ କୋରା ସତରେ କ୍ରୀତଦାସକୁ ମୁକ୍ତି ହେଲା । ସେ ପଶ୍ଚିମ ଦିଗକୁ ଯାତ୍ରା କଲା-। କିନ୍ତୁ କେତେ ମାସ ପରେ ଅତି ଦରିଦ୍ର ଅବସ୍ଥାରେ ସେ ଫେରି ଆସିଲା । ସେ ନିଜର ବଣ ଜଙ୍ଗଲ ଖୋଜି ପାଇଲା ନାହିଁ-

 

କୋରା କହିଲା, “ଦେଖିଲୁ ତ ? ମୁଁ ତୋତେ ଆଗରୁ ବାରଣ କରୁଥିଲି ନା । କିନ୍ତୁ ମୁଁ ଏପରି କିଛି କାମ କରିବି ନାହିଁ, ଯେଉଁଥିପାଇଁ କେହି କହି ପାରିବ ଯେ ମୁଁ ତୋ ପ୍ରତି ପ୍ରତି ଦୁର୍ବ୍ୟବହାର କରୁଛି । ଆଉ ଥରେ ଦେଖ । ଏଥର ପୂର୍ବ ଆଡ଼କୁ ଯା । ତୁ ଯେଉଁ ବଣ ଖୋଜୁଛୁ, ହୁଏତ ତାହା ସେହି ପୂର୍ବ ଦିଗରେ ଥିବ । “

 

କ୍ରୀତଦାସ ପୁଣି ଯାତ୍ରା ଆରମ୍ଭ କଲା । ଏଥର ସେ ସୂର୍ଯ୍ୟଦୋୟ ଆଡ଼କୁ ମୁହଁ କରି ଗଲା । ଢେର୍ ଘୂରିବା ପରେ ସେ ଏଥର ନିଜର ବଣ ଖୋଜି ପାଇଲା । କିନ୍ତୁ ସେ ନିଜର ବଣକୁ ଠିକ୍ ଭାବରେ ଚିହ୍ନି ପାରିଲା ନାହିଁ । କ୍ଳାନ୍ତ ଓ ପରାଜିତ ହୋଇ ସେ ପୁଣି ପଶ୍ଚିମ ଆଡ଼କୁ ମୁଁହ ଫେରାଇଲା, ଏବଂ ମାଲିକ ପାଖକୁ ଫେରି ଆସିଲା । ସେ ମାଲିକକୁ ଆସି ଜଣାଇଲା, ଛୋଟ ବଡ଼ ଅନେକ ବଣ-ଜଙ୍ଗଲ ସେ ଖୋଜି ପାଇଲା; କିନ୍ତୁ କେଉଁଟା ହେଲେ ତାହାର ନିଜର ବଣ ନୁହେଁ ।

 

କୋରା କାଶି କାଶି କହିଲା, “ହୁଁ ।”

 

ତାପରେ ଖୁବ୍ ଖୁସି ହୋଇ ସେ କହିଲା, “ଏଥର ମୋ ପାଖରେ ରହ । ମୁଁ ଯେତେ ଦିନ ଯାଏ ବଞ୍ଚିଛି, ଏ ଭୂଇଁରେ ବାସ କଲା ଭଳି ଘର ତୁ ପାଇବୁ । ମୋର ଦେହାନ୍ତ ହୋଇଗଲେ, ମୁଁ ଜାଣେ, ମୋର ପୁଅ ତୋତେ ଦେଖାଶୁଣା କରିବ ।” ତହୁଁ କ୍ରୀତଦାସଟି ପୁଣି କୋରାର ପାଖରେ ରହିଲା ।

 

କୋରା ବୁଢ଼ା ହୋଇଗଲା । କିନ୍ତୁ କ୍ରୀତଦାସର ଅକ୍ଷୁଣ୍ଣ ଯୌବନ । କୋରା ତାହାକୁ ଆଦର ଯତ୍ନ କଲା, ଭଲ ଭାବରେ ଖାଇବା—ପିନ୍ଧିବାକୁ ଦେଲା । କୋରାର ଇଚ୍ଛା, ସେ ଦୀର୍ଘାୟୁ ହେଉ । ତାହାକୁ ସେ ପରିଷ୍କୃତ—ପରିଚ୍ଛନ୍ନ କରି ରଖିଲା, ଯେମିତି ତାହାର ସ୍ୱାସ୍ଥ୍ୟ ବରାବର ଉତ୍ତମ ରହେ । ନିର୍ଦ୍ଦିଷ୍ଟ ସମୟରେ ସେ କ୍ରୀତଦାସକୁ ଚାବୁକ ମାରେ, ଯଦ୍ଦ୍ଵାରା ସେ ବିନୟୀ । ହେବ ଏବଂ ମାନ୍ୟ କରିବାକୁ ଶିଖିବ । କୋରା ତାହାର ବିଶ୍ରାମ ପ୍ରତି ବି ଦୃଷ୍ଟି ଦିଏ । ପ୍ରତି ରବିବାର ତାହାର ଛୁଟି । ଏହି ଛୁଟି ଦିନ ସେ କୁଦ ଉପରେ ଯାଇ ବସେ ଏବଂ ପଶ୍ଚିମ ଆଡ଼କୁ ଅନାଇ ରହେ ।

 

କୋରାର କ୍ଷେତରେ ସୁନେଲି ଫସଲ ଉପୁଜିଲା । ସେ ଜଙ୍ଗଲ କିଣିଲା । କ୍ରୀତଦାସର କାମରେ ଯେମିତି କମାଇ ନ ହୁଏ । ତେଣୁ ସେ ଜଙ୍ଗଲ ସଫା କଲା ଏବଂ ଜମି ଆବାଦ କଲା। କ୍ରୀତଦାସ ବି ମନ ପ୍ରାଣ ଲଗାଇ ଗଛ କାଟିଲା । ବର୍ତ୍ତମାନ କୋରା ପାଖରେ ପ୍ରଚୁର ଟଙ୍କା । ଦିନ କୋରା ବଜାରରୁ ଜଣେ କ୍ରୀତଦାସୀ କିଣି ଆଣିଲା।

 

ଦଶ ବର୍ଷ ବିତିଗଲା । କୋରାର ଘରେ ଏକ୍ଷଣି କ୍ରୀତଦାସ—କ୍ରୀତଦାସୀର ଛଅଟି ବଡ଼ ବଡ଼ ପୁଅ । ବାପ ପରି ସେମାନେ ବି କଠୋର ପରିଶ୍ରମ କରନ୍ତି । କ୍ରୀତଦାସ ସେମାନଙ୍କୁ କହେ, ସେତେବେଳେ ଯାଏ କାମ କରିବ ଯେତେବେଳ ଯାଏ ବେଳ ଗଡ଼ି ନ ଯାଇଛି । ଆମର ସମୟ ଗଡ଼ିଗଲେ ଆମକୁ ଚିରକାଳର ଅରଣ୍ୟକୁ ବୋହି ନେଇଯିବାକୁ ପଡ଼ିବ । ପ୍ରତି ବିଶ୍ରାମ-ଦିନ କ୍ରୀତଦାସ ନିଜର ପୁଅମାନଙ୍କୁ ନେଇ କୁଦ ଉପରେ ଠିଆ ହୁଏ ଏବଂ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦେଖେ । କ୍ରୀତଦାସ ତାହାର ପୁଅମାନଙ୍କ ଅନ୍ତରରେ ଅରଣ୍ୟର ଆଶଙ୍କା ଜଗାଏ ।

 

କୋରା ବୁଢ଼ା ହୋଇଗଲା । ସେ ଏକ୍ଷଣି ଜରାଜୀର୍ଣ୍ଣ । କୋରା ଚିର ଦିନ ହିଁ ବୁଢ଼ା । କିନ୍ତୁ ଏକ୍ଷଣି ସେ ଖାଲି ବୟସ ଛଡ଼ା ଆଉ କିଛି ନୁହେଁ । କୋରାର ଛୁଆପିଲାମାନେ କେବେ ହେଲେ ସ୍ଵାସ୍ଥ୍ୟବାନ ନୁହନ୍ତି; କିନ୍ତୁ ସେମାନେ ନିର୍ଭୟ । ସେମାନଙ୍କର ଜଣେ ଜଣେ କ୍ରୀତଦାସ ଗୋଟାଏ ଗୋଟାଏ ଆଘାତରେ ଶତ୍ରୁକୁ ଧ୍ୱଂସ କରିଦେଇ ପାରନ୍ତି । ଏମାନଙ୍କର ଶରୀର ଖୁବ୍ ଭଲ—ଲୁହା ଭଳି ପେଶୀ, ଶକ୍ତ ଚମଡ଼ା, ବାଘ ପରି ଦାନ୍ତ । କିନ୍ତୁ ସମୟ ଏକ୍ଷଣି ନିରାପଦ । କ୍ରୀତଦାସମାନେ କୋଦାଳରେ ମାଟି ହାଣନ୍ତି ଏବଂ କୁରାଢ଼ିରେ ଗଛ କାଟନ୍ତି ।

☆☆☆

 

ଯାମିନୀ

 

ନଭେମ୍ବର ମାସର ଗୋଟିଏ ରାତି । ସେହି ଦିନ ଟୁବିଙ୍ଗେନ ବିଶ୍ଵବିଦ୍ୟାଳୟ ସହର ଉପରେ ବଜ୍ର-ବିଦ୍ୟୁତ୍ ର ତାଡ଼ନାରେ ଗାଢ଼ କଳା ଆକାଶଟା ପ୍ରବଳ ବେଗରେ ଦୋହଲୁଥିଲା । ଝଡ଼-ବର୍ଷାର କ୍ରମାଗତ ଆକ୍ରମଣରେ ରାସ୍ତା-ଘାଟ ଓ ଗଳି-କନ୍ଦି ସବୁ ଯେମିତି ବିପର୍ଯ୍ୟସ୍ତ ହୋଇ ଯାଇଥିଲା । ପାଣିରେ ଭିଜି ଯାଇଥିବା ଚଲା-ପଥଗୁଡ଼ିକ ଉପରେ ରାସ୍ତାର ମ୍ଳାନ ଆଲୋକ ପ୍ରତିଫଳିତ ହୋଇ ଯେମିତି ଭୟରେ ଥରି ଥରି ଫେରି ଆସୁଥିଲା । ଦୂରରେ ପାହାଡ଼-ଶ୍ରେଣୀର ଗୋଟାଏ ମୁଣ୍ଡିଆ ଉପରେ ଗୋଟିଏ ପ୍ରାଚୀନ ଅଟ୍ଟାଳିକାର ଚୂଡ଼ା ଅନବରତ ମେଘ ଓ କୁହୁଡ଼ିରେ ଖେଳୁଥିଲା । ମଝିରେ ମଝିରେ ଚୂଡ଼ାଟି ଦିଶି ଯାଉଥିଲା, ଏବଂ ମଝିରେ ମଝିରେ ସେଟା ପୁଣି କୁହୁଡ଼ିରେ ଧଳା ହୋଇ ଯାଉଥିଲା । ଦୁଇଟି ଝରକାରେ ଖାଲି ଟିକିଏ ଲାଲ ଆଲୋକର ଆଭା ଛଡ଼ା ସେହି ନିରାଟ ପଥରର ପ୍ରାସାଦରେ ଆଉ କେଉଁଠି ହେଲେ ତିଳେ ମାତ୍ର ପ୍ରାଣର ସ୍ପନ୍ଦନ ନ ଥିଲା । ମନେ ହେଉଥିଲା, ଯେମିତି ଅନ୍ଧକାରର ରହସ୍ୟମୟ ପ୍ରହରୀ ହୋଇ ଗୋଟାଏ ବିଶାଳ ରକ୍ତ-ଚକ୍ଷୁ ରାକ୍ଷସ ତଳେ ବସି ସହରର କୋଠାଗୁଡ଼ିକର ଛାତି ଆଡ଼କୁ ନିର୍ନିମେଷ ନୟନରେ ଚାହିଁ ରହିଥିଲା । ସହରର ନିର୍ଜନ ରାସ୍ତାର ଦୁଇ ପାଖରେ ପତ୍ର-ପୁଷ୍ପହୀନ ଚେଷ୍ଟନାଟ, ଲିଣ୍ଡେନ ଓ ପ୍ଳେନ ଗଛସବୁ ଧାଡ଼ି ଧାଡ଼ି ଠିଆ ହୋଇ ଦଳେ ଶୀର୍ଣ୍ଣ ବୃଦ୍ଧଙ୍କ ଭଳି ରାତିର ହସପାତାଲରେ ମୃତ୍ୟୁର ଭୟରେ ଧକଉଥିଲେ । ଶେଷ ରେଳଗାଡ଼ିଟା ରୟେଟଲିଙ୍ଗେନ୍ ଷ୍ଟେସନ୍ ଛାଡ଼ି ଦେଲାଣି । ଇଞ୍ଜିନିର ତୀବ୍ର ଚିତ୍କାର ଭାରୀ ପବନରେ ଯେମିତି ଅନେକ ବେଳ ଯାଏ ଲାଗି ରହିଥିଲା।

 

ମଝିରେ ମଝିରେ ଝଡ଼ ଟିକିଏ ଥମି ଯାଇଥିଲା । ସେତେବେଳେ ନିକଟସ୍ଥ ନେକାର ନଦୀର ଜଳ-ସ୍ରୋତର ଶବ୍ଦ ସ୍ପଷ୍ଟ ଭାବରେ ଶୁଭୁଥିଲା । ଯେମିତି କେଉଁମାନେ ନିଃଶବ୍ଦ ବିଷାଦର ଚାଦର ନଦୀର ଦୁଇ କୂଳରେ ବିଛାଇ ଦେଇ କୁଆଡ଼େ ଚାଲି ଯାଇଥିଲେ । ବର୍ତ୍ତମାନ ଭାବି ସ୍ତ୍ରୀ ର କରି ହେଉ ନାହିଁ ଯେ ଏକଦା ଏହି ନଦୀ-କୂଳ ଛାତ୍ରମାନଙ୍କର ବଣଭୋଜି ଓ ଗାନ-ବାଜଣାରେ ମୁଖରିତ ହେଉଥିଲା । ଟୁବିଙ୍ଗେନ ବିଶ୍ଵ ବିଦ୍ୟାଳୟଟି ମଧ୍ୟ ଆଜି ଯେମିତି ପୁରାତନ ସ୍ମୃତିର ଗୋଟାଏ ଶିବିର ଛଡ଼ା ଆଉ କିଛି ନାହିଁ । ଅତୀତର ସେହି ଆଲୋକିତ ମୁଖଗୁଡ଼ିକୁ ବିଶ୍ଵବିଦ୍ୟାଳୟର ଗଳି—କନ୍ଦିରେ କେଉଁଠି ହେଲେ ଖୋଜି ବାହାର କରି ହେବ ନାହିଁ । ହୁଏତ ଫେଲେଡରଲିନର ସେହି କିମ୍ବଦନ୍ତୀର ଯନ୍ତ୍ର ସଙ୍ଗୀତକୁ ଦିନେ ପଥରର ପୁରୁଣା ପାଚିରୀସବୁ ଗିଳି ପକାଇଲା । ବର୍ତ୍ତମାନ ପଥର ଦେହରେ କାନ ପାରିଲେ ତାର ଶେଷ ମୂର୍ଚ୍ଛନା ଟିକକ ଶୁଣା ଯାଇପାରେ । ସେ ସବୁ ସମୟ ଆଜି ଆଉ ନାହିଁ । ଟୁବିଙ୍ଗେନର ଘଡ଼ିରେ ବର୍ତ୍ତମାନ ନୂଆ ସମୟ ବାଜୁଛି । ପ୍ଳେଟୋ, ଆରିଷ୍ଟଟଲ, ପ୍ରଭୃତିଙ୍କର ରଚନାବଳୀ ଉପରେ ବର୍ତ୍ତମାନ ନୃତନ ଚକ୍ଷୁର ଦୃଷ୍ଟି ନିପତିତ ହୋଇଅଛି ।

 

ଦୁଇ ଜଣ ଛାତ୍ର ନେକାର ନଦୀର ପୋଲ ଆଡ଼ୁ ଚାଲି ଚାଲି ଆସୁଥିଲେ । ଏହି ତୁମୂଳ ଝଡ଼—ବର୍ଷାକୁ ତିଳେ ମାତ୍ର ଭ୍ରୂକ୍ଷେପ ନ କରି, ଦୁଇ ବନ୍ଧୁ ଖାଲି ଗରମ କୋଟରେ ଆଚ୍ଛାଦିତ ହୋଇ ପାଦରେ ଚାଲୁଥିଲେ ।

 

ବୋତଲରେ ଆଉ କିଛି ଅଛି ? —ଅଟୋ ଏବେର ନିଜର ବନ୍ଧୁ ଆଡ଼କୁ ଅନାଇ ପଚାରିଲା । ତାହାର ବନ୍ଧୁ ହେରମାନ ଲାଉଶେର ହେଉଛି ଜଣେ କବି । ସୁତରାଂ ସ୍ଵଭାବତଃ ସେ ଟିକିଏ ବିଷାଦଗ୍ରସ୍ତ ଓ ଉଚ୍ଚମନା । ବେନେଡିକଟାଇନେର ପ୍ରାୟ ଖାଲି ବୋତଲଟାକୁ ପକେଟରୁ ବାହାର କରି ବନ୍ଧୁର ହାତକୁ ବଢ଼ାଇଦେଲା । ଅଟୋ ଏବେର ବୋତଲଟାକୁ ନଦୀର ଅପର ପାର୍ଶ୍ଵସ୍ଥ ବିଶ୍ଵବିଦ୍ୟାଳୟ ଭବନ ଆଡ଼କୁ ଦେଖାଇ ଚିତ୍କାର କଲା ।

 

—ହେ ଜ୍ଞାନ ଦାତ୍ରୀ ଜନନୀ ! ମୁଁ ଆଜି ତୁମର ସ୍ଵାସ୍ଥ୍ୟ ପାନ କରୁଛି !

 

ବୋତଲରେ ଯେତିକି ଅବଶିଷ୍ଟ ଥିଲା, ଅଟୋ ଏବେର ଏକା ଢୋକରେ ସେତକ ପାନ କରିଦେଲା ।

 

ଲାଉଶେର ଖାଲି ବୋତଲଟାକୁ ଦେଖାଇ ପଚାରିଲା—ଏହି ଅଦରକାରୀ ପଦାର୍ଥଟିକୁ ନେଇ ଆମେ ଏକ୍ଷଣି କଅଣ କରିବା ?

 

—କଅଣ ଆଉ କରିବା ? ଏଟାକୁ ଟୁବିଙ୍ଗେନର ଫାଣ୍ଡିରେ ଜମା ରଖିବା । ଏତକ ତ ଆମର ପାଣ୍ଠି ।

 

ଏହା କହି ଅଟୋ ଏବେର ବୋତଲଟାକୁ ନଦୀର ଅପର ପାର୍ଶ୍ୱସ୍ଥ ବିଶ୍ୱବିଦ୍ୟାଳୟର ପାଚିରିକୁ ଲକ୍ଷ୍ୟ କରି ଫିଙ୍ଗି ଦେଲେ । ପଥରରେ ବାଜି ବବୋତଲଟା ଭାଙ୍ଗି ଟିକି ଟିକି ହୋଇଗଲା-। କାଚର ଟୁକୁରାଗୁଡ଼ାକ ଚାରିଆଡ଼େ ଛିଟିକି ପଡ଼ିଲା ।

 

—ଏହା ପରେ ?

 

—ଏହା ପରେ ‘ଲୁୟେନ’ । ସେଠାରେ ସାବରେ ଶାରପେନାର ଆଉ ରେଚ୍‍ର ଦେଖା ମିଳିବ । ସେଠାରେ ବସି ସେ ଦୁହେଁ ଗତ ଗୁରୁବାର ଦିନ ହୋଇଥିବା ଦଙ୍ଗାଗୋଳର ଶୋକ ପାଶୋରି ଦେବାକୁ ଚେଷ୍ଟା କରୁଛନ୍ତି ।

 

ଏବେର ଲମ୍ବା କୋଟ୍‍ଟାକୁ ଭଲ ଭାବରେ ଦେହରେ ଭିଡ଼ି ଦେଇ ଦ୍ରୁତ ଗତିରେ ଚାଲିବାକୁ ଲାଗିଲା ।

 

—ଏମିତି ଦଉଡ଼ୁଛ କାହିଁକି ? କିନ୍ତୁ ଆମ ପକ୍ଷରେ ଆଜିକା ଆବହାୱାଟା ଏକାବେଳେ ଗୋଟାଏ ଆଦର୍ଶ । ବୋତଲଟା ଶେଷ ହୋଇ ନ ଥିଲେ ମୁଁ କଦାପି ବଦ୍ଧ ଚାରୋଟି କାନ୍ଥ ଭିତରେ ପ୍ରବେଶ କରି ନ ଥାଆନ୍ତି । ‘ଲୁୟେନ’ କୁ ଯାଇ ଶାରପେନାର ଓ ରେଚ୍‍ଙ୍କ ସଙ୍ଗରେ ବସିବାରେ ତ କୌଣସି ମୂଲ୍ୟ ନାହିଁ । ଜଣେ ତ ଗୋଟାଏ ନିପଟ ବୋକା, ଆଉ ଆରଟା ଟିକିଏ କଥାକୁ ଚିତ୍କାର କରିବାକୁ ଲାଗେ । କିନ୍ତୁ ସେମାନେ ଯଦି ‘ଉଲବାଖେର’ ଗିଳନ୍ତି, ତାହା ହେଲେ ମୋର ସ୍ଥାନ ସେଠାରେ ରହିବ ନାହିଁ । ଏଣୁ ତେଣୁ ମଦ ମୋତେ ଆଦୌ ଭଲ ଲାଗେ ନାହିଁ ।

 

ଲାଉଶେରର କଥାରେ ଏବେର ନ ହସି ରହି ପାରିଲା ନାହିଁ । ସେ ହସି ହସି କହିଲା–ମଦ-ଗର୍ବିତ ? ସେଠାରେ ନିଶ୍ଚୟ ଆଉ କିଛି ମିଳିବ । ଲାଉଶେର ! ଆମେ କିନ୍ତୁ ଆଉ ଗୋଟାଏ କାମ କଲେ ଭଲ ହୁଅନ୍ତା । ଆମେ କେତେ ଜଣ ମିଶି ଗୋଟାଏ କ୍ଳବ୍‍ କଲେ, କେମିତି ହୁଅନ୍ତା, କୁହ ତ ଦେଖି ? ଆମେ ତ ଅଛନ୍ତି । ଆଉ କେତେ ଜଣ ଫେଲ୍ ହୋଇଥିବା ଛାତ୍ରଙ୍କୁ ଟାଣି ଆଣି ସ୍ଵଚ୍ଛନ୍ଦରେ ଗୋଟାଏ କ୍ଳବ୍‍ ଗଠନ କରାଯାଇ ପାରେ ।

 

କ୍ଳବ୍‍ ? —ଅବାକ ହୋଇ ଲାଉଶେର ନିଜର ବନ୍ଧୁ ଆଡ଼କୁ ଅନାଇ ରହିଲା, ଏବଂ କିଛି କ୍ଷଣ ପରେ କହିଲା—ତାହା ଠାରୁ ବରଂ ଭଲ ହେବ, ଯଦି ମୁଁ ସନ୍ନ୍ୟାସୀ ହୋଇ ପର୍ବତରେ ଯାଇ ରହେ !

 

—କାହିଁକି ? ଯେଉଁମାନେ ଅଭିଜାତ କ୍ଳବ୍‍କୁ ଯିବାକୁ ଚାହାନ୍ତି ନାହିଁ ଏବଂ ହତାଶ ଛାତ୍ର, ଯେଉଁମାନଙ୍କର ପାଶ୍ କରିବାର କୌଣସି ଆଶା ନାହିଁ, ଖାଲି ସେହିମାନଙ୍କୁ ନେଇ ଆମେ ତ ଅକ୍ଳେଶରେ ଗୋଟାଏ କ୍ଳବ୍‍ ଖୋଲି ପାରିବା । ଆମ କ୍ଳବ୍‍ର ସଭ୍ୟମାନଙ୍କର ସବୁ ପାପ ଓ ଗ୍ଳାନିର ବୋଝକୁ ରେଚ୍ ହିଁ ତାହାର କ୍ରନ୍ଦନର ସ୍ରୋତରେ ଭସାଇ ଦେଇ ପାରିବ । ବନ୍ଧୁ ଶାରପେନାରକୁ ଆମ୍ଭମାନଙ୍କ ପକ୍ଷରୁ ଲଢ଼ିବା ଲାଗି ଉପଯୁକ୍ତ କର୍ମ ଦିଆଯିବ । ମୁ ହେବି ବିୟାର କମିଶନର, ଆଉ ତୁମେ ହେବ କ୍ଳବ୍‍ର ସମ୍ପାଦକ ଓ ବୋତଲ-ରକ୍ଷକ ! ଆମେ ନିୟମ କରିଦେବା ଯେ ଆମ କ୍ଳବ୍‍ର ସଭ୍ୟମାନଙ୍କର ଅନ୍ୟତ୍ର ପାନ-ଗମନ ନିଷିଦ୍ଧ । ଧର, ଯଦି କାହାକୁ ‘ଅସ୍ୟେନ’ରେ ମଦ ଖାଇବାର ଦେଖାଯାଏ, ତାହାକୁ ଏକ ମାର୍କ ଜୋରିମାନା କରାଯିବ ।

 

ଦୁଇ ବନ୍ଧୁ ନିଜ ନିଜ ଭିତରେ କଥାବାର୍ତ୍ତା ହେଉଁ ହେଉଁ ପୁରୁଣା ପୋଲଟା ଉପରକୁ ଉଠି ଆସିଲେ । ପାନଶାଳାରୁ ଛାତ୍ରମାନଙ୍କର ହସତାମସାର ଶବ୍ଦ ଭାସି ଆସୁଥିଲା । ପୋଲର ଖମ୍ବରେ ନେକାର ନଦୀର ଉନ୍ମତ୍ତ ଜଳ ସ୍ରୋତ କ୍ରମାଗତ ଆସି ଧକ୍କା ଖାଉଥିଲା । ରାସ୍ତାର ଆଲୁଅଗୁଡ଼ିକୁ କୋଳରେ ଧରି ନଦୀ ଅନବରତ ନଚାଉଥିଲା । ସେହି ଦୁଇ ବନ୍ଧୁ ବିଶ୍ଵବିଦ୍ୟାଳୟର ଗୀର୍ଜାରେ ଘଣ୍ଟାରେ ସମୟ ଶୁଣିଲେ । ନଦୀର ଠିକ୍ ଉଚ୍ଚ କୂଳ ଠାରୁ ଆରମ୍ଭ ହୋଇ ସାମନା ବିରାଟ ପ୍ରାନ୍ତର ପର୍ଯ୍ୟନ୍ତ ଧାଡ଼ିଏ ବିଶ୍ୱବିଦ୍ୟାଳୟର ପୁରୁଣା କୋଠାସବୁ ଲମ୍ବି ଯାଇଥିଲା । ସେ ଗୁଡ଼ିକ ଭିତରୁ କେତୋଟି ଏକାବେଳେ ଗାଢ଼ ନିଦ୍ରାରେ ଆଚ୍ଛନ୍ନ ହୋଇ ରହିଥିଲା, ଆଉ କେତେକ ସେତେବେଳେ ସୁଦ୍ଧା ଆଲୋକିତ ଝରକା ଖୋଲି ଉଜାଗର ରହିଥିଲା । ପୋଲଟି ଉପରେ ଚାଲି ଯାଉଁ ଯାଉଁ ସେମାନେ ଆଉ ପଦେ ହେଲେ କଥାବାର୍ତ୍ତା କଲେ ନାହିଁ । ହୁଏତ ନିଶୀଥ ନଗରୀର ରୂପ, ନେକାର ନଦୀର ଜଳର ଶବ୍ଦ ଓ ଦୂରରୁ ଭାସି ଆସୁଥିବା ଛାତ୍ରମାନଙ୍କର ସମବେତ ସଙ୍ଗୀତର ସ୍ୱର ସେମାନଙ୍କୁ ଅତୀତ ଆଡ଼କୁ ଟାଣି ନେଇ ଯାଇଥିଲା । ଯେଉଁ ଛାତ୍ର-ଜୀବନ ଆଉ ଫେରି ଆସିବ ନାହିଁ, ସେଇଥି ପାଇଁ ଦୁଇ ବନ୍ଧୁ ଯେମିତି ଶୋକ-ଜ୍ଞାପକ ନୀରବତା ପାଳନ କରୁଥିଲେ । ପୋଲଟା ଟପିଯାଇ ସେମାନେ ହୋଲତସ୍‍ ବଜାର ଆଡ଼କୁ ପଡ଼ିଥିବା ସରୁ ଉଠାଣି ରାସ୍ତାଟା ଧରିଲେ । ଗୀର୍ଜା, କିର୍ଶଷ୍ଟ୍ରୀଟ, ବନ୍ଦ ହେଲା ବଜାର ଓ ‘ସୋନେ’ ପାନଶାଳା ଅତିକ୍ରମ କରି, ସେମାନେ ‘ଲୁୟେନ’ର ପଛ ଆର ମୁହଁରେ ଆସି ଠିଆ ହେଲେ । ଦୁଆର ସାମନାରେ କାଦୁଆ ପାଣି ଠିଆ ହୋଇଥିଲା । ଭିତରେ ପ୍ରବେଶ କରିବା ଆଗରୁ ସେମାନେ ତଳ ଝରକା ବାଟେ ରେଚ୍ ଓ ଶାରପେନାରଙ୍କୁ ଦେଖିବାକୁ ପାଇଲେ । ଦୁହେଁ ଗୋଟାଏ କୋଣରେ ବସି ମଦ ପିଉଥିଲେ ।

 

ଦେଖୁଛ ତ, ସେମାନେ ‘ଉଇଙ୍କଲାର’ ଖାଉଛନ୍ତି; କହି ନ ଥିଲି ଏ କଥା ମୁଁ ତୁମକୁ ? ଏବେର ଆନନ୍ଦରେ ପ୍ରାୟ ଚିତ୍କାର କଲା । ପ୍ରଥମେ ଲାଉଶେର ଦୁଆର ବାଟେ ପ୍ରବେଶ କଲା । ଭିତରକୁ ଯାଇ ଏବେର ହଠାତ୍ ହେମାନେଡ଼ର ବିଜ୍ଞାପନର ପ୍ରାଚୀର-ପତ୍ରଟା ଗୋଟାଏ ଅହେତୁକ ଆକ୍ରୋଶରେ ଟାଣି ଆଣିଲା । ମାଲିକର ଝିଅ ମାଥିଲ୍‍ଡା ଆସି ପହଞ୍ଚିଯିବାରୁ, ସେ ତତ୍‍କ୍ଷଣାତ୍‍ ନିଜକୁ ସମ୍ଭାଳି ନେଇ କୋଟଟା ତାହାର ହାତକୁ ବଢ଼ାଇଦେଲା ।

 

ସେହି ଦୁଇ ଜଣଙ୍କୁ ପ୍ରବେଶ କରିବାର ଦେଖି ‘ଉଇଙ୍କଲାର’ ପାୟୀମାନେ ଥରେ ମୁଖ ଟେକି ଅନାଇଲେ ।

 

ସେମାନଙ୍କ ଭିତରୁ ପ୍ରଥମେ ଶାରପେନାର କଥା କହିଲା—ଖୁବ୍ ଉଛୁର ହୋଇଗଲା ! ତୁମେ ଦୁହେଁ କିଛି ପିଇବ ନା କଅଣ ? ପାନ ନ କରି ସ୍ନାନ ବି କରିପାର, କିମ୍ୱା ସକଳ ଦୁଃଖକୁ ଏକା ସାଙ୍ଗରେ ମଦ ଭିତରେ ଚୋବାଇ ଗିଳି ଦେଇ ପାର । ଉଃ ! ଜୀବନରେ ମୁଁ ଆଉ କେବେ ବାଜି ମାରିବି ନାହିଁ । ଏକକାଳୀନ ପନ୍ଦର ବୋତଲ ମଦ ପିଇଦେବା ଯେ କି ଅସମ୍ଭବ ଦୁଃସାଧ୍ୟ କାର୍ଯ୍ୟ !

 

—ହଁ, ହଁ, ଯେତେ ପର ‘ଉଇଙ୍କଲାର’ ଖାଇ ଯାଅ ।

 

—ଠିକ୍ ଅଛି । କିନ୍ତୁ ଭୟ ନାହିଁ । ମାଥିଲଡା ! ଦୁଇଟା ଗିଲାସ ଆଣ ତ !

 

ଗୋଟାଏ ବୋତଲ ଉଠାଇ ନେଇ, ଟିକିଏ ଏପଟ ସେପଟ ଦେଖି, ଲାଉଶେର ଦୁଇଟି ଗିଲାସରେ ମଦ ଢାଳି ଭର୍ତ୍ତି କରିଦେଲା ।

 

—ଏବେର ! ଏହି ହେଉଛି ମୋର ମନ ମାଫି ଜଳ ତରଳ ଅନଳ !

 

—ହଁ, ପିଇଯାଅ । ପିଇ ସାରି ଗିଲାସର ତଳେ ଯେତିକି ରହିଥିବ ତାକୁ ବି ଜିଭରେ ଚାଟି ନିଅ ।

 

କିନ୍ତୁ ଜିନିଷଟା ଭାରି ଭଲ ! —ଏକା ନିଶ୍ଵାସରେ ଗିଲାସଟା ଖାଲି କରିଦେଇ ପୁଣି ଭରି ନେଇ ଲାଉଶେର ଚଉକିର ପଛରେ ନିଜର ହାତଟା ପକାଇଦେଲା ।

 

ତୁମର ଆଜି କଅଣ ହୋଇଛି ? ତୁମେ ଏମିତି ବୋକାଙ୍କ ଭଳି ଜଣା ଯାଉଛ କାହିଁକି ? ଶାରପେନାର ଲାଉଶେର ଆଡ଼କୁ ଅନାଇ ପଚାରିଲା ।

 

ଏବେର ତାହାର ଜବାବ ଦେବାକୁ ଚେଷ୍ଟା କଲା—ସେ ତ ଶସ୍ତା ମଦ ଖାଇ ପାରେ ନାହିଁ । ବେନେଡ଼ିକଟାଇନଟା ଶେଷ—

 

ଏବେରର କଥା ଶେଷ ନ ହେଉଣୁ, ହଠାତ୍ ଦାନ୍ତ ଚିପି ଲାଉଶେର ସୁସୁରି ମାରିଲା ।

 

—ଏବେର, କହି ଦେଉଛ, ଆଉ ବେଶି ବକ ନା । ଆଉ, ଦେଖ, ଶାରପେନାର, ଏମିତି ଏଣୁ ତେଣୁ ପ୍ରଶ୍ନ ପଚାରିବା ଉଚିତ ନୁହେଁ ।

 

ଆଉ ଗୋଟିଏ ଗିଲାସ ଭରି ନେଇ, ଆସ୍ତେ ଆସ୍ତେ ପାନ କଲା ବେଳେ ଲାଉଶେର ଅତିଶୟ ଗମ୍ଭୀର ଓ କ୍ଷୀଣ କଣ୍ଠରେ କହିବାକୁ ଲାଗିଲା ।

 

—ତୁମେ କେତେ ଜଣ, ଦେଖୁଛି, ଏକାବେଳେ ଖାଣ୍ଟି ଘୁଷୁରିର ଛୁଆ । ସମୟ ସମୟରେ ମୁଁ ଆଶ୍ଚର୍ଯ୍ୟ ହୋଇ ଭାବେଁ, ତୁମ୍ଭମାନଙ୍କ ସାଙ୍ଗରେ ମୋତେ କୁଆଡ଼େ ବେଶି ଭାଗ ସମୟ କଟାଇବାକୁ ହୁଏ ।

 

ରେଚ୍ ତାହାର କଥା କହିବାର ଭଙ୍ଗୀରେ ହସି ପକାଇଲା, ଏବଂ ମଦ ଗିଲାସଟା ଟେକି ଧରି, କବି ହେରମାନ ଲାଉଶେରର ସ୍ୱାସ୍ଥ୍ୟ ପାନ କଲା ।

 

ଘରର ଆବହାଓ୍ୟାଟାକୁ ଶାନ୍ତ କରିବା ପାଇଁ ଏବେର କହିଲା—ସେ ସବୁ ବଡ଼ ବଡ଼ କଥା ଛାଡ଼ି ଏକ୍ଷଣି ଟିକିଏ ଶିଳ୍ପ, ଦର୍ଶନ କି ରସିକତା କର ତ ଦେଖି, ବାବା, ଯାହା ତୁମର ନାକ କାନ୍ଦୁଣି କବିତାରେ କେବେ ମିଳେ ନାହିଁ ।

 

—ସତ, ନିଶ୍ଟୟ ମୋର କବିତାରେ ତାହା ମିଳିବ ନାହିଁ । ତୁମ୍ଭମାନଙ୍କ ସାଙ୍ଗରେ ଏମିତି ଭାବରେ ବସି ରହିଛି, ତୁମ୍ଭମାନଙ୍କର ପଇସାରେ ମଦ ଖାଉଛି, ତୁମ୍ଭମାନଙ୍କର ମଥାର ସେହି ଫାଙ୍କା ଖପୁରୀଗୁଡ଼ାକ ମୋତେ ସବୁବେଳେ ଦେଖିବାକୁ ହେଉଛି । ନିଜର ମନ ଭିତରେ ସୁନା-ରୁପା ଓ ରୂପକଥାର ଧନରତ୍ନ ଥିବା ସତ୍ତ୍ୱେ ମୁଁ ତୁମ୍ଭମାନଙ୍କୁ ମାନି ନେଇଛି, ଏହା ଠାରୁ ବଳି ବଡ଼ ରସିକତା ଆଉ କଅଣ ଥାଇପାରେ ? ଏଠାରେ ବସି କଅଣ କରୁଛ ? ମଦ ଭିତରେ ତୁମର କେଉଁ ଦୁଃଖ, କି କେଉଁ ସୁଖକୁ ଢାଙ୍କିବାକୁ ଯାଉଛ ? ହୁଏତ ଏହା ଗୋଟାଏ ସାମନ୍ୟ ପରୀକ୍ଷା, କେତୁଟା ଟଙ୍କା କିମ୍ବା ଗୋଟାଏ ଇତର ଚାକିରି—ବାସ୍‍, ଏତିକି ଖାଲି । କାରଣ ତୁମ୍ଭେମାନେ ହଠାତ୍ ବୁଝି ପାରିଛ ଯେ କେବଳ ଏହି ସବୁ ଜିନିଷ ପାଇଁ ସଂସାରରେ ବଞ୍ଚି ହୁଏ ନାହିଁ । ଆଉ ମୁଁ ? ମୋ କବିତାର ସୂର୍ଯ୍ୟ-କରୋଜ୍ଜଳ ନୀଳ ଆକାଶକୁ ମୁଁ ମୋର ମଦ ଗିଲାସ ଭିତରେ ବୁଡ଼ାଇ ଦେଉଛି । ମୋର କଳ୍ପନାର ଜନ୍ମଭୂମି, ମୋର ତୂଳିର ରଙ୍ଗ, ମୋର ସିତାରର ତାର, ଶିଳ୍ପର ଗୋଟାଏ ଅଂଶ, ଯଶର ଗୋଟାଏ ଅଂଶ, ଅସୀମର ଗୋଟାଏ ଅଂଶ, ସବୁକୁ ମୁଁ ବୁଡ଼ାଇ ଦେଉଛି । କାରଣ, ସତରେ ଦୁନିଆରେ କୌଣସି କିଛି ପାଇଁ ବଞ୍ଚି ରହି ହୁଏ ନାହିଁ । ଉଦ୍ଦେଶ୍ୟହୀନ ଜୀବନ ଯେମିତି ନିଷ୍ପ୍ରଭ, ଉଦ୍ଦେଶ୍ୟ ପ୍ରଣୋଦିତ ଆୟୁ ମଧ୍ୟ ସେମିତି ଗ୍ଳାନିକର ।

 

ରେଚ୍ ଯଥା ରୀତି ତାହାର କବି ବନ୍ଧୁଟିର କଥାରେ ହସିବାକୁ ଲାଗିଲା ।

 

ଏବେର ମଦ ଗିଲାସରୁ ଢୋକେ ପିଇଦେଇ କହିଲା—ଖାଅ, ଖାଲି ଖାଅ, ଯେତେ ପାର ଖାଇ ଯାଅ । ଜୀବନଟାକୁ ଏତେ କଳା ବୋଲି ଧରି ନ ନେଲେ କଅଣ ଚଳିବ ନାହିଁ ?

 

ହଠାତ୍ ଏବେରର ଦୃଷ୍ଟି ରେଚ୍ ଉପରେ ପଡ଼ିଗଲା ।

 

—ରେଚ, ଏକ୍ଷଣି ତୁମେ କଅଣ କରିବ ? ବୁଢ଼ାଟାକୁ ତୁମର ସବୁ କଥା ଜଣାଇ ଦେଇଛ ତ ?

 

ଲାଉଶେର ପଚାରିଲା—ବୁଢ଼ାକୁ କଅଣ ବା ଜଣାଇବ ?

 

—ତୁମେ ଜାଣ ନାହିଁ ? ସେଇଥି ପାଁଇ ତ ରେଚ୍ ତୃତୀୟ ଥର ବି ପରୀକ୍ଷାରେ ବସି ପାରିଲା ନାହିଁ । ତାହାର ନାମ ବି କଟି ଯାଇଛି ! କିନ୍ତୁ ଏକ୍ଷଣି କଅଣ କରିବ ତୁମେ, ରେଚ୍ ?

 

—କଅଣ ଆଉ କରିବି ? ମୁଁ ପୁଣି ନାମ ଲେଖାଇଛି ।

 

—ଏଁ, ନାମ ଲେଖାଇଛ ?

 

—ସୈନ୍ୟ ବାହିନୀରେ ଆଜି କାଲି ବଦ୍ଧ ମାତାଲମାନଙ୍କୁ ନେଉଛନ୍ତି ନା କଅଣ ?

 

—କେତେକ ପରିମାଣରେ ହୁଏତ ସେୟା । ଅସଲ କଥା ହେଉଛି, ମୁଁ ବିଶ୍ଵବିଦ୍ୟାଳୟରୁ ଖଣ୍ଡିଏ ସ୍ୱର୍ଗର ଟିକଟ ପାଇବା ପାଇଁ ଆଖିରୁ ଯଥେଷ୍ଟ ଲୁହ ଢାଳିଛି । ଆଉ ନୁହେଁ, ବାବା, ଏଣିକି ।

 

ଏତେ କ୍ଷଣ ପରେ ଲାଉଶେର ପଚାରିଲା—କିନ୍ତୁ ତୁମର ନାମ କିଏ ବା ନେଲା ?

 

—ଜଣେ ଭଦ୍ରଲୋକ । ତୁମ୍ଭେମାନେ ନିଶ୍ଚୟ ତାହାଙ୍କ ସହିତ ଆଳାପ କରିବାକୁ ଚାହିବ-। ଜଣେ ଅଦଭୁତ ଭଲ ଭଦ୍ରଲୋକ ।

 

—ଭଦ୍ରଲୋକ, ନା ତୁମର ମୁଣ୍ଡ-ଗଣ୍ଡି ! ଭଦ୍ରଲୋକଙ୍କ ସମ୍ବନ୍ଧରେ ତୁମେ କଅଣ ବା ଜାଣ ହେ, ପିଲା ? ମୋ ଠାରୁ କଅଣ ସେହି ଭଦ୍ର—ଲୋକଟି ବେଶି ଭଦ୍ର ?

 

—ଢେର୍, ଢେର୍, ବେଶି । ମୁଁ କହୁଛି, ଲାଉଶେର, ଏମିତି ଭଦ୍ରଲୋକ କ୍ଵଚିତ୍ ଦେଖା ଯାଆନ୍ତି । ଛାଡ଼, ତୁମକୁ ସେ ସବୁ ବାଜେ କଥା କହି କିଛି ଲାଭ ନାହିଁ । ଆଜି ସନ୍ଧ୍ୟା ବେଳେ ସେହି ଭଦ୍ରଲୋକ ଏଠାକୁ ଆସିବେ ବୋଲି ମୋତେ କହିଛନ୍ତି ।

 

—ସତରେ ଆସିବେ ?

 

—ନିଶ୍ଚୟ !

 

ଲାଉଶେର ପକେଟରୁ କେତୋଟି କଳା ଲମ୍ବା ଚୁରୁଟ ବାହାର କରି ବନ୍ଧୁମାନଙ୍କୁ ବାଣ୍ଟି ଦେଲା । ନିଜେ ଗୋଟିଏ ଚୁରୁଟ ଧରାଇ ସେ ଏକ ମନରେ ଟାଣିବାକୁ ଲାଗିଲା । ଘରଟା ସାରା ଚୁରୁଟର ଧୂଆଁ ଖେଳିଗଲା । ଘରେ ବସିଥିବା ଲୋକମାନେ ସମସ୍ତେ ଚୁପ୍‍ଚାପ୍ ମଦ ପିଇବାକୁ ଲାଗିଲେ । ଘରଟା ଆହୁରି ବେଶି ଧୂମାୟିତ ହୋଇଗଲା । ପାନଶାଳାର ଅନ୍ୟ ଲୋକମାନଙ୍କର ହାସ୍ୟ-ପରିହାସର ଖଣ୍ଡ ଖଣ୍ଡ କଥାବାର୍ତ୍ତା ଏ ପାଖକୁ ଭାସି ଆସିଲା । ସେମାନଙ୍କ ଭିତରୁ କେହି ଆଉ ତୁଣ୍ଡ ଫିଟାଇଲେ ନାହିଁ । ଉଁ କି ଚୁଁ ନ ହୋଇ ଚୁପ୍‍ଚାପ୍ ବସି ରହି ସେହି ଚାରି ଜଣ ବନ୍ଧୁ ଖାଲି ମଦ ପିଇ ପିଇ ଅନେକ ରାତି କଟାଇ ଦେଇଛନ୍ତି । ମନେ ହେଉଥିଲା, ଆଜି ରାତିଟା ବି ବୋଧହୁଏ ସେମିତି ସେମାନଙ୍କର ନିର୍ବାକ ଚିନ୍ତାର ଚକରେ ଗଡ଼ିଯିବ ।

 

ବହୁତ ଗୁଡ଼ାଏ ଗିଲାସ ଶେଷ ହେବା ପରେ, ପ୍ରଥମେ ଏବେର ପାଟି ଖୋଲିଲା—ସତରେ, ତୁମର ସେହି ଭଦ୍ରଲୋକଟିକୁ ଥରେ ଦେଖିବା ପାଇଁ ମୋର ଭାରି ଇଚ୍ଛା ହେଉଛି ।

 

କେହି କିଛି ଜବାବ ଦେଲେ ନାହିଁ । ମାଥିଲଡ଼ା ଆସି ଆଉ ଦୁଇଟା ବୋତଲ ଫିଟାଇ ଦେଇଗଲା ।

 

ଏବେର ପୁଣି କହିଲା—କିନ୍ତୁ ଆମ୍ଭମାନଙ୍କୁ କିଏ ନେବ ? ପାଶ୍ କରିବା ପାଇଁ ତ ମୋର ଆଉ ମୋଟେ ଦୁଇଟା ଚାନ୍‍ସ ଅଛି । ତା ପରେ ସବୁ ଶେଷ !

 

ଶାରପେନାର କହିଲା—ମୋର ତ ଟଙ୍କା କ୍ରମେ କ୍ରମେ ସରି ଆସୁଛି । ବାବାଙ୍କୁ ଆଉ ରାଜି କରାଇ ହେବ ନାହିଁ, ମୁଁ ଦେଖୁଛି ।

 

ଲାଉଶେର ମୁଖ ଫିଟାଇଲା—ମୋର ବି ତ ସେହି ଅବସ୍ଥା ! ବୁଢ଼ା ଏକାବେଳେ ହାତ ବାନ୍ଧି ବସି ରହିଲାଣି ।

 

—ଏହାକୁ କହନ୍ତି ବଞ୍ଚି ରହିବାର ଚିନ୍ତା । ଆଚ୍ଛା, ଏବେର, ତୁମେ କଅଣ ହଲପ କରି କହି ପାରିବ ଯେ ଆଗାମୀ ଦୁଇଟା ଟାର୍ମ ପର୍ଯ୍ୟନ୍ତ ତୁମେ ବଞ୍ଚି ରହିଥିବ ? ଆସନ୍ତା ବର୍ଷକ ଭିତରେ କେତେ କିଛି ହୋଇ ଯାଇପାରେ, ତାହା କଅଣ ତୁମକୁ ଜଣା ନାହିଁ ?

 

—ଯଥା ?

 

—ଯଥା, ତୁମେ ଚୁରୁଟର ନିଆଁରେ ଏହି ମୁହୂର୍ତ୍ତରେ ପୋଡ଼ି ଜଳି ମରି ଯାଇପାରେ ।

 

ଏବେର ଚିତ୍କାର କଲା—ନରକରେ ଯାଇ ପଡ଼ !

 

ଆଉ ତୁମେ ?—ଲାଉଶେର କଥାଟା ଶେଷ କରି ପାରିଲା ନାହିଁ । ହଠାତ୍ ଝରକା ଆଡ଼କୁ ଚାହିଁ ଦେଇ ତାହାର ମୁଖଟା କେମିତିକା ଭୟରେ ଧଳା ପଡ଼ିଗଲା ।

 

ଶାରପେନାର ଚିତ୍କାର କଲା—କଅଣ ହେଲା ?

 

ଲାଉଶେର ନୀରବରେ ଝରକା ଆଡ଼କୁ ଆଙ୍ଗୁଳି ଦେଖାଇଲା । ସମସ୍ତେ ଝରକା ଆଡ଼କୁ ମୁହଁ ବୁଲାଇ ଅନାଇଲେ । ଝରକା କତିରେ ସେମାନେ ଗୋଟିଏ ରୋଗଣା ଡେଙ୍ଗା ଲୋକକୁ ଦେଖିପାରିଲେ । ଲୋକଟିର ରଙ୍ଗ ଖୁବ୍ ବେଶି ଫିକା ଦିଶୁଥିଲା, ଭଙ୍ଗୀଟା କେମିତିକା ଉଦ୍ଧତ ଧରଣର, ଲମ୍ବା ଚିବୁକରେ ଥୁଣ୍ଟା ଦାଢ଼ି ଆଉ ସବୁ ଠାରୁ ବେଶି ଅଦ୍‍ଭୁତ ହେଉଛି ଇସ୍ପାତ ଫଳକ ପରି ତୀକ୍ଷ୍ଣ ଯୋଡ଼ାଏ ଆଖି । ଲୋକଟି ଝରକା କତିରେ ଠିଆ ହୋଇ ଏକ ଦୃଷ୍ଟିରେ ଘର ଭିତରକୁ ଅନାଇ ରହିଥିଲା ।

 

ଘର ଭିତରେ ଶାରପେନାର ଖାଲି ଭୟଭୀତ ହୋଇଗଲା ନାହିଁ, ହସି ଦେଇ ପଚାରିଲା–ବଦମାସଟାକୁ ଚାଲି ଯିବାକୁ କହିବି ?

 

ଆଗନ୍ତୁକ ଝରକା ପାଖରୁ ଘୁଞ୍ଚିଗଲା ସତ । କିନ୍ତୁ ପର ମୁହୂର୍ତ୍ତରେ ସେମାନେ ଦେଖି ପାରିଲେ, ସେ ଘର ଭିତରେ ପ୍ରବେଶ କଲା । ଶାରପେନାର ରାଗିଯାଇ ଠିଆ ହୋଇ ପଡ଼ି ଲୋକଟିକୁ ବାହିରିଯିବା ପାଇଁ କହିବାକୁ ଉପକ୍ରମ କରୁଛି, ସେତିକିବେଳେ ରେଚ୍ ସେହି ଲୋକଟି ସହିତ କର ମର୍ଦନ କରିବା ଲାଗି ଗୋଟାଏ ହାତ ତାହା ଆଡ଼କୁ ବଢ଼ାଇଦେଲା ।

 

—କ୍ଷମା କରିବେ, ଦୂରରୁ ମୁଁ ଆପଣଙ୍କୁ ଚିହ୍ନି ପାରିଲି ନାହିଁ । ମୋର ଏହି ବନ୍ଧୁମାନଙ୍କ ସାଙ୍ଗରେ ଆଳାପ କରିବେ ନାହିଁ ?

 

ରେଚ୍ ଅଳ୍ପ ମାତାଲ ହୋଇଥିଲା । ତଥାପି ଆଳାପ କରାଇବାକୁ ଯାଇ ସେ ଆଗନ୍ତୁକଙ୍କର ନାମଟି ମଧ୍ୟ କହିବାକୁ ଏକାବେଳେ ଭୁଲିଗଲା ।

 

କିନ୍ତୁ ଆଳାପ ପରେ ଆଉ ପଦିଏ କଥା ସୁଦ୍ଧା କେହି କହିଲେ ନାହିଁ । ଘରେ ବସିଥିବା ଲୋକମାନେ ସମସ୍ତେ ଯେମିତି ଚୁରୁଟ ଟାଣୁଥିଲେ ଓ ମଦ ପିଉଥିଲେ, ଠିକ୍ ସେମିତି କରିବାକୁ ଲାଗିଲେ । କିଛି କ୍ଷଣ ପରେ ଲାଉଶେର ହଠାତ୍ ଚଉକିରୁ ଉଠି ପଡ଼ି ଠିଆ ହୋଇଗଲା ।

 

—ମୁଁ ଯାଉଛି ! କେହି ବିଲିୟାର୍ଡ଼ ଖେଳିବାକୁ ଯିବ ?

 

କେହି କିଛି ଜବାବ ଦେଲେ ନାହିଁ ।

 

ଆଗନ୍ତୁକ ଭଦ୍ରଲୋକ ଜଣକ ଉଠି ଠିଆ ହେଲେ ।

 

—ଆପଣ ଯଦି କିଛି ମନେ ନ କରନ୍ତି, ମୁଁ ଖେଳିବାକୁ ଯାଇ ପାରେଁ ଆପଣଙ୍କ ସାଙ୍ଗରେ । ଆମେ ‘ଡାଲଫିଶ’କୁ ଗଲେ ଚଳିବ । ମୁଁ ତ ସେହି ବାଟ ଦେଇ ଆସିଲି । ଦେଖିଲି, ବିଲିୟାର୍ଡ଼ ଟେବୁଲଟା ଖାଲି ପଡ଼ିଛି ।

 

ସେମାନେ ଚାରି ବନ୍ଧୁ ଯାକ ଆଗନ୍ତୁକଙ୍କର ପ୍ରସ୍ତାବରେ ରାଜି ହେଲେ । ସେତେବେଳେ ବାହାରେ ମୁଷଳ ଧାରାରେ ବର୍ଷା ହେଉଥିଲା । ହେମାଳ ପବନରେ ସେମାନଙ୍କର ହାଡ଼ର ଭିତରଟା ବି ଯେମିତି କମ୍ପୁଥିଲା । କର୍ଣ୍ଣହାଉସ ଷ୍ଟ୍ରୀଟଟା ଏକାବେଳେ କାଦୁଅର ସମୁଦ୍ର ହୋଇ ଯାଇଥିଲା । କୌଣସି ପ୍ରକାରେ ପାଦ ଘୋଷାରି ଘୋଷାରି ସେହି ପାଞ୍ଚ ଜଣ ଲୋକ ଶେଷରେ ‘ଡାଲଫିଶ’ରେ ଯାଇ ପହଞ୍ଚିଲେ । ରେଚ୍ ସିଡ଼ିରେ ସମସ୍ତଙ୍କ ଆଗେ ଆଗେ ଯାଉଥିଲା । ଗୋଟାଏ ଗ୍ୟାସ-ବତିର ତଳେ ରହିଯାଇ ଏବେର ଆଗନ୍ତୁକଙ୍କୁ ଟିକିଏ ଅଟକାଇଲା ।

 

—ଯଦି କିଛି ମନେ ନ କରିବେ ତ ଗୋଟାଏ କଥା ଆପଣଙ୍କୁ କହିବି ।

 

—କହନ୍ତୁ ।

 

—ରେଚ୍ ଆମକୁ ଆଗରୁ ଆପଣଙ୍କ ବିଷୟ କହିଛି । ଆପଣ ନିଶ୍ଚୟ କୌଣସି ସମିତିର ଏଜେଣ୍ଟ ।

 

ହୁଁ—ଗୋଟାଏ କେମିତିକା ଅସ୍ପଷ୍ଟ ଆବାଜ ଦୀର୍ଘକାୟ ଆଗନ୍ତୁକଙ୍କର କଣ୍ଠରୁ ବାହାରି ଆସିଲା ।

 

—ଦେଖନ୍ତୁ, ମୋର ମନେ ହୁଏ, ଆମ୍ଭମାନଙ୍କ ଭିତରେ ପରିଚୟଟା ଆହୁରି ଘନିଷ୍ଠ ହେବା ଉଚିତ ।

 

—ନିଶ୍ଚୟ, ନିଶ୍ଚୟ । ଶୁଣି ସୁଖୀ ହେଲି । କିନ୍ତୁ ମୁଁ ଆଜି ଦିନଟା ମାତ୍ର ଏଠାରେ ରହିବି-। ଆପଣଙ୍କ ବନ୍ଧୁ କାଲି ମୋ ସମ୍ବନ୍ଧରେ ନିଶ୍ଚୟ ଅନେକ କଥା ଆପଣଙ୍କୁ ଜଣାଇ ପାରିବେ । ପ୍ରତି ଷାଣ୍ମାସିକ ପରୀକ୍ଷା ବେଳକୁ ମୁଁ ପ୍ରାୟ ଟୁବିଙ୍ଗେନକୁ ଆସେଁ ।

 

କେହି ଆଉ ପଦେ ହେଲେ କଥା କହିଲେ ନାହିଁ । ଧୂଆଁରେ ଭର୍ତ୍ତି ହୋଇଥିବା କାଫେ ଭିତରକୁ ସେମାନେ ପଶିଗଲେ । ରେଚ୍ ଆଗରୁ ପହଞ୍ଚିଯାଇ, ଶ୍ୟାମ୍ପେନ ପାଇଁ ବରାଦ ଦେଇ, ଗୋଟିଏ ସୋଫାରେ ନିଜର ଶରୀର ଲମ୍ବାଇ ଦେଇ ବସି ପଡ଼ିଥିଲା । ଲାଉଶେର ବିଲିୟାର୍ଡ଼ ଛଡ଼ିରେ ଫୁଲ ଖଡ଼ି ଘଷିଲା । ଦୁହେଁ ଖେଳ ଆରମ୍ଭ କଲେ । ଭଦ୍ରଲୋକ ଜଣଙ୍କ ଅସାଧାରଣ ଭଲ ଖେଳନ୍ତି ।

 

ଭଦ୍ରଲୋକ ଲାଉଶେରକୁ କହିଲେ—ସତରେ ଆପଣ ଭଲ ଖେଳନ୍ତି । ଟିକିଏ ଚର୍ଚ୍ଚା କଲେ ଆପଣ ଅସାଧାରଣ ଖେଳି ପାରିବେ ।

 

କିନ୍ତୁ ଲାଉଶେର ଅବାକ ହୋଇଗଲା । ଆଗନ୍ତୁକ ଭଦ୍ରଲୋକ ଅବିଶ୍ୱାସ ଭାବରେ କିଉ ବଲ୍‍ଟାକୁ ଟେବୁଲ ମଝିରେ ଘୂରାଉଥିଲେ । ଖେଳ ସରିଗଲାରୁ ସେହି ଦୁଇ ଜଣ ଅନ୍ୟ ବନ୍ଧୁମାନଙ୍କର ଟେବୁଲ ପାଖକୁ ଆସିଲେ । ଏବେର ଓ ଲାଉଶେର କଫି ପିଇବାକୁ ଆରମ୍ଭ କଲେ । ଅନ୍ୟମାନେ ଶେରୀ ଓ ଶ୍ୟାମ୍ପେନ ବରାଦ ଦେଇଥିଲେ । ଜଣେ ଯୁବତୀ ଝିଅ ସହିତ ସେମାନଙ୍କର ଆଳାପ ହେଲା । ଝିଅଟିର ନାମ ହେଉଛି ମଲି । ଦେଖିବାକୁ ସାନ ଝିଅଟିଏ ଭଳି, ଶରୀରର ତୀକ୍ଷ୍ଣ ରେଖାରେ ଝିଅଟି ବେଶ୍ ଆକର୍ଷଣୀୟା । ସେମାନଙ୍କ ସହିତ ଶେରୀ ପାନ କରୁଁ କରୁଁ ମଲି ରେଚ୍ ସାଙ୍ଗରେ ଭାରି ଭାବ ଜମାଇଦେଲା । ସେତେବେଳେ ରେଚ୍ ସୋଫାରେ ଗଡ଼ୁଥିଲା ।

 

ତାହା ଆଡ଼କୁ ଆଙ୍ଗୁଳି ଦେଖାଇ ଆଗନ୍ତୁକ ଲାଉଶେରକୁ ପଚାରିଲେ—ତାହାକୁ ଆପଣ କଅଣ ମନେ କରନ୍ତି, କହନ୍ତୁ ତ ଦେଖି ।

 

—ରେଚ୍ ? ସେ ତ ଗୋଟାଏ ଘୁଷୁରି ଛୁଆ । ମାତ୍ର ତାହାର ମନଟା ଖୁବ୍ ସଫା ।

 

ଏଥର ଆଗନ୍ତୁକ ଶାରପେନାର ଆଡ଼କୁ ଆଙ୍ଗୁଳି ଦେଖାଇ ପଚାରିଲେ—ଆଉ ଆପଣଙ୍କର ଏହି ବନ୍ଧୁଟି ?

 

ଲାଉଶେର ମୃଦୁ କଣ୍ଠରେ ଜବାବ ଦେଲା—ବିଲ୍‍କୁଲ୍‍ ବୋକା ନୁହେଁ, କି ବ୍ୟକ୍ତିତ୍ଵହୀନ ବି ନୁହେଁ । ସେ ଆମର ବୀର ଆସି-ଯୋଦ୍ଧା । କିନ୍ତୁ ସେ ବୁଝି ପାରେ ନାହିଁ ଯେ ବନ୍ଧୁ-ପ୍ରୀତିର ଆଧିକ୍ୟ ହିଁ ତା ପକ୍ଷରେ କାଳ ହେବ ।

 

—ଆଉ ସେହି ତୃତୀୟ ଜଣକ ?

 

—କିଏ ଏବେର ତ ? ତିନି ଜଣଙ୍କ ଭିତରେ ସେ ହେଉଛି ଶ୍ରେଷ୍ଠ । କିନ୍ତୁ ଏବେରର ବ୍ୟକ୍ତିତ୍ଵର କିଞ୍ଚିତ୍ ଅଭାବ ଅଛି । ଭିତରର ନୈରାଶ୍ୟକୁ ସେ ଅତିଶୟ ଭୟ କରେ ।

 

—କିନ୍ତୁ ଆପଣ ନିଜର ବନ୍ଧୁ ବାନ୍ଧବଙ୍କ ସମ୍ବନ୍ଧରେ ଚମତ୍କାର ମତାମତ ଦେଇ ପାରନ୍ତି ।

 

—କାହିଁକି ବା ପାରିବି ନାହିଁ ? ଆମେ ସମସ୍ତେ ଭିନ୍ନ ଭିନ୍ନ ଅବକ୍ଷୟ ମଧ୍ୟରେ ବାସ କରୁଁ । ଆମ୍ଭମାନଙ୍କର ଚରିତ୍ରର ଔଜ୍ଜଲ୍ୟ ମଧ୍ୟ ଅସମାନ ।

 

—ମୁଁ କିନ୍ତୁ ଆପଣଙ୍କୁ ଖୁବ୍ ପସନ୍ଦ କରେଁ ।

 

—ସତରେ ?

 

ଲାଉଶେର ଠିଆ ହୋଇ ପଡ଼ି ଏବେରକୁ ଡାକିଲା ।

 

—ଚାଲ, ଏବେ ଯିବା ।

 

ଆଗନ୍ତୁକ ସେମାନଙ୍କ ଗୋଟାଏ ଅଦ୍ଭୁତ କଦର୍ଯ୍ୟ ହସରେ ବିଦାୟ ଜଣାଇଲେ । ସାବରେ ଶାରପେନାର ଇତି ମଧ୍ୟରେ ଶୋଇ ପଡ଼ିଥିଲା । ରେଚ୍ ଓ ମଲି ନରମ ସୋଫା ଭିତରେ ଡୁବିଯାଇ ଖାଲି ନିଜ ନିଜ ଭିତରେ ମତ୍ତ ହୋଇ ଯାଇଥିଲେ । ଏବେର ଓ ଲାଉଶେର ସେହି ପ୍ରବଳ ବର୍ଷା ଭିତରେ ବାହାରି ଆସି ଜନଶୂନ୍ୟ ଅନ୍ଧକାର ରାସ୍ତାରେ ଚାଲିବାକୁ ଲାଗିଲେ । ‘ଲୁୟେନ’ ବନ୍ଦ ହୋଇ ଯାଇଥିଲା । ଆଉ କୌଣସି ପାନଶାଳା ଭିତରକୁ ପଶିବା ପାଇଁ ସେମାନଙ୍କର ଇଚ୍ଛା ହେଲା ନାହିଁ । ଘଡ଼ିରେ ତିନିଟା ବାଜିଲା ।

 

ଚାଲୁଁ ଚାଲୁଁ ଅଧୈର୍ଯ୍ୟ ହୋଇ ଏବେର ଚିତ୍କାର କଲା—ଚାଲ, ଶୀଘ୍ର ଘରକୁ ଫେରିଯିବା-

 

ଲାଉଶେର ମଝି ରାସ୍ତାରେ ଠିଆ ହୋଇ ଯାଇ ଥରେ ଚାରି ଆଡ଼କୁ ଅନାଇଲା, ଏବଂ କହି ପକାଇଲା—ନାଁ, ମୁଁ ଯିବି ନାହିଁ । ସବୁ ଲୋକ ଯେମିତି ମରି ହଜି ଗଲେଣି । ଲୋକମାନେ ଏତେ ସହଳ ଶୋଇ ପଡ଼ିଲେଣି କେମିତି ?

 

—ଆସ, ଚାଲି ଆସ, ଆମେ ବି ଶୋଇ ପଡ଼ିବା ।

 

—ଶୋଇବା ? ନା । ତାହା ହୋଇ ପାରିବ ନାହିଁ ।

 

କବି ଲାଉଶେର ନିଜ ବନ୍ଧୁର ବଡ଼ ବଡ଼ ମାତାଲ ଆଖି ଆଡ଼କୁ ଅନାଇ ପଚାରିଲା—ଏବେର, ଏକ୍ଷଣି ନିଶ୍ଚୟ ତୁମର ‘ପୃଥିବୀ ରସାତଳକୁ ଯାଉ’ ବୋଲି କହିବାକୁ ଖୁବ୍ ଇଚ୍ଛା ହେଉଛି ନା ?

 

—ସେଥିରେ କିଛି ଯାଏ ଆସେ ନାହିଁ । ଚାଲ, ଆମେ ବରଂ ସୋୟାତ୍‍ର୍ସଭାଣ୍ଡେରକୁ ଯିବା ।

 

—ମୋ ପକ୍ଷରେ ଏକା କଥା ତାହା । ହେଉ, ଚାଲ ।

 

ସେହି ଦୁହେଁ ପାନଶାଳା ଭିତରକୁ ପଶିଯାଇ ‘ଗିଲ୍‍କା’ ପାଇଁ ବରାଦ ଦେଲେ । ଏବେର କ୍ରମେ କ୍ରମେ ଯେମିତି ନିଜର ବନ୍ଧୁର ପ୍ରଭାବରେ ମନମରା ହୋଇ ଯାଇଥିଲା । ନିରାଶ, ଅତୃପ୍ତ ଓ ଅର୍ଦ୍ଧମୃତ ଦୃଷ୍ଟି ଦ୍ୱାରା ସେହି ଦୁଇ ଜଣ ନିଜ ନିଜର ଚୁରୁଟ ଓ ଧୂଆଁପୂର୍ଣ୍ଣ ଘରଟାକୁ ନିରର୍ଥକ ଦେଖୁଥିଲେ । ନିଶାଚର ପେଚା ଭଳି ତିନି ଜଣ କିମ୍ଭୁତ କିମାକାର ଲୋକ କଫି ଟେବୁଲ ଉପରେ ଗୁଲି ଖେଳୁଥିଲେ । କାଫେର ପରିଚାରିକା ଗୋଟିଏ ପାଖରେ ଅକାତରେ ନିଦରେ ଶୋଇ ପଡ଼ିଥିଲା । ଗୋଟାଏ ମାଛି ଗ୍ୟାସ ପାଇପ ଉପରେ କ୍ରମାଗତ ଚାଲି ଚାଲି ଯାଉଥିଲା, ଯେ କୌଣସି ମୁହୂର୍ତ୍ତରେ ଗ୍ୟାସର ନିଆଁ ଭିତରେ ପଡ଼ି ଯାଇପାରେ । ସେତେବେଳେ ବି ଝରକାର କାଚରେ ପ୍ରବଳ ବର୍ଷାର ବାଜଣା ଶୁଭୁଥିଲା ।

 

ପ୍ରାୟ ଘଣ୍ଟାଏ ନୀରବ ରହିଲା ପରେ ଏବେର କହିଲା—କିନ୍ତୁ ଆମର ଏତେ ଭାବ-ପ୍ରବଣ ହେବା ଆଦୌ ଉଚିତ୍ ନୁହେଁ ।

 

କଥା ପଦକ କହି ଦେଇ ସେ ‘ଗିଲ୍‍କା’ର ଗିଲାସଟା ଏକା ଢୋକକେ ଶେଷ କରିଦେଲା-

 

ଖାଇ ସାରି ସେମାନେ ପୁଣି ବାହାରିଲେ । ଏଥର ସେମାନେ ଜଡ଼େନ ୟାଲିର ଗଡ଼ାଣିଆ ରାସ୍ତାରେ ଚାଲିବାକୁ ଆରମ୍ଭ କଲେ । ‘ଡାଲଫିସ’ କାଫେ ନିକଟରେ ପହଞ୍ଚିଯିବାରୁ, ସେମାନେ ଦେଖିଲେ ଯେ ଦୋକାନରେ କବାଟ ପଡ଼ୁଛି । ପୁରୁଣା ୟାମାର ପୋଲ ପାଖକୁ ଆସି ଦୁହେଁ ଠିଆହେଲେ ।

 

ଏବେର ପ୍ରସ୍ତାବ କଲା—ବାମ ଆଡ଼କୁ ଯିବା ଚାଲ ।

 

ପୋଲ ଉପରେ ଗଲେ ସବୁ ଠାରୁ କମ୍ ବାଟ ପଡ଼ିବ—ଲାଉଶେରର କର୍କଶ କଣ୍ଠ-ସ୍ୱରରେ ଏବେରର ପତଳା ଗଳା କୁଆଡ଼େ ଚାପା ପଡ଼ିଗଲା ।

 

ପୋଲର ଏ ପଟକୁ ଚାଲି ଆସିବା ମାତ୍ରେ, ଘାଟ କତିରେ କାହାକୁ ଯେମିତି ପଡ଼ି ରହିଥିବାର ଦେଖାଗଲା । ନଦୀ-ଘାଟର ପାହାଚରେ ମୁଣ୍ଡ ରଖି ଲୋକଟି ଶୋଇଥିଲା । ଲୋକଟିର ବେପରବାୟ ଶୋଇବାର ଭଙ୍ଗୀ ଦେଖି, ଏବେର ହସି ପକାଇଲା ।

 

—ବାଃ, ଖୁବ୍ ଗାଢ଼ ନିଦରେ ଶୋଇ ପଡ଼ିଛି ତ !

 

—ବୋଧହୁଏ ନାମଜାଦା କ୍ଳବ୍‍ରୁ ଦାମୀକା ମାଲ ଖାଇ ଫେରୁଥିଲା । କାଲି ନିଦ ଭାଙ୍ଗିଲେ ଏହି ହଟ୍ଟ ମନ୍ଦିରର ଶୟନ ତାହାକୁ ଖୁବ୍ ଚମକାଇଦେବ ଯେ ।

 

ହଠାତ୍ ଲୋକଟି ଆଡ଼କୁ ଅନାଇ ଦେଇ, ଏବେର ଚିତ୍କାର କଲା—ହାୟରେ ଭଗବାନ-! ଏ ତ ରେଚ୍ । ସାରା ୟୁରୋପରେ ଏକମାତ୍ର ରେଚ୍ ଛଡ଼ା ଅନ୍ୟ କେହି ଏ ଧରଣର ଡ୍ରେସ-କୋଟ୍‍ ପିନ୍ଧନ୍ତି ନାହିଁ !

 

ସେହି ଦୁହେଁ ପାହାଚରେ ଶାୟିତ ମୂର୍ତ୍ତିଟା ପାଖକୁ ଓହ୍ଲାଇଗଲେ । ରେଚ୍ ପାହାଚ ଉପରେ ମଥା ରଖି ଶୋଇ ପଡ଼ିଥିଲା । ଦୁହେଁ ମିଶି ତାହାକୁ ଉଠାଇଲେ । ରେଚ୍‍ର ମୁଖ ସାରା ଶୁଖିଲା କଳା ରକ୍ତ ଦେଖାଗଲା ।

 

ଇସ୍, ଖୁବ୍ କଦର୍ଯ୍ୟ ଭାବରେ ପଡ଼ି ଯାଇଛି, ବିଚରା—ଏବେରରେ କଥା ଶେଷ ନ ହେଉଣୁ ପାହାଚରେ ଗୋଟାଏ କିଛି ପଡ଼ିବାର ଶବ୍ଦ ଶୁଣାଗଲା । ରେଚ୍‍ର ଶକ୍ତି ମୁଠାରୁ ପଥରରେ ବନ୍ଧା ହୋଇଥିବା ଘାଟ ଉପରେ ଥଣ୍ଡା ପିସ୍ତଲଟା ଖସି ପଡ଼ିଲା । ଠିକ୍ ସେତିକିବେଳେ ସେହି ଦୁଇ ଜଣ ରେଚ୍‍ର ଡାହାଣ କପାଳରେ ବସିଥିବା ଗୁଳିର କଳା ଦାଗଟା ଏକ ସମୟରେ ଦେଖି ପାରିଲେ-

 

ଲାଉଶେର ଦିଆସିଲି ମାରିଲା ।

 

ତୁମେ ଏଠାରେ ଥାଅ, ଲାଉଶେର, ମୁଁ ଯାଇ ପୋଲିସକୁ ଡାକି ଆଣେ—କୌଣସି ମତେ ଏବେର ଏତିକି କଥା କହି ପାରିଲା ।

 

ନା, ନା, ମୋତେ ସବୁ କିଛି କହିବାକୁ ଦିଅ—ହଠାତ୍ କେଉଁଠୁ ଗୋଟାଏ ତୀକ୍ଷଣ ସ୍ଵର ଭାସି ଆସିଲା ।

 

ସେମାନେ ଚମକି ପଡ଼ି ଦେଖିଲେ, ସେହି ଦୀର୍ଘକାୟ ଶୀର୍ଣ୍ଣ ଆଗନ୍ତୁକ ଜଣକ, ଯେ ପ୍ରତି ଷାଣ୍ମାସିକ ପରୀକ୍ଷା ପରେ ଟୁବିଙ୍ଗେନକୁ ଆସନ୍ତି, ପାହାଚ ବାଟେ ଯେମିତି ନଦୀର ଉପରକୁ ଉଠି ଆସୁଛନ୍ତି । ପାଖକୁ ଆସି, କପାଳରେ ହାତ ଛୁଆଁଇ ସେ ଯେମିତି ଦୁଇ ବନ୍ଧୁଙ୍କୁ ସଲାମ କଲେ । ତା ପରେ ସେ ଗୋଟାଏ ଅଦ୍‍ଭୁତ ହିଂସ୍ର ହସ ହସିଲେ । ବରଫ ଭଳି ଶୀତଳ ତାଙ୍କର ଦୁଇ ଆଖିରେ ସେ ଟୁବିଙ୍ଗେନ ବିଶ୍ୱବିଦ୍ୟାଳୟର ସେହି ଦୁଇ ଜଣ ହତବୁଦ୍ଧି ଛାତ୍ରଙ୍କ ଆଡ଼କୁ ଚାହିଁଲେ । ସେମାନଙ୍କର ସମସ୍ତ ମେରୁଦଣ୍ଡ ଯେମିତି ଭୟରେ ପଥର ହୋଇଗଲା । ସେହି ଦୁର୍ଦ୍ଧର୍ଷ ରାତିରେ ହଠାତ୍ ଜ୍ଞାନଶୂନ୍ୟ ହୋଇ ସେମାନେ ଦିଗବିଦିଗ ଦଉଡ଼ିବାକୁ ଲାଗିଲେ ।

 

ପର ଦିନ ଲାଉଶେରର ଗୃହକର୍ତ୍ତ୍ରୀ ଲାଉଶେରକୁ ନିଦରୁ ଉଠାଇ ତାହାର ଟେବୁଲରେ ଗରମ କଫିର ପାତ୍ରଟା ରଖୁଁ ରଖୁଁ କହିଲା—ମିଷ୍ଟାର ଲାଉଶେର, କାଲି ଗୋଟାଏ ନିଦାରୁଣ ଦୁର୍ଘଟଣା ଘଟିଛି । ଶୋଚନୀୟ ମର୍ମନ୍ତୁଦ କାଣ୍ଡ । ଜଣେ ଛାତ୍ର ୟାମାର ନଦୀ-ଘାଟରେ ଆତ୍ମହତ୍ୟା କରିଛି ।

☆☆☆

 

ଜୀବନ ମରଣ

 

ମୋ ଗପର ନାୟକର ଏକ ଅଦ୍ଭୁତ ନାମ ଦେବାରେ ଅବଶ୍ୟ ଗୋଟାଏ କାରଣ ଅଛି । ବୋଧହୁଏ ଏହି ନାମ ପାଇଁ ଅନେକ ପାଠକ ଗପ ପ୍ରତି ଆକୃଷ୍ଟ ହେବେ ଏବଂ କେହି କେହି ଭାବି ବି ପାରନ୍ତି, ‘ବାଃ, ଖାସା ମଜା ଗପ ତ ।’ ତାହା ନ ହେଲେ ମୁଁ ଖାଲି ଏନ୍. ଏନ୍. କହି କାମ ଚଳାଇ ଦେଇ ପାରି ଥାଆନ୍ତି । କବରଦେବା ବେଳେ ଧର୍ମୀୟ ଆଚାର ଅନୁଷ୍ଠାନରେ ମୃତ ଲୋକର ନାମ ଦରକାର ହୁଏ । ଏହି ଗପର ନାୟକ ମରିଗଲାରୁ ସେପରି ଅନୁଷ୍ଠାନ ହୋଇଥିଲା ସତ; କିନ୍ତୁ ଯେତେବେଳେ ତାହାର ନାମର କୌଣସି ପ୍ରୟୋଜନ ପଡ଼ି ନ ଥିଲା । ସତ କଥା କହିବାରେ ମୋର ଆପତ୍ତି ନାହିଁ । ମୁଁ ବୋଧହୁଏ ଏହି ଲୋକଟିର ଠିକ୍ ନାମ ଜାଣି ନ ଥିଲି, କିମ୍ବା ଜାଣିଥିଲେ ବି ଭୁଲି ଯାଇଛି । କିନ୍ତୁ ସେଥିରେ ଗପର କୌଣସି କ୍ଷତି ନାହିଁ । କାରଣ ଆପଣମାନେ ହୁଏତ ଲକ୍ଷ୍ୟ କରିଛନ୍ତି ଯେ ମୋର ଗପର ନାୟକର ନାମ ଉପରେ ବି ଆଉ ଗୋଟାଏ ନାମ ଅଛି ଏବଂ ଗପ ପାଇଁ ନାୟକର ନାମ ଠାରୁ ସେହି ନାମଟିର ଦରକାର ବରଂ ବେଶି । ଏ କଥା ଗପଟି ପଡ଼ିସାରିଲା ପରେ ଆପଣମାନେ ନିଶ୍ଚୟ ସ୍ଵୀକାର କରିବେ ।

 

ଗପଟି ନିଶ୍ଚୟ ବଡ଼, ଖୁବ୍ ବଡ଼ । ଗପଟି ଭାବିଲା ବେଳେ ମୁଁ ନିଜେ ଏହାର ଦୈର୍ଘ୍ୟର କଥା ଚିନ୍ତା କରି କେତେ ଥର ପଛେଇ ଯାଇଛି । .....କିନ୍ତୁ ଗପଟିର ସୂତ୍ରପାତ ହୋଇଥିଲା ଗୋଟିଏ ଛୋଟ ସ୍ୱରକୁ କେନ୍ଦ୍ର କରି । ପୂରା ସଙ୍ଗୀତ ନୁହେଁ, ବରଂ ସଙ୍ଗୀତର ଶେଷାଂଶର ସ୍ଵରକୁ ଘେନି ଏହି ଗପର ଜନ୍ମ । ଅନ୍ୟ ଅଂଶଟି ଖୁବ୍ ବଡ଼ । ଏତେ ବଡ଼ ଯେ କୌଣସି ପ୍ରସିଦ୍ଧ ସୁରକାରଙ୍କ ରଚିତ ସଙ୍ଗୀତର ଶେଷ ଭାଗ ବୋଲି ଚଳି ଯାଇପାରେ । ସଙ୍ଗୀତ-ଶିଳ୍ପ ସମ୍ବଦ୍ଧରେ ମୋର ଧାରଣା ଅତିଶୟ ଉଚ୍ଚ । ତେଣୁ ଏହି ସ୍ଵରଟା ଆଣି ମୁଁ ମୋର ଜଣେ ବନ୍ଧୁଙ୍କୁ ଦେଇଥିଲି । ମୋର ବନ୍ଧୁ ଜଣକ ଖୁବ୍ ବଡ଼ ସଙ୍ଗୀତ ରଚୟିତା ହେବେ ବୋଲି ପୁଣି ଆଶା ପୋଷଣ କରିଥିଲେ । ମୁଁ ତାହାଙ୍କୁ କହିଥିଲି, ସେ ଯେମିତି ଏହି ପ୍ରଭାବଶାଳୀ ସ୍ଵରଟି ବ୍ୟବହାର କରନ୍ତି।

 

କିନ୍ତୁ ସେ କଥା ଥାଉ, ଏଥର ମୁଁ ଗପ ଉପରକୁ ଆସେ ।

 

ଛାତ୍ର ଜୀବନରେ ମୁଁ ରେଇକଜାଭିକରେ ଗୋଟିଏ କୋଠାର ତଳ ମହଲାରେ ରହୁଥିଲି-। ତାକୁ ତଳ ମହଲା ନ କହି ଗୋଟାଏ ଗୁଦା କହିଲେ ବରଂ ଭଲ ହେବ । ଗୋଟାଏ ପତଳା କାଠର ପାର୍ଟିସନ୍ ଦେଇ ଘରର ଚୁଲି ଠାରୁ ମୋ କୋଠରୀର ପାର୍ଥକ୍ୟ ନିରୂପିତ ଥିଲା-। ଶୀତ ଋତୁରେ ମୁଁ ଲକ୍ଷ୍ୟ କଲି ଯେ, ବେଶ୍ ଟିକିଏ ରାତି ହେଲେ ସଙ୍ଗୀତର ସ୍ଵରଟା ସେହି ଘରୁ ଭାସି ଆସେ । ଗାୟକର ଗଳାଟା ମୋଟା, ଆଉ ଭଙ୍ଗା ।

 

ଏହି ଗଳାରେ ସେ ଗୀତ ବୋଲୁଥିଲା । ଗୀତ ସରିଗଲେ ବି ମୁଁ କୌଣସି ମତେ ବୁଝି ପାରୁ ନ ଥିଲି ଯେ ଗୀତଟି ପ୍ରକୃତରେ ଶେଷ ହୋଇଗଲାଣି । ମତେ ହେଉଥିଲା, ହୁଏତ ଗାୟକ ଠିକ୍ ଭାବରେ ନିଃଶ୍ୱାସ ନେଇ ପାରୁ ନ ଥିଲା । ଆଉ ମନେ ହେଉଥିଲା, ଗାୟକ ବୋଧହୁଏ ଗୀତ ସହିତ ମରି ଯାଇଛି । ଦିନ ପରେ ଦିନ ଗଡ଼ି ଯିବାକୁ ଲାଗିଲା । ସେହି ଗୀତଟିର ସାମାନ୍ୟ ଅଂଶ ଛଡ଼ା ମୁଁ ଗାୟକ ସମ୍ବନ୍ଧରେ ଆଉ କିଛି ତଥ୍ୟ ସଂଗ୍ରହ କରି ପାରି ନ ଥିଲି । କିନ୍ତୁ କିଛି ଦିନ ପରେ ମଝିରେ ମଝିରେ ଅନ୍ୟ ସ୍ୱରର ଟୁଂ-ଟାଂ ଆବାଜ ମୋ କାନରେ ଆସି ବାଜିବାକୁ ଲାଗିଲା । ଏହି ଆବାଜଟା ଖୁବ୍ ଅସ୍ପଷ୍ଟ ଥିଲା । ମଝିରେ ମଝିରେ ମନେ ହେଉଥିଲା, ଏହି ଟୁଂ-ଟାଂ ଆବାଜ ଭିତରୁ ସଙ୍ଗୀତକାର ଗୋଟାଏ ନୂଆ ସ୍ଵର ସୃଷ୍ଟି କରିବାକୁ ଚାହାନ୍ତି । ଏହା ହେବ ଗୋଟିଏ ସମ୍ପୂର୍ଣ୍ଣ ନୂଆ ସ୍ଵର ଏବଂ ମଝିରେ ମଝିରେ ରହିଥିବା ଦୀର୍ଘ ବିରତି । ସେ ଯାହା ହେଉ, ମୁଁ ବେଶ୍ ବୁଝି ପାରିଥିଲି ଯେ, ସ୍ଵରଟା ସଙ୍ଗୀତକାରଙ୍କର ମନ ଭିତରେ ଜାଗ୍ରତ ରହିଛି । ଗାୟକର ଗଳା ମୋଟା ଓ ଭଙ୍ଗା । ତେଣୁ ସ୍ଵର ଠିକ୍ ଭାବରେ ଖେଳି ଯାଉ ନାହିଁ । ସୁତରାଂ ମନ ଭିତରେ ସେ ଯେଉଁ ସ୍ଵରଟା ଗୁଣୁ ଗୁଣୁ କରୁଥିଲା, ତାକୁ ଠିକ୍ ଭାବରେ ଗଳାରେ ଉଠାଇ ହେଉ ନଥିଲା । କିନ୍ତୁ ଏହାରି ମଝିରେ ମଝିରେ ଆଗ ସଙ୍ଗୀତର ଶେଷ ଅଂଶଟା ବି ବାଜୁଥିଲା । ଏହି ସ୍ୱରଟି ନ ବଜାଇ ସେ ରହି ପାରୁ ନ ଥିଲା । ଏହା ଶୁଣିଲା ମାତ୍ରେ ମୋର ମନେ ହେଉଥିଲା ଯେ ଏହା ଭିତରେ ବିରାଟ ସିମ୍ପନିର ସମ୍ଭାବନା ରହିଛି ।

 

ତେଣୁ ନିତି ଶୀତ ରାତିରେ ସଙ୍ଗୀତକାର ଅଭୁତ ସ୍ତବ୍ଧତାରେ ମୋତେ ଗୀତ ଶୁଣାଉଥିଲେ । ଶେଷକୁ ଗାୟକ ସମ୍ବନ୍ଧରେ ଖୋଜ ଖବର ନେଇ ମୁଁ ଜାଣି ପାରିଲି ଯେ ଏହା ଗାୟକଟି ଆଉ କେହି ନୁହେଁ, ଏ ଘରେ ଯେ ଚୁଲିସବୁ ସଫା କରେ ସେ । ରାତି ଅଧରେ ସେ ଘର ଛାଡ଼ି ଚାଲିଗଲା ।

 

ଦିନେ ସନ୍ଧ୍ୟାବେଳେ ମୁଁ ପାଖ ଘରକୁ ଲୋକଟିର ପାଖକୁ ଗଲି । ସେତେବେଳେ ଚୁଲିରେ ନିଆଁ ଲଗା ହୋଇ ସାରିଥିଲା । ଚୁଲିର ମୁହଁଟା ଦରମେଲା ଥିଲା । ଅନ୍ଧକାରରେ ନିଆଁର ନାଲି ଆଲୁଅ ଆସି ପଡ଼ିଥିଲା, ଆଉ ଚୁଲିର ଠିକ୍ ସାମନାରେ ବସିଥିଲା ନେବୁଚେଦାଞ୍ଜାରସନ । ଏହି ଲୋକଟି ହେଉଛି ମୋର ସେହି ଗୀତର ଗାୟକ, କିନ୍ତୁ ଅନ୍ଧକାରରେ ସେ ଏମିତି ଭାବରେ ବସିଥିଲା ଯେ ମୁଁ ତାହାକୁ ପ୍ରଥମେ ଦେଖି ପାରି ନ ଥିଲି ।

 

ମୁଁ କହିଲି, “ନମସ୍କାର ।”

 

ଅନ୍ଧକାରରୁ ମୋଟା ଭଙ୍ଗା ଗଳାରେ ଜବାବ ଆସିଲା, “ନମସ୍କାର ।”

 

ମୁଁ କହିଲି, “ଏଠି ତ ବେଶ୍ ଗରମ, ଦେଖୁଛି ।”

 

ସେ ଉତ୍ତର ଦେଲା, “ମୁଁ ଚାଲିଲି ।”

 

“ଏଟା ପରା ତୁମର ଘର ?”

 

ସେ ଜବାବ ଦେଲା, “ନା ।”

 

“ନା ? କିନ୍ତୁ କେତେ ଥର ସନ୍ଧ୍ୟା ବେଳେ ମୁଁ ତୁମକୁ ଏହି ଘରେ ବସି ରହି ଗୀତ ଗାଇବାର ଶୁଣିଛି ।”

 

ଅପରାଧୀ ଭଳି ଲୋକଟି ଉତ୍ତର ଦେଲା, “ମୁଁ ଚାଲିଲି ।” ସତକୁ ସତ ଲୋକଟି ଉଠିପଡ଼ି ଠିଆ ହେଲା ।

 

“ନା, ନା, ତୁମେ ମୋରି ପାଇଁ ପଳାଇ ଯାଉଛ । ଯାଅ ନାହିଁ । ମୁଁ ତୁମକୁ ଅନେକ ଦିନ ଗୀତ ବୋଲିବାର ଶୁଣିଛି । ତେଣୁ ଥରେ ମୁଁ ତୁମ ସହିତ ଦେଖା କରିବାକୁ ଆସିଥିଲି ।”

 

ସେ କହିଲା, “ମୁଁ ଗୀତ ତ ବୋଲି ନାହିଁ ।”

 

ପ୍ରତିବାଦ କରି ମୁଁ କହିଲି, “ମୁଁ ତୁମକୁ ଗୀତ ବୋଲିବାର ଶୁଣିଛି ।”

 

ସେ କହିଲା, “ନା, ମୁଁ କେଉଁ ଦିନ ଗୀତ ବୋଲି ନାହିଁ । ମୁଁ ଗୀତ ବୋଲି ପାରେନା ।”

 

“କିନ୍ତୁ ମୁଁ ତୁମ ଗୀତର ସ୍ୱରଟା ଇତି ମଧ୍ୟରେ ଉଠାଇ ନେଇଛି । ଜାଣ ?”

 

ଲୋକଟି ନିଜର ମନ ଭିତରେ କେତେ କଥା ବିଡ଼ ବିଡ଼ ହୋଇ କହୁ କହୁ ଦୁଆର ବାଟେ ସହସା ଖସିଯିବାକୁ ଚେଷ୍ଟା କଲା ।

 

ମୁଁ କହିଲି, “ମୁଁ ଆସି ତୁମକୁ ବିରକ୍ତ କଲି । ବରଂ ମୁଁ ଚାଲି ଯାଉଛି ।”

 

“ମୋତେ ନିଦ ମାଡ଼ିଲାଣି, “କହି ଲୋକଟି ଚାଲିଗଲା ।

 

ଦିନେ ସମୁଦ୍ର କୂଳରେ ଗୋଟାଏ ପିଆନୋ ବାକ୍ସ ମୋର ନଜରରେ ପଡ଼ିଲା । ସେତେବେଳେ ତୁଷାର ଘନ ହୋଇ ପଡ଼ୁଥିଲା । ଶୁଣିଲି, ଏହି ବାକ୍ସ ଭିତରେ ଥାଏ ନେବୁଚେଦାଞ୍ଜାର ନେବୁଚେଦାଞ୍ଜାରସନ । ମନେ ହେଲା, ସେ ଏହି ପିଆନୋ ବାକ୍ସ ଭିତରେ ଥାଏ ବୋଲି ଗୀତ ପ୍ରତି ତାହାର ଏଡ଼େ ବଡ଼ ଆକର୍ଷଣ ଆସିଛି ।

 

ପ୍ରାୟ ସପ୍ତାହେ କାଳ ତାହାର ଆଉ କୌଣସି ସ୍ୱର ଶବ୍ଦ ମିଳିଲା ନାହିଁ ।

 

କିନ୍ତୁ ଇତି ମଧ୍ୟରେ ସେ ହୁଏ ତ ମୋ କଥା ଏକବାରେ ଭୁଲି ଯାଇଛି । ତେଣୁ ସେ ପୁଣି ଗୀତ ବୋଲିବାକୁ ଆରମ୍ଭ କଲା । ସେହି ଏକା ସ୍ୱର ଓ ସେହି ଏକ ଭାବରେ ଶେଷ ହେବା । ମୁଁ ପୁଣି ତାହାର କାମ ପାଖକୁ ଗଲି ।

 

କହିଲି, “ନମସ୍କାର ।”

 

ସେ ଜବାବ ଦେଲା, “ନମସ୍କାର ।”

 

“ତୁମେ ଗୀତ ବୋଲୁଛ ?” ମୁଁ ପଚାରିଲି ।

 

ସେ ଜବାବ ଦେଲା, “ନା ।”

 

ମୁଁ ପୁଣି ପଚାରିଲି, “ଏହି ସ୍ୱର ତୁମେ କେଉଁଠୁ ଶିଖିଛ ?”

 

“ସ୍ୱର ? ସ୍ୱର କେଉଁଠି ଦେଖିଲେ ? ଆଦୌ ସ୍ୱର ନୁହେଁ ।

 

“କିନ୍ତୁ ତୁମେ ତ ବରାବର ଗୋଟାଏ ଗୀତ ବୋଲୁଛ ।”

 

“ମୁଁ ଗୀତ ବୋଲି ନାହିଁ । ମୁଁ ଗୀତ ବୋଲି ପାରେ ନା ।”

 

ଗୁଣ୍ ଗୁଣ୍ କର ?”

 

କିଛି କ୍ଷଣ ପରେ ସେ କହିଲା, “ଦିନେ ଗୀତ ବୋଲିବାକୁ ମୋର ଖୁବ୍ ମନ ହେଉଥିଲା-। କିନ୍ତୁ ତାହା ତ ଢେର୍ ଦିନ ତଳର କଥା । ଆଜିକାଲି ସେ ସବୁ କଥା ମୁଁ ଆଦୌ ଭାବେ ବି ନାହିଁ-I ମୁଁ ଚୁଲି ଲଗାଇ ଠିକ୍ ଭାବରେ କୋଇଲା ଢାଳି ଦେଇ ଏଠାରେ କିଛି ସମୟ ବସି ରହେ-। ଏହା ଛଡ଼ା ମୁଁ ଆଉ କିଛି କରେ ନାହିଁ । ହଉ, ମୁଁ ଏକ୍ଷଣି ଯାଉଛି ।”

 

ମୁଁ ପଚାରିଲି, “ତୁମର ଘର କେଉଁଠି ?”

 

“ପଶ୍ଚିମରେ ।”

 

“ପଶ୍ଚିମରେ କେଉଁଠି ?”

 

“ଓଲାକ୍‍ସ୍‍ଭିଗରେ । ”

 

“ଜାଗାଟା କଣ ଭଲ ?”

 

“ସମୁଦ୍ର ଭାରି ଅଶାନ୍ତ I ଅନ୍ୟ ଜାଗାରେ ଯେମିତି, ଏଠାରେ ବି ସେମିତି ।”

 

“ପଶ୍ଚିମରେ ତୁମର ଆତ୍ମୀୟ-ସ୍ଵଜନ ଅଛନ୍ତି ବୋଧହୁଏ ?”

 

“କେହି ନାହାନ୍ତି I ସମସ୍ତେ ମରି ଗଲେଣି ।”

 

“ତୁମେ ସେଠାରେ କି କାମ କରୁଥିଲ ?”

 

“କଅଣ କରୁଥିଲି ? ତା’ର କଅଣ କିଛି ଠିକ୍ ଠିକଣା ଅଛି ? କେତେବେଳେ ସମୁଦ୍ରକୁ ଯାଇଛି, କେତେବେଳେ ବିଲରେ ଖଟିଛି I ଯେତେବେଳେ ଯେମିତି କାମ ଜୁଟୁଛି, ସେତେବେଳେ ତାହା କରିଛି ।”

 

“ଏଠାକୁ ତୁମେ କାହିଁକି ଆସିଲ ?”

 

ଅନେକ ବେଳ ଯାଏ ସେ କୌଣସି ଉତ୍ତର ଦେଲା ନାହିଁ । ଶେଷରେ ସେ କହିଲା, “ପଶ୍ଚିମ ସହିତ ମୋର ସମ୍ବନ୍ଧ ବହୁ ଦିନରୁ ତୁଟି ଯାଇଛି । ପଶ୍ଚିମ ସହିତ ସମ୍ବନ୍ଧ ତୁଟି ଯାଇଛି ।”

 

ମୁଁ କହିଲି, “ଏହି ସହରକୁ ଆସି ତୁମେ ଭଲ କରିଛ, ଖୁବ୍ ଭଲ କରିଛ । ମୋର କଣ ମନେ ହୁଏ ଜାଣ ? ଏହି ସହରଟା ଦେଶ ଭିତରେ ସବୁଠାରୁ ଭଲ ଜାଗା ।”

 

ଚୁଲି ସାମନାରେ ଗୋଟାଏ ବାକ୍ସ ଉପରେ ସେ ବହୁ କ୍ଷଣ ଚୁପ୍‍ ହୋଇ ବସି ରହିଲା । ଏଥର ଏହି ଘରେ ଆଲୁଅ ଜଳୁଥିଲା । ଅଳ୍ପ ଆଲୁଅ ଘର ଭିତରେ ଖେଳେଇ ହୋଇ ପଡ଼ିଥିଲା । ଲୋକଟିର ଜୋତା ଛିଣ୍ଡା, ସେଥିରୁ ପାଦର ଆଙ୍ଗୁଳି କେତୁଟା ବାହାରି ଆସିଛି । ସେ ଏକ ମନରେ ଛିଣ୍ଡା ଜୋତା ଦେଖୁଥିଲା ।

 

ଟିକିଏ ପରେ ସେ କହିଲା, “ଏହି ସହରକୁ ଆସି ପ୍ରଥମ ରାତିଟା କବରଖାନାରେ କଟାଇଥିଲି ।”

 

ତାହାକୁ ଟିକିଏ ତତାଇ ଦେବା ପାଇଁ ମୁଁ ଉଚ୍ଛ୍ଵସିତ ହୋଇ କହି ପକାଇଲି, “ସତେ ? ରାତି କଟାଇଥିଲ ? ଅନେକ ଲୋକ ଅବଶ୍ୟ ଅନେକ ରାତି ସେହି ଜାଗାରେ କଟାଇବେ ।”

 

ସେ କହିଲା, “ଠିକ୍ I”

 

ତାହାର ଗାଲ ଖୁବ୍ ଭାରୀ । ଲାଲ୍ ଦାଢ଼ି I ଅନେକ ଦିନ ହେଲା ଦାଢ଼ିଟାର କୌଣସି ଯତ୍ନ ବି ନିଆ ହୋଇ ନାହିଁ ।

 

ମୁଁ କହିଲି, “ତୁମର ଜୋତାର ଅବସ୍ଥା ତ ଖୁବ୍ ଖରାପ ।”

 

“ସେଥିପାଇଁ କିଛି ଯାଏ ଆସେ ନାହିଁ । ଦୁଇଟା ବର୍ଷ ତ ଗଲା । ଭଣ୍ଟାସମାରି ପାଖରେ ସେଟା ପାଇଥିଲି, କେହି ବୋଧହୁଏ ଭୁଲରେ ଛାଡ଼ି ଯାଇଥିଲା ।”

 

ଚୁଲି ପଛରେ ଗୋଟାଏ କଣ୍ଟାରେ ତାହାର ଟୋପିଟା ଝୁଲୁଥିଲା । ଯିବା ଲାଗି ଉଠିପଡ଼ି ଠିଆ ହୋଇ ସେ ଟୋପିଟା କାଢ଼ି ଦେଲା । ସାଧାରଣତଃ ବ୍ୟବସାୟୀମାନେ ଏହି ଧରଣର ଟୋପି ପିନ୍ଧି ଥାଆନ୍ତି; କିନ୍ତୁ ଟିକିଏ ପୁରୁଣା ହୋଇଗଲେ ଫିଙ୍ଗି ଦିଅନ୍ତି । ପୁରୁଣା ହୋଇଗଲେ ଏହିସବୁ ଟୋପିର ଧାରରୁ ସୂତା ଉଠିଯାଏ । କେବେ କେବେ ପିଲାମାନେ ଟୋପିର ଠିକ୍ ମଝି ଜାଗାରେ କଣା କରି ଦିଅନ୍ତି ।

 

ମୁଁ କହିଲି, “ଟୋପିଟା ଟିକିଏ ଦେଖିପାରେ ?”

 

ଟୋପିର ମଝିଟା କଣା । ବଡ଼ କଣା । ପିଲାଙ୍କର ହାତ ଗଳିଯାଇପାରେ ।

 

ଟୋପିଟା ଟେକି ଧରି କଣାର ମଝିରେ ଆଖି ରଖି ଛାତକୁ ଅନାଇ ମୁଁ କହିଲି, “ଟୋପିଟା ଯେ ଯିବା ଉପରେ—ଟୋପିଟା ଦିନେ ଖୁବ୍ ସୌଖୀନ ଥିଲା ।”

 

ମୁଁ ତାହାକୁ ଟୋପିଟା ଫେରାଇ ଦେଲି । ଦେଖିଲି, ସେ ଠିକ୍ ମୋରି ପରି ଟୋପିର କଣା ବାଟେ ଛାତ ଦେଖୁଛି ।

 

ଟିକିଏ ରାଗିଲା ସ୍ୱରରେ ସେ ପଚାରିଲା, “ଟୋପିର କଣା ବାଟେ ସମସ୍ତେ କଅଣ ଭଗବାନଙ୍କୁ ଦେଖି ପାରନ୍ତି ?” ଲକ୍ଷ୍ୟ କଲି, ତାହାର ମୁହଁରେ ଗୋଟାଏ ମାତ୍ର ଦାନ୍ତ ଅଛି ।

 

ଦେଖୁଁ ଦେଖୁଁ ବସନ୍ତ ଋତୁ ଆସିଗଲା । ଖୁବ୍‍ ସୁନ୍ଦର ସମୟ । ଏହି ସମୟରେ ଝରକା ବାଟେ ବଡ଼ ରାସ୍ତା ଆଡ଼କୁ ଅନାଇଁ ରହିବା ଖୁବ୍ ମଜା । ଅତି ନଗଣ୍ୟ ତୁଚ୍ଛ ଜିନିଷସବୁ ମନ ଦେଇ ନିଠେଇ କରି ଦେଖିବାକୁ ଭାରି ଭଲ ଲାଗେ, ଆଉ ପରୀକ୍ଷା ଆଗରେ ଥିଲେ ତ କଥା ନାହିଁ । ସେତେବେଳେ ତ ଏଗୁଡ଼ାକ ଦୁର୍ନିବାର ଆକାଙ୍କ୍ଷା ହୋଇପଡ଼େ । ରାସ୍ତାରେ ଯେଉଁସବୁ ଛୋଟ ଛୋଟ ଘଟଣା ଘଟେ, ସେ ସବୁର ଗୁରୁତ୍ୱ ଓ ଅର୍ଥ ଯେମିତି ଠିକ୍ ସମୟରେ ପରିଷ୍କାର ବୁଝାଯାଏ ।

 

ଦିନେ ଏ କୋଠାର ମଝି ମହଲାର ଗୋଟାଏ କୋଠରୀରେ ନୂଆ ପରିବାରଟିଏ ଆସି ରହିଲେ । କିଏ ଆସୁଛି ବା ଯାଉଛି, ସେଥିର ମୁଁ ଆଦୌ ବିବ୍ରତ ହୁଏ ନାହିଁ, କିନ୍ତୁ କୌଣସି ମତେ ଏହି ନୂଆ ପରିବାରଟିର ଆସିବା ଖବର ମୁଁ ପାଇଗଲି । ଏମାନେ ସ୍ୱାମୀ-ସ୍ତ୍ରୀ, ଆଉ ସେମାନଙ୍କର ଗୋଟିଏ ଝିଅ । ଦେଖିଲେ ମନେ ହୁଏ, ଝିଅଟିର ବୟସ ଆଠ ବର୍ଷରୁ ବେଶି ନୁହେଁ । ତାହାର ନାମ ଲିଲି । ଝିଅଟିକୁ ଦେଖି ମୁଁ ଠଉରେଇ ନେଲି ଯେ ତାହାର ବାପ-ମାଆ ଠିକ୍ ସହରୀ ନୁହନ୍ତି । କାରଣ ଝିଅଟିର ମଥାରେ ବେଣୀ, ପାଦରେ ସୁନ୍ଦର ପଶମ ମୋଜା । ଠିକ୍ ମୋ ଝରକା କତିରେ ଅଗଣାରେ ଆଉ କେତୋଟି ଝିଅଙ୍କ ସାଙ୍ଗରେ ଲିଲି ଖେଳୁଥିଲା । ଝିଅଟିର ମାଆ ନିଜ ଘରର ଝରକା ଭିତରୁ ବାରମ୍ବାର ନଇଁପଡ଼ି ତାହାକୁ ଡାକି ନାନା ରକମ ଆଦେଶ ଉପଦେଶ ଦେଉଥିଲା । ବୁଝିଲି, ମାଆ ଝିଅଟିକୁ ଖୁବ୍‍ ଭଲ ପାଏ ।

 

“ରାସ୍ତାରେ ଗାଡ଼ି ଆସୁଛି, ଦେଖ । ମାତାଲ ଆସୁଛି, ଘରକୁ ଚାଲିଆ । କୁକୁର, କୁକୁର, ଘୁଞ୍ଚିଯାଆ । ଲିଲି, ଲିଲି, ପୋଲିସ ଆସୁଛି ।”

 

ମାଆ ଝରକା ବାଟେ ଏହି ଉପଦେଶ ଦେଉଥାଏ । ଅଥଚ ଏ ସହରର ପ୍ରତ୍ୟେକ ଘରର ଅଗଣା ଆବଦ୍ଧ । ପୁରୁଣା ପଥରରେ ପାଚେରୀ ତିଆରି ହୋଇଥିଲା । ରାସ୍ତାର ସେ ପଟେ କଞ୍ଚା ପରିବା ବଗିଚା । ସେ ଆଡ଼ଟା ବି ଘେରା । ଆଉ ରାସ୍ତାଟା ଖୁବ୍‍ ନିର୍ଜନ କହିବାକୁ ହେବ । ପାଚେରୀ ଉପରେ ବସି ବସନ୍ତର ଖରା ପୋହୁଁ ପୋହୁଁ ନେବୁଚେଦାଞ୍ଜାର ନେବୁଚେଦାଞ୍ଜାରସନ ଅଗଣାରେ ପିଲାମାନଙ୍କର ଦୌଡ଼ାଦୌଡ଼ି ଦେଖୁଥିଲା । ବିଶୃଙ୍ଖଳ ଦାଢ଼ି ଥିବା ସତ୍ଵେ ବୁଝା ଯାଉଥିଲା ଯେ, ସେ ବି ବିହ୍ୱଳ ହୋଇ ଖେଳ ଦେଖୁଛି । ଦିନ ସାରା ହଟଗୋଳ ପରେ ପିଲାମାନେ କ୍ଳାନ୍ତ ହୋଇ ପଡ଼ିଥିଲେ । ସେମାନଙ୍କୁ ଭୋକ ବି ଲାଗୁଥିଲା । ସେଥିପାଇଁ କେହି କେହି ନିଜ ନିଜର ଘରକୁ ପଳାଇଗଲେ । ଲିଲି ଏକା ଅଗଣାରେ ଖେଳରେ ମାତିଥିଲା । ସେତିକିବେଳେ ନେବୁଚେଦାଞ୍ଜାର ନେବୁଚେଦାଞ୍ଜାରସନ ଡାକିଲା, “ଲିଲି, ଲିଲି ।”

 

ଲିଲି ଏମିତି ଭାବ ଦେଖାଇଲା, ଯେମିତି ସେ ଡାକଟ ଶୁଣି ପାରି ନାହିଁ, ସତେ ଯେମିତି ଖେଳରେ ଏତେ ମତ୍ତ ଯେ ଅନ୍ୟ କେଉଁ ଆଡ଼େ ନଜର ଦେବାକୁ ତାହାର ତିଳେ ହେଲେ ଫୁର୍‍ସତ ନାହିଁ । ତେଣୁ ନେବୁଚେଦାଞ୍ଜାର ନେବୁଚେଦାଞ୍ଜାରସନ ପୁଣି ଡାକିଲା, “ଲିଲି, ଲିଲି।”

 

ଏଥର ବି ସେ ନ ଶୁଣିବାର ଛଳନା କଲା, କିନ୍ତୁ ମାଆ ନିକଟରେ ଅଛି କି ନା ଦେଖିବା ପାଇଁ ସେ ଥରେ ଘରର ଝରକା ଆଡ଼କୁ ଚାହିଁ ଦେଲା—ମାଆ ତା ନିକଟରେ ନାହିଁ, ଏକ୍ଷଣ ହାଣ୍ଡିଶାଳରେ କାର୍ଯ୍ୟବ୍ୟସ୍ତ ।

 

ପାଚେରୀ ଉପରେ ବସି ରହି ସେ କହିଲା, “ମୋର ବୁଢ଼ୀ ମାଆ ଲିଲି, ଆଜି କଅଣ ନେବୁଚେଦାଞ୍ଜାର ନେବୁଚେଦାଞ୍ଜାରସନ ସାଙ୍ଗରେ ପଦେ କଥା କହିବ ନାହିଁ ? “ଏଥର ସେ ପକେଟରୁ ଗୋଟାଏ କାଗଜ ପୁଡ଼ିଆ ବାହାର କଲା । ଏହି ପୁଡ଼ିଆଟି ସେ ଏତେବେଳ ଯାଏ ଖୁବ୍ କାଇବାରେ ଲୁଚାଇ ରଖିଥିଲା । ପୁଡ଼ିଆ ଦେଖିଲା କ୍ଷଣି ଝିଅଟି ରାସ୍ତା ଟପି ତା ଆଡ଼କୁ ଚାଲି ଆସିଲା । ତଥାପି ତାହାର ମୁଖରେ ସଂଶୟର ଛୟା ପଡ଼ିଥିଲା । ସେ ହାତ ଦୁଇଟି ପଛରେ ଛନ୍ଦ ରଖିଥିଲା । ଲିଲି ଥରେ କାଗଜ ପୁଡ଼ିଆ ଉପରେ ଦୃଷ୍ଟି ପକାଇଲା ଏବଂ ତହିଁ ସଙ୍ଗେ ସଙ୍ଗେ ଉପର ଘରର ଝରକା ଆଡ଼କୁ ବି ଅନାଇଲା । କାଗଜ ପୁଡ଼ିଆରେ କିସମିସ୍ ଥିଲା । କିନ୍ତୁ ଲିଲି ଏମିତି ଭାବରେ ଅନାଇଲା, ଯେମିତି ସେ କିସମିସ୍ ଦେଖି ଆଦୌ ଅବାକ୍‍ ହୋଇଯାଇ ନାହିଁ ଏବଂ ଏଗୁଡ଼ିକ ପାଇଁ ତାହାର ତିଳେ ହେଲେ ଆଗ୍ରହ ନାହିଁ । କିଛି କ୍ଷଣ ପରେ ଦେଖାଗଲା ଯେ, ଦୁହେଁ ଯାକ ପାଚେରୀ ଉପରେ ବସି କିସମିସ୍ ଖାଉଛନ୍ତି । ଲିଲି କେତେଗୁଡ଼ିଏ ପାଟିରେ ପୂରାଉଛି ଏବଂ ମଝିରେ ମଝିରେ ଗୋଟାଏ ଦୁଇଟା ଦାନ୍ତରେ କାମୁଡ଼ୁଛି । ପାଚେରୀ ଉପରେ ବସି ଗୋଡ଼ ହଲାଇ ହଲାଇ କିସମିସ୍ ଖାଉଁ ଖାଉଁ ଲିଲି ତାହାର ବିଶୃଙ୍ଖଳ ଦାଢ଼ିଟା ଆଡ଼କୁ ମଝିରେ ମଝିରେ ତୀକ୍ଷ୍ଣ ସମାଲୋଚକର ଭଙ୍ଗୀରେ ଅନାଉଛି । ତା ପରେ ଲିଲି ପାଚେରୀରୁ ଓଲ୍ଲାଇପଡ଼ି ତାହା ସାମନାରେ ଖେଳିବାକୁ ଲାଗିଲା । ତାହାର ମାଆ ତାହାକୁ ଡାକିଲା ଖାଇବାକୁ ଯିବାକୁ ହେବ; କିନ୍ତୁ ଲିଲି ଉଛୁର କରି ଗଲା । ସେତେବେଳେ ବି କାଗଜ ପୁଡ଼ିଆରେ କିଛି ଥିଲା ।

 

ଏହିପରି ଭାବରେ ବସନ୍ତଟି କଟିଗଲା । ନେବୁଚେଦାଞ୍ଜାର ନେବୁଚେଦାଞ୍ଜାରସନ ସମ୍ବନ୍ଧରେ ଲିଲିର ଆଉ କୌଣସି ଭୟ ବା ସଂଶୟ ନ ଥିଲା । ଏବେ ତାହାକୁ ଆସିବାର ଦେଖିଲେ ସେ ନିଜେ ତାହା ପାଖକୁ ଦୌଡ଼ିଯାଏ, ଏବଂ ପକେଟ ଭିତରେ ହାତ ପୁରାଇ କିସମିସ୍ ପୁଡ଼ିଆଟା ବାହାର କରି ଆଣେ । ମୁଁ ଅନେକ ଦିନ ସନ୍ଧ୍ୟାବେଳେ ସେ ଦୁହିଁଙ୍କୁ ପାଚେରୀ ଉପରେ ବସିଥିବାର ଦେଖିଛି । ଆଉ ମଧ୍ୟ ଦେଖିଛି, ଲିଲି ଅତି ଆଗ୍ରହରେ ତାହାର କଥା ଶୁଣୁଛି । ତେଣୁ ମୋର ମନେ ହୋଇଥିଲା, ସେ ନିଶ୍ଚୟ ଲିଲିକୁ ଗପ ଶୁଣାଉଛି ।

ଝିଅଟି ସାଙ୍ଗରେ ଏତେ ଭାବ ଦେଖି ମୁଁ ଦିନେ ସିଧା ତାହାକୁ ପଚାରିଲି, “ଏମାନେ ବୋଧହୁଏ ତୁମର ଆତ୍ମୀୟ ?”

ସେ ଜବାବ୍ ଦେଲା, “ଏମାନେ ବି ଯେ ପଶ୍ଚିମର ଲୋକ ।”

“ତାହା ହେଲେ ସେମାନଙ୍କ ଘର କଥା ତୁମକୁ ନିଶ୍ଚୟ କିଛି ଜଣା ଅଛି ।”

“ମାନେ—ମୁଁ ଜାଣେ—ଲିଲିର କଥା ମୁଁ କହି ପାରିବି ।

ଲୋକଟିକୁ ମୁଁ ଠିକ୍ ବୁଝି ପାରି ନ ଥିଲି । ଟିକିଏ ଖାସା ଅଦ୍ଭୁତ ଚରିତ୍ରର ଲୋକ ବୋଲି ମୋର ମନେ ହେଲା; କିନ୍ତୁ ସେତିକି ମାତ୍ର । ତାହା ବିଷୟରେ ମୁଁ ମଥା ଖେଳାଇଲି ନାହିଁ । କାହିଁକି ବା ମୁଁ ତାହାର କଥା ତୁଚ୍ଛାଟାରେ ଭାବିବାକୁ ଯିବି ? ମୋ ସହିତ ତ ତାହାର କୌଣସି ସମ୍ପର୍କ ନାହିଁ, ଚିନ୍ତା କରିବାର ବିଷୟର ବି ଅଭାବ ନାହିଁ । ଏପରିକି ମୁଁ ଯଦି କେବେ ହେଲେ ଧରି ପାରିଥାଆନ୍ତି ଯେ ଲିଲି ଓ ତାହାର ବାପା-ମାଆ ପୂର୍ବର ଲୋକ, କିନ୍ତୁ ପଶ୍ଚିମର ନୁହେଁ, ତାହା ହେଲେ ମୁଁ କେଉଁ ଦିନ ଏହି ମିଥ୍ୟା ପାଇଁ ଲୋକଟିକୁ ଦୋଷାରୋପ କରି ନ ଥାଆନ୍ତି ।

 

ଦିନେ ମୁଁ ସେମାନଙ୍କର ଗପ ଶୁଣିବାକୁ ପାଇଲି,ସେତେବେଳେ ସେ କୋଡ଼ିଏ ବର୍ଷର ଜୁଆନ । ଝିଅଟି ତାହା ଠାରୁ କେତେ ମାସ ସାନ ହୋଇପାରେ । ସେମାନଙ୍କ ଭିତରେ ପ୍ରେମ ଜାତ ହେଲା । ସେ ବିବାହ ପ୍ରସ୍ତାବ ଦେଲା । ରୀତି ଅନୁସାରେ ସେ କହିଥିଲା ଯେ ତାହା ପାଇଁ ସ୍ନାଉଟରେ ସେ ନୂଆ ଘର ତିଆରି କରିଦେବ । ଘର ସାମନାରେ ରହିବ ଗୋଟିଏ ଶାଗ-ପରିବାର ବଗିଚା । ସେତିକିବେଳେ ସେ ଗୁଡ଼ମୁଣ୍ଡାରମାନଙ୍କର ‘ହୋପ’ ଜାହାଜରେ ଅଂଶୀଦାର ଭାବରେ ମାଛଧରା କାରବାର କରୁଥିଲା । ଦୁଇ ଚାରି ଟଙ୍କା ରୋଜଗାର ବି ତାହାର ବଢ଼ିଲା । କିନ୍ତୁ ସେ କୌଣସି ମତେ ଗୀତ ଗାଇ ପାରୁ ନ ଥିଲା—କୌଣସି ମତେ ନୁହେଁ । ସେହି ଝିଅଟିର ନାମ ବି ଥିଲା ଲିଲି ।

 

ଝିଅଟି ପଚାରିଲା, “ତାହା ପରେ ?”

 

କାନ ପାତି ଶୁଣିବାର ଅବସର ମୋର ନ ଥିଲା । ମୁଁ ଭାବିଥିଲି ଯେ ପଶ୍ଚିମର କୌଣସି ଅତି ପୁରୁଣା ଗପ ସେ ବର୍ତ୍ତମାନ ଲିଲିକୁ ଶୁଣାଉଛି ।

 

ପୁଣି ଶୀତ ଆସିଲା । ମୁଁ ବି ଉତ୍ତର ଆଡ଼ୁ ଫେରି ଆସିଲି । ଦିନେ ରାସ୍ତା କଡ଼ରେ ବନ୍ଧୁ-ବାନ୍ଧବମାନଙ୍କ ସାଙ୍ଗରେ ଆଡ୍ଡ଼ା ଦେଉଛି । ହଠାତ୍ ମୁଁ ଦେଖି ପାରିଲି, କିଛି ଦୂରରେ ଜଣେ ଲୋକ ଠିଆ ହୋଇ ବାରମ୍ବାର ମୋ ଆଡ଼କୁ ଅନାଉଛି । ଯେତେବେଳ ଯାଏ ବନ୍ଧୁ-ବାନ୍ଧବମାନଙ୍କ ସାଙ୍ଗରେ କଥା ହେଉଥିଲି, ସେତେବେଳ ଯାଏ ସେ ଦୂରରେ ଥିଲା । ଏକା ହୋଇଯିବାରୁ ସେ ମୋ ପାଖକୁ ଆସିଲା । ବିନା ଦ୍ୱିଧାରେ ସେ ମୋ ଆଡ଼କୁ ହାତ ବଢ଼ାଇ କହିଲା, “ମୁଁ ନେବୁଚେଦାଞ୍ଜାର ନେବୁଚେଦାଞ୍ଜାରମନ ।”

 

ମୁଁ ପଚାରିଲି, “ଖବର କଅଣ ?”

 

ସେ ଜବାବ ଦେଲା, “କିଛି ନା ।”

 

“ମୋତେ କିଛି କହିବ ?”

 

“ନା । ଏମିତି ଠିଆ ହୋଇଥିଲି । ଭାବିଲି, ଦେଖେଁ ଆପଣ ମୋତେ ଚିହ୍ନି ପାରୁଛନ୍ତି କି ନା ?”

 

“କି ଆଶ୍ଚର୍ଯ୍ୟ ! ଚିହ୍ନିବି ନାହିଁ କାହିଁକି ?ସବୁ ଠାରୁ ବଡ଼ କଥା ହେଉଛି, ଏବେ ସୁଦ୍ଧା ମୁଁ ତୁମର ଗୀତ ଭୁଲି ନାହିଁ । ଛାଡ଼, ତୁମର ଶିଶୁ-ବାନ୍ଧବୀର ଖବର କଅଣ ?”

 

“ବୁଢ଼ା ବୟସରେ ମୋର ପେନସନ୍ ଥିଲା ମାତ୍ର ତିରିଶ କ୍ରାଉନ । କିନ୍ତୁ ସେତକ ମଧ୍ୟ ହରାଇଲି ।”

 

“କାହିଁକି ? କିପରି ?”

 

“କାହିଁକି କହୁଛନ୍ତି ସେ କଥା ! ଜୋସେଫ, ସେହି ଯେ ଲୋକଟା, ସେହି ଜୋସେଫଟା କହି ବୁଲିଲା ଯେ ମୁଁ ପେନସନ ପଇସାରେ କିସମିସ୍ ଖାଉଛି ! ବାସ୍, ମୁଁ ଯାଏ କୁଆଡ଼େ ! ଆଇନର କଥା ତ ଆପଣ କିଛି କିଛି ଜାଣିଥିବେ ।”

 

“ଏହି ଜୋସେଫଟିକୁ ମୁଁ ଠିକ୍ ଭାବରେ ଚିହ୍ନି ପାରୁ ନାହିଁ ।”

 

“ଜୋସେଫ ମୋର ଏକ ପ୍ରକାରର ଆତ୍ମୀୟ । ମଝିରେ ମଝିରେ ମାଛ କି ଏଣୁ ତେଣୁ କିଛି ଜିନିଷ ସେ ମୋତେ ଦିଏ ।”

 

“ତାହା ହେଲେ ତୁମେ ଗୋଟାଏ କାମ କର ତୁମେ ମେୟରଙ୍କୁ ପାଖକୁ ଯାଇ ସବୁ କଥା କୁହ । ମୋର ସମୟ ନାହିଁ । ସମୟ ଥିଲେ ମୁଁ ବି ତୁମ ସହିତ ଯାଇଥାଆନ୍ତି ।”

 

“ଏଥିରେ କଅଣ ଆଉ କିଛି ହେବ ? କିଛି ହେବ ନାହି। ତାହା ଅପେଷା ଶୀତ ଦିନରେ ଯଦି କେଉଁଠି ଘରଟିଏ ପାଇଯାଏଁ, ତହା ଚେଷ୍ଟା କରିବା ବରଂ ଭଲ ।”

 

“ଘର ?”

 

“ହଁ, ଗଲା ବର୍ଷ ଭଳି ଗୋଟାଏ ଘର !”

 

“କାହିଁକି ? ଗତ ବର୍ଷ ଭଳି ଏ ବର୍ଷ କଅଣ ତୁମେ ଚୁଲିସବୁର ତଦାରକ କରିବ ନାହିଁ-?”

 

“ନା । ସେ ଘର ସହିତ ମୋର ସବୁ ସମ୍ପର୍କ ତୁଟି ଯାଇଛି । ସେ ଘରର ବୋଝ ମୋ କାନ୍ଧରୁ ଓହ୍ଲାଇ ଯାଇଛି ।

 

“କିପରି ?”

 

“ଏଇମିତି ତୁଟିଗଲା ।”

 

“ତାହା ହେଲେ ମୁଁ ଯାଉଛି ।”

 

“ହେଉ । ଆପଣଙ୍କର ଦୟା ପାଇଁ ଧନ୍ୟବାଦ ।”

 

ସେ ଟୋପି ଟେକି ନମସ୍କାର କଲା ।

 

କେତେ ବର୍ଷ ଯାଏ ମୁଁ ତାହାର କିଛି ଖୋଜ ଖବର ପାଇଲି ନାହିଁ । ତାହାର କଥା ମୋର ମନେ ନ ଥିଲା । ସେତେବେଳେ ମୁଁ ଡାକ୍ତରୀ ପଢ଼ୁଥାଏ । ଦିନେ ଚାଦର ଢଙ୍କା ହୋଇ ଗୋଟିଏ ଲାସ ଶଲ୍ୟାଗାରକୁ ଆସିଲା । ଦେଖିଲି, ଏ ସେହି ଗାୟକ । ବର୍ତ୍ତମାନର ସେ ପରିଷ୍କାର ପରିଚ୍ଛନ୍ନ । ତଥାପି ତାହାକୁ ଦେଖିଲା କ୍ଷଣି ମୁଁ ଚିହ୍ନି ପାରିଲି । ସେତେବେଳେ ମୁଁ ଠିକ୍ ତାହାରି ପାଇଁ ବିଶେଷ ଭାବରେ ବିଚଳିତ ହୋଇ ନ ଥିଲି । ସମାଜ ସଂସ୍କାର ଛଡ଼ା ଜଣେ ବାରବୁଲା ଲୋକର ମୃତ୍ୟୁ ପାଇଁ ଯେତିକି ସମବେଦନା ଥିବା ଦରକାର, ମୋର ମନେ ହୁଏ, ସେହି ସମୟରେ ତାହା ପ୍ରତି ମୋର ସେହି ରକମର ମନୋଭାବ ଥିଲା ! ତାହାକୁ କବର ଦେବାବେଳେ ପ୍ରଥମ ଥର ପାଇଁ ମୁଁ ଗୋଟାଏ କଥା ଲକ୍ଷ୍ୟ କଲି । ଏହି ଲୋକଟିର ଜୀବନ ଓ ମରଣ ଭିତରେ ଗୋଟାଏ ସଙ୍ଗିତ ରହିଛି । ଏ ହେଉଛି ଜଣେ ଲୋକ, ଯାହା ଠାରୁ ସମାଜ-ସଂସାର କିଛି ମାତ୍ର ଆଶା କରି ନାହିଁ । ପିଆନୋ ବାକ୍ସ ଭିତରେ ତାହାର ମୃତ-ଦେହ ଆବିଷ୍କୃତ ହେଲା । କେହି ତାହାର ନାମ ଜାଣି ନ ଥିଲେ । କେହି ଜାଣି ନ ଥିଲେ, କେଉଁ ଅଞ୍ଚଳରୁ ସେ ଏହି ସହରକୁ ଆସିଛି । କେହି ହେଲେ ତାହାର ଜୀବନର ଉଦ୍ଦେଶ୍ୟ ସମ୍ବନ୍ଧରେ ମଥା ଖେଳାଇ ନ ଥିଲେ ! ଏପରିକି ବ୍ୟବଚ୍ଛେଦ ଟେବୁଲରେ ମୁଁ ଯେତେବେଳେ ତାହାର ଶରୀର ଉପରେ ଛୁରୀ ଚଳାଉଥିଲି, ସେତେବେଳେ ଥରେ ହେଲେ ବି ମୋର ମନେ ପଡ଼ିଲା ନାହିଁ ଯେ ସେ ଗୀତ ବୋଲୁଥିଲା । କିନ୍ତୁ ଗୋଟାଏ କଥା ନିଶ୍ଚିତ-। ମୁଁ ଖୁବ୍ ଜୋରରେ କହିପାରେ ଯେ ବୈଜ୍ଞାନିକ ନିୟମ—ନିଷ୍ଠା ଅନୁସାରେ ଆମେ ତାହାର ଦେହଟାକୁ ଚିରି କାଟି ଦେଖିଛୁ, ଏବଂ ଦେହର ଭିତରର ଅଂଶଗୁଡ଼ିକ ଅତି ସାବଧାନରେ ପରୀକ୍ଷା କରିଛୁ । ମୁଁ ଜୋର୍‍ ଦେଇ କହି ପାରେ, ମଲା ପରେ ତାହାର ଦେହର ଅଭ୍ୟନ୍ତର ମୁଁ ଏତେ ଯତ୍ନ ସହକାରେ ଲକ୍ଷ୍ୟ କରିଛି ଯେ ତାହାର ଜୀବନ କାଳ ଭିତରେ ତାହାର ବାହାର ଦିଗ ପ୍ରତି କେହି ଏତେ ଯତ୍ନ ସହକାରେ ନଜର ଦେଇ ନାହିଁ ।

 

ଏସବୁ କଥା ଏକ୍ଷଣି ଅପ୍ରାସଙ୍ଗିକ । ଡାକ୍ତରୀ ବିଦ୍ୟା ଉପରେ ମୁଁ ବହୁ ଦିନରୁ ବୀତଶ୍ରଦ୍ଧ ହୋଇ ପଡ଼ିଛି । ଏକ୍ଷଣି ମୁଁ ଅନ୍ୟ ବିଷୟ ଚର୍ଚ୍ଚା କରେ । କିନ୍ତୁ ଏତେ ଦିନ ପରେ ଯେତେବେଳେ ଏ ପ୍ରସଙ୍ଗ ଉଠିଲା, ସେତେବେଳେ ମୋର ସ୍ଵୀକାର କରିବା ଉଚିତ ଯେ ଚିକିତ୍ସା ବିଜ୍ଞାନ ନାମରେ ତାହା ପ୍ରତି ସାମାନ୍ୟ ଶଠତା ଆଚରିତ ହୋଇଛି । ତାହାର ହାଡ଼ସବୁ ଅପସାରିତ ହୋଇଥିଲା । ତାହାର ହାଡ଼ଗୁଡ଼ାକ ଦ୍ଵାରା ଛାତ୍ରମାନଙ୍କୁ ପଢ଼ା ହେଉଛି । ମୁଁ ଅବଶ୍ୟ ସେହି କଲେଜଟିର ନାମ ଉଲ୍ଲେଖ କରିବି ନାହିଁ । ତାହାର ମାଂସ ସବୁ ଅବଶ୍ୟ ଡାକ୍ତରୀ ବିଜ୍ଞାନର କାମରେ ଲାଗି ନାହିଁ । ମୁଁ ଆଜି ଗୋଟାଏ ବୈଜ୍ଞାନିକ ଗୁପ୍ତ କଥା ଓ ଗୋଟାଏ ବୈଜ୍ଞାନିକ ଚକ୍ରାନ୍ତ ଫିଟାଇଦେଲି । ଆମେ ତାହା ପାଇଁ ଅଣା ଯାଇଥିବା ଶବାଧାରରେ ଶବ ବଦଳରେ ପଥରର ଗେଟି ଭର୍ତ୍ତି କରି ଦେଇଥିଲୁ । କେତେ ଜଣ ଡାକ୍ତରୀ-ପଢ଼ା ଛାତ୍ର ଏହି କାମର ଭାର ନେଇଥିଲେ । ଆଉ ବାକି ଆମ୍ଭେମାନେ, ଡାକ୍ତର-ଛାତ୍ରମାନେ, ସେହି ଶବାଧାର ପଛରେ ଯାଇଥିଲୁ । ଆମ୍ଭମାନଙ୍କର ଉଦ୍ଦେଶ୍ୟ ହେଉଛି, ଯେମିତି କବର ଦେବା ଆଗରୁ କେହି ଶବାଧାର ଖୋଲି ନ ଦେଖନ୍ତି । ଆମେ ସମସ୍ତେ ଶବାଧାରଟିକୁ କାନ୍ଧେଇ ଗୀର୍ଜାକୁ ଗଲୁ ଏବଂ ତା ପରେ କବରଖାନାରେ ଯାଇ ପହଞ୍ଚିଲୁ ।

 

ଦିନଟା ଯାକ କି ବିଚିତ୍ର ଶ୍ଳେଷାତ୍ମକ ! ବଡ଼ ଦିନ ମୋଟେ ଦୁଇଟା ଦିନ ବାକି ଥାଏ । ସୂର୍ଯ୍ୟାଦୟ ପୂର୍ବରୁ କବର ଦେବାର ପର୍ବ ଶେଷ କରିବା ପାଇଁ ଆମ୍ଭମାନଙ୍କର ପ୍ରବଳ ବ୍ୟଗ୍ରତା ଥିଲା । ସବୁ ଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସେ ଦିନ ସମୁଦାୟ ଗୀର୍ଜାର ଚାରି ପଟେକଳା ଫିତା ବାନ୍ଧି ଦିଆ ହୋଇଥିଲା । ସହରର ଜଣେ ଗଣ୍ୟମାନ୍ୟ ଭଦ୍ରଲୋକଙ୍କର ଦେହାନ୍ତ ହୋଇଥାଏ । ତାହାକୁ କବର ଦେବାକୁ ହେବ । ତାହାରି ସମ୍ମାନ ପାଇଁ ଏହି ସବୁ ବ୍ୟବସ୍ଥା ହୋଇଥିଲା । ଗୀର୍ଜାର କର୍ମ କର୍ତ୍ତାମାନଙ୍କର ଧୃଷ୍ଟତା ହେତୁ ନେବୁଚେଦାଞ୍ଜାର ନେଦୁଚେଦାଞାରସନକୁ କୌଣସି ମତେ ପୋତି ଦିଆଗଲା । କାରଣ ଗୀର୍ଜାର କର୍ତ୍ତୃପକ୍ଷ ଆମ୍ଭମାନଙ୍କୁ ଜଣାଇଦେଲେ ଯେ ସେହି ରାତିକ ଭିତରେ ଯଦି ଆମେ ତାହାକୁ କବର ଦେଇପାରୁ, ତାହା ହେଲେ ଖୁବ୍ ଭଲ । ତାହା ଛଡ଼ା ଅନ୍ୟ ଉପାୟ ନାହିଁ । ଆଉ କବର ଦେଇ ହେବ ନାହିଁ ।

 

ପବନ ବହୁଥାଏ । ତୁଷାର ପାତ ଆରମ୍ଭ ହୋଇଯାଇଥାଏ । ସେହି ଦୁର୍ଯ୍ୟୋଗ ଭିତରେ ଆମ୍ଭେମାନେ କାନ୍ଧରେ କଫିନ ବୋହି ଆଗେଇ ଗଲୁ । ଆମ୍ଭମାନଙ୍କର ମନ ଭିତରେ ଗୋଟାଏ ଭୟଥିଲା । କବର ଦେବାର ସେହି ଶୋକାଚ୍ଛନ୍ନ ଲଗ୍ନରେ ଯେତେବେଳେ ଗାମ୍ଭୀର୍ଯ୍ୟ ସହକାରେ ସବୁ ରୀତି ଓ ଅନୁଷ୍ଠାନ ପାଳିତ ହେଉଛି, ଠିକ୍ ସେତିକିବେଳେ ଯଦି ଶବାଧାରର ତଳଟା ଭାଙ୍ଗିଯାଇ ପଥର ଗେଟିଗୁଡ଼ାକ ଗୀର୍ଜାର ଚଟାଣ ଉପରେ ଝର ଝର ହୋଇ ଝଡ଼ିପଡ଼େ, ତାହା ହେଲେ ଆଉ କୌଣସି ଉପାୟ ନ ଥିବ । ଅଧା ବାଟ ଯାଉ ନ ଯାଉଣୁ ଶବାଧାରର ତଳଟା ମଚମଚ ହେଲା । ଭୟରେ ମୋର ମୁହଁ ଶୁଖିଗଲା । କି ସର୍ବନାଶ ହେଲା ! ଯେଉଁ ପିଲାଟି ଶବାଧାର ଭିତରେ ପଥରର ଗେଟି ଭର୍ତ୍ତି କରିଥିଲା, ସେହି ଓଲୁକୁ ଡାକି ଧମକାଇବାକୁ ଇଚ୍ଛା ହେଲା । ତାହାଛଡ଼ା ଶବାଧାରଟି କି ଭାରୀ ହୋଇଥାଏ । ଅଣ୍ଟା ଆମର ବାଙ୍କି ଯାଉଥାଏ । ଆମେ ସମସ୍ତେ ଗୀର୍ଜାରେ ଘେରା ହୋଇଥିବା ବସିବା ଜାଗାରେ ଯାଇ ବସି ପଡ଼ିଲୁ । ଲୋକେ ଦେଖିଲେ ଭାବୁଥାଆନ୍ତି, ଆମେ ମୃତର ଆତ୍ମୀୟ ସ୍ୱଜନ ହେବୁ । ଶୋକ ପାଇଁ ଯେଉଁସବୁ ବ୍ୟବସ୍ଥା କରା ହୋଇଥିଲା, ତାହା ଜଣେ ଅଜ୍ଞାତ-କୁଳଶୀଳର କପାଳରେ ଜୁଟିଲା । ଏଥି ପାଇଁ ପାଦ୍ରୀ ଖୁବ୍ ବିରକ୍ତ ହେଲା ଭଳି ଦିଶୁଥିଲେ । ଭଗବାନ କରନ୍ତୁ, ଏହି ସବୁ କଥା ସେହି ସମ୍ଭ୍ରାନ୍ତ ବ୍ୟକ୍ତିର ଘରର କେହି ଲୋକ ଜାଣି ନ ପାରୁ । ତେଣୁ ପାଦ୍ରୀ ଶୀଘ୍ର ଶୀଘ୍ର ତାଙ୍କର ଅନୁଷ୍ଠାନ ଶେଷ କରିଦେଲେ । ପ୍ରାୟ ସପ୍ତାହକ ଆଗରୁ ସହରର ଗୋଟିଏ ଗରିବ ବୁଢ଼ୀ ମରି ଯାଇଥିଲା । ତାହାର କବର ଦେବା ସମୟରେ ପାଦ୍ରୀ ଗୋଟିଏ ପାର୍ଥନା ରଚନା କରିଥିଲେ । ଏ କ୍ଷେତ୍ରରେ ବି ସେହି ପ୍ରାର୍ଥନାଟି ଆବୃତ୍ତି କରାହେଲା । ବୁଢ଼ୀ ପାଇଁ ପାଦ୍ରୀଙ୍କୁ ଲେଖିବାକୁ ପଡ଼ିଥିଲା, “ଆମର ପ୍ରିୟ ଭଉଣୀ,” ଆଉ ଏହା ବେଳକୁ କହିବାକୁ ହେଲା, “ଆମର ପ୍ରିୟ ଭାଇ ।” ଏହି ଅଦଳ-ବଦଳ ଲାଗି ପାଦ୍ରୀଙ୍କୁ ବଡ଼ ବିବ୍ରତ ହେବାକୁ ପଡ଼ିଲା । ସେ ଥରେ କହି ପକାଇଲେ, “ଆମର ଏହି ବିଗତ ଭଉଣୀଙ୍କ ପାଇଁ ତାଙ୍କର ସ୍ୱାମୀ ଓ ପୁତ୍ର ପୃଥିବୀର ଅପର ପ୍ରାନ୍ତରୁ ଗଭୀର ଶୋକ ପ୍ରକାଶ କରୁଛନ୍ତି ।” ପାଦ୍ରୀଙ୍କର ଏହି ପାର୍ଥନା ଶୁଣି ମୁଁ ଅବାକ ହୋଇଗଲି । ମୋର ମନେ ହେଲା, ଯଦି କେହି ଏହି ଏଣୁ ତେଣୁ କଥାଗୁଡ଼ାକ ଶୁଣେ ସେ କଅଣ ଭାବିବ ? କିନ୍ତୁ ଏହି ଅନୁଷ୍ଠାନରେ ଆମ ଛଡ଼ା ଆଉ କେହି ନ ଥିଲେ । ଖାଲି ଜଣେ ବୁଢ଼ୀ ଦୂରରେ ବସିଥିଲା । ସେ ବି କାଲ ବୋଲି ମନେ ହେଲା । ବୋଧ ହେଲା, କବର ଦେବା ବିଷୟରେ ତାହାର କୋଣସି ଉତ୍ସାହ ନାହିଁ । ତୁଷାରପାତରୁ ରକ୍ଷା ପାଇବା ପାଇଁ ସେ ଗୀର୍ଜାରେ ଆସି ଆଶ୍ରୟ ନେଇଛି । ସୁତରାଂ ମୋର ଆଶଙ୍କା ଅମୂଳକ ।

ଏଥର ଶବାଧାର ଧରି ଆମେ କବରଖାନା ଆଡ଼କୁ ଆଗେଇ ଗଲୁ । ଆମ ପଛରେ ବିଧର୍ମୀ ଦଳ; କିନ୍ତୁ ସେମାନଙ୍କ ସାଙ୍ଗରେ ସେହି ବୁଢ଼ୀଟି ବା ଆସୁଛି କାହିଁକି ? ନୀଳ ଜାମା ଓ ଶାଲରେ ଆଚ୍ଛାଦିତ ସେହି ବୁଢ଼ୀର ମୁଖରେ ହଜାର ହଜାର ରେଖା, କେଉଁଠି କେଉଁଠି କୁଞ୍ଚିତ ଜୀବନ ମରଣ ହୋଇ ଯାଇଛି । ମୋର ମନ ଭିତରଟା କେମିତି ହୋଇଗଲା । ମୁଁ ଓ ଆଉ ଦୁଇ ଜଣ ସବୁ ବିଷୟ ତଦାରକ କରିବାକୁ ଲାଗିଲୁ । କିଏ ଜାଣେ, ଯଦି କବର ଦେବା ବେଳେ ବୁଢ଼ୀଟି କିଛି ରକମ କନ୍ଦଳ ଭିଆଇ ପାରେ ! କବରରେ ମାଟି ନ ଦେବା ଯାଏ ମୋର ମନଟା ଗୁଡ଼ାଇ ତୁଡ଼ାଇ ହେଉଥିଲା । ମୋର ସାଥୀ ଦୁଇ ଜଣ କ୍ଳାନ୍ତ ହୋଇ ପଡ଼ିଲେ । ସେମାନେ ଅକାରଣରେ ଏପଟ ସେପଟ ହୋଇ ପାରିଲେ ନାହିଁ । କବରଖାନା ପାଖରେ ‘କାଫେ ଉପଶାଳା’ । ସାଥୀ ଦୁହେଁ କଫିଖାନରେ ବସିଲେ । ଚାହିଁଲି ମୁଁ ଏକା । ମୋତେ ସବୁ କାମ ଦେଖିବାକୁ ପଡ଼ିଲା । ମୁଁ, ବୁଢ଼ୀ, ପାଦ୍ରୀ ଓ ତାଙ୍କର ସହକାରୀ—ଏହି ଚାରି ଜଣ ଶବାଧାର ପଛରେ ରହିଲୁ । ପାଦ୍ରୀ ଓ ତାଙ୍କର ସହକାରୀ ମୁଣ୍ଡରେ ରେଶମୀ ଟୋପି ପିନ୍ଧିଥିଲେ ।

କବରରେ ମାଟି ଦିଆ ସରିଲା ପରେ ପାଦ୍ରୀ ଓ ତାଙ୍କର ସହକାରୀ ଚାଲିଗଲେ । ରହିଲୁ କେବଳ ବୁଢ଼ୀ ଓ ମୁଁ । ବୁଢ଼ୀ ନୀରବରେ ଠିଆ ହୋଇ ତୁଷାର ଝଡ଼ ଦେଖୁଥିଲା । କବରଖାନାର ଫାଟକ ପାଖରେ ମୁଁ ବୁଢ଼ୀ ପାଇଁ କିଛି ସମୟ ଅପେକ୍ଷା କଲି । କିନ୍ତୁ ବୁଢ଼ୀ ସେଠାରୁ ନ ଆସେ । ତେଣୁ ବାଧ୍ୟ ହୋଇ ମୁଁ ପୁଣି କବର ପାଖକୁ ଗଲି ।

ମୁଁ ତାହାକୁ ପଚାରିଲି, “ ଆଉ କେଉଁଥି ପାଇଁ ଡେରି କରୁଛ, ବୁଢ଼ୀ ମାଆ ?”

ଡରିଯାଇ ବୁଢ଼ୀ ମୋ ଆଡ଼କୁ ଟିକିଏ ଅନାଇଲା । ମୋ କଥାର ଜବାବ ଦେବାକୁ ଗଲା ବେଳେ ବୁଢ଼ୀର ମୁଖଟି ବ୍ୟଥାରେ କୁଞ୍ଚିତ ହୋଇଗଲା । ତାହାର ଓଠ ଦୁଇଟି ଥରୁଥିଲା । ମୁଖର ଗୋଟାଏ ପାଖ ମେଲା ହୋଇଗଲା । ଦେଖିଲି, ବୁଢ଼ୀର ଗୋଟିଏ ହେଲେ ଦାନ୍ତ ନାହିଁ । ଆଖି ଦୁଇଟା ଲାଲ ଟହ ଟହ, ଲୁହ ଛଳଛଳ ହେଉଛି । ଯେତେବେଳେ ବୁଢ଼ୀ ଲୋକେ କାନ୍ଦନ୍ତି, ସେତେବେଳେ ସେମାନେ ଖୁବ୍ ଖରାପ ଦିଶନ୍ତି । ମୁଁ ଏ କଥା ଆଗରୁ ଲେଖିଛି ।

 

ମୁଁ କହିଲି, “ବୁଢ଼ୀ ମାଆ, କାନ୍ଦ ନାହିଁ । ଭଗବାନ ତ ତାହାକୁ ନେଇଗଲେ ।”

 

ଜାମାର ପ୍ରାନ୍ତରେ ଆଖି ପୋଛୁ ପୋଛୁ ବୁଢ଼ୀ କହିଲା, “ସତକଥା ।”

 

ବୁଢ଼ୀ କବର ଭିତରେ ଟହଲ ମାରୁଥାଏ—ଏହା ମୋର ଅଭିପ୍ରାୟ ନୁହେଁ । ତେଣୁ ମୁଁ କହିଲି, “ଥଣ୍ଡା ଲାଗିବ । ତୁରନ୍ତ ଘରକୁ ଫେରିଯାଅ ।”

 

ଆମେ ଏକା ସାଙ୍ଗରେ କବରଖାନା ଟପିଲୁ । ମୁଁ ପଚାରିଲି, “ତୁମେ କଅଣ ତାହାର’ ଆତ୍ମୀୟ ?”

 

ସେ ଜବାବ ଦେଲା, “ମୁଁ ପଶ୍ଚିମର ଲୋକ ।”

 

“ତୁମେ କଅଣ ଓଲାକସ୍‍ଭିଗରୁ ଆସୁଛ ?”

 

“ହଁ ।”

 

“ହଁ, ଆମେ ସମବୟସୀ । ତା ପରେ ବିବାହ ହେଲା । ଦକ୍ଷିଣକୁ ଚାଲିଗଲୁ । ସେଠାରେ ଚାଳିଶ ବର୍ଷ ବିତିଗଲା ।”

“ତୁମର ନାମ କଅଣ, ବୁଢ଼ୀ ମାଆ ?”

“ଲିଲି ।”

“ସ୍ୱାମୀ ବଞ୍ଚିଛନ୍ତି ?”

“ନା, ଅନେକ ଦିନରୁ ଗତ ହେଲେଣି ।”

“ଛୁଆ ପିଲା କେତୋଟି ?”

“ତେରଟି ।” ବୁଢ଼ୀର କଣ୍ଠ ସ୍ୱରରେ ଏମିତି ଏକ ଉଦାସୀନତାର ଭାବ ଥିଲା ଯେ ସେତେବେଳେ ମୋର ମନେ ହେଲା, ହୁଏତ ବୁଢ଼ୀର ନାତି-ନାତୁଣୀଙ୍କ ସଂଖ୍ୟା ଷାଠିଏ ଟପି ଯିବଣି-

ମୁଁ କହିଲି, “ଏ ଦୁନିଆଁରେ କେତେ ରକମ ଆଶ୍ଚର୍ଯ୍ୟ କାଣ୍ଡ ଓ ନ ଘଟୁଛି ! ସେ ଅତି ନିଃସଙ୍ଗ ଥିଲା ।”

ବୁଢ଼ୀ ମୋ ସାଙ୍ଗରେ ଚାଲି ଚାଲି ଆସିଲା । ଆଶା କରି ନ ଥିଲି, ବୁଢ଼ୀ ମୋ କଥାର ଜବାବ ଦେବ । ପୁଣି ଝଡ଼ ଦେଖା ଦେଲା । ତେଣୁ ମୁଁ ତାହାକୁ ଘନ ଘନ ଏଡ଼ାଇ ଯିବାକୁ ବସିଲି ! ଟୋପିଟା ଖୋଲି ମୁଁ କହିଲି, “ହେଉ, ଯାଉଛି ବୁଢ଼ୀ ମାଆ ।”

 

ସୁନ୍ଦର ଓ ବୁଢ଼ା ହାତ ଦୁଇଟି ମୋ ଆଡ଼କୁ ବଢ଼ାଇ, ସେ ସିଧା ମୋ ଆଖି ଆଡ଼କୁ ଅନାଇ ରହିଲା । ସେ ବୁଝିଥିଲା, ବିଶାଳ ସଂସାରରେ ଏକମାତ୍ର ମୁଁ ହିଁ ତାହାର ଦୁଃଖର ସମଭାଗୀ-। ସେ ସ୍ଥିର ଭାବରେ କହିଲା, “ମୁଁ ବି ଯେ ଜୀବନଟା ସାରା ନିଃସଙ୍ଗ ଥିଲି ।”

 

ତାହାର ସଂଯମର ବନ୍ଧ ଭାଙ୍ଗିଗଲା । ତାହାର ଦୁଇ ଆଖିରୁ ଝର ଝର ହୋଇ ଲୋତକ ଧାରା ଗଡ଼ି ପଡ଼ିବାକୁ ଲାଗିଲା । ଜାମାରେ ଆଖି ଢାଙ୍କି ବୁଢ଼ୀ ମୁହଁ ଫେରାଇଲା ।

 

ନେବୁଚେଦାଞ୍ଜାର ନେବୁଚେଦାଞ୍ଜାରସନର କଥାଟା ନିହାତି ସତ । ମାତ୍ର ଗୋଟାଏ ରାତି ସେ କବରଖାନାରେ କଟାଇଥିଲା । ଏଠାରେ ମୋର ଗପ ଶେଷ ହେଲା ।

☆☆☆

 

Unknown

ଜେପା ପୋଲ

 

ଉଜୀର ହେବାର ଚାରି ବର୍ଷ ପରେ ବିଖ୍ୟାତ ଉଜୀର ୟୁସୁଫ ଗୋଟିଏ ଭୟଙ୍କର ଷଡ଼ଯନ୍ତ୍ରର ଫାନ୍ଦରେ ପଡ଼ି ଅତ୍ୟନ୍ତ ଅପମାନିତ ଓ ଲାଞ୍ଛିତ ହୋଇଥିଲେ । ଫଳରେ ତାଙ୍କର ମୁଖ ଦେଖାଇବାର ଅବକାଶ ରହିଲା ନାହିଁ । ସୁଲତାନଙ୍କ ଦୃଷ୍ଟିରେ ସେ ହେୟ ହୋଇଗଲେ । ଅତି କଷ୍ଟରେ କଟିଲା ଶୀତ ଋତୁଟା । ବସନ୍ତ ଆସିଲା । ବସନ୍ତ ଋତୁରେ ଏପରି ଅଦ୍ଭୁତ ପ୍ରବଳ ଶୀତ ପ୍ରାୟ କେବେ ଦେଖାଯାଏ ନାହିଁ । ଗ୍ରୀଷ୍ମର ନାମ ଗନ୍ଧ ମଧ୍ୟ ସେତେବେଳେ କେଉଁଠି ନ ଥିଲା । ଶେଷକୁ ମୁହରମ (ମଇ) ମାସରେ ୟୁସୁଫଙ୍କର କପାଳ ଖୋଲିଗଲା । ସେ ନିର୍ଦ୍ଦୋଷରେ ଜେଲରୁ ଖଲାସ ହେଲେ । ତାଙ୍କର ଆଡ଼ମ୍ବରପୂର୍ଣ୍ଣ ଜୀବନର ସେହି ପୂର୍ବର ଶାନ୍ତ ଛନ୍ଦ ଫେରି ଆସିଲା । କିନ୍ତୁ ଶୀତ କାଳର ସେହି ଦିନଗୁଡ଼ିକ ଜୀବନ ଓ ମୃତ୍ୟୁର, ଗୌରବ ଓ ଅଖ୍ୟାତିର ସେହି ଦ୍ଵନ୍ଦ୍ଵ ସେତେବେଳେ ଅତୀତର କୋଳକୁ ଚାଲିଯାଇ ନ ଥିଲା—ଯାହାର ଚିନ୍ତାକୁଳ ଗମ୍ଭୀର୍ଯ୍ୟର ଛାପ ଉଜୀରଙ୍କ ବ୍ୟକ୍ତିତ୍ୱରେ ଏବେ ସୁଦ୍ଧା କିଞ୍ଚିତ୍ ପରିମାଣରେ ପ୍ରକଟିତ । ସେହି ଅବ୍ୟକ୍ତ ସଂପଦ ଘେନି ସେ ଫେରି ଆସିଥିଲେ, ଯାହା ଅଭିଜ୍ଞ ପୁରୁଷମାନେ ନିଜ ମନର ଅନ୍ତରାଳରେ ସର୍ବଦା ଲୁଚାଇ ଧରି ବୁଲନ୍ତି; କିନ୍ତୁ ସାମାନ୍ୟ କଟାକ୍ଷରେ, ମୃଦୁ ଅଙ୍ଗଭଙ୍ଗୀରେ ଓ ତୁଚ୍ଛ କଥା ଭିତରେ ଯାହା ବେଳେ ବେଳେ ଚକିତରେ ଝଲସିଯାଏ ।

 

ଜେଲଖାନାରେ, ଲାଞ୍ଛନା ଓ ନିର୍ଜନତା ଭିତରେ, ନିଜର ଶୈଶବ ଓ ଜନ୍ମସ୍ଥାନର କଥା ଉଜୀରଙ୍କର ବାରମ୍ବାର ମନେ ପଡ଼ିଛି, କାରଣ ବ୍ୟର୍ଥତା ଓ ବ୍ୟଥା ହିଁ ମଣିଷ ନିକଟରେ ନିଜର ଅତୀତକୁ ଜଗାଇଦିଏ । ତାଙ୍କର ମନେ ପଡ଼ିଛି ନିଜର ପିତାମାତାଙ୍କ କଥା—ଦୁହିଁଙ୍କର ଯେତେବେଳେ କାଳ ହୋଇଗଲା, ସେତେବେଳକୁ ଉଜୀର ସୁଲତାନଙ୍କର ଘୋଡ଼ାଶାଳରେ ମୁଖିଆ ସହିସ ପାଖରେ କାମ ଶିଖୁଥିଲେ । ସେମାନଙ୍କର ମୃତ୍ୟୁର ବହୁ ବର୍ଷ ପରେ ଅବଶ୍ୟ ସେମାନଙ୍କର କବରରେ ୟୁସୁଫ ମର୍ମର ପଥରର ଫଳକ ବସାଇ ଦେଇଥିଲେ । ତାଙ୍କର ମନେ ପଡ଼ିଛି ବସନିୟା ଜିଲ୍ଲାରେ ନିଜର ଜେପା ଗ୍ରାମର କଥା, ଯେଉଁଠି ମାତ୍ର ନଅ ବର୍ଷ ବେଳେ ଜୀବିକାର୍ଜନ ସକାଶେ ତାହାଙ୍କୁ ଚାଲି ଆସିବାକୁ ପଡ଼ିଥିଲା । ସେହି ବର୍ଷ ଗ୍ରୀଷ୍ମ କାଳରେ କନଷ୍ଟାଣ୍ଟି ନୋପଲରେ ଦୈବ ଯୋଗକୁ ତାଙ୍କର ଦେଖା ହୋଇ ଯାଇଥିଲା ବସନିୟା ଫେରନ୍ତା କେତେ ଲୋକଙ୍କ ସହିତ । ସେ ସେମାନଙ୍କୁ କେତେ କଥା ପଚାରିଥିଲେ । ସେ ଶୁଣିଲେ—ଏତେ ଦିନର ଦଙ୍ଗାଗୋଳ ଓ ଲଢ଼େଇ ପରେ ଗ୍ରାମର ଚାରିଆଡ଼େ ଏକ୍ଷଣି ଖାଲି ଅରାଜକତା ଦୁର୍ଭିକ୍ଷ ଓ ମହାମାରୀ ଲାଗି ରହିଛି । ଏଥିରେ ବିଚଳିତ ହୋଇ ଉଜୀର ମୋଟା ସାହାଯ୍ୟ ଅର୍ଥ ଓ ଖାଦ୍ୟ ସାମଗ୍ରୀ ଆକାରରେ ପଠାଇ ଦେଇଥିଲେ ଜେପାରେ ତାଙ୍କର ଯେଉଁ ଆତ୍ମୀୟ ସ୍ୱଜନମାନେ ଏବେ ସୁଦ୍ଧା ମାଟି କାମୁଡ଼ି ପଡ଼ିଛନ୍ତି ସେମାନଙ୍କୁ ବଞ୍ଚାଇବା ପାଇଁ । ସେ ଶୁଣିଲେ ଯେ ଶେତ୍‍କୀଚ ବଂଶର ଚାରୋଟି ପରିବାର ଏବେ ବି ସେଠାରେ ରହିଛନ୍ତି ଏବଂ ସେମାନଙ୍କର ବି ଏକ୍ଷଣି ନିତାନ୍ତ ଦୁରବସ୍ଥା; କିନ୍ତୁ ଖାଲି ଜେପା ଗ୍ରାମ ଗୋଟିକରେ କାହିଁକି, ପ୍ରାୟ ଜିଲ୍ଲାଟା ଯାକ ଚାରିଆଡ଼େ ନିଦାରୁଣ ଦାରିଦ୍ର୍ୟ ଦେଖା ଦେଇଥିଲା । ଗ୍ରାମର ମସ୍‍ଜିଦରେ ନିଆଁ ଲାଗିଥିଲା, ବର୍ତ୍ତମାନ ତାର ଧ୍ଵଂସାବଶେଷ ଟିକକ ପଡ଼ି ରହିଛି । ବାମ୍ଫୀଟା ଶୁଖି ଯାଇଛି, ମାତ୍ର ସବୁ ଠାରୁ ବଡ଼ ଅସୁବିଧାର କଥା ହେଲା ଜେପା ନଦୀ ଉପରେ ଗୋଟିଏ ହେଲେ ପୋଲ ନାହିଁ ।

 

ଗୋଟିଏ ଛୋଟ ପାହାଡ଼ ପାଖରେ ଜେପା ଗ୍ରାମଟି ଅବସ୍ଥିତ, ଜେପା ଓ କ୍ଷୁରଧାର ଡ୍ରିନା ନଦୀର ସଙ୍ଗମ-ସ୍ଥଳରେ । ଭିସ୍‍ଗ୍ରାଦ ଯିବାକୁ ହେଲେ, ଏକମାତ୍ର ରାସ୍ତା ହେଉଛି ସଙ୍ଗମ-ସ୍ଥଳର ଟିକିଏ ଉପରକୁ ଜେପା ନଦୀ ପାରି ହୋଇଯିବା । ଯେତେ ଶକ୍ତ କାଠରେ ପୋଲଟିଏ ତିଆରି ହେଲେ କଅଣ ହେବ, ଦିନ ଦୁଇଟା ଭିତରେ ନଦୀର ପ୍ରଖର ସ୍ରୋତରେ ସେସବୁ କୁଆଡ଼େ ଭାସିଯାଏ । ହୁଏତ ସବୁ ପାହାଡ଼ିଆ ନଦୀ ପରି ଜେପା ହଠାତ୍ ଫୁଲିଯାଏ ଏବଂ ବଡ଼ ବଡ଼ କାଠର ଗଣ୍ଡି ଓ ପଟା ସବୁକୁ ଅନାୟାସରେ ଭସାଇ ନେଇଯାଏ, କିମ୍ଵା ଜେପା ଶାନ୍ତ ଥିଲେ ଡ୍ରିନା ହାଠାତ୍ ଫୁଲିଯାଇ ବାଦ ସାଧେ । ଶୀତ ଋତୁରେ ରାସ୍ତା ଉପରେ ଏପରି ଏକ ବହଳ ବରଫର ଆସ୍ତରଣ ପଡ଼ିଯାଏ ଯେ ମଣିଷ ଓ ଗୋରୁ ଗାଈ ସେଥିରେ ଖସରି ପଡ଼ି ହାତଗୋଡ଼ ଭାଙ୍ଗନ୍ତି । ସୁତରାଂ ଯଦି କେହି ବଦାନ୍ୟ ବ୍ୟକ୍ତି ନଦୀ ଉପରେ ପ୍ରକୃତରେ ଗୋଟିଏ ଶକ୍ତ ପୋଲ ତିଆରି କରିଦେଇପାରେ, ତାହାହେଲେ ସେ ଗ୍ରାମବାସୀଙ୍କର ଅଶେଷ କୃତଜ୍ଞତା-ଭାଜନ ହେବେ ।

 

ଉଜୀର ମସ୍‍ଜିଦରେ ପ୍ରାର୍ଥନା ପାଇଁ ଛଅଟି ଚାଲିଚା ଦାନ କଲେ, ତାହା ସାମନାରେ ଗୋଟିଏ ସୁନ୍ଦର ତିନି-ମୁହାଁ ଫୁଆରା ତିଆରି କରିବାକୁ ପ୍ରତିଶ୍ରୁତି ଦେଲେ ଏବଂ ଜେପା ଓ ଡ୍ରିନା ନଦୀର ସଙ୍ଗମ-ସ୍ଥଳର ଉପରକୁ ଗୋଟିଏ ପଥର-ପୋଲ ବାନ୍ଧ ଦେବା ପାଇଁ ପ୍ରତିଜ୍ଞା କଲେ ।

 

ସେହି ସମୟରେ କନଷ୍ଟାଣ୍ଟି ନୋପଲ ସହରରେ ଜଣେ ସୁଦକ୍ଷ ଇତାଲୀୟ ସ୍ଥପତି ବାସ କରୁଥିଲେ । ରାଜଧାନୀର ପାଖ ଆଖରେ କେତୋଟି ପୋଲ ତିଆରି କରି ସେ ଅଶେଷ ଖ୍ୟାତି ଅର୍ଜନ କରିଥିଲେ । ଉଜୀରଙ୍କର ଖାଜାଞ୍ଚି ଯାଇ ତାହାଙ୍କୁ ଧରିଲେ ଏବଂ ଦୁଇ ଜଣ ସିପାହୀଙ୍କ ସହିତ ତାହାଙ୍କୁ ବସନିୟାକୁ ପଠାଇଦେଲେ ।

 

ଯେତେବେଳେ ସେମାନେ ଭିସ୍‍ଗ୍ରାଦ ସହର ଯାଇ ପହଞ୍ଚଲେ, ସେତେବେଳକୁ ବରଫ ପଡ଼ିଗଲାଣି । ଦିନ ପରେ ଦିନ ବିତିଯିବାକୁ ଲାଗିଲା । ସ୍ଥାନୀୟ ଅଧିବାସୀମାନେ ଦେଖିବାକୁ ଲାଗିଲେ, ଶୁକ୍ଳ-କେଶ ସ୍ଥପତି ଜଣକ ତାଙ୍କର ବୟୋଭାର ନ୍ୟୁବ୍‍ଜ ଦେହ ଅଥଚ ତରୁଣ ସୁଲଭ ମୁଖରେ ପ୍ରତି ଦିନ ଯାଇ ହାଜର ହେଉଛନ୍ତି ପଥରର ପ୍ରକାଣ୍ଡ ପୋଲଟି ପାଖରେ । କେବେ କେବେ ସେ ପଥରର ଯୋଡ଼ ପାଖରୁ ପଲସ୍ତରା ଭାଙ୍ଗି ନେଇ ଆଙ୍ଗୁଳିରେ ଦଳି ଦଳି ସେଗୁଡ଼ିକୁ ଗୁଣ୍ଡା କରି ଦିଅନ୍ତି, ତାକୁ ପାଟିରେ ପକାଇ ପରୀକ୍ଷା କରନ୍ତି ଏବଂ ଲମ୍ବ ଲମ୍ବ ପାହୁଣ୍ଡ ପକାଇ ଖିଲାଣଗୁଡ଼ିକର ଆନୁମାନିକ ଦୈର୍ଘ୍ୟ ମାପିଦେଖନ୍ତି । ତାପରେ ସେ କିଛିଦିନ ପାଇଁ ବାନ୍‍ଜାକୁ ଚାଲିଗଲେ—ସେଠାରେ ସେହି ଚୂନ ପଥରର ଖଣି ଥିଲା, ଯେଉଁଥିରେ ଭିସ୍‍ଗ୍ରାଦର ପୋଲଟିର ମୂଳଦୁଆ ତିଆରି ହୋଇଥିଲା । ବହୁ କାଳ ଅବ୍ୟବହାର ଫଳରେ ଖଣିର ଚାରିପଟେ ଏକ୍ଷଣି ଜଙ୍ଗଲ ମାଡ଼ି ଗଲାଣି । ସ୍ଥପତି କେତେ ଜଣ ମୂଲିଆଙ୍କୁ କିଛି ଦିନ ଲଗାଇ ସେହିସବୁ ବଣ ଜଙ୍ଗଲ ସଫା କରାଇ ଖୋଳି ତାଡ଼ି ଶେଷକୁ ଗୋଟିଏ ନୂଆ ପ୍ରକାର ପଥରର ସ୍ତର ପାଇଲେ। ଭିସ୍‍ଗ୍ରାଦର ପୋଲର ପଥର ଠାରୁ ତାହା ଅଧିକ ଶକ୍ତ, ଧଳା, ମସୃଣ, ମଜଭୂତ ଓ ଯଥେଷ୍ଟ ବଡ଼ । ତାହା ଦେଖିସାରି ସେ ଡ୍ରିନା ନଦୀ ବାଟେ ଯାଇ ଜେପା ନଦୀରେ ପହଞ୍ଚିଲେ ଏବଂ ନୂଆ ପୋଲ ପାଇଁ ଗୋଟିଏ ଉପଯୁକ୍ତ ସ୍ଥାନ ବାଛିଲେ । ଏହି ପ୍ରସ୍ତୁତି ପରେ ସେହି ଦୁଇ ଜଣ ସିପାହୀଙ୍କ ଭିତରୁ ଜଣେ ପୋଲର ନକ୍‍ସା ଓ ଖର୍ଚ୍ଚର ଅଟକଳ ନେଇ ଉଜୀରଙ୍କ ଠାକୁ କନଷ୍ଟାଣ୍ଟି ନୋପଲକୁ ଫେରିଗଲା ।

 

ସ୍ଥପତି ସେହି ଲୋକଟିର ଫେରିଆସିବାକୁ ଅପେକ୍ଷା କରି ଦିନ ଗଣିବାକୁ ଲାଗିଲେ; କିନ୍ତୁ ସେ ଭିସ୍‍ଗ୍ରାଦରେ କିମ୍ଵା ଜେପାର ପାଖଆଖରେ କୌଣସି ଖ୍ରୀଷ୍ଟାନ ଘରେ ଅତିଥି ଭାବରେ ରହିବାକୁ ରାଜି ହେଲେ ନାହିଁ । ଡ୍ରିନା ଓ ଜେପା ନଦୀର ସଙ୍ଗମ ସ୍ଥଳର ଟିକିଏ ଉପରକୁ ଯେଉଁ କୁଦଟା ଥିଲା, ତାହା ଉପରେ ଗୋଟିଏ କାଠ ଛାଡ଼ଣି ପକାଇ ସେ ବାସ କରିବାକୁ ଲାଗିଲେ । ଉଜୀରଙ୍କର ଅନ୍ୟ ସିପାହୀ ଜଣକ ଓ ଭିସ୍‍ଗ୍ରାଦର ଜଣେ କିରାନୀ ତାଙ୍କର ଦୋଭାଷୀର କାମ କରିବାକୁ ଲାଗିଲେ । ସେ ନିଜେ ରନ୍ଧାବଢ଼ା କରୁଥିଲେ ଏବଂ ସ୍ଥାନୀୟ ଚାଷୀମାନଙ୍କ ପାଖରୁ ଅଣ୍ଡା, ଘିଅ, ପିଆଜ ଓ ଶୁଖିଲା ଫଳ କିଣୁଥିଲେ । ଲୋକେ କହନ୍ତି, ତାହାକୁ ମାଂସ କିଣିବାର କେହି କେବେ ଦେଖି ନାହାନ୍ତି । ଦିନ ସାରା ସେ ହୁଏତ ଛେଣି ଓ ବଟାଳୀରେ ପଥର ଭାଙ୍ଗୁ ଥାଆନ୍ତି, କିମ୍ବା ନକ୍ସା ତିଆରି କରୁଥାଆନ୍ତି, ନୋହିଲେ ଭିନ୍ନ ଭିନ୍ନ ରକମର ପଥରର ନମୁନା ସଂଗ୍ରହ କରୁଥାଆନ୍ତି । କେବେ କେବେ ଜେପା ନଦୀର ଗତି ଓ ଢେଉ ଦେଖି ତାଙ୍କର ଦିନଟା କଟିଯାଏ । ଏହିପରି ଭାବରେ ଦିନ ବିତି ଯିବାକୁ ଲାଗିଲା, ଯେ ପର୍ଯ୍ୟନ୍ତ ଉଜୀରଙ୍କର ସିପାହୀ କନ୍‍ଷ୍ଟାଣ୍ଟି ନୋପଲରୁ ଉଜୀରଙ୍କର ହୁକୁମ ଓ ଅଟକଳ ଅର୍ଥର ଏକ ତୃତୀୟାଂଶ ନେଇ ନ ଫେରିଛି ।

 

ତା ପରେ କାମ ଆରମ୍ଭ ହେଲା ।

 

କିନ୍ତୁ ସ୍ଥପତିଙ୍କର କାମର ଢଙ୍ଗରେ ସ୍ଥାନୀୟ ଲୋକେ ଅବାକ୍ ନ ହୋଇ ରହି ପାରିଲେ ନାହିଁ । କାମ ଯେଉଁ ଯେଉଁ ଅଭୁତ ଜିନିଷରେ ଆରମ୍ଭ କରାଗଲା, କିଏ କହିବ ଯେ ସେଥିରେ ପୋଲ ତିଆରି କରାଯିବା । ପ୍ରଥମେ ପ୍ରକାଣ୍ଡ ଭାରୀ ଦେବଦାରୁ ଗଛର ଗଣ୍ଡି ସବୁ ଆଣି ତୀର୍ଯ୍ୟକ୍ ଭାବରେ ଜେପା ନଦୀର ଶଯ୍ୟାରେ ପୋତା ହେଲା । ତା ପରେ ଏହି ଭଳି ଦୁଇ ଧାଡ଼ି ଖୁଣ୍ଟର ମଝିରେ ପଟାସବୁ ବିଛାଇ ଦିଆଗଲା ଏବଂ ଫାଙ୍କ ବୁଜିଦେବା ଲାଗି ପରସ୍ତେ ଡାଳପତ୍ର ବିଛାଇ ଦିଆଯାଇ ତା ଉପରେ ବହଳ କରି ମାଟି ପକାଇ ଦିଆଗଲା । ଏହିପରି ଭାବରେ ଗୋଟିଏ ବନ୍ଧ ପଡ଼ିଯିବାରୁ ପାଣିର ଧାରଟା ବୁଲିଗଲା ଏବଂ ନଦୀ-ଶଯ୍ୟାର ପ୍ରାୟ ଅଧେ ଅଂଶ ଶୁଖିଲା ପଡ଼ିଗଲା-। କିନ୍ତୁ ଏହି କାମଟା ଶେଷ ହେଉ ନ ହେଉଣୁ ପାହାଡ଼ର ଚୁଡ଼ାରେ କେଉଁଠି ଯେପରି ହଠାତ୍ ପ୍ରଚଣ୍ଡ ବୃଷ୍ଟିପାତ ହେଲା । ଫଳରେ ଜେପା ନଦୀ କ୍ରୋଧରେ ଫୁଲ ମାଳ, ରାତିକ ଭିତରେ ମଝି ନଦୀର ବନ୍ଧଟା ଭସାଇ ନେଇଗଲା । ତହିଁ ପର ଦିନ ନଦୀ ଶାନ୍ତ ହୋଇଗଲେ ସୁଦ୍ଧା ଦେଖାଗଲା ଯେ ସବୁ କିଛି ନଷ୍ଟଭ୍ରଷ୍ଟ ହୋଇ ଯାଇଛି । ମୂଲିଆ ଓ ଗ୍ରାମବାସୀମାନେ ନିଜ ଭିତରେ କୁହାକୋହି ହେବାକୁ ଲାଗିଲେ—ଜେପା ନଦୀକୁ କଣଅ କେବେ ପୋଲରେ ବାନ୍ଧି ଦିଆଯାଇ ପାରିବ ? କିନ୍ତୁ ତୃତୀୟ ଦିନରେ ସ୍ଥପତି ଆଦେଶ ଦେଲେ ଆଉ ଥରେ ଅଧିକ ଗଭୀର କରି ନଦୀ-ଶଯ୍ୟାରେ ଖୁଣ୍ଟି ପୋତିବାକୁ ଏବଂ ଆଗର ଯେଉଁ ପଟାସବୁ ବଳିଛି, ସେଗୁଡ଼ିକୁ ମଧ୍ୟ ଶକ୍ତ କରି ଭଲ ଭାବରେ ପୋତି ଦେବାକୁ । ପୁଣି ନୂଆ କରି ନଦୀର ଶୁଖିଲା ଗର୍ଭରୁ ଭାସି ଆସିବାକୁ ଲାଗିଲା ଛେଣି ଓ ହାତୁଡ଼ିର ପ୍ରତିଧ୍ଵନି ଏବଂ ତା ସାଙ୍ଗରେ ମୂଲିଆମାନଙ୍କର ଚିତ୍କାର । ବଡ଼ ବଡ଼ ପଥର ଖଣ୍ଡଗୁଡ଼ିକରେ ମସଲା ଲଗାଇବାର ବ୍ୟବସ୍ଥା ହେଲା । ତା ପରେ ପୋଲର ମୂଳଦୁଆ ପଡ଼ିବ ।

 

ଯେତେବେଳେ ସବୁ ବ୍ୟବସ୍ଥା ଠିକ୍ ହୋଇଗଲା, ସେହି ପ୍ରକାଣ୍ଡ ପଥର ଖଣ୍ଡସବୁ ବାନ୍‍ହାରୁ ଆସିଲା ଏବଂ ଅର୍ଜେଗୋବିନୀୟା ଓ ଡାଲ୍‍ମେସିଆରୁ ପଥର-କଟାଳୀ ଓ ମିସ୍ତ୍ରୀ ଦଳ ଦଳ ହୋଇ ଆସି ପହଁଚିଲେ । ସେମାନଙ୍କ ପାଇଁ ନଦୀ କୂଳରେ କାଠର ଛାଉଣୀ ପକାଗଲା । ତାହାରି ସାମନାରେ ବସି ସେମାନେ ପଥର କାଟୁ କାଟୁ ସେହି ଧୂଳିରେ ଧଳା ହୋଇଯିବାକୁ ଲାଗିଲେ, ଠିକ୍ ଯେମିତି ମଇଦା-କଳର ଶ୍ରମିକ । ସ୍ଥପତି ସେମାନଙ୍କ କାମ ଦେଖୁଥାଆନ୍ତି ଏବଂ ନଇଁପଡ଼ି ସେମାନଙ୍କର କାମ ତଦାରଖ କରନ୍ତି । ତାଙ୍କର ହାତରେ ସବୁବେଳେ ହଳଦିଆ ଧାତୁର ଗୋଟାଏ ତ୍ରିକୋଣ ଓ ଗୋଟାଏ ସବୁଜ ସୂତା-ଲୁଗା ଓଲଣ ଥାଏ । ଜେପା ନଦୀର ଦୁଇ କୂଳରେ ପଥୁରିଆ ଢାଲୁ ଜମି ଗୋଟାଏ ଅପୂର୍ବ ରୂପ ଧାରଣ କରିବାକୁ ବସିଥାଏ । ଏପରି ସମୟରେ ଟଙ୍କାର ଘାଟତି ପଡ଼ିଲା । ମିସ୍ତ୍ରୀ ଓ ମୂଲିଆମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଲା । ଗ୍ରାମବାସୀମାନେ ଗଜର ଗଜର ହେବାକୁ ଲାଗିଲେ—ଏ କାମ ସରି ପାରିବ ନାହିଁ । କେହି କେହି କନଷ୍ଟାଟି ନୋପ୍‍ଳରୁ ଫେରିଆସି ରଟନା କରିବାକୁ ଲାଗିଲେ ଯେ ଆଗର ଉର୍ଜର ଆଉ ସେଠାରେ ନାହାନ୍ତି । କଅଣ ହେଲା ତାଙ୍କର ? ଅସୁଖ ? ଭାବନା । ଚିନ୍ତା ? କେହି ଜାଣନ୍ତି ନାହିଁ । ଯାହା ହେଉ ସେ କ୍ରମେ କ୍ରମେ ଅନ୍ୟମନସ୍କ ହୋଇ ପଡ଼ୁଛନ୍ତି । କାମରେ ମନ ଦେଉ ନାହାନ୍ତି—ଏପରିକି କନଷ୍ଟାଣ୍ଟିନୋପ୍‍ଲର ଶାସନ କାର୍ଯ୍ୟ ବି ଠିକ୍ ଭାବରେ ଚାଲୁ ନାହିଁ । ତଥାପି ଦେଖାଗଲା, କିଛି ଦିନ ପରେ ଉଜୀରଙ୍କର ସିପାହୀ ସହରରୁ ବାକି ଟଙ୍କାର କିଛି ଅଂଶ ନେଇ ପହଞ୍ଚି ଗଲା । କାମ ପୁଣି ଆଗେଇ ଚାଲିଲା ।

 

ସେଣ୍ଟ ଦିମିତ୍ରିୟ ଉତ୍ସବର ପନ୍ଦର ଦିନ ପୂର୍ବରୁ ବାଟରେ ଯିବାବେଳେ ଲୋକମାନେ ହଠାତ୍ ଦେଖିବାକୁ ପାଇଲେ—ଜେପା ନଦୀର ଦୁଇ କୂଳରେ ସିଲଟ ରଙ୍ଗର ବନ୍ଧ ଚିରି ମୁଣ୍ଡ ଟେକିଛି । ପଥରରେ ନିର୍ମିତ ଗୋଟିଏ ସଫା ଧଳା ପାଚେରୀ, ଯାହାର ଦେହ ସାରା ମାଙ୍କଡ଼ସାଜାଲ ଭଳି ଅସଂଖ୍ୟ ଖୁଣ୍ଟି ଓ ଭାଡ଼ି ବନ୍ଧା ଯାଇଛି । ବରଫ ନପଡ଼ିବା ଯାଏ ପାଚେରୀର କାମ ଧୀରେ ଧୀରେ ଆଗେଇ ଯିବାକୁ ଲାଗିଲା । ତା ପରେ କାମ ବନ୍ଦ ହୋଇଗଲା । ଶୀତ ପଡ଼ିବାରୁ ମୂଲିଆ ମିସ୍ତ୍ରୀମାନେ ଯେଝା ଯେଝାର ଘରକୁ ଚାଲିଗଲେ । ରହିଲେ କେବଳ ସ୍ଥପତି, ବାହାରେ ତାଙ୍କର ଦେଖା ମିଳିଲା ନାହିଁ । କୁଡ଼ିଆଟି ଭିତରେ ବସି ଦିନ ରାତି ସେ ହିସାବ-ନିକାଶ ଓ ମାପଚୁପରେ ବୁଡ଼ି ରହିଲେ ଏବଂ ମଝିରେ ମଝିରେ ଯାଇ ଭାଡ଼ିଗୁଡ଼ିକୁ ସଜାଡ଼ି ଦେବାକୁ ଲାଗିଲେ-। ବସନ୍ତର ଆଗମନରେ, ଯେତେବେଳେ ବରଫ ତରଳିବାକୁ ଲାଗିଲା, ସେ ଘନ ଘନ ପାଚେରୀ ପାଖକୁ ଯିବାକୁ ଲାଗିଲେ, ଏପରିକି ଗଭୀର ରାତିରେ ମଧ୍ୟ ହାତରେ ଗୋଟିଏ ଜଳନ୍ତା ମଶାଲ ଧରି ।

 

ସେଣ୍ଟ ଜର୍ଜ ଉତ୍ସବର କିଛି ଦିନ ପରେ ମିସ୍ତ୍ରୀ ମୂଲିଆମାନେ ଫେରି ଆସି କାମରେ ଯୋଗ ଦେଲେ । ଗ୍ରୀଷ୍ମ ଋତୁର ଠିକ୍ ମଝାମଝି ବେଳକୁ କାମ ଶେଷ ହୋଇଗଲା । ମୂଲିଆମାନେ ଆନନ୍ଦରେ ଭାଡ଼ି, ଖୁଣ୍ଟ, ପଟା, ଇତ୍ୟାଦି ଖୋଲି ପକାଇଲେ ଏବଂ ମସୃଣ ଧୋବ ଫରଫର ପୋଲଟି ମୁକ୍ତି ପାଇ ହସିବାକୁ ଲାଗିଲା ।

 

ପଥର ପୋଲର ପାଖଆଖର ଗାଁମାନଙ୍କରୁ ଦଳ ଦଳ ହୋଇ ଲୋକମାନେ ପୋଲ ଦେଖିବାକୁ ଧାଇଁଲେ । ଯେଉଁମାନେ ଭିସ୍‍ଗ୍ରାଦ ବା ରୋଗନ୍ତିକା ଆଡ଼କୁ ଆସିଲେ, ସେମାନେ ପ୍ରଶଂସା ସଙ୍ଗେ ସଙ୍ଗେ ଆକ୍ଷେପ ବି କଲେ । ସେମାନଙ୍କର ସହର ବଦଳରେ ଏହି ଅପାଣ୍ଡବା ବଣୁଆ ଦେଶରେ ଏପରି ଏକ ସୁନ୍ଦର ପୋଲ ତିଆରି କରିବା ବଣ ଜଙ୍ଗଲରେ ମଣିମୁକ୍ତା ଫୋପାଡ଼ି ଦେବା ସଙ୍ଗେ ସମାନ । ଜେପା ଗାଁର ଅଧିବାସୀମାନେ ପ୍ରତିବାଦ କରି କହିଲେ, “ଏପରି ଜଣେ ଉଜୀର ତୁମର ସହରରେ ଆଗେ ଯୋଗାଡ଼ କର ନା ଦେଖିବା । ତାହା ହେଲେ ତୁମର ଆଉ ଦୁଃଖ ରହିବ ନାହିଁ ।”

 

ଏହା କହିସାରି ସେମାନେ ଠିଆ ହୋଇଥିବା ପାଚେରୀଟା ଦେହରେ ଓ ପୋଲର ଦୁଇ ପଟରେ ହାତ ବୁଲାଇ ଆଣନ୍ତି ଏବଂ ପୁଣି କହନ୍ତି—‘‘କିଏ କହିବ ଯେ ଏହି ଚିକ୍କଣ ପୋଲଟି ପଥରରେ ତିଆରି ହୋଇଛି । ସତେକି ଅପର୍ଯ୍ୟାପ୍ତ ଲହୁଣୀରେ ଏହା ଗଢ଼ା ହୋଇଛି ।”

 

ଯେତେବେଳେ ବିଦେଶୀ ପଥିକମାନେ ପୋଲ ଉପରେ ଯାତାୟାତ କରିବାକୁ ଲାଗିଲେ, ସ୍ଥାନୀୟ ଅଧିବାସୀମାନେ ପ୍ରଥମ ବିସ୍ମୟର ଧକ୍କା କେତେକ ପରିମାଣରେ ସମ୍ଭାଳି ନେଲେ । ସେତେବେଳେ ଶ୍ରମିକମାନଙ୍କର ହିସାବ-ନିକାଶ କରି ଏବଂ ନିଜର କାଗଜପତ୍ର ଓ ଯନ୍ତ୍ରପାତି ସଜଡ଼ା-ସଜଡ଼ି କରି ଇତାଲୀୟ ସ୍ଥପତି କନଷ୍ଟାଣ୍ଟିନୋପ୍‍ଲ ଅଭିମୁଖରେ ଯାତ୍ରା କଲେ । ତତ୍‍କ୍ଷଣାତ୍‍ ତାଙ୍କର ନାମରେ କେତେ ରକମ କାହାଣୀ ରଟିବାକୁ ଲାଗିଲା । ଘର-ଦ୍ଵାରହୀନ ସେହି ସେଲିମ, ଯେ ଘୋଡ଼ାରେ ଚଢ଼ି ଭିସ୍‍ଗ୍ରାଦ ସହରରୁ ଦରକାରୀ ଜିନିଷପତ୍ରସବୁ ସ୍ଥପତିଙ୍କୁ ଆଣି ଦେଉଥିଲା ଏବଂ ଏକମାତ୍ର ଯେ ସ୍ଥପତିଙ୍କ ଛାଉଣି ଭିତରକୁ ମଝିରେ ମଝିରେ ଯାତାୟାତ କରୁଥିଲା, ଚାହା ଦୋକାନୀଙ୍କର ବେଞ୍ଚରେ ବସି ସେ ବାରମ୍ଵାର ସେହି ବିଦେଶୀଙ୍କ ସମ୍ବନ୍ଧରେ ନିମ୍ନଲିଖିତ କାହାଣୀଟି ଶୁଣାଇବାକୁ ଲାଗିଲା ।

 

“ସତରେ ସ୍ଥପତି ଅନ୍ୟମାନଙ୍କ ପରି ଆଦୌ ଜଣେ ସାଧାରଣ ମଣିଷ ନଥିଲେ । ସେ ଥର ଶୀତ କାଳରେ କାମ ବନ୍ଦ କରିଦେଇ ସମସ୍ତେ ଘରକୁ ଚାଲିଗଲେ; କିନ୍ତୁ ମୁଁ ଗଲି ନାହିଁ । ଦିନେ ସ୍ଥପତିଙ୍କ ଘରକୁ ଯାଇ ଦେଖିଲି, ଆଗରୁ ସେମିତି ସବୁ ଜିନିଷ ପତ୍ର ଏଣେତେଣେ ଖେଳାଖେଳି ହୋଇ ସେହି ସନ୍ତସନ୍ତିଆ ଘର ଭିତରେ ପଡ଼ିଥିଲା ଠିକ୍ ସେମିତି ଅବସ୍ଥା ହୋଇଛି । ମୁଣ୍ଡରୁ ଗୋଡ଼ ଯାଏ ଭାଲୁ ଛାଲର ଗୋଟାଏ କମ୍ବଳରେ ଘୋଡ଼ି ହୋଇ ବସି ସେ ଅବିରାମ ପଥର ଘଷିବାରେ ଲାଗିଛନ୍ତି, ନଚେତ୍ କାଗଜରେ କେତେ ରକମ ନକ୍ସା କାଟୁଛନ୍ତି । ତାଙ୍କର ଦୁଇଟି ହାତ ଥଣ୍ଡାରେ ନୀଳ ହୋଇ ଯାଇଛି । ଘୋଡ଼ାର ପିଠିରୁ ଜିନିଷପତ୍ର ଓହ୍ଲାଇ ତାହାଙ୍କ ସାମନାରେ ଠିଆ ହେବାରୁ, ସେ ସବୁଜ ଆଖି ଦୁଇଟି ଟେକି ମୋ ଆଡ଼କୁ ଅନାଇଲେ । ତାଙ୍କର ପୂରିଲା ଅବିନ୍ୟସ୍ତଭ୍ରୂ ଦେଖିମୋର ମନେ ହେଲା ସତେକି ସେ ମୋତେ ଗିଳି ପକାଇବେ । କେବେ ହେଲେ ମୁଁ ତାହାଙ୍କୁ ପଦେ କଥା କହିବାର ଦେଖି ନାହିଁ ।

 

“ତା ପରେ ଦେଢ଼ ବର୍ଷ ଯାଏ ସେ କି ଅମାନୁଷିକ ପରିଶ୍ରମ ନ କଲେ ! ହାତର କାମଟି ଖତମ ହୋଇଯିବା କ୍ଷଣି କାହାକୁ କୁହା ନାହିଁ ବୋଲା ନାହିଁ, ସେ ତତ୍‍କ୍ଷଣାତ୍‍ ପୁଣି କନଷ୍ଟାଣ୍ଟିନୋପ୍‍ଲକୁ ଚାଲିଗଲେ । ମୁଁ ତାହାଙ୍କୁ ଡଙ୍ଗାରେ ନେଇ ନଦୀର ଆର ପଟରେ ଛାଡ଼ି ଦେଇ ଆସିଲି । ସେ ଘୋଡ଼ା ଉପରେ ଚଢ଼ି ଆରାମରେ ବସିଲେ । ଥରେ ହେଲେ ସେ ପଛକୁ ଫେରି ଚାହିଁଲେ ନାହିଁ, ନା ଆମ ଆଡ଼କୁ, ନା ସ୍ଵନିର୍ମିତ ପୋଲ ଆଡ଼କୁ ।”

 

ସ୍ଥପତିଙ୍କ ସମ୍ବନ୍ଧରେ ଲୋକମାନଙ୍କର ଆଉ କୌତୁହଳର ସୀମା ରହିଲା ନାହିଁ । ସେମାନେ ନିତି ସେଲିମକୁ ନୂଆ ନୂଆ କଥା ପଚାରିବାକୁ ଲାଗିଲେ । ନିତି ସେମାନଙ୍କର ବିସ୍ମୟ ବଢ଼ିବାକୁ ଲାଗେ ଏବଂ ସେମାନେ ଅନୁତାପ କରିବାକୁ ଲାଗନ୍ତି । ଏତେ ନିକଟରେ ପାଇ ସୁଦ୍ଧା ସେମାନେ ଲୋକଟିକୁ ଭଲ ଭାବରେ ଚିହ୍ନି ପାରିଲେ ନାହିଁ ।

 

ତେଣେ ସ୍ଥପତି ଆଗେଇ ଯିବାକୁ ଲାଗିଲେ । କିନ୍ତୁ କନଷ୍ଟାଣ୍ଟିନୋପଲରେ ପହଞ୍ଚିବାକୁ ଦୁଇ ଦିନ ବାକି ଅଛି, ବାଟରେ ହଠାତ୍ ତାହାଙ୍କୁ ଝାଡ଼ାବାନ୍ତି ହେଲା । ଜ୍ଵର ଦେହରେ ବହୁ କଷ୍ଟରେ ସେ ଘୋଡ଼ା ନେଇ ସହରକୁ ଫେରି ଆସିଲେ । ତତ୍‍କ୍ଷଣାତ୍‍ ତାହାଙ୍କୁ ଇତାଲୀୟ ଧର୍ମଯାଜକମାନଙ୍କର ଡାକ୍ତରଖାନାରେ ଭର୍ତ୍ତି କରି ଦିଆଗଲା । ତହିଁ ପର ଦିନ ଜଣେ ପାଦ୍ରୀଙ୍କ କୋଳରେ ମୁଣ୍ଡ ରଖି ସେ ଚିର ଦିନ ପାଇଁ ଆଖି ବୁଜିଦେଲେ ।

 

ପର ଦିନ ସକାଳେ ଉଜୀର ତାଙ୍କର ମୃତ୍ୟୁ ସମ୍ବାଦ ପାଇଲେ । ସେତିକିବେଳେ ସେ ପୋଲ ନିର୍ମାଣର ହିସାବପତ୍ର ବୁଝାବୁଝି କରୁଥିଲେ । ତାଙ୍କର ପାଉଣାର ଏକ ଚଉଠ ଭାଗ ମାତ୍ର ସ୍ଥପତିଙ୍କୁ ଦିଆ ହୋଇଥିଲା । ଅଥଚ ତାଙ୍କର ନାମରେ କୌଣସି ଋଣ, କିଛି ଟଙ୍କା ପଇସା, କୌଣସି ଉତ୍ତରାଧିକାରୀ କିମ୍ବା ଅଧିକାରର ସୂଚନା ମିଳିଲା ନାହିଁ । ତହୁଁ ଉଜୀର ତାଙ୍କର ଅବଶିଷ୍ଟ ପାଉଣାରେ ଏକ ତୃତୀୟାଂଶ ଡାକ୍ତରଖାନାକୁ ଏବଂ ଅବଶିଷ୍ଟ ଗରିବ ଦୁଃଖୀମାନଙ୍କୁ ଦାନ କରିବାକୁ ସ୍ଥିର କଲେ ।

 

ଗ୍ରୀଷ୍ମ କାଳୀନ ଏକ ପ୍ରଶାନ୍ତ ରମଣୀୟ ସକାଳ । ଯେତେବେଳେ ଉଜୀର ଏହି ମର୍ମରେ ଆଦେଶ ଜାରୀ କରିବାକୁ ବସିଛନ୍ତି, ଠିକ୍ ସେତିକିବେଳେ ବସ୍ନିୟାର ଜଣେ ତରୁଣ ମୁସଲମାନ ମୌଲବୀ ତାହାଙ୍କ ନିକଟରେ ଖଣ୍ଡିଏ ଅର୍ଜି ପେଶ୍ କଲେ । ମୌଲବୀଙ୍କର ପାଣ୍ଡିତ୍ୟ ଯେପରି ଅଗାଧ, ତତୋଽଧିକ ନିପୁଣ ଥିଲା ତାଙ୍କର ହାତ କବିତା ରଚନା କରିବାରେ । ସେହି ସମ୍ପର୍କରେ ସେ ଉଜୀରଙ୍କ ନିକଟରୁ ପ୍ରାୟ ନାନା ରକମ ଉପହାର ପାଆନ୍ତି । ବସ୍‍ନିୟାର ଉଜୀରଙ୍କର ପୋଲ ତିଆରି କରିଦେବାର ଖବର ପାଇ ମୌଲବୀ ତାହାଙ୍କ ନିକଟକୁ ଚିଠିରେ ଲେଖିଥିଲେ । “ଲୋକଙ୍କ ଠାରୁ ଶୁଣିଲି, ହଜୁର ଆମ ଗାଁରେ ଗୋଟିଏ ପୋଲ ତିଆରି କରି ଦେଇଛନ୍ତି । ଅନ୍ୟାନ୍ୟ ଜନ-ହିତକର କାମରେ ଯେମିତି ହୁଏ, ଏହି ପୋଲର କ୍ଷେତ୍ରରେ ବି ନିର୍ମାତାଙ୍କ ନାମ ଓ ନିର୍ମାଣର ତାରିଖ ଖୋଦାଇ କରି ଦିଆଯାଉ । ଏହା ପୂର୍ବରୁ ଏପରି କାମରେ ହଜୁର ବହୁ ଥର ଏହି ଦାସର ସେବା ଗ୍ରହଣ କରିଛନ୍ତି । ଏଥର ଯଦି ବହୁ ପରିଶ୍ରମରେ ସ୍ଵରଚିତ କବିତାଟି ହଜୁରଙ୍କର ମନକୁ ପାଏ, ତାହା ହେଲେ ଦାସନୁଦାସ କୃତାର୍ଥ ହେବ ।” ଅତି ସୁଦୃଶ୍ୟ କାଗଜରେ କବିତାଟି ଲେଖା ହୋଇଥିଲା, ସୂକ୍ଷ୍ମ ନକ୍‍ସାର ଛନ୍ଦରେ ସୁନ୍ଦର ଲାଲ ଓ ସୁନେଲି ଅକ୍ଷରରେ !

 

“ସରକାରଙ୍କର ମେହେରବାନି, ଶିଳ୍ପୀର ମିଜାଜ,

ହାତରେ ହାତ ମିଳାଇଲା ଯେତେବେଳେ

ଏହି ମନୋରମ ପୋଲ ହେଲା ନିର୍ମିତ,

ପ୍ରଜାମାନେ ସୁଖୀ, ଆଉ ଧନ୍ୟ ୟୁସୁଫ

—ଇହ ଲୋକେ ଓ ପର ଲୋକେ ।”

 

ତାହା ତଳେ ‘ୟୁସୁଫ ଇବ୍ରାହିମ’ଙ୍କର ମୋହର ଅଙ୍କିତ ହୋଇଥିଲା ଏବଂ ଲେଖା ଯାଇଥିଲା—‘‘ନୀରବତା ହିଁ ଚରମ ଆଶ୍ରୟ ।”

 

ଉଜୀର ବହୁ କ୍ଷଣ ସ୍ଥାଣୁ ଭଳି ବସି ରହିଲେ । ଗୋଟିଏ ହାତରେ କବିତାଟି, ଆଉ ଅନ୍ୟ ହାତରେ ପୋଲ ନିର୍ମାଣର କାଗଜପତ୍ର-ହିସାବ । କୌଣସି କାମରେ ହାତ ଦେବା ଆଗରୁ ସେ ନ ଭାବି ନ ଚିନ୍ତି କିଛି କରି ପକାନ୍ତି ନାହିଁ ।

 

ଏହି ଗ୍ରୀଷ୍ମ ଋତୁରେ ଉଜୀରଙ୍କର ଲାଞ୍ଛିତ ହେବାର ଦୁଇ ବର୍ଷ ପୂର୍ଣ୍ଣ ହେବ । କାରା-ମୁକ୍ତି ପରେ ପୁଣି ପ୍ରଥମେ ଯେତେବେଳେ ସେ କ୍ଷମତାସୀନ ହେଲେ, ସେ ନିଜ ଭିତରେ ଗୋଟାଏ କିଛି ବଡ଼ ଧରଣର ପରିବର୍ତ୍ତନ ଲକ୍ଷ୍ୟ କରି ନ ଥିଲେ । କିନ୍ତୁ ଏକ୍ଷଣି ସେ ସମ୍ପୂର୍ଣ୍ଣ ଭାବରେ ଉପନୀତ ହୋଇଛନ୍ତି ସେହି ପରିପକ୍ୱ ବୟସରେ, ଯେତେବେଳେ ମଣିଷ ନିଜ ଜୀବନର ଷୋଳ ଅଣା ତାତ୍ପର୍ଯ୍ୟ ଉପଲବ୍ଧି କରିବାକୁ ଶିଖେ । ଏପରିକି ନିଜର ପ୍ରତିପନ୍ଥୀମାନଙ୍କୁ ପରାଭୂତ କରି ନିଜର କ୍ଷମତା ସମ୍ବନ୍ଧରେ ସେ ଯଥେଷ୍ଟ ସଚେତନ ହୋଇ ପଡ଼ିଛନ୍ତି । ବିପଦର ଗହନତମ ଗ୍ରାସର କବଳରୁ ଫେରିଆସି ସେହି କ୍ଷମତାର ସାର୍ଥକତା କେଉଁଠି ନିହିତ, ସେ ତାହା ବୁଝି ପାରିଛନ୍ତି । କିନ୍ତୁ ସମୟ ଯେତେ ଗଡ଼ି ଯାଉଛି, ତାଙ୍କର କାରାବାସର ସ୍ମୃତି ସେତେ ଲିଭିଯିବା ବଦଳରେ ଉତ୍ତରୋତ୍ତର ତାଙ୍କର ଚେତନାକୁ ଢାଙ୍କି ପକାଉଛି । ଜାଗ୍ରତ ଅବସ୍ଥାରେ ବା ସେ ନିଜକୁ କିଛି ସମୟ ତାହା କବଳରୁ ମୁକ୍ତ କରି ରଖି ପାରନ୍ତି, କିନ୍ତୁ ନିଦ୍ରାରେ ଆଦୌ ପାରନ୍ତି ନାହିଁ । ତାଙ୍କର କାରାବାସର ସ୍ମୃତି ଦୁଃସ୍ଵପ୍ନ ଭିତରେ ଫେରି ଆସିବାକୁ ଲାଗିଲା ଏବଂ ଉଜୀରଙ୍କର ଦିନଗୁଡ଼ିକ ତାହାରି ଉତ୍କଣ୍ଠାରେ ବିଷାକ୍ତ ହେବାକୁ ବସିଲା ।

 

ମାତ୍ର ଅତି ଗୋପନରେ, କିନ୍ତୁ ସତ୍ତାର ଗଭୀରତାରେ ସେ ଧୀରେ ଧୀରେ ସବୁ କିଛି ସମ୍ବନ୍ଧରେ ସନ୍ଦିହାନ ହେବାକୁ ଲାଗିଲେ । ତଥାପି ଏହି ଅବ୍ୟକ୍ତ ଅଶାନ୍ତିପୂର୍ଣ୍ଣ ସୁଖ ସେ କାହା ସାମନାରେ ଦେଖାଇ ପାରିଲେ ନାହିଁ । ମନୁଷ୍ୟ ଜାଣେ ନାହିଁ—ଯେଉଁମାନେ ମହାନ୍, ଯେଉଁମାନେ କ୍ଷମତାଶାଳୀ, ଏହିପରି ଭାବରେ ସେମାନେ ତିଳେ ତିଳେ ଦ୍ରୁତ ଅଗେଇ ଯାଆନ୍ତି ନୀରବରେ ମୃତ୍ୟୁର ପଥରେ ।

 

ସେ ଦିନ ସକାଳେ ଉଜୀର ଗତ ରାତିରେ ଅନିଦ୍ରା ହେତୁ କ୍ଳାନ୍ତ ହୋଇ ବସି ବସି କଅଣ ସବୁ ଭାବୁଥିଲେ । ସକାଳର ସ୍ନିଗ୍ଧତା ତାଙ୍କର ଆଖିପତା ଦୁଇଟିକୁ ଭାରାକ୍ରାନ୍ତ କରି ପକାଇଥିଲା । ସେ ଭାବୁଥିଲେ ଏହି ବିଦେଶୀ ସ୍ଥପତିଙ୍କ କଥା, ଆଉ ଯେଉଁମାନେ ତାଙ୍କର ଅର୍ଜିତ ଅର୍ଥରେ ପେଟ ପୂରାଇବେ ସେହିସବୁ ଭିକାରୀଙ୍କର କଥା । ସେ ଆହୁରି ଭାବୁଥିଲେ ସେହି ସୁଦୂର ପାର୍ବତ୍ୟ ନିର୍ଜନ ବିଷଣ୍ଣ ଜନ୍ମଭୂମି ବସ୍‍ନିୟାର କଥା ! କିଛି ଦିନ ହେଲା ସେ ଅନୁଭବ କରୁଛନ୍ତି, ବସ୍‍ନିୟାର କଥା ମନେ ପଡ଼ିଗଲେ ତାଙ୍କର ମନଟା ଏହିପରି ଗୋଟାଏ ବିଷଣ୍ଣତାରେ ପୂରିଯାଏ । ସେହି ଅନ୍ଧକାର ଦେଶ ବସ୍‍ନିୟା ଯାହାର ଏକ ଭାଗର ଲୋକଙ୍କୁ ବି ଇସଲାମର ବାଣୀ ଆଲୋକ ଦାନ କରି ପାରିଲା ନାହିଁ, ଯେଉଁଠି ସଂସ୍କୃତିର ନାମ ଗନ୍ଧ ନାହିଁ ଏବଂ ଯେଉଁଠି ଜୀବନ ବିସ୍ୱାଦ, ଦରିଦ୍ର ଓ କଠୋର । ପୃଥିବୀରେ ଏମିତି କେତୁଟା ଜାଗା ଅଛି ? କେତେ ନଦୀ ଅଛି, ଯାହା ଉପରେ ପୋଲ ନାହିଁ ? କେତେ ଦେଶ ଅଛି, ଯେଉଁଠି ପିଇବା ପାଣି ନାହିଁ, ଆଉ ଯାହାର ମସଜିଦ ଭଗ୍ନ-ପ୍ରାୟ ଓ କୁତ୍ସିତ ?

 

ଉଜୀରଙ୍କର ଆଖି ଆଗରେ ଭାସି ଯିବାକୁ ଲାଗିଲା ଅଭାବ, ଅନାଟନ ଓ ହାହାକାରର ସର୍ବ ପ୍ରକାର ରୂପରେ ଉପଚୀୟମାନ ଏକ ଭୟଙ୍କର ଜଗତ୍ ।

 

ତାଙ୍କର ଉଦ୍ୟାନ-ବାଟିକାର ମସୃଣ ଛାତ ଉପରେ ସବୁଜ ଟାଇଲଗୁଡ଼ିକ ପ୍ରଭାତର ସୁନେଲି କିରଣରେ ଝଲସୁଛି । ଉଜୀର ପୁଣି ଆଖି ବୁଲାଇଲେ ମୌଲବୀଙ୍କର ସେହି କବିତାଟି ଉପରେ । ଧୀରେ ଧୀରେ ହାତ ଉଠାଇ କଲମର ଦୁଇଟି ଗାରରେ ସେ କବିତାଟି କାଟିଦେଲେ । ମୁହୂର୍ତ୍ତକ ଭିତରେ ସେ କାଟି ଉଡ଼ାଇ ଦେଲେ ତାଙ୍କର ନାମ ସମ୍ବଳିତ ମୋହରଟା । ଏକ୍ଷଣି ଖାଲି ରହିଲା ଗୋଟିଏ ବାଣୀ—” ନୀରବତା ହିଁ ଚରମ ଆଶ୍ରୟ ।” ଉଜୀର ବହୁତ ବେଳ ଯାଏ ତାହା ଆଡ଼କୁ ଅନାଇ ରହିଲେ ଏବଂ ଶେଷରେ ସେଟାକୁ ବି କାଟି ଉଡ଼ାଇ ଦେଲେ। ଫଳରେ ପୋଲର ଦେହରେ ଲିପିବଦ୍ଧ ହେଲା ନାହିଁ କାହାରି ନାମ ଓ କୋଣସି କବିତା ।

 

ସୁଦୂର ବସନିୟାରେ ମୁଣ୍ଡ-ଫଟା ଟାଣ ଖରାରେ, ମନ-ମତାଣିଆ ଜ୍ୟୋତ୍ସ୍ନାଲୋକରେ ଝଲସିବାକୁ ଲାଗିଲା ଧଳା ପଥରର ଏହି ପୋଲଟି । ମଣିଷ ଓ ପଶୁମାନେ ତାହା ଉପରେ ଯାତାୟତ କରିବାକୁ ଲାଗିଲେ । ଖୋଳା ମାଟି ଓ ବିକ୍ଷିପ୍ତ ମାଲ-ମସଲାର ଚିହ୍ନ ବିଲୁପ୍ତ ହେବାକୁ ବେଶି ଦିନ ଲାଗିଲା ନାହିଁ । ପାହାଡ଼ରେ ଅବିରାମ ବର୍ଷାରେ ପୋଲର ନୂତନତ୍ଵର ଚିହ୍ନଗୁଡ଼ିକ ଧୀରେ ଧୀରେ ପୋଛି ହୋଇଗଲା । କିନ୍ତୁ ପୋଛି ହୋଇଗଲା ନାହିଁ ପଲ୍ଲୀ ଅଞ୍ଚଳ ସହିତ ପୋଲର ବୈଶିଷ୍ଟ୍ୟର ସ୍ପଷ୍ଟ ବ୍ୟବଧାନ । ସେହି ଅଞ୍ଚଳର ଲୋକେ ପୋଲଟିକୁ ଆପଣାର କରି ପାରିଲେ ନାହିଁ-। ଧୋବ ଫର ଫର ଉଦ୍ଧତ ପଥରର ପ୍ରକାଣ୍ଡ ଖିଲାଣଟିର ଏକାକିତ୍ଵ ଦୂରରୁ ଦେଖି ଅରଣ୍ୟ-ପଥଚାରୀମାନେ ମୁଗ୍ଧ ବିସ୍ମିତ ନ ହୋଇ ରହିପାରିଲେ ନାହିଁ, ସତେ ଯେମିତି ଏହି ବଣୁଆ ପାହାଡ଼ିଆ ଅଞ୍ଚଳରେ ଗୋଟିଏ ସୁନ୍ଦର ହଜିଲା ସପନ ।

 

ଏହି କାହାଣୀଟି ଯେ ଶୁଣାଉଛନ୍ତି, ସର୍ବ ପ୍ରଥମେ ତାଙ୍କରି ମଗଜରେ ପ୍ରବଳ ଆଗ୍ରହ ଜାତ ହୋଇଥିଲା ଏହି ପୋଲ ନିର୍ମାଣର ବୃତ୍ତାନ୍ତ ଜାଣିବାକୁ । ଦିନେ ସଞ୍ଜବେଳେ ସେ ପାହାଡ଼ିଆ ବାଟରେ ଫେରୁଥିଲେ । କ୍ଳାନ୍ତ ଓ ଅବସନ୍ନ ହୋଇ ଟିକିଏ ବିଶ୍ରାମ ନେବା ପାଇଁ ସେ ସେହି ସାଦା ପଥର ପାଚେରୀଟାକୁ ଆଉଜି ବସି ପଡ଼ିଲେ । ଗ୍ରୀଷ୍ମ କାଳରେ ଦିନଗୁଡ଼ିକ ଯେମିତ ଅସହ୍ୟ, ରାତିଗୁଡ଼ିକ ବି ସେମିତି ସୁନ୍ଦର ଥିଲା । ସେତେବେଳେ ପଥରର ଦେହ ଯେମିତି ତାତିରେ ପୋଡ଼ି ଯାଉଥିଲା । ତାଙ୍କର ଦେହରୁ ଗମ ଗମ ହୋଇ ଝାଳ ବୋହୁଥିଲା । ଡ୍ରିନାର ଝଲକାଏ ହେମାଳ ପବନ ବହି ଆସିଲା ।

 

ଠିକ୍ ସେହି ମୁହୂର୍ତ୍ତରେ ଉଷ୍ଣ ପଥରର ସ୍ପର୍ଶ ଯେମିତି ଏକାବେଳେ ବିଚିନ୍ତ୍ର ସେମିତି ପ୍ରୀତିପଦ ବୋଧ ହେଲା । ସେହି ଟିକିକ ସମୟ ଭିତରେ ମଣିଷର ମନ ସାଙ୍ଗରେ ମିଳିଗଲା ପଥର ପୋଲଟିର ସତ୍ତା । ସେଠାରେ ହିଁ ଏହି କାହାଣୀ ଲେଖିବାର ସଂକଳ୍ପ ଜାତ ହୋଇଥିଲା ।

☆☆☆

 

ସାପ

 

ସେତେବେଳକୁ ଅନ୍ଧକାର ମାଡ଼ି ଆସିଲାଣି । ଡା: ଫଲିପ୍‍ସ ଝୁଲାଟି କାନ୍ଧରେ ଓହଳାଇ ଜୁଆର-ପାଣି-ଜମିଥିବା ଚତରରୁ ଉଠି ଆସିଲେ । ତା ପରେ ସେ ପାହାଡ଼ିଆ ଉଠାଣିରେ ଚଢ଼ି ରାସ୍ତା ଉପରେ ଆସି ପହଞ୍ଚିଗଲେ, ଏବଂ ରବର ବୁଟ୍ ଜୋତା-ପିନ୍ଧା-ଗୋଡ଼ ଘୋଷାରି ଘୋଷାରି ଆଗେଇଗଲେ । ମନଟେରାରୀରେ ତାଙ୍କର କ୍ଷୁଦ୍ର ଗବେଷଣାଗାରରେ ଆସି ଯେତେବେଳେ ସେ ପହଞ୍ଚିଲେ, ସେତେବେଳକୁ ରାସ୍ତାରେ ବତି ଲାଗିଲାଣି । ଗୋଟିଏ ଛୋଟ ଅପ୍ରଶସ୍ତ ଘର—ଅଧେ ମାଟିରେ ତ ଅଧେ ପାଣି ଉପରେ ।

 

ଡା: ଫିଲିପ୍‍ସ କାଠ ସିଡ଼ିରେ ଉପରକୁ ଉଠିଯାଇ ଦୁଆର ଖୋଲିଲେ । ପିଞ୍ଜରା ଭିତରେ ମୂଷାଗୁଡ଼ାକ ଚଞ୍ଚଳ ହୋଇ ପଡ଼ିଲେ । ବନ୍ଦୀ ବିରାଡ଼ିଗୁଡ଼ାକ ଦୁଧ ପିଇବା ପାଇଁ ମ୍ୟାଉଁ ମ୍ୟାଉଁ କରିବାକୁ ଲାଗିଲେ । ଡା: ଫିଲିପ୍‍ସ ବ୍ୟବଚ୍ଛେଦ-ଟେବୁଲ ଉପରେ ଥିବା ଆଖି-ଝଲସା ବତିଟା ଜଲାଇଦେଲେ, ସନ୍ତସନ୍ତିଆ ଝୁଲାଟି କାଢ଼ି ଚଟାଣ ଉପରେ ରଖିଦେଲେ, ଏବଂ ଝରକା ପାଖରେ ରାଟଲ ସାପର କାଚ ପିଞ୍ଜରାଟା ଭିତରକୁ ଥରେ ଉଙ୍କି ମାରି ଦେଖିଲେ I

 

ସାପଗୁଡ଼ିକ ପିଞ୍ଜରା ଭିତରେ ଗୋଟାଏ କୋଣରେ କୁଣ୍ଡଳୀ ପକାଇ ବିଶ୍ରାମ କରୁଥିଲେ-। ସେମାନଙ୍କର ନିଦ୍ରାଳୁ ଆଖିରେ ସେମାନେ ଯେମିତି କିଛି ଦେଖି ପାରୁ ନ ଥିଲେ । କିନ୍ତୁ ଡାକ୍ତର ପିଞ୍ଜରା ଉପରେ ନଇଁ ପଡ଼ିବାରୁ ସେମାନଙ୍କର ଲହଲହ କଟା ଜିଭଗୁଡ଼ାକ ବାହାରି ଆସିଲା-। ଆଗ କଳା ଓ ପଛ ଲାଲ ଜିଭଗୁଡ଼ିକ ଲହଲହ ହେବାକୁ ଲାଗିଲା । ତା ପରେ ବୋଧହୁଏ ଲୋକ ଚିହ୍ନି ପାରି ଜିଭଗୁଡ଼ିକ ଭିତରକୁ ଚାଲିଗଲେ I

 

ଡା:ଫିଲିପ୍‍ସ ଚମଡ଼ା କୋଟ୍‍ଟା ଖୋଲି ପକାଇ ରଖିଦେଲେ । ଟିଣ ଚୁଲିରେ ନିଆଁ ଧରାଇଲେ । ତା ପରେ କେଟଲିରେ ପାଣି ଦେଇ ସେଥିରେ ଗୋଟିଏ ଝୁଡୁ଼ଙ୍ଗ-ମଞ୍ଜିର ଟିଣ ବସାଇ ଦେଲେ ।

 

ଡା:ଫିଲିପ୍‍ସ ଯୁବକ । ତାଙ୍କର ନୟନ ଯୁଗଳରେ ଗୋଟିଏ କେମିତିକା ଆଚ୍ଛନ୍ନ-ଭାବ ପ୍ରକଟିତ ହୁଏ । ଅଣୁବୀକ୍ଷଣ ଭିତରେ ତାଙ୍କୁ ଅନେକ ବେଳ ଯାଏ ଅନାଇ ରହିବାକୁ ପଡ଼େ । ମୁଖରେ ତାଙ୍କର ଇଷତ୍ ଲାଲ ଦାଢ଼ି ।

 

ଚିମିଣି ବାଟେ ଗରମ ହାଓ୍ୟା ଉପରକୁ ଉଠିଲା । ଚୁଲିରୁ ଉତ୍ତାପର ଧାସ ବାହାରି ଆସିଲା । ତଳେ ପାଣିର ଛଳ ଛଳ ଶବ୍ଦ । ଘରର ଚାରି ପାଖ କାନ୍ଥର ଥାକରେ ନାନା ଆକାରର ଶିଶି ବୋତଲ । ସେଥିରେ ବହୁ ରକମ ସାମୁଦ୍ରିକ ପ୍ରାଣୀର ନମୁନା ।

 

ଡା:ଫିଲିପ୍‍ସ ଗୋଟାଏ ପାଖର ଦୁଆର ଖୋଲି ଶୟନ କକ୍ଷ ଭିତରକୁ ପଶିଗଲେ । ଗୋଟଏ ଛୋଟ କୋଠରୀ । କାନ୍ଥଟା ବହିରେ ପୋତି ହୋଇ ଯାଇଛି । ଘର ଭିତରେ ସୈନ୍ୟ-ବାହିନୀର ଖଣ୍ଡିଏ ଛୋଟ ଖଟ । ଗୋଟିଏ ପଢ଼ିବା-ଆଲୁଅ ଓ ଖଣ୍ଡିଏ କାଠ ଚଉକି । ଡା:ଫିଲିପ୍‍ସ ରବର ବୁଟ୍ ଜୋତା ଖୋଲି ପକାଇ ମେଣ୍ଢା-ଚମଡ଼ାର ଚଟି ପାଦରେ ଗଳାଇ ଗବେଷଣାଗାରକୁ ଫେରି ଆସିଲେ । ସେତେବେଳକୁ କେଟଲିରେ ପାଣି ଫୁଟାଇବାକୁ ଆରମ୍ଭ କଲାଣି ।

 

ଡା: ଫିଲିପ୍‍ସ ଚଟାଣରୁ ତାଙ୍କର ଝୁଲାଟା ଉଠାଇ ନେଇ ତା ଭିତରୁ ପ୍ରାୟ ଚବିଶଟା ଯାଏ ତାରା—ମାଛ ଟେବୁଲ ଉପରେ ଢାଳିଦେଲେ । ସେଗୁଡ଼ିକୁ ପାଖ ପାଖ କରି ସଜାଇ ରଖିଲେ-। ହଠାତ୍ ତାର-ପିଞ୍ଜରା ଭିତରେ ଥିବା ମୂଷାଗୁଡ଼ିକ ଉପରେ ତାଙ୍କର ଦୃଷ୍ଟି ପଡ଼ିଗଲା । ଗୋଟିଏ କାଗଜ ଠୁଙ୍ଗାରୁ କିଛି ଦାନା ନେଇ ମୂଷାଙ୍କୁ ଖାଦ୍ୟ-ପାତ୍ରରେ ଢାଳି ଦେଲେ । ମୂଷାଗୁଡ଼ିକ ଧାଇଁ ଆସ ଖାଦ୍ୟ ଉପରେ ଏକାଠି ପଡ଼ିଗଲେ । ଗୋଟିଏ କାଚ ଥାକ ଉପରେ ବୋତଲେ ଦୁଧ ଥିଲା-। ଡା:ଫିଲିପ୍‍ସ ବୋତଲଟି ଉଠାଇ ନେଇ ବିରାଡ଼ିଙ୍କ ପିଞ୍ଜରା ନିକଟକୁ ଗଲେ। କିନ୍ତୁ ପାତ୍ରରେ ଦୁଧ ଢାଳିବା ଆଗରୁ ପିଞ୍ଜରାରୁ ଗୋଟାଏ ହୃଷ୍ଟପୁଷ୍ଟ ବିରାଡ଼ି କାଢ଼ି ଆଣିଲେ । କିଛି କ୍ଷଣ ସେ ବିରାଡ଼ିଟାକୁ ଗେହ୍ଲା କଲେ । ତା ପରେ ଗୋଟିଏ କଳା ରଙ୍ଗର ବାକ୍ସ ଭିତରେ ସେଟାକୁ ଛାଡ଼ିଦେଲେ । ଢାଙ୍କୁଣିଟା ଲଗାଇଦେଲେ । ତା ପରେ ବାଷ୍ପର କଳ ଖୋଲିଦେଲେ । କଳା ବାକ୍ସ ଭିତରେ ଜୀବନ ମରଣର ସଂଗ୍ରାମ ଚାଲିଲା—ଡା:ଫିଲିସପ୍ ବିରାଡ଼ି-ପିଞ୍ଜରାର ପାତ୍ରରେ ଦୁଧ ଢାଳିଦେଲେ। ଗୋଟିଏ ବିରାଡ଼ି ତାଙ୍କର ହାତକୁ ଲାଗି ଠିଆ ହେଲା। ସେ ଟିକିଏ ହସି ତାକୁ ଆଦର କଲେ ।

 

ବାକ୍ସ ଭିତରେ ଶବ୍ଦ ବନ୍ଦ ହୋଇ ଗଲାଣି । ସେ ବାଷ୍ପର କଳଟା ବନ୍ଦ କରିଦେଲେ । ବାକ୍ସ ଭିତରୁ ପବନ ବାହାରି ପାରେ ନାହିଁ । ବାଷ୍ପ ବି ବାହାରିବ ନାହିଁ ।

 

ଚୁଲିରେ ପାଣି ଫୁଟୁଛି । ଡା:ଫିଲିପ୍‍ସ ଝୁଡ଼ୁଙ୍ଗର ଟିଣଟା କାଢ଼ି ଆଣି ଥାଳିଆରେ କିଛି ଢାଳି ଦେଇ ଖାଇବାକୁ ଲାଗିଲେ । ଖାଇବାବେଳେ ସେ ତାରା-ମାଛଗୁଡ଼ିକ ଉପରେ ନଜର ରଖିଥିଲେ । ଦୁଧ ଭଳି ଗୋଟାଏ ତରଳ ପଦାର୍ଥ ଗଡ଼ି ପଡ଼ୁଥିଲା । ଝୁଡ଼ୁଙ୍ଗ ଟିଣଟା ବନ୍ଦ କରି ସେ ଉଠି ପଡ଼ିଲେ । ଥାକରୁ ଗୋଟାଏ ଅଣୁବୀକ୍ଷଣ ଓ କେତୋଟି ଛୋଟ କାଚ ଥାଳିଆ ବାହାର କଲେ-। ସେଥିରେ କଳରୁ ସମୁଦ୍ରର ପାଣି ଭର୍ତ୍ତି କଲେ । ତାରା-ମାଛଗୁଡ଼ିକ ପାଖରେ ଥାଳିଆସବୁ ଧାଡ଼ି ଧାଡ଼ି କରି ସଜାଇ ରଖିଲେ । ଘଡ଼ିଟି ଖୋଲି ପକାଇ ଉଜ୍ଜ୍ୱଳ ଆଲୁଅ ତଳେ ଥୋଇଲେ। ଗୋଟିଏ ଡ୍ରପାର ବାହାର କରି ତାରା-ମାଛଗୁଡ଼ିକ ଉପରେ ନଇଁ ପଡ଼ିଲେ ।

 

ଠିକ୍ ଏତିକିବେଳେ କାଠ ସିଡ଼ିରେ ଦ୍ରୁତ ପଦ-ଧୂନି ଶୁଣାଗଲା । ତା ପରେ ଜୋରରେ ଜଞ୍ଜିର ହଲାଇବାର ଶବ୍ଦ । ଡ଼ା:ଫିଲିପ୍‍ସଙ୍କ ମୁଖ ମଣ୍ଡଳରେ ବିରକ୍ତିର କୁଞ୍ଚିତ ରେଖା ପ୍ରକଟିତ ହେଲା । ଦୁଆର ଖୋଲି ଦେବାରୁ ଦେଖାଗଲା, ଜଣେ ରୋଗଣା ଦୀର୍ଘାଙ୍ଗୀ ମହିଳା ଠିଆ ହୋଇଛନ୍ତି । କଳା ପୋଷାକ ପିନ୍ଧଛନ୍ତି । କେଶରାଶି ଯେମିତି ପବନରେ ଏଣେ ତେଣେ ଉଡ଼ୁଛି । ଉଜ୍ଜ୍ୱଳ ଆଲୁଅରେ ତାଙ୍କର କଳା ଆଖି ଦୁଇଟି ଚିକ୍ ଚିକ୍ କଲା ।

 

“ଭିତରକୁ ଯାଇ ପାରେ ? କିଛି କଥା କହିବାର ଅଛି।” ମହିଳା ଅନୁରୋଧ କଲେ ।

 

“ଏକ୍ଷଣି ଟିକିଏ ବ୍ୟସ୍ତ ଅଛି ।” ସେ ଜବାବ ଦେଲେ ।

 

“ମୋତେ କିଛି କିଛି କାମ କରିବାକୁ ହୁଏ।” କିନ୍ତୁ ଏହା କହି ସେ ଦୁଆର ମୁହଁରୁ ଘୁଞ୍ଚିଗଲେ। ମହିଳା ଭିତରେ ପ୍ରବେଶ କଲେ ।

 

“ଆପଣଙ୍କର ଅବସର ନ ହେବା ଯାଏ ମୁଁ ଚୁପ୍‍ ହୋଇ ବସି ରହିବି।”

 

ଦୁଆର ବନ୍ଦ କରି ଶୟନ କକ୍ଷରୁ ହଲୁଥିବା ଚଉକି ଖଣ୍ଡିକ ଆଣି ପକାଇଦେଲେ । ସେ କୈଫିୟତ ଦେବା ଭଙ୍ଗୀରେ କହିଲେ, “ଯେତେବେଳେ କାମଟା ଆରମ୍ଭ କରି ଦେଇଛି, ଏକ୍ଷଣି ତାହା ଶେଷ ନ କରିବା ଛଡ଼ା ମୋର ଅନ୍ୟ ଗତି ନାହିଁ ।” ନାନା ଧରଣର ଲୋକ ବୁଲିବାକୁ ଆସି ତାଙ୍କୁ ବହୁତ ପ୍ରକାର ପ୍ରଶ୍ନ ପଚାରନ୍ତି । ଫିଲିପ୍‍ସଙ୍କର ସେମାନଙ୍କ ପ୍ରଶ୍ନର ଜବାବ ଦେବାର ଗୋଟାଏ ଧାରା ଅଛି । କିଛି ଚିନ୍ତା ନ କରି ସେ ଜବାବ ଦେଇ ପାରନ୍ତି । “ଏଇଠି ବସନ୍ତୁ । କେତେ ମିନିଟ୍‍ ପରେ ଆପଣଙ୍କ କଥା ଶୁଣି ପାରିବି ।”

ମହିଳା ଟେବୁଲ ଉପରେ ନଇଁ ପଡ଼ିଲେ । ଡା: ଫିଲିପ୍‍ସ ତାରା-ମାଛରୁ ଡ୍ରପାରରେ ତରଳ ପଦାର୍ଥ ନେଇ ଥାଳିଆରେ ଥିବା ପାଣିରେ ପକାଇ ଗୋଳାଇବାକୁ ଲାଗିଲେ । ତା ପରେ ଦୁଧ ଭଳି ତରଳ ପଦାର୍ଥ ସେଥିରେ ଢାଳିଦେଲେ । ତା ପରେ ପାଣି ଘାଣ୍ଟୁ ଘାଣ୍ଟୁ କହିବାକୁ ଲାଗିଲେ-! “ଭଟ୍ଟା ବେଳେ ତାରା-ମାଛ ପୁଂ ବୀଜ ଓ ମଞ୍ଜି ଛାଡ଼େ । ପାଣି ଭିତରୁ ମାଛ ବାଛି ଆଣି ଭଟ୍ଟାବେଳର ଅବସ୍ଥା ମୁଁ ଏଠାରେ ସୃଷ୍ଟି କରିଛି । ଏକ୍ଷଣି ପୁଂ ବୀଜ ଓ ମଞ୍ଜି ମୁଁ ଏଠାରେ ମିଶାଉଛି-। ଦଶୋଟି କାଚ ସ୍ଳାଇଡରେ ମୁଁ ତାହା ରଖିବି । ଦଶ ମିନିଟ୍‍ ପରେ ପ୍ରଥମ ସ୍ଳାଇଡର ବୀଜଗୁଡ଼ିକୁ ମାରି ପକାଇବି ଏବଂ କୋଡ଼ିଏ ମିନିଟ ପରେ ଦ୍ୱିତୀୟ ସ୍ଳାଇଡର ବୀଜଗୁଡ଼ିକୁ ମାରି ପକାଇବି-। ତା ପରେ ପ୍ରତି କୋଡ଼ିଏ ମିନିଟ ଅନ୍ତରରେ ଗୋଟିଏ ଗୋଟିଏ ସ୍ଳାଇଡର ବୀଜକୁ ମୁଁ ମାରିଦେବି-। ତାହା ହେଲେ ସ୍ଳାଇଡ଼ ଉପରେ ଜନ୍ମ-ପକ୍ରିୟାର ବିଭିନ୍ନ ସ୍ତର ଧରା ପଡ଼ିବ ।” ଟିକିଏ ରହିଯାଇ ସେ ପଚାରିଲେ, “ଅଣୁବୀକ୍ଷଣରେ ପ୍ରଥମ ସ୍ଳାଇଡଟା ଦେଖିବେ କି ?”

“ନା, ଧନ୍ୟବାଦ ।”

ଡା: ଫିଲିପ୍‍ସ ବିସ୍ମିତ ନୟନରେ ମହିଳାଙ୍କ ଆଡ଼କୁ ଅନାଇଲେ । ଯେଉଁମାନେ ଏଠାକୁ ଆସନ୍ତି, ସେମାନେ ସମସ୍ତେ ଦେଖିବାକୁ ଚାହାନ୍ତି । ସେମାନଙ୍କ ପ୍ରଶ୍ନରେ ସେ ବିରକ୍ତ ହୁଅନ୍ତି । ମାତ୍ର ମହିଳାଙ୍କର ଏହି ନିରାସକ୍ତ ଭାବ ତାଙ୍କୁ କ୍ଷୁଣ୍ଣ କଲା । ମହିଳାଙ୍କୁ କୌତୂହଳୀ କରିବା ପାଇଁ ତାଙ୍କର ଇଚ୍ଛା ହେଲା ।

 

“ଏକ୍ଷଣି ମୋତେ ଦଶ ମିନିଟ୍‍ ଅପେକ୍ଷା କରିବାକୁ ହେବ । ଏକ୍ଷଣି ମୋତେ ଯେଉଁ କାମ କରିବାକୁ ହେବ, ତାହା ଅନେକଙ୍କ ସମକ୍ଷରେ ଅପ୍ରୀତିକର । ଆପଣ ବରଂ ପାଖ ଘରେ ଯାଇ ବସନ୍ତୁ ।”

 

“ନା”, ମହିଳା କହିଲେ । “ଆପଣଙ୍କର ଯାହା ଇଚ୍ଛା କରନ୍ତୁ । ଆପଣଙ୍କୁ ଫୁରସତ ନ ମିଳିବା ଯାଏ ମୁଁ ଅପେକ୍ଷା କରିବି ।”

 

ମହିଳାଙ୍କୁ ଆଘାତ ଦେବାର ଇଚ୍ଛାଟା ଡା: ଫିଲିପ୍‍ସଙ୍କର ମନ ଭିତରେ ପୁଣି ଉଦ୍ରେକ ହେଲା । ସେ କାଠର ଗୋଟିଏ ଛୋଟ ଝୁଲଣା ଆଣି ଟେବୁଲ ଉପରେ ରଖିଲେ । ତା ପରେ ବାଷ୍ପର ବାକ୍ସ ଭିତରୁ ମଲା ବିରାଡ଼ିଟାକୁ ବାହାରକଲେ । ଝୁଲଣାର କଣ୍ଟା ସାଙ୍ଗରେ ତାର ଗୋଡ଼ସବୁ ବାନ୍ଧିଦେଲେ । ମହିଳାଙ୍କ ଆଡ଼କୁ ଅପାଙ୍ଗରେ ଅନାଇ ଦେଖିଲେ, ସେ ସେମିତି ନିର୍ବିକାର ଭାବରେ ବସି ରହିଛନ୍ତି ।

 

ଡାକ୍ତର ନିପୁଣ ହାତରେ ବିରାଡ଼ିଟାର ଗଳାଟା ଚିରି ପକାଇଲେ । ଗୋଟିଏ ଶିରା ବାହାର କରି ସେଥିରେ ଇଞ୍ଜେକସନ ଦେଉଁ ଦେଉଁ ସେ କହିଲେ, “ଏଟା ପଚନ ନିରୋଧକ ଔଷଧ-। ଏହା ପରେ ୟାର ଶିରାରେ ହଳଦିଆ ଓ ଉପଶିରାରେ ଲାଲ ପଦାର୍ଥ ଇଞ୍ଜେକସନ ଦେବି-। ଏହି ବିରାଡ଼ିଟା ଜୀବ-ବିଦ୍ୟାର ରକ୍ତ ସ୍ରୋତ ବିଶ୍ଳେଷଣରେ ଲାଗିବ ।”

 

ଡା: ଫିଲିପ୍‍ସ ପୁଣି ମହିଳାଙ୍କ ଆଡ଼କୁ ଅନାଇଲେ । ମହିଳା ବିରାଡ଼ିଟାର କଟା ଗଳା ଆଡ଼କୁ ଭାବ-ଲୋଶହୀନ ଦୃଷ୍ଟିରେ ଚାହିଁ ରହି ଥାଆନ୍ତି । ହାତ ଦୁଇଟି କୋଳ ଉପରେ ପଡ଼ି ରହିଥାଏ । ଅସ୍ତ୍ରୋପଚାର ଖୁବ୍ ଭଲ ହୋଇଛି । ଠୋପାଏ ହେଲେ ରକ୍ତ ପଡ଼ି ନାହିଁ । ଡା: ଫିଲିପ୍‍ସ ଘଡ଼ି ଆଡ଼କୁ ଅନାଇଲେ । ପ୍ରଥମ ଗ୍ରୁପ୍‍ର ସମୟ ହୋଇଛି । ତହୁଁ ସେ ସ୍ଳାଇଡ ଉପରେ କେତେ ଦାନା ମେନ୍ଥଲ ଢାଳି ଦେଲେ ।

 

ମହିଳା ସତେ କି ତାଙ୍କୁ ଘାବେଡ଼େଇ ଦେଉଛନ୍ତି ! ମୂଷାଗୁଡ଼ାକ ପିଞ୍ଜରା ଭିତରେ ଦଉଡ଼ା ଦଉଡ଼ି କରୁଛନ୍ତି ଏବଂ ମଝିରେ ମଝିରେ କିଚ୍ କିଚ୍ ଶବ୍ଦ କରୁଛନ୍ତି । ତଳେ ପାଣିର ଛଳ ଛଳ ଶବ୍ଦ ।

 

ଡାକ୍ତର ଶରୀରରେ କମ୍ପନ ଅନୁଭବ କଲେ । ଚୁଲିରେ କିଛି କୋଇଲା ଦେଇ ସେ ବସି ପଡ଼ିଲେ । “ଏକ୍ଷଣି ପ୍ରାୟ କୋଡ଼ିଏ ମିନିଟ ଯାଏ ମୋ ହାତରେ କିଛି କାମ ନାହିଁ ।” ଏତିକି ବେଳେ ଡାକ୍ତର ଦେଖି ପାରିଲେ, ମହିଳାଙ୍କର ଗ୍ରୀବା ନାହିଁ କହିଲେ ଚଳେ । ମହିଳା ଯେମିତି ଚେତନାର ଗଭୀର ତଳ ଦେଶରୁ ଟିକିଏ ଟିକିଏ ଉପରକୁ ଉଠି ଆସିବାକୁ ଲାଗିଲେ । ତାଙ୍କର କଳା ନିଦ୍ରାଳୁ ଆଖିର ଦୃଷ୍ଟି ଘର ସାରା ଘୂରି ଆସି ସ୍ଥିର ହେଲା ।

 

“ମୁଁ ଅପେକ୍ଷା କରିଥିଲି,” ମହିଳା କହିଲେ, ହାତ ଦୁଇଟି କୋଳ ଉପରେ ଯେମିତି ଯୋଡ଼ି ହୋଇ ରହିଥିଲା, ଠିକ୍‍ ସେମିତି ପଡ଼ି ରହିଲା । “ଆପଣଙ୍କ ପାଖରେ ସାପ ଅଛି ?”

 

“ହଁ, ନିଶ୍ଚୟ ଅଛି ।” ଡାକ୍ତର ଏକ ପ୍ରକାର ଚିତ୍କାର କରି ଜବାବ ଦେଲେ । “ମୋର ପ୍ରାୟ ଦୁଇ ଡଜନ ରାଟଲ ସାପ ଅଛି । ସାପର ବିଷ ବାହାର କରି ମୁଁ ଗବେଷଣାଗାରକୁ ଚାଲାଣ କରେ-।”

 

ମହିଳା ତାଙ୍କ ଆଡ଼କୁ ଅନାଇ, ଠିକ୍‍ ଅନାଇ ନୁହେଁ, ରହିଥାଆନ୍ତି । ତାଙ୍କୁ କେନ୍ଦ୍ର କରି ମହିଳାଙ୍କ ଦୃଷ୍ଟି ଯେମିତି ଚକ୍ରାକାରରେ ଘୂରୁଥାଏ । “ଅଣ୍ଡିରା ସାପ ଅଛି ଆପଣଙ୍କର ? ଅଣ୍ଡିରା ରାଟଲ ସାପ ?”

 

“ଆଶ୍ଚର୍ଯ୍ୟ ! ଅନ୍ତତଃ ଗୋଟାଏ ଅଛି ବୋଲି ତ ମୋତେ ଜଣା ଅଛି । ଦିନେ ସକାଳେ ଆସି ଦେଖେଁ, ଗୋଟାଏ ବଡ଼ ସାପ ମିଥୁନ ରତ । ବନ୍ଦୀ ଅବସ୍ଥାରେ ସଚରାଚର ଏମିତି ଦେଖାଯାଏ ନାହିଁ । ସୁତରାଂ ଜାଣି ପାରିଛି, ଏହା ଭିତରେ ଗୋଟାଏ ଅଣ୍ଡିରା ସାପ ଅଛି ।”

 

“କାହିଁ ସେଟା ?”

 

“ହେଇ ତ, ସେହି ଝରକା ପାଖରେ କାଚ ବାକ୍ସଟା ଭିତରେ ।”

 

ମହିଳା ଗ୍ରୀବା ବୁଲାଇ ଚାରି ଦିଗ ଦେଖିନେଲେ । କିନ୍ତୁ ହାତ ଦୁଇଟି ଯେମିତି ଅଚଳ ଥିଲା ସେମିତି ଭାବରେ ପଡ଼ି ରହିଲା । ତା ପରେ ସେ ଡା: ଫିଲିପ୍‍ସଙ୍କ ଆଡ଼କୁ ବୁଲି ପଡ଼ି ଅନୁରୋଧ କଲେ, “ମୁଁ ଟିକିଏ ଦେଖି ପାରିବି ?”

 

ଡାକ୍ତର ଉଠି ପଡ଼ି ଝରକା ପାଖରେ ଥୁଆ ହୋଇଥିବା କାଚ ବାକ୍ସଟା ପାଖକୁ ଗଲେ । ବାକ୍ସ ତଳେ ବାଲି ଉପରେ କୁଣ୍ଡଳୀ ପକାଇ ସାପଗୁଡ଼ିକ ପଡ଼ିଥିଲେ । ସାପଗୁଡ଼ିକର ଜିଭ ଲହ ଲହ ହେବାକୁ ଲାଗିଲା । ଡାକ୍ତର ଫିଲିପ୍‍ସ ସନ୍ତ୍ରସ୍ତ ଭାବରେ ମୁଖ ବୁଲାଇ ଦେଖିଲେ ଯେ ମହିଳା ତାଙ୍କ କତିରେ ଠିଆ ହୋଇଛନ୍ତି । ମହିଳାଙ୍କର ଉଠି ଆସିବାର ଶବ୍ଦ ତାଙ୍କ କାନରେ ବାଜି ନ ଥିଲା, ଖାଲି କାନରେ ଆସି ବାଜିଥିଲା ଜଳର ଛଳ ଛଳ ଶବ୍ଦ ଓ ପିଞ୍ଜରା ଭିତରେ ମୂଷାମାନଙ୍କର ଧାଁ-ଦଉଡ଼ ଶବ୍ଦ ।

 

ମହିଳା ମୃଦୁ କଣ୍ଠରେ ପଚାରିଲେ, “ୟା ଭିତରେ କେଉଁଟି ଅଣ୍ଡିରା ସାପ ?”

 

ବାକ୍ସ ଭିତରେ ଗୋଟାଏ କୋଣରେ ଗୋଟିଏ ଧୂସର ସାପ ଅଲଗା ହୋଇ ପଡ଼ିଥିଲା । ତା ଆଡ଼କୁ ଆଙ୍ଗୁଳି ଦେଖାଇ ଡାକ୍ତର ଫିଲିପ୍‍ସ କହିଲେ, “ସେଇଟା ପ୍ରାୟ ପାଞ୍ଚ ଫୁଟ ଲମ୍ବା ହେବ-। ଟେକ୍ସାସରୁ ଅଣା ଯାଇଛି । ଆମ ପ୍ରଶାନ୍ତ ମହାସାଗର ଉଳକୂଳରେ ସାପ ସାଧାରଣତଃ ଛୋଟ ହୁଅନ୍ତି । ସବୁ ମୂଷା ତାର ପେଟରେ କୁଆଡ଼େ ଯାଉଛନ୍ତି । ଅନ୍ୟ ସାପଗୁଡ଼ିକୁ ଖୁଆଇବାକୁ ହେଲେ ତାକୁ ବାକ୍ସରୁ ପଦାକୁ କାଢ଼ି ଆଣିବାକୁ ହୁଏ ।”

 

ମହିଳା ସେହି ସାପଟିର ଶୁଖିଲା ମୁଖଟି ଆଡ଼କୁ ଏକ ଦୃଷ୍ଟିରେ ଅନାଇ ରହିଲେ । ସାପଟିର ପ୍ରସାରିତ କଟା ଜିଭଟା କିଛିକ୍ଷଣ କମ୍ପିବାକୁ ଲାଗିଲା । “ସେଟା ସତରେ ଅଣ୍ଡିରା ସାପ ତ-?”

 

“ରାଟଲ ସାପ ଭାରି ମଜାର ଜୀବ ! ସାଧାରଣ ଭାବରେ ସେମାନଙ୍କ ସମ୍ବନ୍ଧରେ ଯାହା କୁହାଯାଏ, ସେ ସବୁ ପ୍ରାୟ ଭୁଲ୍ ପ୍ରମାଣିତ ହୁଏ । ତେଣୁ ରାଟଲ ସାପ ସମ୍ବନ୍ଧରେ ମୁଁ ନିଶ୍ଚିତ ଭାବରେ କିଛି କହିବାକୁ ଚାହେ ନା—ତେବେ ଏଟା ଯେ ଅଣ୍ଡିରା ଏଥିରେ ଅବଶ୍ୟ କିଛି ସନ୍ଦେହ ନାହିଁ ।”

 

ମହିଳା ସେହି ସାପଟିର ଥୁଣ୍ଟା ମୁଣ୍ଡ ଉପରୁ ଦୃଷ୍ଟି ଫେରାଇ ଆଣିଲେ ନାହିଁ । “ସାପଟା ମୋତେ ବିକିବେ ?”

 

“ବିକିବି ?” ଡାକ୍ତର ଫିଲିପ୍‍ସ ପ୍ରାୟ ଚିତ୍କାର କରି କହିଲେ, “ଆପଣଙ୍କୁ ?”

 

“ଆପଣ ଜୀବ-ଜନ୍ତୁ ବିକ୍ରି କରନ୍ତି ପରା ? ନୁହେଁ ?” ।

 

“ହଁ, ନିଶ୍ଚୟ ବିକ୍ରି କରେ । ନିଶ୍ଚୟ ।”

 

“କେତେ ଦାମ ସେହି ସାପଟାର ? ପାଞ୍ଚ ଡଲାର ? ଦଶ ?”

 

“ନା, ନା, ପାଞ୍ଚରୁ ଅବଶ୍ୟ ବେଶୀ ନୁହେଁ । କିନ୍ତୁ ରାଟଲ ସାପ ସମ୍ବନ୍ଧରେ ଆପଣ କିଛି ଜାଣିଛନ୍ତି ନା ? ନୋହିଲେ ସେ ଆପଣଙ୍କୁ କାମୁଡ଼ି ଦେଇପାରେ ।”

 

ମହିଳା ଡାକ୍ତରଙ୍କ ଆଡ଼କୁ କିଛି କ୍ଷଣ ଅନାଇ ରହିଲେ । “ମୁଁ ଏକ୍ଷଣି ସେଟାକୁ ନେଇ ଯିବାକୁ ଚାହେ ନାହିଁ । ଏଇଠି ଆପଣଙ୍କ ପାଖରେ ରଖିଦେଇ ଯିବି । ତେବେ ମୁଁ ଚାହୁଚି, ସେଟା ମୋର ହୋଇ ରହିଥିବ । ମୁଁ ଏଠାକୁ ଆସି ସେଟାକୁ ଦେଖାଶୁଣା କରିବି, ତାକୁ ଖାଇବାକୁ ଦେବି, ଆଉ ମନେ ମନେ ଜାଣିବି ଯେ ସେଟା ମୋର—ଏହା ହିଁ ମୋରଇଚ୍ଛା ।” ମହିଳା ଗୋଟିଏ ଛୋଟ ଟଙ୍କା-ଥଳି ଖୋଲି ଖଣ୍ଡିଏ ପାଞ୍ଚ ଡଲାରର ନୋଟ ବାହାର କଲେ । “ଏଇ ନିଅନ୍ତୁ । ଏଣିକି ସେଇଟା ମୋର ହେଲା ।”

 

ଏଥର ଡାକ୍ତର ଫିଲିପ୍‍ସ ଟିକିଏ ଡରିଗଲା ।” ସେଟାର ମାଲିକ ନ ହୋଇ ସୁଦ୍ଧା ଆପଣ ଆସି ସେଠାକୁ ଦେଖି ଯାଇ ପାରନ୍ତି ।”

 

“ମୁଁ ସେଠାର ମାଲିକ ହେବାକୁ ଚାହେଁ ।”

 

“ଦେଖୁଛନ୍ତି ମୋ ଅକଲ ।” ଡାକ୍ତର ଫିଲିପ୍‍ସ ପ୍ରାୟ ଆର୍ତ୍ତନାଦ କଲେ, “ସମୟର କଥା ଏକାବେଳେ ଭୁଲି ଯାଇଛି ।” ତତ୍‍କ୍ଷଣାତ୍‍ ସେ ଟେବୁଲ୍ ଆଡ଼କୁ ଧାଇଁଗଲେ । “ମାତ୍ର ତିନି ମିନିଟ୍ ଉଛୁର ହୋଇଗଲା । ଅବଶ୍ୟ କିଛି କ୍ଷତି ହେବ ନାହିଁ ।” ଦ୍ୱିତୀୟ ସ୍ଳାଇଡ୍ ଉପରେ ସେ ମେନ୍ଥଲର ଦାନା ପକାଇଲେ । ତା ପରେ କାଚ ବାକ୍ସଆଡ଼କୁ ପୁଣି ତାଙ୍କର ଦୃଷ୍ଟି ଆକୃଷ୍ଟ ହେଲା । ମହିଳା ସେଠାରେ ଠିଆ ହୋଇ ଏକ ଦୃଷ୍ଟିରେ ସାପଟିକୁ ଦେଖୁଥିଲେ ।

 

“କଅଣ ଖାଏ ଏଟା ?” ସେ ପଚାରିଲେ ।

 

“ଧଳା ମୂଷା ତାକୁ ଖାଇବାକୁ ଦିଏ—ସେହି ପିଞ୍ଜରାରୁ ଧଳା ମୂଷା ଆଣି ।”

 

“ସେଟାକୁ ଅନ୍ୟ ପିଞ୍ଜରାକୁ କାଢ଼ି ନିଅନ୍ତୁ । ମୁଁ ତାକୁ ଖୁଆଇବି ।”

 

“କିନ୍ତୁ ଏକ୍ଷଣି ତ ତାର କିଛି ଖାଇବାର ଦରକାର ନାହିଁ । ଏହି ସପ୍ତାହରେ ସେ ଗୋଟାଏ ମୂଷା ଖାଇଛି । ବେଳେ ବେଳେ ସେଟା ପ୍ରାୟ ତିନି ଚାରି ମାସ ଯାଏ କିଛି ଖାଏ ନାହିଁ । ମୋର ଗୋଟାଏ ସାପ ଥିଲା ଯେ ସେଇଟା ପୁରା ବର୍ଷଟାଏ କିଛି ଖାଇ ନଥିଲା ।”

 

ମହିଳା କ୍ଷୀଣ କଣ୍ଠରେ ପଚାରିଲେ, “ଗୋଟାଏ ମୂଷା ବିକିବେ ମୋତେ ?”

 

ଡାକ୍ତର ଫିଲିପସ୍ କାନ୍ଧ ଟିକିଏ ହଲାଇଦେଲେ । ‘‘ବୁଝିଲି, ରାଟଲ ସାପ କିପରି ଖାଏ ଆପଣ ତାହା ଦେଖିବାକୁ ଚାହାନ୍ତି । ବେଶ୍, ଦେଖାଉଛି ଆପଣଙ୍କୁ । ମୂଷାର ଦାମ ପଡ଼ିବ ପଚିଶ ସେଣ୍ଟ । ଗୋଟାଏ ଦିଗରୁ ଦେଖିଲେ ଜଣାଯିବ ଯେ ଏହି ଦୃଶ୍ୟ ମଇଁଷି ଲଢ଼େଇ ଠାରୁ ବି ଉତ୍ତେଜକ, ଆଉ ଅନ୍ୟ ଦିଗରୁ ଦେଖିଲେ ଏଟା ଖାଲି ସାପର ଭୋଜନ ମାତ୍ର ।” ଫିଲିପସ୍ କଣ୍ଠ ସ୍ଵରରେ ତିକ୍ତତାର ଆଭାସ ପ୍ରକଟିତ ହେଲା । ସ୍ଵାଭାବିକ ଜୈବ ପ୍ରକ୍ରିୟାକୁ ଯେଉଁମାନେ ଖେଳ ହିସାବରେ ଦେଖିବାକୁ ଚାହାନ୍ତି, ସେମାନଙ୍କୁ ସେ ଘୃଣା କରନ୍ତି । ସେ ଖେଳୁଆଡ଼ ନୁହନ୍ତି, ଜୀବ-ବିଜ୍ଞାନୀ । ଜ୍ଞାନାର୍ଜନ ନିମନ୍ତେ ସେ ହଜାରେଟା ଜୀବ ହତ୍ୟା କରି ପାରନ୍ତି, କିନ୍ତୁ ମଜା ଦେଖିବା ପାଇଁ ଗୋଟାଏ ହେଲେ ପତଙ୍ଗ ବି ନୁହେଁ ।

 

ମହିଳାଙ୍କ ପତଳା ଓଠରେ ହସର ରେଖା ଫୁଟି ଉଠିଲା । “ମୁଁ ସାପଟାକୁ ଖୁଆଇବାକୁ ଚାହେଁ”, ସେ କହିଲେ । “ଆଉ ପିଞ୍ଜରାଟାରେ ତାକୁ ନେଇ ରଖି ଦେଉଛି ।” ବ୍ୟାପାରଟା କଅଣ ହେଉଛି, ତାହା ଭାବିବାକୁ ବି ଡା: ଫିଲିପ୍‍ସ ସମୟ ପାଇଲେ ନାହିଁ । ଢାଙ୍କୁଣି ଖୋଲି ମହିଳା ପିଞ୍ଜରା ଭିତରେ ହାତ ପୂରାଇଲେ । ତତ୍‍କ୍ଷଣାତ୍‍ ଡା: ଫିଲିପ୍‍ସ କୁଦିପଡ଼ି ମହିଳାଙ୍କୁ ଟାଣି ଆଣିଲେ-। ପିଞ୍ଜରାର ଢାଙ୍କୁଣିଟା ଧଡ଼ାସ୍ କରି ବନ୍ଦ ହୋଇଗଲା ।

 

“ଆପଣଙ୍କର କଅଣ ଟିକିଏ ହେଲେ ବୁଦ୍ଧି ଅକଲ ନାହିଁ,” ରାଗିଲା ଭଳି କଣ୍ଠରେ ସେ କହିଲେ । “ହୁଏତ ସେ ଆପଣଙ୍କୁ ମାରି ପକାଇ ନ ପାରେ, କିନ୍ତୁ ଯାହା କରି ଥାଆନ୍ତା ସେଥିରେ ଆପଣ ଯଥେଷ୍ଟ ଅସୁସ୍ଥ ହୋଇ ପଡ଼ି ଥାଆନ୍ତେ ।”

 

“ତାହା ହେଲେ ଆପଣ ତାକୁ ଅନ୍ୟ ପିଞ୍ଜରାକୁ ନେଇ ଯାଆନ୍ତୁ,” ମହିଳା ଶାନ୍ତ କଣ୍ଠରେ କହିଲେ ।

 

ଡାକ୍ତର ଫିଲିପ୍‍ସ ଖୁବ୍ ଡରି ଯାଇଥିଲେ । ତାଙ୍କର ଖିଆଲ ହେଲା, ମହିଳାଙ୍କର କଳା ଆଖି ଆଡ଼କୁ ସେ ଆଉ ଅନାଇ ପାରୁ ନାହାନ୍ତି । ତାଙ୍କର ମନେ ହେଲା, ପିଞ୍ଜରା ଭିତରେ ଗୋଟାଏ ମୂଷା ଦେବା ଅତି ଅନ୍ୟାୟ ହେବ, ପାପ ହେବ—ଯଦିଚ କାହିଁକି ହେବ ସେ ତାହା ଜାଣି ନ ଥିଲେ-। ପୂର୍ବରୁ ଅନ୍ୟ ଲୋକଙ୍କ ଅନୁରୋଧରେ ସେ ପିଞ୍ଜରା ଭିତରେ ମୂଷା ଦେଇଛନ୍ତି । କିନ୍ତୁ ଆଜି କାହିଁକି କେଜାଣି ତାଙ୍କର ମନ ଟେକିଲା ନାହିଁ । ଡାକ୍ତର ଫିଲିପ୍‍ସ ଯୁକ୍ତି ଦ୍ଵାରା ନିଜର ମନ ଭିତରୁ ଏହି ଭାବଟା ଦୂର କରିବାକୁ ଚାହିଁଲେ ।

 

“ସାପର ଖାଇବା ଦେଖିବା ଅବଶ୍ୟ ଖୁବ୍ ଭଲ”, ସେ କହିଲେ । “ଦେଖିଲେ ବୁଝି ପାରିବେ, ସାପ କିପରି ଭାବରେ ତାର କାମ କରେ । ରାଟଲ ସାପ ପ୍ରତି ଆପଣଙ୍କ ଅନ୍ତରରେ ଶ୍ରଦ୍ଧା ଜାତ ହେବ । ସାପର ଶିକାରରେ ଲୋକେ ବିଭୀଷିକା ଦେଖନ୍ତି । ତାର ପ୍ରଧାନ କାରଣ ହେଉଛି ସେଠାରେ ମୂଷାଟି ହେଉଛି କାଳ୍ପନିକ । ଲୋକେ ନିଜକୁ ମୂଷା ବୋଲି ଭାବନ୍ତି । ଯଦି ନିଜର ଆଖିରେ ଦେଖିବେ, ତାହା ହେଲେ କଥାଟା ଏକାବେଳେ ବାସ୍ତବ ଜଣାଯିବ । ମୂଷାଟା ଖାଲି ମୂଷା, ଆଉ ସେତେବେଳେ ଆପଣଙ୍କ ମନରୁ ଅଯଥା ଭୟ ଦୂର ହୋଇଯିବ।’’

 

ଚମଡ଼ା ଫାଶ ଲଗା ହୋଇଥିବା ଖଣ୍ଡିଏ ଲମ୍ବା ଲାଠି ସେ ନେଇ ଆସିଲେ । ଢାଙ୍କୁଣି ଖୋଲି ବଡ଼ ସାପଟାର ଗଳାରେ ସେ ତାହା ପୂରାଇ ଦେଲେ । ଫାଶଟା ତା ଗଳାରେ ବସି ଯିବାରୁ ସେ ସେଟାକୁ ଉଠାଇ ନେଇ ଅନ୍ୟ ପିଞ୍ଜରାରେ ରଖିଦେଲେ । ସାପଟା ଫଁ ଫଁ ହେବାକୁ ଲାଗିଲା । ତା ପରେ ଶାନ୍ତ ହୋଇ ଇଂରେଜୀ ଆଠ ପରି କୁଣ୍ଡଳୀ ପକାଇ ସେ ପଡ଼ି ରହିଲା ।

 

‘‘ଏହି ସାପଗୁଡ଼ିକ ପୋଷା ମାନି ଯାଇଛନ୍ତି । ଇଚ୍ଛା କଲେ ମୁଁ ହାତରେ ଧରି ପାରନ୍ତି । କିନ୍ତୁ ଯେଉଁମାନେ ହାତରେ ଧରନ୍ତି, ଦିନେ ନା ଦିନେ ରାଟଲ ସାପ ସେମାନଙ୍କୁ ନିଶ୍ଚୟ କାମୁଡ଼େ । ତେଣୁ ମୁଁ କୌଣସି ବିପଦର ପାଖ ମାଡ଼େ ନାହିଁ ।’’

 

ସେ ମହିଳାଙ୍କ ଆଡ଼କୁ ଅନାଇଲେ । ସାପକୁ ମୂଷା ଖାଇବାକୁ ଦେବାକୁ ତାଙ୍କର ଘୃଣା ହେଉଥିଲା । ମହିଳା ନୂଆ ପିଞ୍ଜରା କତିରେ ଆସି ଠିଆ ହୋଇଥିଲେ । ତାଙ୍କର କଳା ଆଖି ଦୁଇଟି ସାପର ପଥର ମଥା ଉପରେ ନିବଦ୍ଧ ଥିଲା ।

 

‘‘କାହିଁ, ମୂଷା ଦିଅନ୍ତୁ ନା,’’ ମହିଳା କହିଲେ ।

 

ସେ ଅନିଚ୍ଛାରେ ମୂଷାଙ୍କ ପିଞ୍ଜରା ପାଖକୁ ଗଲେ । ମୂଷାଗୁଡ଼ିକ ପାଇଁ ତାଙ୍କ ମନରେ କଷ୍ଟ ହେଉଥିଲା । ‘‘କେଉଁଟା ଦେବି କୁହନ୍ତୁ ?’’ ତା ପରେ ରାଗିଲା ଭାବରେ ମହିଳାଙ୍କ ଆଡ଼କୁ ଅନାଇ ସେ କହିଲେ, ‘‘ଗୋଟାଏ ବିରାଡ଼ି ଦେବି କି ? ତାହା ହେଲେ ଉଭୟଙ୍କ ଭିତରେ ଲଢ଼େଇଟା ଖୁବ୍ ଜମିବ । ଏମିତି ବି ହେବ ଯେ ବିରାଡ଼ିଟା ଜିତି ଯାଇ ପାରେ । କହିବେ ତ ଗୋଟାଏ ବିରାଡ଼ି ବି ଆପଣଙ୍କୁ ବିକି ଦେଇ ପାରିବି ।’’

 

ମହିଳା ତାହାଙ୍କ ଆଡ଼କୁ ଟିକିଏ ଅନାଇ ଦେଖିଲେ ନାହିଁ । ‘‘ନା, ମୂଷା ଦିଅନ୍ତୁ,’’ ସେ କହିଲେ । ‘‘ମୁଁ ତାର ଖାଇବାଟା ଦେଖିବି ।’’

 

ପିଞ୍ଜରା ଭିତରୁ ସେ ଗୋଟାଏ ମୋଟା ସୋଟା ମୂଷା ଲାଞ୍ଜ ଧରି ଟାଣି ନେଇ ଆସିଲେ-। ମୂଷାଟି ଅବଶ୍ୟ ତାଙ୍କର ଆଙ୍ଗୁଳି କାମୁଡ଼ିଦେବାକୁ ଚେଷ୍ଟା କଲା, କିନ୍ତୁ ନ ପାରି ନିଶ୍ଚଳ ଭାବରେ ଝୁଲିବାକୁ ଲାଗିଲା । ସେ ତତ୍‍କ୍ଷଣାତ୍‍ ସାପର ପିଞ୍ଜରା ପାଖକୁ ଯାଇ ଢାଙ୍କୁଣିଟା ଖୋଲି ଦେଇ ମୂଷାଟା ଭିତରକୁ ପକାଇ ଦେଲେ । ‘‘ଏଥର ଦେଖନ୍ତୁ ଭଲ କରି ।’’

 

ମହିଳା କିଛି ଜବାବ ଦେଲେ ନାହିଁ । ତାଙ୍କର ଦୃଷ୍ଟି ସାପଟି ଉପରେ ନିବଦ୍ଧ ରହିଥିଲା । ସାପଟି ଲହଲହ ଜିଭ ବାହାର କରି ପବନର ସ୍ଵାଦ ଗ୍ରହଣ କଲା ।

 

ପିଞ୍ଜରା ଭିତରେ ପଡ଼ିରହି ମୂଷାଟି ଚାରି ଆଡ଼କୁ ମୁଖ ବୁଲାଇ ଦେଖିଲା, ନିଜର ଲାଲ ଟକ ଟକ ଲାଞ୍ଜଟି ଶୁଙ୍ଘିଲା ଏବଂ ତା ପରେ ନିଃଶଙ୍କ ଚିତ୍ତରେ ବାଲି ଶୁଙ୍ଘୁ ଶୁଙ୍ଘୁ ଆଗେଇ ଯିବାକୁ ଲାଗିଲା । ଘର ଭିତରେ କୌଣସି ସ୍ୱର-ଶବ୍ଦ ନ ଥିଲା । ଜଳର ଆବଜ କି ମହିଳାଙ୍କର ଦୀର୍ଘଶ୍ୱାସ ଶୁଣିଲେ ସୁଦ୍ଧା, ଡାକ୍ତର ଫିଲିପ୍‍ସ କିଛି ମନେ କରି ପାରିଲେ ନାହିଁ । ସେ କଣେଇ କଣେଇ ଦେଖିଲେ । ମହିଳାଙ୍କର ଦେହ ଶକ୍ତ ହୋଇଗଲା ।

 

ସାପଟା ଧିର ମସୃଣ ଗତିରେ ଆଗେଇ ଯିବାକୁ ଲାଗିଲା । ତାର ଜିଭଟା ମୁହଁରେ ଥରେ ପଶି ଯାଉଥାଏ ତ ଥରେ ବାହାରି ଆସୁଥାଏ । ତାର ଗତି ଏତେ ମନ୍ଥର ଯେ ତାହା ଗତି ବୋଲି ମନେ ହେଉ ନ ଥାଏ । ପିଞ୍ଜରାର ଆର ପାଖରେ ଦୁଇ ଗୋଡ଼ ଉପରେ ଭରା ଦେଇ ବସି ମୂଷାଟି ନିଜ ଛାତିର ସୂକ୍ଷ୍ମ ରୋମଗୁଡ଼ାକ ଚାଟୁଥିଲା । କାନ୍ଧଟା ଇଂରେଜୀ ‘ଏସ୍’ ପରି କରି ସାପଟି ଆଗେଇ ଯାଉଥିଲା ।

 

ଡାକ୍ତର ଫିଲିପ୍‍ସଙ୍କୁ ନିସ୍ତବ୍ଧତା ଅତି ଅସ୍ଵସ୍ତିକର ଲାଗୁଥିଲା । ତାଙ୍କର ମନେ ହେଉଥିଲା, ରକ୍ତ ଯେମିତି ଶିରା ଭିତରେ ଠେଲି ହେଉଛି । ସେ ଜୋରରେ କହି ପକାଇଲେ, ‘‘ ଦେଖନ୍ତୁ, ଆକ୍ରମଣ ପାଇଁ ସେ କାନ୍ଧଟା କିପରି ବଙ୍କାଇ ରଖିଛି । ରାଟଲ ସାପଗୁଡ଼ାକ ଖୁବ୍ ହୁସିଆର । ପ୍ରାୟ ଭୀରୁ ଜୀବ ବୋଲି କହି ପାରନ୍ତି । ସେମାନଙ୍କର ଅସ୍ତ୍ରଟା ଖୁବ୍ ସୂକ୍ଷ୍ମ । ସେମାନଙ୍କୁ ପ୍ରାୟ ଯାଦୁବିଦ୍ୟା ପରି ସୂକ୍ଷ୍ମ ଅସ୍ତ୍ରୋପଚାର କରି ଆହାର ଯୋଗାଡ଼ କରିବାକୁ ହୁଏ । ସେମାନେ କୌଣସି ରକମ ବିପଦ ମୁଣ୍ଡ ଉପରକୁ ନିଅନ୍ତି ନାହିଁ ।’’

 

ସେତେବେଳକୁ ସାପଟା ପ୍ରାୟ ପିଞ୍ଜରାର ମଝିରେ ପହଞ୍ଚି ସାରିଥିଲା । ମୂଷାଟି ଥରେ ସାପଟାକୁ ଅନାଇ ଦେଖିଲା, ଏବଂ ତା ପରେ ପୁଣି ନିଜର ଦେହ ଚାଟିବାକୁ ଲାଗିଲା ।

 

“ଏଇଟା ସବୁ ଠାରୁ ସୁନ୍ଦର ଦୃଶ୍ୟ,” ଡାକ୍ତର ଫିଲିପ୍‍ସ କହିଲେ । ତାଙ୍କର ଶିରାଗୁଡ଼ିକ ପଦପଦ କରୁଥିଲା। “ପୁଣି ସବୁ ଠାରୁ ଭୟଙ୍କର ଦୃଶ୍ୟ ମଧ୍ୟ ।”

 

ସାପଟା ଏକାବେଳେ ପାଖକୁ ଆସି ଯାଇଥିଲା । ବାଲି-ଶଯ୍ୟା ଠାରୁ କେତେ ଇଞ୍ଚ ଉପରକୁ ସେ ମଥା ଟେକୁଥିଲା । ମଥାଟା ହଲୁଥିଲା । ସେ ଲକ୍ଷ୍ୟ କରୁଥିଲା, ଦୂରତ୍ଵ ମାପୁଥିଲା, ପୁଣି ଲକ୍ଷ୍ୟ ଠିକ୍ କରୁଥିଲା । ଡାକ୍ତର ଫିଲିପ୍‍ସ ଥରେ ମହିଳାଙ୍କ ଆଡ଼କୁ ଅନାଇଲେ । ତାହାଙ୍କୁ ଯେମିତି ବାନ୍ତି ମାଡ଼ୁଥିଲା । ମହିଳା ମଧ୍ୟ ଯେମିତି ଶିହରି ଉଠିଲେ । ବେଶି ନୁହେଁ, ଟିକିଏ ଆଭାସ ମାତ୍ର ମିଳିଲା ।

 

ମୂଷାଟି ଅନାଇ ସାପଟିକୁ ଦେଖିଲା । ଏଥର ଆଗ ଗୋଡ଼ ତଳେ ପକାଇ ଚାରି ଗୋଡ଼ରେ ଠିଆ ହେଲା, ଟିକିଏ ପଛେଇଗଲା, ଆଉ ତା ପରେ ଆଘାତ । ଆଖିରେ ଦେଖାଯାଏ ନାହିଁ, ଠିକ୍ ବିଜୁଳିର ଝଲକ ପରି । ମୂଷାଟି ଯେମିତି ଅଦୃଶ୍ୟ ଆଘାତରେ କୁଞ୍ଚିତ ହୋଇଗଲା । ସାପଟି ତତ୍‍କ୍ଷଣାତ୍‍ ନିଜର ଜାଗାକୁ ଫେରିଯାଇ ଶୋଇଲା । ଖାଲି ଜିଭଟା ଲହ ଲହ କରିବାକୁ ଲାଗିଲା ।

 

“ଏକାବେଳେ ଅଭ୍ରାନ୍ତ ଲକ୍ଷ୍ୟ,” ଡାକ୍ତର ଫିଲିପ୍‍ସ କହିଲେ । “ପିଠିର ହାଡ଼ର ଠିକ୍ ଏକାବେଳେ ମଝି ଜାଗାରେ, ବିଷ-ଦାନ୍ତ ନିଶ୍ଚୟ ଏକାବେଳେ ହୃତ୍‍ପିଣ୍ଡ ଯାଏ ପଶି ଯାଇଛି ।”

 

ମୂଷାଟି ଚୁପ୍ ହୋଇ ଠିଆ ହୋଇ ରହିଲା । କମାରର ଗୋଟାଏ ଧଳା ଭାତି ପରି ସେ ନିଶ୍ଵାସ ନେବାକୁ ଲାଗିଲା । ହଠାତ୍ ଶୂନ୍ୟରେ କୁଦି ପଡ଼ି ସେ ଲମ୍ବ ହୋଇ ପଡ଼ିଗଲା, ଗୋଡ଼ ଦୁଇଟି କେତେ ଥର କଚାଡ଼ିଲା । ତା ପରେ ସେ ନିଶ୍ଚଳ ହୋଇଗଲା ।

 

ମହିଳାଙ୍କର ଶରୀର ଶିଥିଳ ହୋଇଗଲା—ଘୁମନ୍ତ ଶିଥିଳତା ।

 

“କେମିତିକା ? ଗୋଟାଏ ମାନସିକ ସ୍ନାନ ହେଲା ନା ?” ଡାକ୍ତର ଫିଲିପ୍‍ସ ପଚାରିଲେ।

 

ମହିଳା ତାଙ୍କର ତନ୍ଦ୍ରାଳୁ ଆଖି ଦୁଇଟି ତାହାଙ୍କ ଆଡ଼କୁ ବୁଲାଇ ନେଲେ। “ଏକ୍ଷଣି ସାପ ସେଟା ଖାଇବ ତ ?”

 

“ହଁ, ନିଶ୍ଚୟ ଖାଇବ । ମଜା ଦେଖିବା ପାଇଁ ତ ସେ ମୂଷାଟିକୁ ମାରି ନାହିଁ । ତାକୁ ଭୋକ ଲାଗୁଛି ବୋଲି ସେ ମାରିଛି ।”

 

ମହିଳାଙ୍କ ଅଧର-କୋଣ ପୁଣି ଟିକିଏ ଟଙ୍କା ହୋଇଗଲ । ସାପଟା ଆଡ଼କୁ ଅନାଇ ସେ କହିଲେ, “ମୁଁ ତାର ଖାଇବା ଦେଖିବାକୁ ଚାହେ ।”

 

ସାପଟି ତାର କୋଣ ଛାଡ଼ି ପୁଣି ଆଗେଇଲା । ଏଥର ଆଉ କାନ୍ଧ ବଙ୍କା ନୁହେଁ । କିନ୍ତୁ ସତର୍କ, ପ୍ରୟୋଜନ ହେଲେ ପୁଣି ଯେମିତି ଚୋଟ ମାରି ପାରେ । ଚେପଟା ନାକଟା ଥରେ ମୂଷାର ସାରା ଦେହଟା ଉପରେ ବୁଲାଇନେଲା, ଯେମିତି ମାପି ନେଲା କିମ୍ଵା ଚୁମ୍ବନ କଲା । ତା ପରେ ମୁଖ ଖୋଲିଲା, ଓଠ ମେଲା କଲା ।

 

ଡାକ୍ତର ଫିଲିପ୍‍ସ ସମସ୍ତ ମାନସିକ ଶକ୍ତି ପ୍ରୟୋଗ କରି ମହିଳାଙ୍କ ଆଡ଼କୁ ଅନାଇବାର ଇଚ୍ଛା ଦମନ କଲେ । ତାଙ୍କର ମନେ ହେଲା, “ଯଦି ଦେଖେଁ ମହିଳାଙ୍କର ମୁଖ ଆଁ ହୋଇ ଯାଇଛି, ତାହା ହେଲେ ମୁଁ ଅସୁସ୍ଥ ହେବି । ବରଂ ମୋର ଭୟ ହେବ।”

 

ସାପଟି ମୂଷାର ମୁଣ୍ଡଟା ପାଟି ଭିତରେ ପୂରାଇଲା, ଏବଂ ତା ପରେ ଟିକିଏ ଟିକିଏ କରି ସେଟାକୁ ଗିଳିବାକୁ ଲାଗିଲା । ଥରେ ପାଟିଟା ଶକ୍ତ ହୋଇ ଚାପି ଯାଉଛି, ତା ପରେ ତଣ୍ଟିଟା ଟିକିଏ ହଲି ଯାଉଛି, ଏବଂ ପୁଣି ପାଟିଟା ଶକ୍ତ ହୋଇ ଚାପି ଯାଉଛି ।

 

ଡାକ୍ତର ଫିଲିପ୍‍ସ ପଛକୁ ବୁଲିପଡ଼ି ନିଜର ଟେବୁଲ ପାଖକୁ ଫେରି ଆସିଲେ । “ଆପଣଙ୍କ ଲାଗି ମୋର କ୍ରମିକ କାମରେ ଗୋଟାଏ ଭୁଲ୍‍ ହୋଇଗଲା, “ସେ ତିକ୍ତ ଭାବରେ କହିଲେ । “ନୋଟ୍‍ଟା ପୂରା ହେବ ନାହିଁ ।” ସେ ଅଣୁବୀକ୍ଷଣରେ ଗୋଟାଏ ସ୍ଳାଇଡ ଦେଖିଲେ । ତା ପରେ ରାଗି ଯାଇ ଟାଣି ଆଣି ସବୁ ଯାକ ପାତ୍ରର ବସ୍ତୁ ନର୍ଦ୍ଦମାରେ ଢାଳି ଦେଲେ । ଏକ୍ଷଣି ଢେଉ କମି ଯାଇଥିଲା, ଚଟାଣର ତଳ ବାଟେ ଖାଲି ଗୋଟାଏ ଓଦାଳିଆ ଫିସ୍ ଫିସ୍ ଶବ୍ଦ ଆସି କାନରେ ବାଜୁଥିଲା । ଚଟାଣର ଢାଙ୍କୁଣି ଖୋଲି ତାରା-ମାଛଗୁଡ଼ିକୁ ତଳେ କଳା ପାଣିରେ ପକାଇ ଦେଲେ । କାଠ ଝୁଲଣାରେ କ୍ରୁଶବିଦ୍ଧ ବିରାଡ଼ିଟାର ସାମନାକୁ ଆସି ସେ ଠିଆ ହୋଇଗଲେ, ଆଲୁଅ ଆଡ଼କୁ ଅନାଇ ସେ ଯେମିତି ହସୁଥିଲା । ପଚନ-ନିରୋଧକ ଦ୍ରାବକରେ ସେଟା ଫୁଲି ଯାଇଥିଲା । ଛୁଞ୍ଚି ବାହାର କରି ସେ ତାର ଶିରାଟା ବାନ୍ଧି ଦେଲେ ।

 

“ଟିକିଏ କଫି ଚଳିବ ?” ମହିଳାଙ୍କୁ ପଚାରିଲେ ।

 

“ନା, ଧନ୍ୟବାଦ, ମୁଁ ଏକ୍ଷଣି ଚାଲିଯିବି ।”

 

ସାପର ପିଞ୍ଜରା ସାମନାରେ ମହିଳା ଯେଉଁଠି ଠିଆ ହୋଇଥିଲେ, ସେ ସେଠାକୁ ଗଲେ-। ସାପ ମୂଷାଟିକୁ ପ୍ରାୟ ପୂରାପୂରି ଗିଳି ସାରିଥିଲା । ଲାଲ ଟହ ଟହ ଲାଞ୍ଜଟା ଖାଲି ଜିଭ ପରି ବାହାରେ ଥିଲା । ସେ ତଣ୍ଟିଟା ଆଉ ଥରେ ହଲାଇଲା । ଲାଞ୍ଜଟା ଅଦୃଶ୍ୟ ହୋଇଗଲା । ପାଟି ବନ୍ଦ ହୋଇଗଲା । ସାପଟି ପୁଣି ଘୁସୁରି ଘୁସୁରି ଗୋଟାଏ କୋଣକୁ ଯାଇ ଗୋଟିଏ ପ୍ରକାଣ୍ଡ ଇଂରେଜୀ ଆଠ ଆକାରରେ କୁଣ୍ଡଳୀ ପକାଇ ଶୋଇଲା । ବାଲିର ଚଟାଣ ଉପରେ ତାର ମୁଣ୍ଡଟା ରଖିଲା-

 

“ଏକ୍ଷଣି ଶୋଉଛି,” ମହିଳା କହିଲେ । “ମୁଁ ଏବେ ଯାଉଛି । କିନ୍ତୁ ମଝିରେ ମଝିରେ ଆସି ମୁଁ ସାପଟିକୁ ଖୁଆଇ ଦେଇ ଯାଉଥିବି । ମୁଁ ମୂଷାର ଦାମ ଦେଇ ଦେବି । ସେ ଖୁବ୍ ଭଲ କରି ଖାଉ, ମୁଁ ଏହା ଚାହେ । ତା ପରେ କେତେବେଳେ ଆସି ମୁଁ ତାକୁ ନେଇଯିବି ।” ଯେମିତି କ୍ଷଣକ ପାଇଁ ତାଙ୍କର ଆଖି ଦୁଇଟା ଧୂସର ସ୍ୱପ୍ନିଳ ଜଗତରୁ ବାହାରି ଆସିଲା । “ମନେ ରଖିଥିବେ, ସାପଟା ମୋର । ତା ଠାରୁ ବିଷ କାଢ଼ି ନେବେ ନାହିଁ । ମୁଁ ଚାହେଁ, ବିଷ ଥାଉ । ବିଦାୟ ।”

 

ମହିଳା ଦ୍ରୁତ ପଦରେ ଦୁଆର ଆଡ଼କୁ ଆଗେଇଗଲେ । ସିଡ଼ିରେ ତାଙ୍କର ପଦ-ଶବ୍ଦ ଶୁଭିଲା, କିନ୍ତୁ ରାସ୍ତାରେ ତାଙ୍କର ଚାଲିବା-ଶବ୍ଦ ଡାକ୍ତର ଫିଲିପସ ଶୁଣି ପାରିଲେ ନାହିଁ ।

 

ଗୋଟାଏ ଚୌକି ଟାଣି ନେଇ ଡାକ୍ତର ଫିଲିପ୍‍ସ ସାପର ପିଞ୍ଜରା ସାମନାରେ ବସି ପଡ଼ିଲେ । ନିର୍ଜୀବ ସାପଟା ଆଡ଼କୁ ଅନାଇ ସେ ନିଜର ଚିନ୍ତା ଗୋଟାଇ ନେବାକୁ ଚେଷ୍ଟା କଲେ । “ମନସ୍ତତ୍ତ୍ୱର ଯୌନ-ପ୍ରତୀକ ସମ୍ପର୍କରେ ଅନେକ କିଛି ତ ପଢ଼ିଛି, କିନ୍ତୁ ସେଥିରୁ କୌଣସିଟି ଦ୍ୱାରା ଯେମିତି ଏହାର କୌଣସି ବ୍ୟାଖ୍ୟା ତ କରି ହେଉ ନାହିଁ, “ସେ ମନେ ମନେ ଭାବିଲେ । “ହୁଏତ ମୁଁ ଅତି ବେଶି ନିଃସଙ୍ଗ । ହୁଏତ ସାପଟାକୁ ମାରିଦେବା ଉଚିତ୍ । ଯଦି ଜାଣି ଥାଆନ୍ତି ନା, କିଛି ଚାହିବା ମୋ ପକ୍ଷରେ ସମ୍ଭବ ନୁହେଁ।”

 

ମହିଳାଙ୍କର ଫେରି ଆସିବାକୁ ସେ ଅପେକ୍ଷା କରି ରହିଲେ । ସପ୍ତାହ ପରେ ସପ୍ତାହ ଗଡ଼ିଗଲା । “ଯେତେବେଳେ ମହିଳା ଆସିବେ, ତାହାଙ୍କୁ ଏଠି ଏକା ରଖିଦେଇ ମୁଁ ଚାଲିଯିବି,” ସେ ମନେ ମନେ ସ୍ଥିର କଲେ । ଏ ଜଘନ୍ୟ ଦୃଶ୍ୟର ପୁନରାବୃତ୍ତି ମୁଁ କୌଣସି ମତେ ଦେଖି ପାରିବି ନାହିଁ-

 

ମହିଳା ଆଉ କେବେ ଫେରି ଆସିଲେ ନାହିଁ । କେତେ ମାସ ଗଡ଼ିଗଲା । ସହରକୁ ଗଲେ ଡାକ୍ତର ଫିଲିପ୍‍ସ ମହିଳାଙ୍କୁ ଖୋଜନ୍ତି। ଦୀର୍ଘାଙ୍ଗୀ ରମଣୀ ଦେଖିଲେ ସେ ଅନେକ ଥର ଅନୁସରଣ କରିଛନ୍ତି । ଭାବନ୍ତି, ନିଶ୍ଚୟ ସେହି ମହିଳା ହୋଇଥିବେ । କିନ୍ତୁ ସେହି ମହିଳାଙ୍କୁ ସେ ଆଉ କେବେ ଦେଖି ନାହାନ୍ତି—ଥରେ ହେଲେ ନୁହେଁ ।

☆☆☆

 

ପରାଗ

 

ଏକ ଅତ୍ୟନ୍ତ ବନ୍ୟ ଓ ପାର୍ବତ୍ୟ ଅଞ୍ଚଳରେ, ଷ୍ଟୋରହୋଜେନ ତଳକୁ, ଗୋଟିଏ ପଲ୍ଲୀ-ଗ୍ରାମ ଅବସ୍ଥିତ । କୌଣସି ବଡ଼ ଜମି-ମାଲିକଙ୍କର ଆଖି ତା ଉପରେ ପଡ଼ୁ ନଥିଲା । ତାର ଏକାବେଳେ ଶେଷ ଭାଗରେ ରିଜେକୋଟର ଷ୍ଟିନା ଓ ବାର୍ଡ଼ସଙ୍ଗର ଲିନା, ଲିଟ୍‍ଲମାର୍ଶର କାଜା ଓ ସ୍କାଇପିକର ମାଜା, ଫିନ୍-ଡାର୍କନେସର ବେଦା, ବୃଦ୍ଧ ସୈନିକର ନବୀନା ସ୍ତ୍ରୀ ଏଲିନ ବାସ କରୁଥିଲେ । ସେମାନଙ୍କ ଛଡ଼ା, ଆଉ ଦୁଇ ତିନି ଜଣ କୃଷକ ରମଣୀ ମଧ୍ୟ ରହୁଥିଲେ ।

 

ଜଣେ ପାହାଡ଼-ଶିଳା ଉପରେ ପଲା ମାରିଥିଲା, ଆଉ ଜଣେ ଗୋଟାଏ ଜଳାର ଦାଢ଼ରେ, ଏବଂ ତୃତୀୟ ଜଣକ ପାହାଡ଼ର ଶିଖର ଭାଗରେ । ପାହାଡ଼ଟି ଏତେ ତୀଖ ଯେ ସେଠାକୁ ଉଠିବା ଅତିଶୟ କଷ୍ଟସାଧ୍ୟ ଥିଲା । ଯଦି ବା ଭାଗ୍ୟକୁ କେହି ଟିକିଏ ଭଲ ଜାଗାରେ ଖଣ୍ଡିଏ କୁଡ଼ିଆ ପକାଇ ପାରିଥିଲା, ତାହା ବି ପର୍ବତର ଏତେ ପାଖରେ ଯେ ନିର୍ମଳ ଶରତ କାଳ ଠାରୁ ଖ୍ରୀଷ୍ଟ-ଜନ୍ମ ଦିବସ (ମାର୍ଚ୍ଚ ୨୫) ପର୍ଯ୍ୟନ୍ତ ତାହା ଉପରେ ଟିକିଏ ହେଲେ ଖରା ପଡ଼େ ନାହିଁ ।

 

ନାନା ଅସୁବିଧା ସତ୍ତ୍ୱେ, ସେମାନେ ସମସ୍ତେ ନିଜ ନିଜର କୁଡ଼ିଆକୁ ଲାଗି ଖଣ୍ଡିଏ ଲେଖାଏଁ ଛୋଟ ଆଳୁ କିଆରୀ କରି ଥାଆନ୍ତି । ଏହା ନିଶ୍ଚିତ ଯେ ପର୍ବତର ପାଦ-ଦେଶରେ ନାନା ପ୍ରକାର ମାଟି ଥାଏ । କିନ୍ତୁ ସେହି କିଆରୀଗୁଡ଼ିକ ଚାଷୋପଯୋଗୀ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ । କେତେ ଜାଗାରେ ସେମାନଙ୍କୁ ନିଜର ଜମିରୁ ଏତେ ଅଧିକ ପରିମାଣରେ ପଥର କାଢ଼ିବାକୁ ହୁଏ ଯେ ଜମିଦାରୀ ଇଲାକାରେ ସେଥିରେ ଅକ୍ଳେଶରେ ଖଣ୍ଡିଏ ଗୋହାଳ ତିଆରି ହୋଇ ପାରନ୍ତା । କେଉଁଠି ସେମାନଙ୍କୁ କବର ପରି ଗହୀରିଆ ଗାତ ଖୋଳିବାକୁ ପଡ଼ିଛି, ଏବଂ ଆଉ କେଉଁଠି ସେମାନଙ୍କୁ ଅଖାରେ ମାଟି ବୋହି ଆଣି ତୁଚ୍ଛା ପଥର ଉପରେ ବିଛାଇବାକୁ ପଡ଼ିଛି । ଯେଉଁଠି ମାଟି ସେତେ ନିରସା ନୁହେଁ, ସେଇଠି ସେମାନଙ୍କୁ ଅନାବନା ଗଛ-ଲତା ବିରୁଦ୍ଧରେ ଅହରହ ସଂଗ୍ରାମ କରିବାକୁ ହୁଏ, କାରଣ ସେହିସବୁ ଗଛ ଏତେ ଅଧିକ ପରିମାଣରେ ଉଠେ ଯେ ମନେ ହୁଏ, ସତେ ଯେମିତି ସେହିସବୁ ଲଗାଇବା ପାଇଁ ଆଳୁ କିଆରୀ ତିଆରି ହୋଇଛି ।

 

ଦିନସାରା ସ୍ତ୍ରୀ ଲୋକମାନେ ନିଜ ନିଜର କୁଡ଼ିଆରେ ଏକାକୀ ରହନ୍ତି । ଯେଉଁ ସ୍ତ୍ରୀ ଲୋକର ସ୍ୱାମୀ ଓ ପିଲାପିଲି ଥାଆନ୍ତି, ନୀତି ସକାଳୁ ସ୍ୱାମୀ କାମକୁ ଚାଲିଯାଏ ତ ପିଲାମାନେ ବିଦ୍ୟାଳୟକୁ ବାହାରି ଯାଆନ୍ତି । ଅଳ୍ପ କେତେଜଣ ସ୍ତ୍ରୀ ଲୋକଙ୍କର ବଢ଼ିଲା ପୁଅ-ଝିଅ ଥିଲେ, କିନ୍ତୁ ସେମାନେ ସମସ୍ତେ ଆମେରିକାକୁ ଚାଲିଗଲେଣି । କେତେଜଣଙ୍କର ଅବଶ୍ୟ ଛୋଟ ଛୋଟ ପିଲା ଛୁଆ ଥାଆନ୍ତି, ସେମାନେ ସବୁବେଳେ ସେମାନଙ୍କର ପାଖେ ପାଖେ ଥାଆନ୍ତି; କିନ୍ତୁ ସେମାନଙ୍କର ଉପସ୍ଥିତିକୁ ତ କେବେ ସଙ୍ଗ-ସୁଖ ବୋଲି ଧରାଯାଇ ପାରିବନାହିଁ ।

 

ଏମିତି ଏକାକୀ ରହିବାକୁ ପଡ଼ୁଥିବାରୁ, ବେଳେ ବେଳେ ଏକାଠି ବସି ଚାହା ପାନ କରିବାକୁ ସେମାନଙ୍କର ମନ ହୁଏ । ପରସ୍ପର ଭିତରେ ଯେ ଖୁବ୍ ଭଲ ଭାବ ଥିଲା, କିମ୍ବା ବିଶେଷ ସ୍ନେହ-ଶ୍ରଦ୍ଧା ଥିଲା, ତାହା ନୁହେଁ । କିନ୍ତୁ କେତେକ ଅନ୍ୟମାନଙ୍କର କାର୍ଯ୍ୟକଳାପ ଜାଣିବା ପାଇଁ ବ୍ୟାକୁଳ ହୋଇ ପଡ଼ୁଥିଲେ, ଏବଂ ଆଉ କେତେକ ସେହି ପର୍ବତର ଛାୟା ତଳେ କେତେବେଳେ ଅନ୍ୟ କୌଣସି ଲୋକର ମୁଖ ନ ଦେଖି ନିର୍ଜନରେ ରହିଥିବାରୁ ଅତିଷ୍ଠ ହୋଇ ପଡ଼ୁଥିଲେ । ଆଉ କେତେକ ବି ଥିଲେ, ଯେଉଁମାନେ ନିଜର ଭାରାକ୍ରାନ୍ତ ମନକୁ ଟିକିଏ ହାଲୁକା କରି ଦେବାକୁ ଏବଂ ଆମେରିକାରୁ ଆସିଥିବା ଚିଠି-କଥା ଅନ୍ୟମାନଙ୍କୁ ଜଣାଇ ଦେବାକୁ ଚାହୁଥିଲେ । ଯେଉଁମାନେ ସାଧାରଣତଃ ଗପୁଡ଼ି ଓ କୌତୁକୀ, ସେମାନେ ତ ଓର ଉଣ୍ଡୁ ଥାଆନ୍ତି କେତେବେଳେ ନିଜର ଏହି ଆନନ୍ଦକର ଐଶ୍ୱରିକ ପ୍ରତିଭାର ପରିଚୟ ଦେବେ ।

 

ଗୋଟାଏ ଛୋଟ ଭୋଜିର ଆୟୋଜନ ଆଦୌ କଷ୍ଟକର ନ ଥିଲା । ସମସ୍ତଙ୍କର ଅବଶ୍ୟ କଫି-ପାତ୍ର ଓ କଫି-ପିଆଲା ଥିଲା । ଯାହାର ନିଜର ଗାଈ ନ ଥାଏ, ସେ ଜମିଦାରଙ୍କ ଗୋଶାଳାରୁ ଦୁଧ ଅଣାଇପାରେ । ଗୋଶାଳାର ଗାଡ଼ି ଆଳକୁ ପଇସା ଦେଲେ, ଆଖି ପିଛଡ଼ାକେ ସେ ମଧ୍ୟ ମୁନିସିପାଲ୍‍ଟିର ରୋଟିଶାଳରୁ ସୁନ୍ଦର ବିସ୍କୁଟ ଓ ଛୋଟ କେକ୍ ଆଣି ଦେଇ ପାରେ । ସବୁଠି ତ ଗାଉଁଲି ଦୋକାନୀ ଅଛନ୍ତି, ସେମାନଙ୍କ ଠାରେ କଫି ଓ ଚିନି ମିଳେ। ତେଣୁ ଗୋଟାଏ କଫି-ଭୋଜିର ଆୟୋଜନ ସବୁ ଠାରୁ ସହଜ, କିନ୍ତୁ ଅସୁବିଧାଟା ହେଉଛି ସେଇଥି ପାଇଁ ଗୋଟାଏ ଉପଲକ୍ଷ ବାହାର କରିବା ।

 

ରିଜେକୋଟର ଷ୍ଟିନ’, ବାର୍ଡ଼ସଙ୍ଗର ଲିନା, ଲିଟ୍‍ଲମାର୍ଶର କାଜା, ସ୍କାଇପିକର ମାଜା, ଫିନ୍-ଡାର୍କନେସର ବେଦା ଓ ବୃଦ୍ଧ ସୈନିକର ନବୀନା ସ୍ତ୍ରୀ ଏଲିନ ସମସ୍ତେ ଏକମତ ହୋଇଥିଲେ ଯେ ସାଧାରଣ ଦୈନଦିନ ଜୀବନ ଭିତରେ ଏପରି ଏକ ଆୟୋଜନ ସେମାନଙ୍କ ପକ୍ଷରେ ସମ୍ଭବପର ନୁହେଁ । ଯଦି ସେମାନେ ନିଜର ଅମୂଲ୍ୟ ସମୟ ନଷ୍ଟ କରନ୍ତି, ତାହା ହେଲେ ସେମାନଙ୍କର ଦୁର୍ନାମ ହୋଇପାରେ । ରବିବାର ଦିନ କିମ୍ବା କୌଣସି ପର୍ବ ଦିନରେ କଫି-ପାର୍ଟ ଆୟୋଜନ କରିବା ତ ପ୍ରଶ୍ନର ବାହାରେ । କାରଣ ସେତେବେଳେ ବିବାହିତା ସ୍ତ୍ରୀ ଲୋକଙ୍କର ସ୍ୱାମୀ ଓ ସନ୍ତାନମାନେ ଘରେ ଥାଆନ୍ତି ଏବଂ ଯଥେଷ୍ଟ ସଙ୍ଗ-ସୁଖ ଦାନ କରନ୍ତି । ଅନ୍ୟମାନଙ୍କ କଥା କହିବାକୁ ଗଲେ—କେତେକ ଗୀର୍ଜାକୁ ଯିବାକୁ ସୁଖ ପାଆନ୍ତି, କେତେକ ନିଜର ବନ୍ଧୁ-ବାନ୍ଧବଙ୍କ ଘରକୁ ଯିବାକୁ ଚାହାନ୍ତି, ଏବଂ ମୁଷ୍ଟିମେୟ କେତେ ଜଣ ଘରେ ସୁଖ-ଶାନ୍ତିରେ ରହି ପର୍ବ ଦିନଟା ପୂରାପୂରି ଉପଭୋଗ କରିବାକୁ ବେଶି ଭଲ ପାଆନ୍ତି ।

 

ସେଇଥି ପାଇଁ ସେମାନେ ପ୍ରତ୍ୟେକ ସମ୍ଭାବ୍ୟ ସୁଯୋଗର ସୁବିଧା ନେବା ପାଇଁ ବରଂ ଟାକି ବସି ରହି ଥାଆନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ନାମ-କରଣ ଦିବସରେ ଭୋଜି ଦିଅନ୍ତି । ଆଉ କେତେକ ମଧ୍ୟ ନିଜର ସାନ ପିଲାଙ୍କର ପ୍ରଥମ ଦନ୍ତ-ପତନ କିମ୍ଵା ପଦ-ଚାଳନ ଉପଲକ୍ଷରେ ଭୋଜିର ବ୍ୟବସ୍ଥା କରନ୍ତି । ଯେଉଁମାନଙ୍କର ଆମେରିକାରୁ ଡାକରେ ଟଙ୍କା ଆସେ, ସେମାନଙ୍କ ପକ୍ଷରେ ସବୁବେଳେ ଏଟା ଗୋଟାଏ ସହଜ ଉପାୟ ହୋଇ ପଡ଼େ । ତାହା ଛଡ଼ା, ରେଜେଇ ସିଲାଇ କରିବା କିମ୍ବା ତନ୍ତରୁ ବୁଣା-ଲୁଗା କାଢ଼ିବା ବେଳେ ସାହାଯ୍ୟ କରିବା ପାଇଁ ସବୁ ପଡ଼ିଶା-ଘର ସ୍ତ୍ରୀ ଲୋକଙ୍କୁ ନିମନ୍ତ୍ରଣ କରିବା ସେମାନଙ୍କ ଭିତରେ ଗୋଟାଏ ବିଧି ଭଳି ପ୍ରଚଳିତ ଥିଲା ।

 

ବର୍ଷରେ ଯେତେ ଥର ଭୋଜି ହେବାର କଥା, ସେମାନଙ୍କୁ ଅବଶ୍ୟ ପ୍ରାୟ ସେତେ ଥର ସୁବିଧା ମିଳୁ ନ ଥିଲା । ବର୍ଷେ ଜଣେ ସ୍ତ୍ରୀ ଲୋକର ମଥା ବିଗିଡ଼ିଗଲା । କାରଣ ଭୋଜି ଦେବା ପାଇଁ ତାହାର ପାଳି ପଡ଼ିଥିଲା । ତାହାର ଯାହା ଯାହା କରିବାର କଥା, ତାହା କରିବାରେ ତାହାର ଅବଶ୍ୟ ଆପତ୍ତି ନ ଥିଲା । ମାନ୍ତ୍ର କେଉଁ ଉପଲକ୍ଷେ ସେ ଭୋଜି ଦେବ, ସେହି ଆଳଟା ସେ ପାଉ ନ ଥିଲା । ନିଜର ନାମ-କରଣ ଉତ୍ସବ ସେ ପାଳନ କରିପାରୁ ନ ଥିଲା, କାରଣ ସେ ଆଗରୁ ‘ବେଦା’ ବୋଲି ନାମିତ ହୋଇ ସାରିଥିଲା ଏବଂ ପାଞ୍ଜିରୁ ‘ବେଦା’ ନାମଟି କଟା ହୋଇ ସାରିଥିଲା । ନିଜ ପରିବାରର ଅନ୍ୟ କାହାର ନାମ-କରଣ ଉତ୍ସବ ମଧ୍ୟ ସେ ପାଳନ କରି ପାରୁ ନ ଥିଲା, କାରଣ ତାହାର ଅତ୍ମୀୟମାନେ କବରଖାନାରେ ଚିର-ବିଶ୍ରାମ ନେଉଥିଲେ । ସେ ଖୁବ୍ ବୁଢ଼ୀ ହୋଇ ଯାଇଥିଲା । ତାହାର ରେଜେଇର ସ୍ଥାୟୀତ୍ୱ ବୋଧହୁଏ ତାହାର ଆୟୁଷ ଠାରୁ ବେଶୀ ହେବ ବୋଲି ତାହାକୁ ଜଣା ଯାଉଥିଲା । ତାହାର ଗୋଟାଏ ଅତି ପ୍ରିୟ ପୋଷା ବିଲେଇ ଥିଲା । ସତ କହିବାକୁ ଗଲେ, ଠିକ୍ ବୁଢ଼ୀ ଭଳି ବିଲେଇଟି ମଧ୍ୟ କଫି ପିଉଥିଲା । କିନ୍ତୁ ବିରାଡ଼ିଟା ପାଇଁ ତ ସେ ଗୋଟାଏ ଭୋଜି ଦେଇ ପାରିବ ନାହିଁ !

 

ଏମିତି ଭାବି ଭାବି, ସେ ବାରମ୍ବାର ତାହାରି ପାଞ୍ଜିଟା ଓଲଟାଇବାକୁ ଲାଗିଲା । କାରଣ ସେ ଅନୁଭବ କରୁଥିଲା, ସେଥିରୁ ସେ ନିଶ୍ଚୟ ତାହାର ସମସ୍ୟାର ସମାଧାନ ପାଇଁ ଗୋଟାଏ କିଛି ବାଟ ପାଇଯିବ ।

 

ମୂଳରେ ସେ ଦେଖିଲା “ରାଜବଂଶ”, ତା ପରେ “ଗ୍ରହ-ଫଳ ଓ ପାଳକ”, ପଢ଼ିବାକୁ ଲାଗିଲା, “୧୯୧୨ ସାଲ ପାଇଁ ବଜାର-ଦର ଓ ଡାକ-ମାହାସୁଲ” ଯାଏ, କିନ୍ତୁ କିଛି ପାଇଲା ନାହିଁ-

 

ସପ୍ତମ ଥର ସେ ପାଞ୍ଜି ଲେଉଟାଉଥିଲା ବେଳେ, ତାହାର ଦୃଷ୍ଟି “ଗ୍ରହଣ” ଉପରେ ଯାଇ ପଡ଼ିଗଲା । ସେ ଦେଖିଲା ଯେ ସେହି ବର୍ଷ ୧୯୧୨ ଖ୍ରୀଷ୍ଟାବ୍ଦ ଅପ୍ରେଲ ସତର ତାରିଖରେ ସୂର୍ଯ୍ୟ ପରାଗ ପଡ଼ୁଛି । ଏହି ପରାଗ ମଧ୍ୟାନ୍ନ ପରେ କୋଡ଼ିଏ ମିନିଟ୍‍ ସମୟରେ ସ୍ପର୍ଶ ହେବ ଏବଂ ଦୁଇ ଘଣ୍ଟା ଚାଳିଶ ମିନିଟରେ ସର୍ବମୋକ୍ଷ ହେବ, ଏବଂ ସୂର୍ଯ୍ୟ-ମଣ୍ଡଳର ନବ-ଦଶମାଂସ ଗ୍ରାସ କରିବ ।

 

କୌଣସି ଗୁରୁତ୍ୱ ଆରୋପ ନ କରି, ସେ ଏହାକୁ ପୂର୍ବରୁ ବହୁ ଥର ପଢ଼ିଥିଲା । କିନ୍ତୁ ବର୍ତ୍ତମାନ, ହଠାତ୍‍, ଏହି ଲେଖାଟି ତାହାକୁ ଜଳଜଳ ହୋଇ ଦିଶିଲା ।

 

“ହଁ, ଏକ୍ଷଣି ପାଇଲି !” ସେ ଚିତ୍କାର କଲା ।

 

କିନ୍ତୁ ଖାଲି ଗୋଟାଏ କିମ୍ବା ଦୁଇଟି ମୁହୂର୍ତ୍ତ ପାଇଁ ସେ ନିଶ୍ଚିତ ହୋଇଗଲା । ପର ମୂହୂର୍ତ୍ତରେ ତାହାର ସେହି ଧାରଣା ଦୂରୀଭୂତ ହୋଇଗଲା, ମନେ ମନେ ତାହାର ଭୟ ହେଲା ଯଦି ଅନ୍ୟ ସ୍ତ୍ରୀ ଲୋକମାନେ ଏଥି ପାଇଁ ତାହାକୁ ଉପହାସ କରନ୍ତି ।

 

ତା’ ପରେ କେତେ ଦିନ ଯାଏ, ଯାହା ହେଉ, ପାଞ୍ଜି ପଢ଼ୁଁ ପଢ଼ୁଁ ଯେଉଁ ଧାରଣାଟା ତାହାର ମନରେ ଜାତ ହୋଇଥିଲା ତାହା ଗୁମୁରିବାକୁ ଲାଗିଲା । ଶେଷରେ ଦିନେ ସେ ଭାବିଲା, ସତରେ କଅଣ ଆଉ କିଛି ଭଲ ଉପଲକ୍ଷ ତାହାର ନାହିଁ । କାରଣ ଯେତେବେଳେ ସେ ଏହି କଥା ଭାବିଲା, ତାହାର ମନକୁ ଆସିଲା—ଏହି ସାରା ଦୁନିଆରେ କଅଣ ସୂର୍ଯ୍ୟଙ୍କ ଠାରୁ ପ୍ରିୟତର ତାହାର କୌଣସି ବନ୍ଧୁ ନହାନ୍ତି ? ଯେଉଁ ଜାଗାରେ ତାହାର କୁଡ଼ିଆଟି ଅଛି, ଶୀତ ଋତୁଟା ଯାକ ଟିକିଏ ହେଲେ ଖରା ଆସି ତାହାର କକ୍ଷରେ ପଡ଼େ ନାହିଁ । ବସନ୍ତ ଋତୁରେ ସୂର୍ଯ୍ୟ ଫେରି ନ ଆସିବା ଯାଏ ସେ ଖାଲି ଦିନ ଗଣୁଥାଏ । ସୂର୍ଯ୍ୟ ହିଁ ହେଉଛନ୍ତି ଏକମାତ୍ର ବସ୍ତୁ ଯାହାକୁ ସେ ସତତ କାମନା କରୁଥାଏ—ଏକମାତ୍ର ଯେ ସର୍ବଦା ତାହା ପ୍ରତି ସପ୍ରସନ୍ନ ଓ ସଦୟ ଏବଂ ଯାହାଙ୍କର ଯଥେଷ୍ଟ ଦର୍ଶନ ସେ ପାଇ ନ ପାରେ ।

 

ସେ ନିଜର ବୟସକୁ ଦେଖିଲା, ଏବଂ ମନେ ମନେ ଦୁଃଖ ଅନୁଭବ କଲା । ତାହାର ହାତ ଥରିଲା, ସତେ ଯେମିତି ଚିର-ଶୈତ୍ୟ ଭିତରେ ସେ ରହିଛି । ଯେତେବେଳେ ସେ ଦର୍ପଣରେ ନିଜର ମୁଖ ଦେଖିଲା, ସେ ଅତ୍ୟନ୍ତ ମଳିନ ଓ ନିସ୍ତେଜ ଜଣାଗଲା, ସତେ ଯେମିତି ସେ ଅଧିକ ବୃଦ୍ଧା ହୋଇ ଯାଉଛି । ଯେତେବେଳେ ସେ ଯାଇ ସତେଜ ଉଷ୍ଣ ଅପର୍ଯ୍ୟାପ୍ତ ଖରାରେ ଠିଆ ହୁଏ, ସେତେବେଳେ ସେ ନିଜକୁ ଜଣେ ଜୀବନ୍ତ ମଣିଷ ବୋଲି ଅନୁଭବ କରେ, ମାତ୍ର ଚଳନ୍ତା ଶବ ନୁହେଁ ।

 

ଯେତେ ବେଶି ସେ ଏହି ବିଷୟ ଭାବିଲା, ସେତେ ବେଶି ସେ ଅନୁଭବ କଲା ଯେ ସାରା ବର୍ଷ ଭିତରେ ତାହା ପକ୍ଷରେ ଉତ୍ସବ ପାଳନ କରିବା ପାଇଁ ସେହି ଦିନଟି ହେଉଛି ଉତ୍କୃଷ୍ଟ, ଯେଉଁ ଦିନ ତାହାର ବନ୍ଧୁ ସୂର୍ଯ୍ୟଦେବ ଅନ୍ଧକାର ସହିତ ଲଢ଼ି, ସଗୌରବ ବିଜୟ ପରେ, ନୂତନ ଦୀପ୍ତି ଓ ମହିମା ନେଇ ବାହାରି ଆସନ୍ତି ।

 

ଅପ୍ରେଲ ସତର ତାରିଖ ଅବଶ୍ୟ ବେଶି ଡେରି ନ ଥିଲା । କିନ୍ତୁ ଭୋଜୀର ଆୟୋଜନ କରିବା ପାଇଁ ତାହାର ହାତରେ ଯଥେଷ୍ଟ ସମୟ ଥିଲା । ତେଣୁ, ସୂର୍ଯ୍ୟ-ପରାଗ ଦିନ ଫିନ-ଡାର୍କନେସରେ ବେଦା ସହିତ ବସିଷ୍ଟିନା, ଲୀନା, କାଜା, ମାଜା ଓ ଅନ୍ୟ ସ୍ତ୍ରୀ ଲୋକମାନେ କଫି ପାନ କଲେ, ଏବଂ ନାନା ପ୍ରକାର କାଳ୍ପନିକ ଗପରେ ମଜିଗଲେ। ସେମାନେ ଦୁଇ-ତିନି ପିଆଲା ଲେଖାଏଁ କଫି ପାନ କଲେ, ଏବଂ ନାନା ପ୍ରକାର କାଳ୍ପନିକ ଗପରେ ମଜିଗଲେ । ମାତ୍ର, ସେମାନେ କହିଲେ, ଗୋଟିଏ କଥା ସେମାନେ ବୁଝି ପାରିଲେ ନାହିଁ ଯେ ବେଦା କାହିଁକି ଏହି ଭୋଜି ଦେଉଛି-

 

ଇତି ମଧ୍ୟରେ, ଗ୍ରହଣ ଲାଗି ଗଲାଣି । କିନ୍ତୁ ସେମାନେ ଏଥି ପ୍ରତି ଭ୍ରୂକ୍ଷେପ କଲେ ନାହିଁ-। ଖାଲି ମୁହୂର୍ତ୍ତକ ପାଇଁ, ଯେତେବେଳେ ଆକାଶ କୃଷ୍ଣ-ଧୂସର ବର୍ଣ୍ଣ ଧାରଣ କଲା, ସମସ୍ତ ପ୍ରକୃତି ସୀମାରେ ଆଚ୍ଛାଦିତ ହୋଇଗଲା, ଏବଂ ଶେଷ ବିଚାର ଦିନର ଦୁନ୍ଦୁଭି ନିନାଦ ଓ କରୁଣ ରାଗିଣୀ ପରି ଶବ୍ଦ କରି ଝଡ଼ ବହି ଆସିଲା—ସେତିକିବେଳେ ଯାଇ ସେମାନେ ଟିକିଏ ରହିଗଲେ ଏବଂ ବିଚଳିତ ହୋଇ ପଡ଼ିଲେ। କିନ୍ତୁ ଆଉ ପିଆଲେ ଲେଖାଏଁ ତଟକା କଫି ମିଳିବାରୁ, ସେମାନଙ୍କର ଭାବନା ତୁରନ୍ତ କୁଆଡ଼େ ଉଭେଇଗଲା ।

 

ଯେତେବେଳେ କଫି-ପର୍ବ ଶେଷ ହୋଇଗଲା, ଏବଂ ସୂର୍ଯ୍ୟ ପୁଣି ଆକାଶରେ ଅତିଶୟ ପ୍ରଖର ତେଜରେ ଝଟକିଲେ, ସେମାନଙ୍କୁ ଜଣାଗଲା, ଯେମିତି ସୂର୍ଯ୍ୟ ବର୍ଷ ସାରା କେବେ ହେଲେ ଏମିତି ତେଜସ୍ଵୀ ଓ ଶକ୍ତିଶାଳୀ କିରଣ ଢାଳି ନାହାନ୍ତି । ସେମାନେ ଦେଖିଲେ, ବୃଦ୍ଧା ବେଦା ଝରକା ପାଖକୁ ଚାଲିଗଲା ଏବଂ ହାତ ଯୋଡ଼ି ଠିଆ ହେଲା । ସୂର୍ଯ୍ୟାଲୋକିତ ନିମ୍ନଭୂମି ଆଡ଼କୁ ଅନାଇ ରହି, ନିଜର କମ୍ପିତ କଣ୍ଠରେ ସେ ବୋଲିଲା :

 

“ତବ ପ୍ରଦୀପ୍ତ ସୂର୍ଯ୍ୟ ଉଠିଲେଣି ପୁଣି,

ଧନ୍ୟ ହେ ତୁମେ, ମୋର ପ୍ରଭୁ ।

ନବ-ଲବ୍ଧ ସାହସ, ଶକ୍ତି ଓ ଆଶା ନେଇ

ଗାଏ ମୁଁ ଏକ ଆନନ୍ଦ-ଗୀତିକା ।”

 

ଶୀର୍ଣ୍ଣ ଓ ସ୍ଵଚ୍ଛ, ବୃଦ୍ଧା ବେଦା ସେଠାରେ ଝରକାର ଆଲୋକରେ ଠିଆ ହୋଇ ରହିଲା । ସେ ଗୀତ ବୋଲିଲା ବେଳେ ରଶ୍ମି ରେଖାସବୁ ତାହାର ଚାରି ପଟେ ନାଚୁଥିଲେ, ସତେ ଯେମିତି ତାହାକୁ ମଧ୍ୟ ନିଜର ଜୀବନ, ଶକ୍ତି ଓ ବର୍ଣ୍ଣ ପ୍ରଦାନ କରିବା ଲାଗି ସେମାନେ ଆଗ୍ରହୀ ହୋଇ ପଡ଼ିଥିଲେ ।

 

ପ୍ରାଚୀନ ସ୍ତୋତ୍ର ଆବୃତ୍ତି କରିସାରି, ସେ ବୁଲି ପଡ଼ିଲା ଏବଂ ତାହାର ଅତିଥିମାନଙ୍କ ଆଡ଼କୁ ଅନାଇ ରହିଲା, ଯେମିତି ସେ କ୍ଷମା ଭିକ୍ଷା କରୁଥିଲା ।

 

ସେ କହିଲା, “ତୁମେମାନେ ଦେଖ, ସୂର୍ଯ୍ୟଙ୍କ ଛଡ଼ା ମୋର ଆଉ କୌଣସି ଉତ୍ତମ ବନ୍ଧୁ ନାହାନ୍ତି । ତାଙ୍କର ପରାଗ ଦିନ ତାହାଙ୍କୁ ଗୋଟିଏ ଭୋଜି ଦେବାକୁ ମୁଁ ମନସ୍ଥ କରିଥିଲି । ମୁଁ ଭାବିଥିଲି ଯେ ସେ ଅନ୍ଧକାରରୁ ମୁକ୍ତ ହେଲେ, ଆମେ ସମସ୍ତେ ମିଳି ତାହାଙ୍କୁ ଅଭିବାଦନ ଜଣାଇବା-।”

 

ବର୍ତ୍ତମାନ ସେମାନେ ବୁଝିପାରିଲେ, ବୃଦ୍ଧା ବେଦା କଅଣ କହୁଛି। ସେମାନଙ୍କର ହୃଦୟ ଦ୍ରବୀଭୂତ ହୋଇଗଲା । ସେମାନେ ସୂର୍ଯ୍ୟଙ୍କୁ ପ୍ରଶଂସା କରିବାକୁ ଲାଗିଲେ । “ଧନୀ ଦରିଦ୍ର ନିର୍ବିଶେଷରେ ସେ ସମସ୍ତଙ୍କ ପ୍ରତି ସଦୟ । ଶୀତ ଦିନରେ ଯେତେବେଳେ ସେ କୁଡ଼ିଆ ଉପରେ ଆସି ଉଙ୍କି ମାରନ୍ତି, ଚୁଲିର ଜଳନ୍ତା ନିଆଁ ପରି ସେ ଆରାମଦାୟକ ଜଣା ଯାଆନ୍ତି । ଯେତେ ଦୁଃଖ-କଷ୍ଟ ଥାଉ ପଛକେ, ତାଙ୍କର ସହାସ୍ୟ ବଦନର ଦୃଶ୍ୟ ହିଁ ମଣିଷକୁ ଯଥାର୍ଥ ଜୀବନ ପ୍ରଦାନ କରେ ।”

 

ଭୋଜୀ ପରେ, ଆନନ୍ଦ ଓ ତୃପ୍ତିରେ, ସ୍ତ୍ରୀ ଲୋକମାନେ ସେମାନଙ୍କ ଘରକୁ ଫେରିଗଲେ-। କୌଣସି ପ୍ରକାରେ ସେମାନଙ୍କ ମନରେ ଏହି ଭାବନା ଅଧିକ ମଧୁର ଓ ଦୃଢ଼ ହେଲା ଯେ ସେମାନଙ୍କର ସୂର୍ଯ୍ୟଙ୍କ ଭଳି ଜଣେ ଉତ୍ତମ ଓ ବିଶ୍ଵସ୍ତ ବନ୍ଧୁ ଅଛନ୍ତି ।

☆☆☆

 

ବତିଘର-ଜଗୁଆଳି

 

ପାନାମାର ଅନତି ଦୂରରେ ଆସପିନଓ୍ୟାଲର ବତିଘର-ଜଗୁଆଳି ଦିନେ ହଠାତ୍ କୁଆଡ଼େ ଅଦୃଶ୍ୟ ହୋଇଗଲା । ତାହାର ଚିହ୍ନ ବର୍ଣ୍ଣ କିଛି ମିଳିଲା ନାହିଁ । ସମସ୍ତେ ଧରିନେଲେ ଯେ ଗଲା ଝଡ଼ବେଳେ ସେ ଅଦୃଶ୍ୟ ହୋଇ ଯାଇଛି । ସେହି ଛୋଟ ପଥୁରିଆ ଦ୍ଵୀପକୁ ଲାଗି ସେ ଠିଆ ହୋଇଥିଲା, ସମୁଦ୍ରରୁ ଢେଉ ମାଡ଼ି ଆସି ତାହାକୁ ଭସାଇ ନେଇଗଲା । ସେହି ଦ୍ଵୀପ ଉପରେ ବତିଘରଟି ନିର୍ମିତ ହୋଇଛି । ଏହି ଧାରଣା ଅଧିକ ଦୃଢ଼ ହେଲା, ଯେତେବେଳେ ତହିଁ ପର ଦିନ ତାହାର ଛୋଟ ଡଙ୍ଗାଟା ସେହି ସବୁ ପଥରର ଫାଙ୍କରେ କେଉଁଠି ହେଲେ ଦେଖିବାକୁ ମିଳିଲା ନାହିଁ-

 

ସୁତରାଂ ବତିଘର-ଜଗୁଆଳିର ପଦ ଖାଲି ପଡ଼ିଲା । ଯେତେ ଶୀଘ୍ର ସମ୍ଭବ କୌଣସି ଲୋକକୁ ଆଣି ସେହି ଖାଲି ପଦରେ ବସାଇବା ନିହାତି ଦରକାର । ସ୍ଥାନୀୟ ଜାହାଜ ତଥା ନ୍ୟୁୟର୍କ ଠାରୁ ପାନାମା ଗାମୀ ଜାହାଜ ସବୁର ଯାତାୟାତ ସକାଶେ ଏହି ବତିଘର ଏକାନ୍ତ ଦରକାର । ମସ୍‍କୁଇଟୋ ଉପସାଗର ଭିତରେ ଅସଂଖ୍ୟ ଚୋରା ପାହାଡ଼ ଅଛି । ସେହି ସବୁ ପାହାଡ଼ ଭିତରେ ଦିନବେଳେ ବି ଜାହାଜ ସହଜରେ ଚଳାଇବା ଦୁରୂହ ବ୍ୟାପାର । ଆଉ ରାତିରେ, ବିଶେଷତଃ ଏହି ଗ୍ରୀଷ୍ମ ପ୍ରଧାନ ଅଞ୍ଚଳରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ଉତ୍ତାପ ହେତୁ ଏମିତି ଘନ କୁହୁଡ଼ି ଚାରିଆଡ଼େ ମାଡ଼ି ଯାଇଥାଏ ଯେ ତାହା ଭିତରେ ଜାହାଜ ଚଳାଇବା ପ୍ରାୟ ଅସମ୍ଭବ ହୋଇଯାଏ । ସେହି ସମୟରେ ଅସଂଖ୍ୟ ଜାହାଜକୁ ବାଟ ଦେଖାଏ ଏହି ଏକମାତ୍ର ବତିଘର ।

 

ପାନାମାର ଅବସ୍ଥାପିତ ଯୁକ୍ତରାଜ୍ୟର ରାଷ୍ଟ୍ରଦୂତଙ୍କ ଉପରେ ଜଣେ ନୂଆ ବତିଘର-ଜଗୁଆଳିର ନିଯୁକ୍ତିର ଦାୟିତ୍ଵ ଆସି ପଡ଼ିଲା। ଏ କାମ ଆଦୌ ସହଜ ନୁହେଁ । କାରଣ, ପ୍ରଥମେ, ବାର ଘଣ୍ଟା ଭିତରେ ଜଣେ ନୂଆ ଲୋକ ଖୋଜି କାମରେ ବାହେଲ କରିବା ନିହାତି ଦରକାର । ଦ୍ଵିତୀୟରେ, ସେହି ଲୋକଟି ଅସାଧାରଣ ବିବେକ ସମ୍ପନ୍ନ ହୋଇଥିବା ଦରକାର । ଯେକୌଣସି ପ୍ରଥମ ଆବେଦନକାରୀକୁ ତ କାମରେ ଲଗା ଯାଇ ନ ପାରେ । ତୃତୀୟରେ, ଏହି କାମ ପାଇଁ ଲୋକ ମିଳିବା ଏଡ଼େ ସହଜ ନୁହେଁ । କାରଣ ବତିଘରର ଅତ୍ୟୁଚ ମୀନାରର ଜୀବନ ଅତୀବ କଠିନ । ସେହି ବିପଦ ସଙ୍କୁଳ ଜୀବନ ଏହି ଦକ୍ଷିଣ ଅଞ୍ଚଳର ଅଧିବାସୀଙ୍କ ନିକଟରେ ଆଦୌ ଲୋଭନୀୟ ନୁହେଁ । ସ୍ଥାନୀୟ ଲୋକମାନେ ଆଳସ୍ୟ ଓ ସୁଗମ ଜୀବନ-ଯାତ୍ରା ଭଲ ପାଆନ୍ତି । ମାତ୍ର ବତିଘର-ଜଗୁଆଳିକୁ ପ୍ରାୟ ବନ୍ଦୀ ଭଳି ସେଠାରେ ରହିବାକୁ ପଡ଼େ । ରବିବାର ଛଡ଼ା ଅନ୍ୟ କୌଣସି ଦିନ ସେ ସେହି ପଥୁରିଆ ଦ୍ୱୀପ ଛାଡ଼ି କେଉଁଠାକୁ ଯାଇ ପାରେ ନାହିଁ । ଆସପିନଓ୍ୟାଲ ଠାରୁ ନୀତି ଗୋଟିଏ ଡଙ୍ଗା ତାହାର ଖାଦ୍ୟ ଓ ପାନୀୟ ଧରି ଦିନରେ ଥରେ ଆସେ ଏବଂ ସେସବୁ ଜଗୁଆଳିକୁ ଦେଇ ଫେରିଯାଏ । ସେହି ଏକ ମାଣ ପରିମିତି ଦ୍ୱୀପ ଭିତରେ ଆଉ କୌଣସି ଜନ ମାନବର ଦେଖା ମିଳେ ନାହିଁ । ଏକମାତ୍ର ଜଗୁଆଳିଟିକୁ ସେହି ବତିଘର ଭିତରେ ଆବଦ୍ଧ ରହିବାକୁ ପଡ଼େ । ସେହି ସ୍ଥାନଟି ଉପରେ ଦୃଷ୍ଟି ରଖିବା ତାହାର ପ୍ରଧାନ ଦାୟିତ୍ୱ । ଦିନବେଳେ ବାୟୁମାନ ଯନ୍ତ୍ରର ପରିବର୍ତ୍ତନ ଅନୁଯାୟୀ ଜଗୁଆଳିକୁ ନାନା ରଙ୍ଗର ପତାକା ଦେଖାଇ ସଙ୍କେତ ଦେବାକୁ ହୁଏ-। ସନ୍ଧ୍ୟା ହେଲେ ସେ ଲଣ୍ଠନ ଜାଳେ । ଲଣ୍ଠନ ଜଳାଇବାଟା ସେତେ କିଛି କଠିନ କାମ ନୁହେଁ-। କିନ୍ତୁ ସେହି ଲଣ୍ଠନ ଥାଏ ବତିଘରର ମୁଣ୍ଡ ଉପରେ । ସେଠାକୁ ଯିବାକୁ ହେଲେ ଅତି ଉଚ୍ଚ ଚାରି ଶହରୁ ଅଧିକ ପାହାଚ ଚଢ଼ି ଚଢ଼ି ଉପରକୁ ଉଠିବାକୁ ହୁଏ । ଦିନେ ଦିନେ ସେହିପରି ଚଢ଼ି ବା ଆଉ ଓହ୍ଲାଇବା ତାହାକୁ ଢେର୍ ଥର କରିବାକୁ ପଡ଼େ ।

 

ମୋଟା ମୋଟି କହିବାକୁ ଗଲେ, ଏଠାକାର ଜୀବନ ଗୃହତ୍ୟାଗୀ ବୈରାଗୀ ପରି—ଖାଲି ବୈରାଗୀ କାହିଁକି, ତାହା ଠାରୁ ବି ଅଧିକ—ଏଠାକାର ଜୀବନ ସାଧୁ ସନ୍ନ୍ୟାସୀଙ୍କର ଜୀବନ ପରି ଅତ୍ୟନ୍ତ କଠିନ । ସୁତରାଂ ବର୍ତ୍ତମାନ ଜଗୁଆଳିର ଜାଗାରେ ନୂଆ ଲୋକଟିଏ କେଉଁଠୁ ସହଜରେ ମିଳିବ, ଏହା ଭାବି ଭାବି ଶ୍ରୀଯୁକ୍ତ ଆଇଜାକ ଫାଲକନବ୍ରିଜଙ୍କର ନିଦାରୁଣ ଦୁଶ୍ଚିନ୍ତାର ସୀମା ନ ଥିଲା, ସେଥିରେ ମଧ୍ୟ ଯଥେଷ୍ଟ ସଙ୍ଗତ କାରଣ ଥିଲା । ତେଣୁ ଅତି ଅପ୍ରତ୍ୟାଶିତ ଭାବରେ ସେହି ଦିନ ଯେତେବେଳେ ଜଣେ ଲୋକ ସେହି କାମ ପାଇଁ ତାଙ୍କ ସାଙ୍ଗରେ ଦେଖା କରିବାକୁ ଆସିଲା, ସେତେବେଳେ ତାଙ୍କର ଯେ କିଭଳି ଆନନ୍ଦ ହୋଇଥିଲା ତାହା ସହଜରେ ଅନୁମାନ କରାଯାଇପାରେ । ଲୋକଟି ବୁଢ଼ା । ତାହାର ବୟସ ସତୁରି କି ବେଶି ହେବ । ତଥାପି ତାହାର ସୁସ୍ଥ ସବଳ ଚେହେରା ବୟସର ଚାପରେ ତିଳେ ହେଲେ ନଇଁ ପଡ଼ି ନ ଥିଲା । ତାହାର ଢଙ୍ଗଢାଙ୍ଗ ଓ ଚଳାଚଳର ଭଙ୍ଗୀ ସୈନିକଙ୍କ ପରି । ତାହାର ମୁଣ୍ଡର ସବୁ ବାଳ ପାଚି ଧଳା ପଡ଼ି ଯାଇଥାଏ, ଠିକ୍‍ ଜଣେ କ୍ରେଓଲ ପରି । ତାହାର ମୁଖ କଳା ଦିଶୁଥାଏ । କିନ୍ତୁ ତାହାର ନୀଳ ଆଖି ଦେଖିଲେ ଜଣା ଯାଉଥାଏ, ସେ ଏହି ଦକ୍ଷିଣ ଅଞ୍ଚଳର ଅଧିବାସୀ ନୁହେଁ । ତାହାର ମୁଖ ମଣ୍ଡଳରେ ଗୋଟାଏ କରୁଣ କ୍ଳାନ୍ତ ଛାୟା ପଡ଼ିଥାଏ, କିନ୍ତୁ ସାଧୁତା ପ୍ରକଟିତ ହେଉଥାଏ ।

 

ପ୍ରଥମ ଦୃଷ୍ଟିରେ ହିଁ ଫାଲକନବ୍ରିଜ ତାହାକୁ ପସନ୍ଦ କଲେ । ଏଥର ଖାଲି ପରୀକ୍ଷା କରିବା ଦରକାର । ସେଥିପାଇଁ ନିମଲିଖିତ କଥୋପକଥନ ଚାଲିଲା:

 

“ତୁମେ କେଉଁ ଦେଶର ଲୋକ ?”

 

“ମୁଁ ପୋଲଣ୍ଡର ଅଧିବାସୀ ।”

 

“ଏ ଅବଧି ତୁମେ କେଉଁଠି କାମ କରିଛ ?”

 

“ନାନା ସ୍ଥାନରେ, ଆଜ୍ଞ ।”

 

“କିନ୍ତୁ ବତିଘର-ଜଗୁଆଳିର ଗୋଟିଏ ଜାଗାରେ ହଁ ରହିବା ଦରକାର ।”

 

“ମୁଁ ମଧ୍ୟ ବିଶ୍ରାମ ଚାହେଁ ।”

 

“ତୁମେ ଆଗରୁ କେଉଁଠି ଚାକିରି କରିଥିଲି ? କୌଣସି ସରକାରୀ ଅଫିସର ପ୍ରଶଂସାପତ୍ର ତୁମ ପାଖରେ ଅଛି ?”

 

ବୃଦ୍ଧ ତାହାର ଜାମା ଭିତରୁ ଖଣ୍ଡିଏ ଛୋଟ ରେଶମୀ କନା ବାହାର କଲା । ତାର ରଙ୍ଗ ପ୍ରାୟ ଛାଡ଼ି ଯାଇଥିଲା । ଦେଖିଲେ ଜଣା ଯାଉଥିଲା, ତାହା କୌଣସି ପୁରୁଣା ପତାକାର ଗୋଟାଏ ଛିନ୍ନ ଅଂଶ ହେବ । ସେହି କନା ଖଣ୍ଡିକ ଫିଟାଇ ବୃଦ୍ଧ କହିଲା:

 

“ଦେଖନ୍ତୁ ଏହିସବୁ ମୋର ପ୍ରଂଶସାପତ୍ର । ୧୮୩୦ ମସିହାରେ ମୁଁ ଏହି କ୍ରସ ପାଇଥିଲି-। ଦ୍ଵିତୀୟଟି ହେଉଛି ସ୍ପେନୀୟ, କାରଲିଷ୍ଟି ଯୁଦ୍ଧରୁ ମିଳିଥିଲା । ତୃତୀୟଟି ହେଉଛି ଫରାସୀ ସୈନ୍ୟ ବାହିନୀର । ଚତୁର୍ଥଟି ମୁଁ ହଙ୍ଗେରୀରେ ପାଇଥିଲି । ତା ପରେ ଷ୍ଟେଟ୍‍ସ ତରଫରୁ ମୁଁ ଦକ୍ଷିଣ ଦେଶ ବିରୁଦ୍ଧରେ ଲଢ଼ିଥିଲି । ସେଠାରେ କାହାକୁ କ୍ରସ ଦିଆଯାଏ ନାହିଁ ।”

 

ଫାଲକନବ୍ରିଜ କାଗଜ ଖଣ୍ଡିକ ହାତରେ ଧରି ପଢ଼ିବାକୁ ଲାଗିଲେ ।

 

“ହୁଁ ! ସ୍କାଭିନ୍‍ସ୍କି ? ତୁମର ନାମ ? ହୁଁ ! ସଙ୍ଗୀନ-ମୁନରେ ଆକ୍ରମଣବେଳେ ତୁମେ ଦୁଇଟି ପତାକା କାଢ଼ି ନେଇଥିଲ । ତାହା ହେଲେ ତୁମେ ଜଣେ ବୀର ସୈନିକ ।”

 

“ମୋର ଦୃଢ଼ ବିଶ୍ଵାସ, ମୁଁ ଜଣେ ଉପଯୁକ୍ତ ବତିଘର ଜଗୁଆଳି ହୋଇ ପାରିବି ।”

 

“ପ୍ରତି ଦିନ ଅନେକ ଥର ସେହି ମୀନାର ଉପରକୁ ଚଢ଼ିବାକୁ ପଡ଼ିବ । ସେଥିପାଇଁ ତୁମର ପାଦରେ ଦୃଢ଼ତା ଅଛି ତ ?”

 

“ସମଗ୍ର ସମତଳ ଭୂମିଟା ମୁଁ ପାଦରେ ଚାଲି ଚାଲି ଅତିକ୍ରମ କରିଥିଲି ।” (ପୂର୍ବ ଅଞ୍ଚଳରୁ କାଲିଫର୍ଣ୍ଣିୟା ପର୍ଯ୍ୟନ୍ତ ପରିବ୍ୟାପ୍ତ ବିଶାଳ ପାର୍ବତ୍ୟ ଅଞ୍ଚଳକୁ ‘ସମତଳ ଭୂମି’ କୁହାଯାଏ ।)

 

“ଜାହାଜର କାମ ସମ୍ୱନ୍ଧରେ ତୁମର କିଛି ଅଭିଜ୍ଞତା ଅଛି ?”

 

“ଗୋଟାଏ ତିମି-ଶିକାରୀ ଜାହାଜରେ ମୁଁ ତିନି ବର୍ଷ କାମ କରିଥିଲି ।”

 

“ତାହା ହେଲେ ତୁମେ ନାନା ରକମ ଚାକିରି କରିଛ ।”

 

“ଖାଲି ଗୋଟାଏ କଥା ମୁଁ ଜାଣି ନାହିଁ । ତାହା ହେଉଛି ଶାନ୍ତି ।”

 

“କାହିଁକି ?”

 

ବୁଢ଼ା ଲୋକଟି ନିଜର କାନ୍ଧ ନୁଆଁଇ କହିଲା, “ମୋର କପାଳ, ହଜୁର ।”

 

“ତଥାପି ମୋତେ ଜଣା ଯାଉଛି, ବତିଘର-ଜଗୁଆଳିର କାମ ପାଇଁ ତୁମେ ଖୁବ୍ ବେଶି ବୁଢ଼ା ହୋଇ ଯାଇଛ ।”

 

ଆବେଦନକାରୀ ସହସା ଗୋଟାଏ ଆବେଗମୟ କଣ୍ଠରେ ଜଣାଇଲା, “ହଜୁର, ମୁଁ ଆଜି ଅତିଶୟ ଶ୍ରାନ୍ତ, କ୍ଳାନ୍ତ । ଆପଣ ତ ଦେଖୁଛନ୍ତି, ନାନା ପ୍ରକାର ଝଡ଼-ଝଞ୍ଜା ଭିତର ଦେଇ ମୋତେ ଗତି କରିବାକୁ ପଡ଼ିଛି । ଏହିପରି ଗୋଟାଏ ସ୍ଥାନରେ ରହିବା ପାଇଁ ମୁଁ ସବୁ ଠାରୁ ବେଶି ଆଶା ପୋଷଣ କରିଛି । ମୁଁ ଆଜି ବୁଢ଼ା ହୋଇ ଗଲିଣି । ମୋର ଟିକିଏ ବିଶ୍ରାମ ଲୋଡ଼ା । ମୁଁ ନିଜେ ନିଜକୁ କହୁଛି, ‘ତୁମେ ଏଇଠି ରହିବ; ଏଇଟା ହିଁ ହେଉଛି ତୁମର ବନ୍ଦର ।’ ଆଃ, ହଜୁର, କେବଳ ଆପଣଙ୍କ ଉପରେ ଏକ୍ଷଣି ଏହା ନିର୍ଭର କରୁଛି । ଆଉ କେତେବେଳେ ହୁଏତ ଏମିତି ସ୍ଥାନ ମୋତେ ମିଳି ନ ପାରେ । ମୋର କପାଳ ଟାଣ ଥିଲା ଯେ ମୁଁ ପାନାମାରେ ଥିଲି ! ମୁଁ ଆପଣଙ୍କୁ କର ଯୋଡ଼ି ନିବେଦନ କରୁଛି—ଭଗବାନଙ୍କୁ ପ୍ରାର୍ଥନା କଲା ପରି, ମୋତେ ନିରାଶ କରନ୍ତୁ ନାହିଁ । ମୁଁ ଗୋଟାଏ ଜାହାଜ ପରି । ଜାହାଜ ଯେମିତି ବନ୍ଦରରେ ଲାଗି ନ ପାରିଲେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଏ, ଏହି ଚାକିରିଟା ନ ପାଇଲେ ମୋର ଅବସ୍ଥା ବି ସେୟା ହୋଇଯିବ । ଯଦି ଜଣେ ବୁଢ଼ା ଲୋକକୁ ଟିକିଏ ସୁଖ ଦିଅନ୍ତି, ତାହା ହେଲେ ଭଗବାନ ଆପଣଙ୍କର ମଙ୍ଗଳ କରିବେ । ମୁଁ ଶପଥ କରି କହୁଛି ଯେ ମୁଁ ଜଣେ ସଚୋଟ ଲୋକ । କିନ୍ତୁ ଏ ଜୀବନରେ ଢେର୍ ଘୂରି ବୁଲିଲିଣି, ଆଉ ପାରିବି ନାହିଁ ।”

 

ବୁଢ଼ା ଲୋକଟିର ନୀଳ ଆଖିରେ ଏପରି ଆକୁଳ ଅନୁନୟ ପ୍ରକଟିତ ହେଲା ଯେ କୋମଳ ଓ ସରଳ ହୃଦୟ ଫାଲକନବ୍ରିଜଙ୍କର ଅନ୍ତର ତରଳିଗଲା ।

 

ସେ କହିଲେ, “ଆଚ୍ଛା, ତୁମକୁ ମୁଁ ବତିଘର-ଜଗୁଆଳି ପଦରେ ନିଯୁକ୍ତ କଳି ।”

 

ବୁଢ଼ା ଲୋକଟିର ମୁଖ ମଣ୍ଡଳ ଅବ୍ୟକ୍ତ ଆନନ୍ଦରେ ଉଦ୍‍ଭାସିତ ହୋଇଗଲା ।

 

“ଅଶେଷ ଧନ୍ୟବାଦ, ହଜୁରଙ୍କୁ ।”

 

“ଆଜି ତୁମେ ମୀନାରକୁ ଯାଇ ପାରିବ ତ ?”

 

“ହଁ, ଯାଇ ପାରିବି, ଆଜ୍ଞା ।”

 

“ତାହା ହେଲେ ବିଦାୟ । ହଁ, ଆଉ ଗୋଟିଏ କଥା—ଚାକିରୀରେ କୌଣସି ଗଲ୍‍ତି ଦେଖାଗଲେ ତତ୍‍କ୍ଷଣାତ୍‍ ତୁମକୁ ବରଖାସ୍ତ କରି ଦିଆଯିବ ।”

 

“ଠିକ୍ ଅଛି, ଆଜ୍ଞା” ।

 

ସେହି ଦିନ ସନ୍ଧ୍ୟା ବେଳେ । ଇସ୍‍ଥମସ୍‍ର ଆର ପଟରେ ସୂର୍ଯ୍ୟ ବୁଡ଼ିଗଲେ । ଗୋଟିଏ ରୌଦ୍ରୋଜ୍ଜ୍ଵଳ ଦିବସ ପରେ ଗୋଧୂଳିହୀନ ରାତି ମାଡ଼ି ଆସିଲା । ନବ ନିଯୁକ୍ତ ବତିଘର-ଜଗୁଆଳିଟି ନିଶ୍ଚୟ ତାହାର କାର୍ଯ୍ୟରେ ଯୋଗ ଦେଇଥିଲା, କାରଣ ବତିଘରର ଉଜ୍ଜ୍ଵଳ ଆଲୋକ-ରେଖା ଯାଇ ପୂର୍ବ ପରି ସମୁଦ୍ରର ଜଳରେ ପଡ଼ିଥିଲା । ସେହି ଖାଣ୍ଟି ଗ୍ରୀଷ୍ମ-ପ୍ରଧାନ ଦେଶର ରାତିଟା ସମ୍ପୂର୍ଣ୍ଣ ଭାବରେ ପ୍ରଶାନ୍ତ ଓ ନିସ୍ତବ୍ଧ ଥିଲା । ସ୍ୱଚ୍ଛ କୁହୁଡ଼ି ଚାରିଆଡ଼େ ବ୍ୟାପି-ଯାଇ, ଚନ୍ଦ୍ର ମଣ୍ଡଳର ଚତୁର୍ଦ୍ଦିଗରେ ଗୋଟାଏ ବିରାଟ ରଙ୍ଗୀନ କୋମଳ ଓ ଅକ୍ଷତ ଇନ୍ଦ୍ରଧନୁ ରଚନା କରିଥିଲା । ଖାଲି ସମୁଦ୍ର ହିଁ ହଲୁଥିଲା, କାରଣ ଜୁଆର ଉଠିଥିଲା । ସ୍କାଭିନ୍‍ସ୍କି ମୀନାର ଉପରେ ଠିଆ ହୋଇଥିଲା । ତଳୁ ଅନାଇଲେ ସେ ଗୋଟିଏ ଛୋଟ କଳା ବିନ୍ଦୁ ପରି ମନେ ହେଉଥିଲା । ତାହାର ଏଣୁ ତେଣୁ ଭାବନା ସବୁ ଠୁଳାଇ ନେଇ ସେ ନିଜର ନୂତନ ସ୍ଥାନ ଅଧିକାର କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ତାହାର ମନ ଏତେ ବେଶି ଭାରାକ୍ରାନ୍ତ ହୋଇ ଯାଇଥିଲା ଯେ ସେ ନିୟମାନୁବର୍ତ୍ତି ହୋଇ ପାରୁ ନ ଥିଲା । ଶିକାରୀ ଦ୍ଵାରା ତଡ଼ିତ ଜଙ୍ଗଲର ଗୋଟାଏ ଜାନୁଆର ଅବଶେଷରେ ଏକ ଦୁରାରୋହ ପାହାଡ଼ କିମ୍ଵା ଗୁହାରେ ନିରାପଦ ଆଶ୍ରୟ ପାଇଲେ ଯେମିତିକା ସୁସ୍ଥ ବୋଧ କରେ, ତାହାର ମାନସିକ ଅବସ୍ଥା କେତେକ ପରିମାଣରେ ଠିକ୍ ସେମିତିକା ଥିଲା । ଏତେ ଦିନ ପରେ, ସତରେ ସେ ବିଶ୍ରାମ ନେଇ ପାରିବ । ନିରାପଦର ଚିନ୍ତା ତାହାର ମନକୁ ଏକ ନିଶ୍ଚିତ ଅନିର୍ବଚନୀୟ ଶାନ୍ତିରେ ପୂର୍ଣ୍ଣ କରିଦେଲା । ବର୍ତ୍ତମାନ ସେହି ପଥୁରିଆ ଦ୍ୱୀପ ଉପରେ ଠିଆହୋଇ ସେ ନିଜର ଅତୀତର ଯାଯାବର ଜୀବନର ଦୁର୍ଭାଗ୍ୟ ଓ ବିଫଳତା ସବୁ ସ୍ମରଣ କରି ମନେ ମନେ ଟିକିଏ ହସି ପାରେ । ସେ ବାସ୍ତବିକ ଯେମିତି ଗୋଟାଏ ଜାହାଜ ଥିଲା—ଝଡ଼ରେ ତାହାର ମାସ୍ତୁଲ ଭାଙ୍ଗି ଯାଇଥିଲା, ପାଲ ଓ ଦଉଡ଼ିସବୁ ଛିଡ଼ି ଯାଇଥିଲା, ଏବଂ ଆକାଶରୁ ସମୁଦ୍ର-ତଳକୁ ଖସିପଡ଼ିଥିଲା— ଝଡ଼-ପବନ ସେହି ଜାହାଜଟା ଉପରେ କ୍ରମାଗତ ଢେଉ ଓ ଫେଣ ଆଣି ଅଜାଡ଼ି ଦେଉଥିଲା । ତଥାପି ସେ ଅତି କଷ୍ଟରେ ବନ୍ଦର ପାଖରେ ଆସି ଲାଗିଲା । ବର୍ତ୍ତମାନ ଆରମ୍ଭ ହେଉଥିବା ନିଜର ପ୍ରଶାନ୍ତ ଭବିଷ୍ୟତ କଥା ଭାବୁଁ ଭାବୁଁ, ସେହି ଝଡ଼-ଝଞ୍ଜାର ଛବିସବୁ ତାହାର ଅନ୍ତରରୁ ମୁହୂର୍ତ୍ତକ ଭିତରେ ଅନ୍ତର୍ହିତ ହୋଇଗଲା । ନିଜର ଆଶ୍ଚର୍ଯ୍ୟଜନକ ଦୁଃସାହସିକ ଅଭିଯାନ କାହାଣୀର କିଛି ଅଂଶ ସେ ଫାଲକନବ୍ରିଜଙ୍କୁ ଶୁଣାଇଥିଲା । ମାତ୍ର ଆହୁରି ହଜାର ହଜାର ଘଟଣା ରହିଥିଲା । ସେହି ସବୁ ଘଟଣା ସେ ତାଙ୍କ ଆଗରେ ପ୍ରକାଶ କରି ନ ଥିଲା । ବରାବର ତାହାର ଜୀବନରେ ନିଦାରୁଣ ଦୁର୍ଘଟଣା ସବୁ ଘଟିଛି । ଯେତେ ଥର ସେ ତମ୍ବୁ ଖାଞ୍ଚି ଓ ଚୁଲି ତିଆରି କରି ସ୍ଥାୟୀ ଭାବରେ ବସବାସ କରିବାକୁ ବାହାରିଛି, ସେତେ ଥର କେଉଁଠୁ କେଜାଣି ଅଚାନକ ଝଡ଼ ଆସି ତାହାର ତମ୍ବୁର ଦଉଡ଼ି ଛିଡ଼ାଇ ପକାଇଛି, ଚୁଲି ଭାଙ୍ଗି ଦେଇଛି, ଆଉ ତାହାକୁ ଧ୍ଵଂସର ମୁଖକୁ ଟାଣି ନେଇ ଯାଇଛି । ବର୍ତ୍ତମାନ ମୀନାରର ଚୂଡ଼ା ଉପରୁ ତଳେ ସମୁଦ୍ରର ଆଲୋକିତ ଢେଉଗୁଡ଼ିକ ନିରୀକ୍ଷଣ କରି, ସେ ନିଜର ଅତୀତ ଜୀବନର ଘଟଣାଗୁଡ଼ିକ ଗୋଟି ଗୋଟି କରି ମନେ ପକାଇବାକୁ ଲାଗିଲା-। ପୃଥିବୀର ଚତୁର୍ଦ୍ଦିଗରେ ସେ ଅଭିଯାନ କରିଛି । ତାହାର ସେହି ଯାଯାବର ଜୀବନରେ ସେ ପ୍ରାୟ ସବୁ ରକମର କାମ କରିଛି । ସେ ଖଟିବାକୁ ଭଲ ପାଏ । ସେ ସଚୋଟ । ସେ ଏକାଧିକ ବାର ପ୍ରଚୁର ଅର୍ଥ ଉପାର୍ଜନ କରିଛି । ମାତ୍ର ଯଥାସାଧ୍ୟ ଚେଷ୍ଟା କରି ଏବଂ ଖୁବ୍ ସାବଧାନରେ ଚଳି ସୁଦ୍ଧା ସେ କୌଣସି ଥର ସେହି ଅର୍ଥ ସାଇତି ରଖି ପାରି ନାହିଁ । ଅଷ୍ଟ୍ରେଲିୟାର ସୁନା ଖଣିରେ ସେ କାମ କରିଛି, ଆଫ୍ରିକାରେ ହୀରାର ସନ୍ଧାନ କରିଛି ଏବଂ ପୂର୍ବ ଭାରତୀୟ ଦ୍ଵୀପ ପୁଞ୍ଜରେ ସୈନ୍ୟ ବାହିନୀରେ ବନ୍ଧୁକ ଚାଳନା କରିଛି । ସେ କାଲିଫର୍ଣ୍ଣିୟାରେ ଗୋଟାଏ ଗୋ-ପାଳନ କେନ୍ଦ୍ର ପ୍ରତିଷ୍ଠା କରିଥିଲା—କିନ୍ତୁ ଅନାବୃଷ୍ଟି ହେତୁ ତାହା ନଷ୍ଟଭ୍ରଷ୍ଟ ହୋଇଗଲା । ବ୍ରାଜିଲର ଆଭ୍ୟନ୍ତରୀଣ ବନ୍ୟ ଜାତିମାନଙ୍କ ସହିତ ସେ ବ୍ୟବସାୟ ବାଣିଜ୍ୟ କରିବାକୁ ଚେଷ୍ଟା କରିଥିଲା—ମାତ୍ର ତାହାର ପଣ୍ୟ ନୌକା ଆମେଜନ ନଦୀରେ ହଠାତ୍ ଦିନେ ବୁଡ଼ିଗଲା । ପ୍ରାୟ ଉଲଗ୍ନ, ନିଃସଙ୍ଗ ଓ ଅସ୍ତ୍ରଶସ୍ତ୍ରହୀନ ଅବସ୍ଥାରେ ସେ ବହୁ ସପ୍ତାହ ଧରି ଘନ ଅରଣ୍ୟରେ ବୁଲିଛି, ବଣର ଫଳମୂଳ ଖାଇ ଜୀବନ ଧାରଣ କରିଛି, ଏବଂ ପ୍ରତି ମୁହୂର୍ତ୍ତରେ ବନ୍ୟ ଜନ୍ତୁମାନଙ୍କ ସହିତ ମୃତ୍ୟୁର ସମ୍ମୁଖୀନ ହୋଇଛି-। ଆରକାନସାସର ହେଲେନା ସହରରେ ସେ ଗୋଟାଏ କମାରଶାଳା ବସାଇଥିଲା । ମାତ୍ର ସମଗ୍ର ସହର ବ୍ୟାପୀ ଏକ ବିରାଟ ଅଗ୍ନିକାଣ୍ଡ ଫଳରେ ତାହା ଧ୍ୱଂସ ହୋଇଗଲା । ତା ପରେ ସେ ରକି ମାଉଣ୍ଟେନ୍‍ସର ଭାରତୀୟମାନଙ୍କ ହାତରେ ପଡ଼ିଥିଲା, ଏବଂ ନିଜର ଭାଗ୍ୟବଳରୁ କାନାଡ଼ାର ଶିକାରୀମାନଙ୍କ ଦ୍ଵାରା ଅଲୌକିକ ଭାବରେ ତାହାର ପ୍ରାଣ ରକ୍ଷା ହୋଇଥିଲା । ତା ପରେ ବାହିୟା ଓ ବୋର୍ଦୋ ମଧ୍ୟରେ ଯାତାୟାତ କରୁଥିବା ଗୋଟାଏ ଜାହାଜରେ ସେ ନାବିକର ଚାକିରି କରିଥିଲା, ଏବଂ ଗୋଟାଏ ତିମି-ଶିକାରୀ ଜାହାଜରେ ମଧ୍ୟ ହାରପୁନ ଫିଙ୍ଗୁଥିଲା— କିନ୍ତୁ ଦୈବ ଦୁର୍ଯ୍ୟୋଗକୁ ଦୁଇଟି ଯାକ ଜାହାଜ ସମୁଦ୍ରରେ ଡୁବି ଯାଇଥିଲା । ହାଭାନାରେ ସେ ଗୋଟାଏ ସିଗାରେଟ କାରଖାନା ଖୋଲିଥିଲା, କିନ୍ତୁ ସେ ବେମାର ପଡ଼ିଥିବାବେଳେ ତାହାର ଅଂଶୀଦାର ତାହାକୁ ଠକି ଦେଇ ପଳାଇଗଲା । ଅବଶେଷରେ ସେ ଆସପିନଓ୍ୟାଲରେ ଆସି ପହଞ୍ଚିଲା । ଏଠାରେ ବୋଧହୁଏ ତାହାର ଜୀବନର ସବୁ ବିଫଳତାର ସମାପ୍ତି ଘଟିପାରେ । କାରଣ ଏହି ପଥୁରିଆ ଦ୍ଵୀପରେ କିଏ ତାହା ପାଖକୁ ଆସି ପାରିବ ? ନା ପାଣି, ନା ନିଆଁ, ନା ମଣିଷ ବି । କିନ୍ତୁ ସ୍କାଭିନ୍‍ସ୍କି ମଣିଷଙ୍କ ହାତରୁ ବେଶି କିଛି ଲାଞ୍ଛନା ପାଇଁ ନାହିଁ । ଅସତ୍ ଲୋକଙ୍କ ଠାରୁ ବରଂ ବେଶି ସତ୍ ଲୋକଙ୍କୁ ସେ ନିଜ ଜୀବନରେ ଭେଟିଛି ।

 

କିନ୍ତୁ ତାହାର ମନେ ହେଲା, ଯେମିତି ପ୍ରକୃତିର ଚାରୋଟି ଯାକ ଶକ୍ତି ତାହାକୁ ଏକା ସାଙ୍ଗରେ ଅକ୍ରମଣ କରିଛନ୍ତି । ତାହାର ପରିଚିତ ଲୋକମାନେ କହୁଥିଲେ, ସେ ଗୋଟାଏ ହୀନ-କାପାଳିଆ । ତାହାର ସବୁ ଦୁଃଖ-ଦୁର୍ଦଶା ପାଇଁ ସେମାନେ ତାହାର କପାଳକୁ ଦାୟୀ କରୁଥିଲେ । ସେ ନିଜେ ବି କେତକ ପରିମାଣରେ ପାଗଳ ହୋଇ ଯାଇଥିଲା । ତାହାର ମନେ ହେଉଥିଲା, ଯେମିତି କୌଣସି ଅଦୃଶ୍ୟ ନିଷ୍ଠୁର ପ୍ରତିହଂସା-ପରାୟଣ ଶକ୍ତି କି ଜଳ, କି ସ୍ଥଳ, ଚାରିଆଡ଼େ ତାହାକୁ ଅନୁସରଣ କରୁଛି । ଯାହା ହେଉ, ଏହି କଥା ପ୍ରକାଶ କରିବାକୁ ସେ ଚାହୁ ନ ଥିଲା । ଯଦି କେତେବେଳେ କେହି ତାହାକୁ ପଚାରୁଥିଲା ଯେ ସେହି ନିଷ୍ଠୁର ଶକ୍ତି କିଏ, ସେତେବେଳେ ସେ ରହସ୍ୟଜନକ ଭାବରେ ଶୁକତାରା ଆଡ଼କୁ ଆଙ୍ଗୁଳ ଦେଖାଇ କହୁଥିଲା, “ସେଇଠୁ ସେ ଆସୁଛି ।” ତାହାର ଜୀବନରେ କ୍ରମାଗତ ଏତେ ବିଫଳତା ଆସିଛି ଯେ ତାହା ଭାବିଲା ମାତ୍ରେ ବାସ୍ତବିକ ଖୁବ୍ ଆଶ୍ଚର୍ଯ୍ୟ ବୋଧ ହୁଏ । ଯେଉଁ ଲୋକର ସେହିପରେ ଅଭିଜ୍ଞତା ଥିବ, ନିଶ୍ଚୟ ଏସବୁ କଥା ଶୁଣିଲେ ତାହାର ମୁଣ୍ଡ ଗରମ ହୋଇଯିବ । କିନ୍ତୁ ସ୍କାଭିନ୍‍ସ୍କିର ଭାରତୀୟଙ୍କ ପରି ଅଶେଷ ଧୈର୍ଯ୍ୟ ଥିଲା, ଏବଂ ତାହାର ମନ ଭିତରେ ଅସୀମ ଶାନ୍ତ ପ୍ରତିରୋଧ-ଶକ୍ତିର ମୂଳରେ ରହିଥିଲା ସତ୍ୟ ପ୍ରତି ଅତୁଟ ବିଶ୍ୱାସ । ହଙ୍ଗେରୀରେ ଥିବା ବେଳେ ସେ ଅନେକ ଥର ସଙ୍ଗୀନ-ମୁନରେ ଆଘାତ ପାଇଥିଲେ । କାରଣ ଘୋଡ଼ା-ଜିନର ପାଦାନ୍‍କୁ ଧରି ସେ କଦାପି ମୁକ୍ତି ଭିକ୍ଷା କରିବ ନାହିଁ, ବରଂ ବହୁତ ବେଳ ଯାଏ କାନ୍ଦିବାକୁ ଲାଗିବ । ଠିକ୍ ଏହିପରି ଭାବରେ ସେ ଦୁର୍ଭାଗ୍ୟ ନିକଟରେ କଦାପି ନତ-ମସ୍ତକ ହୋଇ ନାହିଁ । ପିମ୍ପୁଡ଼ି ପରି ଅସୀମ ଧୈର୍ଯ୍ୟ ସହକାରେ ସେ ଧୀରେ ଧୀରେ ପାହାଡ଼ ଉପରକୁ ଉଠିବାକୁ ଲାଗିଛି । ବରମ୍ଵାର ସେ ତଳକୁ ଖସି ପଡ଼ିଛି, ତଥାପି ସେ ପୁଣି ଧୀର ସ୍ଥିର ଭାବରେ ତାହାର ଯାତ୍ରା ଆରମ୍ଭ କରିଛି—ଶହେ ଏକ ଥର ନୂତନ ପ୍ରକାରରେ । କହିବାକୁ ଗଲେ ନିଜ ବାଟରେ ସେ ଜଣେ ଅଦ୍ଭୁତ ଧରଣର ମଣିଷ ଥିଲା । ଏକମାତ୍ର ଭଗବାନ ଜାଣନ୍ତି, ଏହି ପ୍ରକୃତି ସମ୍ପନ୍ନ ବୃଦ୍ଧ ସୈନିକଟି କେତେ ଥର ଦୁଃଖ-ନିର୍ଯ୍ୟାତନାର ନିଆଁରେ ଜଳି ପୋଡ଼ି ଶକ୍ତ ହୋଇ ଯାଇଛି, ହାତୁଡ଼ିରେ କେତେ ପାହାର ଖାଇ ଖାଇ ଟାଣ ହୋଇ ଯାଇଛି । ତଥାପି ତାହାର ଶିଶୁ ପରି ମନ ଟଳି ନାହିଁ । କ୍ୟୁବାରେ ସେହି ମହାମାରୀ ସମୟରେ, ସେ ନିଜେ ବି ଆକ୍ରାନ୍ତ ହୋଇଥିଲା, କାରଣ ତାହା ପାଖରେ ଥିବା ଗୁଡ଼ାଏ କୁଇନାଇନକୁ ସେ ରୋଗୀମାନଙ୍କୁ ବାଣ୍ଟି ଦେଇଥିଲା, ଗୋଟିଏ ହେଲେ ବଟିକା ନିଜ ପାଇଁ ରଖି ନ ଥିଲା ।

 

ତାହାର ଏମିତି ଅଦ୍ଭୁତ ଶକ୍ତି ଥିଲା ଯେ ଏତେ ସବୁ ନୈରାଶ୍ୟ ପରେ ବି ସେ ଆଦୌ ବିଶ୍ୱାସ ହରାଇ ନ ଥିଲା, ଏବଂ ସବୁବେଳେ ଆଶା ରଖିଥିଲା ଯେ ଦିନେ ନା ଦିନେ ନିଶ୍ଚୟ ତାହାର ଅବସ୍ଥା ବଦଳିବ । ଶୀତ କାଳରେ ସେ ଉତ୍ସାହିତ ହୋଇ କହୁଥିଲା, ଏଥର ବଡ଼ ବଡ଼ ଘଟଣାସବୁ ଘଟିବ । ସେହିସବୁ ଘଟଣା ପାଇଁ ସେ ଧୈର୍ଯ୍ୟ ଧରି ଅପେକ୍ଷା କରି ରହୁଥିଲା । ସମୁଦାୟ ଗ୍ରୀଷ୍ମ କାଳଟା ତାହାର ସେହିସବୁ ଚିନ୍ତାରେ କଟୁଥିଲା । କିନ୍ତୁ ଗୋଟାକ ପରେ ଗୋଟାଏ ଶୀତ ଚାଲିଯିବାକୁ ଲାଗିଲା, କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା ନାହିଁ । ମାତ୍ର ସ୍କାଭିନ୍‍ସ୍କିର ମୁଣ୍ଡର ବାଳ ପାଚି ଧଳା ହୋଇଗଲା । ଅବଶେଷରେ ସେ ବୁଢ଼ା ହୋଇଗଲା ଏବଂ ତାହାର ଦେହର ବଳ କମିଯିବାକୁ ଲାଗିଲା । ତାହାର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା, ଆଉ ତାହାର ଅପରୂପ ଶାନ୍ତ ପ୍ରକୃତି ମିଳାଇଗଲା । ତାହାର ଅବସ୍ଥା ଶେଷରେ ଏମିତି ହେଲା, ଯେ କୌଣସି ତୁଚ୍ଛ କାରଣରୁ ମଧ୍ୟ ସେହି ପ୍ରକୃତି-ସମ୍ପନ୍ନ ବୃଦ୍ଧ ସୈନିକର ଆଖିରୁ ଲୁହ ଝରିବାକୁ ଲାଗିଲା । ତାହା ଛଡ଼ା, ମଝିରେ ମଝିରେ କୌଣସି କାରଣରୁ ନିଜର ଘର-କଥା ମନେ ପଡ଼ିଗଲେ ସେ ଅତିଶୟ ବିଚଳିତ ହୋଇ ପଡ଼ୁଥିଲା–କେତେବେଳେ ଚାତକ ପକ୍ଷୀ କିମ୍ବା ଘରଚଟିଆ ପରି ଧୂସର ଚଢ଼େଇ ଦେଖିଲି, ପାହାଡ଼ରେ ଚୁଡ଼ାରେ ତୁଷାରେ ଲକ୍ଷ କଲେ, କିମ୍ବା ଅତୀତ ଦିନରେ ଶୁଣିଥିବା କୌଣସି କରୁଣ ସଙ୍ଗୀତର ସ୍ଵର କାନରେ ବାଜିଲେ । ଅବଶେଷରେ, ଗୋଟାଏ ଚିନ୍ତା ତାହାକୁ ମାଡ଼ି ବସିଲା—ବିଶ୍ରାମର ଚିନ୍ତା-। ଏହି ଚିନ୍ତା ବୃଦ୍ଧ ଲୋକଟିକୁ ସମ୍ପୂର୍ଣ୍ଣ ଭାବରେ କବଳିତ କରି ପକାଇଲା, ଯଦ୍ଦ୍ଵାରାତାହାର ଆଉସବୁ ଆଶା-ଆକାଂକ୍ଷା ଦୂରୀଭୂତ ହୋଇଗଲା । ଏହି ଅବିଶ୍ରାନ୍ତ ଯାଯାବରର ମନରେ ଆଉ କୌଣସି କାମନା-ବାସନା ରହିଲା ନାହିଁ । ଗୋଟିଏ ଶାନ୍ତିମୟ କୋଣରେ ବିଶ୍ରାମ କରି, ନୀରବରେ ଜୀବନର ଅବସାନ ପାଇଁ ଅପେକ୍ଷା କରିବା ଛଡ଼ା ଆଉ କିଛି ଭଲ କଥା ତାହାର ମନକୁ ଆସିଲା ନାହିଁ । ତାହାର ଖାମଖିଆଲି ଭାଗ୍ୟ ତାହାକୁ ନାନା ଦେଶ ଓ ସାଗର ଉପରେ ଏପରି ଦ୍ରୁତ ଗତିରେ ଟାଣି ନେଇ ଯାଉଥିଲା ଯେ ସେ ନିଶ୍ୱାସ ନେବାକୁ ବି ବେଳ ପାଉ ନ ଥିଲା । ତେଣୁ ବୋଧହୁଏ ତାହାର ମନରେ ଧାରଣା ଜାତ ହୋଇଛି ଯେ ମାନବ ଜୀବନର ସବୁ ଠାରୁ ବଡ଼ ସୁଖ ହେଉଛି ଅକାରଣରେ ଭ୍ରମଣ ନ କରିବା । ସତ କହିବାକୁ ଗଲେ, ଏହି ସାମାନ୍ୟ ସୁଖ ଟିକକ ତାହାର ପାଉଣା । କିନ୍ତୁ କ୍ରମାଗତ ନୈରାଶ୍ୟରେ ସେ ଏତେ ଭାଙ୍ଗି ପଡ଼ିଥିଲା ଯେ ସେ ବିଶ୍ରାମକୁ ଗୋଟାଏ ଅବାସ୍ତବ କଥା ବୋଲି ଭାବୁଥିଲା, ଠିକ୍‍ ଯେମିତି ଲୋକେ ସାଧାରଣତଃ କିଛି ଜିନିଷ ସହଜରେ ନ ପାଇଲେ ମନେ ମନେ ଭାବନ୍ତି । ସୁତରାଂ ବିଶ୍ରାମ ପାଇବାକୁ ସେ ଆଦୌ ଭରସା ରଖି ନ ଥିଲା-। ଇତି ମଧ୍ୟରେ, ଅପ୍ରତ୍ୟାଶିତ ଭାବରେ, ବାର ଘଣ୍ଟା ଭିତରେ ସେ ଏମିତି ଗୋଟିଏ ବଛା କାମ ପାଇଗଲା, ଯେଉଁଟା ସାରା ପୃଥିବୀ ଭିତରେ କେବଳ ତାହାରି ପାଇଁ ରଖା ହୋଇଥିଲା-। ସନ୍ଧ୍ୟା ହେଲା ଯେତେବେଳେ ସେ ବତି ଜଳାଇଲା, ସେହି ଆଲୋକରେ ସେ ଉଦ୍ଭାସିତ ହୋଇଗଲା-। ସେତେବେଳେ ଆମେ ତାହାକୁ ଦେଖି ଆଦୌ ଆଶ୍ଚର୍ଯ୍ୟନ୍ୱିତ ହେଲୁ ନାହିଁ । ସେ ନିଜକୁ ନିଜେ ପଚାରିଲା ତାହା ସତ କି ? କିନ୍ତୁ ତାର କୌଣସି ଯଥାର୍ଥ ଉତ୍ତର ପାଇବାକୁ ତାହାର ସାହସ କୁଳାଇଲା ନାହିଁ । କିନ୍ତୁ ଏହି ଘଟଣା ଯେ ସତ, ତାର ବହୁ ଅକାଟ୍ୟ ବାସ୍ତବ ପ୍ରମାଣ ସେତେବେଳେ ସେ ପାଇଗଲା । ତେଣୁ ସେ ଘଣ୍ଟା ଘଣ୍ଟା ଧରି ବାରନ୍ଦାରେ ଠିଆ ହୋଇ ରହିଲା । ଶୂନ୍ୟକୁ ଚାହିଁ ରହି ରହି, ସେ ନିଜର ବିଶ୍ୱାସ ଦୃଢ଼ୀଭୂତ କଲା । ଏହା ବି ହୋଇପାରେ ଯେ ସେ ତାହାର ଜୀବନ ଭିତରେ ପ୍ରଥମ ଥର ପାଇଁ ସମୁଦ୍ରକୁ ଦେଖୁଥିଲା । ଲଣ୍ଠନର କାଚଗୁଡ଼ିକରୁ ଆଲୋକରେଖା ଯାଇ ଅନ୍ଧକାର ଉପରେ ଏକ ବିଶାଳ ତ୍ରିକୋଣ ରଚନା କରିଥିଲା, ଯାହାକୁ ଅତିକ୍ରମ କରି ବୃଦ୍ଧ ଲୋକଟିର ଦୃଷ୍ଟି ରହସ୍ୟମୟ ଭୟଙ୍କର କୃଷ୍ଣ ଦୂରତରେ ପୂରାପୂରି ହଜିଗଲା । କିନ୍ତୁ ସେହି ଦୂରତା ଆଲୋକ ଆଡ଼କୁ ଧାଇଁ ଆସୁଥିଲା ଭଳି ଜଣା ପଡ଼ିଲା । ଲମ୍ବା ଢେଉସବୁ ଗୋଟିକ ପରେ ଗୋଟିଏ ଅନ୍ଧକାର ଭିତରୁ ବାହାରି ଆସି, ଗର୍ଜନ କରି ଦ୍ୱୀପର ତଟ-ରେଖା ଆଡ଼କୁ ଗଡ଼ି ଯାଉଥିଲା-। ସେତିକିବେଳେ ଢେଉପୁଡ଼ିକର ଫେଣ-ଭାଗ ପିଠିସବୁ ଦେଖା ଯାଉଥିଲା, ଏବଂ ଲଣ୍ଠନର ଆଲୋକରେ ଗୋଲାପୀ ରଙ୍ଗ ଧାରଣ କରୁଥିଲା । ଜୁଆର କ୍ରମେ କ୍ରମେ ଫୁଲି ଫୁଲି ବାଲି-କୁଦସବୁ ଘୋଡ଼ାଇ ପକାଇଲା । ସମୁଦ୍ରର ରହସ୍ୟମୟ ଭାଷାର ସ୍ୱର ଅଧିକ ଉଚ୍ଚ ଓ ଭୟଙ୍କର ହେବାକୁ ଲାଗିଲା—କେତେବେଳେ କମାଣ-ଗର୍ଜନ ପରି, କେତେବେଳେ ବିରାଟ ଅରଣ୍ୟର ଆର୍ତ୍ତନାଦ ପରି, ଆଉ କେତେବେଳେ ଦୂରବର୍ତ୍ତୀ ଜନତାର ଚାପ କଣ୍ଠ-ସ୍ୱର ପରି । ମଝିରେ ମଝିରେ ସମୁଦ୍ର ନିସ୍ତବ୍ଧ ହୋଇ ଯାଉଥିଲା । ସେତିକିବେଳେ ବୃଦ୍ଧ ଲୋକଟିର କାନରେ ଆସି ବାଜୁଥିଲା ଗୋଟାଏ ବିରାଟ ଦୀର୍ଘଶ୍ୱାସ, ତା ପରେ ଏକ ପ୍ରକାର ତ୍ରିନ୍ଦନର ଶବ୍ଦ, ଏବଂ ପୁଣି ସେହି ଭୟଙ୍କର ଆର୍ତ୍ତନାଦ । ଅବଶେଷରେ ପବନ କୁହୁଡ଼ିକୁ ଉଡ଼ାଇ ନେଇଗଲା, କିନ୍ତୁ ପର ମୁହୂର୍ତ୍ତରେ ଖଣ୍ଡ ଖଣ୍ଡ କଳା ବଉଦ ମାଳା ଆଣି ଚନ୍ଦ୍ରଙ୍କୁ ଲୁଚାଇ ଦେଲା । ପଶ୍ଚିମ ଦିଗରୁ ପବନ ଅଧିକ ଜୋରରେ ବହିବାକୁ ଲାଗିଲା । ଏଣେ ଢେଉଗୁଡ଼ିକ କ୍ରୋଧରେ ଜର୍ଜରିତ ହୋଇ ବତୀଘରର ପଥର ଉପରକୁ ଚଢ଼ିଯାଇ, ମୂଳଦୁଆକୁ ଫେଣରେ ଚାଟିବାକୁ ଲାଗିଲେ । ଦୂରରେ ଗୋଟିଏ ଝଡ଼ର ଶବ୍ଦ ଶୁଭୁଥିଲା । ଅନ୍ଧକାର ଓ କମ୍ପିତ ବିସ୍ତୃତ ଭିତରେ ଦୂରରେ ଜାହାଜର ମାସ୍ତୁଲରୁ କେତୋଟି ବତି ଝଲସିବାକୁ ଲାଗିଲା । ଏହି ସବୁଜ ବିନ୍ଦୁଗୁଡ଼ିକ ଉପରକୁ ଉଠି ଯାଉଥାଏ ତ ତଳକୁ ପଡ଼ି ଯାଉଥାଏ, କେତେବେଳେ ଡାହାଣକୁ ତ କେତେବେଳେ ବାମ ପଟକୁ ଢଳି ପଡ଼ୁଥାଏ । ସ୍କାଭିନ୍‍ସ୍କି ନିଜର କୋଠରୀକୁ ଓହ୍ଲାଇ ଚାଲି ଆସିଲା । ଝଡ଼ ଗର୍ଜିବାକୁ ଲାଗିଲା । ବାହାରେ, ସେହିସବୁ ଜାହାଜର ଯାତ୍ରୀମାନେ ରାତି, ଅନ୍ଧକାର ଓ ଢେଉ ସହିତ ସଂଗ୍ରାମ କରୁଥିଲେ । କିନ୍ତୁ ବତୀଘରର ଭିତରଟା ନିରବ ଓ ନିସ୍ତବ୍‍ଧ ଥିଲା । ଏପରିକି ଝଡ଼ର ଶବ୍ଦ ମୋଟା କାନ୍ଥ ବାଟେ କ୍ୱଚିତ ଶୁଭୁଥିଲା । କେବଳ ଘଡ଼ିର ମପା ଟିକ୍-ଟାକ୍ ଶବ୍ଦ କ୍ଳାନ୍ତ ବୃଦ୍ଧ ଲୋକଟିକୁ ଶୁଆଇ ପକାଇଲା ।

 

ଘଣ୍ଟା, ଦିନ ଓ ସପ୍ତାହ ଗୋଟି ଗୋଟି ହୋଇ ଗଡ଼ିଯିବାକୁ ଲାଗିଲା । ନାବିକମାନେ କହନ୍ତି ଯେ ବେଳେ ବେଳେ ସମୁଦ୍ର ଅତିଶୟ କ୍ଷିପ୍ତ ହୋଇଗଲେ, ରାତି ଓ ଅନ୍ଧକାର ଭିତରୁ କିଏ ଯେମିତି ସେମାନଙ୍କର ନାମ ଧରି ଡାକେ । ଯଦି ସମୁଦ୍ରର ଅସୀମିତ ଏହିପରି ଭାବରେ ଡାକି ପାରେ, ତାହା ହେଲେ ବୋଧହୁଏ ମଣିଷ ବୁଢ଼ା ହୋଇଗଲେ, ଆଉ ଗୋଟିଏ ଅଧିକ ଅନ୍ଧକାର ଓ ଅଧିକ ଗଭୀର ରହସ୍ୟମୟ ଅସୀମତାରୁ ତାହା ଠାକୁ ବି ଡାକ ଆସୁଥିବ । ଜୀବନରେ ସେ ଯେତେ ବେଶି କ୍ଳାନ୍ତ ହୋଇପଡ଼େ ସେହି ଡାକ ତାହାକୁ ସେତେ ଅଧିକ ପ୍ରିୟ ଜଣାଯାଏ । କିନ୍ତୁ ସେହିସବୁ ଡାକ ଶୁଣିବା ଲାଗି ନିସ୍ତବ୍ଧତା ଏକାନ୍ତ ପ୍ରୟୋଜନୀୟ । ତାହା ଛଡ଼ା ବାର୍ଦ୍ଧକ୍ୟ ନିଜକୁ ତାହା ଠାରୁ ଦୂରେଇ ରଖିବାକୁ ଇଚ୍ଛା କରେ, କାରଣ ସେଥିରେ ଯେମିତି କବରର ସତର୍କ-ଧ୍ୱନି ରହିଥାଏ । ସ୍କାଭିନ୍‍ସ୍କି ପକ୍ଷରେ ବତିଘରଟି ସେହିପରି ଗୋଟାଏ ଅଧା-କବର ଭଳି ହୋଇ ପଡ଼ିଥିଲା । ଗୋଟାଏ ଆଲୋକ-ସ୍ତମ୍ଭରେ ଜୀବନ ଠାରୁ ଅଧିକ ଏକବାଗିଆ ଆଉ କିଛି ନାହିଁ । ଯଦି ଯୁବକମାନେ ଏହି ଚାକିରି ଗ୍ରହଣ କରିବାକୁ କେବେ ରାଜି ହୁଅନ୍ତି, ତାହା ହେଲେ କିଛି ଦିନ ପରେ ଚାକିରି ଛାଡ଼ିଦେଇ ଚାଲିଯିବାର ସେମାନଙ୍କୁ ଦେଖାଯାଏ । ବତିଘର-ଜଗୁଆଳିମାନେ ସାଧାରଣତଃ ଯୁବକ ହୋଇ ନ ଥାଆନ୍ତି, ବିଷଣ୍ଣ ଦିଶୁଥାଆନ୍ତି, ଏବଂ ନିଜ ଭିତରେ ଆବଦ୍ଧ ରହି ଥାଆନ୍ତି । ଯଦି ସେମାନଙ୍କ ଭିତରୁ କେହି ଦୈବାତ୍ ବତିଘର ଛାଡ଼ି ଦେଇ ଜନତା ନିକଟକୁ ଫେରିଆସେ, ତାହା ହେଲେ ସେ ସେମାନଙ୍କ ଭିତରେ ଗଭୀର ନିଦରୁ ଉଠିଥିବା ଜଣେ ଲୋକ ପରି ଘୂରିବାକୁ ଲାଗେ । ବତିଘର-ଜଗୁଆଳିର ଜୀବନରେ ଛୋଟ ଛୋଟ ଘଟଣାର ଅଭାବ ଦେଖାଯାଏ । ମାତ୍ର ସାଧାରଣ ଜୀବନରେ ଏହିସବୁ ଛୋଟ ଛୋଟ ଘଟଣା ମଣିଷକୁ ତାହାର ପାରିପାର୍ଶ୍ଵିକ ଅବସ୍ଥା ସହିତ ଖାପ ଖୁଆଇନେବାକୁ ଶିକ୍ଷା ଦିଏ । ବତିଘର-ଜଗୁଆଳି ବିରାଟ ବିରାଟ ଜିନିଷର ସଂସ୍ପର୍ଶରେ ଆସେ, ଯାହାର କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ଗଠନ ନ ଥାଏ । ଆକାଶ ବିରାଟ, ଆଉ ସମୁଦ୍ର ବିରାଟ । ଏହି ଦୁଇ ଅସୀମତାର ମଝିରେ ମଣିଷର ଆତ୍ମା ନିର୍ଜନତାରେ ବିଚରଣ କରେ । ସେହିପରି ଗୋଟାଏ ଜୀବନରେ ମଣିଷ ଅହରହ ଧ୍ୟାନରେ ବୁଡ଼ି ରହେ । ସେହି ଧ୍ୟାନ ଭିତରୁ ବତିଘର-ଜଗୁଆଳିକୁ କେହି ଉଠାଏ ନାହିଁ, ଏପରିକି ନିଜର କାମ ସୁଦ୍ଧା । ସବୁ ଦିନ ସେଠାରେ ଏକା ଭଳି, ଠିକ୍ ଗୋଟିଏ ଜପମାଳାର ଦୁଇଟି କଣ୍ଠି ପରି । କେବଳ ଋତୁର ପରିବର୍ତ୍ତନ ହେଲେ କିଛି ନା କିଛି ବୈଚିତ୍ର୍ୟ ପରିଲକ୍ଷିତ ହୁଏ । କିନ୍ତୁ ସ୍କାଭିନ୍‍ସ୍କି ଏଠାରେ ଏତେ ଆନନ୍ଦ ପାଇଲା ଯେ ତାହାର ଜୀବନରେ ଏପରି ଆନନ୍ଦ ସେ କେବେ ପାଇ ନ ଥିଲା । ସକାଳ ହେଲେ ସେ ବିଛଣାରୁ ଉଠି ପଡ଼େ, ଜଳଖିଆ ଖାଇଦିଏ, ବତିର କାଚସବୁ ପୋଛାପୋଛି କରେ, ଏବଂ ତା ପରେ ବାରନ୍ଦାରେ ବସି ରହି ସୁବିସ୍ତୀର୍ଣ୍ଣ ଜଳରାଶି ଆଡ଼କୁ ଅନାଇ ରହେ । ସାମନାରେ ଯେଉଁସବୁ ଦୃଶ୍ୟ ସେ ଦେଖେ, ସେଥିରେ ତାହାର ଆଖି କେବେ କ୍ଳାନ୍ତ ହୋଇଯାଏ ନାହିଁ । ସମୁଦ୍ରର ବିରାଟ ଆକାଶୀ ରଙ୍ଗ ଭିତରେ ପ୍ରାୟ ପବନରେ ଫୁଲି ଯାଉଥିବା ଗୁଡ଼ିଏ ପାଲ ଦେଖାଯାଏ । ସୂର୍ଯ୍ୟଲୋକରେ ସେଗୁଡ଼ିକ ଏମିତି ଉଜ୍ଜ୍ୱଳ ହୋଇ ଝଲସୁ ଥାଆନ୍ତି ଯେ ଖାଲି ଆଖିରେ ସେହି ଆଲୁଅ ଆଡ଼କୁ ଅନାଇ ହୁଏ ନାହିଁ । ବେଳେ ବେଳେ ଜାହାଜସବୁ, ତଥାକଥିତ ବାଣିଜ୍ୟ ବାୟୁରେ ତାଡ଼ିତ ହୋଇ, ଗୋଟିଏ ପ୍ରସାରିତ ଧାଡ଼ିରେ ଗୋଟିକ ପଛରେ ଗୋଟିଏ ଭାସି ଚାଲନ୍ତି, ଅବିକଳ ଝାଙ୍କିଏ ପକ୍ଷୀ ପରି । ଗତିପଥ-ନିର୍ଦ୍ଦେଶକ ଲାଲ ପିପାସବୁ ହାଲୁକା ଢେଉରେ ଧୀରେ ଧୀରେ ଦୋହଲୁ ଥାଆନ୍ତି । ନିତି ଅପରାହ୍ନରେ ସେହିସବୁ ପାଲ ଭିତରେ ବିରାଟ ଧୂସର ପକ୍ଷୀର ରଙ୍ଗ ପରି ଗୋଟାଏ ଧୂଆଁ ଦେଖାଯାଏ । ସେଥିରୁ ଜଣାଯାଏ ନ୍ୟୁଁଇୟର୍କରୁ ଗୋଟାଏ ଜାହାଜ ଯାତ୍ରୀ ଓ ମାଲ ନେଇ ଆସପିନଓ୍ୟାଲକୁ ଯାଉଛି, ପଛରେ ଫେଣର ଗୋଟାଏ ଶୂନ୍ୟ ବାଟ ଯେମିତି ଫିଟାଇ ଦେଉଛି । ବାରନ୍ଦାର ଆର ପଟରେ ସ୍କାଭିନ୍‍ସ୍କିର ଆଖିରେ ପଡ଼େ ଆସପିନଓ୍ୟାଲ ଓ ତାର କର୍ମ-ଚଞ୍ଚଳ ବନ୍ଦର—ମାସ୍ତୁଲ, ଜାହାଜ ଓ ନୌକାର ଗୋଟାଏ ଜଙ୍ଗଲ ଯେମିତି । ଆଉ ଟିକିଏ ଆଗକୁ ସହରର ଧଳା କୋଠା ଓ ସ୍ତମ୍ଭସବୁ ଦିଶେ । ତାହାର ଅତ୍ୟୁଚ୍ଚ ବତିଘର ଉପରୁ ସେହି କୋଠାସବୁ ପକ୍ଷୀର ବସା ପରି ଜଣାଯାଏ, ନୌକାସବୁ ପୋକ ପରି, ଆଉ ବିଚରଣ କରୁଥିବା ଲୋକମାନେ ଧଳା ପଥର ଉପରେ ଅଙ୍କିତ ଛୋଟ ଛୋଟ ବିନ୍ଦୁ ପରି । ଖୁବ୍ ସକାଳୁ ପୂର୍ବ ଦିଗରୁ ଗୋଟାଏ ମୃଦୁ ପବନ ବହେ । ସେଥିରେ ମାନବ ଜୀବନର ଅସ୍ପଷ୍ଟ ଗୁଞ୍ଜନ ଭାସିଆସେ, ଏବଂ ତା ପରେ ସ୍ପଷ୍ଟ ଭାବରେ ଶୁଣାଯାଏ ଜାହାଜର ବଂଶୀ-ଧ୍ୱନି । ଅପରାହ୍ନରେ ଛଅଟା ବାଜିଲେ, ବନ୍ଦରରେ ଚଳାଚଳ ପ୍ରାୟ ବନ୍ଦ ହୋଇଯାଏ, ପକ୍ଷୀସବୁ ପାହାଡ଼ର ଖୋଲରେ ଲୁଚି ଯାଆନ୍ତି, ଆଉ ଢେଉସବୁ ନିସ୍ତେଜ ଓ ଏକ ପ୍ରକାର ଅଳସୁଆ ହୋଇ ପଡ଼ନ୍ତି । ତା ପରେ ଜଳ, ସ୍ଥଳ ଓ ବତିଘର ଉପରେ ସମୟର ଅଖଣ୍ଡ ନିସ୍ତବ୍ଧତା ମାଡ଼ିଯାଏ । ହଳଦିଆ ବାଲି ଉପରୁ ଢେଉ ଛାଡ଼ିଯାଇ ଥିବାରୁ ଜଳରେ ସୁନାର ଦାଗ ପରି ଚିକ୍ ଚିକ୍ ମାରେ । ସମୁଦାୟ ବତିଘରଟା ଗାଢ଼ ନୀଳ ବର୍ଣ୍ଣ ହୋଇଯାଏ । ଜଳ, ବାଲି ଓ ପାହାଡ଼ ଉପରେ ଆକାଶରୁ ସୂର୍ଯ୍ୟ-କିରଣର ବନ୍ୟା ଖେଳିଯାଏ । ସେତିକିବେଳେ ଏକ ପ୍ରକାରର ମଧୁର ନିଷ୍କ୍ରିୟତା ବୃଦ୍ଧ ଲୋକଟିକୁ ଆଚ୍ଛନ୍ନ କରି ପକାଏ । ସେ ଅପରୂପ ବିଶ୍ରାମର ସ୍ୱାଦ ଲାଭ କରେ । ଯେତେବେଳେ ତାହାର ମନେ ପଡ଼େ ଯେ ଏକ ଏହି ବିଶ୍ରାମ ଅକ୍ଷୁଣ୍ଣ ରହିବ, ସେତେବେଳେ ତାହାର ଆଉ କିଛି ଅଭାବ ହୁଏ ନାହିଁ ।

 

ସ୍କାଭିନ୍‍ସ୍କି ଆପଣା ସୁଖର ବୁଡ଼ି ରହିଲା । ଯେମିତି ମଣିଷ ଉନ୍ନତ ଅବସ୍ଥା ସହିତ ସହଜରେ ନିଜକୁ ଖାପ ଖୁଆଇ ପାରେ, ଠିକ୍ ସେମିତି ସେ ଧୀରେ ଧୀରେ ନିଜର ବିଶ୍ୱାସ ଓ ଆତ୍ମ-ନିର୍ଭରତା ଫେରି ପାଇଲା । କାରଣ ସେ ଭାବିଲା, ଯଦି ମଣିଷମାନେ ପଙ୍ଗୁମାନଙ୍କ ଆଶ୍ରୟ ଦିଅନ୍ତି, ତାହା ହେଲେ ଭଗବାନ ବା କାହିଁକି ଶେଷରେ ତାଙ୍କ ନିଜର ପଙ୍ଗୁମାନଙ୍କୁ ଆଶ୍ରୟ ନ ଦେବେ ? ଦିନ ଗଡ଼ି ଚାଲିଲା । ତା ସାଙ୍ଗରେ ଏହି ବିଶ୍ୱାସ ମଧ୍ୟ ତାହାର ଦୃଢ଼ୀଭୂତ ହେଲା । ବୃଦ୍ଧ ଲୋକଟି କ୍ରମେ କ୍ରମେ ତାହାର ମୀନାର, ବତି, ପାହାଡ଼, ବାଲି-କୁଦ ଓ ନିର୍ଜନତା ସହିତ ଅଭ୍ୟସ୍ତ ହୋଇଗଲା-। ଯେଉଁ ସମୁଦ୍ର-ପକ୍ଷୀସବୁ ପାହାଡ଼ର ଖୋଳରେ ଅଣ୍ଡା ଉଷୁମାଉଥିଲେ ଏବଂ ସନ୍ଧ୍ୟାବେଳେ ବତିଘରର ଛାତ ଉପରେ ଆସି ଠୁଳ ହେଉଥିଲେ, ସେ ମଧ୍ୟ ସେମାନଙ୍କ ସହିତ ପରିଚିତ ହୋଇଗଲା । ସ୍କାଭିନ୍‍ସ୍କି ସାଧାରଣତଃ ନିଜର ଅଇଁଠା-କଣ୍ଟା ସେମାନଙ୍କ ଆଡ଼କୁ ଫିଙ୍ଗି ଦିଏ-। ଦେଖୁଁ ଦେଖୁଁ ସେମାନେ ପୋଷା ମାନିଗଲେ । ତା’ପରେ, ଯେତେବେଳେ ସେ ସେମାନଙ୍କୁ ଖାଇବାକୁ ଦିଏ, ସେତେବେଳେ ତାହାର ଚାରି ପଟେ ଧଳା ପକ୍ଷର ଗୋଟାଏ ଝଡ଼ ଉଠେ, ଏବଂ ବୃଦ୍ଧ ଲୋକଟି ପକ୍ଷୀମାନଙ୍କ ଭିତରେ ଜଣେ ମେଣ୍ଢା-ଜଗୁଆଳି ଭଳି ଦିଶେ । ସମୁଦ୍ରରେ ଜୁଆର ଛାଡ଼ିଗଲେ, ସେ ବାଲି ତଳକୁ ଚାଲିଯାଏ ଏବଂ ନାନା ପ୍ରକାରର ସୁସ୍ଵାଦ ଶାମୁକା ଓ ସାମୁଦ୍ରିକ ଜୀବର ସୁନ୍ଦର ଖୋଳପା ସଂଗ୍ରହ କରେ । ଢେଉସବୁ ଭଟ୍ଟାବେଳେ ଏଗୁଡ଼ିକ ବାଳିରେ ଛାଡ଼ି ଦେଇ ଯାଇଯାଆନ୍ତି । ଜହ୍ନ ରାତିରେ ସେ ବତିଘର କତିରେ ମାଛ ଧରେ । ପଥରର ଗାଢ଼ରେ ଅସଂଖ୍ୟ ମାଛ ଆସି ରହି ଥାଆନ୍ତି । ଅବଶେଷରେ ଏହି ପାହାଡ଼ ଓ ବୃକ୍ଷହୀନ ଛୋଟ ଦ୍ୱୀପଟି ତାହାକୁ ଭାରି ଭଲ ଲାଗିଲା । ଏହି ଦ୍ୱୀପଟିରେ ଖାଲି ଛୋଟ ଛୋଟ ଝାଙ୍କୁଲା ଗଛ ଦେଖାଯାଏ, ଯେଉଁଥିରୁ ଅଠାଳିଆ ରସ ନିର୍ଗତ ହୋଇଥାଏ । ମାତ୍ର ଦୂରର ଦୃଶ୍ୟସବୁ ଏହି ଦ୍ଵୀପଟିର ରିକ୍ତତାକୁ ଘୋଡ଼ାଇ ପକାଏ । ଦିପହରେ ଆକାଶ ଖୁବ୍ ପରିଷ୍କାର ହୋଇଗଲେ, ଗଛ ପତ୍ରରେ ଘନ ଆଚ୍ଛାଦିତ ସମୁଦାୟ ଯୋଜକଟା ଉପରେ ତାହାର ନଜର ପଡ଼େ । ସେତିକିବେଳେ ସ୍କାଭିନ୍‍ସ୍କିର ମନେ ହୁଏ, ସେ ଯେମିତି ଗୋଟାଏ ପ୍ରକାଣ୍ଡ ବଗିଚା ଦେଖିଲା—କୋକୋ ଓ ବଡ଼ ମୁସା ଫୁଲର ପେନ୍ଥାସବୁ ମିଶିଯାଇ ଆସପିନଓ୍ୟାଲର ଘରଗୁଡ଼ିକ ପଛରେ ଚମତ୍କାର ଫୁଲ-ତୋଡ଼ା ଭଳି ଦିଶୁଛି । ଟିକିଏ ଦୂରକୁ, ଆସପିନଓ୍ୟାଲ ଓ ପାନାମା ମଝିରେ, ଗୋଟାଏ ବଡ଼ ଅରଣ୍ୟ ଥିଲା । ନିତି ସକାଳେ ଓ ସନ୍ଧ୍ୟାରେ ଗୋଟାଏ ଲାଲ ରଙ୍ଗର: କୁହୁଡ଼ି ତାହା ଉପରେ ଝୁଲୁଥାଏ । ସେଟା ଗ୍ରୀଷ୍ମ-ପ୍ରଧାନ ଦେଶର ଗୋଟାଏ ପ୍ରକୃତ ଅରଣ୍ୟ-ତାହାର ପାଦ ସ୍ରୋତାହୀନ ଜଳରେ ବୁଡ଼ି ରହିଥାଏ, ତା ଭିତରେ ଜଙ୍ଗଲୀ ଗଛସବୁ ଉଠିଥାଏ ଏବଂ ଅସଂଖ୍ୟ ବିରାଟ ଆର୍କିଡ଼, ପାମ, କ୍ଷୀର-ଗଛ, ଲୁହା-ଗଛ, ଅଠା-ଗଛର ସମ୍ମିଳିତ ମର୍ମର ସମୁଦ୍ରର ଗର୍ଜନ ପରି ଶୁଭୁଥାଏ ।

 

ବୃଦ୍ଧ ଲୋକଟି ନିଜର ଦୂରବୀକ୍ଷଣ-ଯନ୍ତ୍ର ସାହାଯ୍ୟରେ ଖାଲି ଯେ ମାଳ ମାଳ ଗଛ ଓ ଚଉଡ଼ା କଦଳୀ ପତ୍ରସବୁ ଦେଖି ପାରେ ତାହା ନୁହେଁ, ଅସଂଖ୍ୟ ମାଙ୍କଡ଼ ଓ ବଡ଼ ବଡ଼ ଏବଂ, ବେଳେ ବେଳେ ଅରଣ୍ୟ ଉପରେ ଇନ୍ଦ୍ରଧନୁ ରଙ୍ଗର ମେଘ ରଚନା କରି ଉଡ଼ି ଯାଉଥିବା ପଞ୍ଝା ପଞ୍ଝା ଶୁକପକ୍ଷୀଙ୍କୁ ବି ଦେଖେ । ସ୍କାଭିନ୍‍ସ୍କି ଏହିପରି ବଣ-ଜଙ୍ଗଲ ସହିତ ବିଶେଷ ପରିଚିତ, କାରଣ ଆମେଜନ ନଦୀରେ ତାହାର ନୌକା ବୁଡ଼ିଯିବା ପରେ ଏହି ଧରଣର ବଣ-ଜଙ୍ଗଲ ଭିତରେ ସେ ବହୁ ସପ୍ତାହ ଘୂରି ବୁଲିଛି । ସେ ଜାଣେ ବାହାରର ଏହି ଆଶ୍ଚର୍ଯ୍ୟ ସୁନ୍ଦର ଅରଣ୍ୟର ହସ ପଛରେ କେତେ କେତେ ବିପଦ ଓ ମୃତ୍ୟୁ ଲୁଚି ରହିଥାଏ । ସେଠାରେ ରାତ୍ରି-ଯାପନ ସମୟରେ ତାହାର ଅତି ନିକଟରେ ମାଙ୍କଡ଼ର ଅଶରୀରୀ ଚିତ୍କାର ଓ ବାଘର ଗର୍ଜନ ସେ ଘନ ଘନ ଶୁଣିଛି । ବିରାଟ ସାପସବୁକୁ ଗଛ ଉପରେ ମଲାଙ୍ଗ ପରି ଗୁଡ଼ାଇ ହୋଇ ଶୋଇ ରହିଥିବାର ସେ ଦେଖିଛି । ଟର୍ପେଡ଼ୋ-ମାଛ ଓ ସାଲୁ ସାଲୁ ହେଉଥିବା କୁମ୍ଭୀରରେ ପୂରି ରହିଥିବା ନିସ୍ତବ୍ଧ ହ୍ରଦସବୁ ସେ ସେହି ଜଙ୍ଗଲରେ ଦେଖିଛି । ସେ ଜାଣେ, କି ରକମ ଆତଙ୍କରେ ମଣିଷ ସେହିସବୁ ଅନାବିଷ୍କୃତ ଜଙ୍ଗଲରେ ବାସ କରେ, ଯେଉଁଠି ଗୋଟିଏ ଗୋଟିଏ ପତ୍ରର ଲମ୍ବ ମଣିଷର ଉଚ୍ଚତା ଠାରୁ ଦଶ ଗୁଣ ହେବ । ତାହା ଛଡ଼ା ରକ୍ତପାୟୀ ମଶା, ଗଛ-ଜୋକ ଓ ବିରାଟ ବିଷାକ୍ତ ମଙ୍କଡ଼ସା ସେହିସବୁ ଅରଣ୍ୟରେ ଭର୍ତ୍ତି ହୋଇ ଥାଆନ୍ତା । ସେହି ଅରଣ୍ୟ-ଜୀବନର ବ୍ୟକ୍ତିଗତ ଅଭିଜ୍ଞତା ତାହାର ଅଛି । ସେ ନିଜର ଆଖିରେ ବହୁତ କିଛି ଦେଖିଛି । ନାନା ବିପଦର ଭିତର ଦେଇ ତାହାକୁ ଯିବାକୁ ହୋଇଛି । ତେଣୁ ଏହି ଉଚ୍ଚ ଆଶ୍ରାୟରେ ବସି ସେହିସବୁ ଦୃଶ୍ୟାବଳୀ ଆଡ଼କୁ ଦୃଷ୍ଟି ନିକ୍ଷେପ କରି ସେସବୁର ସୌନ୍ଦର୍ଯ୍ୟ ଉପଭୋଗ କଲେ ଏବଂ ସେସବୁର ବିଶ୍ୱାସଘାତକତା ଠାରୁ ନିଜକୁ ରକ୍ଷା କଲେ, ସେ ସବୁ ଠାରୁ ବେଶୀ ଆନନ୍ଦ ଲାଭ କରେ । ଏହି ମୀନାରଟି ତାହାକୁ ସକଳ ବିପଦରୁ ରକ୍ଷା କରିଛି । ରବିବାର ଦିନ ମାତ୍ର କେତୋଟି ଘଣ୍ଟା ପାଇଁ ସେ ଟିକିଏ ବାହାରକୁ ବୁଲିବାକୁ ଯାଏ । ସେହି ସମୟରେ ସେ ରୂପା ବୋତାମ-ଲଗା ନୀଳ ଜଗୁଆଳି-କୋଟ ପିନ୍ଧିଥାଏ ଏବଂ ତାହାର ଛାତି ଉପରେ କ୍ରସଗୁଡ଼ିକ ଝୁଲୁଥାଏ । ଗ୍ରୀର୍ଜାରେ ପ୍ରବେଶ କଲାବେଳେ, କ୍ରେଓଲମାନେ ନିଜ ନିଜ ଭିତରେ କୁହାକୁହି ହୁଅନ୍ତି, “ଯାହା ହେଉ ଆମେ ଜଣେ ମାନନୀୟ ବତିଘର ଜଗୁଆଳି ପାଇଛୁଁ । ମାର୍କିନ ହେଲେ କଅଣ ହେବ ସେ ନାସ୍ତିକ ନୁହେଁ ।” ଏହି କଥା କେତେ ପଦ ଦୁଆର ମୁହଁରେ ତାହାର କାନରେ ପଡ଼ିଗଲେ, ତାହାର ଦୁଧ-ପରି-ଧଳା ରଙ୍ଗର ମଥାଟା ଟିକିଏ ଗର୍ବରେ ଉପରକୁ ଟେକି ହୋଇଯାଏ । କିନ୍ତୁ ସମବେତ ପ୍ରାର୍ଥନା ପରେ ସେ ସିଧା ସଳଖ ସେହି ଦ୍ଵୀପଟିକୁ ହରଷ ଚିତ୍ତରେ ଫେରିଯାଏ । କାରଣ ସେହି ମହାଦେଶ ଉପରେ ତେବେ ବି ତାହାର ଆସ୍ଥା ନ ଥିଲା । ରବିବାର ଦିନ ସହରରୁ କିଣି ଆଣିଥିବା ସ୍ପେନୀୟ ଖବର କାଗଜ, କିମ୍ଵା ଫାଲକନବ୍ରିଜଙ୍କ ଠାରୁ ମାଗି ଆଣିଥିବା ନ୍ୟୁଇୟର୍କ ହେରଲ୍ଡ଼ ପଢ଼ିବାର ସୁଯୋଗ ମଧ୍ୟ ସେ ପାଏ । ସେ ତାହାରି ଭିତରୁ ୟୁରୋପର ଖବରସବୁ ଅତି ଆଗ୍ରହରେ ଖୋଜି ଖୋଜି ପଢ଼େ । ଅପର ଗୋଲାର୍ଦ୍ଧରେ ଅବସ୍ଥାପିତ ସେହି ବତିଘରର ମୀନାର ଉପରେ ବସି ଦୁର୍ଭାଗା ବୃଦ୍ଧ ଲୋକଟିର ମନ ନିଜର ଜନ୍ମଭୂମି ପାଇଁ ହାଇଁପାଇଁ ହୁଏ । ସମୟ ସମୟରେ ମଧ୍ୟ, ଯେତେବେଳେ ନୌକା ତାହାର ଦୈନିକ ଖାଦ୍ୟ-ସାମଗ୍ରୀ ଓ ପାଣି ନେଇ ସେହି ଦ୍ୱୀପକୁ ଆସେ, ସେତେବେଳେ ସେ ଚୌକିଦାର ଜନସନ ସାଙ୍ଗରେ ପଦେ ଅଧେ କଥା ହେବା ଲାଗି ମୀନାର ଉପରୁ ତଳକୁ ଓହ୍ଲାଇଯାଏ । କିନ୍ତୁ କିଛି ଦିନ ପରେ ସେ ନିଜକୁ ଲଜ୍ଜିତ ବୋଧ କରେ । ସହରକୁ ଯିବା, ଖବର କାଗଜ ପଢ଼ିବା ଓ ତଳକୁ ଯାଇ ଜନସନ ସାଙ୍ଗରେ ରାଜନୀତି ଚର୍ଚ୍ଚା କରିବା ସେ ବନ୍ଦ କରିଦିଏ । ଏହିପରି ଭାବରେ କେତେ ସପ୍ତାହ କଟିଯାଏ, କେହି ତାହାର ଦର୍ଶନ ପାଆନ୍ତି ନାହିଁ, କି ସେ ବି କାହାକୁ ଦେଖେ ନାହିଁ । କୂଳରେ ଛାଡ଼ି ଆସୁଥିବା ସାମଗ୍ରୀସବୁ ଅଦୃଶ୍ୟ ହୋଇ ଯିବାର, ଏବଂ ସେହି ଅଞ୍ଚଳର ସମୁଦ୍ରରେ ପ୍ରତି ଦିନ ସକାଳେ ନିୟମିତ ସୂର୍ଯ୍ୟୋଦୟ ଭଳି ନିତି ସନ୍ଧ୍ୟାରେ ବତିଘର ଆଲୁଅ ଜଳିବାର ଦେଖିଲେ, ବୃଦ୍ଧ ଲୋକଟି ଯେ ବଞ୍ଚିଛି, ତାର ଏକମାତ୍ର ସ୍ପଷ୍ଟ ପ୍ରମାଣ ମିଳେ । ଏହି ନିଃସନ୍ଦେହ ଯେ, ବୃଦ୍ଧ ଲୋକଟି ଏହି ସଂସାର ପ୍ରତି ବିତସ୍ପୃହ ହୋଇ ପଡ଼ିଥିଲା । ଘର-ମୁହାଁ-ରୋଗ ତାର ଅସଲ କାରଣ ନୁହେଁ । ମାତ୍ର ୟା ବି ହୋଇ ପାରେ ଯେ, ତାହାର ଘର-ମୁହାଁ-ରୋଗ ନିର୍ବିକାରତା ଭିତରେ ହଜି ଯାଇଛି । ସ୍କାଭିନ୍‍ସ୍କି ପକ୍ଷରେ ଏହି ଦ୍ୱୀପଟି ଉପରେ ହିଁ ସମଗ୍ର ବିଶ୍ଵ ଯେମିତି ବର୍ତ୍ତମାନ ସୃଷ୍ଟି ହେଲା ଏବଂ ନାଶ ବି ହୋଇଗଲା । ସେ ମନେ ମନେ ଭାବି ଭାବି ସ୍ଥିର କରି ନେଇଥିଲା ଯେ ମୃତ୍ୟୁ ଅବଧି ସେ ଏହି ମୀନାର ଛାଡ଼ି ଚାଲିଯିବ ନାହିଁ, ଏବଂ ଏହା ଛଡ଼ା ଆଉ କିଛି ଥାଇ ପାରେ ଏହା ସେ ଏକାବେଳେ ଭୁଲି ଯାଇଥିଲା । ତାହା ଛଡ଼ା, ସେ ଜଣେ ରହସ୍ୟବାଦୀ ହୋଇ ଯାଇଥିଲା । ତାହାର କୋମଳ ନୀଳ ଆଖି ଯୋଡ଼ାକ ଗୋଟିଏ ଶିଶୁର ଆଖି ପରି ଜଳଜଳ ଚାହିଁବାକୁ ଲାଗିଲା, ଏବଂ ଜଣାଗଲା ଯେମିତି ତାହା ଗୋଟିଏ ଦୂରବର୍ତ୍ତି ଜିନିଷ ଉପରେ ନିବଦ୍ଧ ରହିଛି । ଗୋଟାଏ ଅସାଧାରଣ ସରଳ ଓ ବିରାଟ ଆବେଷ୍ଟନୀ ସମ୍ମୁଖରେ, ବୃଦ୍ଧ ଲୋକଟି ନିଜର ବ୍ୟକ୍ତିତ୍ଵର ଧାରଣା ଯେମିତି ପାଶୋରି ପକାଉଥିଲା । ସେ ଜଣେ ବ୍ୟକ୍ତି ବିଶେଷ ଭାବରେ ବଞ୍ଚି ନ ଥିଲା । ତାହାର ଆବେଷ୍ଟନୀ ଭିତରେ ସେ ନିଜକୁ ଅଧିକରୁ ଅଧିକ ମିଶାଇ ଦେଉଥିଲା । ନିଜର ଆବେଷ୍ଟନୀ ବାହାରର କିଛି କଥା ସେ ଜାଣି ନ ଥିଲା । କେବଳ ଅବଚେତନ ଭାବରେ ତାହାର ଅନୁଭବ-ଶକ୍ତି ଜାଗ୍ରତ ରହିଲା । ଅବ, ଶେଷରେ ତାହାକୁ ଜଣାଗଲା ଯେ ଆକାଶ, ଜଳ, ପାହାଡ଼, ମୀନାର, ସୁନେଲି ବେଳାଭୂମି, ସ୍ଫୀତ ପାଲ, ସମୁଦ୍ର-ଛଞ୍ଚାଣ, ଜୁଆର-ଭଟ୍ଟା ଏହିସବୁ ମିଶି ଗୋଟାଏ ବିଶାଳ ଐକ୍ୟ, ଗୋଟାଏ ବିରାଟ ରହସ୍ୟମୟ ଆତ୍ମ ଗଠନ କରିଛନ୍ତି । ସେହି ରହସ୍ୟ ଭିତରେ ସେ ଯେମିତି ବୁଡ଼ି ଯାଉଛି । ଏବଂ ଯେଉଁ ଆତ୍ମା ନିଜକୁ ବଞ୍ଚାଇ ରଖେ ଓ ପ୍ରଶମିତ କରେ ସେ ତାହାକୁ ହିଁ ଉପଲବ୍ଧି କରୁଛି । ସେ ବୁଡ଼ି ଯାଉଛି, ଧକ୍କା ଖାଉଛି ଏବଂ ନିଜକୁ ପାଶୋରି ଦେଉଛି । ନିଜର ସେହି ବ୍ୟକ୍ତିଗତ ଅବସ୍ଥାନର, ସଂକୀର୍ଣ୍ଣତା ଭିତରେ, ସେହି ଅର୍ଦ୍ଧ-ଜାଗ୍ରତ ଓ ଅର୍ଦ୍ଧ-ନିଦ୍ରିତ ଅବସ୍ଥାରେ, ସେ ଏପରି ଏକ ବିରାଟ ବିଶ୍ରାମର ସଦ୍ଧାନ ପାଇଛି, ଯାହା ପ୍ରାୟ ଅର୍ଦ୍ଧମରଣ ସଙ୍ଗେ ସମାନ । କିନ୍ତୁ ଜାଗରଣ ଆସିଲା ।

 

ଦିନେ ନୌକା ଖାଦ୍ୟ ଓ ପାନୀୟ ପହଞ୍ଚାଇ ଦେଇ ଚାଲିଯିବାର ପ୍ରାୟ ଘଣ୍ଟାକ ପରେ ସ୍କାଭିନ୍‍ସ୍କି ମୀନାର ଉପରୁ ଓହ୍ଲାଇ ଆସିଲା, ଏବଂ ଦେଖିଲା ଯେ ତାହାର ମାମୁଲି ଜିନିଷ ଛଡ଼ା ଗୋଟାଏ ଅଧିକା ପୁଡ଼ିଆ ଥୁଆ ହୋଇଛି । ଏହି ପୁଡ଼ିଆ ଉପରେ ଆମେରିକାର ଡାକଟିକଟ ମରାଯାଇଥିଲା, ଏବଂ ମୋଟା କନା ଉପରେ ଠିକଣା ଲେଖା ହୋଇଥିଲା: “ଶ୍ରୀଯୁକ୍ତ ସ୍କାଭିନ୍‍ସ୍କି ।”

 

କୌତୁହଳୀ ହୋଇ, ବୃଦ୍ଧ ଲୋକଟି କନା କାଟି ପକାଇଲା, ଏବଂ ଦେଖିଲା, କେତେ ଖଣ୍ଡ ବହି । ସେ ଖଣ୍ଡିଏ ବହି ହାତରେ ଉଠାଇନେଲା, ତାକୁ ଦେଖିଲା, ଏବଂ ପୁଣି ଥୋଇଦେଲା । ତା ପରେ ତାହାର ହାତ ଦୁଇଟି ଭୟଙ୍କର ଭାବରେ ଥରିବାକୁ ଳାଗିଲା । ସେ ତାହାର ଆଖି ମୁଦିଦେଲା, ଯେମିତି ସେ ତାହା ବିଶ୍ୱାସ କରି ପାରିଲା ନାହିଁ । ତାହାକୁ ମାଲୁମ ହେଲା, ସେ ଯେମିତି ସ୍ଵପ୍ନ ଦେଖୁଛି । ବହିଟି ପୋଲ୍ ଭାଷାରେ ଲିଖିତ ହୋଇଥିଲା—ତାହାର ଅର୍ଥ କଅଣ ? କିଏ ବା ଏହି ପଠାଇ ଥାଇପାରେ ? ପ୍ରଥମେ ତାହାର ପରିଷ୍କାର ଭାବରେ ମନେପଡ଼ିଲା ନାହିଁ ଯେ ତାହାର ବତିଘର-ଚାକିରିର ଆରମ୍ଭରେ ମାର୍କିନ ରାଷ୍ଟ୍ରଦୂତଙ୍କ ଠାରୁ ମାଗି ଆଣିଥିବା ଖଣ୍ଡିଏ ହେରଲ୍ଡ଼ ପତ୍ରିକାରେ ନ୍ୟୁଇୟର୍କରେ ଗୋଟିଏ ପୋଲିସ୍‍ ସମିତି ଗଠନ ବିଷୟ ପଢ଼ି, ତୁରନ୍ତ ସେହି ସମିତି ନିକଟକୁ ନିଜର ଚାନ୍ଦା ବାବଦକୁ ତାହାର ଅଧା-ମାସର ଦରମା ପଠାଇ ଦେଇଥିଲା । ବତିଘରେ ତାହାର ଏହି ଟଙ୍କା କିଛି ଦରକାର ନ ଥିଲା । ସେହି ସମିତି ଧନ୍ୟବାଦ ଜଣାଇ ତାହା ପାଖକୁ କେତେ ଖଣ୍ଡ ବହି ପଠାଇ ଦେଇଛି । ବହିଗୁଡ଼ିକ ସ୍ୱାଭାବିକ ଭାବରେ ତାହା ପାଖରେ ଆସି ପହଞ୍ଚିଛି । କିନ୍ତୁ ପ୍ରଥମେ ବୃଦ୍ଧ ଲୋକଟିର ଏହିସବୁ କଥା ମନେ ପଡ଼ିଲା ନାହିଁ । ଆସପିନଓ୍ୟାଲାରେ, ତାହାର ମୀନାରରେ, ତାହାର ନିର୍ଜନତା ଭିତରେ ପୋଲ, ଭାଷାର ବହି—ତାହା ପକ୍ଷରେ ସେଟା ଥିଲା କିଛି ଅସ୍ୱାଭାବିକ କଥା, ଅତୀତ କାଳର ଗୋଟାଏ ନିଶ୍ୱାସ, ଆଉ ଏକ ପ୍ରକାର ଅଲୌକିକ ଘଟଣା । ରାତିରେ ଯାତ୍ରା କରୁଥିବା ସେହି ନାବୀକମାନଙ୍କ ପରି, ବର୍ତ୍ତମାନ ତାହାକୁ ଜଣାଗଲା ଯେ ଗୋଟାଏ ଅତିଶୟ ପ୍ରିୟ ଅଥଚ ପ୍ରାୟ—ଭୁଲା ସ୍ୱରରେ କିଏ ଯେମିତି ତାହାର ନାମ ଧରି ଡାକୁଛି । କିଛି ସମୟ ସେ ଆଖି ବୁଜି ବସି ରହିଲା । ତାହାକୁ ପ୍ରାୟ ନିଶ୍ଚିତ ଭାବରେ ଜଣା ଯାଉଥିଲା ଯେ ଆଖି ଖୋଲିଦେଲା କ୍ଷଣି, ତାହାର ସ୍ଵପ୍ନ ତୁଟିଯିବ ।

 

ପୁଡ଼ିଆଟି କଟା ହୋଇ ତାହା ଆଗରେ ପଡ଼ିଥିଲା, ଅପରାହ୍ନର ରଶ୍ମି-ରେଖାରେ ପରିଷ୍କାର ଭାବରେ ଝଲସୁଥିଲା, ଏବଂ ତାରି ଉପରେ ଖଣ୍ଡିଏ ବହି ମେଲା ହୋଇ ପଡ଼ିଥିଲା । ଯେତେବେଳେ ବୃଦ୍ଧ ଲୋକଟି ତାହା ଆଡ଼କୁ ପୁଣି ହାତ ବଢ଼ାଇଲା, ନିସ୍ତବ୍ଧତା ଭିତରେ ସେ ନିଜର ହୃତ୍‍ସ୍ପନ୍ଦନ ଶୁଣିବାକୁ ପାଇଲା । ସେ ଦେଖିଲା, ତାହା ପଦ୍ୟ । ବହିର ମଲାଟରେ ବଡ଼ ବଡ଼ ଅକ୍ଷରରେ ନାମ ମୁଦ୍ରିତ ହୋଇଥିଲା, ତାହା ତଳେ ଲେଖକର ନାମ । ଏହି ନାମଟି ସ୍କାଭିନ୍‍ସ୍କି ନିକଟରେ ଅପରିଚିତ ନ ଥିଲା । ସେ ଦେଖିଲା ଯେ ଏହି ବହିଟି ପୋଲଣ୍ଡର ମହାକବି ମିଟସ୍କିୟେଭିତଙ୍କ ଦ୍ୱାରା ରଚିତ । ତାଙ୍କର ଲେଖା ୧୮୩୦ ସାଲରେ ସେ ପ୍ୟାରିସରେ ପଢ଼ିଥିଲା । ତା ପରେ, ଯେତେବେଳେ ସେ ଅଲଜିୟାର୍ସ ଓ ସ୍ପେନରେ ଯୁଦ୍ଧ କରୁଥିଲା, ସେତିକିବେଳେ ସେ ସ୍ଵଦେଶବାସୀଙ୍କ ଠାରୁ ଏହି ମହା ମନୀଷୀଙ୍କର ନ୍ତ୍ରମବର୍ଦ୍ଧମାନ ଖ୍ୟାତି ସମ୍ବନ୍ଧରେ ଶୁଣିଥିଲା । କିନ୍ତୁ ସେହି ସମୟରେ ସେ ବନ୍ଧୁକ ପ୍ରତି ଏତେ ଅଭ୍ୟସ୍ତ ଥିଲା ଯେ ସେ ଖଣ୍ଡିଏ ହେଲେ ବହି ହାତରେ ଧରି ପାରୁ ନ ଥିଲା । ୧୮୪୯ ସାଲରେ ସେ ଆମେରିକାକୁ ଚାଲିଗଲା । ତା ପରେ ତାହାର ରୋମାଞ୍ଚକର ଜୀବନ ଭିତରେ କୌଣସି ପୋଲଣ୍ଡ—ବାସି ସହିତ ତାହାର ଭେଟ ହୋଇ ନ ଥିଲା କି ଖଣ୍ଡିଏ ପୋଲିସ ବହି ବି ତାହାର ନଜରରେ ପଡ଼ି ନ ଥିଲା । ସୁତରାଂ, ଅଧିକ ଆଗ୍ରହ ସହକାରେ ଓ ଦ୍ରୁତରେ ହୃତ-ସ୍ପନ୍ଦନରେ, ସେ ବହିର ନାମ-ପୃଷ୍ଠାଟି ଓଲଟାଇଲା । ସେତେବେଳେ ତାହାର ମନେ ହେଲା ଯେ ତାହାର ନିର୍ଜନ ଦ୍ୱୀପରେ କୌଣସି ରକମ ଧର୍ମ-କର୍ମ ଘଟିବାକୁ ଯାଉଛି-। ବାସ୍ତବିକ ସେହି ସମୟଟା ଅତିଶୟ ଶାନ୍ତ ଓ ନିସ୍ତବ୍‍ଧ ଥିଲା । ଦିପହରେ ଆସପିନଓ୍ୟାଲ ଘଡ଼ିରେ ପାଞ୍ଚଟା ବାଜୁଥିଲା । ଖଣ୍ଡିଏ ହେଲେ ବଉଦ ନିର୍ମଳ ଆକାଶକୁ ଅନ୍ଧକାର କରି ଦେଉ ନ ଥିଲା । ଖାଲି କେତେଗୁଡ଼ିଏ ସମୁଦ୍ର-ଛଞ୍ଚାଣ ପବନରେ ଭାସି ବୁଲୁଥିଲେ । ସମୁଦ୍ରକୁ କିଏ ଯେମିତି ଦୋଳନାରେ ଝୁଲାଇ ଶୁଆଇ ପକାଉଥିଲା । କୂଳରେ ଲାଗୁଥିବା ଢେଉସବୁ ନୀରବରେ ଅସ୍ପଷ୍ଟ ଧ୍ୱନି କରୁଥିଲେ, ଏବଂ ଧୀରେ ଧୀରେ ବାଲି ଉପରେ ଗଡ଼ି ଯାଉଥିଲେ-। ଦୂରରେ ଆସପିନଓ୍ୟାଲର ଧଳା କୋଠାସବୁ ଓ ଅଦ୍ଭୁତ ମେଳା ମେଳା ତାଳଗଛ ସବୁ ହସୁଥିଲେ-। ସତରେ, ସେଠାରେ ପବିତ୍ର, ପ୍ରଶାନ୍ତ ଓ ମର୍ଯ୍ୟାଦାକର କିଛି ଗୋଟାଏ ଥିଲା । ହଠାତ୍, ପ୍ରକୃତିର ସେହି ପ୍ରଶାନ୍ତ ମଝିରେ, ବୃଦ୍ଧ ଲୋକଟିର କମ୍ପିତ କଣ୍ଠ-ସ୍ଵର ଶୁଣାଗଲା । ଯେମିତି ନିଜେ ଭଲ ଭାବରେ ବୁଝି ପାରିବା ଲାଗି ସେ ବଡ଼ ପାଟିରେ ପଢ଼ୁଥିଲା :

 

“ତୁମେ ସ୍ୱାସ୍ଥ୍ୟ ପରି,

ହେ ମୋର ଜନ୍ମଭୂମି ଲିଟଭା !

ଯେ ହରାଇଛି ତୁମକୁ, କେବଳ ସେ

କହିପାରେ ତୁମେ ଆମର କେଡ଼େ ପ୍ରିୟ !

ଆଜି ତୁମର ଅପରୂପ ସୌନ୍ଦର୍ଯ୍ୟ

ଦେଖୁଛି ଏବଂ କରୁଛି ବର୍ଣ୍ଣନା,

କାରଣ ତୁମରି ପାଇଁ ମୁଁ

ସତତ ବ୍ୟାକୁଳ ।”

 

ସ୍କାଭିନ୍‍ସ୍କିର ଗଳା ପଡ଼ିଗଲା । ଅକ୍ଷରଗୁଡ଼ାକ ତାହାର ଆଖି ଆଗରେ ନାଚିବାକୁ ଲାଗିଲେ । ତାହାର ଛାତି ଭିତରେ ବନ୍ଧ ଭାଙ୍ଗିଗଲା, ଏବଂ ହୃଦୟର ଗୋଟାଏ ଢେଉ ଉପରକୁ ଉପରକୁ ଉଠିବାକୁ ଲାଗିଲା, ତାହାର ସ୍ୱର ବନ୍ଦ କରିଦେଲା, ଆଉ ତାହାର କଣ୍ଠ ରୋଧ କରିଦେଲା-। କିଛି କ୍ଷଣ ପରେ ସେ ନିଜକୁ ସମ୍ଭାଳି ନେଲା, ଏବଂ ପୁଣି ପଢ଼ିବାକୁ ଲାଗିଲା :

 

“ହେ ପବିତ୍ର ଭୂମି, ଉଜ୍ଜ୍ୱଳ ଚେନଷ୍ଟୋହୋଭାକୁ ପହରା ଦିଅ,

ଅଷ୍ଟ୍ରୋବ୍ରାମା ଆଲୋକିତ କର,

ନଭ୍‍ଗ୍ରୋଡେକ ଦୁର୍ଗ—ସହର ସହ ତାହାର

ସତ୍ ନାଗରିକଙ୍କୁ ପାଳନ କର ।

ଶୈଶବରେ ତୁମ ପାଖରେ ମୋତେ ଛାଡ଼ି ଦେଇ

ମୋର ଅଶ୍ରୁମତୀ ମାଆ ବିଦାୟ ନେଲେ,

ତୁମେ ମୋତେ ଜୀବନ ଦେଲ,

ମୋର ନିର୍ଜୀବ ଆଖି ଖୋଲି ଉପରକୁ ଅନାଇଲି,

ଆଉ ତୁମର ପବିତ୍ର ଅଗଣାକୁ ସିଧା ଚାଲିଗଲି,

ମୋର ଜୀବନ ପାଇଁ ଭଗବାନଙ୍କୁ ପ୍ରଣାମ କଲି,—

ତେଣୁ ଗୋଟାଏ ଅଲୌକିକ ମନ୍ତ୍ର ବଳରେ

ଆମକୁ ଆମର ଜନ୍ମଭୂମିର

ବକ୍ଷକୁ ଫେରାଇ ନିଅ ।”

 

ତାହାର ଛାତି ଭିତରେ ଉଠୁଥିବା ଢେଉ ଏଥର ନିଜର ଇଚ୍ଛା-ଶକ୍ତି ଲଙ୍ଘି ଭାଙ୍ଗି ପଡ଼ିଲା । ବୃଦ୍ଧ ଲୋକଟି ଧକାଇ ଧକାଇ, ଶେଷକୁ ଭୂଇଁରେ ପଡ଼ିଗଲା । ତାହାର ଦୁଧ-ପରି-ଧଳା ବାଲିଗୁଡ଼ିକ ସମୁଦ୍ରର ବାଲି ସାଙ୍ଗରେ ମିଶିଗଲା । ଇତି ମଧ୍ୟରେ ତାହାର ସ୍ଵଦେଶ ଛାଡ଼ିବାର ଚାଳିଶ ବର୍ଷ ହୋଇଗଲାଣି । ଭଗବାନ ଜାଣନ୍ତି, କେତେ ବର୍ଷ ତଳେ ସେ ନିଜର ମାତୃଭାଷା ଶୁଣିଥିଲା । ଆଜି ସେହି ଭାଷା ତାହା ନିକଟରେ ଆସି ପହଞ୍ଚିଛି—ସମୁଦ୍ରରେ ଭାସି ଭାସି ଆସି ତାହାକୁ ଅନ୍ୟ ଏକ ଗୋଲାର୍ଦ୍ଧରେ ନିର୍ଜନତାରେ ପାଇଛି—ଏହି ଭାଷା କେଡ଼େ ପ୍ରିୟ, କେଡ଼େ ମଧୁର କେଡ଼େ ସୁନ୍ଦର ! ତାହାକୁ ବିଚଳିତ କରି ଦେଇଥିବା କ୍ରନ୍ଦନରେ କୌଣସି ଯନ୍ତ୍ରଣା ନ ଥିଲା—ଖାଲି ଥିଲା ଗୋଟାଏ ହଠାତ୍ ଉଦ୍ଦୀପ୍ତ ଅସୀମ ପ୍ରେମ, ଯାହା ସମକ୍ଷରେ ଦୁନିଆର ଅନ୍ୟସବୁ ଜିନିଷ ତୁଚ୍ଛ ମନେ ହେଉଥିଲା । ସେହି ମହତ୍ କ୍ରନ୍ଦନରେ ସେ ଖାଲି ସେହି ତ୍ୟକ୍ତ ସ୍ଵଦେଶ ପ୍ରେମ ନିକଟରେ କ୍ଷମା ଭିକ୍ଷା କଲା, କାରଣ ସେ ଏତେ ବୃଦ୍ଧ ହୋଇ ଯାଇଥିଲା, ଏହି ନର୍ଜନ ପାହାଡ଼ ପ୍ରତି ଏମିତି ଅଭ୍ୟସ୍ତ ହୋଇ ଯାଇଥିଲା, ଏବଂ ଏହାକୁ ଏମିତି ଭୁଲି ଯାଇଥିଲା ଯେ ତାହା ଭିତରୁ ସବୁ ଆଶା-ଆକାଙ୍କ୍ଷା ସୁଦ୍ଧା ବିଲୁପ୍ତ ହୋଇ ଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା ଯେପରି ଏକ ଅଲୌକିକ ଘଟଣା ପରି ଫେରି ଆସିଲା । ଅତଏବ ତାହାର ଅନ୍ତର ଆନନ୍ଦରେ ନାଚିବାକୁ ଲାଗିଲା । ସମୟ ଗଡ଼ି ଯିବାକୁ ଲାଗିଲା । ସେ ସେଠାରେ ସେମିତି ପଡ଼ି ରହିଲା । ସମୁଦ୍ର-ଛଞ୍ଚାଣସବୁ ବତିଘର ଉପରେ ଉଡ଼ିବାକୁ ଲାଗିଲେ, ଯେମିତି ସେମାନଙ୍କର ପୁରୁଣା ବନ୍ଧୁଟି ପାଇଁ ଭୟରେ ଚିତ୍କାର କରୁଥିଲେ । ଯେଉଁ ସମୟରେ ସେ ସେମାନଙ୍କୁ ନିଜର ଅଇଁଠା-କଣ୍ଟା ଖାଇବାକୁ ଦେଉଥିଲା, ସେହି ସମୟ ଆସିଗଲା । ତେଣୁ ସେମାନଙ୍କ ଭିତରୁ କେତେକ ବତିଘର ଉପରୁ ତଳକୁ ତାହା ପାଖକୁ ଉଡ଼ି ଆସିଲେ । ତା ପରେ ଆଉ କେତେକ ଆସି ପହଞ୍ଚିଗଲେ, ଏବଂ ତାହାର ମୁଣ୍ଡ ଉପରେ ବସି ଥଣ୍ଟରେ ଖୁମ୍ପିବାକୁ ଓ ଡେଣା ଝାଡ଼ିବାକୁ ଲାଗିଲେ । ଡେଣାର ଶବ୍ଦ ତାହାକୁ ଜଗାଇ ଦେଲା । ସେ ତାହାର ପ୍ରାଣ ଭରି କାନ୍ଦିଥିଲା । ବର୍ତ୍ତମାନ ତାହାର ଅନ୍ତରରେ କେତେକ ପରିମାଣରେ ଶାନ୍ତି ଓ ସୁଖ ଫେରି ଆସିଲା । କିନ୍ତୁ ତାହାର ଆଖି ଦୁଇଟି ଯେମିତି ଅନୁପ୍ରାଣିତ ଜଣା ଯାଉଥିଲା । ବିନା ଦ୍ଵିଧାରେ ତାହାର ସମୁଦାୟ ଖାଦ୍ୟ ସାମଗ୍ରୀ ସେ ପକ୍ଷୀମାନଙ୍କୁ ଦେଇଦେଲା । ହେ-ଚେ କରି ସେମାନେ ତାହା ପାଖକୁ ଧାଇଁ ଆସିଲେ । କିନ୍ତୁ ସେ ନିଜେ ପୁଣି ସେହି ବହିଟି ଉଠାଇନେଲା । ଇତି ମଧ୍ୟରେ ସୂର୍ଯ୍ୟ ପାନାମାର ଉଦ୍ୟାନ ଓ ଅରଣ୍ୟର ପଛରେ ଲୁଚି ଯାଇଥିଲେ, ଏବଂ ଯୋଜକ ବାହାରେ ଅନ୍ୟ ସମୁଦ୍ର ଆଡ଼କୁ ଧୀରେ ଧୀରେ ଚାଲି ଯାଉଥିଲେ । କିନ୍ତୁ ଆତଲାଣ୍ଟିକ ସାଗର ଏବେ ବି ଆଲୋକରେ ପୂରି ରହିଥିଲା । ଖୋଲା ଜାଗାରେ ଏବେ ସୁଦ୍ଧା ସଫା ଆଲୁଅ ଥିଲା । ତେଣୁ, ସେ ପୁଣି ପଢ଼ିଲା :

 

“ମୋର ଆଶାୟୀ ଆତ୍ମାକୁ

ଘେନିଯାଅ ବର୍ତ୍ତମାନ ସେହି ଅରଣ୍ୟକୁ,

ସେହି ସବୁଜ ପ୍ରାନ୍ତରକୁ ।”

 

ଅବଶେଷରେ ଧଳା କାଗଜ ଉପରର ଅକ୍ଷରଗୁଡ଼ିକୁ ଗୋଧୂଳି ଲିଭାଇଦେଲା—ସେଠାର ଗୋଧୂଳି ଆଖି ପିଛଡ଼ାକେ ଚାଲିଯାଏ । ବୃଦ୍ଧ ଲୋକଟି ପଥର ଉପରେ ମୁଣ୍ଡ ରଖି ଆଖି ମୁଦି ଦେଲା । ତା ପରେ ତାହାର ଆତ୍ମା କବିତାର “ତୁମେ ଉଜ୍ଜ୍ୱଳ ଚେନଷ୍ଟୋହୋଭାକୁ ପହରା ଦିଅ” ପଂକ୍ତିଟିକୁ ନେଇ “ନାନା ଶସ୍ୟରେ ସୁଶୋଭିତ ସେହି ଖେତରେ” ପହଞ୍ଚାଇଦେଲା । ଆକାଶରେ ସେତେବେଳେ ସେହି ଲାଲ ଓ ସୁନେଲୀ ରଙ୍ଗର ଲମ୍ବା ଲମ୍ବା ରେଖାସବୁ ଝଟକୁଥିଲେ, ଆଉ ସେହି ଔଜ୍ଜ୍ଵଲ୍ୟ ଉପରେ ସେ ତାହାର ପ୍ରିୟ ସ୍ୱଦେଶକୁ ଉଡ଼ି ଯାଉଥିଲା । ପାଇନ ବଣର ମର୍ମର ତାହାର କାନରେ ଆସି ବାଜୁଥିଲା । ତାହାର ସ୍ୱଦେଶର ଝରଣାସବୁ କୁଳୁ କୁଳୁ ଧ୍ୱନି କରୁଥିଲା । ଅତୀତରେ ପ୍ରତ୍ୟେକ ଜିନିଷକୁ ଯେମିତି ଦେଖିଥିଲା, ବର୍ତ୍ତମାନ ସେସବୁକୁ ସେ ଠିକ୍ ସେମିତି ଦେଖିଲା । ପ୍ରତ୍ୟେକେ ତାହାକୁ ପଚାରିଲେ, “ମନେ ଅଛି ତ ?” ସେ ମନେ ପକାଇଲା ! ସେ ବିସ୍ତୀର୍ଣ୍ଣ ଖେତସବୁ ଦେଖିଲା; ଖେତର ମଝିରେ ବଣ ଓ ଗାଁସବୁ । ବର୍ତ୍ତମାନ ରାତି । ଏହି ସମୟରେ ତାହାର ବତି ସାଧାରଣତଃ ସମୁଦ୍ରର ଅନ୍ଧକାରକୁ ଆଲୋକିତ କରି ଦେଇଥାଏ । କିନ୍ତୁ ବର୍ତ୍ତମାନ ସେ ତାହାର ଜନ୍ମସ୍ଥାନରେ ରହିଛି । ତାହାର ବୁଢ଼ା ମଥାଟା ନିଜର ଛାତି ଉପରେ ନଇଁ ପଡ଼ିଛି, ଏବଂ ସେ ସ୍ୱପ୍ନ ଦେଖୁଛି । ଛବିସବୁ ଦ୍ରୁତ ଗତିରେ ତାହାର ଆଖି ଆଗରେ କିଞ୍ଚିତ୍ ବିଶୃଙ୍ଖଳ ଭାବରେ ଭାସି ଯାଉଛନ୍ତି । ଯେଉଁ ଘରେ ସେ ଜନ୍ମ ହୋଇଥିଲା ସେଟା ତାହାର ଆଖିରେ ପଡ଼ୁ ନାହିଁ, କାରଣ ଯୁଦ୍ଧରେ ତାହା ଧ୍ୱଂସ ହୋଇ ଯାଇଛି । ସେ ତାହାର ପିତାମାତାଙ୍କୁ ଦେଖିବାକୁ ପାଇଲା ନାହିଁ, କାରଣ ତାହାର ଶୈଶବାବସ୍ଥାରେ ସେମାନଙ୍କର ଦେହାନ୍ତ ହୋଇଥିଲା । ତଥାପି ନିଜର ଗାଁଟି ଦିଶୁଥିଲା, ସତେ ଯେମିତି ସେ ଗତ କାଲି ଛାଡ଼ି ଚାଲି ଆସିଛି—ଧାଡ଼ି ଧାଡ଼ି କୁଟୀରର ଝରକାରେ ଆଲୁଅ, କୁଦ, କାରଖାନା, ମୁହାଁମୁହିଁ ଦୁଇଟି ପୋଖରୀ ଏବଂ ରାତି ସାରା କାନଫଟା ଭେକ-ରଡ଼ି । ଥରେ ସେହି ଗାଁରେ ସେ ଗୋଟାଏ ରାତି ପହରା ଦେଇଥିଲା । ଅତୀତର ସେହି ସ୍ମୃତି ବର୍ତ୍ତମାନ ହାଠାତ୍ ଗୁଡ଼ିଏ ଛବି ଧରି ତାହା ଆଗରେ ଠିଆ ହୋଇଗଲା । ପୁଣି ସେ ଜଣେ ଉହ୍‍ଲାନ ହୋଇ, ସେଠାରେ ପହରା ଦେବାକୁ ଲାଗିଲା । ଦୂରରେ ପାଠଶାଳା ଦିଶୁଛି । ବିହ୍ଵଳ ହୋଇ ସେ ସେହି ଆଡ଼କୁ ଅନାଇ ରହିଲା । ରାତିର ନୀରବତା ଭିତରେ ହଲ୍ଲା, ଗୀତ ଓ ଚିତ୍କାର ସହିତ ବୀଣା ଓ ବେହେଲାର ଶେଷ ‘ଉ-ହା ! ଉ-ହା’ ସ୍ୱର ଭାସି ଆସୁଥିଲା । ତା ପରେ ଉହ୍ଲାନମାନେ ସେମାନଙ୍କର ଘୋଡ଼ା-ନାଲରେ ନିଆଁଟା ଫୋପାଡ଼ି ଦେଲେ । ଘୋଡ଼ାରେ ଚଢ଼ି ସେଠାରେ ଠିଆ ହୋଇ ରହି ସେ ଦିକ୍‍ଦାର ହୋଇଗଲା । ସମୟ ଧୀରେ ଧୀରେ ଗଡ଼ି ଯାଉଥିଲା । ଅବଶେଷରେ ଆଲୁଅ ସବୁ ଲିଭିଗଲା । ବର୍ତ୍ତମାନ ଯେତେ ଦୂରକୁ ଦୃଷ୍ଟି ଗଲେ ସୁଦ୍ଧା ସେଠାରେ ଖାଲି କୁହୁଡ଼ି, ଅଭେଦ୍ୟ କୁହୁଡ଼ି ବ୍ୟାପି ରହିଥିଲା । ବର୍ତ୍ତମାନ କୁହୁଡ଼ି ପରିଷ୍କାର ଭାବରେ, ଖେତରୁ ଉପରକୁ ଉଠିଯାଇ, ଧଳା ବଉଦ ହୋଇଯାଉ ସମଗ୍ର ପୃଥିବୀକୁ ଆଲିଙ୍ଗନ କଲା । ତୁମେ ଦେଖିଲେ କହିବ, ଏହା ଗୋଟାଏ ମହାସାଗର । କିନ୍ତୁ ପ୍ରକୃତରେ ତାହା ହେଉଛି ବିସ୍ତୀର୍ଣ୍ଣ ଖେତ । ଏକ୍ଷଣି ଅନ୍ଧାରରେ ପକ୍ଷୀର ଡାକ ଶୁଭିବ, ଏବଂ ଜଙ୍ଗଲରୁ ଝିଲ୍ଲୀ-ରବ ଭାସି ଆସିବ। ରାତି ଶାନ୍ତ ଓ ଶୀତଳ ଜଣା ଯାଉଛି—ବାସ୍ତବିକ, ପୋଲ୍ ଦେଶର ରାତି ! ଦୂରରେ ପବନ ନଥାଇ ମଧ୍ୟ ପାଇନ ବନ ମର୍ମରିତ ହେଉଛି, ଠିକ୍ ସମୁଦ୍ରର ଗର୍ଜନ ପରି । ଅଚିରେ ଉଷାଲୋକରେ ପୂର୍ବାକାଶ ଧଳା ପଡ଼ିଯିବ । ସତରେ, କୁକୁଡ଼ା ସବୁ ବାଡ଼ ପଛରେ ଡାକିବାକୁ ଲାଗିଲେଣି । ଘରକୁ ଘର ଗୋଟିକର ଡାକରେ ଅନ୍ୟଟି ଜବାବ ଦେଉଛି। ଆକାଶରେ କେଉଁଠି ସାରସସବୁ ଚିତ୍କାର କରୁଛନ୍ତି। ଉହ୍ଲାନ ନିଜକୁ ସୁସ୍ଥ ଓ ସତେଜ ବୋଧ କଲା । କିଏ ଯେମିତି ଆଗାମୀ କାଲିର ଯୁଦ୍ଧ କଥା ଶୁଣାଇଥିଲା । ହାୟ ! ଅନ୍ୟ ସବୁ କାମ ପରି, ଯୁଦ୍ଧ ବି ଚାଲିବ—ଲୋକଙ୍କର ଚିତ୍କାର ଓ ପତାକାର ଫରଫର ଶବ୍ଦ ଶୁଭିବ । ରାତି ତାହାକୁ ଶୀତଳ କରି ଦେଉଥିଲେ ସୁଦ୍ଧା, ତରୁଣ-ରକ୍ତ ଶିଙ୍ଗା-ଧ୍ଵନି ଭଳି ଉତ୍ତପ୍ତ ହୋଇ ଯାଉଥିଲା । କିନ୍ତୁ ଭୋର ହୋଇ ଆସିଲାଣି । ରାତି ମଧ୍ୟ ଫିକା ପଡ଼ି ଗଲାଣି । ସେହିସବୁ ଛାଇ ଭିତରୁ ବଣ, ବୁଦା, ଧାଡ଼ି ଧାଡ଼ି କୁଡ଼ିଆ, କାରଖାନା, ପପଲାର ଗଛସବୁ ଦେଖା ଯାଉଛି । ମୀନାର ଉପରେ ଧାତୁ-ପତାକା ପରି କୂଅଟା କିଚକିଚ ଶବ୍ଦ କରୁଛି । ସକାଳର ଗୋଲାପୀ ଆଭାରେ ଏହି ଦେଶଟି କି ସୁନ୍ଦର ଓ ଆଦରଣୀୟ ନ ହୋଇଛି ! ଓଃ, ଏହି ଗୋଟିଏ ଦେଶ, ଏକ ମାତ୍ର ଦେଶ !

 

ଶୂନଶାନ୍ ! ଜାଗ୍ରତ ଜଗୁଆଳିଟି ଶୁଣି ପାରିଲା, କେହି ଆସୁଛି । ଅବଶ୍ୟ, ଜଗୁଆଳି ବଦଳାଇବା ପାଇଁ ସେମାନେ ଆସୁଛନ୍ତି ।

 

ହଠାତ୍ ସ୍କାଭିନ୍‍ସ୍କିର ମୁଣ୍ଡ ଉପରୁ ଗୋଟାଏ ଶବ୍ଦ ଶୁଭିଲା :

 

“ରେ, ବୁଢ଼ା ! ଉଠ୍ ଉଠ୍ ! ତୋହର କଅଣ ହୋଇଛି କି ?”

 

ବୃଦ୍ଧ ଲୋକଟି ତାହାର ଆଖି ଖୋଲିଲା, ଏବଂ ତାହା ସାମନାରେ ଠିଆ ହୋଇଥିବା ଲୋକଟି ଆଡ଼କୁ କଟମଟ କରି ଚାହିଁଲା। ସ୍ଵପ୍ନ-ଦୃଶ୍ୟର ଅବଶିଷ୍ଟାଂଶ ତାହାର ମଥା ଭିତରେ ବାସ୍ତବତା ସହିତ ଲଢ଼ାଇ କରୁଥିଲା । ଅବଶେଷରେ ସେସବୁ କ୍ରମେ କ୍ରମେ ଅସ୍ପଷ୍ଟ ହୋଇ କୁଆଡ଼େ ମିଲାଇଗଲା । ତାହା ସାମନାରେ ଜନସନ ଠିଆ ହୋଇଥିଲା—ବନ୍ଦରର ପଥ-ପ୍ରଦର୍ଶକ ।

 

ଜନସନ ପଚାରିଲା, “କଥା କଅଣ ? ତୁମର ଦେହ ଭଲ ନାହିଁ କି ?”

 

“ନା ।”

 

“କାଲି ରାତିରେ ତ ତୁମେ ବତି ଲଗାଇ ନାହଁ । ତେଣୁ ତୁମକୁ ଏ ସ୍ଥାନ ଛାଡ଼ି ଚାଲିଯିବାକୁ ହେବ । ସେଣ୍ଟ ଗେରୋମ ଆଡ଼ୁ ଆସୁଥିବା ଗୋଟାଏ ଜାହାଜ ପଥରେ ଧକ୍କା ଖାଇଛି । ଭାଗ୍ୟକୁ କେହି ପାଣିରେ ବୁଡ଼ି ଯାଇ ମରି ନାହାନ୍ତି, ନୋହିଲେ ତୁମକୁ ବିଚାର କରିବା ପାଇଁ ନେଇ ଯାଇ ଥାଆନ୍ତେ । ଏହି ନୌକାରେ ମୋ ସାଙ୍ଗରେ ଆସ । ଦୂତାବାସରେ ତୁମେ ବାକି କଥା ସବୁ ଶୁଣି ପାରିବ ।”

 

ବୃଦ୍ଧ ଲୋକଟି ବିବର୍ଣ୍ଣ ପଡ଼ିଗଲା । ବାସ୍ତବିକ ଗଲା ରାତିରେ ସେ ବତି ଲଗାଇ ନ ଥିଲା-

 

କିଛି ଦିନ ପରେ, ଆସପିନଓ୍ୟାଲରୁ ନ୍ୟୁଁଇୟର୍କଗାମୀ ଗୋଟିଏ ଜାହାଜର ଡେକ୍ ଉପରେ ସ୍କାଭିନ୍‍ସ୍କିକୁ ଠିଆ ହୋଇଥିବା ଦେଖାଗଲା । ବିଚରାଟିର ଚାକିରି ଚାଲି ଯାଇଥିଲା । ତାହାର ସାମନାରେ ଯାଯାବର ଜୀବନର ନୂଆ ରାସ୍ତା ଖୋଲିଗଲା । ପବନ ସେହି ପତ୍ରଟିକୁ ପୁଣି ଉଡ଼ାଇ ନେଇଗଲା—ବହୁ ଜଳ—ସ୍ଥଳ ବୁଲାଇବ, ନିଜେ ସନ୍ତୁଷ୍ଟ ନ ହେବା ଯାଏ ତାହା ସାଙ୍ଗରେ ଖେଳି ବୁଲିବ । ସେହି କେତୋଟି ଦିନ ଭିତରେ ବୃଦ୍ଧ ଲୋକଟି ବିଶେଷ ଭାବରେ ଭାଙ୍ଗି ପଡ଼ିଥିଲା । ତାହାର ଶରୀର ନଇଁ ପଡ଼ିଥିଲା । ଖାଲି ତାହାର ଆଖି ଯୋଡ଼ାକ ଝଟକୁଥିଲା । ତାହାର ଜୀବନର ନୂତନ ରାଜପଥରେ ସେ ସେହି ବହି ଖଣ୍ଡିକ ନିଜର ଛାତି ଉପରେ ଭିଡ଼ି ଧରିଥିଲା । ବେଳେ ବେଳେ ସେ ବହିଟିକୁ ତାହାର ହାତରେ ଚାପି ଧରୁଥିଲା, କାରଣ ତାହାର ଭୟ ହେଉଥିଲା କାଳେ ସେଟା ବି ତାହାର ହାତରୁ ଖସି ପଳାଇ ଯାଇପାରେ ।

Image